ସାମାଜିକ ଶୃଙ୍ଖଳାର ବଡ଼ ଆବଶ୍ୟକତା ହେଉଛି ନୀତି, ନିୟମର ଅନୁପାଳନ। ଆମେ ଯେ ନୈରାଜ୍ୟ ବା ଅରାଜକତାର କଥା କହୁ ତାହା ଏଇ ଆଇନ ଶୃଙ୍ଖଳାର ଅନୁପସ୍ଥିତି କାରଣରୁ ହିଁ ଘଟିଥାଏ। ଯେଉଁଠି ଆଇନ ଶାସନ କରେ ସେଠାରେ ଶାସକ ଗୌଣ। ଲୋକେ ଶୃଙ୍ଖଳାକୁ ମାନି ଚଳିଲେ ସାମାଜିକ ଜୀବନ ଆପେ ସୁଖମୟ ହୁଏ। ତାହା ହିଁ ଗଣତନ୍ତ୍ରର ଅସଲ ଭିତ୍ତିଭୂମି। ଆଇନର ଶାସନ। ଆଇନ ଆଗରେ ସମସ୍ତେ ସମାନ।
ରାଜତନ୍ତ୍ରରେ ପ୍ରଚଳିତ ଆଇନ ପଛରେ ଜନସମର୍ଥନ ନ ଥାଏ କି ତାହା ସବୁବେଳେ ଲିଖିତ ନୁହେଁ। ରାଜାଙ୍କ ମୁହଁରୁ ଯାହା ବାହାରିଲା ତାହା ହିଁ ଆଇନ। ଜଣେ ରାଜା ଚାହିଁଲେ ଏକ ମୌଖିକ ନିର୍ଦ୍ଦେଶରେ ହଜାର ହଜାର ବର୍ଷରୁ ପ୍ରତିପାଳିତ ନିୟମକୁ ବିନା ଜନସମର୍ଥନରେ ଲାଗୁ କରିଦେଇପାରନ୍ତି। ତାହା ହିଁ ଘଟିଛି ଅନେକ ସ୍ବେଚ୍ଛାଚାରୀ ରାଜା, ମହାରାଜା, ସମ୍ରାଟଙ୍କ କ୍ଷେତ୍ରରେ। ମାତ୍ର ଗଣତନ୍ତ୍ରରେ ତାହା ସମ୍ଭବ ନୁହେଁ। ଗଣତନ୍ତ୍ରରେ ଯେ ଅନ୍ଧ ଗୋଡ଼ାଣିଆ ନ ଥାନ୍ତି ସେ କଥା ନୁହେଁ ହେଲେ ବିରୋଧୀ ଦଳ ଏହାର ଏକ ପ୍ରମୁଖ ଅଂଶ ହୋଇଥିବାରୁ ତାହା ଅନେକ ସମୟେର ସ୍ବେଚ୍ଛାଚାରିତାକୁ ସାମନା କରେ।
ପୂର୍ବରୁ ଆମ ଏ ଭାରତରେ ରାଜତନ୍ତ୍ର ଥିଲା ଏକ ଚିରାଚରିତ ଶାସନ ବ୍ୟବସ୍ଥା। ଏପରି କି ସ୍ବାଧୀନତା ପାଇ ସଂବିଧାନ ଲାଗୁ କରିବାର ଅବ୍ୟବହିତ ପୂର୍ବରୁ ଭାରତ ଭୂଖଣ୍ଡର ଶତକଡ଼ା ୪୦ ଭାଗ ଥିଲା ରାଜାଶାସିତ ଅଞ୍ଚଳ। ସେତେବେଳେ ଭାରତୀୟ ଜନସଂଖ୍ୟାର ଶତକଡ଼ା ୨୩ ଭାଗ ଥିଲେ ରାଜାଶାସିତ ପ୍ରଜା। ରାଜା-ନିୟନ୍ତ୍ରିତ ଶାସନକୁ ବ୍ରିଟିସ୍ ଭାରତର ଲୋକେ କହୁଥିଲେ ଅନ୍ଧାରୀ ଶାସନ। କାରଣ ସେଠାରେ ଆଇନ କାନୁନ୍ ବିଶେଷ ଭାବରେ ଥିଲା ମୌଖିକ। ବ୍ରିଟିସ୍-ପରିଚାଳିତ ପ୍ରାଦେଶିକ ଅଞ୍ଚଳର ଲୋକ ଟିକଲ କରି କହୁଥିଲେ- ‘‘ଅମୁକ ରାଜ୍ୟର ଟିକସ କେତେ?