ଯଦି କେବେ ଆପଣଙ୍କର ବନ୍ଧୁଙ୍କ ସହିତ ଦେଖା ହୋଇଯାଏ ଓ ତାଙ୍କୁ ଆପଣ କୁଶଳ ସମାଚାର ପଚାରି ଦିଅନ୍ତି, ସେଇ ଗୋଟିଏ ଗତାନୁଗତିକ ଉତ୍ତର ମିଳିବ, “କ’ଣ ଆଉ ଭଲ! ଜୀବନଟା ତ ସମସ୍ୟା ଭିତରେ ବୁଡ଼ି ରହିଲା। ଗୋଟିଏ ସମସ୍ୟାର ସମାଧାନ କଲା ବେଳକୁ ତା ପଛକୁ ଆଉ ଗୋଟିଏ ଆସି ପହଞ୍ଚି ଯାଉଛି”। ସମସ୍ତଙ୍କର ସେଇ ଗୋଟିଏ ଅଭିଯୋଗ, ସମାଧାନ ଅନ୍ୟ ଏକ ସମସ୍ୟାକୁ ଜନ୍ମ ଦେଉଛି। ସତରେ କ’ଣ ଏମିତି ହୁଏ? ତା’ହେଲେ ଇଏ ତ ରୋଗ ଠାରୁ ଔଷଧ ଅଧିକ କ୍ଷତିକାରକ ହେବାପରି କଥା। କୁହାଯାଏ ଚତୁର ଓ ବିଜ୍ଞ ବ୍ୟକ୍ତିଙ୍କ ପାଇଁ ଜୀବନ ଗୋଟିଏ ସମସ୍ୟା କିନ୍ତୁ ନିର୍ବୋଧମାନଙ୍କ ପାଇଁ ତାହା ଏକ ସମାଧାନ। ଅର୍ଥାତ୍ ବିଜ୍ଞ ବ୍ୟକ୍ତିମାନେ ଜୀବନକୁ ଏକ ଆହ୍ୱାନ ଭରା ସମସ୍ୟା ଭାବରେ ଗ୍ରହଣ କରନ୍ତି ତେଣୁ ତା’ର ସରଳ ଓ ଯୁକ୍ତିଯୁକ୍ତ ସମାଧାନଟିଏ କରି ପାରନ୍ତି। କିନ୍ତୁ ଉଦାସୀନ ଲୋକଟି ସମସ୍ୟା ଯେତେ ଆସୁ, ସର୍ବଦା ନିର୍ଲିପ୍ତ ଓ ନିରୁଦ୍ବିଗ୍ନ ରହିଥାଏ। ସେଥିପାଇଁ ଜୀବନର ସମସ୍ୟା କ’ଣ ଜାଣିପାରେନି। ତା’ପାଇଁ ସମାଧାନର ଆବଶ୍ୟକତା କିଛି ନଥାଏ।
ଗୋଟିଏ ସମସ୍ୟାର ସମାଧାନ ଆଉ ଏକ ସମସ୍ୟାକୁ ଜନ୍ମ ଦିଏ କି? ଏ ପ୍ରଶ୍ନଟିର ବିଶ୍ଳେଷଣ କରିବାକୁ ହେଲେ ପ୍ରଥମେ ବୁଝିବାକୁ ହେବ ସମସ୍ୟାର ଅର୍ଥ କ’ଣ। ଉଦ୍ଦେଶ୍ୟ ସାଧନ କ୍ଷେତ୍ରରେ ଯାହା ଅନ୍ତରାୟ ହୁଏ ତାହା ହେଉଛି ସମସ୍ୟା। ତେବେ ଉଦ୍ଦେଶ୍ୟର ଅର୍ଥ କ’ଣ? ଉଦ୍ଦେଶ୍ୟ ବା ଲକ୍ଷ୍ୟ ହେଉଛି ଆମେ ହାସଲ କରିବାକୁ ଯୋଜନା କରିଥିବା ଏକ କଳ୍ପିତ ପରିଣାମ। ଦୁଇଟିଯାକ ବ୍ୟାଖ୍ୟାକୁ ଏକତ୍ର କଲେ ‘ସମସ୍ୟା’ର ଅର୍ଥ ହେବ, ଯାହା ଆମେ ଇଚ୍ଛା କରିଥିବା ପରିଣତି ପାଖରେ ଆମକୁ ପହଞ୍ଚିବାରେ ଅନ୍ତରାୟ ହୋଇଥାଏ। ଉଦାହରଣ ସ୍ବରୂପ, ଆପଣ ଗାଧୋଇବାକୁ ଅପେକ୍ଷା କରିଛନ୍ତି, ଟାଙ୍କିରୁ ଏଣେ ପାଣି ଶେଷ ହୋଇଗଲା। ପାଣି ସରିଯିବା ଆପଣଙ୍କ ପାଇଁ ଏକ ସମସ୍ୟା। ମୋର କିନ୍ତୁ ଗାଧୋଇବାର ଆବଶ୍ୟକତା ନାହିଁ, ତେଣୁ ପାଣିର ଅଭାବ ମୋ ପାଇଁ ଏକ ସମସ୍ୟା ନୁହେଁ।
ଅତଏବ ଆମେ କ’ଣ ଚାହୁଁଛେ ତାହାରି ଉପରେ ସମସ୍ୟା ଓ ସମାଧାନ ଉଭୟ ନିର୍ଭର କରେ। ଉଦ୍ଦେଶ୍ୟଟିଏ ନଥିଲେ ସମସ୍ୟାଟିଏ ନାହିଁ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଗୋଟିଏ ସମସ୍ୟାର ସମାଧାନ ଅନ୍ୟ ଏକ ସମସ୍ୟା ସୃଷ୍ଟି କରେ କି? ଯଦି ଗୋଟିଏ ସମୟରେ ଆମର ଏକାଧିକ ଉଦ୍ଦେଶ୍ୟ ରହିବ ତା’ହେଲେ ଗୋଟିକର ସମାଧାନ ହେଲେ ତାହା ଅନ୍ୟ ଏକ ସମସ୍ୟାକୁ ଡାକି ଆଣିବ। ଯଦି ‘କ’ ଉଦ୍ଦେଶ୍ୟଟିର ପୂରଣ ହେଲା କିନ୍ତୁ ତାହା ଫଳରେ ‘ଖ’ ଉଦ୍ଦେଶ୍ୟଟି ସାଧନ ହୋଇ ପାରିଲାନି ସେ କ୍ଷେତ୍ରରେ ଅନ୍ୟ ଏକ ସମସ୍ୟା ସୃଷ୍ଟି ହେଲା। ମନେ କରନ୍ତୁ ଉତ୍ତମ ପାତ୍ରଟିଏ ଖୋଜି ଝିଅକୁ ବାହା ଦେବାପରେ ଝିଅ ବିବାହ ସଂପର୍କିତ ସମସ୍ୟାର ଆପଣ ସମାଧାନ କରିଦେଲେ। ପରେ କିନ୍ତୁ ଜଣା ପଡ଼ିଲା ଯେ ଜ୍ବାଇଁ ନଷ୍ଟ ଚରିତ୍ରର। ଏ କ୍ଷେତ୍ରରେ ପ୍ରଥମ ସମସ୍ୟାର ସମାଧାନ ଦ୍ବିତୀୟ ସମସ୍ୟାଟିକୁ ଜନ୍ମ ଦେଲା। ତେଣୁ ଗୋଟିଏ ସମସ୍ୟାର ସମାଧାନ ଅନ୍ୟ ଏକ ସମସ୍ୟାକୁ ଜନ୍ମଦେବା କଥା ନିର୍ଭର କରେ ଜଣେ କ’ଣ ଚାହୁଁଛି ତା’ ଉପରେ। ମନୁଷ୍ୟର ସର୍ବଦା ଏକାଧିକ ଉଦ୍ଦେଶ୍ୟ ରହିଥାଏ ଓ ସେ ସବୁକୁ ଏକା ସାଙ୍ଗରେ ସାଧନ କରିବା ସେ ଚାହିଁଥାଏ। ତେଣୁ ସମସ୍ୟା ପରେ ସମସ୍ୟାକୁ ଆମେ ସାମନା କରୁ।
ଯେଉଁ ଭାବନା ମଧ୍ୟରୁ ସମସ୍ୟାଟିର ଉତ୍ପତ୍ତି, ସେଇ ଏକା ଭାବନାର ଆଧାରରେ ଆମେ ତା’ର ସମାଧାନ କରି ପାରିବାନି। ଏକଥା କହିଥିଲେ ଆଇନଷ୍ଟାଇନ୍। ଯେଉଁ ଚେତନା ମଧ୍ୟରେ ଥାଇ ସମସ୍ୟାଟିର ଉତ୍ପତ୍ତି ହୋଇଛି ସେ ଚେତନା ଠାରୁ ଊର୍ଦ୍ଧ୍ବକୁ ନ ଉଠିଲେ ତା’ର ସମାଧାନର ରାସ୍ତା ପାଇବା କଠିନ। ଏ ଉଦାହରଣଟି ଦେଖନ୍ତୁ: ଜଣେ ବିଜ୍ଞ ବ୍ୟକ୍ତି ବର୍ଷର ଶେଷ ଦିନରେ ବଡ଼ ବିମର୍ଷ ହୋଇ ନିଜ ଡାଏରିର ଶେଷ ପୃଷ୍ଠାରେ ଲେଖିଲେ, “ଏ ବର୍ଷଟି ମୋର କେବଳ ସମସ୍ୟା ଭିତରେ କଟିଗଲା। ପେଟର ଅପରେସନ ହୋଇ ଗୁଡ଼ାଏ ଖର୍ଚ୍ଚାନ୍ତ ହେଲି, ଏ ବର୍ଷ ବାପାଙ୍କର ସ୍ବର୍ଗବାସ ହେଲା, ଚାକିରିରୁ ଅବସର ନେଲି ଏବଂ କାର୍ ଦୁର୍ଘଟଣାରେ ପୁଅ ଦୀର୍ଘଦିନ ଶଯ୍ୟାଶାୟୀ ହୋଇ ପଢ଼ାରେ ତା’ର ବ୍ୟାଘାତ ହେଲା। କାର୍ଟିକୁ ମଧ୍ୟ ହରାଇଲି”।
ପତ୍ନୀ ତାଙ୍କର ରାତିରେ ଡାଏରିଟି ପଢ଼ି ସେଥିରେ ସଂଶୋଧନ କରି ଲେଖିଦେଲେ, “ଏ ବର୍ଷଟି ମୋର ବିନା କିଛି ସମସ୍ୟାରେ ବିତିଗଲା। ପେଟ ଅପରେସନ କରାଇବାରୁ ଦୀର୍ଘଦିନ ଧରି ଭୋଗୁଥିବା ପେଟ ଯନ୍ତ୍ରଣାରୁ ମୁକ୍ତ ହେଲି। ବାପା ତାଙ୍କର ପୂର୍ଣ୍ଣ ଜୀବନ ଜିଇଁ ନବେ ବର୍ଷ ବୟସରେ ବିନାକିଛି କଷ୍ଟ ଭୋଗକରି ସଂସାରରୁ ବିଦାୟ ନେଲେ। ଚାକିରିରୁ ଅବସର ନେଲି, ତେଣୁ ଏବେ ପେନ୍ସନ୍ ଟଙ୍କାରେ ଚଳି ଚିନ୍ତାଶୂନ୍ୟ ଜୀବନ ବିତାଇବି। ଏ ବର୍ଷ ଭଗବାନ ପୁଅକୁ ମୋର ନବଜୀବନ ପ୍ରଦାନ କଲେ। କାରଟି ସିନା ନଷ୍ଟ ହୋଇଗଲା, ଏକ ବଡ଼ ଦୁର୍ଘଟଣାରୁ ପୁଅ ମୋର ବଞ୍ଚିଗଲା”। କହିବାର ଉଦ୍ଦେଶ୍ୟ ହେଉଛି, ସମସ୍ୟା ଭିତରେ ହିଁ ସମାଧାନଟି ରହିଥାଏ। କେବଳ ଆମର ଦୃଷ୍ଟିକୋଣର ଫରକ ହେତୁ ସମସ୍ୟାକୁ ନେଇ ଆମେ ଚିନ୍ତିତ ହେଉ ଓ ତା’ର ସମାଧାନ ମିଳିଯିବା ପରେ ତା’ ପଛରେ ଅନ୍ୟ ଏକ ସମସ୍ୟାକୁ ସନ୍ଧାନ କରିବାରେ ଲାଗିପଡୁ। ରାସ୍ତା ଉପରର ଗତିରୋଧକ ପରି ହେଉଛି ସମସ୍ୟା। ଗତିରୋଧକ ହଟାଇ ହେବନି, ତେଣୁ ଜୀବନର ଗାଡ଼ି ତା’ ଉପର ଦେଇ ଧୀରେ ଚଳାଇ ନେବାକୁ ହେବ। ସଁବାଳୁଆ ଯେତେବେଳେ ତା’ପାଇଁ ପୃଥିବୀର ଅନ୍ତ ଘଟିଯାଉଥିବାର ନିଶ୍ଚିତ ହୁଏ, ଠିକ୍ ତା’ ପରେ ପରେ ସୁନ୍ଦର ପ୍ରଜାପତିଟିଏ ସେଠାରେ ଉଡ଼ି ବୁଲୁଥିବାର ଆମେ ଦେଖୁ। ଜୀବନରେ ସମସ୍ୟା ଓ ତା’ର ସମାଧାନ ଠିକ୍ ସଁବାଳୁଆ ଓ ପ୍ରଜାପତି ସଦୃଶ। ସମସ୍ୟା ଯେଉଁଠି ସମାଧାନ ସେଇଠି। ସମସ୍ୟାଟି ସମାଧାନର ଅନୁଗାମୀ ନୁହେଁ। ଏବେ ଆଉ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିବେ କି?
ମୋ: ୯୩୩୭୬୪୮୬୩୮