ବିଧିବିଧାନ ଓ ସଂବିଧାନ

ବହୁବଚନ - ବିଜୟ ନାୟକ

ଯେ କୌଣସି ଦେଶର ବିଧିବିଧାନ ଓ ନୀତିନିୟମର ସମାହାରକୁ ସଂବିଧାନ କୁହାଯାଏ। ଏହି ସଂବିଧାନ ଲିଖିତ ହୋଇପାରେ ବା ହୋଇପାରେ ପ୍ରଥା ଓ ପରମ୍ପରା ଆଧାରିତ। ଭାରତୀୟ ସଂବିଧାନ ପୃଥିବୀର ସର୍ବବୃହତ୍ ଲିଖିତ ସଂବିଧାନ ହୋଇଥିବା ବେଳେ ଇଂଲାଣ୍ଡର ସଂବିଧାନ ବୈଧାନିକ ପ୍ରଥା ଓ ପରମ୍ପରାର ଏକ ସୁଦୀର୍ଘ ସୂଚୀ।

ଭାରତବର୍ଷ ସ୍ୱାଧୀନତା ଆଡ଼କୁ ଉନ୍ମୁଖ ହେଉଥିବା ବେଳେ ଭାରତର କର୍ଣ୍ଣଧାରଗଣ ନବଭାରତ ପାଇଁ ଏକ ସଂବିଧାନର ଆବଶ୍ୟକତା ବିଷୟରେ ଅବଗତ ଥିଲେ। ସେଥିପାଇଁ ୧୯୪୬ ମସିହା ଡିସେମ୍ବର ମାସ ୬ ତାରିଖରେ ସଂବିଧାନ ପ୍ରଣୟନ ସଭା ବା କନଷ୍ଟିଟୁଏଣ୍ଟ ଆସେମ୍ଲି ଗଠିତ ହୋଇଥିଲା ଯାହାର ପ୍ରଥମ ଅଧିବେଶନ ସଚ୍ଚିଦାନନ୍ଦ ସିହ୍ନାଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ୯ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜେନ୍ଦ୍ର ପ୍ରସାଦ ସଂବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ। ଏହି ସଭାରେ ମୋଟ ୩୮୯ ଜଣ ସଦସ୍ୟ ଥିଲେ। ପ୍ରତ୍ୟକ୍ଷ ବ୍ରିଟିସ୍‌ ଶାସିତ ପ୍ରଦେଶର ତଥା ଦେଶୀୟ ରାଜ୍ୟଗୁଡ଼ିକର ପ୍ରତିନିଧି ଏହି ସଭାର ଅଂଶବିଶେଷ ଥିଲେ।

ଏହି ସଭାରେ ଓଡ଼ିଶା ଏବଂ ଓଡ଼ିଶାର ଗଡ଼ଜାତଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ପ୍ରତିନିଧିତ୍ୱ ଥିଲା। ଓଡ଼ିଶାରୁ ବିଶ୍ୱନାଥ ଦାଶ, ଭୁବନାନନ୍ଦ ଦାସ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ହରେକୃଷ୍ଣ ମହତାବ, ଲକ୍ଷ୍ମୀନାରାୟଣ ସାହୁ, ଲୋକନାଥ ମିଶ୍ର, ନନ୍ଦ କିଶୋର ଦାସ, ରାଜକୃଷ୍ଣ ବୋଷ ଓ ଶାନ୍ତନୁ କୁମାର ଦାସ ପ୍ରମୁଖ ଏଥିରେ ସଦସ୍ୟ ଥିଲେ। ଅଳ୍ପ ସମୟ ପାଇଁ ମାଳତୀ ଚୌଧୁରୀ ମଧ୍ୟ ସଭ୍ୟପଦରେ ରହିଥିଲେ। ଲାଲ ମୋହନ ପତି, ସାରଙ୍ଗଧର ଦାସ, ଯୁଧିଷ୍ଠିର ମିଶ୍ର, ରାଜ କୁଅଁର ଓ ଏନ୍. ମାଧବ ରାଉ ଓଡ଼ିଶାର ଗଡ଼ଜାତଗୁଡ଼ିକରୁ ପ୍ରତିନିଧିତ୍ୱ କରୁଥିଲେ। ସଂବିଧାନ ପ୍ରଣୟନ ସଭାର ୧୧ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯାହାର କାର୍ଯ୍ୟଦିବସ ଥିଲା ମୋଟ ୧୬୬ ଦିନ। ବିଭିନ୍ନ ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନା ମଧ୍ୟ ଦେଇ ଅଧିବେଶନଗୁଡ଼ିକ ଗତି କରିଥିଲା। ୧୯୪୭ ମସିହା ଅଗଷ୍ଟ ମାସ ୨୯ ତାରିଖ ଦିନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଡ୍ରାଫ୍‌ଟିଂ କମିଟି ଗଠିତ ହୋଇଥିଲା।