/ ମାରୁ ମାରୁ ଉଠିଲା ଯେତେ’’। ଅର୍ଥାତ୍ ହୁଙ୍କାପିଟା ନ୍ୟାୟରେ ପ୍ରଜାଙ୍କୁ ନାନା ଉପାୟରେ ଶୋଷଣ କରି, ମାରି ଧରି ଯେତେ ଆଦାୟ ହୋଇପାରିଲା। ଅଧିକାଂଶ ଅଞ୍ଚଳରେ ଏପରି କି ଇଷ୍ଟେଟ୍ ବା ଜମିଦାରୀଗୁଡ଼ିକରେ ସେଇ ଏକା କଥା ଥିଲା। ପ୍ରଦେଶାନ୍ତର୍ଗତ ଭୂଖଣ୍ଡ ହୋଇଥିଲେ ମଧ୍ୟ ଜମିଦାରୀ ଅଞ୍ଚଳ ଥିଲା ଅନ୍ଧାରୀ ମୁଲକ। ନିୟମ ଥିଲା, ନୀତି ନ ଥିଲା। ଆଳି ଭଳି ଜମିଦାରୀରେ ଲୋକେ ନିଶ ରଖିଲେ ନିୟମ ବିରୁଦ୍ଧ କହି ସେମାନଙ୍କ ନିଶ ଗୋଟି ଗୋଟି କରି ଉପାଡ଼ି ଦିଆଯାଉଥିଲା। ଆପେ ଜମିଦାରମାନେ ନିଜକୁ ରାଜା ବୋଲି ଘୋଷଣା କରୁଥିଲେ।
ଆଶ୍ଚର୍ଯ୍ୟର କଥା ଭାରତର ଇତିହାସ ମୁଖ୍ୟତଃ ବ୍ରିଟିସ୍ ଅମଳର ପ୍ରାଦେଶିକ ଇତିହାସରେ ସୀମିତ। ଖୁବ୍ କମ୍ ରାଜ୍ୟ ଶାସନର ଇତିହାସ ଆମ ପାଖରେ ଉପଲବ୍ଧ। ମାତ୍ର ରାଜ୍ୟ ଓ ପ୍ରଦେଶ ମଝିରେ ଥିବା ଏ ଇେଷ୍ଟଟ୍ ବା ଜମିଦାରୀଗୁଡ଼ିକର ଇତିହାସ ନାହିଁ କହିଲେ ଚଳେ।
ରାଜ୍ୟ ଓ ଜମିଦାରୀରେ ଆଇନର ଶାସନ ବୋଲି କିଛି ନ ଥିଲା। ଥିଲା ହୁକୁମ୍ର ଶାସନ। ରାଜା ବା ଜମିଦାରଙ୍କ ହୁଙ୍କାର ଥିଲା ସବୁଠାରୁ ବଡ଼ ହୁକୁମ୍। ଯେତେ ଯିଏ ପ୍ରାଣୀ ପୋଷିଛ, ଯାହାର ଲାଞ୍ଜ ଅଛି ସେଇ ଅନୁସାରେ ‘‘ଲାଞ୍ଜ-ଟିକସ’’ ବା ‘‘ଲାଞ୍ଜ-କର’’ ଦିଅ। ଏମିତି ବି ହୁକୁମ୍ ଥିଲା କିଛି କିଛି ଗଡ଼ଜାତ ରାଜ୍ୟରେ।
ଆଜି ସ୍ବାଧୀନ ଭାରତରେ ସାଂବିଧାନିକ ବ୍ୟବସ୍ଥା ଅନୁଯାୟୀ ଗଣତନ୍ତ୍ରର ଶାସନ ଚାଲିଛି। ଗଣତନ୍ତ୍ରର ଶାସନ କହିଲେ ଯେମିତି ଆଇନର ଶାସନ, ସେମିତି ବି ଦାୟିତ୍ବମୂଳକ ଶାସନ। ଏ ଦାୟିତ୍ବ କେବଳ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ସାଂସଦ ବା ବିଧାୟକଙ୍କର ନୁହେଁ, ଏହା ଜନସାଧାରଣଙ୍କ ଦାୟିତ୍ବ ସହ ଯୋଡ଼ା। କେହି କେହି ବାବୁଭାୟା ଲୋକ ଗୋଡ଼ ଉପରେ ଗୋଡ଼ ପକେଇ ମନ୍ତବ୍ୟ ବାଢ଼ନ୍ତି, ‘‘ଯାଃ ଏ ଗଣତନ୍ତ୍ର ଶାସନ କାମକୁ ନୁହେଁ, କେଉଁଠି ଆଇନ ଶୃଙ୍ଖଳା ନାହିଁ।’’ ଅଥଚ ସେଇ ନିଜେ କେତେ ଆଇନକୁ ସ୍ବାର୍ଥ ପାଇଁ ମୋଡ଼ିଥିବେ, କେତେ ଶୃଙ୍ଖଳା ଭାଙ୍ଗିଥିବେ, ଘର ପାଚେରିକୁ ତିନିଫୁଟ ଆଗକୁ ଘୁଞ୍ଚେଇ ପ୍ରାଣ ଶୀତଳ କରିଥିବେ।
