ନରମ ନିଶାଣ

ଆମେରିକାର ପୂର୍ବତନ ପରରାଷ୍ଟ୍ର ମନ୍ତ୍ରୀ (ସେକ୍ରେଟାରି ଅଫ୍‌ ଷ୍ଟେଟ୍‌) ହିଲାରୀ କ୍ଲିଣ୍ଟନ୍‌ ସର୍ବଦା ପାରମ୍ପରିକ ଭାବରେ ନାରୀ ସୁଲଭ ରୂପେ ବିଚାର କରାଯାଉଥିବା ଆକର୍ଷଣୀୟ ପୋଷାକ ଠାରୁ ଦୂରରେ ରହି ଅଧିକ ସୁବିଧାଜନକ ପ୍ୟାଣ୍ଟସୁଟ୍‌ ପରିଧାନ କରି ନିଜର କାର୍ଯ୍ୟ ସମ୍ପାଦନ କରୁଥିଲେ। ପୁରୁଷ ପ୍ରଧାନ ସମାଜରେ ଯେଉଁମାନେ ନାରୀକୁ ସର୍ବଦା ଏକ ମନୋହାରୀ ବସ୍ତୁ ରୂପେ ଦେଖିଥାନ୍ତି, ସେମାନେ ହିଲାରୀଙ୍କର ଏହି ଅନାକର୍ଷଣୀୟ ବେଶଭୂଷା ପ୍ରତି ନିୟମିତ ଭାବରେ ତାଚ୍ଛଲ୍ୟ ପ୍ରକାଶ କରୁଥିଲେ। ହିଲାରୀ ଥରେ ସରକାରୀ ଗସ୍ତରେ କିର୍‌ଗୀଜସ୍ତାନ୍‌ ଯାଇଥିବା ବେଳେ ଏକ ଜନ ଆଲୋଚନାଚକ୍ର ବା ‘ଟାଉନ୍‌ହଲ୍‌’ରେ ଅଂଶ ଗ୍ରହଣ କରିବା ଅବସରରେ ସେଠାରେ ଉପସ୍ଥିତ ଥିବା ଜଣେ ପୁରୁଷ ଅଂଶ ଗ୍ରହଣକାରୀ ତାଙ୍କୁ ବିଦ୍ରୂପ କଲା ଭଳି ପଚାରି ଦେଲେ ଯେ ସେ (ହିଲାରୀ) କେଉଁ ‘ଡିଜାଇନର୍‌’ ପୋଷାକ ପରିଧାନ କରିଛନ୍ତି। ହିଲାରୀ କ୍ଲିଣ୍ଟନ୍‌ ତତ୍‌କ୍ଷଣାତ୍‌ ସେ ଅଭଦ୍ର ବ୍ୟକ୍ତିଙ୍କୁ ଉତ୍ତର ଦେଇଥିଲେ: ‘‘ତୁମେ କେବେ ହେଲେ ଜଣେ ପୁରୁଷକୁ ଏ ପ୍ରଶ୍ନ ପଚାରନ୍ତ କି?’’

