ଭବିଷ୍ୟବାଣୀର ଅର୍ଥ

କଥାଟିଏ - ଯାଯାବର

ଦିନେ ଗୋଟିଏ ରାଜ୍ୟର ରାଜା ବିଶାଳ ସୈନ୍ୟ ବାହିନୀ ଧରି ସିଦ୍ଧ ଋଷିଙ୍କ ପାଖରେ ପହଞ୍ଚିଲେ। ସେ ତାଙ୍କୁ ପଚାରିଲେ- ମୁଁ ପଡ଼ୋଶୀ ରାଜ୍ୟ ବି‌େରାଧରେ ଯୁଦ୍ଧ କରିବାକୁ ବାହାରିଛି। ଆପଣ କହନ୍ତୁ ମୁଁ ଏ ଯୁଦ୍ଧରେ ଜିତିବି ନା ହାରିବି। ସିଦ୍ଧ ଋଷି କିଛି ସମୟ ଆଖି ବୁଜିଲେ ଏବଂ ତାପରେ କହିଲେ- ଯାହା ମୁଁ ଦେଖିପାରୁଛି ତାହା ହେଲା ଗୋଟିଏ ରାଜ୍ୟ ଏ ଯୁଦ୍ଧରେ ଛାରଖାର ହୋଇଯାଇଛି।

ରାଜା ଅଟ୍ଟହାସ୍ୟ କରି ଉଠିଲେ। ରାଜା କହିଲେ ଜାଣିଥିଲି ତାହା ହିଁ ହେବ। କିନ୍ତୁ ଦେଖନ୍ତୁ ସେ ରାଜ୍ୟର ରାଜାଙ୍କ ଆସ୍ପର୍ଦ୍ଧା। ଏତେ ଛୋଟ ରାଜ୍ୟ କିନ୍ତୁ ମୋର ବଶ୍ୟତା ସ୍ବୀକାର କରିବାକୁ ନାରାଜ! ଏବେ ସେ ତା’ର ପରିଣାମ ଭୋଗ କରିବ। ଏହା କହି ପୁଣି ଅଟ୍ଟହାସ୍ୟ କରି ରାଜା ସଗର୍ବେ ଫେରିଗଲେ।

ଏଥର ସିଦ୍ଧ ଋଷି ଶିଷ୍ୟକୁ କହିଲେ- ଯେଉଁ ବ୍ୟକ୍ତି ଅହଙ୍କାର ଦ୍ବାରା ଅନ୍ଧ ହୁଏ ସେ ନିଜର ଦୁର୍ବଳତାକୁ ‌େଦଖିପାରେ ନାହିଁ। ସେ ନିଜକୁ ଏତେ ବଡ଼ ବୋଲି ବିଚାର କରେ ଯେ ସେ ଭାବେ ତାକୁ କେନ୍ଦ୍ର କରି ଏ ପୃଥିବୀ ଅାତଯାତ ହେଉଛି। ଏ ରାଜା ଭାବୁଛି ଯେ ପଡ଼ୋଶୀ ରାଜ୍ୟ ଛାରଖାର ହୋଇଯିବ। କିନ୍ତୁ ତାହା ହୋଇ ନ ପାରେ! ପଡ଼ୋଶୀ ରାଜ୍ୟ ଏକ କ୍ଷୁଦ୍ର ରାଜ୍ୟ। ତଥାପି ସେ ବଶ୍ୟତା ସ୍ବୀକାର ନ କରି ଯୁଦ୍ଧକୁ ବାହାରିବା ଅର୍ଥ ତା’ ପାଖରେ ସାହସ ଅଛି ଏବଂ କେମିତି ଏହି ବଡ଼ ରାଜ୍ୟର ମୁକାବିଲା କରିବ, ସେ ନେଇ ସେହି ରାଜ୍ୟ ନିକଟରେ ଯୋଜନା, ସତର୍କତା ଏବଂ ଉପାୟ ମଧ୍ୟ ଥିବ। କିନ୍ତୁ, ଏ ନିର୍ବୋଧ ରାଜା ତାହା ବିଚାର କରି ପାରିଲା କି?
ପରିଶେଷରେ ତାହା ହିଁ ହେଲା। କ୍ଷୁଦ୍ର ରାଜ୍ୟ ଯୁଦ୍ଧରେ ଜୟଯୁକ୍ତ ହେଲା ଓ ବିଶାଳ ରାଜ୍ୟଟି ସଂପୂର୍ଣ୍ଣ ଧରାଶାୟୀ ହୋଇଗଲା।

ସମ୍ବନ୍ଧିତ ଖବର