ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଭିଭାଷଣରେ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ଥିଲା ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ଦେଶ ଭାବରେ ତିଆରି କରିବା। ୨୦୪୭ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶହେ ବର୍ଷ ପାଳନ କରିବ। ତେଣୁ ଆଗାମୀ ୨୫ ବର୍ଷ ଯାହାକୁ ସେ ଅମୃତକାଳ ଭାବରେ ଅଭିହିତ କରିଛନ୍ତି- ଦେଶ ପାଇଁ ତାହା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଭାରତ ଅଭ୍ୟୁଦୟର ପରିଚୟ ତା’ର ସଭ୍ୟତା ଓ ସଂସ୍କୃତିକୁ ସାମିଲ କରି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବ। ଏହା ଭାରତକୁ ବିଶ୍ୱଗୁରୁ ହେବାର ଗୌରବ ଆଣିଦେବ। ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏକ ନକ୍‌ସା ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ଏହି ପ୍ରସ୍ତୁତିର ମୂଳଦୁଆ ୨୦୧୪ରୁ ଆରମ୍ଭ ହୋଇଛି।

Advertisment

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶାସନ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଏହାକୁ ଚାରିଭାଗରେ ବିଭକ୍ତ କରିପାରିବା: (୧) ନୀତିଗତ ଓ ଢାଞ୍ଚାଗତ ସଂସ୍କାର, (୨) କାର୍ଯ୍ୟକ୍ରମ, ପରିଯୋଜନା ଓ ପ୍ରକଳ୍ପ, (୩) କାର୍ଯ୍ୟ ଶୈଳୀ ବା ପ୍ରଣାଳୀ, ଏବଂ (୪) କ୍ରିୟାନ୍ୱୟନ।

ବିଗତ ଦିନରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି ସତ, ହେଲେ ଅଧିକାଂଶ ପ୍ରକଳ୍ପ ଓ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇ ନ ପାରିବାରୁ ତା’ର ସୁଫଳ ମିଳିପାରିନାହିଁ। ସେଥିପାଇଁ ଭାରତ ବିକାଶର ମାପକାଠିରେ ତା’ର ସମସାମୟିକ ସ୍ୱାଧୀନ ଦେଶ, ବିଶେଷ ଭାବରେ ଏସିଆ ମହାଦେଶର ଚୀନ, କୋରିଆ, ସିଙ୍ଗାପୁର ପ୍ରଭୃତି ଦେଶମାନଙ୍କ ଠାରୁ ପଛରେ ରହିଯାଇଥିଲା। ପୂର୍ବରୁ ନୀତିମାନ ପ୍ରଣୟନ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସଂସ୍କାର ମଧ୍ୟ ଆସିଲା। କିନ୍ତୁ ତା’ର ସୁଫଳ ମିଳିପାରିଲା ନାହିଁ। ଏଠାରେ ଦୁଇଟି ଉଦାହରଣ ଦିଆଯାଇପାରେ। ଗୋଟିଏ ଶିକ୍ଷା କ୍ଷେତ୍ରରେ ହୋଇଥିବା ନୀତି ଓ ତା’ର ବିଭିନ୍ନ ସମୟରେ ହୋଇଥିବା ସଂସ୍କାର। ଆମେ ଯେଉଁ ସ୍ଥିତିରେ ଥିଲେ ତା’ଠାରୁ କିଛି ଆଖିଦୃଶିଆ ବିକାଶ ହୋଇପାରିନାହିଁ। କିଛି ତ ନିଶ୍ଚିତ ଭାବରେ ହାସଲ ହୋଇଛି, ଏଥିରେ ଦ୍ୱିମତ ନାହିଁ। କିନ୍ତୁ ଯେଉଁ ଭଳି ହେବା କଥା, ସେଭଳି ହେଲାନାହିଁ ଏବଂ ଯେତିକି ହେବା କଥା ସେତିକି ହୋଇନାହିଁ। ଆମେ ଭଲ ପ୍ରଶାସକ, ଭଲ ପରିଚାଳକ, ଭଲ ଡାକ୍ତର, ଭଲ ଯନ୍ତ୍ରୀ, ଭଲ ଅଧ୍ୟାପକ ତିଆରି କଲୁ ସତ କିନ୍ତୁ ଭଲ ମଣିଷ ତିଆରି କରିବାରେ ପଛେଇ ଗଲୁ। ଠିକ୍ ସେହିପରି ଆର୍ଥିକ ଓ ବାଣିଜ୍ୟ କ୍ଷେତ୍ରରେ ବିଗତ ୩୦ ବର୍ଷ ତଳେ ବ୍ୟାପକ ସଂସ୍କାର ଅଣାଗଲା। କିନ୍ତୁ ତା’ର ସଫଳତା ମଧ୍ୟ ଏକ ପ୍ରଶ୍ନବାଚୀ। ସଂସ୍କାର ଅଣାଯିବାର ୨୦ ବର୍ଷ ପରେ ମଧ୍ୟ ପ୍ରାୟ ୬୦ ପ୍ରତିଶତ ଲୋକ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଲେ।

ଏହି ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା, ଯାହାକୁ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ବଦଳାଇବାକୁ ହୋଇଥାଏ। କିନ୍ତୁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଏହାର କ୍ରିୟାନ୍ୱୟନ। ଦେଶରେ ୨୦୧୪ ମସିହା ପରଠାରୁ ଯେଉଁ ସଂସ୍କାର ଆସିଲା ସେଥିରେ ଦୁଇଟି ଲକ୍ଷ୍ୟ ଧାର୍ଯ୍ୟ ହେଲା। ଗୋଟିଏ ହେଲା ଲୋକ କଲ୍ୟାଣ ଏବଂ ଭାରତର ଐତିହ୍ୟ ଓ ସଂସ୍କୃତିକୁ ନେଇ ଉନ୍ନତ ଦେଶ ଗଠନ ପାଇଁ ନୀତି ପ୍ରଣୟନ, ଏବଂ ଦ୍ୱିତୀୟରେ ଯୋଜନାର ସୁଫଳକୁ ଶେଷ ଧାଡ଼ିରେ ଥିବା ଶେଷ ଲୋକଟି ପାଖରେ ପହଞ୍ଚାଇବା କାର୍ଯ୍ୟଟିକୁ ସୁନିଶ୍ଚିତ କରିବା। ଏହାର ମଧ୍ୟ ଦୁଇଟି ଲକ୍ଷ୍ୟ ପୂରଣ କରିବାର ଯୋଜନା ରହିଲା।

ଉନ୍ନତ ଭାରତ ଗଠନ ପାଇଁ ଐତିହ୍ୟ ଓ ସଂସ୍କୃତିକୁ ଭିିତ୍ତି ଭାବରେ ଗ୍ରହଣ କରି ଏକ ସମୃଦ୍ଧ, ଉଚ୍ଚ ବୈଜ୍ଞାନିକ ଜ୍ଞାନ ସମ୍ପନ୍ନ ଓ ଜ୍ଞାନ ଆଧାରିତ ସମାଜ ଗଠନ କରିବା ଏବଂ ଏଥିପାଇଁ ନୀତି, କାର୍ଯ୍ୟକ୍ରମ, ଯୋଜନା ତିଆରି କରିବା। ଦ୍ୱିତୀୟତଃ କାର୍ଯ୍ୟ କରାଇବା ପାଇଁ ପ୍ରଯୁକ୍ତି ଜ୍ଞାନକୁ କାମରେ ଲଗାଇବା। ଏହି ଲକ୍ଷ୍ୟ ନିଶ୍ଚିତ ଭାବରେ ଭାରତକୁ ଅନେକ ବାଟ ଆଗେଇ ନେଇଛି। ଆଜି ସେଥିପାଇଁ ଭାରତର ଧାର୍ମିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଆଗରେ ଅଛି ଏବଂ ଏହି ବିକାଶର ଗତି ଅତି ଉତ୍ସାହଜନକ ତଥା ପ୍ରଶଂସନୀୟ।

ଚଳିତ ବିତ୍ତୀୟ ବର୍ଷର ପ୍ରଥମ ଚଉଠ (ଏପ୍ରିଲ-ଜୁନ୍‌) ରିପୋର୍ଟରେ ଭାରତର ସକଳ ଘରୋଇ ଉତ୍ପାଦନ (ଜିଡିପି) ୧୩.୫ ପ୍ରତିଶତ ଗତିରେ ଅଗ୍ରସର ହେବା ପ୍ରମାଣିତ କରେ ଯେ, ଦେଶର ଆର୍ଥିକ ସ୍ଥିତି ଅନେକ ଦେଶ ତୁଳନାରେ ସୁଦୃଢ଼। ଏହି ସମୟର ଚୀନର ଅଭିବୃଦ୍ଧି ହାର ମାତ୍ର ୦.୦୪ ପ୍ରତିଶତ। ବଡ଼ କଥା ହେଲା କରୋନା ମହାମାରୀ ପରି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସୁଦ୍ଧା ଭାରତ ତା’ର ବିକାଶର ଧାରାକୁ ଅବ୍ୟାହତ ରଖିପାରିଛି। ଏହି ସମୟରେ କେବଳ ଚିକିତ୍ସା କ୍ଷେତ୍ରକୁ ଛାଡ଼ି ସାରା ବିଶ୍ୱର ସବୁପ୍ରକାର କାରବାର ପ୍ରାୟ ଠପ୍ ହୋଇଯାଇଥିଲା। ସବୁ ଦେଶ ପାଇଁ ଏହା ଏକ ଆହ୍ୱାନ ଥିଲା। ଭାରତ ପରି ଏକ ଜନବହୁଳ ଏବଂ ୬୦ ପ୍ରତିଶତ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ଦେଶ ପାଇଁ ଏହା ଥିଲା ସ୍ୱତନ୍ତ୍ର ଆହ୍ୱାନ। କିନ୍ତୁ ସେହି ସମୟରେ ୨୦୨୦ ମାର୍ଚ୍ଚ ମାସରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଆଜି ଦେଶକୁ ଏଭଳି ଏକ ସୁଦୃଢ଼ ସ୍ଥିତିରେ ପହଞ୍ଚାଇପାରିଛି।

ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହିସବୁ ନିଷ୍ପତ୍ତି ଭାରତୀୟ ଜନଜୀବନ ଓ ସାଂପ୍ରତିକ ପରିସ୍ଥିତିକୁ ନେଇ ଏକ ମୌଳିକ ସୃଜନର ପ୍ରମାଣ। ଏହା କୌଣସି ଦେଶରୁ ଆମଦାନି ହୋଇଥିବା ବା ପୁସ୍ତକରୁ ଗ୍ରହଣ କରାଯାଇଥିବା ଜ୍ଞାନ ନୁହେଁ। ସେଥିପାଇଁ ଏ ପ୍ରକାରର ନୀତି, ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ଅନୁଧ୍ୟାନଯୋଗ୍ୟ। ଏହା ଉପରେ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକ, ବିଶେଷ ଭାବରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଗବେଷଣା କରିବା ଓ ଶାସନ ବ୍ୟବସ୍ଥାକୁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଆବଶ୍ୟକ। ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରି ସାର୍ଟିଫିକେଟ୍ ଦେବାରେ ସୀମିତ ରହିବା ଉଚିତ୍ ନୁହେଁ।

ଭାରତର ପୁରାଣ ଓ ଇତିହାସ ଅନୁଧ୍ୟାନ କଲେ ଏହାର ଅନେକ ଦୃଷ୍ଟାନ୍ତ ମିଳେ। ରାମାୟଣ, ମହାଭାରତ ଓ ଗୁପ୍ତଯୁଗ କାଳରେ ଗୁରୁ ଏବଂ ଗୁରୁକୂଳମାନଙ୍କର ଭୂମିକା ରାଜ୍ୟର ସୁଶାସନରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଥିଲା। ମହର୍ଷି ବାଲ୍ମିକୀ, ବଶିଷ୍ଠଙ୍କ ଠାରୁ ଆରମ୍ଭ କରି ଆଚାର୍ଯ୍ୟ ଚାଣକ୍ୟଙ୍କ ପର୍ଯ୍ୟନ୍ତ ଶାସନତନ୍ତ୍ରକୁ ମାର୍ଗଦର୍ଶନ କରିବା, ଉପଯୁକ୍ତ ପରାମର୍ଶ ମାଧ୍ୟମରେ ନୀତି ପ୍ରଣୟନରେ ସହଯୋଗ କରିବା କଥା ସହିତ ସମସ୍ତେ ଅବଗତ। କିନ୍ତୁ ମାକଲେଙ୍କ ଶିକ୍ଷା ବ୍ୟବସ୍ଥାରେ ଏ ସମସ୍ତ ଦାୟିତ୍ୱ ବୋଧହୁଏ ଆମ ମନରୁ କ୍ରମେ ଅପସରି ଗଲା। ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଆଉ ପୂର୍ବବର୍ତ୍ତୀ ବ୍ୟବସ୍ଥାକୁ ଆସିବା ପାଇଁ ବାଟ ଭୁଲିଗଲେ। ନିଜସ୍ୱ ଜ୍ଞାନ ପରମ୍ପରାକୁ ନେଇ ଦେଶର ନାଗରିକମାନଙ୍କ ପାଇଁ ନିଜ ଦେଶର ନୀତି ନିର୍ଦ୍ଧାରଣର ଦାୟିତ୍ୱ ବହନ କରିବା ଆଜିର ବିଶ୍ୱବିଦ୍ୟାଳୟମାନଙ୍କର ନୈତିକ ଦାୟିତ୍ୱ ହେବା ଆବଶ୍ୟକ। ଆମର ମୌଳିକ ଚିନ୍ତାଧାରାର ବିକାଶ, ଆମର ସର୍ଜନଶକ୍ତିର ବିକାଶ ସେତେବେଳେ ହୋଇପାରିବ ଯେତେବେଳେ ଆମେ ନିଜର ସାମାଜିକ ସ୍ଥିତି ଓ ଆମର ସଂସ୍କୃତିକୁ ଅକ୍ଷୁଣ୍ଣ ରଖି ବିକାଶର ମାର୍ଗରେ ଦେଶକୁ ଆଗେଇ ନେବା। ଆଜିର ଶାସନ ବ୍ୟବସ୍ଥାରେ “ସର୍ବଜନ ହିତାୟ, ସର୍ବଜନ ସୁଖାୟ”ର ଆଦର୍ଶ ସର୍ବୋପରି ହେବା ବାଞ୍ଛନୀୟ।

ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଦେଶକୁ ଏକ ବିକଶିତ ଦେଶ ରୂପେ ଗଢ଼ିବାର ସଂକଳ୍ପ ପତ୍ର। ଦେଶରେ ଜ୍ଞାନ ଆଧାରିତ ତଥା ବିଜ୍ଞାନ ସମ୍ମତ ସମାଜ ଗଠନ ପାଇଁ ଏହା ଏକ ଦସ୍ତାବିଜ ଯାହାର ମୂଳଦୁଆ ଭାରତୀୟ ଜ୍ଞାନ ପରମ୍ପରା ଓ ସଭ୍ୟତା। ଏହି ଆଧାରରେ ଶିକ୍ଷା ବ୍ୟବସ୍ଥାର ଢାଞ୍ଚାଗତ ଓ ପ୍ରଣାଳୀଗତ ସଂସ୍କାରର ପ୍ରସ୍ତାବ ରଖାଯାଇଛି ଏବଂ ସେହି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକର ପୁନଃସଂରଚନା କରାଯାଉଛି। ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ସାମିଲ କରାଯାଇଛି, ଯାହା ଦ୍ୱାରା କି ଏକ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଶିକ୍ଷାନୀତିର ସଫଳ ରୂପାୟନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବିଭିନ୍ନ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ କାର୍ଯ୍ୟକ୍ରମମାନ ସ୍ଥିର କରି ଅଗ୍ରସର ହେବା ଆବଶ୍ୟକ।

ଦେଶ ଗଠନରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରୀୟ ଶିକ୍ଷାନୀତିର ପ୍ରସ୍ତାବ ଅନୁସାରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଗବେଷଣାକୁ ଅଧିକ ପ୍ରାଧାନ୍ୟ ଦେବା ଏବଂ ସ୍ୱତନ୍ତ୍ର ଭାବରେ ଗବେଷଣାତ୍ମକ ବିଶ୍ୱବିଦ୍ୟାଳୟ ଗଠନ କରିବା ପାଇଁ ନୀତି ପ୍ରଣୟନ ହୋଇଛି। ଏହା ବ୍ୟତୀତ ଗବେଷଣାକୁ ଶାଣିତ କରିବା ପାଇଁ ରାଷ୍ଟ୍ରୀୟ ଗବେଷଣା କେନ୍ଦ୍ର ଗଠନ କରାଯାଉଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟମାନଙ୍କ ଉପରେ ଦାୟିତ୍ୱ ଯେ ଏହାର ସୁଯୋଗ ସେମାନେ କିପରି ନେଇପାରିବେ। ଏଥିରେ ସନ୍ଦେହ ନାହିଁ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହେଉଥିବା ଅନୁସନ୍ଧାନମୂଳକ ସନ୍ଦର୍ଭଗୁଡ଼ିକର ଲକ୍ଷ୍ୟ ଔପଚାରିକ ତଥା ଯୋଗ୍ୟତା ପାହାଚରେ ଉପରକୁ ଉଠିବା ମଧ୍ୟରେ ସୀମିତ ରହିଯାଇଛି। ଏହାର ସାମାଜିକ ଦାୟିତ୍ୱ ବା ଉପଯୋଗିତା ଆଦୌ ରହୁନାହିଁ। ତେଣୁ ସମାଜର ବିକାଶ ପାଇଁ ସେ ସବୁର ଅବଦାନ କିଛି ରହୁନାହିଁ। ଯଦିବା କିଛି ଭଲ ଅନୁସନ୍ଧାନ କାର୍ଯ୍ୟ ହେଉଛି ସେଗୁଡ଼ିକର ସଂଖ୍ୟା ଅତି ନଗଣ୍ୟ। ଧୂଆମୂଳା ଅଧୁଆମୂଳା ସମାନ ନ୍ୟାୟରେ ଏ ସବୁ ସାମନାକୁ ଆସିପାରୁନାହିଁ। ଗୋଟିଏ ବିଶ୍ୱବିଦ୍ୟାଳୟକୁ ତା’ର ପ୍ରତିଷ୍ଠା ପାଇଁ ପୂର୍ବରୁ ଚଳି ଆସିଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଆବଶ୍ୟକ। ସେଥିପାଇଁ ପ୍ରୟୋଗାତ୍ମକ ଗବେଷଣା ଓ ମୌଳିକ ଚିନ୍ତାଧାରା ଆଧାରରେ ଅନୁସନ୍ଧାନମୂଳକ କାର୍ଯ୍ୟକ୍ରମ ବୃଦ୍ଧି ଲାଗି ବିଶ୍ୱବିଦ୍ୟାଳୟମାନଙ୍କୁ ପ୍ରୟାସ କରିବାକୁ ପଡ଼ିବ।

ଉଚ୍ଚଶିକ୍ଷା ସଂସ୍ଥା ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ପ୍ରଗତିକୁ ଆହୁରି ଦ୍ରୁତ ଗତିରେ ଆଗେଇ ନେବାରେ ଭୂମିକା ଗ୍ରହଣ କରିବାର ଲାଗି ସମୟ ଆସିଛି। ସେଥିପାଇଁ ଚଳିତ ଦଶନ୍ଧି ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ଓ ନୀତି ପ୍ରଣୟନ ପଛରେ ଥିବା ଚିନ୍ତାଧାରା ଓ କୌଶଳକୁ ଅନୁଧ୍ୟାନ କରିବା ଆବଶ୍ୟକ। ଆଶା ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନମାନେ ନିଜ ନିଜ ସ୍ତରରେ, ପଞ୍ଚାୟତ ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶର ବିକାଶରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
କୁଳପତି, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