ମୁଁ ଯେବେ ବାପା ହେବି, ମୋ ସନ୍ତାନକୁ ଦୁନିଆ ସହ ପରିଚିତ କରେଇବି ସିନା, ତାର ପ୍ରକୃତ ପରିଚୟ ଏ ଦୁନିଆ ତାକୁ ଦେବ। ତାର ଆଖି ଖୋଲୁ ବୋଲି ଚେଷ୍ଟା ତ କରିବି, ହେଲେ ତା’ ଆଖିର ସ୍ବପ୍ନକୁ ଅପହରଣ କରି ତହିଁରେ ମୋ ସ୍ବପ୍ନ ଭରିବାକୁ ପ୍ରୟାସ କରିବି ନାହିଁ। ତା ସ୍ବପ୍ନ ସେ ନିଜେ ଦେଖିବ। ଆଖି ଖୋଲିଗଲେ ସେ ତାର ଅସଲ ଧ୍ୟେୟ ବୁଝି ପାରିବ; ତାର ହୃଦ୍ବୋଧ ହେବ ଯେ ଦୁନିଆର ଚଳନ୍ତି ପ୍ରତିଯୋଗିତାରେ ଧାଇଁବାର ଅର୍ଥ ନିଜ ଉଚ୍ଚତାକୁ ଅନ୍ୟମାନଙ୍କ ଉଚ୍ଚତା ଅନୁସାରେ ନିର୍ଦ୍ଧାରଣ କରିବା। ବରଂ ପ୍ରତିଯୋଗିତା ତା ନିଜ ସହିତ ହେଉ, ଯେଉଁଥିରୁ ଅସରନ୍ତି ଆତ୍ମ ବିକାଶର ମାର୍ଗ ଫିଟିବ; ସେ ନିରନ୍ତର ଉଚ୍ଚ ହୋଇ ଚାଲିବ।
ସେ ଶିକ୍ଷିତ ହେବ, କିନ୍ତୁ ତାର ହେବେ ସହସ୍ର ଗୁରୁ। କୀଟ-ପତଙ୍ଗ, ବୃକ୍ଷ-ଲତା, ସ୍ଥାବର-ଜଙ୍ଗମ, ଘଟଣା-ଦୁର୍ଘଟଣା, ସଫଳତା ଓ ବିଫଳତା ସବୁ ହେବେ ତାର ଶିକ୍ଷକ ଏବଂ ସେ ସବୁଠି ଶିକ୍ଷାର ଉତ୍ସ ଦେଖିବ। ସେ ସ୍କୁଲରେ ପାଠ ପଢ଼ିବ, ସ୍କୁଲ ପରୀକ୍ଷାର ଫଳ ତା’ ଲାଗି ଗୁରୁତ୍ବପୂର୍ଣ୍ଣ ହେବ; କିନ୍ତୁ ତାହା ତା’ ଲାଗି ସବୁଠାରୁ ଅଧିକ ମୂଲ୍ୟବାନ ହେବ ନାହିଁ। ସେ ହୃଦୟଙ୍ଗମ କରିବ ଯେ କେବଳ ସ୍କୁଲ ପରୀକ୍ଷା ଫଳ ତାର ଯୋଗ୍ୟତା ନିର୍ଦ୍ଧାରଣ କରେ ନାହିଁ। ସେ ବୁଝି ନେଇଥିବ ଯେ କେଉଁ ଅପରିଚିତ କାଠ କାରିଗରଙ୍କ କର ସ୍ପର୍ଶରେ ଝଟକି ଉଠୁଥିବା ପଲଙ୍କ ପଛରେ ବି ଥାଏ ଏକ ଚମକପ୍ରଦ ଯୋଗ୍ୟତାର ପ୍ରମାଣ। ସୁତରାଂ, ସେ କାହାକୁ ହେୟ ମଣିବ ନାହିଁ। ଗାଁର ଅପାଠୁଆ ପିଲା ଯିଏ କୋଡ଼ିଏ ପ୍ରକାର ମାଛ ଚିହ୍ନି ଦେଇପାରେ, ବାର ପ୍ରକାର ଶାଗର ନାମ କହି ଦେଇପାରେ ଏବଂ ଗ୍ରୀଷ୍ମର ଦ୍ବିପ୍ରହରରେ ପୋଖରୀକୁ ଲଂଫ ମାରି ପାଣି ତଳେ ନିଃଶ୍ବାସ ବନ୍ଦ କରି କେଇ ମିନିଟ୍ ରହି ଯାଇପାରେ; ସିଏ ବି କମ୍ ଯୋଗ୍ୟ ନୁହେଁ। ଏହା ବୋଧହୁଏ ତାକୁ ନିଜକୁ ପରଖିବାରେ ସାହାଯ୍ୟ କରିବ ଏବଂ ତାର ସାମର୍ଥ୍ୟ ବିଷୟରେ ତାକୁ ସଚେତନ କରି ଚାଲିଥିବ।
ସେ କିଭଳି ସନ୍ତାନଟିଏ ହେବ? ସେ କ’ଣ ପିତାର ଆଶା, ଆବଶ୍ୟକତା ଓ ସ୍ବପ୍ନ ପୂରଣ କରିବାକୁ ଦାୟବଦ୍ଧ ହେବ? ନା ତା’ ନିଜ ଜୀବନ ସେ ନିଜ ପଦ୍ଧତିରେ ଗଢ଼ିବ? ଯଦି ତାକୁ ନିରଙ୍କୁଶ ସ୍ବାଧୀନତା ଦିଆଯାଏ, ତେବେ ସେ କ’ଣ ଅବାଟରେ ଚାଲିଯିବ? ନିଜ ଜୀବନକୁ ଗଢ଼ିବା ବଦଳରେ କ’ଣ ଧ୍ବଂସ କରିଦେବ? ତେଣୁ କ’ଣ କରାଯିବ? କ’ଣ କରାଗଲେ ତା’ ଚେତନାରେ ଜୀବନ ବୃକ୍ଷର ଫୁଲ ଫୁଟିବ ଓ ସୌରଭ ମହକିବ। କାରଣ ଥରେ ସେଭଳି ହେଲେ ସେ କେଉଁଟା ବାଟ ଓ କେଉଁଟା ଅବାଟ ତାହା ନିଜେ ଠଉରାଇ ନେବ। ତେବେ, ତାକୁ ସେଭଳି ଚେତନାଟିଏର ଅଧିକାରୀ କରାଇବା ହେବ ମୋ ଲାଗି ଏକ ପରମ ପରୀକ୍ଷା। କାରଣ, ସେଇ ବାଟେ ତାକୁ ଗଢ଼ିବା ଠାରୁ ଅଧିକ ପ୍ରୟୋଜନ ହେବ ମୋତେ ମୋ ନିଜକୁ ଗଢ଼ିବା। କାରଣ କେବଳ ପିତା ତାର ସନ୍ତାନକୁ ଗଢ଼ି ନ ଥାଏ, ସେହି ପ୍ରକ୍ରିୟାରେ ନିଜେ ମଧ୍ୟ ଗଢ଼ି ହୋଇଥାଏ। ତେଣୁ ତ ସେହି ଅସମାହିତ ପ୍ରଶ୍ନ- ପିତା ସନ୍ତାନର ଜନ୍ମଦାତା ନା ସନ୍ତାନ ପିତାର?
ମୁଁ ଯେବେ ବାପା ହେବି, ହୁଏତ ମୁଁ ମୋ ବାପାଙ୍କୁ ଅଧିକ ଭଲ ଭାବେ ବୁଝିପାରିବି। ଯେମିତି ବୁଝି ପାରିଥିଲେ ବିମ୍ବିସାରଙ୍କୁ ତାଙ୍କ ପୁତ୍ର ଅଜାତଶତ୍ରୁ। ବରେଣ୍ୟ କଥାକାର ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ‘ପିତା ପୁତ୍ର’ ଗଳ୍ପଟିର ସେହି ଅନ୍ତିମ ଧାଡ଼ି କେଇଟି କ’ଣ କେବେ ଭୁଲି ହୁଏ, ଯହିଁରେ ନିଜ ପିତା ବିମ୍ବିସାରଙ୍କୁ ବନ୍ଦୀ କରି ଅନାହାରରେ ରଖିଥିବା ରାଜା ଅଜାତଶତ୍ରୁ ସ୍ବୟଂ ପିତା ହେବା କ୍ଷଣି କହି ଉଠିଛନ୍ତି ‘ପିତା, ଆଜି ମୁଁ ପାଇଛି ପିତୃତ୍ବର ସନ୍ଧାନ’ ଏବଂ ତା’ ପରେ ଧାଇଁ ଯାଇଛନ୍ତି ପିତାଙ୍କୁ ମୁକ୍ତ କରିବା ଲାଗି? ଅବଶ୍ୟ ସେତେବେଳକୁ ଅନାହାରକ୍ଳିଷ୍ଟ ବିମ୍ବିସାରଙ୍କ ମୃତ୍ୟୁ ଘଟି ସାରିଥାଏ। ସାଧାରଣ ଭାଷାରେ ବାପାଙ୍କୁ ସମାଲୋଚନା କରୁଥିବା ପୁଅଙ୍କୁ କୁହାଯାଇଥାଏ- ବାପା ହେଲେ ବୁଝିବୁ! ସମ୍ଭବତଃ ସେ ଜ୍ଞାନ ମୋର ହେବ ସନ୍ତାନ ଜନ୍ମ ହୋଇ ବଢୁଥିବା ବେଳେ। ହୁଏ’ତ େସତେବେଳେ ମୁଁ ବୁଝି ପାରିବି ଯେ ପୁତ୍ର ହିସାବରେ ମୁଁ ଚାହୁ ନ ଥିଲେ ବି ମୋ ପିତା ଏଭଳି କିଛି ନିଷ୍ପତ୍ତି ନେଲେ କାହିଁକି? କାରଣ ମୁଁ ସେତେବେଳକୁ ସମ୍ଭବତଃ ବୁଝି ସାରିଥିବି ଯେ ଯେତେବେଳେ ଯେଉଁ ନିଷ୍ପତ୍ତି ସେ ନେଇଛନ୍ତି, ତାହା ବୋଧହୁଏ ସେହି ସମୟରେ ସେହିଭଳି ହେବା ଅନିବାର୍ଯ୍ୟ ଥିଲା! ତେଣୁ ଯଦି କେବେ ଚିନ୍ତା କରିଥାଏ ଯେ ମୁଁ ବାପା ହେଲେ ମୋ ବାପାଙ୍କ ଠାରୁ ଅଧିକ ଭଲ ହେବି, ତାହା ବୃଥା ଆସ୍ଫାଳନ ହେବ! ସୁତରାଂ, ପିତା ହେବା ପରେ ମୋର ଚକ୍ଷୁ ମଧ୍ୟ ଖୋଲିଯିବ!
ମୁଁ ମୂଳରୁ ମୋ ଭବିଷ୍ୟତର ସନ୍ତାନ ସମ୍ବନ୍ଧରେ କହି ଚାଲିଛି। ଯଦି ପାଠକେ ସନ୍ତାନର ଅର୍ଥ ପୁତ୍ର ବୋଲି ଧରି ନିଅନ୍ତି, ତେବେ ତାହା ପ୍ରମାଦ ହେବ। କାରଣ ମୁଁ ସନ୍ତାନ ଭାବେ କନ୍ୟାଟିଏ ଚାହିବି। ତେଣିକି ଈଶ୍ବରଙ୍କ ଇଚ୍ଛା।
ମୋ: ୮୬୫୮୪୧୨୭୮୩