ଗାନ୍ଧୀଜୀଙ୍କ ନେତୃତ୍ୱରେ ଅସହଯୋଗ, ଅହିଂସା ଓ ସତ୍ୟାଗ୍ରହକୁ ଅସ୍ତ୍ର କରି ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ସ୍ୱାଧୀନ ହେଲା। ଗାନ୍ଧୀଜୀ ଅତି ସ୍ପଷ୍ଟଭାବେ କହିଥିଲେ ଯେ କେବଳ ରାଜନୈତିକ ସ୍ୱାଧୀନତା ସ୍ୱାଧୀନତା ନୁହେଁ। ସେ ଚାହୁଁଥିଲେ ପ୍ରତ୍ୟେକ ଭାରତୀୟ ପାଇଁ ପୂର୍ଣ୍ଣ ସ୍ୱରାଜ ଅର୍ଥାତ ନିଜକୁ ନିଜେ ଶାସନ କରିବା ଅଧିକାର। ଗାନ୍ଧୀଜୀ ଯେଉଁ ସ୍ୱରାଜ କଥା କହୁଥିଲେ ସେଥିରେ ପ୍ରତ୍ୟେକ ବ୍ୟକ୍ତି ପ୍ରତି ମୁହୂର୍ତ୍ତରେ ନିର୍ଲିପ୍ତ ଭାବରେ ଆତ୍ମସମୀକ୍ଷା କରୁଥିବ, ନିଜର ଦୋଷ ଦୁର୍ବଳତା ଓ ତ୍ରୁଟି ବିଚ୍ୟୁତିକୁ ସଜାଡୁଥିବ, ଆତ୍ମନିର୍ଭରଶୀଳ ହେଉଥିବ ଓ ଦେଶୀୟ ଦ୍ରବ୍ୟକୁ ସବୁମନ୍ତେ ଭଲ ପାଉଥିବ।
ରାଜନୈତିକ ଦୃଷ୍ଟିରୁ ସ୍ୱରାଜ ଆବଶ୍ୟକ କହିଲା ବେଳେ ଗାନ୍ଧୀଜୀ ସରକାରୀ ସୁଶାସନ ଖୋଜୁନଥିଲେ, ସେ ଖୋଜୁଥିଲେ ଲୋକମାନେ ନିଜକୁ ଶାସନ କରିବେ। ଗାନ୍ଧୀଜୀ ଦେଇଯାଇଥିବା ଏହି କଷଟିରେ ଆମେ ଆମର ଏବଂ ବିଭିନ୍ନ ସଂଗଠନର ସମୀକ୍ଷା କରିଛେ କି?
୨୦୧୧ ମସିହାର ଜନଗଣନା ଅନୁସାରେ ଦେଶରେ ୬ ଲକ୍ଷ ୬୨ ହଜାର ୬୦୧ ଗାଁ ଓ ୪୭୯୧ ପୌରାଂଚଳ ଥିଲା। ଏବେ ଏହି ସଂଖ୍ୟା ଆହୁରି ବଢ଼ିଯାଇଥିବ। ଏଥିରୁ କେତୋଟି ସଂଗଠନ ସରକାରୀ ଅନୁଦାନକୁ ଅପେକ୍ଷା ନ କରି ଆତ୍ମନିର୍ଭରଶୀଳ ହୋଇ ସ୍ୱରାଜ ଉପଭୋଗ କରୁଛନ୍ତି? ଅବଶ୍ୟ ବ୍ୟକ୍ତିଗତ ସ୍ତରରେ ଓଡ଼ିଶାର ଦୈତ୍ୟାରି ନାୟକଙ୍କ ପରି ପାହାଡ଼ କାଟି ଗାଁକୁ ପାଣି ଆଣିଥିବା ଲୋକ କିମ୍ବା ନିଜ ପେଟ ପୋଷିବା ପାଇଁ କେରଳର ଭେମ୍ବାନାଦ ହ୍ରଦରୁ ଏକ ଛୋଟ ହୁଲିଡଙ୍ଗାରେ ବୁଲି ପ୍ଲାଷ୍ଟିକ ବୋତଲ ସଂଗ୍ରହକରି ବିକୁଥିବା ପକ୍ଷାଘାତ ରୋଗୀ ରାଜପ୍ପାନଙ୍କ ପରି ଲୋକମାନଙ୍କ ଉଦାହରଣ କୋଟିଏରେ ଗୋଟିଏ।
ଗାନ୍ଧୀଜୀ ଚାହିଁଥିଲେ ଗ୍ରାମ ସ୍ୱରାଜ- ପ୍ରତ୍ୟେକ ଗାଁ ସ୍ୱୟଂସମ୍ପୂର୍ଣ୍ଣ ଓ ସ୍ୱୟଂଶାସିତ ହୋଇ ଠିଆହେବ ଏବଂ ପଡ଼ିଶା ଗାଁ ସହିତ ସହଯୋଗମୂଳକ ନିର୍ଭରଶୀଳତା ଓ ସୁସମ୍ପର୍କ ରକ୍ଷା କରିବ। ଏଭଳି ସହଯୋଗମୂଳକ ନିର୍ଭରଶୀଳତାର ଉଦାହରଣ ହୋଇପାରେ- ଗୋଟିଏ ଗାଁରେ ଧାନ ଚାଷ ହେଉଛି ତ ପାଖ ଗାଁଟିରେ ରବି ଫସଲ ହେଉଥିବ। ଗୋଟିଏ ଗାଁରେ ଡାକ୍ତରଖାନା ଅଛି ତ ପଡ଼ିଶା ଗାଁରେ ପଶୁ ଡାକ୍ତରଖାନା କି କୃଷି ବିଜ୍ଞାନ କେନ୍ଦ୍ର ରହିଥିବ। କିନ୍ତୁ ଗାଁଟି ନିଜର କୃଷିକ୍ଷେତ୍ର ପାଇଁ ଆବଶ୍ୟକ ଜଳ ଯୋଗାଣ, ବିହନ ଯୋଗାଣ, ଖତ ଯୋଗାଣ, ପ୍ରାକୃତିକ ପ୍ରଣାଳୀରେ କୀଟପତଙ୍ଗ ଦମନ କରିବା ଲାଗି ସମର୍ଥ ହେବାକୁ ପଡ଼ିବ। ଏବେ ଗାଁମାନଙ୍କର ଶାସନଭାର ଗ୍ରାମ ପଂଚାୟତମାନଙ୍କ ଉପରେ ନ୍ୟସ୍ତ ହୋଇଛି। ମାତ୍ର ଖୁବ୍ କମ୍ ପଂଚାୟତରେ ଗାନ୍ଧୀଜୀଙ୍କ ସ୍ୱପ୍ନର ସ୍ୱରାଜ୍ୟ ଉପଲବ୍ଧ ହେବାର ସମ୍ଭାବନା ଦେଖାଯାଉଛି।
ଇଂଲାଣ୍ଡ ଆମେରିକା ଭଳି ଦେଶମାନଙ୍କରେ ମଧ୍ୟ ଗାଁ ଅଛି। ମାତ୍ର ସେଠାରେ ଆବଶ୍ୟକ ସୁବିଧା ସୁଯୋଗ ଦୃଷ୍ଟିରୁ ଗାଁ ଓ ସହରାଂଚଳ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ। ଆମର ଏଠି ଯାତାୟାତ ଲାଗି ସବୁ ଗାଁକୁ ସବୁଦିନିଆ ରାସ୍ତା ସ୍ୱାଧୀନତାର ଷାଠିଏ ବର୍ଷ ପର୍ଯ୍ୟନ୍ତ ନଥିଲା। ଆମେ ଜାଣିଛେ ବେଗ ହିଁ ଉନ୍ନତିର ଲକ୍ଷଣ। ଯାହାହେଉ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କେନ୍ଦ୍ରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିବାବେଳେ ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ ଆରମ୍ଭ କରି ଦେଶରେ ଯାତାୟାତକୁ ସୁଗମ କରିଛନ୍ତି ଓ ତା’ର ସୁଫଳ ମିଳିବା ଆରମ୍ଭ ହୋଇଛି। ମାତ୍ର ଷାଠିଏ ବର୍ଷ ଆଗରୁ ଏହା ହୋଇପାରିନଥାନ୍ତା କି?
ସ୍ୱାଧୀନତା ପରେ ଆମ ଦେଶରେ ପ୍ରଥମେ ଭାରୀ ଶିଳ୍ପ ଉପରେ ଗୁରୁତ୍ୱ ଦିଆଗଲା। ଏହା ସହରାଂଚଳ ସୃଷ୍ଟି କରିବାରେ ସାହାଯ୍ୟ କଲା ଅଥଚ ଗାଁ ପ୍ରତି ଗୁରୁତ୍ବ ହ୍ରାସ ପାଇଲା। କୃଷି ଓ କୃଷକ ଅଧିକ ବିପର୍ଯ୍ୟସ୍ତ ହେଲେ କାରଣ ଗାଁର ମୁଖ୍ୟ ବେଉସା ହେଲା କୃଷି। ଫଳରେ ଗାଁଲୋକେ ରୋଜଗାର ଲାଗି ସହରମୁହାଁ ହେବାକୁ ବାଧ୍ୟହେଲେ। ଦେଶର ଅର୍ଥନୀତିଜ୍ଞ, ଐତିହାସିକ କେହି ୟୁରୋପରେ ଶିଳ୍ପ ବିପ୍ଳବର ପରିଣାମ କଥା ଭାବିଲେ ନାହିଁ।
ଭାରତ ଏକ ଗ୍ରାମବହୁଳ ଦେଶ। ଭାରତର ଅର୍ଥନୀତି କୃଷି ଉପରେ ପର୍ଯ୍ୟବସିତ। ଗାଁରେ ଉପଲବ୍ଧ କଂଚାମାଲ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଉପଯୋଗ କରି ବହୁ ପୂର୍ବରୁ ଗ୍ରାମୀଣ ଜୀବନକୁ ଉନ୍ନତ କରାଯାଇ ପାରିଥାଆନ୍ତା। ଗାନ୍ଧୀଜୀ ଭାରତର ବିପୁଳ ଜନସଂଖ୍ୟାକୁ ଧ୍ୟାନରେ ରଖି କୁଟୀର ଶିଳ୍ପକୁ ଗୁରୁତ୍ୱ ଦେଉଥିଲେ।
ପ୍ରତି ଗାଁରେ ପ୍ରାଚୀନ ରୀତିରେ ପଂଚାୟତ ବସି ଗାଁର ବାଦବିବାଦର ବିଚାର ଓ ଆପୋସ ସମାଧାନ କରିବା ଗାନ୍ଧୀଜୀ ଆଶା କରୁଥିଲେ। ଗାନ୍ଧୀଜୀ ତାଙ୍କ ସ୍ୱପ୍ନର ଏକ ଗ୍ରାମ ବିଷୟରେ କହିଥିଲେ ଯେ ବୁଦ୍ଧି ଥିବା ନେତାମାନେ ଗ୍ରାମବାସୀମାନଙ୍କୁ ଯଥାର୍ଥ ଭାବରେ ନେତୃତ୍ୱ ଦେଇପାରିଲେ କେବଳ କେତୋଟି ଗାଁ କାହିଁକି ସମଗ୍ର ଭାରତ ଏକ ଆଦର୍ଶ ଦେଶରେ ପରିଣତ ହୋଇପାରିବ ଏବଂ ପୃଥିବୀ ସାରା ଆମଦେଶକୁ ଅନୁକରଣ କରିବେ। ମାତ୍ର ଆମ ଲୋକେ ଗାନ୍ଧୀଜୀଙ୍କ ଶରୀରକୁ ଗୁଳିବିଦ୍ଧ କରିବା ସହିତ କ୍ଷମତା ଲୋଭରେ ତାଙ୍କ ଆତ୍ମା ଓ ବିଚାରକୁ ମଧ୍ୟ ହତ୍ୟା କରିଦେଲେ। ଆଜିର ଯୁବକମାନେ ଯଦି ଗାନ୍ଧୀଙ୍କ ଲେଖାଗୁଡ଼ିକୁ ପଢ଼ନ୍ତେ, ମନରେ ଘେନନ୍ତେ ଓ ସାମ୍ପ୍ରତିକ ପରିସ୍ଥିତିରେ ସେସବୁର ପ୍ରାସଙ୍ଗିକତାକୁ ବିଚାର କରି ଦେଶପ୍ରେମରେ ନିମଜ୍ଜିତ ହୋଇ କାମ କରିବାର ଶପଥ ନିଅନ୍ତେ ତେବେ ଆମ ସ୍ୱାଧୀନତାର ଯାଥାର୍ଥ୍ୟ ପ୍ରତିପାଦିତ ହୁଅନ୍ତା। ଏଭଳି କାମ ଅଫିସର, ଶିକ୍ଷକ, ଡାକ୍ତର, ଓକିଲ, ବିଚାରପତି, ମନ୍ତ୍ରୀ, ବିଧାୟକ, ବ୍ୟବସାୟୀ, କୃଷକ ପ୍ରମୁଖ ସମସ୍ତେ ନିଜ ନିଜ କ୍ଷେତ୍ରରେ ଚାହିଁଲେ କରିପାରିବେ।
ମୋ: ୯୪୩୭୭୬୩୮୯୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/5-17.jpg)