ଗଲା ରବିବାର ଠାରୁ ଆରମ୍ଭ ହୋଇ ଯାଇଥିବା ପୃଥିବୀର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଟୁର୍ନାମେଣ୍ଟ ‘ଫିଫା-୨୦୨୨’ ସମ୍ମୁଖୀନ ହେଉଥିବା ବିବାଦ ସ୍ବାଭାବିକ ଭାବେ ଏହାର ଆୟୋଜକ ରାଷ୍ଟ୍ର କାତାର ଏବ˚ ‘ଫିଫା’ ସକାଶେ ରୁଚିକର ହେଉ ନ ଥିବ; ଯଦିଓ ତାହା ପ୍ରତ୍ୟାଶିତ ଥିଲା। ଏହି ବିବାଦର କାରଣ ହେଉଛି ମାନବ ଅଧିକାର ସୁରକ୍ଷା ଦିଗରେ କାତାର ଶାସନକର୍ତ୍ତାଙ୍କ ସନ୍ଦିଗ୍‌ଧ ଆଭିମୁଖ୍ୟକୁ କେନ୍ଦ୍ର କରି ପାଶ୍ଚାତ୍ୟ ଗଣମାଧୢମଗୁଡ଼ିକରେ ଅନେକ ଦିନ ହେଲାଣି ସୃଷ୍ଟି ହୋଇ ଚାଲିଥିବା ଉଚ୍ଚାଟ ଯାହା ଏହି କ୍ରୀଡ଼ା ସ୍ପର୍ଦ୍ଧାକୁ ବର୍ଜନ କରିବା ଦିଗରେ ଏକ ପ୍ରଚାର ତନ୍ତ୍ରର ରୂପ ନେଇଥିଲା। ତେବେ, ‘ଫିଫା’ର କଠୋର ଆଭିମୁଖ୍ୟ କାରଣରୁ କାର୍ଯ୍ୟାନୁଷ୍ଠାନ ଭୟରେ ଫୁଟ୍‌ବଲ୍‌ ଖେଳାଳି ଦେଶଗୁଡ଼ିକ ଏହି ଟୁର୍ନାମେଣ୍ଟରେ ଅ˚ଶ ଗ୍ରହଣ କରିଛନ୍ତି ସତ, କିନ୍ତୁ ପ୍ରତିବାଦ ସ୍ବରୂପ କେତେକ ୟୁରୋପୀୟ ରାଷ୍ଟ୍ରର ଖେଳାଳି ସେମାନଙ୍କ ବାହୁରେ ସମାଲୋଚନାର ଆଭାସ ଦେଉଥିବା ମଧୁର ‘ସ୍ଲୋଗାନ୍‌’ଧାରୀ ପଟିମାନ ପରିଧାନ କରୁଥିବା ପରିଦୃଷ୍ଟ ହେଉଛି। ତେବେ, ଏ ପରିପ୍ରେକ୍ଷୀରେ ଏଭଳି ମତଟିଏ ମଧୢ ପ୍ରକାଶ ପାଇଲାଣି ଯେ ଏମିତି ଆରୋପଗୁଡ଼ିକ ପଛରେ ସତ୍ୟତା ନିହିତ ଥିବା ସତ୍ତ୍ବେ ତହିଁରେ ପାଶ୍ଚାତ୍ୟ ଗଣମାଧୢମଗୁଡ଼ିକର ଆଭିମୁଖ୍ୟଗତ କପଟାଚାର ମଧ୍ୟ ସ୍ପଷ୍ଟ। ଏହାର କାରଣ ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ଭଳି ମନେ ହୋଇଥାଏ।

Advertisment