ଭାରତରେ ଏବେ ଠିକ୍‌ ଏହି ପ୍ରଶ୍ନ ଯଦି କୌଣସି ଜଣେ ରାଜନେତାଙ୍କୁ ପଚରା ଯିବା ଉଚିତ, ସେ ହେଉଛନ୍ତି ପଶ୍ଚିମବଙ୍ଗ ସରକାରରେ ଜଣେ ମନ୍ତ୍ରୀ ଥିବା ତୃଣମୂଳ କଂଗ୍ରେସ ଦଳର ବରିଷ୍ଠ ନେତା ଅଖିଳ ଗିରି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ବର୍ତ୍ତମାନ ଦେଶ ସାରା ଚର୍ଚ୍ଚା‌ର ବିଷୟବସ୍ତୁ ପାଲଟିଛି ଓ ଏଠାରେ ତାହା ଉଦ୍ଧାର କରିବାର ଆବଶ୍ୟକତା ନାହିଁ। ତେବେ ଗିରିଙ୍କ ଆଚରଣର ଦୁଇଟି ଦିଗ ପ୍ରତି ଏଠାରେ ଦୃଷ୍ଟି ଆକର୍ଷଣ କରାଯିବା ନିତାନ୍ତ ଆବଶ୍ୟକ। ଗୋଟିଏ, ଅଖିଳ ଗିରି ହେଉଛନ୍ତି ଯେଉଁ ରାଜନୈତିକ ଦଳର ସଦସ୍ୟ, ସେ ଦଳର ପ୍ରତିଷ୍ଠାତ୍ରୀ ତଥା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୁଶ୍ରୀ ମମତା ବାନାର୍ଜୀ, ଯିଏ ହେଉଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପରି ମଧ୍ୟ ଜଣେ ନାରୀ ଏବଂ ଯିଏ ମଧ୍ୟ ହିଲାରୀ କ୍ଲିଣ୍ଟନ୍‌ଙ୍କ ପରି ଆକର୍ଷଣୀୟ ପରିଧାନ ବର୍ଜନ କରିଥାନ୍ତି। ଦ୍ବିତୀୟରେ, ଭାରତର ରାଜନୈତିକ ଦୃଶ୍ୟପଟରେ ପୁରୁଷ ନେତାମାନଙ୍କର ଉପସ୍ଥିତି ମହିଳା ନେତ୍ରୀମାନଙ୍କର ଉପସ୍ଥିତି ଠାରୁ ବହୁ ଗୁଣ ଅଧିକ ହୋଇଥିଲେ ହେଁ ଗିରି ତାଙ୍କର ଅସଭ୍ୟ ମନ୍ତବ୍ୟର ନିଶାଣ ସ୍ବରୂପ କୌଣସି ପୁରୁଷ ନେତାଙ୍କୁ ନ ବାଛି, ରାଷ୍ଟ୍ରପତି ମୁର୍ମୁଙ୍କୁ ବାଛିଛନ୍ତି, ଯାହାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ବ, ପରିପକ୍ବତା ଓ ଗାମ୍ଭୀର୍ଯ୍ୟ ସମ୍ମୁଖରେ ଗିରିଙ୍କ ସମେତ ଯେ କୌଣସି ପୁରୁଷ ନେତା ନିଷ୍ପ୍ରଭ ହୋଇଯି‌େବ।

ବର୍ତ୍ତମାନ ନିୟମିତ ଭାବରେ ଦେଖିବାକୁ ମିଳୁଛି ଯେ ଜଣେ ରାଜନେତା ଏକ ବିବଦମାନ ମନ୍ତବ୍ୟ ପ୍ରଦାନ କରିବା ପରେ ତାଙ୍କର ଦଳ ନିଜକୁ ସେ ମନ୍ତବ୍ୟ ଠାରୁ ଦୂରେଇ ନେବା ଘୋଷଣା କରିଥାଏ ଓ ସମ୍ପୃକ୍ତ ନେତା ଜଣକ ସେ ମନ୍ତବ୍ୟ ପ୍ରତ୍ୟାହାର କରି ନେଲେ ବୋଲି ପ୍ରକାଶ କରିଥାନ୍ତି। ସେଇ ଧାରାକୁ ଅନୁସରଣ କରି ତୃଣମୂଳ କଂଗ୍ରେସ ଏବେ ଏକ ବକ୍ତବ୍ୟ ଜାରି କରି ମନ୍ତ୍ରୀ ଗିରିଙ୍କ ମନ୍ତବ୍ୟଠାରୁ ନିଜକୁ ଦୂରେଇ ନେଇଛି ଓ ମନ୍ତ୍ରୀ ତାଙ୍କର ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଇଛନ୍ତି। କହିବା ଅନାବଶ୍ୟକ, ଏ କୌଶଳ ହେଉଛି ଗୋଇଠା ମାରି ବିଷ୍ଣୁ କହିବା ଭଳି ନିରର୍ଥକ। ଏହା କାହାକୁ ଅଜଣା ନୁହେଁ ଯେ ଇଡ଼ିଗଲା ପାଣି ଓ ହୁଡ଼ିଗଲା କଥାକୁ ଫେରାଇ ନେଇ ହୁଏ ନାହିଁ।
ଏହା ମଧ୍ୟ ଦେଶବାସୀଙ୍କ ଦୃଷ୍ଟିକୁ ଏଡ଼ାଇ ନାହିଁ ଯେ ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟ ପ୍ରଦାନ କରି ତାଙ୍କୁ ଅପମାନିତ କରିବାରେ ଅଖିଳ ଗିରି ପ୍ରଥମ ନୁହଁନ୍ତି। ରାଷ୍ଟ୍ରପତି ନିର୍ବାଚିତ ହେବା ନିଶ୍ଚିତ ହେବା ପରଠାରୁ ବିିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ମୁହଁରୁ ତାଙ୍କ ପ୍ରତି ଏଭଳି ଅସୂୟା ପ୍ରକାଶ ପାଇବା ଦେଖା ହୋଇଆସିଛି।

ଉଦାହରଣ ସ୍ବରୂପ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁଙ୍କୁ ଖଳ ଦର୍ଶନର ପ୍ରତିନିଧି କହି ତାଙ୍କୁ ରାଷ୍ଟ୍ରପତି କରା ନ ଯାଉ ବୋଲି ଆହ୍ବାନ ଦେଇଥିବା ବେଳେ ଆଉ ଜଣେ କଂଗ୍ରେସ ନେତା, ଲୋକସଭାରେ ଦଳକୁ ନେତୃତ୍ବ ଦେଉଥିବା ଅଧୀର ରଞ୍ଜନ ଚୌଧୁରୀ ଦ୍ରୌପଦୀ ମୁର୍ମୁଙ୍କୁ ଅତ୍ୟନ୍ତ ଅପମାନଜନକ ଭାବରେ ‘ରାଷ୍ଟ୍ରପତ୍ନୀ’ ରୂପେ ସମ୍ବୋଧନ କରି ପରେ କଥା ଫେରାଇ ନେଇଥିଲେ ଓ ହାସ୍ୟାସ୍ପଦ ଭାବରେ ଏହାର କାରଣ ତାଙ୍କର ହିନ୍ଦୀ ଭାଷାରେ ଯଥେଷ୍ଟ ଦଖଲର ଅଭାବ ବୋଲି ଦର୍ଶାଇଥିଲେ। ଏମାନଙ୍କୁ ଅଶାଳୀନତାରେ ପଛରେ ପକାଇ ଦେଇଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମଗୋପାଳ ବର୍ମା, ଯିଏ ପଞ୍ଚ ପାଣ୍ଡବମାନେ କିଏ ବୋଲି ପ୍ରଶ୍ନ କରିଥିଲେ। ଏଇଭଳି ଅନ୍ୟ ଏକ ଘଟଣାରେ ଆଉ ଜଣେ କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ମୁର୍ମୁଙ୍କୁ ଜଣେ ଖୋସାମତିଅା ବୋଲି ବର୍ଣ୍ଣନା କରିବା ଦେଖା ଯାଇଥିଲା। ଉଲ୍ଲେଖ ପ୍ରୟୋଜନ ଯେ ରାଷ୍ଟ୍ରର ମୁଖ୍ୟଙ୍କୁ ଏଭଳି ଅପମାନିତ କରିଥିବା ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ କୌଣସି ଜଣେ ହେଲେ ଏଥିପାଇଁ ଏପର୍ଯ୍ୟନ୍ତ ଦଣ୍ଡିତ ହୋଇନାହାନ୍ତି। ଅତଏବ ରାଷ୍ଟ୍ରପତିଙ୍କୁ ଜଣେ ନରମ ନିଶାଣ ରୂପେ ବିବେଚନା କରି ଅଖିଳ ଗିରିଙ୍କ ପରି ବିକୃତ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିମାନେ ତାଙ୍କୁ ଅପମାନିତ କରିବାକୁ ଆଗେଇ ଆସିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଏଭଳି ବ୍ୟକ୍ତିମାନଙ୍କର ମନ୍ତବ୍ୟରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ସେମାନେ ସମସ୍ତେ ଏକ ଗଭୀର ପୁରୁଷ କୈନ୍ଦ୍ରିକ ଚିନ୍ତାଧାରା ଦ୍ବାରା ପରିଚାଳିତ, ଯେଉଁଥିରେ ଏକ ବ୍ୟକ୍ତି ରୂପେ ନାରୀର ସ୍ବାଧୀନତା ଓ ଅନ୍ତର୍ନିହିତ ଶକ୍ତିକୁ ସ୍ବୀକାର କରାନଯାଇ ତାକୁ ପୁରୁଷର କଳ୍ପନା ଅନୁସାରେ କେତେକ ନିର୍ଦ୍ଦିଷ୍ଟ ଶାରୀରିକ ବିଭାବସମ୍ପନ୍ନା ବସ୍ତୁ ରୂପେ ଦେଖାଯାଇଥାଏ। ପୁରୁଷମାନଙ୍କ ଦ୍ବାରା ଅଙ୍କନ କରାଯାଇଥିବା ଏହି ନକ୍‌ସାରେ ଖାପ ଖାଇବା ପାଇଁ ଚେଷ୍ଟା କରୁଥିବା ନାରୀମାନଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ। ଏକ ଉଦାହରଣ ସ୍ବରୂପ କେବଳ ପ୍ରସାଧନ ସାମଗ୍ରୀ କ୍ରୟ କରିବାରେ ସାରା ପୃଥିବୀରେ ନାରୀମାନେ ବର୍ଷକୁ ଅନ୍ୟୂନ ୧୦୦ ବିଲିଅନ୍‌ ଡଲାର୍‌ ବ୍ୟୟ କରିଥାନ୍ତି। ସେଇଭଳି ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ସହାୟକ ପଦାର୍ଥ କ୍ରୟ ଓ ଉପାୟମାନ ଅବଲମ୍ବନରେ ମଧ୍ୟ ନାରୀମାନେ ଅଜସ୍ର ଅର୍ଥ ଶ୍ରାଦ୍ଧ କରିଥାନ୍ତି।

