ଗାନ୍ଧୀ ଓ ଖାଦ୍ୟ ସଂସ୍କାର

ଗୌରାଙ୍ଗ ଚରଣ ପରିଡ଼ା - ଗାନ୍ଧୀ ଦୃଷ୍ଟି

୧୯୪୭ ମସିହା ମାର୍ଚ୍ଚ ୨୨ରେ ବଡ଼ଲାଟ ମାଉଣ୍ଟବ୍ୟାଟେନ ପ୍ରଥମେ ଦିଲ୍ଲୀରେ ପହଞ୍ଚିବା କ୍ଷଣି ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଚାହିଁଲେ। ଗାନ୍ଧୀ ସେତେବେଳେ ବିହାରର ଦଙ୍ଗାଗ୍ରସ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପଦଯାତ୍ରା କରୁଥିଲେ। ବଡ଼ଲାଟଙ୍କ ତୁରନ୍ତ ଡାକରା ପାଇ ଗାନ୍ଧୀ ମାର୍ଚ୍ଚ ୩୧ ତାରିଖରେ ଦିଲ୍ଲୀରେ ପହଞ୍ଚି ଯାଇଥିଲେ। ବଡ଼ଲାଟଙ୍କ ସହ ଗାନ୍ଧୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ଥିଲା ଏପ୍ରିଲ ୧ ତାରିଖ ସକାଳ ୯ଟାରେ।
ମାଉଣ୍ଟବ୍ୟାଟେନ୍-ଗାନ୍ଧୀ ଆଲୋଚନା ବଡ଼ଲାଟଙ୍କ ଦିଲ୍ଲୀ ସ୍ଥିତ ବଗିଚାରେ ହୋଇଥିଲା। ଆଲୋଚନାରେ ସେଦିନ ସେ ଦୁଇ ଜଣ ମାତ୍ର ଥିଲେ। ଭାରତକୁ କ୍ଷମତା ହସ୍ତାନ୍ତର ଉପରେ ଆଲୋଚନା ହେଉଥିଲା। ଆଲୋଚନା ମଝିରେ ଠିକ୍ ସାଢ଼େ ଦଶଟାରେ ଗାନ୍ଧୀଙ୍କ ଦିନ ଭୋଜନ ପାଇଁ ମନୁ ଗାନ୍ଧୀ ଖାଦ୍ୟ ଦେଇଗଲେ। ଗାନ୍ଧୀଙ୍କ ଖାଇବା ସମୟ ହୋଇଯାଇଥିଲା। ମାଉଣ୍ଟବ୍ୟାଟେନ ଗାନ୍ଧୀଙ୍କର ଦିନଚର୍ଯ୍ୟା କଥା ଜାଣିଥିଲେ। ଗାନ୍ଧୀଙ୍କ ଖାଦ୍ୟରେ ପଟେ ରୁଟି ଏବଂ ଅଳ୍ପ କିଛି ଛେଳି କ୍ଷୀର ଥିଲା। ଗାନ୍ଧୀ ଖାଇବା ବେଳେ ମାଉଣ୍ଟବ୍ୟାଟେନ ଗାନ୍ଧୀଙ୍କ ସହ ବସି କେବଳ ଚା’ ପିଇଥିଲେ। ଏତିକି ଖାଦ୍ୟ ଖାଇ ଜଣେ ଯେ ସୁସ୍ଥ ଓ କ୍ରିୟାଶୀଳ ରହିପାରେ, ତାହା ବଡ଼ଲାଟଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଖାଦ୍ୟ ଉପରେ ଗାନ୍ଧୀ ଏକ ବହି ଲେଖିଛନ୍ତି। ବହିର ନାଁ ହେଉଛି ‘କି ଟୁ ହେଲଥ୍’, ସ୍ୱାସ୍ଥ୍ୟର ଚାବିକାଠି। ଖାଦ୍ୟ ଓ ଖାଦ୍ୟ ସଂସ୍କାର ନେଇ ଗାନ୍ଧୀ ଏ ବହିରେ ତାଙ୍କ ବିଚାର ରଖିଛନ୍ତି।
ଗାନ୍ଧୀ କହୁଥିଲେ ଯିଏ ଯେମିତି ଖାଦ୍ୟ ଖାଇବ ତା’ର ଶରୀରର ଗଠନ ଠିକ୍ ସେମିତି ହିଁ ହେବ। କିନ୍ତୁ ଶରୀର ଏକ ଡଷ୍ଟବିନ୍ ନୁହେଁ ଯେ ଯେକୌଣସି ଅନାବଶ୍ୟକ ପଦାର୍ଥକୁ ଏଥିରେ ଫିଙ୍ଗି ଦେଇହେବ। ତେଣୁ ଖାଦ୍ୟ ଓ ପାନୀୟରେ ସଂଯମ ରହିବା ଉଚିତ। ସୁସ୍ଥ ଓ ରୋଗ ମୁକ୍ତ ଜୀବନ ନିମନ୍ତେ ସରଳ ସନ୍ତୁଳିତ ଖାଦ୍ୟ ଦରକାର। ସୁସ୍ଥ ଜୀବନ ସେଇମାନଙ୍କର ଯେଉଁମାନେ ଅଳ୍ପ ପରିଶ୍ରମରେ ଥକି ଯାଇ ନ ଥାନ୍ତି; ବିନା କ୍ଳାନ୍ତିରେ ଆଠ ଦଶ ମାଇଲ ଚାଲି ପରୁଥା’ନ୍ତି; ମନ ତାଙ୍କର ସ୍ଥିର ଓ ସଂଯତ ଥାଏ।

