ପ୍ରକାଶିତ ସୂଚନା ଅନୁସାରେ ଶେଷରେ ଅକ୍‌ଟୋବରରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ସାମାନ୍ୟ ତଳମୁହାଁ ହେବାକୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ୍‌ ପାଇଁ କିଛିଟା ଆଶ୍ବସ୍ତି ସୃଷ୍ଟି କରିଛି। ବିଶେଷ କରି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର୍‌ ଶକ୍ତିକାନ୍ତ ଦାସ ନିକଟରେ ତାଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ବିଧିବଦ୍ଧ ମୁଦ୍ରାସ୍ଫୀତି ହାର ଲକ୍ଷ୍ୟରେ କୌଣସି କୋହଳ ପରିବର୍ତ୍ତନ ଘଟାଇବା ବିପକ୍ଷରେ ପ୍ରକାଶ କରିଥିବା ମତ ପରିପ୍ରେକ୍ଷୀରେ ଏହା ତାଙ୍କ ପାଇଁ ଏକ ବିଶେଷ ଆଶାର ଆଲୋକ ସଦୃଶ ହୋଇଥିବ। ରିଜର୍ଭ ବ୍ୟାଙ୍କ୍‌ ସମ୍ମୁଖରେ ସ୍ଥାପନ କରାଯାଇଥିବା ଏହି ମୁଦ୍ରାସ୍ଫୀତି ଲକ୍ଷ୍ୟ ହେଉଛି ବାର୍ଷିକ ୪ ଶତାଂଶ ଯୁକ୍ତ/ବିଯୁକ୍ତ ୨ ଶତାଂଶ। ଏହାର ଅର୍ଥ ଖାଉଟି ମୁଦାସ୍ଫୀତିର ସର୍ବୋଚ୍ଚ ସହନୀୟ ହାର ରିଜର୍ଭ ବ୍ୟାଙ୍କ୍‌ ପାଇଁ ହେଉଛି ୬ ଶତାଂଶ। ଯେହେତୁ ଅସ୍ବାଭାବିକ ସାମଗ୍ରିକ ପରିସ୍ଥିତି ଯୋଗୁଁ ପୃଥିବୀର ଅଧିକାଂଶ ଦେଶ ବର୍ତ୍ତମାନ ମୁଦ୍ରାସ୍ଫୀତି ଦ୍ବାରା କବଳିତ ହୋଇଥିବା ଦେଖାଯାଉଛି, ରିଜର୍ଭ ବ୍ୟାଙ୍କ୍‌ ପାଇଁ ଧାର୍ଯ୍ୟ କରାଯାଇଥିବା ଏହି ନିଶାଣକୁ କୋହଳ କରାଯାଉ ବୋଲି (ଯେମିତି ସର୍ବୋଚ୍ଚ ସୀମାକୁ ୬%ରୁ ବୃଦ୍ଧି କରି ହୁଏତ ୮% କରାଯାଉ) କେତେକ ବିଶେଷଜ୍ଞ ମହଲରେ ଯେଉଁ ମତ ପ୍ରକାଶ ପାଇବାକୁ ଆରମ୍ଭ କରିଥିଲା, ଶକ୍ତିକାନ୍ତ ଦାସ ତାହା ଗ୍ରହଣ କରିନାହାନ୍ତି। ଏହା ଦ୍ବାରା ସେ ନିଜକୁ ‌କଠୋର ଅନୁଶାସନ ଅଧୀନରେ ରଖି ଚାଲିିବାକୁ ପସନ୍ଦ କରିଛନ୍ତି।

Advertisment

ଏହି ପରିପ୍ରେକ୍ଷୀରେ ଦେଖିଲେ ଅକ୍‌ଟୋବର୍‌ ପାଇଁ ପ୍ରକାଶ ପାଇଥିବା ମୁଦ୍ରାସ୍ଫୀତି ସୂଚନା ନିଶ୍ଚିତ ରୂପେ ତାଙ୍କର ଆତ୍ମବିଶ୍ବାସରେ କିଛି ମାତ୍ରାରେ ବୃଦ୍ଧି ଘଟାଇଥିବ। କାରଣ, ସେପ‌୍‌ଟେମ୍ବର ପାଇଁ ଖାଉଟି ମୁଦ୍ରାସ୍ଫୀତି ହାର ୭.୪୧ ଶତାଂଶ ଥିବା ବେଳେ ଅକ୍‌ଟୋବରରେ ତାହା ହ୍ରାସ ପାଇ ହୋଇଛି ୬.୭୭ ଶତାଂଶ। ଏହାକୁ ମିଶାଇ ଲଗାତର ଦଶ ମାସ ଧରି ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚ ଗ୍ରହଣୀୟ ସୀମା ୬ ଶତାଂଶ ଉପରେ ରହିଥିଲେ ହେଁ ଏଥରର ନିମ୍ନ ଗତି ତା’ର ପ୍ରକୋପରେ ପ୍ରଶମନର ସମ୍ଭାବନା ବହନ କରିଥାଏ। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲରେ ମୁଦ୍ରାସ୍ଫୀତି ସ୍ପର୍ଶ କରିଥିବା ୭.୭୯ ଶତାଂଶ ହାର ଥିଲା ଗତ ଆଠ ବର୍ଷ ମଧ୍ୟରେ ସର୍ବୋଚ୍ଚ। ଅନେକ ବିଶେଷଜ୍ଞ ବିଶ୍ବାସ କରୁଛନ୍ତି ଯେ ଭାରତରେ ମୁଦ୍ରାସ୍ଫୀତି ବର୍ତ୍ତମାନ ତା’ର ସର୍ବୋଚ୍ଚ ସୀମା ଛୁଇଁ ସାରିଛି, ଓ ଏଥର ତା’ର ଅବରୋହଣ ଜାରି ରହିବ। ସତେ ଯେମିତି ମୁଦ୍ରାସ୍ଫୀତି ସାପ ପୁଣି ତା’ର ୨-୬ ଶତାଂଶ ହାର ସ୍ବରୂପ ପେଡ଼ିରେ ପ୍ରବେଶ କରିବା ଆସନ୍ନ। ପ୍ରଣିଧାନ ଯୋଗ୍ୟ ଯେ ଅକ୍‌ଟୋବରରେ ପାଇକାରି ମୁଦ୍ରାସ୍ଫୀତିରେ ମଧ୍ୟ କିଛି ମାତ୍ରାରେ ଶିଥିଳତା ଦେଖା ଦେଇ ଏହି ବିଶ୍ବାସକୁ ଦୃଢ଼ୀଭୂତ କରିଛି। ସେଥିରେ ଗତ ୧୮ ମାସ ଧରି ଯେଉଁ ଦୁଇଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ପରିଦୃଷ୍ଟ ହୋଇ ଚାଲିଥିଲା, ସେଥିରେ ଏକ ବିରତି ସ୍ବରୂପ ଅକ୍‌ଟୋବରରେ ତାହା ହ୍ରାସ ପାଇ ହୋଇଛି ୮.୪ ଶତାଂଶ, ଯାହା ଖାଉଟି ମୁଦ୍ରାସ୍ଫୀତି ଉପରେ ଚାପ ହ୍ରାସ କରିଥାଏ।

ମୁଦ୍ରାସ୍ଫୀତିରେ ଦେଖା ଦେଇଥିବା ଏହି ହ୍ରାସର ଗୋଟିଏ କାରଣ ହେଉଛି ପରିସଂଖ୍ୟାନ ଶାସ୍ତ୍ର ଅନୁସାରେ ‘ଉଚ୍ଚ ମୂଳଦୁଆ ପ୍ରଭାବ’ (‘ହାଇ ବେସ୍‌ ଇଫେକ୍‌ଟ’)। (ଉଦାହରଣ ସ୍ବରୂପ ବିପଦ ସଂକେତ ଉପରେ ୩ ଫୁଟ ଥିବା ବନ୍ୟା ଜଳ ଯଦି ବିପଦ ସଂକେତ ଉପରେ ୨ ଫୁଟକୁ ଖସି ଅ‌ାସେ, ତାହା ନିଶ୍ଚିତ ରୂପେ ବନ୍ୟା ଜଳସ୍ତରରେ ଏକ ହ୍ରାସ ରୂପେ ବିବେଚିତ ହୁଏ, କିନ୍ତୁ ତାହା ତଥାପି ବିପଦ ସଂକେତ ଉପରେ ଥାଏ)। ମୁଦ୍ରାସ୍ଫୀତି ହ୍ରାସର ଅନ୍ୟ କାରଣ କିନ୍ତୁ ହେଉଛି ଅଧିକ ବାସ୍ତବ। ଯେମିତି ମଇ ମାସ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ବୃଦ୍ଧିର ମୁଖ୍ୟ କାରଣ ପାଲଟିଥିବା ଖାଇବା ତେଲ ଦର ବୃଦ୍ଧିରେ ପରିବର୍ତ୍ତନ ଘଟି ସେଥିରେ ତୀକ୍ଷ୍‌ଣ ହ୍ରାସ ଘଟିଛି। ସେହିପରି ପରିବାପତ୍ର ଦରରେ ହ୍ରାସ ଘଟି ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତିକୁ ଶିଥିଳ କରିଛି। ତେବେ ଖାଦ୍ୟଦ୍ରବ୍ୟର ଏକ ପ୍ରମୁଖ ଅଂଶ ରୂପେ ବ‌ିବେଚିତ ଖାଦ୍ୟ ଶସ୍ୟମାନଙ୍କରେ ମୁଦ୍ରାସ୍ଫୀତି ପ୍ରଶମିତ ହେବା ଦେଖାଯାଇନାହିଁ। ଚାଉଳରେ ମୁଦ୍ରାସ୍ଫୀତି ହାର ୧୦ ଶତାଂଶ ଠାରୁ ଅଧିକ ଥିବା ବେଳେ ଉଭୟ ଗହମ ଓ ମକା ପାଇଁ ତାହା ୧୭ ଶତାଂଶରୁ ଅଧିକ ହେବା ଦେଖାଯାଇଛି। ଏ ସମସ୍ତର ପାଇକାରୀ ଦରରେ ମଧ୍ୟ ଅନୁରୂପ ଧାରା ପରିଲକ୍ଷିତ ହୋଇଛି।

ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ଖାଦ୍ୟଶସ୍ୟ ଦରରେ ଯେଉଁ ତୀକ୍ଷ୍‌ଣ ବୃଦ୍ଧି ଘଟିଥିଲା, ତାହା ବର୍ତ୍ତମାନ ଅନେକ ମାତ୍ରାରେ ଥମିଯାଇଛି। ଜାତିସଂଘ ଉଦ୍ୟମରେ ରୁଷିଆ ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ରପ୍ତାନିରେ ପ୍ରତିବନ୍ଧ ସୃଷ୍ଟି ନ କରିବାକୁ ରାଜି ହେବା ପରେ ଏହି ପରିସ୍ଥିତିରେ ଉନ୍ନତି ଘଟିଛି। ଭାରତରେ ଦେଖା ଯାଉଥିବା ଖାଦ୍ୟଶସ୍ୟ ଦରବୃଦ୍ଧି ତେଣୁ ବର୍ତ୍ତମାନର ଆନ୍ତର୍ଜାତିକ ଧାରା ସହିତ ମେଳ ଖାଉ ନାହିଁ। ଯାହା ମଧ୍ୟ ବିଶେଷ ରୂପେ ଚିନ୍ତାଜନକ, ତାହା ହେଲା ଜୁନ୍‌ ପର ଠାରୁ କୃଷି ଉପାଦାନମାନଙ୍କର ଦରରେ ଏକ ସୁଉଚ୍ଚ ୩୦ ଶତାଂଶରୁ ଅଧିକ ହାରରେ ବୃଦ୍ଧି ଘଟିଛି, ଯାହା ସ୍ବାଭାବିକ ଭାବରେ କୃଷିଜାତ ଦ୍ରବ୍ୟ ପାଇଁ ଦରବୃଦ୍ଧି ଘଟାଇଥାଏ। ଦୁଗ୍‌ଧ ଓ ଦୁଗ୍‌ଧଜାତ ପଦାର୍ଥମାନଙ୍କରେ ଘଟୁଥିବା ଦରବୃଦ୍ଧିର ଅନ୍ୟତମ କାରଣ ହେଉଛି ଗୋଖାଦ୍ୟ ଦର‌େର ଦେଖା ଦେଇଥିବା ବୃଦ୍ଧି।

ଯ‌ାହା ଚିନ୍ତାର ବିଷୟ, ତାହା ହେଲା ଏହି ମୁଦ୍ରାସ୍ଫୀତି ଅର୍ଥନୀତିର ଅନ୍ୟ କ୍ଷେତ୍ରମାନଙ୍କରେ ଅନୁପ୍ରବେଶ କରିବାର ଦୃଢ଼ ସମ୍ଭାବନା ରହିଛି। ଏହାର ଏକ ଲକ୍ଷଣ ସ୍ବରୂପ ଗତ ଦୁଇ ମାସ ମଧ୍ୟରେ ପୋଷାକ ପତ୍ର ଓ ‌େଜାତାରେ ଦର ବୃଦ୍ଧି ୧୦ ଶତାଂଶ ଅତିକ୍ରମ କରିଛି, ଯାହା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଘଟିଛି। ଏ ସମସ୍ତ ଦ୍ରବ୍ୟ ଓ ସେବାର ଦରବୃଦ୍ଧି ଯୋଗୁଁ ଘଟୁଥିବା ମୁଦ୍ରାସ୍ଫୀତି ଏକ ସାମାଜିକ ଅନ୍ୟାୟ ସୃଷ୍ଟି କରିଥାଏ। ସମାଜର ଗରିବ ବା ନିମ୍ନ ଆୟକାରୀ ସଦସ୍ୟମାନେ ସେମାନଙ୍କର ଆୟର ଯେତିକି ଅଂଶ ଖାଦ୍ୟ, ବସ୍ତ୍ର, ଚିକିତ୍ସା ଆଦିରେ ଖର୍ଚ୍ଚ କରିଥାନ୍ତି, ଧନୀ ବା ଉଚ୍ଚ ଆୟକାରୀ ସଦସ୍ୟମାନେ ସେ ବାବଦରେ କରୁଥିବା ଖର୍ଚ୍ଚର ଅନୁପାତ ଠାରୁ ତାହା ବେଶ୍‌ ଅଧିକ ହୋଇଥାଏ (ଧନୀମାନେ ନିଜ ଆୟର ଅଧିକ ଅଂଶ ବିଳାସଦ୍ରବ୍ୟ ଓ ସେବାରେ ଖର୍ଚ୍ଚ କରିଥାନ୍ତି)। ‘ନେସନାଲ୍‌ ସାମ୍ପ୍‌ଲ ସର୍ଭେ’ ଦ୍ବାରା ଅତୀତରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଦେଖାଯାଇଥିଲା ଯେ ଏହି କାରଣରୁ ସମାଜର ସର୍ବୋଚ୍ଚ ଆୟ ଅର୍ଜନକାରୀ ୨୦ ଶତାଂଶ ଲୋକଙ୍କ ପାଇଁ ମୁଦ୍ରାସ୍ଫୀତି ହାର ଯାହା ହୋଇଥାଏ, ସର୍ବନିମ୍ନ ଆୟ ଅର୍ଜନକାରୀ ୨୦ ଶତାଂଶ ଲୋକଙ୍କ ପାଇଁ ମୁଦ୍ରାସ୍ଫୀତି ହାର ହୋଇଥାଏ ତା’ଠାରୁ ୧ ଶତାଂଶ ଅଧିକ।
ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ମୁଦ୍ରାସ୍ଫୀତିର ଏଭଳି ଗରିବ-ବିରୋଧୀ ଚରିତ୍ର ପ୍ରଯୁଜ୍ୟ ହେବା ଦେଖା ଯାଇଥିଲା।

ତେବେ ଗ୍ରାମାଞ୍ଚଳ ପାଇଁ ଏହାର ପ୍ରଭାବ ଅଧିକ କଷ୍ଟଦାୟକ ହେବାର ସମ୍ଭାବନା ରହିଛି। କୋଭିଡ୍‌-୧୯ ପାଣ୍ଡେମିକ୍‌ର ପ୍ରଭାବରେ ବିଗତ ଦୁଇ ବର୍ଷ ଧରି ଗ୍ରାମାଞ୍ଚଳରେ ବାସ୍ତବ ମଜୁରିରେ ହ୍ରାସ ଘଟିବା ସହିତ କୃଷି ଆୟରେ ସଂକୋଚନ ଘଟିଛି। ଏଇ ପରିସ୍ଥିତିରେ ମୁଦ୍ରାସ୍ଫୀତିର ଏଭଳି ଅସମତୁଲ ଆଘାତ ଗ୍ରାମ୍ୟ ସମାଜ ପାଇଁ ଅଧିକ କଷ୍ଟଦାୟକ ହୋଇଥାଏ। କୋଭିଡ୍‌ ସମୟରେ ସରକାର ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ପାଇଁ ଯେଉଁ ନିରାପତ୍ତା ବ୍ୟବସ୍ଥା ସୃଷ୍ଟି କରିଥିଲେ, ତାହା ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ମୁଦ୍ରାସ୍ଫୀତିକୁ ଦମନ କରି ଶକ୍ତିକାନ୍ତ କହିଥିବା ଭଳି ନିର୍ଦ୍ଧାରିତ ନିରାପଦ ବଳୟକୁ ଫେରାଇ ଅଣା ନ ଯିବା ପର୍ଯ୍ୟନ୍ତ, ଅର୍ଥାତ୍‌ ସାପ ପେଡ଼ିରେ ନ ପଶିଲା ପର୍ଯ୍ୟନ୍ତ ସରକାର ସମାଜର ଦୁର୍ବଳ ଶ୍ରେଣୀକୁ ପୂର୍ବଭଳି ସହାୟତାର ହାତ ବଢ଼ାଇ ଚାଲିବା ଉଚିତ ହେବ।