ଭାରତୀୟ ସଂବିଧାନରେ ଭାରତବର୍ଷର ନେତୃବୃନ୍ଦଙ୍କ ଚିନ୍ତା, ଚେତନା, ଦୃଷ୍ଟି ଓ ଦର୍ଶନ ପ୍ରତିଫଳିତ ହୋଇଛି ବୋଲି ସଂବିଧାନ ପଣ୍ଡିତମାନଙ୍କ ମତ। ଏହି ସଂବିଧାନ ସ୍ୱପ୍ନ ଓ ସମ୍ଭାବନାରେ ମଧ୍ୟ ଉଚ୍ଛଳ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବିଧିବାରିଧି ଆମ୍ବେଦକରଙ୍କ ପର୍ଯ୍ୟନ୍ତ ସଭିଙ୍କ ଆଭିମୁଖ୍ୟ ଓ ଅଭିରୁଚି ଆମ ସଂବିଧାନରେ ପ୍ରତିଧ୍ୱନିତ ହୁଏ। ସଂବିଧାନ ପ୍ରଣୟନ କ୍ଷେତ୍ରରେ ଡ୍ରାଫ୍‌ଟିଂ କମିଟିର ଅଧ୍ୟକ୍ଷ ଡକ୍ଟର ଆମ୍ବେଦକରଙ୍କ ଅବଦାନ ଥିଲା ସର୍ବାଧିକ। ତେଣୁ ତାଙ୍କୁ ଭାରତୀୟ ସଂବିଧାନର ମହାବିନ୍ଧାଣୀ ବୋଲି କୁହାଯାଏ। ଆମର ଏହି ସଂବିଧାନ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖ ଦିନ ଗୃହୀତ ହୋଇଥିଲା। ୧୯୫୦ ମସିହା ଜାନୁଆରି ମାସ ୨୪ ତାରିଖ ସୁଦ୍ଧା ଏହି ଐତିହାସିକ ଦସ୍ତାବିଜରେ ସଦସ୍ୟସଦସ୍ୟାମାନେ ସ୍ୱାକ୍ଷର ପ୍ରଦାନ କରିଥିଲେ। ସେହିବର୍ଷ ଜାନୁଆରି ୨୬ ତାରିଖ ଦିନ ସଂବିଧାନ କାର୍ଯ୍ୟକାରୀ ହୋଇଥିଲା, ଅର୍ଥାତ୍ ସେହିଦିନ ଭାରତବର୍ଷ ‘ଡୋମିନିଅନ’ରୁ ‘ରିପବ୍ଲିକ୍’ରେ ରୂପାନ୍ତରିତ ହୋଇଥିଲା। ତେଣୁ ଜାନୁଆରି ୨୬ ତାରିଖକୁ ‘ଗଣରାଜ୍ୟ’ ଦିବସ ଭାବରେ ପାଳନ କରାଯାଉଛି।