ଗାନ୍ଧୀ ସମ୍ପୂର୍ଣ୍ଣ ଶାକାହାରୀ ଥିଲେ। ସେ ସବୁବେଳେ ଚକି ପେଷା ଗହମ ଅଟାର ରୁଟି ଖାଉଥିଲେ। ଦୁଇଟି ମାତ୍ର ରୁଟି। ବେଳେବେଳେ ଭାତ ବି ଖାଉଥିଲେ। ଅଲଣା ପରିବା ସିଝା ତରକାରୀ ଗାନ୍ଧୀଙ୍କ ଖାଦ୍ୟରେ ଥାଏ। ସେଥିରେ ଲଙ୍କା ବା ମସଲା ପଡୁ ନ ଥିଲା। ରୁଚିକର ମସଲାଯୁକ୍ତ ଖାଦ୍ୟ ଦେହ ପାଇଁ କ୍ଷତିକାରକ ବୋଲି ଗାନ୍ଧୀ କହୁଥିଲେ। ମୂଳା, ବିନସ୍ ରାଇ, ଶାଗ ସିଝା ଓ କଞ୍ଚା କୋବି ପତ୍ରର ସାଲାଡ଼ ଗାନ୍ଧୀଙ୍କର ଭାରି ପସନ୍ଦ। ଏ ପସନ୍ଦ ଭିତରେ ଗୁଜୁରାଟୀ ପିଠା ‘ପୁରନପୁରି’ ବି ସଂପୃକ୍ତ।

ଆଶ୍ରମରେ ଥିବା ବେଳେ ଗାନ୍ଧୀ ପଙ୍‌କ୍ତି ଭୋଜନ କରୁଥିଲେ। ଥାଳିରେ କିଏ ଖାଦ୍ୟ ଛାଡ଼ିଗଲେ ଗାନ୍ଧୀ ବିରକ୍ତ ହେଉଥିଲେ। କିଏ ଅଳ୍ପ ଖାଇଲେ ଗାନ୍ଧୀ ପଚାରୁଥିଲେ, ‘ଦେହ କ’ଣ ତୁମର ଭଲ ନାହିଁ?’
ଗାନ୍ଧୀଙ୍କ ଖାଦ୍ୟ ସଂସ୍କାରର ଏକ ଚର୍ଚ୍ଚିତ ଖାଦ୍ୟ ହେଉଛି ନିମ୍ବ ଚଟଣି। ଗାନ୍ଧୀ ନିଜେ ଏଇ ଚଟଣି ଖାଉଥିଲେ; ବାହାର ଅତିଥି ମାନଙ୍କୁ ଖୁଆଉଥିଲେ। ଥରେ ଏକାଠି ବସି ଖାଇଲା ବେଳେ ସର୍ଦ୍ଦାର ପଟେଲ ଥଟ୍ଟାରେ କହିଥିଲେ, ବାପୁ ମିଠା କ୍ଷୀରରୁ ଖାଇବା ଆରମ୍ଭ କରନ୍ତି, ଶେଷ କରନ୍ତି ପିତାରେ।

‘ଅସ୍ୱାଦ’ ଗାନ୍ଧୀଙ୍କ ଏକାଦଶ ବ୍ରତ ଭିତରୁ ଅନ୍ୟ ଏକ ବ୍ରତ। ଅନିୟନ୍ତ୍ରିତ ଜିହ୍ୱାର ସ୍ୱାଦ ଶରୀର ପ୍ରତି ଯେ କ୍ଷତିକାରକ, ଅସ୍ୱାଦ ବ୍ରତର ଏହା ଆବେଦନ।
ଗାନ୍ଧୀ ଦିନ ସାରା ପାଞ୍ଚ ପ୍ରକାର ଖାଦ୍ୟରୁ ଅଧିକ ପ୍ରକାରର ଖାଦ୍ୟ ଖାଉ ନ ଥିଲେ। ଏହାର ସ୍ପଷ୍ଟୀକରଣରେ ସେ କହୁଥିଲେ, ୧୯୧୫ରେ ସେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବା ପରେ ଭାରତର ଅନେକ ବନ୍ଧୁ ତାଙ୍କୁ ଖାଇବାକୁ ନିମନ୍ତ୍ରଣ କରୁଥିଲେ। ବିଭିନ୍ନ ପ୍ରକାର ରୁଚିକର ଖାଦ୍ୟ ଖାଇବାକୁ ଦେଉଥିଲେ। ଏହା ତାଙ୍କର ମିତବ୍ୟୟିତା ତତ୍ତ୍ବର ପରିପନ୍ଥୀ ଥିଲା ଏବଂ ମଣିଷର ପାକସ୍ଥଳୀ ଯେ ଅନେକ ପ୍ରକାରର ଖାଦ୍ୟ ଏକା ସଂଗେ ଖାଇବାକୁ ଅନୁପଯୁକ୍ତ, ଜଣେ ଖାଦ୍ୟବିତ୍ (ଡାଏଟିସିଆନ) ତାଙ୍କୁ କହିଥିଲେ।

ଗାନ୍ଧୀ କ’ଣ ତାଙ୍କର ଖାଦ୍ୟ ପସନ୍ଦକୁ ଅନ୍ୟ ଉପରେ ଲଦି ଦେବାକୁ ଚାହାଁନ୍ତି? ଏମିତି ଏକ ପ୍ରଶ୍ନ ୧୯୩୧ ନଭେମ୍ବର ୨୦ ତାରିଖରେ ଲଣ୍ଡନର ଭେଜିଟାରିଆନ ସୋସାଇଟିର ଏକ ବୈଠକରେ ଗାନ୍ଧୀଙ୍କୁ ପଚରା ଯାଇଥିଲା। ଗାନ୍ଧୀଙ୍କ ଉତ୍ତର ଥିଲା, ଖାଇବାର ପସନ୍ଦ ବ୍ୟକ୍ତିର ନିଜସ୍ୱ। ସେ ବ୍ୟକ୍ତି ସ୍ୱାଧୀନତା ଉପରେ ବିଶ୍ୱାସ କରନ୍ତି। ସେ କିନ୍ତୁ ପ୍ରଥମେ ଧର୍ମ ଓ ସଂସ୍କୃତିକୁ ଆଧାର କରି ନିରାମିଷାଶୀ ଥିଲେ। ପରେ ପସନ୍ଦ ଓ ନୈତିକତା ଅନୁଯାୟୀ ନିରାମିଷାଶୀ ହୋଇଛନ୍ତି। ଲଣ୍ଡନରେ ପାଠ ପଢ଼ିବା ବେଳେ ହେନେରୀ ସଲ୍‌ଟଙ୍କ ‘ପ୍ଲି ଫର୍ ଭେଜିଟାରିଆନଜିମ୍’ ପୁସ୍ତକ ପଢ଼ିବା ପରେ ଖାଦ୍ୟ ଆଭିମୁଖ୍ୟରେ ତାଙ୍କର ପରିବର୍ତ୍ତନ ଆସିଥିଲା। ଉଦ୍ଭିଦ ଜଗତରେ ମିଳୁଥିବା ପଦାର୍ଥରେ ବି ସୁସ୍ଥ ଶରୀର ଗଠନ ପାଇଁ ଉପଯୁକ୍ତ ଖାଦ୍ୟସାର ଅଛି। ପୁଷ୍ଟିକତା ପାଇଁ ମାଂସାଶୀ ହେବା ଦରକାର ନାହିଁ।

ଗାନ୍ଧୀ ଏକଥା ବି କହୁଥିଲେ ଯେ ଜଣେ ଶାକାହାରୀ ହୋଇଗଲେ ଓ ସାତ୍ବିକ ଖାଦ୍ୟ ଖାଇଦେଲେ ଯେ ଅହିଂସ ହୋଇଯିବ, ଏହାର କିଛି ମାନେ ନାହିଁ। ମନ ଭିତରେ କ୍ରୋଧ, ମୋହ, ଲୋଭ, ଆସକ୍ତି, ଗର୍ବ ଓ ମିଥ୍ୟାଚାର ପରି ଷଡ଼ରିପୁ ରହିଲେ ଶାକାହାର ସତ୍ତ୍ବେ ଅହିଂସ ଓ ଅଧ୍ୟାତ୍ମିକ ହେବା ସମ୍ଭବ ନୁହେଁ।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର