‘ପ୍ୟାରିସ୍ ସ୍କୁଲ୍ ଅଫ୍ ଇକନୋମିକ୍ସ’ ସ୍ଥିତ ‘ୱାଲର୍ଡ ଇନ୍ଇକ୍ବାଲିଟି ଲାବ୍’ (‘ବିଶ୍ବ ବୈଷମ୍ୟ ପରୀକ୍ଷାଗାର’)ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ସେଲ୍ ତାଙ୍କର ୨୦୨୧ରେ ପ୍ରକାଶିତ ଗବେଷଣା ପ୍ରସୂତ ନିବନ୍ଧ ‘‘ଗ୍ଲୋବାଲ୍ କାର୍ବନ୍ ଇନ୍ଇକ୍ବାଲିଟି ଇନ୍ ଦି ଲଙ୍ଗ୍ ରନ୍’’ (‘‘ଦୀର୍ଘକାଳୀନ ବିଶ୍ବ ଅଙ୍ଗାର ବୈଷମ୍ୟ’’)ରେ ବିଶ୍ବତାପନର ଅନ୍ୟତମ ମୁଖ୍ୟ କାରଣ ରୂପେ ବିବେଚିତ ଅଙ୍ଗାର ନିର୍ଗମନରେ ପୃଥିବୀର ଦେଶମାନଙ୍କର ଅବଦାନରେ ରହିଥିବା ଐତିହାସିକ ବୈଷମ୍ୟର ଯେଉଁ ଚିତ୍ର ପ୍ରଦାନ କରିଛନ୍ତି, ତାହା ବେଶ୍ ଜଣାଶୁଣା ହୋଇଥିଲେ ହେଁ ତଥାପି ଏକ ମାନସିକ ଆଘାତ ସୃଷ୍ଟି କରିଥାଏ। ଉଦାହରଣ ସ୍ବରୂପ ଚାନ୍ସେଲ୍ ଦର୍ଶାଇଛନ୍ତି ଯେ ବିଶ୍ବର ଯେଉଁ ଏକ ଶତାଂଶ ଅଧିବାସୀ ସର୍ବାଧିକ ଅଙ୍ଗାର ନିର୍ଗମନ କରିଥାନ୍ତି, ସେମାନଙ୍କ ମଧ୍ୟରୁ ପାଖାପାଖି ୬୦ ଶତାଂଶ ବାସ କରିଥାନ୍ତି ଉତ୍ତର ଆମେରିକା (ଯୁକ୍ତରାଷ୍ଟ୍ର ଓ କାନାଡା)ରେ।
ଅବିଶ୍ବାସ୍ୟ ଭାବରେ ପୃଥିବୀର ଲୋକସଂଖ୍ୟାର ଏହି କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ୨୦୧୦ରୁ ୨୦୧୮ ମଧ୍ୟରେ ମୋଟ ଯେତିକି ପରିମାଣର ଅଙ୍ଗାର ନିର୍ଗମନ କରିଥିଲେ, ତାହା ସର୍ବନିମ୍ନ ନିର୍ଗମନ କରୁଥିବା ପୃଥିବୀର ଅଧିବାସୀମାନଙ୍କର ୫୦ ଶତାଂଶ ମିଳିତ ଭାବରେ କରୁଥିବା ନିର୍ଗମନଠାରୁ ଅଧିକ ଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ଦ୍ବିତୀୟ କିସମର ଅର୍ଥାତ୍ ସର୍ବନିମ୍ନ ନିଗର୍ମନକାରୀ ଅଧିବାସୀମାନଙ୍କର ବାସସ୍ଥାନ ହେଉଛି ସାହାରା ମରୁଭୂମି ନିମ୍ନବର୍ତ୍ତୀ ଆଫ୍ରିକା ଏବଂ ଦକ୍ଷିଣ ଏସିଆ, ଯେଉଁ ଅଞ୍ଚଳମାନ ବିଶ୍ବ ତାପନ ଦ୍ବାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ହେଉଛି ସର୍ବାଧିକ- ନିକଟରେ ପାକିସ୍ତାନ ସମ୍ମୁଖୀନ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ହେଉଛି ଏହାର ଏକ ପ୍ରମାଣ।
ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ଶିଳ୍ପ ଯୁଗର ଆରମ୍ଭ ପର ଠାରୁ ପୃଥିବୀର ବାୟୁମଣ୍ଡଳରେ ଯେତିକି ଅଙ୍ଗାର ନିର୍ଗମନ ଠୁଳ ହୋଇଛି, ତା’ର ୮୦ ଶତାଂଶ ପାଇଁ ଦାୟୀ ହେଉଛି ପୃଥିବୀ ଜନସଂଖ୍ୟାର ମାତ୍ର ୧୫ ଶତାଂଶଙ୍କ ବାସସ୍ଥଳୀ ହୋଇଥିବା ‘ବିଶ୍ବ ଉତ୍ତର’ (‘ଗ୍ଲୋବାଲ୍ ନର୍ଥ’) ନାମରେ ଅଭିହିତ ଅଞ୍ଚଳ ଯାହା ଆମେରିକା, କାନାଡା, ଇଉରୋପ, ରୁଷିଆ, ଜାପାନ ଆଦି ଧନୀ ଦେଶମାନଙ୍କୁ ନେଇ ଗଠିତ। ଏ ଉଭୟ ଉଦାହରଣ ଯେଉଁ ଅସୁବିଧାଜନକ ସତ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି, ତାହା ହେଲା ଶିଳ୍ପୋନ୍ନତ ଦେଶମାନଙ୍କରେ ଘଟି ଆସିଥିବା ମୁଣ୍ଡପିଛା ଅଙ୍ଗାର ନିର୍ଗମନ ‘ବିଶ୍ବ ଦକ୍ଷିଣ’ (‘ଗ୍ଲୋବାଲ୍ ସାଉଥ୍’) ରୂପେ ପରିଚିତ ବିକାଶଶୀଳ ଦେଶମାନଙ୍କରେ ଘଟିଥିବା ମୁଣ୍ଡପିଛା ନିର୍ଗମନଠାରୁ ବହୁ ଗୁଣ ଅଧିକ ହୋଇଛି। ପୃଥିବୀର ଅଳ୍ପସଂଖ୍ୟକ ଧନୀ ଦେଶ ବାସିନ୍ଦାମାନଙ୍କର ମାତ୍ରାଧିକ ଉପଭୋଗ ଭିତ୍ତିକ ଜୀବନଶୈଳୀ ଯୋଗୁଁ ଘଟିଥିବା ଅନିୟନ୍ତ୍ରିତ ଅଙ୍ଗାର ନିର୍ଗମନର କୁପରିଣାମ ଭୋଗ କରିବାକୁ ପଡୁଛି ସମୁଦ୍ରରେ ଡୁବି ଯିବାକୁ ବସିଥିବା ପ୍ରଶାନ୍ତ ମହାସାଗରୀୟ କ୍ଷୁଦ୍ର ଦ୍ବୀପ ଦେଶମାନଙ୍କର ବାସିନ୍ଦାମାନଙ୍କୁ, ଦୁର୍ଭିକ୍ଷ ପ୍ରପୀଡ଼ିତ ଆଫ୍ରିକାର ସହେଲ୍ ବା ହର୍ନ ଅନ୍ତରୀପର ବୁଭୁକ୍ଷୁମାନଙ୍କୁ କିମ୍ବା ବନ୍ୟାକ୍ଳିଷ୍ଟ ପାକିସ୍ତାନୀମାନଙ୍କୁ କିମ୍ବା ବାରମ୍ବାର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ବିଧ୍ବସ୍ତ ଓଡ଼ିଶାବାସୀଙ୍କୁ।
ବିଶ୍ବତାପନ ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟମାନଙ୍କରେ ଧନୀ ଦେଶମାନଙ୍କର ଏହି ଭୂମିକା ସାବ୍ୟସ୍ତ ହେବା ପରେ ବିଗତ ପ୍ରାୟ ତିନି ଦଶନ୍ଧି ଧରି ପ୍ରଭାବିତ ‘ଦକ୍ଷିଣ’ସ୍ଥ ଦେଶମାନେ ‘ଉତ୍ତର’ସ୍ଥ ଅପରାଧୀ ଧନୀ ଦେଶମାନଙ୍କୁ ନିଜର ନୈତିକ ଦାୟିତ୍ବ ସ୍ବୀକାର କରି କ୍ଷୟକ୍ଷତି ଭରଣା କରିବାକୁ ବାଧ୍ୟ କରିବାକୁ ଉଦ୍ୟମ କରିଆସିଛନ୍ତି। ୧୯୯୧ରେ ପ୍ରଥମେ କ୍ଷୁଦ୍ର, ତଳିଆ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ଦେଶ ଭାନୁଆତୁ ଏଥିପାଇଁ ଜାତିସଂଘ ଅଧୀନରେ ଏକ ବିପର୍ଯ୍ୟୟ ବୀମା ବ୍ୟବସ୍ଥା ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଥିଲା, ଯାହା ପାଇଁ ଆବଶ୍ୟକ ପାଣ୍ଠି ନିର୍ଗମନ-ଅପରାଧୀ ଧନୀ ଦେଶମାନେ ପ୍ରଦାନ କରିବେ। ଗତ ପ୍ରାୟ ତିରିଶ ବର୍ଷ ଧରି ଧନୀ ଦେଶମାନେ କିନ୍ତୁ ଏହି ନିୟମିତ ଭାବରେ ଉତ୍ଥାପିତ ଦାବିକୁ ଏଡ଼ାଇ ଚାଲିଥିଲେ- ନା ସେମାନଙ୍କର ଦାୟିତ୍ବ ସ୍ବୀକାର କରିବାକୁ ପ୍ରସ୍ତୁତ ଥିଲେ, ନା ପାଣ୍ଠି ପ୍ରଦାନ ପାଇଁ ଆଗ୍ରହୀ ଥିଲେ।
କିନ୍ତୁ ଠିକ୍ ପ୍ରାୟ ବର୍ଷକ ତଳେ ଏହି ଧାରାରେ ପରିବର୍ତ୍ତନ ଘଟିବାର ଏକ କ୍ଷୀଣ ସମ୍ଭାବନା ଦେଖା ଦେଇଥିଲା ଯେତେବେଳେ ଗ୍ଲାସ୍ଗୋ ଠାରେ ଅନୁଷ୍ଠିତ ‘କପ୍-୨୬’ ସମ୍ମିଳନୀରେ ସ୍କଟିସ୍ ଫାଷ୍ଟ ମିନିଷ୍ଟର୍ ନିକୋଲା ଷ୍ଟର୍ଜନ୍ ଏହି କ୍ଷୟକ୍ଷତି ଭରଣା ନିମିତ୍ତ ୨ ନିୟୁତ ପାଉଣ୍ଡ ଷ୍ଟର୍ଲିଂ (୨.୪ ନିୟୁତ ଡଲାର୍) ପ୍ରଦାନ କରିବାକୁ ଘୋଷଣା କଲେ। ଏହା ଯେ ସମୁଦ୍ରଭୁ ଶଙ୍ଖେ ଭଳି, କ୍ଷୟକ୍ଷତିର ବିଶାଳ ଆକାର ଉପରେ ଦୃଷ୍ଟି ନିକ୍ଷେପ କଲେ ସେଥିରେ ସନ୍ଦେହ ରହେ ନାହିଁ। ଏକ ଉଦାହରଣ ସ୍ବରୂପ ଏ ବର୍ଷର ପାକିସ୍ତାନ ବନ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ପରିମାଣ ୩୦ ବିଲିଅନ୍ (୩୦,୦୦୦ ନିୟୁତ) ଡଲାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହା ସେ ଦେଶର ‘ଜିଡିପି’ର ପ୍ରାୟ ୯ ଶତାଂଶ ସହ ସମାନ। ‘ଲା ନିନା’ ନାମକ ସାମୁଦ୍ରିକ ଶୀତଳୀକରଣ ପ୍ରକ୍ରିୟାର ପ୍ରଭାବ ଏହି ବର୍ଷାର ଅନ୍ୟତମ କାରଣ ହୋଇଥିଲେ ହେଁ, ବାୟୁମଣ୍ଡଳରେ ଉପସ୍ଥିତ ‘ଗ୍ରିନହାଉସ୍ ଗ୍ୟାସ୍’ ଯୋଗୁଁ ଏହା ମୁଷଳ ଧାରାରେ ପରିଣତ ହୋଇଥିଲା ବୋଲି ବିଶେଷଜ୍ଞମାନେ ଏକମତ ହୋଇଛନ୍ତି।
ଇଜିପ୍ଟରେ ସଦ୍ୟ ସମାପ୍ତ ‘କପ୍-୨୭’ ଜଳବାୟୁ ସମ୍ମିଳନୀରେ ଏହି ପାକିସ୍ତାନ ବନ୍ୟାକୁ ହିଁ ଉଦାହରଣ ରୂପେ ପ୍ରଦର୍ଶିତ କରି ବିକାଶଶୀଳ ଦେଶମାନଙ୍କର ପ୍ରତିନିଧିମାନେ ଧନୀ ଦେଶମାନେ ଏଥର ପୂର୍ବର କୁଣ୍ଠା ପରିତ୍ୟାଗ କରି ମୁକ୍ତ ହସ୍ତରେ କ୍ଷୟକ୍ଷତି ଭରଣା ପାଇଁ ଦାନ କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଇଲେ। ଏହାର ପ୍ରଭାବରେ ମୁଖ୍ୟତଃ ଜର୍ମାନୀ (୧୭୦ ନିୟୁତ ୟୁରୋ) ଓ ଅନ୍ୟ େକତେକ ଇଉରୋପୀୟ ଦେଶ ମିଶି ମୋଟ ୨୩୮ ନିୟୁତ ୟୁରୋ (୨୪୬ ନିୟୁତ ଡଲାର୍) ଏହି ଉଦ୍ଦେଶ୍ୟରେ ଦାନ କରିବା ପାଇଁ ଆଗେଇ ଆସିଥିଲେ। ଏହି ପରିମାଣ ମଧ୍ୟ ଆବଶ୍ୟକତା ତୁଳନାରେ କିଞ୍ଚିତ ମାତ୍ର ହୋଇଥିଲେ ହେଁ ଶେଷରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ସମ୍ମିଳନୀର ଶେଷ ବେଳକୁ ଏପରି ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହା ବିଗତ ତିନି ଦଶନ୍ଧି ଧରି ସମ୍ଭବ ହୋଇନଥିଲା: ଜାତିସଂଘ ଅଧୀନରେ କ୍ଷୟକ୍ଷତି ଭରଣା ନିମିତ୍ତ ଏକ ନୂତନ ପାଣ୍ଠି ସୃଷ୍ଟି କରାଯିବ। ଏଭଳି ଏକ ବିଧିବଦ୍ଧ କ୍ଷୟକ୍ଷତି ପାଣ୍ଠି ପ୍ରତିଷ୍ଠିତ ହେବା ପରେ ଧନୀ ଦେଶମାନେ ଏହି ପାଣ୍ଠିକୁ ନିଜ ନିଜର ଅନୁଦାନ ଦ୍ବାରା ପରିପୁଷ୍ଟ କରିବେ ଓ ବିପର୍ଯ୍ୟୟଗ୍ରସ୍ତ ଦେଶମାନେ ନିଜର କ୍ଷୟକ୍ଷତି ଭରଣା ନିମିତ୍ତ ଏହି ପାଣ୍ଠିରୁ ସହାୟତା ଲାଭ କରିବେ।
ବର୍ତ୍ତମାନ କିନ୍ତୁ ଏହି ପାଣ୍ଠିର ଗଠନ ଘୋଷଣା ହୋଇଥିଲେ ମଧ୍ୟ କେଉଁ ଦେଶ ଏଥିପାଇଁ କେତେ ଅର୍ଥ ଦାନ କରିବ, ତଥା ଏଥିରୁ ପ୍ରଭାବିତ ଦେଶମାନେ କିପରି ସହାୟତା ଲାଭ କରିବେ ଇତ୍ୟାଦି ଟିକିନିଖି ପ୍ରସଙ୍ଗ ମାନ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ବର୍ଷ ନଭେମ୍ବର ମଧ୍ୟରେ ନିଆଯିବ ବୋଲି ସ୍ଥିର ହୋଇଛି। ଏଥିରେ ସନ୍ଦେହ ନାହିଁ ଯେ ଧନୀ ଦେଶମାନଙ୍କର ଦେୟ ନିର୍ଣ୍ଣୟ କେବେହେଲେ ଏକ ନିର୍ବିବାଦ ଶୈଳୀରେ ସମ୍ପନ୍ନ ହୋଇପାରିବ ନାହିଁ। ୧୯୯୦ରୁ ଇତି ମଧ୍ୟରେ ପୃଥିବୀର ଅର୍ଥନୈତିକ ମାନଚିତ୍ରରେ ଘଟିଥିବା ପରିବର୍ତ୍ତନର ଅଂଶ ସ୍ବରୂପ ଚୀନ୍ ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ତଥା ପ୍ରମୁଖ ନିର୍ଗମନକାରୀ ଦେଶ ରୂପେ ଆବିର୍ଭୂତ ହୋଇଛି। ଚୀନ୍ ମଧ୍ୟ ଏହି କ୍ଷୟକ୍ଷତି ପାଣ୍ଠିକୁ ଅର୍ଥଦାନ କରିବା ଆବଶ୍ୟକ ବୋଲି ସମ୍ମିଳନୀରେ ‘ଇଉରୋପୀୟ ୟୁନିଅନ’ର ପ୍ରତିନିଧି ମତ ପ୍ରକାଶ କରିବା ଦେଖା ଯାଇଥିଲା।
ସହାୟତା ବଣ୍ଟନ ମଧ୍ୟ ସେଇଭଳି ବିବାଦମୁକ୍ତ ହେବାର ସମ୍ଭାବନା କ୍ଷୀଣ ମନେ ହୋଇଥାଏ। ‘ଇଉରୋପୀୟ ୟୁନିଅନ’ର ମତ ଅନୁସାରେ କେବଳ ବିଶେଷ ବିପଦଗ୍ରସ୍ତ ଦେଶମାନଙ୍କୁ ଏହି ପାଣ୍ଠିରୁ ସହାୟତା ପ୍ରଦାନ କରାଯିବା ଉଚିତ ହେବ। ଯେ କୌଣସି ବିକାଶଶୀଳ ଦେଶ ଏହି ପାଣ୍ଠିରୁ ସାହାଯ୍ୟ ପାଇବାକୁ ଯୋଗ୍ୟ ହେବା ଉଚିତ୍ ନୁହେଁ ବୋଲି ‘ଇୟୁ’ର ମତ, କାରଣ ଜାତିସଂଘ ଜଳବାୟୁ ସମ୍ମିଳନୀର ବିକାଶଶୀଳ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି ଚୀନ୍ ଓ ସିଙ୍ଗାପୁର ଭଳି ସ୍ବଚ୍ଛଳ ଦେଶମାନେ। ଏହାଛଡ଼ା ବାସ୍ତବରେ ଯେ ଜାତିସଂଘ ଦ୍ବାରା ପରିଚାଳିତ ଏକ ପାଣ୍ଠିରୁ କ୍ଷୟକ୍ଷତି ଭରଣା ପାଇଁ ପ୍ରଭାବିତ ଦେଶମାନେ କେବେେହଲେ ଆବଶ୍ୟକ ବିଶାଳ ଆକାରର ଆର୍ଥିକ ସାହାଯ୍ୟ ସତରେ ପାଇପାରିବେ, ସେ ନେଇ ବାସ୍ତବବାଦୀ ପର୍ଯ୍ୟବେକ୍ଷକମାନେ ଘୋର ସନ୍ଦେହ ପ୍ରକାଶ କରୁଛନ୍ତି। ତେବେ ଏହା ସତ୍ତ୍ବେ ଏକ କ୍ଷୟକ୍ଷତି ପାଣ୍ଠି ସୃଷ୍ଟି ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଏକ ବହୁ ଅପେକ୍ଷିତ ସକାରାତ୍ମକ ପଦକ୍ଷେପ, ଏଥିରେ କୌଣସି ସନ୍ଦେହ ନାହିଁ। ଆଶା,‘ଦକ୍ଷିଣ’ର ଦୀର୍ଘ ଦିନର ଦୁଃଖ ଦୂର କରିବାରେ ଏହା ସହାୟକ ହେବ।