କହିବା ଅନାବଶ୍ୟକ ଯେ ପେଟ୍ରୋଲିଅମ-ବିତ୍ତରେ ଉଛୁଳୁ ଥିବା ରାଷ୍ଟ୍ର କାତାର ଏହି ଟୁର୍ନାମେଣ୍ଟର ଆୟୋଜନକୁ ସ୍ମରଣଯୋଗ୍ୟ ଭାବେ ଭବ୍ୟ କରିବାକୁ ଉଦ୍‌ଗ୍ରୀବ, ଯେଉଁଥି ଲାଗି ଷ୍ଟାଡିଅମ୍‌ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ସକାଶେ ବିଦେଶାଗତ ପ୍ରବାସୀ ଶ୍ରମିକମାନେ ନିୟୋଜିତ ହୋଇଥିଲେ। ଏଠାରେ ପ୍ରକାଶ ଥାଉ କି କାତାର ହେଉ ଅଥବା ଅନ୍ୟାନ୍ୟ ବିତ୍ତଶାଳୀ ମଧୢ-ପ୍ରାଚ୍ୟ ରାଷ୍ଟ୍ର; ସର୍ବତ୍ର ଭିତ୍ତିଭୂମି ତଥା ସୁରମ୍ୟ ଓ ଅତିକାୟ ନିର୍ମାଣଗୁଡ଼ିକ ପଛରେ ଏହି ପ୍ରବାସୀ ଶ୍ରମିକମାନଙ୍କ ସ୍ବେଦ ବିନ୍ଦୁର ଭୂମିକା ସର୍ବାଧିକ। ଏକ ଉଦାହରଣରୁ ଏହା ସ୍ପଷ୍ଟ ହେବ ଯେ କାତାରର ନାଗରିକଙ୍କ ସ˚ଖ୍ୟା ମାତ୍ର ପ୍ରାୟ ୪ ଲକ୍ଷ, ଯାହା ହେଉଛି ସେହି ରାଷ୍ଟ୍ରରେ ବାସ କରୁଥିବା ସମୁଦାୟ ଜନ ସ˚ଖ୍ୟାର ମାତ୍ର ୧୧ ପ୍ରତିଶତ। ସୁତରା˚, ସେଠାରେ ଅବସ୍ଥାନ କରୁଥିବା ପ୍ରାୟ ୩୦ ଲକ୍ଷ ଲୋକ ଜୀବିକା ଓ ଅର୍ଥାର୍ଜନ ଉଦ୍ଦେଶ୍ୟରେ ବିଦେଶରୁ ସେଠାକୁ ଯାଇଛନ୍ତି, ଯାହାର ଏକ ପ୍ରମୁଖ ଅ˚ଶ ଭାରତ, ପାକିସ୍ତାନ, ବା˚ଲାଦେଶ ଓ ଶ୍ରୀଲଙ୍କାର। ଯଦିଓ ଏହା ସତ ଯେ ଏହି ଶ୍ରମିକମାନେ ନିଜ ନିଜ ଦେଶ ତୁଳନାରେ ସେଠାରେ ଅଧିକ ଅର୍ଥ ଉପାର୍ଜନ କରିଥାନ୍ତି; ସେମାନେ ସେଠାରେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ରହିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଓ ଶୋଷଣର ଶିକାର ହୁଅନ୍ତି ଏବ˚ କାତାର ଭଳି ଗୋଟିଏ ଏକଛତ୍ରବାଦୀ ରାଷ୍ଟ୍ରରେ ପ୍ରତିବାଦର ଗୁ˚ଜରଣ ମଧୢ ସୃଷ୍ଟି ହେବାର ସମ୍ଭାବନା ନ ଥାଏ।

ସୁତରା˚, ବିଶ୍ବକପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆୟୋଜନ ସକାଶେ ପ୍ରବାସୀ ଶ୍ରମିକମାନଙ୍କ ବିବେକହୀନ ବ୍ୟବହାର ଆଡ଼କୁ ଦୃଷ୍ଟି ଆକର୍ଷଣ କରି ନୈତିକତା କାରଣରୁ ଟୁର୍ନାମେଣ୍ଟକୁ ବର୍ଜନ କରାଯିବା ଉଚିତ ବୋଲି ପାଶ୍ଚାତ୍ୟ ଗଣମାଧୢମଗୁଡ଼ିକ ଉଚ୍ଚାଟ ସୃଷ୍ଟି କରି ଆସିଛନ୍ତି। ଏଠାରେ ପ୍ରକାଶ ଥାଉ କି ବି.