ପୁରୁଷ ମନଲାଖି ଚେହେରା ଧାରଣ କରିବା ଲକ୍ଷ୍ୟ ପଥରେ ଧାଉଁଥିବା ନାରୀମାନେ ମଧ୍ୟ ବିଭିନ୍ନ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଉଦାହରଣ ସ୍ବରୂପ କୃଶ ତନୁ ଧାରଣ ନିମିତ୍ତ ଅସ୍ବାଭାବିକ ଭାବରେ ଆହାର ନିୟନ୍ତ୍ରଣର ପରିଣାମ ସ୍ବରୂପ ନାରୀମାନେ ଆନୋରେକ୍‌ସିଆରୁ ବୁଲିମିଆ ପର୍ଯ୍ୟନ୍ତ ଗୁରୁତର ବ୍ୟାଧିମାନ ଦ୍ବାରା ପୀଡ଼ିତ ହେବା ଦେଖା ଯାଇଥାଏ। ଏଭଳି ଜୀବନ ଶୈଳୀ ସେମାନଙ୍କର କାର୍ଯ୍ୟଦକ୍ଷତାରୁ ପ୍ରଜନନ କ୍ଷମତା ପର୍ଯ୍ୟନ୍ତ ବ୍ୟାହତ କରିଥାଏ। ସେତିକି ନୁହେଁ ଏହି ଲକ୍ଷ୍ୟ ହାସଲରେ ବିଫଳତା ମଧ୍ୟ ସେମାନଙ୍କ ଠାରେ ଘୋର ହତାଶା ଓ ମାନସିକ ଅବସାଦ ସୃଷ୍ଟି କରିଥାଏ। କେତେକ ସ୍ଥଳରେ ଏହା ସମ୍ପୃକ୍ତ ମହିଳାଙ୍କର ଆତ୍ମ ସମ୍ମାନରେ ଏପରି ହ୍ରାସ ଘଟାଇଥାଏ ଯେ ସେମାନେ ଦୁନିଆର ସମ୍ମୁଖୀନ ହେବାକୁ ପଛାଇଥାନ୍ତି।

ଏପରିକି ଏହି ସୌନ୍ଦର୍ଯ୍ୟବର୍ଦ୍ଧନ ଦୌଡ଼ରେ ବ୍ୟବହୃତ ହାଇହିଲ୍‌ ଜୋତା ଭଳି ଏକ ନିରୀହ ମନେ ହେଉଥିବା ଉପକରଣ ମଧ୍ୟ ନାରୀମାନଙ୍କୁ ଶଯ୍ୟାଶାୟୀ କରି ଦେଉଥିବା ଏକ ବିପଜ୍ଜନକ ଅସ୍ତ୍ରର ରୂପ ନେଇପାରେ। ଖୋଦ୍‌ ହିଲାରୀ କ୍ଲିଣ୍ଟନ୍‌ ଥରେ ଭୀଷଣ କଷ୍ଟ ଭୋଗ କରି ଏ ଶିକ୍ଷା ପାଇଥିଲେ। ତାଙ୍କର ସ୍ବାମୀ ବିଲ୍‌ କ୍ଲିଣ୍ଟନ୍‌ ରାଷ୍ଟ୍ରପତି ଥିବା ସମୟରେ ଥରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପରେ ହିଲାରୀ ତୀବ୍ର ପିଠି ଯନ୍ତ୍ରଣାରେ ପୀଡ଼ିତ ହୋଇ ଶଯ୍ୟାଶାୟିନୀ ହେବା ପରେ ବିଶେଷଜ୍ଞ ଡାକ୍ତର ଏହାର କାରଣ ହେଉଛି ସେ ଛିଡ଼ା ହେବା ବେଳେ ପିନ୍ଧିଥିବା ହାଇ ହିଲ୍‌ ବୋଲି କହି ହିଲାରୀଙ୍କୁ ଭବିଷ୍ୟତରେ ଆଉ କେବେ ହାଇହିଲ୍‌ ନ ପିନ୍ଧିବାକୁ ଉପଦେଶ‌ ଦେଇଥିଲେ, ଯାହାକୁ ହିଲାରୀ ସର୍ବଦା ପାଳନ କରିଥିଲେ। ଅଖିଳ ଗିରିଙ୍କ ପରି ବ୍ୟକ୍ତିମାନେ କେବେହେଲେ ଏହା ପସନ୍ଦ କରନ୍ତେ ନାହିଁ।

ସମ୍ବନ୍ଧିତ ଖବର