ଜମିୟତ ଉଲେମା-ଏ-ହିନ୍ଦ୍ର ଏକ ଶାଖାର ଅଧ୍ୟକ୍ଷ ଏବଂ ଭାରତୀୟ ମୁସଲମାନମାନଙ୍କର ସଶକ୍ତ ତଥା ବିବେକସମ୍ମତ ସ୍ବର ମୌଲାନା ମେହମୁଦ ମଦନୀଙ୍କୁ ମୁଁ କହିବାକୁ ଚାହୁଛି ଯେ ନିକଟରେ ଦେଵବନ୍ଦରେ ଆପଣ ଦେଇଥିବା ଭାଷଣ ନା ଦେଶର ନା ମୁସଲମାନମାନଙ୍କର ନା ବିବେକର ହିତ ସାଧନ କରିବ! କ୍ରୋଧ ଏବଂ ଅସହାୟତା ମନୁଷ୍ୟକୁ ଏମିତି ଦୁର୍ବଳ କରିଦିଏ ଯେ ସେ ନିଜେ ନିଜକୁ ବି ସମ୍ଭାଳି ପାରେ ନାହିଁ। ସେଦିନ ମଦନୀ ସାହେବଙ୍କ ସହ ଏମିତି କିଛି ହୋଇଥିଲା।
ମୁଁ ଜାଣିପାରୁଛି ଯେ ସାରା ଦେଶରେ ଆଜିକାଲି ଏ ଭଳି ବାତାବରଣ ହୋଇଛି ବା କରାଯାଇଛି, ଯେଉଁଥିରେ ସଂଯମ ଓ ସନ୍ତୁଳନ ରଖିବା ସହଜ ନୁହେଁ। ମୁଁ ଏକଥା ମଧ୍ୟ ଜାଣିଛି ଏବଂ ଭୀଷଣ ମର୍ମାହତ ଯେ ଆମର ମୁସଲମାନ ସମାଜ ଏବେ ଭୀଷଣ ଚାପରେ କାଳ କାଟୁଛନ୍ତି। ସେମାନେ ଭୟଭୀତ ଓ ଶଙ୍କିତ ମଧ୍ୟ ହୋଇପଡ଼ିଛନ୍ତି ଏବଂ ତହିଁରୁ ସୃଷ୍ଟ ଅସହାୟତାର ଭାବନା ସେମାନଙ୍କ ମନରେ ବସା ବାନ୍ଧି ଚାଲିଛି। ଏ ଭଳି ମାନସିକ ସ୍ଥିତିରେ ରହିଥିବା ସମାଜ ବା ବ୍ୟକ୍ତି ନିଜକୁ ଏପରି ଆକ୍ରମଣାତ୍ମକ ଦେଖାଇ ହେବା ପାଇଁ ଚେଷ୍ଟା କରିଥାଏ। ଆକ୍ରମଣ ହିଁ ତା’ ପାଇଁ ଏକ ଅସ୍ତ୍ର ସଦୃଶ ମନେ ହୋଇଥାଏ। ଆମ ମୁସଲମାନ ସମାଜ ପ୍ରତି ଏମିତି କିଛି ଘଟୁଛି। ମାତ୍ର କ’ଣ ହେଉଛି ଏବଂ କ’ଣ ହେବା ଦରକାର, ତାହାର ହିତାହିତ ଜ୍ଞାନ ଯଦି ଆମେ ହରାଇ ବସିବା, ତେବେ ସେହି ସମାଜ ଓ ଦେଶକୁ ଆମେ ହରାଇ ବସିବା ଯାହା ନାଁରେ ଏଠି ସବୁ କିଛି ଗଢ଼ା ହୋଇଛି। ସମ୍ବେଦନଶୀଳ ମୁହୂର୍ତ୍ତରେ ମନ ନମନୀୟ ରହିବା ବହୁତ ଜରୁରୀ।
ମଦନୀ ସାହେବ ନିଜ ଭାଷଣରେ କହିଥିଲେ, ‘ଆମେ ଦମନ ଓ ଅତ୍ୟାଚାରକୁ ସହିଯିବୁ, ମାତ୍ର ଦେଶ ପ୍ରତି କୌଣସି ଆଞ୍ଚ ହେବାକୁ ଦେବୁ ନାହିଁ।’ ଏହା କହିଲା ବେଳେ ସେ ଏମିତି ଭାବୁକ ହୋଇପଡ଼ିଲେ ଯେ ତାଙ୍କ କଣ୍ଠସ୍ବର ରୁନ୍ଧି ହୋଇଗଲା, ଆଖିରୁ ଲୁହ ବି ଝରିଲା। ସେ ଯାହା କହିଲେ ଏବଂ ତାଙ୍କ ଆଖିରୁ ଯେଉଁ ଲୁହ ଝରିଲା, ତାହା ଆଜି ଆମମାନଙ୍କ ପାଇଁ ଜରୁରୀ। ଏପରି ଭାବପ୍ରବଣତା ଯଦି ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଥାନ୍ତା, ତେବେ ଚମତ୍କାର ହୋଇପାରନ୍ତା। ଯେତେବେଳେ ଆମେ ଦେଶ ଉପରେ ନଜର ରଖୁନାହିଁ, ସେତେବେଳେ ହିଁ ଦେଶ ପ୍ରତି ଆଞ୍ଚ ଆସିଥାଏ। ମଦନୀ ସାହେବ ଆଗକୁ କହି ଚାଲିଥିଲେ, ‘ଅସୁବିଧାର ମୁକାବିଲା ପାଇଁ ଉତ୍ସାହ ଓ ଶକ୍ତି ଦରକାର।’ ସେ ଶ୍ରୋତାମାନଙ୍କୁ ଚେତାଇ ମଧ୍ୟ ଦେଇଥିଲେ, ‘ଦେଶରେ ଘୃଣାଭାବ ଖେଳାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କମ୍।
ଯଦି ଆମେ ସେମାନଙ୍କ ପରି ହେବା, ତେବେ ସେମାନେ ଜିତିଯିବେ।’ ମଦନୀ ସାହେବଙ୍କ ଅସଲ ଖେଳ ହେଉଛି ଯେ ସେ ସମସ୍ତଙ୍କୁ ନିଜ ଭଳି କରିବାକୁ ଚାହୁଛନ୍ତି। ଦେଶ କଥା ଚିନ୍ତା କରୁଥିବା ଓ ମାନବିକତାକୁ ବୁଝୁଥିବା ବ୍ୟକ୍ତି ଓ ସମାଜ ସର୍ବଦା କଠୋରପନ୍ଥୀମାନଙ୍କ ପାଇଁ କଣ୍ଟା ସଦୃଶ ହୋଇଥା’ନ୍ତି। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଭ୍ରାନ୍ତ କରି ରଖିବାକୁ କଠୋରପନ୍ଥୀମାନେ ପ୍ରୟାସ କରିଥା’ନ୍ତି। ଯାହାଙ୍କ ହିତାହିତ ଜ୍ଞାନ ନାହିଁ, ତାଙ୍କୁ ଭିଡ଼ରେ ବଦଳେଇ ଦେବା ସହଜ ହୋଇଥାଏ। ଏପଟେ ସମାଜ ଭିଡ଼ରେ ବଦଳିଗଲା, ଆଉ ସେପଟେ କଠୋରପନ୍ଥୀଙ୍କ ହାତରେ ଲଗାମ ରହିଲା। ଏହି ଖେଳରେ ଯେବେ ଶାସନ କ୍ଷମତା ସାମିଲ ହୋଇଯାଏ, ତେବେ ଭିଡ଼ ନିର୍ଦ୍ବନ୍ଦ୍ବରେ ମଣିଷ ଶିକାର ଆରମ୍ଭ କରିଦିଏ।
ସେଥିପାଇଁ କେବଳ ମଦନୀ ସାହେବ ନୁହେଁ, ଦେଶର ପ୍ରତ୍ୟେକ ସଚେତନ ନାଗରିକ ଅସୁବିଧାରେ ଅଛନ୍ତି। ଶାସନ ଯେବେ ସମାଜର ଭରସା ହରାଇ ବସେ ସେତେବେଳେ ନିଜ ନିଜର ସ୍ବାର୍ଥ ସାଧନ ପାଇଁ ବ୍ୟସ୍ତ ହେବା ପରିସ୍ଥିତି ଆସିଯାଇଥାଏ। ଦେଶ ସମ୍ପ୍ରତି ସେଭଳି ସ୍ଥିତିରେ ପହଞ୍ଚି ସାରିଲାଣି। ଶାସନର ସତ୍ୟ ଓ ସମାଜର ସତ୍ୟ ମଧ୍ୟରେ ଲଗାତାର ଦୂରତା ବଢ଼ିଚାଲିଛି। ଏହା ଏମିତି ଏକ ବିପଜ୍ଜନକ ସମୟ ଯେଉଁଠି ଗୋଟିଏ ପାଦ ଖସିଲେ ବା ମୁହୂର୍ତ୍ତକ ପାଇଁ ହିତାହିତ ଜ୍ଞାନ ହରାଇଲେ ସବୁ ସରିଲା। ସେଥିପାଇଁ ‘ମୁସଲମାନ ଦେଶର ଏକତା ଲାଗି ନିଜର ଜୀବନ ଦେଇ ଆସୁଛି ଓ ଦେଇ ଆସୁଥିବ’ ବୋଲି ମଦନୀ ସାହେବ ଯେତେବେଳେ କହିଲେ, ସେତେବେଳେ ସେ ବାଟବଣା ହୋଇ ଗୁରୁତ୍ବହୀନ ଗୋଷ୍ଠୀ ଚାହୁଥିବା ଦିଗରେ ଚାଲିଗଲେ।
ମଦନୀ ସାହେବଙ୍କ ପରି ବିଶିଷ୍ଟ ବ୍ୟକ୍ତି ଜଣେ ହିନ୍ଦୁସ୍ଥାନୀର ପରିଚୟ ଛଡ଼ା ଅନ୍ୟ କୌଣସି କ୍ଷୁଦ୍ର ପରିଚୟ ବହନ କରି ବକ୍ତବ୍ୟ ଦେବା ଅନୁଚିତ। କେବଳ ମୁସଲମାନ ନୁହେଁ, ପ୍ରତ୍ୟେକ ହିନ୍ଦୁସ୍ଥାନୀ ଦେଶର ଏକତା ପାଇଁ ଜୀବନ ଦେଇଛନ୍ତି ଏବଂ ଆଜି ବି ସେମାନେ ନିଜ ଜୀବନ ଦେବାକୁ ପ୍ରସ୍ତୁତ। ଯେଉଁମାନେ ସେ ସମୟରେ କି ଆଜି ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ନାହାନ୍ତି, ସେମାନେ ହିନ୍ଦୁସ୍ଥାନୀ ନୁହନ୍ତି। ସେଭଳି ଲୋକଙ୍କ ଭିତରେ ହିନ୍ଦୁ ଅଛନ୍ତି, ମୁସଲମାନ ବି ଅଛନ୍ତି ଏବଂ ଅନ୍ୟ ଧର୍ମାବଲମ୍ବୀ ମଧ୍ୟ ରହିଛନ୍ତି। ହଜାର ହଜାର କଣ୍ଠରୁ ଏ କଥା ବାହାରିବା ଦରକାର ଯେ ଏପରି ସମସ୍ତ କଠୋରପନ୍ଥୀ ସଂକୀର୍ଣ୍ଣତାର ସିପାହି ଥିଲେ ଯେଉଁମାନେ ଦେଶର ଗଳା କାଟିଦେଲେ, ଦେଶକୁ ଭାଗ ଭାଗ କରିଦେଲେ, ଗାନ୍ଧୀଜୀଙ୍କୁ ଗୁଳି କରିଦେଲେ ତଥା ଗଣ୍ଡଗୋଳ-ଦଙ୍ଗାର ରାସ୍ତାରେ କ୍ଷମତା ହାସଲ କରିବାକୁ ଚାହିଥିଲେ। ଆମେ କେବେ ହେଲେ ସେଭଳି ନୁହେଁ।
ମଦନୀ ସାହେବ କେମିତି କହିଲେ ଯେ ଆମକୁ ପାକିସ୍ତାନ ଯିବାର ସୁଯୋଗ ଥିଲା, ମାତ୍ର ଆମେ ଗଲୁ ନାହିଁ ବୋଲି? ଏ କଥା ତ ଅର୍ଦ୍ଧସତ୍ୟ। ତଥାପି ମୁସଲମାନଙ୍କ ତରଫରୁ ଏଭଳି କଥା କୁହାଯାଉଛି। କେବେ କେମିତି ଏଭଳି କଥା କହିବାରେ ବା ଶୁଣିବାରେ କିଛି କ୍ଷତି ନାହିଁ। ମାତ୍ର ଆଜିର ପରିସ୍ଥିତିରେ ଏହି ସତ ବ୍ୟକ୍ତ କରିବା ଦରକାର ଯେ କେବଳ ମୁସଲମାନଙ୍କୁ ପାକିସ୍ତାନ ଚାଲିଯିବାକୁ ସୁଯୋଗ ମିଳିନଥିଲା, ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ବିଦା କରିଦେବା ଲାଗି ମଧ୍ୟ ହିନ୍ଦୁମାନଙ୍କୁ ସୁଯୋଗ ମିଳିଥିଲା।
ମାତ୍ର ହିନ୍ଦୁମାନେ ଜିନ୍ନାଙ୍କ କଥା ନଶୁଣି ଗାନ୍ଧୀଜୀଙ୍କ କଥା ମାନିଥିଲେ, ଯିଏ ନିଜର ଶେଷ ନିଃଶ୍ବାସ ଥିଲା ଯାଏ ପ୍ରତିଟି ଗଳିକନ୍ଦିରେ ଗୋଟିଏ କଥା କହୁଥିଲେ: ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ଆମେ ନୁହେଁ, ଜିନ୍ନା ହିଁ ସ୍ବୀକାର କରିଥିଲେ। ତାଙ୍କୁ ମାନୁଥିବା ଯେ କେହି ବି ଚାହିଲେ ପାକିସ୍ତାନ ଚାଲିଯାଆନ୍ତୁ, ମାତ୍ର ଯିଏ ହିନ୍ଦୁସ୍ଥାନରେ ରହିବାକୁ ପସନ୍ଦ କରିବ, ସେ ସଂପୂର୍ଣ୍ଣ ଅଧିକାର, ସମ୍ମାନ ଓ ବିଶ୍ବସ୍ତତାର ସହ ଭାରତରେ ରହିପାରିବ ଏବଂ ନିଜକୁ ଭାରତୀୟ ବୋଲି କହିବ। ପାଗଳାମିର ସେହି ମୁହୂର୍ତ୍ତରେ ବି ହିନ୍ଦୁମାନଙ୍କର ସଂଖ୍ୟାଗରିଷ୍ଠତା ଗାନ୍ଧୀଜୀଙ୍କ କଥା ଶୁଣିଥିଲା। ମଦନୀ ସାହେବ, ଆପଣ ଓ ଅନ୍ୟ ମୁସଲମାନ ଏଠାରେ ରହିପାରିବେ। ସେଥିପାଇଁ ଯିବାକୁ ଚାହିନଥିବା ମୁସଲମାନମାନେ ଏଇ ଦେଶ ପ୍ରତି ଅନୁଗ୍ରହ କରି ନ ଥିଲେ, ବରଂ ଏହାର ଭଲ-ମନ୍ଦକୁ ନିଜର ଭାଗ୍ୟ ସହ ଯୋଡ଼ିଦେଇଥିଲେ।
କେବଳ ଏତିକି ନୁହେଁ, ଏମିତି ବି ମୁସଲମାନ ଥିଲେ ଯେଉଁମାନେ ପାକିସ୍ତାନ ଯାଇ ସେଠାକାର ବାତାବରଣ ଦେଖି ଓ ଚାଖି ପୁଣି ଭାରତ ଫେରି ଆସିଥିଲେ। ସତେ ଯେପରି ତାହା ଦେଶ ନଥିଲା, ଥିଲା ଅବସର ବିନୋଦନ ପାଇଁ ଏକ ସ୍ଥାନ। ମାତ୍ର ଗାନ୍ଧୀବାଦୀ ହିନ୍ଦୁମାନେ ସେମାନଙ୍କୁ ବି ସ୍ଥାନ ଦେଇଥିଲେ। ତେଣୁ ଚିହ୍ନଟ କରିବାର ଯଦି ଅଛି ହିନ୍ଦୁ-ମୁସଲମାନ ଭିତ୍ତିରେ ନୁହେଁ, ବରଂ ଗାନ୍ଧୀବାଦୀ ଓ ଜିନ୍ନାବାଦୀ ଭିତ୍ତିରେ ବିଭାଜନ କରନ୍ତୁ। ମତେ ମଦନୀ ସାହେବ ପଚାରିଲେ ମୁଁ କହିବି, ‘ସାହେବ, ଏବେ ଏଭଳି ଭାଷା ଓ ଚିନ୍ତାଧାରାକୁ ଆମେ ଇତିହାସରେ କବର ଦେଇଦେଇଛୁ ଏବଂ ହିନ୍ଦୁସ୍ଥାନୀରୁ ଛୋଟ ପରିଚୟ ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ।’
ସେଥିପାଇଁ ମଦନୀ ସାହେବ ଯେତେବେଳେ କହିଲେ ଯେ ‘ଯଦି କାହାକୁ ଆମର ଧର୍ମ, ପୋଷାକପତ୍ର ଓ ସଂସ୍କୃତି ପସନ୍ଦ ଆସୁନି, ସେ ଅନ୍ୟତ୍ର କୁଆଡ଼େ ଚାଲିଯାଉ’, ସେତେବେଳେ ସେ ଜିନ୍ନାବାଦୀଙ୍କ ଜାଲରେ ଛନ୍ଦି ହୋଇଯାଇଥିଲେ। କଥା କଥାରେ ଜିନ୍ନାବାଦୀମାନେ କହୁଛନ୍ତି ପାକିସ୍ତାନ ଚାଲିଯାଅ। ତା’ହେଲେ ଆମେ କ’ଣ ସେମାନଙ୍କ ପରି କଥା କହିବା? ତା’ହେଲେ ତ ଆମେ ଗାନ୍ଧୀଙ୍କୁ ଛାଡ଼ି ଜିନ୍ନାବାଦୀରେ ପରିଣତ ହୋଇଗଲେ ନା! ନା ମଦନୀ ସାହେବ, ଯିଏ ଆମକୁ ପାକିସ୍ତାନ ଯିବାକୁ କହୁଛନ୍ତି, ଆମେ ସେମାନଙ୍କୁ ହିନ୍ଦୁସ୍ଥାନରେ ରହିବାକୁ ଦେଇ କେବଳ ସେମାନଙ୍କର ମନରେ ପରିବର୍ତ୍ତନ ଆଣିବା ଦରକାର। ବିଷ ଚାଲିଗଲେ କୌଣସି ସର୍ପ ବିପଜ୍ଜନକ ହୋଇନଥାଏ। ଜଣେ ଉତ୍ତମ ସାପୁଆ କେଳା ଏହା ହିଁ କରିଥାଏ ନା!
ଯେଉଁମାନେ ଇତିହାସ ଓ ସଂସ୍କୃତିର ବିଷାକ୍ତ ବ୍ୟାଖ୍ୟା କରି ଭାରତୀୟ ସମାଜକୁ ଦୂଷିତ ଓ କଳୁଷିତ କରିବାକୁ ଚାହୁଛନ୍ତି, ଆମେ ସେମାନଙ୍କ ସହ ପାଦେ ପାଦେ ଲଢ଼େଇ କରି ଚାଲିଛୁ। ଶରିଅତ ଚୂଡ଼ାନ୍ତ କଥା ବୋଲି ଆମେ କେମିତି ମାନିପାରିବା? ସେମାନଙ୍କର ‘ସମାନ ନାଗରିକ ସଂହିତା’ ଦାବି ପଛରେ ଏକ ଅଦୃଶ୍ୟ କଥା ଛପିରହିଛି ଯେ ବହୁମତ ଆମର, ତେଣୁ ଆମ ସପକ୍ଷର ଆଇନ ତିଆରି ହେବ। ଆମେ ଶରିଅତକୁ ଅପରିବର୍ତ୍ତନୀୟ ବୋଲି କହିବା ଦ୍ବାରା ସେହି ପକ୍ଷକୁ ମଜଭୁତ କରୁଛେ। ଆମେ ମୁକ୍ତ କଣ୍ଠରେ କହିବା ଦରକାର ଯେ ଆମେ ବି ସମାନ ନାଗରିକ ସଂହିତା ଚାହୁଛୁ, କାରଣ ଏହା ମଧ୍ୟ ଆମ ସମ୍ବିଧାନର ଆତ୍ମା। ମାତ୍ର ଏଠି ସମାନ ନାଗରିକ ସଂହିତା କିଏ କରିବ, କେମିତି କରିବ, ତାହାର ସାମ୍ବିଧାନିକ ବୈଧତା କେମିତି ପ୍ରମାଣିତ ହେବ, ସେସବୁ ପ୍ରଥମେ କେହି ଉପସ୍ଥାପନ କରୁ। ପବନରେ ଖଣ୍ଡା ବୁଲାଇବାର ମାନେ କିଛି ନାହିଁ। ଆମେ ଏହି କଠିନ ସମୟକୁ ଏକାଠି ରହି ହିଁ ଅତିକ୍ରମ କରିପାରିବା।