ଚୀନ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଉଥିବା ବ୍ୟାପକ ଜନ ବିରୋଧ ବର୍ତ୍ତମାନ ସର୍ବତ୍ର ଚର୍ଚ୍ଚାର ବିଷୟ ପାଲଟିଛି; କାରଣ ନିଜକୁ ଏକ ଗଣତନ୍ତ୍ର ବୋଲି ଚିହ୍ନାଉ ଥିବା ଏକଛତ୍ରବାଦୀ କମ୍ୟୁନିଷ୍ଟ ଚୀନରେ ଏଭଳି ନାଗରିକ ପ୍ରଦର୍ଶନମାନ ଆଦୌ ଦୃଷ୍ଟିଗୋଚର ହୋଇ ନ ଥାଏ। ତେଣୁ ସ୍ବାଭାବିକ ଭାବେ ଏହି ପରିସ୍ଥିତି ଆଜିକୁ ତେତିଶ ବର୍ଷ ତଳେ ହୋଇଥିବା ‘ଟିଆନାନମାନ ଛକ’ର ବିଶାଳ ଜନ ଆନ୍ଦୋଳନ ବିଷୟ ସ୍ମରଣକୁ ଆଣିଥାଏ, ଯାହାକୁ ଅତ୍ୟନ୍ତ ନିଷ୍ଠୁରତାର ସହିତ ଦମନ କରାଯାଇଥିଲା। ତେବେ, ଏହି ଦୁଇ ଜନ ବିରୋଧ ମଧୢରେ ଏକ ପ୍ରଭେଦ ରହିଛି; ଯାହା ହେଲା ଗଣତନ୍ତ୍ରକାମୀ ମତାଦର୍ଶ ଏବ˚ ସ˚ଗଠିତ ନେତୃତ୍ବ ଦ୍ବାରା ପରିଚାଳିତ ‘ଟିଆନାନମାନ’ ଆନ୍ଦୋଳନ କେବଳ ବେଜି˚ ମହାନଗର ମଧୢରେ ସୀମାବଦ୍ଧ ଥିଲା ବେଳେ ବର୍ତ୍ତମାନର ସ୍ବତଃସ୍ଫୂର୍ତ୍ତ ବିରୋଧ ନେତୃତ୍ବରହିତ ହୋଇଥିଲେ ସୁଦ୍ଧା ବ୍ୟାପକ ଏବ˚ ଏହା ପଛରେ କୌଣସି ବୈଚାରିକ ଆଲୋଡ଼ନ ପରିବର୍ତ୍ତେ ରହିଛି ବନ୍ଧନରୁ ମୁକ୍ତି ଲାଭ କରିବା ସକାଶେ ଏକ ମର୍ମଭେଦୀ ବ୍ୟାକୁଳତା। ଏହି ପରିପ୍ରେକ୍ଷୀରେ ଚୀନର ସା˚ପ୍ରତିକ ପରିସ୍ଥିତି ଉପରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ବର୍ତ୍ତମାନ ପୃଥିବୀର ଅଧିକା˚ଶ ରାଷ୍ଟ୍ର କୋଭିଡ୍ ପାନ୍ଡେମିକ୍ର ରାହୁ-ଛାୟାରୁ ମୁକ୍ତ ହେବାକୁ ଲାଗିଥିବା ବେଳେ ଚୀନ ଏ ଯାବତ୍ ଅତ୍ୟନ୍ତ କଠୋର ଲକ୍ଡାଉନ୍ ଅଧୀନରେ ରହିଛି, ଯାହା ସେଠାକାର ନାଗରିକମାନଙ୍କୁ ନିଃସଙ୍ଗତା, ଅସହାୟତା, ରୋଜଗାରଶୂନ୍ୟତା ଏବ˚ ଏପରିକି ବୁଭୁକ୍ଷା ମଧୢକୁ ନିକ୍ଷେପ କରିଛି। ଏହାର କାରଣ ଚୀନ ସରକାରଙ୍କ ଦ୍ବାରା ଗୃହୀତ ‘ଶୂନ୍ୟ କୋଭିଡ୍’ ନୀତି, ଯହିଁରେ କୋଭିଡ୍ ସ˚କ୍ରମଣର ସାମନ୍ୟତମ ପଦ-ଚିହ୍ନ ଦୃଷ୍ଟିଗୋଚର ହେବା ମାତ୍ରକେ ସମଗ୍ର ସହର ବା ଜନବସତିକୁ ଦୀର୍ଘକାଳୀନ ‘ଲକ୍ଡାଉନ୍’ରେ ଆବଦ୍ଧ କରି ଦିଆଯାଉଛି। ତଥାପି ହୁଏ’ତ ଏହା ସହନୀୟ ହୁଅନ୍ତା, ଯଦି ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ଏହି ନୀତିକୁ ଏକମାତ୍ର ମୁଖ୍ୟ ପଦ୍ଧତି ଭାବେ ସ୍ବୀକାର କରି କୋଭିଡ୍ ମୁକାବିଲା କରୁଥାଆନ୍ତେ! କିନ୍ତୁ ବାସ୍ତବରେ ‘ଲକ୍ଡାଉନ୍’ ସହିତ ଅନ୍ୟାନ୍ୟ ବିକଳ୍ପ ମାର୍ଗ ଅନୁସରଣ କରି ଅଧିକା˚ଶ ରାଷ୍ଟ୍ର ଏବେ ମୋଟାମୋଟି ଭାବେ କୋଭିଡ୍ ମୁକ୍ତ ହୋଇସାରିଛନ୍ତି! ଇତି ମଧୢରେ ଅଷ୍ଟ୍ରେଲିଆ ଏବ˚ ସିଙ୍ଗାପୁର ମଧୢ ‘ଶୂନ୍ୟ କୋଭିଡ୍’ ନୀତିର ବ୍ୟର୍ଥତା ହୃଦୟଙ୍ଗମ କରି ତାହା ପରିହାର କରି ସାରିଲେଣି। ଅପର ପକ୍ଷେ ଚୀନ ସରକାର ‘ଲକ୍ଡାଉନ’କୁ କଠୋରରୁ କଠୋରତର କରି ଚାଲିଛନ୍ତି, ଯାହା ଚୀନ ନାଗରିକଙ୍କୁ ଏକ ଅନ୍ତହୀନ ବନ୍ଦୀ ଜୀବନ ଅତିବାହିତ କରିବାର ଆଶଙ୍କା ଦ୍ବାରା ଜଡ଼ସଡ଼ କଲାଣି। ସୁତରା˚, ମୁକ୍ତ ଜୀବନ ଜିଇବାର ଆକୁଳତା ଏଭଳି ଏକ ଜନ ବିରୋଧ ସୃଷ୍ଟି କରିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରେ କୋଭିଡ୍ ପାନ୍ଡେମିକ୍ ମୁକାବିଲାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ କିଂକର୍ତ୍ତବ୍ୟବିମୂଢ଼ ପୃଥିବୀ ସମ୍ମୁଖରେ ମାର୍ଗ-ଦର୍ଶକ ଭାବେ ଚୀନ (କାରଣ ଚୀନର ଉହାନ ଥିଲା କୋଭିଡ୍ ଦ୍ବାରା ଜର୍ଜର ପୃଥିବୀର ପ୍ରଥମ ଜନବସତି) ‘ଲକ୍ଡାଉନ୍’ ରୂପକ ଆୟୁଧ ସହିତ ଆବିର୍ଭୂତ ହୋଇଥିଲା, ଯଦିଓ ଏହି କ୍ରୂର ବଳ-ପ୍ରୟୋଗକାରୀ ପଦ୍ଧତି ଅନୁସରଣ କରିବା ଅନେକ ଗଣତାନ୍ତ୍ରିକ ରାଷ୍ଟ୍ର ସକାଶେ ଆହ୍ବାନ ସୃଷ୍ଟି କରିଥିଲା; ଯେଉଁ କାରଣରୁ ଆଦ୍ୟ ଭାଗରେ କୋଭିଡ୍ ମୁକାବିଲା କ୍ଷେତ୍ରରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଚୀନ ତୁଳନାରେ ଅଧିକ ବିଫଳ ହୋଇଥିଲେ। କିନ୍ତୁ କାଳ କ୍ରମେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ବାତାୟନ ଦେଇ ମୁକ୍ତ ବିଚାରର ମଳୟ ପ୍ରବାହିତ ହୋଇ ‘ଲକ୍ଡାଉନ୍’ ସହିତ ଉନ୍ନତ ମାନର ପ୍ରତିଷେଧକ ଓ ଚିକିତ୍ସା ପଦ୍ଧତିର ବିକାଶ ଏବ˚ ଦୁର୍ଜେୟ କୋଭିଡ୍ ଭୂତାଣୁର ଉପସ୍ଥିତିକୁ ବିନମ୍ରତାର ସହିତ ସ୍ବୀକାର କରି ତା’ ସହିତ ବଞ୍ଚି ରହିବା ଲାଗି ମାନସିକ ପ୍ରସ୍ତୁତି ଭଳି ବିକଳ୍ପଗୁଡ଼ିକର ଆବିର୍ଭାବ ଘଟାଇ ଥିଲା।
ସୁତରା˚, କୋଭିଡ୍ର ତିନିଟି ଉତ୍ତାଳ ତରଙ୍ଗରେ ମଗ୍ନ ହୋଇ ପୃଥିବୀର ଅଧିକା˚ଶ ରାଷ୍ଟ୍ର ଅନେକ ଟ୍ରାଜେଡି ଦେଖିଥିଲେ ମଧୢ ଘଟଣା କ୍ରମେ ‘ହର୍ଡ ଇମ୍ୟୁନିଟି’ ବା ‘ଗୋଷ୍ଠୀ ପ୍ରତିରୋଧକ ଶକ୍ତି’ ଆହରଣ କରିବା ସହିତ ଉନ୍ନତ ମାନର ଭ୍ୟାକସିନ ମାଧୢମରେ କୋଭିଡ୍ ଭୂତାଣୁକୁ କ୍ରମେ ନିଷ୍ପ୍ରଭ କରିବାରେ ସମର୍ଥ ହୋଇଛନ୍ତି। ଅନ୍ୟ ପକ୍ଷରେ ଚୀନ୍ କେବଳ ‘ଲକ୍ଡାଉନ୍’କୁ କୋଭିଡ୍ ମୁକାବିଲାର ବ୍ରହ୍ମାସ୍ତ୍ର ଭଳି ବ୍ୟବହାର କରୁଥିବାରୁ ସେଠାକାର ନାଗରିକମାନଙ୍କ ମଧୢରେ ‘ହର୍ଡ୍ ଇମ୍ୟୁନିଟି’ ବା ‘ଗୋଷ୍ଠୀ ପ୍ରତିରୋଧିକ ଶକ୍ତି’ ସୃଷ୍ଟି ହୋଇ ପାରିନାହିଁ ଏବ˚ ଚୀନ ଦ୍ବାରା ବିକଶିତ ଭ୍ୟାକ୍ସିନ୍ର ନୈରାଶ୍ୟଜନକ ଫଳପ୍ରଦତା ସତ୍ତ୍ବେ ଅନ୍ୟ ଉତ୍ତମ ଭ୍ୟାକ୍ସିନ୍ ବ୍ୟବହାର କରିବାରେ ଚୀନର ତୀବ୍ର ଅନାଗ୍ରହ ସେହି ରାଷ୍ଟ୍ରକୁ ଏ ଯାବତ୍ ଭୂତାଣୁର ଚାରଣ ଭୂମି କରି ରଖିଛି। ଏହି ସ୍ତମ୍ଭ ଲେଖା ହେବା ବେଳକୁ ଚୀନ୍ରେ ଦୈନିକ ସ˚କ୍ରମଣ ସ˚ଖ୍ୟା ଥିଲା ପ୍ରାୟ ୩୫ ହଜାର। ଏ ସବୁ ଦୃଷ୍ଟିରୁ ବିଚାର କଲେ ମନେ ହୋଇଥାଏ ଯେ କୋଭିଡ୍ ମୁକାବିଲାର ମାର୍ଗଦର୍ଶକ ରୂପେ ଚୀନର ଅହମିକା ତାକୁ ‘ଲକ୍ଡାଉନ୍’ର ବନ୍ଧନରେ ବନ୍ଦୀ କରି ରଖିଥିବାରୁ ଏଭଳି ଦଶା ହୋଇଛି।
କୋଭିଡ୍ ସ˚କ୍ରମିତଙ୍କ ଉପରେ ଦୃଷ୍ଟି ରଖାଯିବା ଆଳରେ ଚୀନ ସରକାର ଯେଉଁ ‘ହେଲ୍ଥ କୋଡ୍’ ନାମକ ଆପ୍ର ବ୍ୟବହାରକୁ ବାଧୢତାମୂଳକ କରିଛନ୍ତି, ତାହା ନାଗରିକମାନଙ୍କ ବ୍ୟକ୍ତିଗତ ଜୀବନ ମଧୢକୁ ଧସେଇ ପଶି ସେମାନଙ୍କ ସମସ୍ତ କାର୍ଯ୍ୟକଳାପ ଉପରେ ଏକ ଗୃଧ୍ର ଦୃଷ୍ଟି ରଖିଛି, ଯାହା ଘୋର ଜନ ବିରକ୍ତି ସୃଷ୍ଟି କଲାଣି। ପୁଣି, ‘ହେଲ୍ଥ କୋଡ୍’ ଆପ୍ର ସବୁଜ ସ˚କେତ ହିଁ ନାଗରିକମାନଙ୍କ ମୁକ୍ତ ବିଚରଣକୁ ସମ୍ଭବ କରୁଥିବାରୁ ଏଭଳି ସନ୍ଦେହ ମଧୢ ବଦ୍ଧମୂଳ ହେଲାଣି ଯେ ଜନ ବିରୋଧକୁ ପ୍ରଶମିତ କରିବା ସକାଶେ ସରକାରଙ୍କ ନିର୍ଦ୍ଦେଶରେ ଅସ˚ଖ୍ୟ ସୁସ୍ଥ ଲୋକଙ୍କୁ ‘ସବୁଜ ସ˚କେତ’ ପ୍ରଦାନ କରା ନ ଯାଇ ଗୃହ ବନ୍ଦୀ ତୁଲ୍ୟ ଆବଦ୍ଧ କରି ରଖା ଯାଇଛି। କିନ୍ତୁ ଏଭଳି ସ୍ଥଳେ ବନ୍ଧନରୁ ମୁକ୍ତି ପାଇବାର ଦୁର୍ବାର କାମନା କୌଣସି ନା କୌଣସି ବାଟ ଖୋଜି ନେଉଥିଲା ଭଳି ଚୀନ ଅଧିବାସୀମାନେ ‘ଡେଟି˚’ ଆପ୍ (ପ୍ରେମ ସ˚ପର୍କ ସ୍ଥାପନ ଲାଗି ଉଦ୍ଦିଷ୍ଟ) ଜରିଆରେ ତହିଁରେ ଥିବା ସ୍ବଚ୍ଛନ୍ଦ ମିଳନର ସୁଯୋଗ ନେଇ ଏକଜୁଟ ହେବାରେ ଲାଗିଛନ୍ତି, ଯାହା ବିରୋଧକୁ ଏକ ବ୍ୟାପକତା ଓ କେତେକ ସ୍ଥଳରେ ତୀବ୍ରତା ପ୍ରଦାନ କରିଛି।
ଏହି କ୍ରମରେ କୌତୂହଳପୂର୍ଣ୍ଣ ଭାବେ ଦେଖିବାକୁ ମିଳୁଛି ଯେ କେତେକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କାଗଜରେ ‘ଫ୍ରିଡ୍ମ୍ୟାନ୍ ଇକ୍ବେସନ’ ନାମକ ଏକ ଜଟିଳ ଗଣିତ ସମୀକରଣ ଲେଖି ତାକୁ ବିରୋଧର ପ୍ଲାକାର୍ଡ ରୂପେ ପ୍ରଦର୍ଶନ କରୁଛନ୍ତି। ପ୍ରକାଶ ଥାଉ କି ରୁଷୀୟ ପଦାର୍ଥ ବିଜ୍ଞାନୀ ତଥା ଗଣିତଜ୍ଞ ଆଲେକଜାଣ୍ତର ଫ୍ରିଡ୍ମ୍ୟାନ ୧୯୨୨ ମସିହାରେ ଏହି ସମୀକରଣ ମାଧୢମରେ ସର୍ବପ୍ରଥମେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ ଅନ୍ତରୀକ୍ଷ ଚିରନ୍ତନ ଭାବେ ପରିବର୍ଦ୍ଧନ ଏବ˚ ସ˚କୋଚନଶୀଳ ଏବ˚ ପ୍ଲାକାର୍ଡରେ ପ୍ରଦର୍ଶିତ ହେଉଥିବା ତାଙ୍କର ପ୍ରଥମ ସମୀକରଣଟି ଅନ୍ତରୀକ୍ଷର ଆକାରରେ ବୃଦ୍ଧିର ହାର ସ˚ପର୍କରେ ସୂଚାଇ ଥାଏ। ଅନେକଙ୍କ ମତରେ ଏହି ସ˚କେତଧର୍ମୀ ସନ୍ଦେଶ ଦ୍ବାରା ଛାତ୍ରଛାତ୍ରୀମାନେ ଏକ ପରିବର୍ଦ୍ଧନଶୀଳ ପ୍ରଶସ୍ତମନା ସରକାରର ଆବଶ୍ୟକତା ଦିଗକୁ ସମ୍ଭବତଃ ଇଙ୍ଗିତ କରିଥାଆନ୍ତି। କିନ୍ତୁ ଅଧିକା˚ଶଙ୍କ ମତରେ ଫ୍ରିଡ୍ମ୍ୟାନଙ୍କ ନାମଟି ‘ଫ୍ରି ମ୍ୟାନ’ ବା ‘ସ୍ବାଧୀନ ମନୁଷ୍ୟ’ ଭଳି ଶୁଭୁ ଥିବାରୁ ସେହି ନାମ ସହିତ ସ˚ଶ୍ଳିଷ୍ଟ ସମୀକରଣଟିର ବ୍ୟବହାର କରାଯାଇଛି।
କିନ୍ତୁ କେବଳ ଏଭଳି ସୂକ୍ଷ୍ମ ଇଙ୍ଗିତଧର୍ମୀ ବାର୍ତ୍ତା ଜରିଆରେ ନୁହେଁ, ଅତ୍ୟନ୍ତ ରୋକଠୋକ ଭାବେ ମଧୢ ଚୀନର ଏକଛତ୍ରବାଦୀ ଶାସକଙ୍କ ବିତାଡ଼ନ ଲାଗି ଡାକରା ଦେଇ ବ୍ୟାନରମାନ ମଧୢ ଦୃଷ୍ଟିଗୋଚର ହେବାରେ ଲାଗିଛି, ଯହିଁରେ କ୍ରୀତଦାସ ଭାବେ ନୁହେଁ, ନାଗରିକ ଭାବେ ଜୀବନ ବିତାଇବାର ଆକୁଳ ସ୍ପୃହା ଦେଖିବାକୁ ମିଳିଥାଏ। ତେବେ, ଏକ ଅତ୍ୟନ୍ତ ବିରଳ ଏବଂ ଅର୍ଥପୂର୍ଣ୍ଣ ପ୍ରତିବାଦ ସ୍ବରୂପ ଅନେକ ଚୀନ ନାଗରିକ ସ˚ପୂର୍ଣ୍ଣ ଧଳା କାଗଜକୁ ବିରୋଧର ପ୍ଲାକାର୍ଡ ଭାବେ ବ୍ୟବହାର କରୁଛନ୍ତି; ଯାହା ଚୀନରେ ମୁକ୍ତ ଅଭିବ୍ୟକ୍ତିର ଅନୁପସ୍ଥିତିକୁ ଦର୍ଶାଇଥାଏ। କିନ୍ତୁ ଏହି ପରିପ୍ରେକ୍ଷୀରେ ଚୀନ ସରକାରଙ୍କ ପିଲାଳିଆ କାର୍ଯ୍ୟାନୁଷ୍ଠାନ ପ୍ରସିଦ୍ଧ ଲେଖକ ଆଲବେର କାମ୍ୟୁଙ୍କୁ ସହସା ସ୍ମରଣକୁ ଆଣିଥାଏ, ଯିଏ କହିଥିଲେ ଯେ ଏକଛତ୍ରବାଦୀ ଶାସନରେ ‘ନିରୀହ’ ବୋଲି କିଛି ହେଲେ ନ ଥାଏ; ଅର୍ଥାତ୍ ଏକଛତ୍ରବାଦ ବିରୋଧରେ ସବୁ କିଛି ପ୍ରତିବାଦର ପ୍ରତୀକ ରୂପେ ଅର୍ଥ ଲାଭ କରି ପାରନ୍ତି; ଯେମିତି ‘ଧଳା କାଗଜ’ ଏବେ କରିଛି ଏବଂ ଯେଉଁ କାରଣରୁ ଚୀନ ସରକାର ଅନେକ ସହରରେ ଧଳା କାଗଜକୁ ମଧୢ ନିଷେଧ କରିବା ଆରମ୍ଭ କରିଛନ୍ତି।