ଶାସନକୁ ଦୋଷ ଦେବା ସହଜ ମାତ୍ର ନିଜକୁ ପଚାରିବା ସହଜ ହୁଏ ନାହିଁ। ଏହାର ମୂଳ କାରଣ ରହିଛି ଆଇନର ଶାସନ ସହ ଆମ ନିଜସ୍ବ ଅଭିଜ୍ଞତାର ଅଭାବ। ଆମକୁ ଦୀର୍ଘବର୍ଷ ଧରି ଗୋରାମାନେ ଶାସନ କଲେ। ସେଇମାନଙ୍କ ଆଇନ ଏ େଦଶରେ ଚାଲିଲା। ଅନେକ ବର୍ଷ କାହିଁକି ଶେଷଯାଏ ଗୋରାଙ୍କ ପାଇଁ ଯେଉଁ ଆଇନ ଥିଲା ତାହା ବାଦାମୀ ଭାରତୀୟଙ୍କ ପାଇଁ ନ ଥିଲା।
ମନେ ପକାଇବା ୧୯୧୯ର ରାଓଲାଟ୍ ଆଇନ କଥା। ବିନା ବିଚାରରେ ଭାରତୀୟଙ୍କୁ ବନ୍ଦୀ କରାଯାଇପାରିବ। ଗାନ୍ଧୀଜୀ ଏହାକୁ କଳା ଆଇନ ଘୋଷଣା କଲେ। ସେଇବାଟେ ଗାନ୍ଧୀ ଆସିଗଲେ ଭାରତୀୟ ମାନଚିତ୍ରକୁ। ଗୋଟାଏ ବର୍ବର ଗୋରା ସାମରିକ ଅଫିସରର ମୂର୍ଖାମି ଯୋଗୁଁ ଜାଲିଆନଵାଲାବାଗ୍ ହତ୍ୟାକାଣ୍ଡ ହେଲା। ତାହା ହିଁ ଅସହଯୋଗକୁ ଡାକି ଆଣିଲା ଭାରତ ଭୂଇଁକୁ। ସେଇଠୁ ଅସଲ ପତନ ଆରମ୍ଭ ହେଲା ବ୍ରିଟିସ୍ ସରକାରର। ଗାନ୍ଧୀଗୋଳର ଅଭ୍ୟୁଦୟ ହେଲା।
ସ୍ବାଧୀନତା ପାଇବା ଯାଏ ବ୍ରିଟିସ୍ ଶାସନର ମିଛ ଆଶ୍ବାସନା ଉପରେ ଭରସା ନ ଥିଲା ଭାରତୀୟଙ୍କର। ଗାନ୍ଧୀଙ୍କ ସହଯୋଗ ସେଇ ରାଓଲାଟ୍ କଳା-ଆଇନ ହିଁ ବଦଳାଇଦେଲା। ଏଡ୍ମଣ୍ଡ ବର୍କ ତ ବ୍ରିଟିସ୍ ପାର୍ଲାମେଣ୍ଟରେ ଆଗରୁ କହି ଦେଇଥିଲେ- ‘‘ତୁମେ ନିଜ ଦେଶରେ ଗଣତନ୍ତ୍ର ଅଥଚ ବାହାରେ ଏକଛତ୍ର ଶାସନ ଚଳାଇ ପାରିବ ନାହିଁ।’’ ଦୋ ମୁହାଁ ବ୍ରିଟିସ୍। ଆଇନର ଶାସନ ଧୂଆଁବାଣ ପାଲଟି ଥିଲା ସାରା ଭାରତ ମୁଲକରେ।
ତାହା ୭୫ ବର୍ଷ ତଳର କଥା। ଆମେ ଏବେ ଗଣତନ୍ତ୍ରରେ। ଆପଣା ଶାସନରେ, ସ୍ବରାଜରେ, ଦାୟିତ୍ବବାନ୍ ପରିଧିରେ। ଆଇନ ଭାଙ୍ଗିଲେ କେମିତି ହେବ? ସଂବିଧାନକୁ ନ ଜାଣିଲେ, ନ ବୁଝିଲେ, ସମ୍ମାନ ନ କଲେ ଗଣତନ୍ତ୍ର ଚାଲିବ କେମିତି?
ଅାମେ ପରାଧୀନ ଅବସ୍ଥାରେ ଥିବାବେଳର ଆଇନଗତ ଧାରାଟିକୁ ବୁଝିଯିବା ଉଚିତ। ଅନେକ ସ୍ବାଧୀନ ଭାରତର ସରକାରକୁ ପୁରୁଣା ବିଦେଶୀ ସରକାରକୁ ଦେଖିଲା ଭଳି ଦେଖନ୍ତି। ସେଇ କାରଣରୁ ପାକଳ ପାଲଟି ସାରିଥିବା ଛାତ୍ରଛାତ୍ରୀ ମଧ୍ୟ ଦେଶର ସମ୍ପତ୍ତିକୁ ବିଦେଶୀ ସରକାରର ସମ୍ପତ୍ତି ଭଳି ପୋଡ଼ାଜଳା କରନ୍ତି। ଟ୍ରେନ୍ ପୋଡ଼ିଲେ, ବସ୍ ପୋଡ଼ିଲେ, ପୋଲ ଉଡ଼େଇଲେ କିଏ କାହାର ପୋଡୁଛି ବା ଉଡ଼ାଉଛି? କେଉଁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ନିଜ ସମ୍ପତ୍ତିରୁ ତା’ର ଭରଣା କରିବେ ନାହିଁ। ଭରଣା କରିବ ସେଇ ଜନସାଧାରଣଙ୍କର ଟିକସ ପଇସା ଯାହା ଅନ୍ୟ ଅନ୍ୟ ବିକାଶରେ ଖର୍ଚ୍ଚ ହୋଇଥାନ୍ତା।
ତଳେଇ ଦେଖିଲେ ବ୍ରିଟିସ୍ ଅମଳର ବା ବିଦେଶୀ-କାଳର ଆଇନଗତ ଅବିଶ୍ବାସର ଅଭିଜ୍ଞତା ହିଁ ଏହାର ମୂଳତତ୍ତ୍ବ ବୋଲି ଜାଣିହେବ। ଭାରତୀୟ ଦଣ୍ଡବିଧି ଆଇନ, ଭାରତୀୟ ସାକ୍ଷୀପ୍ରଦାନର ଆଇନ, ଜମିଜମା ଆଇନ ଆଦି ସମସ୍ତ ସେଇ ବ୍ରିଟିସ୍ ଆଇନ ଆଶ୍ରିତ। ଆଇନ ସେମାନେ ଗଢ଼ିଥିଲେ ଗୋଟାଏ ସାମ୍ରାଜ୍ୟବାଦୀ ମନୋଭାବ ନେଇ। ଭାରତୀୟଙ୍କୁ ‘ନୀଚ ନେଟିଭ୍’ କହି। ଖୋଲାଖୋଲି କହୁଥିଲେ ଭାରତୀୟମାନେ ବର୍ବର। ଆମେ ଆସିଛୁ ତାଙ୍କୁ ସଭ୍ୟ କରିବା ପାଇଁ।
ବର୍ତ୍ତମାନ ସେମାନଙ୍କ ଆଇନ ଧାରାରେ ଆମ ଅଭିଜ୍ଞତାକୁ ଯୋଡ଼ି ଦେଖିବା ଦରକାର।
ରାଣୀ ଏଲିଜାବେଥ୍ଙ୍କ ଠାରୁ ସନନ୍ଦ ପାଇ ଡିସେମ୍ବର ୧୬୦୦ ଖ୍ରୀଷ୍ଟାବ୍ଦରେ ଇଷ୍ଟ୍ ଇଣ୍ଡିଆ କମ୍ପାନି ଭାରତ ଆସନ୍ତି ବେପାର ବଣିଜ କରିବା ପାଇଁ। ୧୬୯୮ରେ ଏହି ବେପାର-ଗୋଷ୍ଠୀ ବାଣିଜ୍ୟ ଲାଗି ବିଧିବଦ୍ଧ ଅଧିକାର ପ୍ରାପ୍ତ ହୁଏ। ତେଣିକି ଶହେ ବର୍ଷ କାଳ ଲାଗି ନାନା କୂଟ, କପଟ, ତୋଷାମଦ ଓ ଚଞ୍ଚକତା କରି ଏହି ଗୋଷ୍ଠୀ ଭାରତର ବିଭିନ୍ନ ସ୍ଥାନରେ ଫ୍ୟାକ୍ଟ୍ରି ବସାନ୍ତି। ‘ଫ୍ୟାକ୍ଟର୍’ କହିଲେ ଏଜେଣ୍ଟ୍ ବା ବାଣିଜ୍ୟ ପ୍ରତିନିଧି। ସେମାନେ ଯେଉଁଠି ଦଳ ହୋଇ ସ୍ଥାୟୀ ଭାବରେ ବସିଲେ ତାହା ହେଲା ଫ୍ୟାକ୍ଟ୍ରି। ଫ୍ୟାକ୍ଟ୍ରିରେ ଯେଉଁମାନେ ଲେଖାପଢ଼ା ଓ ହିସାବ ରଖୁଥିଲେ ସେମାନେ ରାଇଟର୍। ରାଇଟର୍ ଅର୍ଥ କିରାଣି। ସେଇଥିପାଇଁ କଲିକତାର ସଚିବାଳୟର ନାମ ରାଇଟରର୍ସ୍ ବିଲ୍ଡିଂ।
ଏବେ ଫ୍ୟାକ୍ଟ୍ରି କହିଲେ କଳ କାରଖାନା। ରାଇଟର୍ କହିଲେ ଲେଖକ ବା ସ୍ରଷ୍ଟା। ଶବ୍ଦ କେମିତି ସମୟକ୍ରମେ ଅର୍ଥ ବଦଳାଏ, ଏହା ତା’ର ଗୋଟିଏ ଉଦାହରଣ।
ମୋଗଲ ସମ୍ରାଟ୍ ଆଉରଙ୍ଗ୍ଜେବ୍ଙ୍କର ମୃତ୍ୟୁ ହୁଏ ୧୭୦୭ରେ। ଜବରଦସ୍ତ କଣ୍ଟାପିଟା ଗୋଟାଏ ସାମ୍ରାଜ୍ୟ ଫିଟିପଡ଼େ ଖଣ୍ଡ ଖଣ୍ଡ ହୋଇ। ଇଷ୍ଟ୍ ଇଣ୍ଡିଆ କମ୍ପାନିର ‘କଚେ ପୁଅ ବାର’। ୧୭୬୪ର ବକ୍ସାର ଯୁଦ୍ଧରେ ଫରାସୀ ଇଷ୍ଟ୍ ଇଣ୍ଡିଆ କମ୍ପାନି ପରାଭୁତ ହେବା ପରେ ବ୍ରିଟିସ୍ ବେପାର-ଗୋଷ୍ଠୀ ୧୭୬୫ରେ ଦୁର୍ବଳ ମୋଗଲ ରାଜା ସାହା ଆଲାମ୍ଙ୍କଠାରୁ ଦିୱାନୀ ଅଧିକାର ବା ଖଜଣା ସଂଗ୍ରହ ଅଧିକାର ସଙ୍ଗକୁ ପ୍ରତିରକ୍ଷା ବଳ ରଖିବାର ଅଧିକାର ହାସଲ କରିନିଏ। ୮ ବର୍ଷର ଲୋମହର୍ଷଣକାରୀ କର ଆଦାୟ ଜନିତ ନୃଶଂସତା ବ୍ରିଟିସ୍ ପାର୍ଲାମେଣ୍ଟ୍ରେ ଇଷ୍ଟ୍ ଇଣ୍ଡିଆ କମ୍ପାନିର ଅପାରଗତା ପ୍ରମାଣ କରେ। ୧୭୭୩ରେ ବିଲାତର ସଂସଦ ପ୍ରଥମ ଆଇନ ଆଣନ୍ତି ରେଗୁଲେଟିଂ ଆକ୍ଟ ୧୭୭୩।
ଭାରତରେ ଆଇନ୍ ଶାସନର ଲୋକ ଦେଖାଣିଆ ମୁହଁ ଏଇଠାରୁ ଦେଖିବାକୁ ମିଳେ। ଏହା ହିଁ ଭାରତରେ ଏକ ନିର୍ଦ୍ଦିଷ୍ଟ ଆଇନ ବ୍ୟବସ୍ଥା ପ୍ରଚଳନ ପାଇଁ ଗଢ଼ାଯାଇଥିବା ପ୍ରଥମ ଆଇନ। ଏଇଠୁ ଆରମ୍ଭ ହୁଏ ଭାରତୀୟ ଶାସନରେ ବିଲାତି ହୁକୁମତ୍ର ପ୍ରବେଶ। ବଙ୍ଗରେ ଥିବା ସରକାରର ସାଧାରଣ ସଙ୍ଗକୁ ସାମରିକ କ୍ଷମତା ଜଣେ ଗଭର୍ଣ୍ଣର-ଜେନେରାଲ୍ଙ୍କ ଉପରେ ନ୍ୟସ୍ତ ହୁଏ। ତାଙ୍କୁ ସାହାଯ୍ୟ କରୁଥିଲେ ଚାରିଜଣ କାଉନ୍ସିଲର୍ ବା ଉପଦେଷ୍ଟା। ତଥାପି ଗଭର୍ଣ୍ଣର-ଜେନେରାଲ୍ଙ୍କୁ ନିରଙ୍କୁଶ କ୍ଷମତା ମିଳିନଥିଲା। ତେଣୁ ଆସିଲା ୧୭୮୧ର ସଂଶୋଧନ ଆଇନ। ସୁପ୍ରିମ୍ କୋର୍ଟ ନାମରେ ଯେଉଁ ନ୍ୟାୟାଳୟଟି ଗଢ଼ାଯାଇଥିଲା ତା’ଠାରୁ ଊର୍ଦ୍ଧ୍ବରେ ରହିଲେ ଗଭର୍ଣ୍ଣର-ଜେନେରାଲ୍ ଓ କାଉନ୍ସିଲ୍। ପାହାଡ଼ ପରି କ୍ଷମତା। ଯାହା ଚାହିଁେଲ ତାହା ହେଲା।
୧୭୮୩ ବେଳକୁ ଆସିଗଲା ଫକ୍ସ ଇଣ୍ଡିଆ ବିଲ୍। କମ୍ପାନିର ଡାଇରେକ୍ଟର ଓ ମାଲିକ ବା ପ୍ରୋପାଇଟର୍ମାନଙ୍କୁ ହଟେଇ ଏକ ସାତଜଣିଆ କମିସନର୍ ଗୋଷ୍ଠୀକୁ ସମସ୍ତ କ୍ଷମତା ଅର୍ପଣ କରାଯାଇଥିଲା। ମାତ୍ର ଇଂଲଣ୍ଡର ସେତେବେଳକା ରାଜା ଜର୍ଜ ତୃତୀୟ ଏ ବିଲ୍କୁ ଆଇନରେ ପରିଣତ ହେବାକୁ ଦେଲେ ନାହିଁ। ନଚେତ୍ ତାହା ହିଁ ହୋଇଥାନ୍ତା ଭାରତକୁ ବା ତା’ର ଶାସନକୁ ଇଷ୍ଟ୍ ଇଣ୍ଡିଆ କମ୍ପାନି ହାତରୁ ନେଇ ‘‘ଜାତୀୟକରଣ’’ କରିବାର ବ୍ୟବସ୍ଥା।
୧୭୮୪ରେ ଆସିଲା ପିଟ୍ସ ଆକ୍ଟ ବା ପିଟ୍ସ ଆଇନ। ଏହା ଭାରତ ପାଇଁ ଏକ ଅଲଗା ବୋର୍ଡ ଅଫ୍ କମିସନରସ୍ ଗଢ଼ିଲା ଏବଂ କଲିକତା, ବମ୍ବେ ଓ ମାଡ୍ରାସ୍ ପ୍ରେସିଡେନ୍ସି ପାଇଁ ନିର୍ଦ୍ଦିଷ୍ଟ ଆଇନ ତିଆରି କରିବା ସହ ଇଷ୍ଟ୍ ଇଣ୍ଡିଆ କମ୍ପାନିର ବେପାର ବଣିଜ ଉପରେ ଅଙ୍କୁଶ ଲଗାଇ ଦେଲା। ତା’ପରେ ଆସିଲା ୧୭୯୩ର ଚାର୍ଟର୍ ଆକ୍ଟ। ଏହାଦ୍ବାରା ସର୍ବୋଚ୍ଚ ସାମରିକ ଅଧିକାରୀଙ୍କୁ କମିସନର ବୋର୍ଡରେ ସଭ୍ୟ କରାଗଲା ଓ ଇଷ୍ଟ୍ ଇଣ୍ଡିଆ କମ୍ପାନିକୁ ଆଉ ୨୦ ବର୍ଷ ପାଇଁ ବେପାର ସକାଶେ ସୁଯୋଗ ମିଳିଲା। ୧୮୧୩ରେ ଆଉ ଏକ ଆଇନ, ଚାର୍ଟର ଆକ୍ଟ ଅଫ୍ ୧୮୧୩ କାର୍ଯ୍ୟକାରୀ ହେଲା। ଏହିଠାରୁ ଇଷ୍ଟ୍ ଇଣ୍ଡିଆ କମ୍ପାନିର ଭାରତରୁ ଏକଚାଟିଆ ଅଧିକାର ଚାଲିଗଲା ଏବଂ ସାରା ଭାରତ ପାଇଁ ଜଣେ ବିଶପ୍ ନିଯୁକ୍ତ ହେଲେ। ‘‘ଭାରତୀୟ ଶିକ୍ଷିତଙ୍କ ଉଦ୍ଦେଶ୍ୟ’’ରେ ଏକ ଲକ୍ଷ ଟଙ୍କାର ବେଜଟ୍ ପ୍ରସ୍ତୁତ ହେଲା। ଆଇନ ତିଆରି ହେଲା ଭାରତର ବିଚାରଧାରାକୁ ବିଲାତି କରିବା ପାଇଁ।
ଏ ଦିଗରେ ୧୮୩୩ର ଚାର୍ଟର ଆକ୍ଟ ଏକ ମାଇଲ୍ ଖୁଣ୍ଟ। ଏତେବେଳକୁ ସାରା ଭାରତ ଆସି ସାରିଥିଲା ବ୍ରିଟିସ୍ ହାତକୁ। ସାର୍ ଉଇଲିୟମ୍ ବେଣ୍ଟିକ୍ ସେେତବେଳେ ଗଭର୍ଣ୍ଣର ଜେନେରାଲ୍। ସେ ହିଁ ନିଖିଳ ଭାରତର ପ୍ରଥମ ବଡ଼ଲାଟ୍ ସାଜିଲେ। ତାଙ୍କର କ୍ଷମତା ବଢ଼ିଲା। ଜଣେ ଆଇନ ସଭ୍ୟ ଯୋଡ଼ା ହେଲେ ଗଭର୍ଣ୍ଣର ଜେନେରାଲ୍ଙ୍କ ଏକ୍ଜିକ୍ୟୁଟିଭ୍ କାଉନ୍ସିଲ୍ରେ। ଆଇନ କମିସନ ଗଢ଼ାଯାଇ ଭାରତୀୟ ଦଣ୍ଡବିଧି ଆଇନ ପ୍ରସ୍ତୁତ ହେଲା। ପ୍ରଥମଥର ପାଇଁ ଭାରତୀୟଙ୍କୁ ଉଚ୍ଚ ପ୍ରଶାସନିକ ପଦବି ଦେବାର ବ୍ୟବସ୍ଥା ମଧ୍ୟ ହେଲା।
୧୮୫୩ର ଚାର୍ଟର୍ ଆଇନ ଭାରତ ପାଇଁ ଆଣିଲା ଏକ ଚମତ୍କାର ପରିବର୍ତ୍ତନ। ପ୍ରଥମଥର ପାଇଁ କାର୍ଯ୍ୟନିର୍ବାହୀ ପରିଷଦକୁ ଆଇନ ପ୍ରଣୟନକାରୀ ପରିଷଦଠାରୁ ଅଲଗା କରାଗଲା। ଏକ୍ଜିକ୍ୟୁଟିଭ୍ କାଉନ୍ସିଲ୍ ଓ େଲଜିସ୍ଲେଟିଭ୍ କାଉନ୍ସିଲ୍। ଏଇଠୁ ବ୍ୟବସ୍ଥାପକୀ ଧାରାର ବୀଜ ବପନ ହେଲା। ଭାରତର ଶିକ୍ଷା ବ୍ୟବସ୍ଥାରେ ବି ତୁମୁଳ ପରିବର୍ତ୍ତନ ଆସିଲା। ୧୮୩୫ରୁ ଲାଗୁ ହୋଇଥିବା ଜଷ୍ଟିସ୍ ମାକଲେଙ୍କ ପରାମର୍ଶ ଅନୁସାରେ ଭାରତୀୟଙ୍କୁ ଦେହରେ ଦେଶୀ ଓ ମନ ତଥା ବିଚାରରେ ବିଲାତି କରିବା ଲାଗି ଇଂେରଜୀ ଭାଷା ସହ ତଥାକଥିତ ବ୍ରିଟିସ୍ ଉଦାରବାଦ ପାଠ୍ୟକ୍ରମ ଭିତରକୁ ଆସିଲା। ହାଇସ୍କୁଲ ବସିଲା, ବିଶ୍ବବିଦ୍ୟାଳୟ ଖୋଲିଲା। କଲିକତାରେ ବିଶ୍ବବିଦ୍ୟାଳୟ ଖୋଲିଲା ବେଳକୁ ୧୮୫୭। ସ୍କୁଲମାନଙ୍କରେ କିନ୍ତୁ ପ୍ରବଳ ବେଗରେ ଇଂରେଜୀ ପଶିଲା ଶିକ୍ଷାର ମାଧ୍ୟମ ହୋଇ। ଏବର ରେଭେନ୍ସା କେଲଜିଏଟ୍ ସ୍କୁଲ ନାଁରେ ଥିବା ହାଇସ୍କୁଲ ‘କଟକ ସ୍କୁଲ’ ନାମ ଧରି ପ୍ରତିଷ୍ଠିତ ହୋଇଥିଲା ୧୮୫୧ରେ।
ଗୋରାମାନେ ଥିଲେ ବିଦେଶୀ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ଭାରତୀୟଙ୍କୁ କବଳିତ କରି ସାଧନ, ସମ୍ପତ୍ତି ଓ ଅର୍ଥ ଶୋଷଣ କରିବା। ସେହି ଅନୁଯାୟୀ ସେମାନେ ଆଇନ ତିଆରି କରିଥିଲେ। ସେ ଆଇନରୁ ଯେ ଭାରତୀୟମାନେ ସୁଫଳ ପାଇନାହାନ୍ତି ସେ କଥା କହିବା ଅବିମୃଶ୍ୟକାରିତା। ମାତ୍ର ଗଣତନ୍ତ୍ର ପାଇଁ ଯେଉଁ ଆଇନର ଶାସନ, ସମାନତାର ଶାସନ, ସର୍ବନିମ୍ନ ସ୍ତରର ମଣିଷ ସକାଶେ ସୁଯୋଗର ଶାସନ ତାହା ଅନୁଭବ କରିବାକୁ କୌଣସି ବ୍ରିଟିସ୍ ଆଇନ ସୁଯୋଗ ଦେଇନଥିଲା ଭାରତୀୟଙ୍କୁ।
[email protected]