ଗୁଜରାଟ ଦୃଶ୍ୟପଟ

ଆଉ ସପ୍ତାହକ ପରେ ଅନୁଷ୍ଠିତ ହେବାକୁ ଯାଉଥିବା ଗୁଜରାଟ ଏବ˚ ହିମାଚଳ ପ୍ରଦେଶର ନିର୍ବାଚନ ଦ୍ବୟ ଯଦିଓ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ, ତଥାପି ବର୍ତ୍ତମାନ ପରିପ୍ରେକ୍ଷୀରେ ଗୁଜରାଟ ନିର୍ବାଚନର ଫଳାଫଳ ଭାରତର ସବୁ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ ଗୁରୁତ୍ବ ବହନ କରିଥାଏ। ଏହାର କାରଣ ଗୁଜରାଟ ହେଉଛି ଉଭୟ ନରେନ୍ଦ୍ର ମୋଦୀ ଏବ˚ ଅମିତ ଶାହଙ୍କ ଜନ୍ମ ଏବ˚ କର୍ମ ଭୂମି। ସାଧାରଣତଃ ଏହା ଦେଖିବାକୁ ମିଳୁଛି ଯେ ୨୦୧୯ ମସିହା ପର ଠାରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟ ନିର୍ବାଚନଗୁଡ଼ିକରେ ସେହି ରାଜ୍ୟଗୁଡ଼ିକର ସ୍ଥାନୀୟ ବିଜେପି ନେତୃବୃନ୍ଦଙ୍କ ପ୍ରଭାବଶାଳୀ ଉପସ୍ଥିତି ସତ୍ତ୍ବେ ଦଳର ବିଜୟର ଶ୍ରେୟ ବା ପରାଜୟର ପରାଭବ ପ୍ରାୟତଃ ମୋଦୀ ଏବ˚ ଶାହଙ୍କ ନିକଟକୁ ଯାଇଛି। ସୁତରା˚, ‘ମୋଦୀ-ଶାହ’ଙ୍କ ଆପଣା ଭୂମିରେ ଦଳର ବିଜୟକୁ ଅନିବାର୍ଯ୍ୟ କରିବା ବିଜେପି ନିକଟରେ ଯେ ଏକ ‘କର ବା ମର’ ସୁଲଭ ଆହ୍ବାନ ସୃଷ୍ଟି କରିଥିବ, ତହିଁରେ ସନ୍ଦେହ ନାହିଁ। ପ୍ରକାଶ ଥାଉ କି ଗଲା ପ୍ରାୟ ତିନି ଦଶକ ଧରି ଗୁଜରାଟରେ ବିଜେପି ନିରନ୍ତର ଶାସନ କ୍ଷମତାରେ ରହି ଆସିଛି।

ତେଣୁ, ଗୋଟାଏ ଦଳ ଦ୍ବାରା ଦୀର୍ଘକାଳୀନ ଶାସନ ଜନ ସମୁଦାୟ ମଧୢରେ ଯେଉଁ ଚାଞ୍ଚଲ୍ୟଶୂନ୍ୟତା ଜନିତ କ୍ଳାନ୍ତି ଓ ବିରକ୍ତି ଜାତ କରି କ୍ଷମତା ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଥାଏ, ତାହା ବିଜେପି ଲାଗି ଉଦ୍‌ବେଗର କାରଣ ହୋଇପଡ଼ିଥିବା ସ୍ବାଭାବିକ। କେବଳ ସେତିକି ନୁହେଁ, ଗୁଜରାଟର ପାର˚ପରିକ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଦଳ ବିଜେପି ଏବ˚ କ˚ଗ୍ରେସ ସହିତ ନୂତନ ପ୍ରତିସ୍ପର୍ଦ୍ଧୀ ଭାବେ ‘ଆମ ଆଦମୀ ପାର୍ଟ’ ବା ‘ଆପ୍‌’ ଆବିର୍ଭୂତ ହେବା ଏବ˚ ନିର୍ବାଚନର ସମୀକରଣରେ ପରିବର୍ତ୍ତନ ଘଟାଇବାର ସମ୍ଭାବନା ସୃଷ୍ଟି କରିବା ମଧୢ ବିଜେପି ସକାଶେ ଅଧିକ ଚିନ୍ତାର କାରଣ ହୋଇ ପଡ଼ିଥିବ। ସୁତରା˚, ଏକ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାର ତୀବ୍ରତା ଗୁଜରାଟର ଏହି ନିର୍ବାଚନକୁ ଚରମ ଉତ୍କଣ୍ଠାପୂର୍ଣ୍ଣ ଏବ˚ ଅତ୍ୟନ୍ତ ଉଚ୍ଚାଟଭରା କରିବା ନିଶ୍ଚିତ।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୯୯ଟି ଆସନରେ ଜୟଯୁକ୍ତ ହୋଇ ଏକ କ୍ଷୀଣ ସ˚ଖ୍ୟାଗରିଷ୍ଠତା ଲାଭ କରିବା ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ୭୭ଟି ଆସନରେ ଜୟଲାଭ କରିଥିବା କ˚ଗ୍ରେସର ପ୍ରଦର୍ଶନ ଭୋଟ ଗଣତି କାଳରେ ବିଜେପି ଶିବିରରେ ଏଭଳି ଉଦ୍‌ବେଗ, ଉତ୍କଣ୍ଠା ଏବ˚ ଭୀତି ସ˚ଚାରକାରୀ କ୍ଷଣମାନ ସୃଷ୍ଟି କରିଥିଲା ଯେ ବିଜୟ ପରବର୍ତ୍ତୀ ଦଳୀୟ କର୍ମୀଙ୍କ ସଭାରେ ଆଶ୍ବସ୍ତ ଏବ˚ ଭାବପ୍ରବଣ ନରେନ୍ଦ୍ର ମୋଦୀଙ୍କ ଚକ୍ଷୁ ଦ୍ବୟ ଅଶ୍ରୁ ସଜଳ ହୋଇ ଉଠିିବା ଦୃଷ୍ଟିଗୋଚର ହୋଇିଥିଲା। କେବଳ ଏହି ଗୋଟିଏ ଉଦାହରଣରୁ ଅନୁମାନ କରାଯାଇପାରେ ଯେ ଗୁଜରାଟର ନିର୍ବାଚନ ନରେନ୍ଦ୍ର ମୋଦୀଙ୍କ ସକାଶେ କିଭଳି ଗୁରୁତ୍ବପୂର୍ଣ୍ଣ ଓ ମାନସିକ ଚାପ ସୃଷ୍ଟିକାରୀ! ଗୁଜରାଟର ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ସେଠାରେ କ˚ଗ୍ରେସ ଏବ˚ ବିଜେପି ଅନୁରକ୍ତ ଭୋଟରଙ୍କ ହାର ହେଉଛି ଯଥାକ୍ରମେ ପ୍ରାୟ ୩୫ ଶତା˚ଶ ଏବ˚ ୪୫ ଶତା˚ଶ; ଏବ˚ ଅବଶିଷ୍ଟ ୨୦ ଶତା˚ଶ ଏକ ଅନିର୍ଦ୍ଦିଷ୍ଟ ଗୋଷ୍ଠୀ।

ଏଭଳି ସ୍ଥିତିରେ ଏହି ନିର୍ବାଚନରେ ଆପ୍‌ର ଉପସ୍ଥିତି ଯେଉଁ ଭୋଟ ବିଭାଜନର କାରଣ ହେବ, ତାହା ଅନେକ ସ୍ଥାନରେ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ। ଅବଶ୍ୟ ବିଭିନ୍ନ କ୍ଷେତ୍ରରୁ ଉପଲବ୍‌ଧ ସଦ୍ୟତମ ସୂଚନା ଅନୁସାରେ ଆପ୍‌ ଗୁଜରାଟରେ ଏ ଯାବତ୍‌ ପଞ୍ଜାବ ତୁଲ୍ୟ ତରଙ୍ଗ ସୃଷ୍ଟି କରି ପାରିନାହିଁ, କିନ୍ତୁ ଏହା ମଧୢ ସତ ଯେ ଭୋଟରଙ୍କ ମଧୢରେ ଏହି ଦଳ ଏକ ଉତ୍ସୁକତା ସୃଷ୍ଟି କରିଛି, ଯାହା ପରିବର୍ତ୍ତନକାମୀମାନଙ୍କୁ ଆପ୍‌ ଆଡ଼କୁ ଆକର୍ଷିତ କରିପାରେ। ଏହି ପରିପ୍ରେକ୍ଷୀରେ ‘ଲୋକନୀତି-ସି.ଏସ୍‌.ଡି.ଏସ୍‌.’ ଦ୍ବାରା ପ୍ରକାଶିତ ଏକ ସର୍ବେକ୍ଷଣ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଏହି ନିର୍ବାଚନରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କ୍ରମରେ ୮୪% ଭୋଟର ଦର ବୃଦ୍ଧି ବିଷୟ ଉଲ୍ଲେଖ କରିଥିବା ବେଳେ ୭୭% ବେରୋଜଗାରି ଏବ˚ ୫୨% ଶାସନ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରିଛନ୍ତି। ସେହି ଦୃଷ୍ଟିରୁ ପରିବର୍ତ୍ତନର ସୂତ୍ରଧର ଭାବେ ନବାଗତ ଆପ୍‌ ଏକ ‘ଏକ୍‌ସ ଫ୍ୟାକ୍ଟର’ ବା ‘ଅନିର୍ଦ୍ଦିଷ୍ଟ କାରକ’ ରୂପେ ନିର୍ବାଚନ ଉପରେ ଝୁଲି ରହିବ।

ସୁତରା˚, ଗୁଜରାଟରେ ଘମାଘୋଟ ରୂପ ଧାରଣ କରିଥିବା ନିର୍ବାଚନ ପ୍ରଚାରର ଧାରାରୁ ଯାହା ସ୍ପଷ୍ଟ ହେବାରେ ଲାଗିଲାଣି, ତାହା ହେଲା ବିଜେପି ସକାଶେ କ˚ଗ୍ରେସ ତୁଳନାରେ ଆପ୍‌ ଅଧିକ ବିବ୍ରତବୋଧ ସୃଷ୍ଟି କରିଛି ଏବ˚ ତହିଁରେ ଉତ୍ସାହିତ ଆପ୍‌ ନେତା ଅରବିନ୍ଦ କେଜ୍ରିଵାଲ ବିଜେପି ବିରୋଧରେ ତାଙ୍କ ସ୍ବରକୁ ଅତ୍ୟନ୍ତ ଉଚ୍ଚ ଓ ଶାଣିତ କରିବାରେ ଲାଗିଛନ୍ତି। ତେବେ, ଏଭଳି ଏକ ଘଡ଼ିସନ୍ଧି ସମୟରେ କ˚ଗ୍ରେସର ମୁଖ୍ୟ ନେତୃତ୍ବ ରାଜନୈତିକ ବାସ୍ତବତା ଦୃଷ୍ଟିରୁ ଏକ ଲକ୍ଷ୍ୟହୀନ ‘ଭାରତ ଯୋଡ଼’ ଯାତ୍ରାରେ ନିମଗ୍ନ ରହିଥିବା କାରଣରୁ ଗୁଜରାଟରେ କ˚ଗ୍ରେସର ନିର୍ବାଚନ ପ୍ରଚାର ଅପେକ୍ଷାକୃତ ଶିଥିଳ ପଡ଼ିଛି ଏବ˚ ଭୋଟରମାନଙ୍କୁ ଦଳ ବିମୁଖ କରିବାର ଏକ ଆଶଙ୍କା ସୃଷ୍ଟି କଲାଣି। ସେହି ଦୃଷ୍ଟିରୁ କ˚ଗ୍ରେସର ଭୋଟ ବିଭାଜନର ଲାଭ ଆପ୍‌ ପାଇବାର ଆଶା ଅଧିକ। ସୁତରା˚, ଏହି ବର୍ଷ ଯଦି ଗୁଜରାଟ ଭୂମିରେ ଆପ୍‌ର ଅଙ୍କୁରୋଦ୍‌ଗମ ଘଟି ଦୁଇ ପତ୍ର ମେଲିଯାଏ, ତେବେ ଭବିଷ୍ୟତ୍‌ରେ ଗୁଜରାଟରେ ଏହା ଏକ ପ୍ରମୁଖ ଦଳରେ ପରିଣତ ହେବ ଏବ˚ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଏହା ଏକ ନୂତନ ଓ ସମ୍ଭାବନାସ˚ପନ୍ନ ଅଖିଳ ଭାରତୀୟ ବିରୋଧୀ ଦଳ ଭାବେ ଦୃଶ୍ୟମାନ ହେଉଥାଇପାରେ।

ଏବେ ଗୁଜରାଟ ନିର୍ବାଚନ ପରିପ୍ରେକ୍ଷୀରେ ଉଭୟ ଆପ୍‌ ଏବ˚ କ˚ଗ୍ରେସର ଆଭିମୁଖ୍ୟଗତ ପରିବର୍ତ୍ତନ ଉପରେ କ୍ଷିପ୍ର ଦୃଷ୍ଟିପାତ କରାଯାଇପାରେ। ଏହା ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ ଉଭୟ ଦଳ ସେଠାକାର ହିନ୍ଦୁ ଭୋଟରଙ୍କୁ ରୁଷ୍ଟ କରିବାକୁ ଅନିଚ୍ଛୁକ; ଯାହାର ପ୍ରମାଣ ମିଳିଛି ବିଲକିସ ବାନୋ ଗଣଧର୍ଷଣ ଏବ˚ ଗଣହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସମସ୍ତ ଅପରାଧୀଙ୍କୁ ନିୟମ ବହିର୍ଭୂତ ଭାବେ ଖଲାସ କରି ଦିଆଯିବା ଘଟଣାରେ ଅଥବା ନବରାତ୍ରି ଉତ୍ସବ ପାଳନ ସମୟରେ ବିଭ୍ରାଟ ସୃଷ୍ଟି କରିଥିବା ଆରୋପରେ ଏକ ନିର୍ଦ୍ଦିଷ୍ଟ ସ˚ଖ୍ୟାଲଘୁ ସ˚ପ୍ରଦାୟର କିଛି ଯୁବକଙ୍କୁ ପ୍ରକାଶ୍ୟରେ ପୁଲିସ ଦ୍ବାରା ‘ତାଲିବାନୀ ଶୈଳୀ’ରେ ବେତ୍ରାଘାତ କରାଯିବା ଘଟଣାରେ ଉଭୟ ଦଳ ସ˚ପୂର୍ଣ୍ଣ ମୌନତା ଅବଲମ୍ବନ କରିଛନ୍ତି।

ଏହାର କାରଣ ସମ୍ଭବତଃ ଏହା ଯେ ଉଭୟ ଦଳ ସ˚ଖ୍ୟାଲଘୁ ସ˚ପ୍ରଦାୟଙ୍କ ଭୋଟ ହରାଇବାର ସମ୍ଭାବନା ନେଇ ବିଶେଷ ଚିନ୍ତିତ ନୁହନ୍ତି, ଯାହା ସେମାନଙ୍କ ଧାରଣାରେ ବିଜେପି ନିକଟକୁ କଦାଚିତ୍‌ ଯିବନାହିଁ। ତା’ ବଦଳରେ ହିନ୍ଦୁ ଭୋଟକୁ ଆକର୍ଷଣ କରିବାରେ ସଫଳତା ଉଭୟ ଦଳ ଲାଗି ଲାଭପ୍ରଦ ହୋଇପାରେ! ଏହା ସହିତ ଆପ୍‌ ପକ୍ଷରୁ ମାଗଣା ବଣ୍ଟନ ପ୍ରତିଶ୍ରୁତିର ଏକ ଅବାସ୍ତବ ପଟୁଆର ସୃଷ୍ଟି କରାଯିବାରେ ଲାଗିଛି, ଯାହା ପଞ୍ଜାବ ଭଳି ଗୁଜରାଟରେ ସଫଳ ହେବ ବୋଲି ଦଳର ଧାରଣା। ଏଭଳି ସ୍ଥଳେ ବିଜେପିର ଅସ୍ତ୍ର ପାଲଟିଛି ଦଳୀୟ ନେତାଙ୍କ ସ୍ବଭାବସୁଲଭ ବାକ୍‌ ଚାତୁର୍ଯ୍ୟ, ଯହିଁରେ ଦେଖିବାକୁ ମିଳୁଛି ଚା’ ବାଲାରୁ ଭାରତର ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀରେ ପରିଣତ ହୋଇଥିବା ନରେନ୍ଦ୍ର ମୋଦୀଙ୍କ ସ୍ବହସ୍ତ ଗଢ଼ା ବ୍ୟକ୍ତିତ୍ବକୁ ଆଲୋକିତ କରାଯିବାର ପ୍ରଚେଷ୍ଟା ସହିତ ତାଙ୍କ ନେତୃତ୍ବରେ ରାଷ୍ଟ୍ର କିଭଳି ସ˚ଘୀୟ ସ˚ଗମର ଉଦାହରଣ ଭାବେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛି ତାହାର ଅବତାରଣା; ଯାହାର ଏକ ଉଦାହରଣ ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ ଦ୍ବାରା ପ୍ରଦତ୍ତ ଏକ ନିର୍ବାଚନୀ ଭାଷଣ। ତହିଁରେ ଏହି ଭଳି କିଛି ଶୁଣିବାକୁ ମିଳିଥିଲା: ‘ଆସାମର ସର୍ବୋତ୍କୃଷ୍ଟ ଚା’ ଏବ˚ ଗୁଜରାଟର ଦୁଗ୍‌ଧରୁ ଯେଉଁ ଚମତ୍କାର ଚା’ର ପରିକଳ୍ପନା କରାଯାଇପାରେ, ତାହା କେବଳ ଏକମାତ୍ର ନରେନ୍ଦ୍ର ମୋଦୀଙ୍କ ଭଳି ଚା’ ବାଲାଙ୍କ ଦ୍ବାରା ସମ୍ଭବ!’ ମୋଦୀଙ୍କ ନେତୃତ୍ବରେ ସ˚ଘୀୟ ସହଯୋଗ କିଭଳି ରୂପ ନେଇପାରେ, ଏହା ତା’ର ଏକ ଚମତ୍କାର ଅଭିବ୍ୟକ୍ତି ନୁହେଁ କି?

ଷଷ୍ଠ ଦଶକରେ କ୍ୟାପଷ୍ଟନ୍‌ ସିଗାରେଟର ଏକ ବିଜ୍ଞାପନରେ ଏକ ଅତ୍ୟନ୍ତ ସୂକ୍ଷ୍ମ-ବୁଦ୍ଧି ସ˚ପନ୍ନ ବାର୍ତ୍ତାଟି ଥିଲା ଏହା ଯେ ‘ଧୂମପାନ ସ୍ବାସ୍ଥ୍ୟ ଲାଗି ହାନିକାରକ; ଏପରିକି କ୍ୟାପଷ୍ଟନ୍‌!’ କହିବା ବାହୁଲ୍ୟ ଯେ ଚମତ୍କାର ଶୈଳୀରେ ଏକ ନକାରାତ୍ମକ ବାର୍ତ୍ତା ମଧୢରେ ଦ୍ରବ୍ୟଟି ତା’ର ଉତ୍କର୍ଷ ସ˚ପର୍କରେ ସୂଚାଇ ଦେଇଥିଲା। ଏବେ ଗୁଜରାଟରେ ବିଜେପି ଦ୍ବାରା ସେଭଳି ଏକ ବ୍ୟାଖ୍ୟାନ ସୃଷ୍ଟି କରାଗଲାଣି। ପରିବର୍ତ୍ତନକାମୀ ଭୋଟରଙ୍କ ଉଦ୍ଦେଶ୍ୟରେ ସୃଷ୍ଟ ଏହି ବ୍ୟାଖ୍ୟାନଟି ହେଲା, ‘ଯଦି କୌଣସି ସମସ୍ୟାର ସମାଧାନ ବିଜେପି ଦ୍ବାରା ସମ୍ଭବ ହୋଇନାହିଁ, ତେବେ ତାହା ଆଉ କିଏ ବା ସମ୍ଭବ କରିବ?’ ଏଭଳି ଏକ ବ୍ୟାଖ୍ୟାନ ଦ୍ବାରା ମଧୢ ଅସ˚ଖ୍ୟ ଭୋଟର ପ୍ରଭାବିତ ହେବେ। ଏହାର କାରଣ ସରକାର ବଦଳିବା ସତ୍ତ୍ବେ ସ˚ଖ୍ୟାଧିକ ସାଧାରଣ ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ନ ଘଟିବା!

ସମ୍ବନ୍ଧିତ ଖବର