ଯେତେବେଳେ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେଲା, ଅନେକ ବନ୍ଧୁ ମୋତେ ଫୋନ୍‌ କରି ‘ରାହୁଳ ଗାନ୍ଧୀଙ୍କ ଯାତ୍ରାରେ କାହିଁକି ସାମିଲ ହୋଇଛ’ ବୋଲି ପ୍ରଶ୍ନ କରିଥିଲେ। ଏବେ ଯାତ୍ରାରମ୍ଭର ଦୁଇ ମାସ ପରେ ସେମାନେ ଫୋନ୍‌ କରି ‘ଭାରତ ଯୋଡ଼ୋ ଯାତ୍ରାରେ କେବେ ଓ କେଉଁଠି ସାମିଲ ହେବାକୁ ପଡ଼ିବ’ ବୋଲି ଖବର ନେଉଛନ୍ତି। ଏ ପ୍ରକାର ପରିବର୍ତ୍ତନ ଭାରତ ଯୋଡ଼ୋ ଯାତ୍ରାର ଦୁଇ ମାସର ପ୍ରଭାବରୁ ବାରି ହୋଇପଡୁଛି। ପ୍ରାୟ ସତୁରି ଦିନରେ ପାଖାପାଖି ୧୮୦୦ କି.ମି. ଅତିକ୍ରମ କରି ଏହି ଯାତ୍ରାର ଅଧାଅଧି ଦୂରତା ଶେଷ ହୋଇଛି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ହୋଇ ଏବେ ମହାରାଷ୍ଟ୍ର ସାରି ମଧ୍ୟପ୍ରଦେଶରେ ପହଞ୍ଚିଛି।

Advertisment

କଂଗ୍ରେସ ଦଳ ଦ୍ବାରା ଆୟୋଜିତ ଏହି ଯାତ୍ରାରେ ସ୍ବାଭାବିକ ଭାବରେ କଂଗ୍ରେସର ନେତା ଓ କର୍ମୀମାନେ ଉତ୍ସାହର ସହ ଭାଗ ନେଉଛନ୍ତି। ରାହୁଳ ଗାନ୍ଧୀଙ୍କ ସହ ଶହେରୁ ଅଧିକ ‘ଭାରତ ଯାତ୍ରୀ’ କନ୍ୟାକୁମାରୀରୁ କାଶ୍ମୀର ଯାଏ ପଦଯାତ୍ରା କରୁଛନ୍ତି। ଶହ ଶହ ‘ପ୍ରଦେଶ ଯାତ୍ରୀ’ ମଧ୍ୟ ସେମାନଙ୍କ ରାଜ୍ୟର ସୀମା ଆରମ୍ଭ ହେଲା ଠାରୁ ସୀମା ସରିଲା ଯାଏ ଯୋଗ ଦେଉଛନ୍ତି। ଏଥି ସହିତ ହଜାର ହଜାର ସ୍ଥାନୀୟ କର୍ମୀ ମଧ୍ୟ ଏଥିରେ ସାମିଲ ହେଉଛନ୍ତି। ପ୍ରତି ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ବିଶାଳ ଜନସଭାର ମଧ୍ୟ ଆୟୋଜନ କରାଯାଉଛି। ଦୀର୍ଘ ଦିନ ପରେ କଂଗ୍ରେସକୁ ନିର୍ବାଚନ ଲଢ଼ିବା ବ୍ୟତୀତ ଭିନ୍ନ କିଛି ସକାରାତ୍ମକ କାମ ମିଳିଛି। ବହୁତ ସମୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କୁ ରାସ୍ତାକୁ ଆସିବାକୁ ପଡ଼ିଛି। ଏହି ନୂଆ କାର୍ଯ୍ୟକ୍ରମରେ ଏକ ନୂତନ ଆତ୍ମବିଶ୍ବାସ ସୃଷ୍ଟି ହୋଇଛି, ନିଜ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରାଯାଇଛି। ଏଥିରୁ କଂଗ୍ରେସର ପୁନର୍ଜନ୍ମ ଘଟିଛି ବୋଲି କହିବା ଠିକ୍‌ ହେବନାହିଁ, ମାତ୍ର କିଛି ମୌଳିକ ପରିବର୍ତ୍ତନର ଭ୍ରୂଣ ସଂଚାର ହୋଇଥିବାର ଝଲକ ଦେଖିବାକୁ ମିଳିଛି।

ଏଇ ଦୁଇ ମାସରେ ଯଦି ସବୁଠୁ ବଡ଼ କିଛି ପରିବର୍ତ୍ତନ ଘଟିଛି, ତାହା ହେଉଛି ରାହୁଳ ଗାନ୍ଧୀଙ୍କ ଭାବମୂର୍ତ୍ତି। ଯାତ୍ରାର ଆରମ୍ଭ ବେଳେ କିଛି ଶୁଭାକାଂକ୍ଷୀ ମୋତେ ଚେତାଇଥିଲେ କି ‘ତୁମେ ତ ରାସ୍ତାରେ ଚାଲିବା ଜାରି ରଖିବ, ହେଲେ କିଛି ଦିନ ପରେ ରାହୁଳ ଗାନ୍ଧୀ ଗାଡ଼ିରେ ବସିଯିବେନି ତ, ବିଦେଶକୁ ଉଡ଼ିଯିବେନି ତ?’ ରାହୁଳ ଗାନ୍ଧୀଙ୍କ ବ୍ୟକ୍ତିତ୍ବକୁ ‘ପପ୍ପୁ’ର ଛବି ଢାଙ୍କି କରି ରଖିଥିଲା। ଯେଉଁ ରାହୁଳ ଗାନ୍ଧୀଙ୍କୁ ମୁଁ ବିଗତ ୧୫ ବର୍ଷ ହେଲା ଜାଣିଥିଲି, ସେ ଜଣେ ଶାଳୀନ, ଗମ୍ଭୀର, ସ୍ପଷ୍ଟବାଦୀ ଓ ଜିଜ୍ଞାସୁ ବ୍ୟକ୍ତି ଥିଲେ। ତାଙ୍କର ନା କୌଣସି ଛଳକପଟ ନା କିଛି ଛଦ୍ମାବରଣ ଥିଲା। ସେ ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ପ୍ରତିବଦ୍ଧ ଓ ଅନ୍ତିମ ବ୍ୟକ୍ତି ପାଇଁ ଚିନ୍ତାଶୀଳ ରହିବା ସହ ସୁବିଧାବାଦୀ ରାଜନୀତି ପ୍ରତି ବୀତସ୍ପୃହ ଥିଲେ। ଏପରିକି ଯେତେବେଳେ ମୁଁ କଂଗ୍ରେସର କଟୁ ସମାଲୋଚନା କରୁଥିଲି ଏବଂ ରାସ୍ତାରେ ଆସି କଂଗ୍ରେସ ସରକାରର ବିରୋଧ କରୁଥିଲି, ସେତେବେଳେ ମଧ୍ୟ ରାହୁଳଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ମୋ ଧାରଣା ଅପରିବର୍ତ୍ତନୀୟ ଥିଲା।

ମାତ୍ର ରାହୁଳଙ୍କୁ ‘ପପ୍ପୁ’ ବିବେଚନା କରିବାର ଗଣମାଧ୍ୟମ ଓ ରାଜନୈତିକ ଅଭିଯାନ ସାଧାରଣ ଜନତାଙ୍କ ପାଖରେ ତାଙ୍କର ଏକ ଭିନ୍ନ ଛବି ପେସ କଲା। ତାଙ୍କୁ ଜାଣିନଥିବା ଲୋକଙ୍କର ଏକ ଧାରଣା ହେଲା କି ସେ ଅନ୍ୟ ଯେ କୌଣସି ତୃତୀୟ ପିଢ଼ିର ବଂଶବାଦୀ ନେତାଙ୍କ ପରି ଅଗମ୍ଭୀର, ଦେଶଠାରୁ ଅଲଗା, ଅବୁଝା ଏବଂ ଅହଂକାରୀ ମଧ୍ୟ। ଏ ଦେଶର ଧୂଳିମାଟିକୁ ଦୁଇ ଦିନ ପାଇଁ ବି ସେ ସହି ପାରିବେନି। ମାତ୍ର ଏଇ ଦୁଇ ମାସ ହେଲା ଦେଶର ଜନତା ସେହି ରାହୁଳ ଗାନ୍ଧୀଙ୍କୁ ଦେଶର ଖାଲଖମାପୂର୍ଣ୍ଣ ସଡ଼କରେ ଚାଲୁଥିବାର ଦେଖୁଛନ୍ତି, ଏକ ‘ରାଜନୈତିକ ତପସ୍ୟା’ର ନିଜ ସଂକଳ୍ପ ପୂରା କରୁଥିବାର ଦେଖୁଛନ୍ତି। ରାହୁଲ ଗାନ୍ଧୀ ଶିଶୁ-ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କୁ ଆଲିଙ୍ଗନ କରୁଛନ୍ତି, ଜଣାଅଜଣା ସମସ୍ତଙ୍କ ହାତ ଧରି ଚାଲୁଛନ୍ତି, ଦୌଡୁଛନ୍ତି, ଖେଳୁଛନ୍ତି। ସେହି ରାହୁଳ ଗାନ୍ଧୀ ପ୍ରତିଦିନ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରୁଛନ୍ତି। ଦରଦାମ ବୃଦ୍ଧି, ବେକାରି ଏବଂ ଗରିବ-ଧନୀ ବ୍ୟବଧାନ ସମ୍ପର୍କରେ ସଚେତନ କରୁଛନ୍ତି। ମର୍ଯ୍ୟାଦା ଓ ସନ୍ତୁଳନ ନ ହରାଇ ଘୃଣାର ରାଜନୀତି ଉପରେ ପ୍ରହାର କରୁଛନ୍ତି। ଦେଶ ଏକ ନୂତନ ରାହୁଳ ଗାନ୍ଧୀଙ୍କୁ ଦର୍ଶନ କରୁଛି।

ରାହୁଳ ଗାନ୍ଧୀ ଓ କଂଗ୍ରେସ ଛଡ଼ା ଏହି ଯାତ୍ରା ଦେଶରେ ଜନ ଆନ୍ଦୋଳନ ଓ ଜନ ସଂଗଠନ ମଧ୍ୟରେ ଏକ ନୂତନ ଶକ୍ତି ସଂଚାର ତଥା ସମନ୍ବୟ ସୃଷ୍ଟି କରୁଛି। ଏହି ଯାତ୍ରା ପାଇଁ ଆହ୍ବାନ ଦେଲା ବେଳେ କଂଗ୍ରେସ ଦେଶର ସମସ୍ତ ରାଜନୈତିକ ଦଳ, ଜନ ଆନ୍ଦୋଳନ ଓ ଜନ ସଂଗଠନଗୁଡ଼ିକୁ ଏଥିରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲା। ଏହି ନିମନ୍ତ୍ରଣକୁ ସ୍ବୀକାର କରି ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସଂଗଠନ ପ୍ରଥମରୁ ହିଁ ଏହି ଯାତ୍ରା ସହିତ ଯୋଡ଼ି ହୋଇଥିଲେ। କିନ୍ତୁ, କିଛି ଲୋକଙ୍କ ମନରେ ସନ୍ଦେହ ଥିଲା, ପୁରୁଣା ଅଭିଯୋଗମାନ ବି ଥିଲା। ଗତ ଦୁଇ ମାସ ଭିତରେ ସେ ପ୍ରକାର ଧାରଣା ଧୀରେ ଧୀରେ ହଟିଯିବାକୁ ଲାଗିଛି। ଯାତ୍ରାରେ କଂଗ୍ରେସ କର୍ମୀଙ୍କ ସହିତ ଏକ ଚଳନ୍ତି ଆନ୍ଦୋଳନର ଅଂଶ ମଧ୍ୟ ପାଦ ମିଳାଇ ଚାଲିଛି। ପ୍ରତ୍ୟହ ସ୍ଥାନୀୟ ଜନ ସଂଗଠନଗୁଡ଼ିକ ଜମି ପ୍ରସଙ୍ଗରେ ରାହୁଳ ଗାନ୍ଧୀଙ୍କୁ ଭେଟୁଛନ୍ତି।

କୋଉ ଦିନ ଆତ୍ମହତ୍ୟା କରିଥିବା ଚାଷୀ ପରିବାର ତ କୋଉ ଦିନ ବିଡ଼ି ଶ୍ରମିକମାନେ। କୋଉ ଦିନ ଦେବଦାସୀ ପ୍ରଥାର ଶିକାର ହୋଇଥିବା ମହିଳାମାନେ ତ କୋଉ ଦିନ ବିକାଶଧାରାରୁ ସୀମାନ୍ତରିତ ହୋଇ ରହିଥିବା ଆଦିବାସୀ ସମୂହ ଓ ଯାଯାବର ସମାଜ। କୋଉଦିନ ମଦମୁକ୍ତି ଆନ୍ଦୋଳନର ପ୍ରତିନିଧି ତ କେବେ ବିକଳ୍ପ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷିର ପ୍ରୟୋଗ ଚାହୁଁଥିବା ସଂଗଠନ। ଏହି ଯାତ୍ରା ସ୍ବପ୍ନକୁ ଯୋଡ଼ି ଚାଲିଛି, ଦରଦ ସହ ଦରଦର ସମ୍ପର୍କ ଯୋଡୁଛି। ଗତ କିଛି ଦିନ ହେଲା ଏହି ନଦୀରେ ତମାମ ଝରଣା ଆସି ମିଶିଛନ୍ତି, ଛୋଟ ଛୋଟ ଯାତ୍ରା ବି ଯୋଡ଼ି ହୋଇଛି, ନାମୀଦାମୀ ନାଗରିକ ବି ସାମିଲ ହେଉଛନ୍ତି। ଏକଦା ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ମାଧ୍ୟମରେ କଂଗ୍ରେସକୁ ବିରୋଧ କରୁଥିବା ପ୍ରଶାନ୍ତ ଭୂଷଣ ଓ ପ୍ରାକ୍ତନ ନୌସେନା ମୁଖ୍ୟ ଆଡମିରାଲ ରାମଦାସ ମଧ୍ୟ ରାହୁଳ ଗାନ୍ଧୀଙ୍କ ସହ ଯାତ୍ରା କରୁଛନ୍ତି ତ ଫିଲ୍ମ ଦୁନିଆର ପୂଜା ଭଟ୍ଟ ଓ ସୁଶାନ୍ତ ସିଂହଙ୍କ ପରି କଳାକାର ପଦଯାତ୍ରା କରିଛନ୍ତି। କଂଗ୍ରେସ ଶାସନର ଜରୁରୀକାଳୀନ ପରିସ୍ଥିତି ବେଳେ ୧୯ ମାସ ବନ୍ଦୀ ଜୀବନ କାଟିଥିବା ବରେଣ୍ୟ ସେନାନୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ତ କୌଣସି ଦଳ ବା ସଂଗଠନ ସହ ସମ୍ପର୍କ ନଥିବା ଯୁବକ ଓ ଯୁବତୀ ମଧ୍ୟ ପଦଯାତ୍ରା ଚାଲୁ ରଖିଛନ୍ତି। ଧୀରେ ଧୀରେ ଏହି କ୍ଷୀଣ ଧାର ଏକ ନଦୀରେ ପରିଣତ ହେବାରେ ଲାଗିଛି।

ତା’ହେଲେ କ’ଣ ଦେଶର ମନୋଭାବ ବଦଳିଯାଇଛି? ଘୃଣାର ରାଜନୀତି ତେବେ କ’ଣ ପରିସମାପ୍ତି ଦେଖିବ? ଏବେ ଏହାର ପ୍ରଭାବ କ’ଣ ଗୁଜରାଟ ଓ ହିମାଚଳ ନିର୍ବାଚନ ଉପରେ ପ୍ରତିଫଳିତ ହେବ? ଏଭଳି ସ୍ଥିତିରେ କୌଣସି ଦୂରଗାମୀ ବା ତତ୍କାଳ ଆକାଂକ୍ଷା ପୋଷଣ କରିବା ଠିକ୍‌ ହେବନାହିଁ। ଏବେ ତ କେବଳ ଏତିକି କହିହେବ କି ଦେଶରେ ଯେଉଁ ଅନ୍ଧକାରର କଳା ବାଦଲ ତଥା ନିରାଶା ଓ ଅବସାଦର ପରିବେଶ ଥିଲା, ଯେଉଁ ବିକଳ୍ପହୀନତାର ଦୃଶ୍ୟ ଥିଲା ଏବଂ ଯେଉଁ ନିରବତା, ଏକାକୀତ୍ବ ଓ ଭୟର ପ୍ରାଚୀର ଥିଲା, ଏବେ ସେଥିରେ ଏକ ଫାଟ ଦେଖାଦେଇଛି। ଅନ୍ଧକାର ଭିତରେ ପ୍ରକାଶର ଏକ କିରଣ ଦେଖିବାକୁ ମିଳିଛି। ଭୋପାଳରେ ଆୟୋଜିତ ଏହି ଯାତ୍ରାର ଏକ ସମାବେଶରେ ବାମପନ୍ଥୀ ଚିନ୍ତାନାୟକ ତଥା କାର୍ଯ୍ୟକର୍ତ୍ତା ବାଦଲ ସରୋଜ କହିଥିଲେ, ‘ଆମ କାଳଖଣ୍ଡରେ ଭାରତ ଯୋଡ଼ୋ ଯାତ୍ରା ଏକ ମହତ୍ତ୍ବପୂର୍ଣ୍ଣ ଘଟଣା’।
ଏ ଯାତ୍ରାରୁ ମୁଁ କ’ଣ ହାସଲ କରିପାରିଛି ବୋଲି ମତେ ଯଦି କିଏ ପଚାରୁଛି ତେବେ ମୁଁ ରଘୁବୀର ସହାୟଙ୍କ ପ୍ରସିଦ୍ଧ କବିତା ‘ଆତ୍ମହତ୍ୟା କେ ବିରୁଦ୍ଧ’ର ଏହି ଉଦ୍ଧୃତାଂଶ ଶୁଣାଇ ଦେଉଛି: ‘କୁଛ ହୋଗା କୁଛ ହୋଗା ଅଗର ମେଁ ବୋଲୁଁଗା/ନ ଟୁଟେ ନ ଟୁଟେ ତିଲିସ୍ମ ସତ୍ତା କା/ମେରେ ଅନ୍ଦର ଏକ କାୟର ଟୁଟେଗା’ (‘ ମୁଁ କହିଲେ କିଛି ତ ହେବ/କ୍ଷମତାର ଇନ୍ଦ୍ରଜାଲ ନ ଭାଙ୍ଗିଲେ ନ ଭାଙ୍ଗୁ/ମୋ ଭିତରେ ଏକ ଭୀରୁ ଭାଙ୍ଗିବ’)।