ବି.ସି. ଦ୍ବାରା ଏହି ବିଶ୍ବକପ୍‌ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସମାରୋହର ସିଧା ପ୍ରସାରଣ କାଳରେ ଅନେକ ବାର ପ୍ରସାରଣକୁ ବନ୍ଦ ରଖି କାତାରର ପ୍ରବାସୀ ଶ୍ରମିକଙ୍କ ଶୋଷଣ ସମ୍ବନ୍ଧୀୟ କ୍ଷୁଦ୍ର ଡକ୍ୟୁ-ସିନେମାମାନ ପ୍ରଦର୍ଶନ କରାଯିବାରେ ଲାଗିଥିଲା। ଏଭଳି ଆଭିମୁଖ୍ୟ ଯଥାର୍ଥ ଭଳି ଅପାତତଃ ପ୍ରତୀତ ହେଉଥିଲେ ମଧୢ ପ୍ରଶ୍ନ ଉଠିଥାଏ ଯେ ଏହି ପ୍ରସଙ୍ଗରେ ହଠାତ୍‌ ମୁଖର ହୋଇ ଉଠିଥିବା ପାଶ୍ଚାତ୍ୟ ଗଣମାଧୢମଗୁଡ଼ିକ ଏହା ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ସମ୍ବନ୍ଧରେ କାହିଁକି ବିଶେଷ ତତ୍ପର ନ ଥିଲେ?

ସେହିଭଳି ଆଉ ଏକ ପ୍ରଶ୍ନ ହେଲା ଉଚ୍ଚ ନୈତିକ ମୂଲ୍ୟବୋଧ ଦୃଷ୍ଟିରୁ ‘ଫିଫା’ ବିଶ୍ବକପ୍‌କୁ ବର୍ଜନ କରିବାକୁ ଆହ୍ବାନ ଦେଉଥିବା ବି.ବି.ସି. କାହିଁକି ଗଲା ସେପ୍ଟେମ୍ବର ମାସରେ ଇ˚ଲାଣ୍ତ କ୍ରିକେଟ୍‌ ଦଳର ପାକିସ୍ତାନ ଗସ୍ତକୁ ସମାଲୋଚନା କରି ନ ଥିଲା; ଯେତେବେଳେ କି ପାକିସ୍ତାନର ସ˚ଖ୍ୟାଲଘୁ ବର୍ଗ ଏବ˚ ମହିଳାମାନେ ନିର୍ଯାତନା, ଅନ୍ୟାୟ ଓ ବୈଷମ୍ୟ ଦ୍ବାରା ପୀଡ଼ିତ ଏବ˚ ବେଲୁଚିସ୍ତାନରେ ମାନବ ଅଧିକାରର ହନନ ନିରଙ୍କୁଶ ଭାବେ ଚାଲିଛି? ଏହା ମଧୢ କ’ଣ ସତ ନୁହେଁ ଯେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପ୍ରେକ୍ଷାପଟରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ରୁଷିଆ ଉପରେ ଜାରି କରାଯାଇଥିବା ଆର୍ଥିକ ଓ ବାଣିଜ୍ୟିକ ବାସନ୍ଦ ସତ୍ତ୍ବେ ରୁଷିଆ ଠାରୁ ଶସ୍ତାରେ ତୈଳ କ୍ରୟ କରୁଥିବା ଭାରତ ବାରମ୍ବାର ବି.ବି.ସି. ଓ ଅନ୍ୟ ପାଶ୍ଚାତ୍ୟ ଗଣମାଧୢମଗୁଡ଼ିକ ଦ୍ବାରା ସମାଲୋଚନାର ଶିକାର ହେଉଥିବା ବେଳେ କେବଳ ଗଲା ସେପ୍‌ଟେମ୍ବର ମାସରେ ରୁଷିଆ ଠାରୁ ୨ ନିୟୁତ ପାଉଣ୍ତ ମୂଲ୍ୟର ଖଣିଜ ତୈଳ କ୍ରୟ କରିଥିବା ଇ˚ଲାଣ୍ତ ପ୍ରତିି ସେମାନଙ୍କ ଚଞ୍ଚାଣ ଚକ୍ଷୁ ବନ୍ଦ ହୋଇ ରହିଥିଲା? ସୁତରା˚, ‘ଫିଫା’ ବିଶ୍ବକପ୍‌ ଟୁର୍ନାମେଣ୍ଟ ସମ୍ବନ୍ଧରେ ପାଶ୍ଚାତ୍ୟ ଗଣମାଧୢମଗୁଡ଼ିକର ଆଭିମୁଖ୍ୟକୁ ପକ୍ଷପାତିତାପୂର୍ଣ୍ଣ ବୋଲି ଅଭିହିତ କରାଗଲେ କିଛି ଭୁଲ୍‌ ହେବ କି?

ସ୍ମରଣରେ ଆସିଥାଏ କି ୧୯୮୦ ମସିହାରେ ଆୟୋଜିତ ହୋଇଥିବା ମସ୍କୋ ଅଲି˚ପିକ୍‌ସକୁ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ କେତେକ ୟୁରୋପୀୟ, ଏସୀୟ ଏବ˚ ଲାଟିିନ ଆମେରିକୀୟ ରାଷ୍ଟ୍ର ବର୍ଜନ କରିଥିଲେ, ଯାହ ପଛର କାରଣ ଥିଲା ସୋଭିଏତ୍‌ ରୁଷିଆ ଦ୍ବାରା ଆଫଗାନିସ୍ତାନ ଅତିକ୍ରମଣ। କିନ୍ତୁ ଏକ ବାସ୍ତବତା ହେଲା ଦ୍ବିତୀୟ ବିଶ୍ବ ଯୁଦ୍ଧ ପର ଠାରୁ ଆଜି ପର୍ଯ୍ୟନ୍ତ ଭିଏତନାମରୁ ଆରମ୍ଭ କରି ଇରାକ୍‌ ପର୍ଯ୍ୟନ୍ତ ଅନେକ ରାଷ୍ଟ୍ର ଉପରେ ଆମେରିକାର ସାମରିକ ହସ୍ତକ୍ଷେପର ଦୃଷ୍ଟାନ୍ତମାନ ରହିଛି। ସୁତରା˚, ମସ୍କୋ ଅଲି˚ପିକ୍‌ସ ବର୍ଜନ ପଛରେ ଆମେରିକାର ଉଚ୍ଚ ନୈତିକାଦର୍ଶର ଆଳ ଏକ ନିରୋଳା କପଟାଚାର ବ୍ୟତୀତ ଆଉ କିଛି ନୁହେଁ। ଯଦିଓ ଏହା ଏକ ବାସ୍ତବତା ଯେ କାତାରର ବିପୁଳ ଅର୍ଥ ଇରାନ ତତ୍ତ୍ବାବଧାନରେ ହିଜବୁଲ୍ଲା ଭଳି ଆତଙ୍କବାଦୀ ସ˚ଗଠନକୁ ପ୍ରବାହିତ ହେବାରେ ଲାଗିଛି ଏବ˚ ଯାହା ଅତ୍ୟନ୍ତ କଟୁ ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରିଥାଏ; କିନ୍ତୁ ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା ସ୍ବରୂପ ଦେଖିବାକୁ ମିଳୁଛି ଯେ କାତାରର ଏହି ବିଶାଳ ଅର୍ଥ ୟୁରୋପୀୟ ରାଷ୍ଟ୍ରର କ୍ରୀଡ଼ା ଭିତ୍ତିଭୂମି ବା ବଜାର ବ୍ୟବସ୍ଥା ମଧୢକୁ ପ୍ରବେଶ କରିବାର ସମ୍ଭାବନା ଥିଲେ ଏହି ସମାଲୋଚନାମୂଳକ ଚକ୍ଷୁମାନ ନିମୀଳିତ ହୋଇଯାଏ, ଯାହାକୁ ସୁବିଧାବାଦୀ ସମାଲୋଚନା ରୂପେ ପରିଭାଷିତ କରାଯାଇପାରେ।

ତେବେ, ସେ ଯାହା ହେଉ, ଏହି ପ୍ରସଙ୍ଗରେ ‘ଫିଫା’ର ସଭାପତି ପ୍ରବୀଣ ଇଟାଲୀୟ କ୍ରୀଡ଼ା ପ୍ରଶାସକ ଜିଆନି ଇନ୍‌ଫାଣ୍ଟିନୋଙ୍କ ଦ୍ବାରା ପ୍ରଦତ୍ତ ମନ୍ତବ୍ୟ ବିଶେଷ ଗୁରୁତ୍ବ ବହନ କରିଥାଏ, ଯାହା ହେଲା ଏହିଭଳି: ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଆତ୍ମଘୋଷିତ ଗାର୍ଜନ ଭୂମିକାରେ ରହି ସର୍ବଦା ସମସ୍ତଙ୍କୁ ଉଚ୍ଚ ନୈତିକ ଆଦର୍ଶର ଶିକ୍ଷା ଦେବାରେ ବ୍ୟସ୍ତ। ମୁଁ ମଧୢ ଜଣେ ୟୁରୋପୀୟ। ତା’ ସତ୍ତ୍ବେ ମୁଁ ହୃଦୟଙ୍ଗମ କରେ ଯେ ବିଗତ ପ୍ରାୟ ତିନି ହଜାର ବର୍ଷ ଧରି ୟୁରୋପୀୟମାନେ କରିଥିବା କୃତକର୍ମ ଲାଗି ସେମାନେ ଆସନ୍ତା ତିନି ହଜାର ବର୍ଷ ପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କଲେ ମଧୢ ତାହା ଊଣା ପଡ଼ିଯିବ। ଏହି ମନ୍ତବ୍ୟରେ ରହିଥିବା ଗୂଢ଼ ସତ୍ୟକୁ ନଜରଅନ୍ଦାଜ କରାଯାଇ ପାରିବ ନାହିଁ। କ୍ରୀତଦାସ ବ୍ୟବସ୍ଥାରୁ ଆରମ୍ଭ କରି ଗୋତି ଶ୍ରମିକ ଏବ˚ ଶ୍ରମିକ ଚାଲାଣ ବ୍ୟବସ୍ଥା ପର୍ଯ୍ୟନ୍ତ ଯାବତୀୟ ମାନବ ଅଧିକାର ହନନକାରୀ ପ୍ରଥାର ସୂତ୍ରଧର ଏହି ଶ୍ବେତାଙ୍ଗ ୟୁରୋପୀୟଙ୍କ ରାଷ୍ଟ୍ରମାନ। ସୁତରା˚, ନିଜକୁ ଗାର୍ଜନ ଭୂମିକାରେ ଅବତୀର୍ଣ୍ଣ କରାଇ ଅନ୍ୟମାନଙ୍କୁ ନୀତି ଶିକ୍ଷା ଦେବାର ଅଭ୍ୟାସ ଏବ˚ ତାହା କରୁଥିବା ବେଳେ ନିଜର ଅପକର୍ମ ପ୍ରତି ଆଖି ମୁଦି ଦେବାର ଉଦ୍ୟମ ଏକ ଦାରୁଣ କପଟାଚାର ନୁହେଁ କି?