‘ଜାନୁଆରି ୨୬’ ପରି ‘ନଭେମ୍ବର ୨୬’ ମଧ୍ୟ ଭାରତବର୍ଷର ସାମ୍ବିଧାନିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କିନ୍ତୁ ସଂବିଧାନ ଦିବସ ପାଳନ ବିଷୟରେ ପୂର୍ବରୁ ହୁଏତ ବିଚାରବିମର୍ଶ କରାଯାଇ ନ ଥିଲା। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ସମିହା ଅକ୍ଟୋବର ୧୧ ତାରିଖରେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଶିଳାନ୍ୟାସ କରିବା ଅବସରରେ ସଂବିଧାନ ଦିବସ ପାଳନ ବିଷୟରେ ଘୋଷଣା କରିଥିଲେ। ତଦନୁଯାୟୀ ସେହିବର୍ଷ ନଭେମ୍ବର ୧୯ ତାରିଖରେ ଭାରତ ସରକାରଙ୍କ ଦ୍ୱାରା ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସଂବିଧାନ ସମ୍ପର୍କରେ ଜାଣିବା, ବୁଝିବା ଏବଂ ସଂବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଏପରି ଏକ ଦିବସ ପାଳନର ତାତ୍ପର୍ଯ୍ୟ। ପ୍ରତିବର୍ଷ ଏମନ୍ତ ମାନସମନ୍ଥନର ସୁଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହୋଦୟ ନିଜ ଚିନ୍ତନ ମୌଳିକତାର ପରିଚୟ ଦେଇଛନ୍ତି।

ମୁଖ ଯେମିତି ମଣିଷ ମନର ପ୍ରତିଫଳନ, ମୁଖଶାଳା ଯେମିତି କୌଣସି ମନ୍ଦିରର ସୌନ୍ଦର୍ଯ୍ୟର ସଙ୍କେତ, ମୁଖବନ୍ଧ ବା ‘ପ୍ରିଆମ୍ବଲ’ ସେମିତି ଆମ ସଂବିଧାନର ମୁଖ-ମୟୂଖ।
ଭାରତୀୟ ସଂବିଧାନର ମୁଖବନ୍ଧ ସଂବିଧାନ-ପ୍ରଣେତାମାନଙ୍କ ପାଣ୍ଡିତ୍ୟ, ପରିପକ୍ବତା ଓ ଦୂରଦୃଷ୍ଟିର ଲଳିତ ଉଚ୍ଚାରଣ। ଭାରତର ଜନସାଧାରଣ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଗଣରାଜ୍ୟ ନିଜକୁ ଉତ୍ସର୍ଗ କରୁଥିବା ଏହି କାବ୍ୟୋପମ ପଙ୍‌କ୍ତିରେ ଗୁମ୍ଫିତ। ନ୍ୟାୟ, ସ୍ୱାଧୀନତା, ସମତା, ଭ୍ରାତୃତ୍ୱ, ବ୍ୟକ୍ତିର ମହନୀୟତା ଏବଂ ରାଷ୍ଟ୍ରର ଐକ୍ୟ ଓ ସଂହତି ଆଦି ଆଦର୍ଶ ମଧ୍ୟ ଏଥିରେ ସଂଯୋଜିତ। ସୁତରାଂ ସଂବିଧାନର ମୁଖବନ୍ଧ ନବଭାରତର ଆଙ୍ଗିକ ଓ ଆତ୍ମିକ ଅଭିବ୍ୟକ୍ତିର ମନ୍ମୟ ମୁକୁର।
ମୁଖଶାଳା ଡେଇଁଲା ପରେ ମନ୍ଦିରର ଗର୍ଭଗୃହରେ ପହଞ୍ଚିଲା ପରି, ସଂବିଧାନର ମୁଖବନ୍ଧ ପାରି ହୋଇ ସଂବିଧାନସ୍ଥ ଧାରା, ଉପଧାରାକୁ ପ୍ରତ୍ୟକ୍ଷ କରିହୁଏ। ବୁଝିହୁଏ ପୁଣି ଆମ ସଂବିଧାନର ମୌଳିକ ଲକ୍ଷ୍ୟ ଓ ଲକ୍ଷଣ, ଭାରତର ରାଜନୈତିକ ବ୍ୟବସ୍ଥା, ଆର୍ଥିକ ମାନଦଣ୍ଡ, ବିଦେଶ ନୀତି, ବିଶ୍ୱଦୃଷ୍ଟି ଏବଂ ଏମିତି ଅନେକ କିଛି। ସଂବିଧାନର ରଚନା ଆରମ୍ଭରୁ ସାର୍ବଜନୀନ ସାବାଳକ ଭୋଟ ପ୍ରଥା ଭାରତର ଗଣତାନ୍ତ୍ରିକ ଦୃଢ଼ତାର ପରିଚାୟକ। ବିବିଧତାରେ ପରିପୂର୍ଣ୍ଣ ଭାରତବର୍ଷ ପୁଣି ଏକ ‘ରାଷ୍ଟ୍ରସଂଘ’, ଐକ୍ୟ ଓ ଅଖଣ୍ଡତା ଯାହାର ସ୍ନିଗ୍ଧ ସଙ୍ଗୀତ। ଭାରତବର୍ଷ ବିଶ୍ୱାସ କରେ ଗତିଶୀଳତାରେ। ତେଣୁ ପ୍ରବହମାନତା ସାଙ୍ଗକୁ ପରିବର୍ତ୍ତନ ଆମ ବିଧିବ୍ୟବସ୍ଥାର ଅନନ୍ୟତା। ସମୟର ଆହ୍ୱାନକୁ ଅଙ୍ଗୀକାର ଭାବରେ ଗ୍ରହଣ କରି ଭାରତବର୍ଷ ବିଧିବିଧାନର ଚୌହଦୀ ମଧ୍ୟରେ ମଧ୍ୟ ପରିବର୍ତ୍ତନକୁ ଆତ୍ମସ୍ଥ କରିପାରିଛି। କ୍ଷମତାର ବିକେନ୍ଦ୍ରୀକରଣ, ନ୍ୟାୟପାଳିକାର ନିରପେକ୍ଷତା, ଅବାଧ ଓ ମୁକ୍ତ ନିର୍ବାଚନ ପଦ୍ଧତି ଭାରତକୁ ଏକ ପରିପକ୍ବ ଗଣତନ୍ତ୍ରର ମର୍ଯ୍ୟାଦା ଦେଇଛି। ପୁନଶ୍ଚ ନାଗରିକମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କିତ ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବିଶ୍ୱ ବିମୁଗ୍ଧ।
ସ୍ମରଣାତୀତ କାଳରୁ ଦୁଇଖଣ୍ଡ ମହାନ ଗ୍ରନ୍ଥ ‘ରାମାୟଣ’ ଓ ‘ମହାଭାରତ’ ଭାରତୀୟ ମହାଜାତିକୁ ଏକତାର ରଜ୍ଜୁରେ ସଂଯୁକ୍ତ କରି ରଖିଛି। ଅଧୁନା ଆଧୁନିକ ମହାନ ଗ୍ରନ୍ଥ ‘ସଂବିଧାନ’ ସେହି ରଜ୍ଜୁକୁ ଆହୁରି ସଶକ୍ତ କରିଛି। ପୃଥିବୀର ସର୍ବବୃହତ୍ ଗଣତନ୍ତ୍ରର ସର୍ବବୃହତ୍ ସଂବିଧାନ ବିଷୟରେ ସଚେତନ ହେବା ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ। ଅନ୍ତତଃ ସଂବିଧାନ ଦିବସ ଆମ୍ଭମାନଙ୍କୁ ଏହି ପ୍ରେରଣା ଦେଉ।
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର