ଧାମନଗରରେ ଜନାଦେଶର ଇଙ୍ଗିତ

ଆଲୋକର ସନ୍ଧାନେ - ଅଭୟ ଦ୍ୱିବେଦୀ

‘ମୁଁ ସର୍ବଦା ଜନମତକୁ ସମ୍ମାନ ଦେଇ ଆସିଛି। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କର ନିକଟରେ ଦେହାନ୍ତ ହୋଇଥିଲା। ସେ ଥିଲେ ଜଣେ ଲୋକପ୍ରିୟ ନେତା। ସେହି ଆସନରେ ତାଙ୍କ ପୁତ୍ରଙ୍କୁ ଟିକେଟ ଦିଆଗଲା। ତେଣୁ ଆମେ ଆଶା କରିଥିଲୁ ସେମାନେ ଏହି ଉପନିର୍ବାଚନରେ ଜୟଲାଭ କରିବେ।’ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହା ଥିଲା ସ୍ୱଳ୍ପଭାଷୀ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନବ ନିର୍ବାଚିତ ବିଧାୟକଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ବାର୍ତ୍ତା। ବିଜେପି ଦଳର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିନମ୍ରତାର ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ- ‘ଆଭାସୀ ରାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗରର ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି। ସେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ, ଆମର ମୁଖ୍ୟମନ୍ତ୍ରୀ। ଏବେ ସେ ତାଙ୍କର ଦାୟିତ୍ୱ ନିର୍ବାହ କରନ୍ତୁ।’ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗରବାସୀଙ୍କୁ ସମ୍ବୋଧନପୂର୍ବକ ଘୋଷଣା କରିଥିଲେ- ‘…ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୮ ମାସ ରହିଲା। କିନ୍ତୁ ଏହା ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା।

ମୁଁ ନିଜେ ଏହାକୁ ଦେଖିବି। ଧାମନଗର ବିକାଶ ଆହୁରି ଆଗକୁ ବଢ଼ିବ। …ଆପଣମାନଙ୍କ ଅଞ୍ଚଳର ବିକାଶ ଦାୟିତ୍ୱ ମୋର। ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ମୋର।’ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଅନୁଯାୟୀ, ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟଲାଭ କରିବେ, ଏହା ତାଙ୍କୁ ଜଣା ଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ କାହିଁକି ହାରିଲେ, ଏହାର କାରଣ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କୁ ଅଜଣା ଥିବ। ବିଜେପିର ବିଜୟ ନିମନ୍ତେ ଅନୁକଂପା ଓ ସହାନୁଭୂତି ଭୋଟକୁ ସେ ଶ୍ରେୟ ଦେଇଛନ୍ତି, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଅନ୍ୟ ଯେଉଁ କାରଣମାନ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛି, ଯଥା: ପ୍ରାର୍ଥୀଙ୍କ ଯୋଗ୍ୟତା, ବାହାର ଜିଲ୍ଲା ରାଜନେତାଙ୍କର ଅହମିକାପୂର୍ଣ୍ଣ ଦାମ୍ଭିକ ଆଧିପତ୍ୟ, ମିଶନଶକ୍ତି ସଦସ୍ୟାଙ୍କ ଉପରେ ଅହେତୁକ ଆସ୍ଥା, ଟଙ୍କା କାରବାରର ନଗ୍ନ ପ୍ରଦର୍ଶନ; ସାମଗ୍ରିକ ଭାବେ ଏ ସବୁକୁ କେବଳ ‘ତାତ୍କାଳିକ କାରଣ’ ଭାବେ ଚିହ୍ନଟ କରାଯାଇପାରେ। ବ୍ୟକ୍ତିଗତ ଯୋଗ୍ୟତା ଆଧାରେ ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ସମସ୍ତଙ୍କ ଠାରୁ ଆଗରେ ରହିବେ। ବିଜେପି ଆଦର୍ଶରେ ସେ ବହୁ ବର୍ଷରୁ ଅନୁପ୍ରାଣିତ ହୋଇ ଦିବଂଗତ ବିଧାୟକ ବିଷ୍ଣୁ ସେଠୀ ଅସୁସ୍ଥ ହେବା ପରେ ତାଙ୍କ କାର୍ଯ୍ୟଭାର ସମ୍ଭାଳୁଥିଲେ। ବିଜେଡି ପରାଜୟର ଅସଲ କାରଣ ହେଉଛି ଭଦ୍ରକବାସୀଙ୍କର ଦୀର୍ଘ ବର୍ଷ ଧରି କୁହୁଳୁଥିବା ଅସନ୍ତୋଷ ଓ ଅସହାୟତା। ଗତ ପୌରପାଳିକା ନିର୍ବାଚନରେ ଏହାର ଅନୁଚିତ୍ର ଦେଖିବାକୁ ମିଳିଥିଲା। ପୌରାଧ୍ୟକ୍ଷା ପଦ ନିମନ୍ତେ ଶାସକ ବିଜେଡି ଦଳର ପ୍ରାର୍ଥନୀ, ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ନବାଗତା ସ୍ୱାଧୀନ ପ୍ରାର୍ଥନୀଙ୍କ ଠାରୁ ପ୍ରାୟ ତିନି ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ।

ଏହି ମର୍ମରେ ୧୮୫୭ ମସିହା ସଂଗ୍ରାମ ସ୍ମରଣକୁ ଆସିଯାଏ। ବ୍ରିଟିସ୍‌ ଇତିହାସକାରଙ୍କ ତଥ୍ୟ ଅନୁଯାୟୀ, ବନ୍ଧୁକରେ ଗୋରୁ ଚର୍ବି ଏବଂ ଘୁଷୁରି ଚର୍ବି ଲାଗିଥିବା ଅଭିଯୋଗ ଆସିବାରୁ ସିପାହିମାନେ ବିଦ୍ରୋହ କରିଥିଲେ; ତେଣୁ ଏହାର ନାମ ରଖିଥିଲେ ସିପାହି ବିଦ୍ରୋହ। ବିଦ୍ରୋହ ନିମନ୍ତେ ତାହା ‘ତାତ୍କାଳିକ କାରଣ’ ହୋଇପାରେ। କିନ୍ତୁ ବହୁ ବର୍ଷ ପୂର୍ବରୁ ଏହାର ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହାର ଗୋଟିଏ ଦୃଷ୍ଟାନ୍ତ ହେଲା ସଂଗ୍ରାମୀମାନେ ଯେଉଁ ମାର୍ଗରେ ଅଗ୍ରସର ହେଉଥିଲେ, ସେହି ଅଞ୍ଚଳର ଗ୍ରାମବାସୀମାନେ ସେମାନଙ୍କ ଖାଦ୍ୟପେୟର ଦାୟିତ୍ୱ ଗ୍ରହଣ କରୁଥିଲେ। କେବେ, କେତେ ପରିମାଣର ଖାଦ୍ୟ ଆବଶ୍ୟକ ତାହା ‘ରୋଟି ପଦ୍ମ’ ସଙ୍କେତ ମାଧ୍ୟମରେ ବାର୍ତ୍ତାବହଙ୍କ ଦ୍ୱାରା ଜଣାଇ ଦିଆଯାଉଥିଲା। ସୈନିକ, କୃଷକ, ବ୍ୟବସାୟୀ ଓ ସାଧାରଣ ଜନତାଙ୍କର ବ୍ରିଟିସ୍‌ ପ୍ରତି ଶତାବ୍ଦୀ ବ୍ୟାପୀ ଅସନ୍ତୋଷର ଏହା ଥିଲା ପ୍ରତିଫଳନ।

ମୁଖ୍ୟତଃ ଚାରିଟି ମାନଦଣ୍ଡ ଆଧାରରେ ଗୋଟିଏ ଅଞ୍ଚଳର ବିକାଶର ରୂପରେଖ ନିରୂପଣ କରାଯାଏ: ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ ଓ ଭିତ୍ତିଭୂମି। ଏହି ସମସ୍ତ କ୍ଷେତ୍ରରେ ପଡ଼ୋଶୀ ଜିଲ୍ଲାମାନଙ୍କରେ ବିକାଶର ଧାରା ଯେପରି ଅବ୍ୟାହତ ରହିଛି, ସେଥିରେ ଭଦ୍ରକବାସୀଙ୍କର ଆଖି ଝଲସି ଯାଏ ଏବଂ ସେହି ସମସ୍ତ କ୍ଷେତ୍ରରେ ଭଦ୍ରକ ପଛୁଆ ରହିଥିବାରୁ ତାହା ହିଁ ଜନ ଅସନ୍ତୋଷର ମୂଳ କାରଣ। ଏକ ଦଶନ୍ଧିରୁ ଅଧିକ କାଳ ଧରି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଲାଗି ଭଦ୍ରକବାସୀ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଦାବି କରିଆସୁଛନ୍ତି। ସେଥିନିମନ୍ତେ ବନ୍ଦ, ହରତାଳ, ଆନ୍ଦୋଳନ, ଅନଶନ, ଜିଲ୍ଲାର ବିଧାୟକ ଓ ସାଂସଦଙ୍କ ବାସଗୃହ ସାମନାରେ ଧାରଣା, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ଦାବିପତ୍ର ପ୍ରଦାନ ଭଳି ସମସ୍ତ ପ୍ରକାର ପନ୍ଥା ଗ୍ରହଣ କରାଯାଇଛି। ୨୦୨୦ ମସିହା ଫେବ୍ରୁଆରି ୧୭ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ଏକ ପତ୍ର ଦେଇଥିଲେ।

ସେଥିରେ ସେ ଉଲ୍ଲେଖ କରିଥିଲେ- ‘ଆପଣ ଜାଣିଛନ୍ତି, ଭଦ୍ରକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଉପଲବ୍ଧ ନାହିଁ। ଭଦ୍ରକ ଓ ଆଖପାଖ ଅଞ୍ଚଳରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ନିମନ୍ତେ ମେଡିକାଲ କଲେଜ ଅତ୍ୟନ୍ତ ସହାୟକ ହେବ। …ମୁଁ ଆପଣଙ୍କୁ ଅବଗତ କରାଇବାକୁ ଚାହେଁ ଯେ ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଅଧୀନରେ ‘ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ’ ଯୋଜନା କାର୍ଯ୍ୟକରୁଛି। ଗୋଷ୍ଠୀ ସଂପତ୍ତି ସୃଷ୍ଟି କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପ୍ରାଥମିକତା ଦେବା ଏହି ଯୋଜନାର ଆଭିମୁଖ୍ୟ। ରାଜ୍ୟ ସରକାର ଏହି ଯୋଜନା ଆଧାରରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ରକୁ ପ୍ରସ୍ତାବ ପଠାଇ ପାରିବେ। କେନ୍ଦ୍ର ସରକାର ଆବଶ୍ୟକୀୟ ପୁଞ୍ଜିର ୬୦% ରାଶି ଏବଂ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ନିୟମିତ ଖର୍ଚ୍ଚ ସହିତ ପୌନଃପୁନିକ ବ୍ୟୟ ବହନ କରିବେ। …ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଅନ୍ତର୍ଗତ ‘ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ’ ଯୋଜନା ଆଧାରରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ପ୍ରସ୍ତାବ ପଠାଇବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।’ ଦୀର୍ଘ କାଳ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଘିଅରେ ନିଆଁ ଢାଳିଲା ଭଳି ସ୍ୱାସ୍ଥ୍ୟମନ୍ତ୍ରୀ ଚଳିତ ବର୍ଷ ଜୁଲାଇ ମାସରେ ବିଧାନସଭାରେ ବିବୃତି ଦେଲେ- ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ନାହିଁ। ପରେ ଅବଶ୍ୟ କ୍ଷମାପ୍ରାର୍ଥନା ସହ ବିବୃତି ପ୍ରତ୍ୟାହାର କରିନେଇଥିଲେ। ଏହି ମନ୍ତବ୍ୟକୁ ଭଦ୍ରକବାସୀ ଚରମ ଉପହାସ ଭାବେ ଗ୍ରହଣ କରିଛନ୍ତି।

ସେହିପରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଭଦ୍ରକବାସୀ ବେଶ୍ କିଛି ବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୧୯୪୮ ମସିହାରେ ଭଦ୍ରକ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପରେ ଭଦ୍ରକର ଯଶସ୍ୱୀ ଆଡଭୋକେଟ ନରେନ୍ଦ୍ର ପ୍ରସାଦ ଦାସ ୧୯୬୧ ମସିହାରେ ସର୍ବସାଧାରଣଙ୍କ ସହଯୋଗରେ ଭଦ୍ରକରେ ବରପଦା ଇଂଜିନିୟରିଂ ସ୍କୁଲ ପ୍ରତିଷ୍ଠା କରିଥିଲେ। ସେତେବେଳେ କଟକରେ ସରକାରୀ ଓ କେନ୍ଦ୍ରାପଡ଼ାରେ ବେସରକାରୀ, ଏଇମିତି ସାରା ରାଜ୍ୟରେ ଦୁଇଟି ମାତ୍ର ଇଂଜିନିୟରିଂ ସ୍କୁଲ ଥିଲା। ପରବର୍ତ୍ତୀ ସମୟରେ ଏହି ଶିକ୍ଷାନୁଷ୍ଠାନର ଆର୍ଥିକ ସହାୟତାରେ ଭଦ୍ରକରେ ତିନିଟି ମହାବିଦ୍ୟାଳୟ ପ୍ରତିଷ୍ଠା ସମ୍ଭବ ହୋଇଥିଲା- ଚରମ୍ପା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସାଳନ୍ଦୀ ମହାବିଦ୍ୟାଳୟ। ୧୯୯୭-୯୮ ଶିକ୍ଷାବର୍ଷରେ ଇଂଜିନିୟରିଂ ସ୍କୁଲରୁ ଇଂଜିନିୟରିଂ କଲେଜ ପ୍ରତିଷ୍ଠା ହେବା ପରେ ଆଶା କରାଯାଉଥିଲା, ଇଂଜିନିୟରିଂ କଲେଜ ସହାୟତାରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିବ। କାରଣ ୧୦୦ ଏକର ଜମିରେ ପ୍ରତିଷ୍ଠିତ ବରପଦା ଇଂଜିନିୟରିଂ କଲେଜର ମାଲିକ ହେଉଛନ୍ତି ଭଦ୍ରକର ସର୍ବସାଧାରଣ। କିନ୍ତୁ ସରକାରୀ କଳର ପ୍ରୋତ୍ସାହନରେ ତାହା ଏବେ ବ୍ୟକ୍ତିଗତ ସଂପତ୍ତିରେ ପରିଣତ ହୋଇ ଶ୍ରୀହୀନ ହୋଇପଡ଼ିଛି। କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ଦରମା ପାଉନାହାନ୍ତି। ତାହା ବି ଅସହାୟ ଭଦ୍ରକବାସୀଙ୍କର ଅସନ୍ତୋଷର କାରଣ।

ଭଦ୍ରକ ପୌରାଞ୍ଚଳର ଅର୍ଦ୍ଧେକ ଅଧିବାସୀ ଯେ ବ୍ୟାଙ୍କ ସେବାରୁ ବଞ୍ଚିତ, ଏହା ବିଶ୍ୱାସ ହୁଏନାହିଁ। ଏଥିରେ ସଂଖ୍ୟାଲଘୁ ଅଧ୍ୟୁଷିତ ପୁରୁଣା ବଜାର ଏବଂ ଭଦ୍ରକର ବାଣିଜ୍ୟ ପେଣ୍ଠ ଭାବେ ଜଣାଶୁଣା ଚନ୍ଦନ ବଜାର ଅନ୍ତର୍ଭୁକ୍ତ। ପୁରୁଣା ବଜାର ଅନ୍ତର୍ଗତ ବାଙ୍କା ବଜାରର ଜଣେ କ୍ଷୁଦ୍ର ବ୍ୟବସାୟୀ ସାତ କିଲୋମିଟରରୁ ଅଧିକ ସଂକୀର୍ଣ୍ଣ ରାସ୍ତାରେ ଆସିବା ପରେ ବ୍ୟାଙ୍କ ସେବା ପାଇବ, ଏହା କେତେଦୂର ଯୁକ୍ତିଯୁକ୍ତ? ସେ ଅଞ୍ଚଳର ବିକାଶର ଚିତ୍ର ଏତେ ରୁଗ୍‌ଣ ଓ ଦୁର୍ବଳ କାହିଁକି? ଏ ପ୍ରଶ୍ନ ଭଦ୍ରକବାସୀଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରେ। ଧାମରା ବନ୍ଦର ପ୍ରତିଷ୍ଠା ହେବା ପରେ ଆଶା କରାଯାଉଥିଲା, ଜିଲ୍ଲାକୁ ଶିଳ୍ପର ସୁଅ ଛୁଟିବ। କାରଣ ବନ୍ଦର ହେଉଛି ସମସ୍ତ ଶିଳ୍ପର ଜନନୀ। କିନ୍ତୁ ବନ୍ଦର ପ୍ରତିଷ୍ଠାର ବାର ବର୍ଷ ପରେ ଭଦ୍ରକବାସୀଙ୍କ ମନରୁ ସେ ସ୍ୱପ୍ନ ଉଭେଇଯାଇଛି। ବନ୍ଦର ପ୍ରତିଷ୍ଠା ନିମନ୍ତେ ଜମି ହରାଇଥିବା କିଛି ପରିବାର ଏବେ ମଧ୍ୟ କ୍ଷତିପୂରଣ ପାଇଁ ଆନ୍ଦୋଳନରେ ବସୁଛନ୍ତି। ବୈତରଣୀ ନଦୀରେ ଯେଉଁ ବନ୍ଧ ପ୍ରତିଷ୍ଠା ହୋଇଛି, ତାହା ପଡ଼ୋଶୀ ଯାଜପୁର ଜିଲ୍ଲାର ବନ୍ୟା ସୁରକ୍ଷା କବଚ।

କିନ୍ତୁ ତାହାରି ପ୍ରଭାବରେ ଧାମନଗର ଓ ଆଖପାଖ ଅଞ୍ଚଳ ସାମାନ୍ୟ ବନ୍ୟାରେ ଉବୁଟୁବୁ ହେବା ଭଦ୍ରକବାସୀଙ୍କର ଦୁର୍ଭାଗ୍ୟ। ଭଦ୍ରକରେ ଇଡ୍‌କୋ ଅଧୀନରେ ପ୍ରାୟ ୨୫୦ ଏକରର ଯେଉଁ ବିସ୍ତୀର୍ଣ୍ଣ ଜମି ରହିଛି, ସେଥିରେ ଫୁଡ୍ ପାର୍କ ନିର୍ମାଣ ନିମନ୍ତେ ସରକାର ୨୦୧୮ ମସିହାରେ ଘୋଷଣା କରିଥିଲେ। ଏହା କେବଳ ଘୋଷଣାରେ ରହିଯାଇଛି।

କିଛି ମାସ ପୂର୍ବେ ଭଦ୍ରକ ଜିଲ୍ଲାର ଜଣେ ବିଧାୟକ ଏକ ସରକାରୀ ସଭାରେ ଦୁଃଖଭରା ସ୍ୱରରେ କହୁଥିଲେ- ‘ଯେତେବେଳେ ଭଦ୍ରକ ଜିଲ୍ଲାର ଆମେ ପାଞ୍ଚ ଜଣ ବିଧାୟକ ବିଜେଡି ଦଳର ଥିଲୁ (୨୦୧୪-୧୯) ସମସ୍ତେ ଏକାଠି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଅନୁରୋଧ କରିଥିଲେ, ଭଦ୍ରକର ଚିତ୍ର ବଦଳି ଯାଇଥାନ୍ତା।’ ଏହି ଉକ୍ତିର ବିଭିନ୍ନ ଅର୍ଥ ମଧ୍ୟରୁ ଗୋଟିଏ ଏହା ହୋଇପାରେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକର ସମସ୍ୟା ସହିତ ପରିଚିତ ନୁହନ୍ତି। ଅନ୍ୟ ଏକ ଅର୍ଥ ହୋଇପାରେ କୌଣସି ବିଧାୟକ ନିଜ ଅଞ୍ଚଳର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସାମନାକୁ ଯିବା ପାଇଁ ସାହସ କରିପାରୁ ନାହାନ୍ତି। ସେମାନେ ଧରି ନେଇଛନ୍ତି ଯେ ଛାମୁ ଯାହା ଦେଉଛନ୍ତି ହରଷେ, ତାହା ହିଁ ସେମାନଙ୍କ ପ୍ରାପ୍ୟ। ଅଧିକ ମାଗିଲେ କାଳେ ଆସନଟି ଚାଲିଯିବ, ଏହି ଭୟରେ ସମସ୍ତେ ଘାରି ହେଉଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ଆରାମଦାୟକ ସ୍ଥିତିରେ ଅଛନ୍ତି, ଭଦ୍ରକ ସମସ୍ୟା ପ୍ରତି ସଚେତନ ନ ହେଲେ ମଧ୍ୟ ତାଙ୍କ ସିଂହାସନ ଦୋହଲି ଯିବ ନାହିଁ; କିନ୍ତୁ ସମସ୍ୟା ଜର୍ଜରିତ ଅସହାୟ ଭଦ୍ରକବାସୀଙ୍କର ଜନ ଅସନ୍ତୋଷ ତୀବ୍ର ଓ ବ୍ୟାପକ ହେଲେ ଜନପ୍ରତିନିଧିଙ୍କର ସ୍ଥିତି ବିପନ୍ନ ହେବ, ତାହା ହିଁ ଧାମନଗର ଜନାଦେଶର ଇଙ୍ଗିତ।
ମୋ-୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର