ସମ୍ବାଦପତ୍ରରୁ ଖବରଟି ପଢ଼ିସାରିବା ପରେ କିଛି ମୁହୂର୍ତ୍ତ ପାଇଁ ସ୍ଥାଣୁ ପାଲଟିଗଲି। ‘ସ୍କୁଲରୁ ଫେରିପାରିଲେନି ୧୪ ଛାତ୍ରଛାତ୍ରୀ’ ଶୀର୍ଷକରେ ଖବରଟି ଥିଲା ଏହିଭଳି: ‘ହଠାତ୍ ନାଳରେ ବନ୍ୟାଜଳ ମାଡ଼ି ଆସିବାରୁ ୧୪ ଜଣ ଛାତ୍ରଛାତ୍ରୀ ସ୍କୁଲରୁ ଘରକୁ ଫେରିପାରି ନ ଥିଲେ। ଫଳରେ ବିସ୍କୁଟ ଖାଇ ସେମାନଙ୍କୁ ଗ୍ୟାରେଜରେ ରାତି ବିତାଇବାକୁ ପଡ଼ିଛି। ବୌଦ୍ଧ ଜିଲା ଅନ୍ତର୍ଗତ ଡିଗିସିରା ଗ୍ରାମରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ସବୁଦିନ ଭଳି ଗ୍ରାମର ୧୪ ଜଣ ଛାତ୍ରଛାତ୍ରୀ ଗୁରୁବାର (ଜୁଲାଇ ୧୪ ତାରିଖ) ପୁରୁଣାକଟକ ସ୍କୁଲକୁ ଯାଇଥିଲେ। ସ୍କୁଲ ଛୁଟି ପରେ ଫେରି ନାଳ ପାର ହେବାବେଳେ ବନ୍ୟାଜଳ ମାଡ଼ି ଆସିଥିଲା। ଛାତ୍ରଛାତ୍ରୀମାନେ ସଙ୍ଗେ ସଙ୍ଗେ ଫେରିଯାଇ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଦୁଇଟି ସାଇକେଲକୁ ବନ୍ୟା ଜଳ ଟାଣି ନେଇଥିଲା। ଖବରପାଇ ଅଭିଭାବକମାନେ ଆସିଥିଲେ ବି ନାଳ ପାର ହୋଇପାରି ନ ଥିଲେ। ପୁରୁଣାକଟକ ଓ ଚାରିଛକ ମଝିରେ ଥିବା ଡିଗିସିରା ଛକର ଏକ ଗ୍ୟାରେଜ୍ ମାଲିକଙ୍କୁ ଫୋନ କରି ଜଣାଇଥିଲେ। ପିଲାମାନଙ୍କୁ ଖାଇବାକୁ ଦେଇ ରାତିକ ପାଇଁ ଆଶ୍ରୟ ଦେବାକୁ ଅନୁରୋଧ କରିଥିଲେ। ଗ୍ୟାରେଜ୍ ମାଲିକ ପିଲାମାନଙ୍କୁ ରାତିରେ ବିସ୍କୁଟ ଖାଇବାକୁ ଦେଇ ଗ୍ୟାରେଜ୍ରେ ଶୋଇବା ବ୍ୟବସ୍ଥା କରିଥିଲେ। ଶୁକ୍ରବାର ସକାଳେ ନାଳ ପାଣି କମିବା ପରେ ଅଭିଭାବକମାନେ ପିଲାମାନଙ୍କୁ ଘରକୁ ନେଇଥିବା ଜଣାପଡିଛି।’
ଖବର ସହିତ ଯେଉଁ ଫଟୋଟି ପ୍ରକାଶ ପାଇଛି, ସେଥିରେ ପାଞ୍ଚ ଜଣ ଝିଅଙ୍କ ଚେହେରା ବାରି ହୋଇପଡୁଛି। ଖବରଟି ବାରମ୍ବାର ପଢ଼ିବା ପରେ ମାନସପଟରେ ପୂରା ଚିତ୍ରଟି ଝଲସି ଉଠିଲା। ପିଲାମାନେ ହାତ ଧରାଧରି ହୋଇ ସାଇକେଲ ସହ ନାଳକୁ ପଶିଥିବେ। ଅଚାନକ ବନ୍ୟାଜଳ ମାଡ଼ି ଆସୁଥିବାର ଦେଖି କେହି ହୁଏତ ଚିତ୍କାର କରିଥିବ। ସାଇକେଲ ଛାଡ଼ିଦେଇ ଭୟରେ ସେମାନେ ତୁରନ୍ତ କୂଳକୁ ଫେରି ଆସିଥିବେ। ବନ୍ୟାଜଳରେ ସାଇକେଲ ଦୁଇଟି ନିଶ୍ଚିହ୍ନ ହୋଇଯାଇଥିବ। ସାଇକେଲ ସହିତ ଯଦି ସେହି ଚଉଦଟି କୋମଳ ଜୀବନ....। ଆଉ ଭାବି ପାରିଲି ନାହିଁ। ଆଶଙ୍କାରେ ଶରୀର ଅବଶ ହୋଇଗଲା।
ଏହା ପାଇଁ ଆମେ କାହାକୁ ଦାୟୀ କରିବା? ଆମ ପିଲାମାନେ ବିଦ୍ୟାଳୟକୁ ସୁରକ୍ଷିତ ଯିବେ ଏବଂ ଫେରିବେ, ଏ ଦାୟିତ୍ୱ କାହାର? ଯେଉଁ ରାସ୍ତାରେ ବର୍ଷ ବର୍ଷ ଧରି ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି, ସେହି ରାସ୍ତାର ନାଳ ଉପରେ ପୋଲଟିଏ ନିର୍ମାଣ ହୋଇନାହିଁ କାହିଁକି? ଡିଗିସିରା ଗ୍ରାମର ସେହି ଲକ୍ଷ୍ମୀ ନାଳରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ ତାହା ଅଣଦେଖା କରାଯାଇଛି କାହିଁକି? ସେହି କ୍ରମରେ ଆହୁରି ପ୍ରଶ୍ନ ଆସିବ- ରାଜ୍ୟର ସବୁ ଗ୍ରାମକୁ ସବୁଦିନିଆ ରାସ୍ତା ତିଆରି ହୋଇନି କାହିଁକି? ସବୁ ଗ୍ରାମରେ ଏପର୍ଯ୍ୟନ୍ତ ପିଇବା ପାଣି ମିଳୁନି କାହିଁକି? ସବୁ ଗ୍ରାମବାସୀଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଅପହଞ୍ଚ ରହିଛି କାହିଁକି?
ଆମେ ଜାଣିଛନ୍ତିି- ଅଥର୍ବ ସରକାର, ସମ୍ବେଦନହୀନ ପ୍ରଶାସନ ଓ ଭୋଟ-ସର୍ବସ୍ୱ ଲୋକପ୍ରତିନିଧିଙ୍କ ନିମନ୍ତେ ଏ ପ୍ରଶ୍ନର କିଛି ଗୁରୁତ୍ୱ ନାହିଁ। ଖବର ପ୍ରକାଶ ପାଇବା ପରେ ଯେ କେହି ତତ୍ପରତା ଦେଖାଇଥିବେ, ତାହା ମଧ୍ୟ ସନ୍ଦେହଜନକ। କାରଣ ଏହିଭଳି ଖବର ଯଥା- ‘ଗର୍ଭବତୀ ମହିଳାଙ୍କୁ ପୂର୍ଣ୍ଣଗର୍ଭା ନଦୀରେ ଦଉଡ଼ିରେ ଟାଣି ଟାଣି କୂଳକୁ ଅଣାଗଲା’, ‘ପିଇବା ପାଣି ପାଇଁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି’ ଆମର ଦିହସୁହା ହୋଇଯାଇଛି। କିନ୍ତୁ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ସୁରକ୍ଷା ପ୍ରସଙ୍ଗ ଆସିଲେ, ଏହିଭଳି ପ୍ରଶ୍ନ ମନକୁ ଆନ୍ଦୋଳିତ କରିବା ସ୍ୱାଭାବିକ। ଏ ତ ସେମାନଙ୍କ କାହାଣୀ ଯେଉଁମାନେ ତମାମ ଜୀବନ ପରିଚୟହୀନ ହୋଇ ରହିଯାଇଛନ୍ତି। କିନ୍ତୁ ଯେଉଁ ପ୍ରତିଭାବନ୍ତ ଅନ୍ତର୍ଜାତୀୟସ୍ତରରେ ଦେଶ ପାଇଁ ସୁନାମ ଆଣିଛନ୍ତି, ସେମାନଙ୍କୁ ମଧ୍ୟ ଭିନ୍ନ ମାପକାଠିରେ ବିଚାର କରାଯାଇନାହିଁ।
ଏହି କ୍ରମରେ କିଛି ଦଶନ୍ଧି ପୂର୍ବର ଗୋଟିଏ ଘଟଣା ସ୍ମରଣକୁ ଆସିଯାଏ। ଅନ୍ତର୍ଜାତୀୟସ୍ତରରେ ମହିଳା ହକିରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଜଣେ ହକି ଖେଳାଳିଙ୍କର ବିବାହ ତାରିଖ ସ୍ଥିର ହେଲା। ସେ ଥିଲେ ଜନଜାତି ସଂପ୍ରଦାୟର। ପରିବାରର ସମସ୍ତେ ଆଶା କରିଥିଲେ, ବିବାହ ଉତ୍ସବ ଭୁବନେଶ୍ୱରର କେଉଁ ତାରକା ହୋଟେଲରେ ଅନୁଷ୍ଠିତ ହେବ। କିନ୍ତୁ ହକି ତାରକାଙ୍କର ଏକାନ୍ତ ଜିଦ୍- ବାହାଘର ପାରଂପରିକ ରୀତିରେ ଗାଁରେ ହେବ। ବାପ, ମା ଏବଂ ଗ୍ରାମବାସୀଙ୍କ ଭିତରେ ଭାଳେଣି ପଡ଼ିଲା। ଆଦିବାସୀ ଅଧ୍ୟୁଷିତ ଅପନ୍ତରା ଗାଁ। ନା ରାସ୍ତା ଅଛି, ନା ବିଜୁଳି। ମୁନ୍ଦାଏ ପିଇବା ପାଣି ପାଇବା କଷ୍ଟକର। କେଡ଼େ ବଡ଼ ବଡ଼ ଲୋକ ଆସିବେ।
ଗାଁରେ ସ୍କୁଲଟିଏ ବି ନାହିଁ, ଯେଉଁଠି ଅନ୍ତତଃ ସେମାନେ ବସି ପାରିଥା’ନ୍ତେ। ଗାଁର କିଛି ମୁଖିଆ ଦଶ କିଲୋମିଟରରୁ ଆହୁରି ଦୂରରେ ଅବସ୍ଥିତ ବ୍ଲକ୍ ଅଫିସରେ ବିଡିଓ ମହୋଦୟଙ୍କୁ ଦେଖା କଲେ, କାଳେ କିଛି ସୁବିଧା ମିଳିଯିବ। ବିଡିଓ ମହାଶୟ ନା ସେ ହକି ତାରକାଙ୍କ ନାମ ଶୁଣିଥିଲେ, ନା ସେ ଗାଁର ସ୍ଥିତି ସଂପର୍କରେ ଅବଗତ ଥିଲେ। ଚିରାଚରିତ ଢଙ୍ଗରେ ‘ହଉ ଦେଖିବା’ କହି ବିଦା କରିଦେଲେ। ସେହି ସମୟରେ କେହି ଜଣେ ସମ୍ବାଦଦାତା ଖବରଟିକୁ ବେଶ୍ ରୋଚକ ଢଙ୍ଗରେ ଖବରକାଗଜରେ ଛପେଇଦେଲେ। ପରେ ପରେ ସମସ୍ତ ପ୍ରମୁଖ ସମ୍ବାଦପତ୍ରରେ ଖବରଟି ଆସିବା ପରେ ତାହା ଜିଲ୍ଲାପାଳଙ୍କ ନଜରକୁ ଆସିଲା। ଯୁବ ଜିଲ୍ଲାପାଳ ସେହି ହକି ତାରକାଙ୍କର କେବଳ ଜଣେ ପ୍ରଶଂସକ ନ ଥିଲେ, ସମଗ୍ର ଜିଲ୍ଲାବାସୀଙ୍କୁ ନିଜ ପରିବାରର ଅଂଶ ଭାବେ ବିବେଚନା କରୁଥିଲେ।
ସେ ତୁରନ୍ତ ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ବିବାହ ନିମନ୍ତେ ସବୁ ଆୟୋଜନ କରିଦେଲେ ଏବଂ ଉତ୍ସବରେ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏଭଳି ପ୍ରଶାସନିକ ଅଧିକାରୀ ଆଜି ଯେ ନାହାନ୍ତି ତାହା ନୁହେଁ, କିନ୍ତୁ ବିରଳ ସଂଖ୍ୟାଲଘୁରେ ପରିଣତ ହୋଇଯାଇଛନ୍ତି। ଯେଉଁ ପ୍ରତିକୂଳ ପରିସ୍ଥିତିରୁ ଉନ୍ନୀତ ହୋଇ ମହିଳା ହକି ତାରକା ଦେଶକୁ ପ୍ରତିନିଧିତ୍ୱ କରୁଥିଲେ, ଅନ୍ତତଃ ସେଥିପ୍ରତି ସମ୍ମାନ ଜଣାଇ ସରକାର ତାଙ୍କ ଗ୍ରାମକୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ପାରିଥା’ନ୍ତେ। କିନ୍ତୁ ତାହା ହୋଇ ନ ଥିଲା। ଆମ ରାଜ୍ୟରେ ଏବଂ ଆମ ଦେଶରେ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷର ଉତ୍ତୁଙ୍ଗ ଶିଖରରେ ଉପନୀତ ହୁଅନ୍ତି, ତାହା ବ୍ୟକ୍ତିଗତ ନିଷ୍ଠା ଓ ଅଙ୍ଗୀକାରବଦ୍ଧତା ଯୋଗୁଁ ସମ୍ଭବ ହୋଇଥାଏ। ସେଥିରେ ସରକାରଙ୍କର ଅବଦାନ ସର୍ବନିମ୍ନ।
ପୁନଶ୍ଚ ଡିଗିସିରା ଗ୍ରାମକୁ ଆସିବା। ୨୦୧୧ ଜନଗଣନା ଆଧାରରେ ଡିଗିସିରା ଗାଁର ପରିବାର ସଂଖ୍ୟା ମାତ୍ର ଛବିଶ, ଜନସଂଖ୍ୟା ଏକ ହଜାର। ଅନୁସୂଚିତ ଜାତି, ଜନଜାତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୮୫%। ସାମଗ୍ରିକ ସାକ୍ଷରତା ହାର ୬୧%, ମହିଳା ହାର ୨୬%। (ଆଜି ଦିନରେ ଏହି ସଂଖ୍ୟା ଓ ହାର କେତେ ହେବ ଆମେ ଅନ୍ଦାଜ କରିପାରିବା।) ଏହି ଅଘଟଣ ପରେ ସେହି ବାପ ମା’ ପିଲାମାନଙ୍କୁ ଏବଂ ବିଶେଷ କରି ଝିଅମାନଙ୍କୁ ସ୍କୁଲକୁ ଛାଡ଼ିବେ କି? କ’ଣ ହେବ ସେମାନଙ୍କ ଶିକ୍ଷାର ଭବିଷ୍ୟତ? ଏହି ସବୁ କାରଣରୁ ବିଦ୍ୟାଳୟରେ ଉପସ୍ଥାନ ହାର ହ୍ରାସ ପାଉଛି, ତାହା ଆମ ସରକାରୀ ଅଧିକାରୀମାନେ ବୁଝିବାକୁ ନାରାଜ। ଏହି ମର୍ମରେ ଆମ ରାଜ୍ୟ ସରକାରଙ୍କର ଆଉ ଏକ ଶିକ୍ଷା ବିରୋଧୀ ନିଷ୍ପତ୍ତି ବିଚାର କରିବା।
୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କଲେ- ଯେଉଁ ସମସ୍ତ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିଦେଇ ପାଖ ସ୍କୁଲ ସହିତ ମିଶେଇ ଦିଆଯିବ। ଏଥିରୁ ଅଧିକାଂଶ ବିଦ୍ୟାଳୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥିତ। ସରକାରଙ୍କ ଏହି ନିର୍ଦ୍ଦେଶନାମା ବିରୋଧରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୬୮ଟି ଆବେଦନ ହାଇକୋର୍ଟରେ ଦାଖଲ ହୋଇଥିଲା। ମାନ୍ୟବର ହାଇକୋର୍ଟ ଆବେଦନର ଶୁଣାଣି ପରେ ସରକାରୀ ନିର୍ଦ୍ଦେଶନାମା ଉପରେ ରହିତାଦେଶ ଜାରି କରିବା ସହିତ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଗୁରୁତ୍ୱପୂର୍ଣ୍ଣ- ‘ଛାତ୍ରଛାତ୍ରୀଙ୍କ ଉପସ୍ଥାନ କାହିଁକି ହ୍ରାସ ପାଉଛି, ତାହାର କାରଣ ଚିହ୍ନଟ କରିବା ପରିବର୍ତ୍ତେ, ବିଦ୍ୟାଳୟ ମିଶ୍ରଣ ଯୋଜନା ସଫଳ ହେବ ନାହିଁ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାର ବିଭିନ୍ନ କାରଣ ରହିଛି। ତୃଣମୂଳସ୍ତରରେ ସେହି ସମସ୍ତ ଅସୁବିଧା ଦୂର କରିବା ପରିବର୍ତ୍ତେ, ବାସ୍ତବ ଜୀବନ ସହିତ ସଂପର୍କ ନ ଥିବା ଉପରିସ୍ଥ ଅଧିକାରୀମାନଙ୍କର ନିଷ୍ପତ୍ତି କ୍ରମେ ବିଦ୍ୟାଳୟ ମିଶ୍ରଣ ଯୋଜନା କାର୍ଯ୍ୟକାରୀ ହୋଇଛି।’ ୨୦୧୭ ମସିହାରେ ନୀତି ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟରେ ବିଦ୍ୟାଳୟ ସମିଶ୍ରଣ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହାର ଚରମ ଦୁର୍ଦ୍ଦଶା ଭୋଗିଥିଲେ ସମାଜର ନିମ୍ନଭାଗରେ ଜୀବନ ବିତାଉଥିବା ଜନଜାତି ସଂପ୍ରଦାୟ। ହାଇକୋର୍ଟରେ ଶୁଣାଣି ବେଳେ ସରକାର ଯେଉଁ ଯୁକ୍ତି ରଖିଥିଲେ, ତାହା ଥିଲା ଅତ୍ୟନ୍ତ ହାସ୍ୟାସ୍ପଦ- ‘ବିଦ୍ୟାଳୟ ବନ୍ଦ ହେବା ଫଳରେ ଯେଉଁ ଛାତ୍ରଛାତ୍ରୀ ଦୂର ସ୍କୁଲକୁ ଯିବେ, ସେମାନଙ୍କୁ ଦୈନିକ ୨୦ ଟଙ୍କା କିମ୍ବା ଏକକାଳୀନ ୩୦୦୦ ଟଙ୍କା ଭତ୍ତା ମିଳିବ। ବିଦ୍ୟାଳୟ ଏକ କିଲୋମିଟରୁ ଅଧିକ ଦୂରରେ ଅବସ୍ଥିତ ଥିଲେ, ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ଯାତାୟାତ ଭତ୍ତା ମିଳିବ।’ ମହାମାନ୍ୟ ସରକାର ବୁଝିବା ପାଇଁ ଅସମର୍ଥ ଯେ ଏଠାରେ ଭତ୍ତା ଆଦୌ ପ୍ରାସଙ୍ଗିକ ନୁହେଁ, ପ୍ରାଥମିକ ବିଦ୍ୟାଳୟର ଜଣେ ଅବୋଧ ଶିଶୁ ଗୋଟିଏ କିଲୋମିଟରରୁ ଅଧିକ ଦୂରରେ ଅବସ୍ଥିତ ବିଦ୍ୟାଳୟକୁ କେମିତି ଯିବ ତାହା ହିଁ ଗୁରୁତ୍ୱ ରଖେ।
ଜଣେ ମାତ୍ର ବିଦ୍ୟାର୍ଥୀଙ୍କ ବିଦ୍ୟାଳୟ ଯାତାୟାତ ନିମନ୍ତେ ଗୋଟିଏ ଦେଶ କ’ଣ କରିପାରେ, ଜାପାନର ଗୋଟିଏ ଦୃଷ୍ଟାନ୍ତ ଅନୁଶୀଳନ କରିବା। କ୍ରମାଗତ ଭାବେ ଆର୍ଥିକ କ୍ଷତି ସହୁଥିବାରୁ ଜାପାନର ରେଳ କର୍ତ୍ତୃପକ୍ଷ, ହୋକାଡିଓ ଦ୍ୱୀପପୁଞ୍ଜରେ ଅବସ୍ଥିତ କ୍ୟୁ-ସିରାତାକି ରେଳ ଷ୍ଟେସନ ୨୦୧୩ ମସିହାରୁ ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଲେ। କିନ୍ତୁ ନିୟମିତ ଯାତ୍ରୀଙ୍କର ତାଲିକାରୁ ଜଣାପଡ଼ିଲା ଯେ କାନା ହାରାଡ଼ା ନାମ୍ନୀ ଜଣେ ଛାତ୍ରୀ ପ୍ରତିଦିନ ସକାଳେ ସେହି ଷ୍ଟେସନରୁ ବିଦ୍ୟାଳୟ ଯାଉଛନ୍ତି, ପୁଣି ସନ୍ଧ୍ୟାରେ ଘରକୁ ଫେରୁଛନ୍ତି। କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଲେ ଯଦି ଷ୍ଟେସନ ବନ୍ଦ କରିଦିଆଯାଏ, ତେବେ ସେହି ଛାତ୍ରୀ ବିଦ୍ୟାଳୟ ଯିବା ପାଇଁ ଅସୁବିଧାରେ ପଡ଼ିବେ। ତେଣୁ ରେଳ ଷ୍ଟେସନ ବନ୍ଦ କରିବା ନିଷ୍ପତ୍ତିରୁ ରେଳ କର୍ତ୍ତୃପକ୍ଷ ଓହରିଗଲେ। କାନା ହାରାଡ଼ାଙ୍କ ବିଦ୍ୟାଳୟ ରୁଟିନ୍ ଅନୁଯାୟୀ ରେଳ ଚଳାଚଳ ଜାରି ରହିଲା। ବିଦ୍ୟାଳୟ ଛୁଟି ଦିନରେ ଟ୍ରେନ୍ ବାତିଲ କରାଗଲା। ୨୦୧୬ ମସିହା ମାର୍ଚ୍ଚ ମାସରେ ସେହି ବିଦ୍ୟାର୍ଥୀଙ୍କ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ରେଳ ଷ୍ଟେସନ ଚାଲୁ ରଖାଗଲା। ସମୁଦାୟ ଟ୍ରେନ୍ରେ ସେ ଥିଲେ ଏକମାତ୍ର ଯାତ୍ରୀ। ଏ ହେଉଛି ଶିକ୍ଷା ପ୍ରତି ଏବଂ ଦେଶବାସୀଙ୍କ ପ୍ରତି ଜାପାନ ସରକାରଙ୍କର ଅଙ୍ଗୀକାରବଦ୍ଧତା। ଆମେ ଏହାର ବିପରୀତ ଦିଗରେ ଯାଉନାହାନ୍ତି ତ?
ମୋ: ୯୪୩୭୧୯୧୩୫୦