‘ଜି-୨୦’ରୁ ବାଲି ଯାତ୍ରା ଯାଏ

ଗଲା ୧୫ ଏବ˚ ୧୬ ତାରିଖରେ ଇଣ୍ତୋନେସିଆର ବାଲି ଦ୍ବୀପରେ ଅନୁଷ୍ଠିତ ହୋଇଯାଇଥିବା ‘ଗ୍ରୁପ୍‌ ଅଫ୍‌ ଟ୍ବେଣ୍ଟି’ ବା ‘ଜି-୨୦’ ଶିଖର ସମ୍ମିଳନୀ (ଏହା ସପ୍ତଦଶ ବାର୍ଷିକ ଅଧିବେଶନ) ହୁଏ’ତ ଭାରତ ଲାଗି ସ୍ବତନ୍ତ୍ର ଗୁରୁତ୍ବ ବହନ କରନ୍ତା ନାହିଁ, ଯଦି ଏହାର ଅଧୢକ୍ଷ ଭୂମିକା ଭାରତକୁ ଅର୍ପଣ କରାଯାଇ ନ ଥାଆନ୍ତା ଏବ˚ ସେହି କ୍ରମରେ ଆସନ୍ତା ବର୍ଷ ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀକୁ ଆୟୋଜନ କରିବାର ଦାୟିତ୍ବ ଭାରତକୁ ମିଳି ନ ଥାଆନ୍ତା। ସେହିଭଳି ଏହି ବିଶ୍ବ-ସ୍ତରୀୟ ସମ୍ମିଳନୀଟି ଭାରତର ପୂର୍ବ ଉପକୂଳସ୍ଥ କ୍ଷୁଦ୍ର ରାଜ୍ୟ ଓଡ଼ିଶାରେ ଚିତ୍ତ-ଚାଞ୍ଚଲ୍ୟ ଖେଳାଇବାର ସାମନ୍ୟତମ ସମ୍ଭାବନା ମଧୢ ନ ଥାଆନ୍ତା, ଯଦି ସ˚ଯୋଗ କ୍ରମେ ଏହା ମାର୍ଗଶିର ମାସରେ ଏବ˚ ବାଲି ଦ୍ବୀପରେ ଅନୁଷ୍ଠିତ ହୋଇ ନ ଥାଆନ୍ତା! କହିବା ଅନାବଶ୍ୟକ ଯେ ଏହି ସମ୍ମିଳନୀର ସଫଳ ଆୟୋଜନ କରି ପାରିଥିବାରୁ ଇଣ୍ତୋନେସିଆ ସରକାର ପ୍ରଶ˚ସାର ପାତ୍ର ହୋଇଛନ୍ତି; କାରଣ କୋଭିଡ୍‌ ପାନ୍‌ଡେମିକ୍‌ କାରଣରୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଚୀନ ପ୍ରତି ସୃଷ୍ଟ ସନ୍ଦେହ ଓ ଅସୂୟା, ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପର ଠାରୁ ଏ ପର୍ଯ୍ୟନ୍ତ ଲାଗି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ପ୍ରଭାବରୁ ଆକ୍ରାନ୍ତ ବିଶ୍ବ ଅର୍ଥନୀତି, ତାଇଵାନ ସ˚ଦର୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ଚୀନ ମଧୢରେ କ୍ରମବର୍ଦ୍ଧିଷ୍ଣୁ ତିକ୍ତତା ଏବ˚ ଚୀନର ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ହେତୁ ଜାତ ଭୂ-ରାଜନୈତିକ କ˚ପନ ଇତ୍ୟାଦି ଦ୍ବାରା ସୃଷ୍ଟ ଏକ ଅତ୍ୟନ୍ତ ସ୍ପର୍ଶକାତର ପରିବେଶ ମଧୢରେ ରାଷ୍ଟ୍ର ମୁଖ୍ୟମାନେ ସମ୍ମିଳିତ ହେବା ପରିପ୍ରେକ୍ଷୀରେ ଅନେକ ବିଶେଷଜ୍ଞ ଅନୁମାନ କରିଥିଲେ ଯେ ପୂର୍ବ ସମ୍ମିଳନୀଗୁଡ଼ିକରେ ପରିଦୃଷ୍ଟ ହେଉଥିବା ହାର୍ଦ୍ଦିକ ଉଷ୍ମତା ବଦଳରେ ଏ ବର୍ଷ ଏକ ଅସ୍ବସ୍ତିକର ଶୀତଳତା ବିରାଜମାନ କରିପାରେ। କିନ୍ତୁ ‘ଜି-୨୦-୨୦୨୨’ ଏଭଳି ଅନୁମାନକୁ ଭ୍ରମାତ୍ମକ ସାବ୍ୟସ୍ତ କରିଛି, ଯାହାର ଶ୍ରେୟ ଆୟୋଜକ ରାଷ୍ଟ୍ରର ଏକାନ୍ତ ପ୍ରାପ୍ୟ।

ଉଲ୍ଲେଖଯୋଗ୍ୟ ଯେ ‘ଜି-୨୦’ ସ˚ଗଠନରେ ଅନ୍ତର୍ଭୁକ୍ତ (ଊଣେଇଶଟି ରାଷ୍ଟ୍ର ଏବ˚ ୟୁରୋପୀୟ ସ˚ଘ) ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ବିଶ୍ବର ସମୁଦାୟ ଜି.ଡି.ପି. ଏବ˚ ବାଣିଜ୍ୟିକ କାରବାରର ୮୦ ପ୍ରତିଶତର ଅଧିକାରୀ ଏବ˚ ସାମରିକ ଦୃଷ୍ଟିରୁ ଏହି ସ˚ଗଠନ ସମକ୍ଷରେ ପୃଥିବୀର ଅନ୍ୟ ରାଷ୍ଟ୍ରଗୁଡ଼ିକ ଅତ୍ୟନ୍ତ ଖର୍ବକାୟ ଦିଶିଥାଆନ୍ତି। ସୁତରା˚, ଏହି ଶୀର୍ଷ ସମ୍ମିଳନୀରେ ସ˚ଘଟିତ ବିତର୍କ, ତର୍ଜମା, ଆଲୋଚନା, ଆରୋପ ଏବ˚ କଟାକ୍ଷ ଇତ୍ୟାଦି ସବୁ କିଛି ବିଶେଷ ଗୁରୁତ୍ବ ବହନ କରିଥାଏ। ସେହି ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଯେଉଁ ପ୍ରସଙ୍ଗଗୁଡ଼ିକ ଉପରେ ବିଶଦ ଆଲୋଚନା ସହିତ ନିର୍ଦ୍ଦିଷ୍ଟ ମତ ପ୍ରକାଶ ପାଇବା ଦେଖିଥିଲା, ସେଗୁଡ଼ିକ ହେଲେ ରୁଷିଆ-ୟୁକ୍ରେନ ଯୁଦ୍ଧର ଅନାବଶ୍ୟକତା ନେଇ ସହମତି, ଖାଦ୍ୟ ଏବ˚ ଶକ୍ତି ସୁରକ୍ଷା ନେଇ ମତୈକ୍ୟ, ବିଶ୍ବ ତାପନ ନିୟନ୍ତ୍ରଣ ଦିଗରେ ସାମୂହିକ ଅଙ୍ଗୀକାର ପ୍ରକାଶ ଏବ˚ କୋଭିଡ୍‌ ପାଣ୍ଠି ଗଠନ ଦିଗରେ ସମ୍ମିଳିତ ଉଦ୍ୟମ ନେଇ ଆଗ୍ରହ। ଏହି ମର୍ମରେ ରୁଷିଆ-ୟୁକ୍ରେନ ଯୁଦ୍ଧ ସ˚ପର୍କିତ ପ୍ରସ୍ତୁତ ‘ରିଜଲ୍ୟୁସନ୍‌’ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଦତ୍ତ ମନ୍ତବ୍ୟ – ‘ଆଜିର ଯୁଗରେ ଯୁଦ୍ଧର ସ୍ଥାନ ନାହିଁ’-କୁ ଅନ୍ତିମ ବାକ୍ୟ ରୂପେ ଯୋଡ଼ାଯିବା ଭାରତୀୟଙ୍କ ସକାଶେ ତୃପ୍ତିର କାରଣ ହୋଇଛି।

ଏଠାରେ ସ୍ମରଣ କରାଯାଇପାରେ ଯେ ଗଲା ସେପ୍ଟେମ୍ବର ମାସରେ ଉଜବେକିସ୍ତାନର ରାଜଧାନୀ ସମରକନ୍ଦ ଠାରେ ଅନୁଷ୍ଠିତ ‘ସା˚ଘାଇ କୋ-ଅପରେସନ୍‌ ଅର୍ଗାନାଇଜେନ’ ବା ‘ଏସ୍‌ସିଓ’ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହିତ ସାକ୍ଷାତ-ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ବିଶ୍ବର ସର୍ବତ୍ର ପ୍ରଶ˚ସାର ପାତ୍ର ହେବା ସହିତ ଏହି ଯୁଦ୍ଧ ସ˚ଦର୍ଭରେ ଭାରତର ପକ୍ଷ ନେଇ କେତେକ ସ˚ଶୟ ଦୂର କରିଥିଲା। ଅବଶ୍ୟ, ଏହି ‘ଜି-୨୦’ ଶିଖର ସମ୍ମିଳନୀରେ ପୁଟିନଙ୍କ ଅନୁପସ୍ଥିତି (ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ରର ପ୍ରତିନିଧିତ୍ବ କରିଥିଲେ) ଚରମ ଅସ୍ବସ୍ତିକୁ ଏଡ଼ାଇବା ସହିତ ଏ ପ୍ରସଙ୍ଗରେ ଆଲୋଚନା ସକାଶେ ଏକ ସହଜ ବାତାବରଣ ସୃଷ୍ଟି କରିଥିଲା। କେବଳ ଏତିକି ନୁହେଁ; ଏଠାରେ ଆଉ ଯେଉଁ ଏକ ଦୃଶ୍ୟ ଭାରତୀୟମାନଙ୍କୁ କିଛିଟା ସୁଖଦ ଅନୁଭୂତି ପ୍ରଦାନ କରିଥିବ, ତାହା ହେଲା ସମ୍ମିଳନୀ କକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲୋଡ଼ିବା; ଏହା ଦୃଶ୍ୟମାନ ହୋଇଛି ଏକ ବହୁଳ ପ୍ରସାରିତ ଭିଡିଓରେ ଯେତେବେଳେ ବାଇଡେନ୍‌ ପଛରୁ ଆସି ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ସ୍କନ୍ଧ ସ୍ପର୍ଶ କରିବା ସହିତ ମୁଗ୍‌ଧ ମୋଦୀଙ୍କୁ ଦୃଢ଼ କରମର୍ଦ୍ଦନରେ ଆବଦ୍ଧ କରିଛନ୍ତି। ସେହିଭଳି ଏକ ସାମନ୍ୟ ବିସ୍ମିତ କଲା ଭଳି ଦୃଶ୍ୟ ମଧୢ ଦେଖିବାକୁ ମିଳିଛି ଯେତେବେଳେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଉକିରୁ ଉଠି ତାଙ୍କ ନିକଟକୁ ଯାଇ କରମର୍ଦ୍ଦନ କରିଛନ୍ତି।

ଏଠାରେ ପ୍ରକାଶ ଥାଉ କି ଏଭଳି ଏକ ସ୍ଥିତି ‘ଏସ୍‌ସିଓ’ ସମ୍ମିଳନୀରେ ମଧୢ ଦୃଷ୍ଟିଗୋଚର ହେବାର ସମ୍ଭାବନା ଥିଲା, ଯଦି ଉଭୟ ରାଷ୍ଟ୍ରମୁଖ୍ୟ ଏକ ନିସ୍ଫୃହ ନିରବତା ଅବଲମ୍ବନ କରି ପରସ୍ପରକୁ ଏଡ଼ାଇ ଯାଇ ନ ଥାଆନ୍ତେ। ସୁତରା˚, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟରେ ପରିବର୍ତ୍ତନର କାରଣକୁ ନେଇ କେତେକଙ୍କ ମନରେ ପ୍ରଶ୍ନ ଉଠିପାରେ। ଏହାର ଏକ ଉତ୍ତର ଏୟା ହୋଇପାରେ ଯେ ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଜି-୨୦’ ସମ୍ମିଳନୀକୁ ପ୍ରଶ୍ନାତୀତ ସଫଳତା ପ୍ରଦାନ କରିବା ସକାଶେ କୌଣସି ରାଷ୍ଟ୍ରମୁଖ୍ୟଙ୍କ ଦ୍ବାରା ପରିତ୍ୟାଜ୍ୟ ହେବାର ଲେଶ ମାତ୍ର ସୁଯୋଗ ପ୍ରଦାନ ନ କରିବା ଉଦ୍ୟମର ଏହା ଏକ ଅ˚ଶ! ଏଥିରୁ ହୃଦ୍‌ବୋଧ କରିହୁଏ ଯେ ଭାରତ ସରକାର ଏହି ଗୁରୁ ଦାୟିତ୍ବ ବହନ କରିବାକୁ କିଭଳି ତତ୍ପର ହୋଇ ଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ଯାହା ସର୍ବାଧିକ ମହତ୍ତ୍ବପୂର୍ଣ୍ଣ, ତାହା ହେଲା ଦେଶର ଆଭ୍ୟନ୍ତରୀଣ ଏବ˚ ବାହ୍ୟ ବ୍ୟାପାରରେ ଏଭଳି କୌଣସି ପରିସ୍ଥିତି ସୃଷ୍ଟି ନ କରିବା ବା ତା’ର କାରଣ ନ ହେବା, ଯାହା ଭାରତକୁ ଅଯଥା ବିବାଦାସ୍ପଦ ବା ବିତର୍କିତ କରି ପକାଇବ। କାରଣ ଏଭଳି ଏକ ପ୍ରଭାବଶାଳୀ ସ˚ଗଠନର ନେତୃତ୍ବ ନେଇ ଉତ୍ତମ ପରିଚାଳନା କରି ପାରିଲେ ତାହା ଅନେକ ଦିଗନ୍ତ ଓ ସମ୍ଭାବନାର ଦ୍ବାର ଉନ୍ମୁକ୍ତ କରି ପାରିବ।

ତେବେ, ‘ଦ ପ୍ରିଣ୍ଟ୍‌’ର ମୁଖ୍ୟ ସ˚ପାଦକ ଶେଖର ଗୁପ୍ତା କହିଥାଆନ୍ତି ଯେ ଏହି ସମ୍ମିଳନୀର ମୁଖ୍ୟ ଆଲୋଚ୍ୟ ବିଷୟ ହେବା କଥା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅତ୍ୟନ୍ତ ପ୍ରଭାବଶାଳୀ ଉପସ୍ଥିତି। ତାଙ୍କ ମତରେ ଆନ୍ତର୍ଜାତିକ ଗଣମାଧୢମରେ ପ୍ରକାଶିତ ଏହି ସମ୍ମିଳନୀ ସମ୍ବନ୍ଧୀୟ ସମ୍ବାଦଗୁଡ଼ିକରେ ସି ଜନପିଙ୍ଗଙ୍କ ଦ୍ବାରା ବାରମ୍ବାର ଶିରୋନାମା ମଣ୍ତନ ହେଉଛି ଏହାର ପ୍ରମାଣ। ଉକ୍ତ ସମ୍ମିଳନୀରେ ଦେଖିବାକୁ ମିଳିଥିଲା କିଭଳି ଯୁକ୍ତରାଷ୍ଟ୍ର ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ସେମାନଙ୍କ ବିଚାର ସ˚କୀଣ୍ଣତା ଦର୍ଶାଇ ସି ଜିନପିଙ୍ଗ ଚୀନରେ ପ୍ରଚଳିତ ଗଣତନ୍ତ୍ର(!)ର ଉପାଦେୟତା ପ୍ରତି ଦୃଷ୍ଟି ଆକର୍ଷଣ କରିବାର ଆସ୍ପର୍ଦ୍ଧା କରିଥିଲେ ବା ଏକ ଲବିରେ ରାଷ୍ଟ୍ରମୁଖ୍ୟମାନଙ୍କ ଭିଡ଼ ମଧ୍ୟରେ ସେ କାନାଡାର ରାଷ୍ଟ୍ରପତି ଜଷ୍ଟିନ୍‌ ଟ୍ରୁଡୁଙ୍କୁ ପ୍ରକାଶ୍ୟରେ ଭର୍ତ୍ସନା କରି ଅପ୍ରସ୍ତୁତ କରି ପକାଇଥିଲେ। ଏହି ଭର୍ତ୍ସନାର କାରଣ ଥିଲା ଜିନପିଙ୍ଗଙ୍କ ସହିତ ଟ୍ରୁଡୁଙ୍କ ଆଲୋଚନାର ଏକ ଅ˚ଶ ଗଣମାଧୢମରେ ପ୍ରକାଶିତ ହେବା, ଯାହା ଜିନପିଙ୍ଗଙ୍କ ପସନ୍ଦଯୋଗ୍ୟ ନ ଥିଲା! ଏଥିରୁ ମନେ ହୁଏ ଯେ ତୃତୀୟ ଥର ଲାଗି ରାଷ୍ଟ୍ରପତି ହୋଇଥିବା ସି ଜିନପିଙ୍ଗ ତାଙ୍କ ଆନ୍ତର୍ଜାତିକ ଉପସ୍ଥିତିକୁ ଅଧିକ ଦୃଢ଼ତାର ସହିତ ଜାହିର କରିବା ଲାଗି ସତେ ଯେମିତି ଅଧିକ ଉଦ୍‌ଗ୍ରୀବ ହୋଇପଡ଼ିଛନ୍ତି!

ଓଡ଼ିଶା ଠାରୁ ପ୍ରାୟ ଆଠ ହଜାର କିଲୋମିଟର ଦୂରସ୍ଥ ବାଲି ଦ୍ବୀପରେ ଆୟୋଜିତ ଏକ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ପ୍ରଦତ୍ତ ଭାଷଣ ସେହି ସମୟରେ କଟକରେ ଚାଲିଥିବା ‘ବାଲିଯାତ୍ରା’ ସ˚ପର୍କରେ ବର୍ଣ୍ଣନା କରିବା ସହିତ ଭାରତ ଏବ˚ ଇଣ୍ତୋନେସିଆ ମଧୢରେ ଥିବା ପ୍ରାଚୀନ ବାଣିଜ୍ୟ-ଐତିହ୍ୟ ଉପରେ ଆଲୋକପାତ କରିଥିଲା। ଏହା ସ୍ବାଭାବିକ ଭାବେ ଅଗଣିତ ଓଡ଼ିଶାବାସୀଙ୍କୁ ଅତ୍ୟନ୍ତ ରୋମା˚ଚିତ କରିଛି। କହିବା ଅନାବଶ୍ୟକ ଯେ ବାଲିଯାତ୍ରାର ଉଜ୍ଜ୍ବଳ ଗରିମାମୟ ଐତିହ୍ୟ ସମ୍ବନ୍ଧରେ ଅବଗତ ନ ଥିବା ଅସ˚ଖ୍ୟ ଓଡ଼ିଆ ଏହାକୁ ଏକ ଦୋକାନ-ବଜାରର ମେଳଣ ବା ଏକ ‘ଯାତ’ ବା ‘ଯାତ୍ରା’ ବୋଲି ଭାବି ନେଇଥିଲେ, ଯେଉଁ ଧାରଣାରୁ ସେମାନେ ଏବେ ଅଗତ୍ୟା ମୁକ୍ତ ହୋଇଥିବେ। ଏହି ସା˚ସ୍କୃତିକ ଉତ୍ସବ ଯେ ବାଲି ଅଭିମୁଖେ ଓଡ଼ିଆ ସାଧବମାନଙ୍କ ନୌ ‘ଯାତ୍ରା’ର ପାର˚ପରିକ ବାର୍ଷିକ ସ୍ମୃତି-ଚାରଣ, ଏହା ସେମାନଙ୍କୁ ଚମତ୍କୃତ କରିଥିବ ହୁଏ’ତ! ସୁତରା˚, ପ୍ରତି ବର୍ଷ ଓଡ଼ିଶା ବାସୀଙ୍କ ଲାଗି ନିଃଶବ୍ଦରେ ଆରମ୍ଭ ହୋଇ ସମାପ୍ତ ହୋଇଯାଉଥିବା ‘ଜି-୨୦’ ସମ୍ମିଳନୀର ଏହି ସପ୍ତଦଶ ସ˚ସ୍କରଣ ଅନେକ କାଳ ଯାଏ ସ୍ମରଣୀୟ ହୋଇ ରହିପାରେ!

ସମ୍ବନ୍ଧିତ ଖବର