କିଛି ଦିନ ତଳେ ପ୍ରକାଶ ପାଇଥିବା ‘କ୍ଲାଇମେଟ୍ ଚେଞ୍ଜ ପର୍ଫୋମାନ୍ସ ଇଣ୍ଡେକ୍ସ (ସିସିପିଆଇ)-୨୦୨୩’ ବା ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ଭାରତ ପୂର୍ବ ବର୍ଷ ତୁଳନାରେ ଦୁଇଟି ପାହାଚ ଉପରକୁ ଚଢ଼ି ଅଷ୍ଟମ ସ୍ଥାନ ଅଧିକାର କରିଛି। ୨୦୦୫ ମସିହାରୁ ପ୍ରତି ବର୍ଷ ଜର୍ମାନ୍ ଵାଚ୍, ନ୍ୟୁ କ୍ଲାଇମେଟ୍ ଇନ୍ଷ୍ଟିଚ୍ୟୁଟ୍ ଓ କ୍ଲାଇମେଟ୍ ଆକ୍ସନ୍ ନେଟଵର୍କ ଇଣ୍ଟର୍ନେସ୍ନାଲ୍ ମିଳିତ ଭାବେ ପ୍ରକାଶ କରୁଥିବା ଉକ୍ତ ସୂଚକାଙ୍କରେ ପରିବେଶ ପରିବର୍ତ୍ତନ ମାମଲାରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନକାରୀ ପାଞ୍ଚଟି ଦେଶରେ ମଧ୍ୟ ସାମିଲ ହୋଇପାରିଛି। ସବୁ ବିଭାଗରେ ଆବଶ୍ୟକ ସୁଉଚ୍ଚ ‘ରେଟିଂ’ ପାଇବାରେ କୌଣସି ଦେଶ ସଫଳ ହୋଇ ନ ଥିବାରୁ ଏଥର ଏହାର ପ୍ରଥମ ତିନିଟି ସ୍ଥାନ ଶୂନ୍ୟ ରହିଛି। ସର୍ବୋଚ୍ଚ ସମୁଦାୟ ରେଟିଂ ସହିତ ଡେନ୍ମାର୍କ ଚତୁର୍ଥ ସ୍ଥାନରେ ରହିଛି।
ଏହା ପଛକୁ ଅଛନ୍ତି ସ୍ବିଡେନ (୫ମ), ଚିଲି (୬ଷ୍ଠ) ଓ ମରୋକ୍କୋ (୭ମ)। ମୂଲ୍ୟାଙ୍କନ ବେଳେ ଗ୍ରିନ୍ହାଉସ୍ ଗ୍ୟାସ୍ ନିର୍ଗମନ ବିଭାଗରେ ଭାରତରୁ ଉଚ୍ଚା ‘ରେଟିଂ’ ମିଳିଥିବା ବେଳେ ପରିବେଶ ନୀତି ଓ ନବୀକରଣଯୋଗ୍ୟ ଶକ୍ତି ବିଭାଗରେ ମଧ୍ୟମ ରେଟିଂ ମିଳିଛି। ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ତଥା ଶକ୍ତି ଅପଚୟ ହ୍ରାସ ଲାଗି ସୁଦୃଢ଼ ଭିତ୍ତିଭୂମି ଗଠନ ପାଇଁ ଭାରତ ପ୍ରଣୟନ କରିଥିବା କଠୋର ନୀତି ଯୋଗୁଁ ଏଭଳି ଅଗ୍ରସର ପରିଲକ୍ଷିତ ହୋଇଛି ବୋଲି ଭାରତୀୟ ଶକ୍ତି ମନ୍ତ୍ରାଳୟ ବିବୃତି ଜାରି କରିଛନ୍ତି। ସିସିପିଆଇ ରିପୋର୍ଟ ଅନୁଯାୟୀ ଭାରତ ୨୦୩୦ ସୁଦ୍ଧା ନିର୍ଗମନ ନିୟନ୍ତ୍ରଣ ଲକ୍ଷ୍ୟ ହାସଲ କରିବାର ମାର୍ଗରେ ଅଗ୍ରସର ହେଉଛି। କିନ୍ତୁ ନବୀକରଣଯୋଗ୍ୟ ଶକ୍ତି ମାମଲାରେ ୨୦୩୦ର ଲକ୍ଷ୍ୟ ହାସଲ ମାର୍ଗରେ ଭାରତ ପଛୁଆ ରହିଛି। ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଜି-୨୦ ଦେଶଗୁଡ଼ିକ ମଧ୍ୟରୁ ଭାରତ ହେଉଛି ଏକମାତ୍ର ଦେଶ ଯିଏ ଏହି ସୂଚକାଙ୍କର ୧୦ଟି ଦେଶ ତାଲିକରେ ସ୍ଥାନ ଅଧିକାର କରିଛି।