କଳ୍ପନାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା

ସୁଖ-ଦୁଃଖ - ଲମ୍ବୋଦର ପ୍ରସାଦ ସିଂହ

ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଶ୍ରୀ ସୁଭଦ୍ରା; ଏହି ପବିତ୍ର ତ୍ରିବେଣୀ ଚିନ୍ତନରେ ଅବଗାହୀ କୋଟି କୋଟି ମଣିଷ ଜୀବନର ସଂଘର୍ଷ ମଧ୍ୟରେ ଆଶା, ଆନନ୍ଦ ଓ ଆଲୋକର ସନ୍ଧାନ କରିଥାଆନ୍ତି। ଜଗନ୍ନାଥ ସଂସ୍କୃତିର ଅମୃତମୟ ସର୍ବସମନ୍ବୟୀ ଦର୍ଶନ ମଧ୍ୟରେ ବୌଦ୍ଧ, ଜୈନ, ଶିଖ, ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ସମସ୍ତେ ଅସୀମ, ଅନନ୍ତ ଓ ଅପରିମେୟର ଆତ୍ମୋପଲବ୍‌ଧିରେ ବିଭୋର ହୋଇଛନ୍ତି। ମାନବ ଧର୍ମକୁ ବ୍ରତ କରି ସେମାନେ କେବଳ ନିଜ ନିଜ ଜୀବନକୁ ଉତ୍ତରଣର ସ୍ପର୍ଶ ଦେଇନାହାନ୍ତି, ଜନଜୀବନଙ୍କୁ ମଧ୍ୟ ସ୍ନେହ, ସହିଷ୍ଣୁତା ଓ ଶାନ୍ତିର ବାରିଧିରେ ପ୍ଳାବିତ କରିବାର ପ୍ରୟାସ କରିଛନ୍ତି ଓ କରି ଚାଲିଛନ୍ତି। ଚିନ୍ତନ ଓ କର୍ମ ତଥା ଅଧିଭୌତିକ ଓ ଭୌତିକର ଏହା ହିଁ ପ୍ରକୃଷ୍ଟ ମିଳନ। ସେଥିପାଇଁ ବୋଧହୁଏ ମହାଭାରତର ଯୁଦ୍ଧ କ୍ଷେତ୍ରରେ ଯୋଗେଶ୍ବର ଶ୍ରୀକୃଷ୍ଣ ବାଢ଼ିଛନ୍ତି ସଂସାର ଦୁଃଖରୁ ପରିତ୍ରାଣ ମୋଦକ- ଗୀତା ଦର୍ଶନ।

ଆଶା-ନିରାଶା, ଜୟ-ପରାଜୟ ଓ ଧର୍ମ-ଅଧର୍ମର ଦ୍ବନ୍ଦ୍ବମୟ ମଣିଷ ଜୀବନ ମହାଭାରତ ଯୁଦ୍ଧର ଆଖ୍ୟା ପାଇଥିବା ବେଳେ ଜଗତ୍‌ ପ୍ରତିଭାତ ହୋଇଛି ଧର୍ମକ୍ଷେତ୍ର ଯୁଦ୍ଧକ୍ଷେତ୍ର ରୂପରେ। ଏହି ଚେତନାର ସ୍ବର ଗୁଂଜରିତ ହୁଏ କଥୋପନିଷଦର ସେହି ଦର୍ଶନରେ ଯେଉଁଠି ମଣିଷର ଶରୀରକୁ ରଥ, ବିଷୟ ସୁଖ ଅନ୍ବେଷୀ ପଞ୍ଚେନ୍ଦ୍ରିୟଙ୍କୁ ରଥ ସଂଯୋଜିତ ଅଶ୍ବ, ମନକୁ ରଥର ରଜ୍ଜୁ, ବୁଦ୍ଧିକୁ ସାରଥୀ ଓ ମଣିଷର ଆତ୍ମାକୁ ରଥାରୂଢ଼ ରଥୀ ରୂପେ ପରିକଳ୍ପନା ମାଧ୍ୟମରେ ଜୀବନ ପ୍ରବାହକୁ ସଂସାରର ‘ବଡ଼ଦାଣ୍ଡରେ ରଥଯାତ୍ରା’ ଭାବରେ ଅଭିହିତ କରାଯାଇଛି। ଏହିଭଳି ଉପମା-ଉପମେୟର ଭାବ ରାଜ୍ୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପ୍ରତିଭାତ ହୁଅନ୍ତି ଚିର ପ୍ରବହମାନ ସଂସାରକୁ ଅମୃତତ୍ବପ୍ରଦାୟୀ ତିନିଟି ଶାଶ୍ବତ ଭାବଧାରାର ତିନି ପ୍ରତିଭୂ ରୂପରେ।

ସେହି ଭାବଧାରା ତ୍ରୟର ଅନୁପମ ବର୍ଣ୍ଣନା କବିଙ୍କ ଭାଷାରେ ଏହିପରି: ‘ହରଷ ବିଷାଦ ନୁହେଁ ଜୀବନ ଉଦ୍ଦେଶ୍ୟ,
ଏ ଜଗତେ ଦୁହିଁଙ୍କର ଶୁଭ ସମାବେଶ,
ବୁଦ୍ଧି, ଇଚ୍ଛା ଅନୁଭବେ, ନିୟୋଜି ଏ ପୂଣ୍ୟ ଭବେ,
ଲଭୁ ନର ଜ୍ଞାନ, କର୍ମ, ପ୍ରୀତିର ପରଶ,
ବିଶ୍ବ ବିଧାତାର ଏହା ବିଚିତ୍ର ବିଧାନ।’

ବେଦଗୁଡ଼ିକର ସାର କଥୋପନି‌ଷଦ ଓ ଅନ୍ୟ ଉପନିଷଦ ଓ ସେଗୁଡ଼ିକର ସାରମର୍ମ ଶ୍ରୀମଦ୍‌ ଭଗବତ ଗୀତା ଏବଂ ଗୀତାର ସାରାଂଶ ସତେ ଯେପରି ଉପରୋକ୍ତ ପଦ୍ୟାବଳୀ। ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ଶ୍ରୀମଦ୍‌ ଭଗବତ ଗୀତାର ଅନ୍ତଃକଥା ଦ୍ବିତୀୟ ଅଧ୍ୟାୟର ଶେଷ ତେରଟି ଶ୍ଳୋକ ସ୍ଥିତପ୍ରଜ୍ଞର ପରିଚୟ ବର୍ଣ୍ଣନାରେ ନିହିତ। ଉପରୋକ୍ତ ପଦ୍ୟାଂଶଟି ସେହି ବର୍ଣ୍ଣନାର କମନୀୟ କାବ୍ୟିକ ଅଭିବ୍ୟକ୍ତ। ଜ୍ଞାନ, କର୍ମ ଓ ପ୍ରୀତି ଭଳି ଅକ୍ଷର ଭାବଧାରାର ଆଶ୍ରୟରେ ହିଁ ତ ମଣିଷ ଜୀବନ ତଥା ମଧୁମୟ ବିଶ୍ବ ଚିର ଧାବମାନ। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏହି ତିନି ମାନବୀୟ ଭାବଧାରାର ସ୍ବର୍ଗୀୟ ପ୍ରତିଭୂ; ଶ୍ରୀଜଗନ୍ନାଥ ଜ୍ଞାନର, ଶ୍ରୀ ବଳଭଦ୍ର କର୍ମର ଓ ଶ୍ରୀ ସୁଭଦ୍ରା ପ୍ରୀତିର।
ଜଗନ୍ନାଥଙ୍କ ମୁଖ୍ୟ ଆୟୁଧ ଚକ୍ର ଚିର ନୂତନତ୍ବର ଓ ସୁଦର୍ଶନ ନାମରେ ସୁ-ଦର୍ଶନ ଅର୍ଥାତ୍‌ ସତ୍‌ଜ୍ଞାନର ପ୍ରତୀକ। ଅସ୍ତ୍ର ଭାବରେ ଅଜ୍ଞାନ ଅନ୍ଧକାର ତଥା ଅନ୍ୟାନ୍ୟ ଅଧର୍ମ ପରିଚାଳିତ ଶକ୍ତିଗୁଡ଼ିକର ବିଧ୍ବଂସକାରୀ। ସେହିଭଳି ମଣିଷର ବିଭିନ୍ନ କର୍ମ-କର୍ମାଣି ମଧ୍ୟରେ କୃଷି କର୍ମ ହିଁ ଶ୍ରେଷ୍ଠ। ସଭ୍ୟତାର ବିବର୍ତ୍ତନରେ କୃଷି କର୍ମ ମାଧ୍ୟମରେ କ୍ଷୁଧାରୁ ମୁକ୍ତି ଏବଂ ସେହି କ୍ରମରେ ମଣିଷର ବୌଦ୍ଧିକ ବିଳାସ କଳା, ସାହିତ୍ୟ, ଦର୍ଶନ ଓ ବିଜ୍ଞାନରେ ରୂପ ପାଇଛନ୍ତି ଏବଂ ‌େସହି କୃଷି କର୍ମର ପ୍ରାଚୀନ ଯନ୍ତ୍ର ଲଙ୍ଗଳ ହିଁ ହଳଧର ବଳଭଦ୍ରଙ୍କ ଆୟୁଧ। ସେ ମଧ୍ୟ ଶ୍ରେଷ୍ଠ ବଳବାନ ଭାବରେ କର୍ମଶକ୍ତିର ଉତ୍ସ। ଦୁଇ ଭାଇଙ୍କ ମଧ୍ୟସ୍ଥ ବିରାଜମାନ ଭଉଣୀ ସୁଭଦ୍ରା ଦେହାତୀତ ପ୍ରୀତିର ପ୍ରତୀକ ଭାବରେ ସହବନ୍ଧିତ କରିଛନ୍ତି ଜ୍ଞାନ ଓ କର୍ମକୁ। ପ୍ରୀତି ହିଁ ସୃଷ୍ଟିର ଆଦି ମନସ୍ତତ୍ତ୍ବ; ଜ୍ଞାନ ଓ କର୍ମ ଦୁଇ ଅନୁପମ ଫଲ୍‌ଗୁ ଧାରାର ଅନ୍ତଃସ୍ବର।

ଯୋଗଶାସ୍ତ୍ର ତଥା ଶ୍ରୀମଦ୍‌ ଭଗବତ ଗୀତାରେ ଜ୍ଞାନ, କର୍ମ ଓ ଭକ୍ତିର ମାର୍ଗକୁ ଭଗବତ୍‌ ସତ୍ତା ସହ ଯୋଗାୟିତ ହେବାର ଓ ଆତ୍ମାର ପରମାତ୍ମା ସହ ମିଳନର ଶ୍ରେଷ୍ଠ ମାର୍ଗ ଭାବରେ ଦର୍ଶାଯାଇଛି। ଭକ୍ତି, ଐକାନ୍ତିକ ପ୍ରୀତିର ହିଁ ଅନ୍ୟ ନାମ। ପାଣ୍ଡିତ୍ୟ ଓ ସାଧନା ବଳରେ ଯାହା ଅସାଧ୍ୟ, ତାହା ନିଷ୍କାମ ପ୍ରେମ ଓ ନିଃସର୍ତ୍ତ ସମର୍ପଣ ଭାବରେ ସାଧିତ ହୋଇଥାଏ, ଯେମିତି ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ବିଶ୍ବରୂପ ଦର୍ଶନ କରାଇବା ହେଉ ବା ରାମଚନ୍ଦ୍ର ଦେବ ଦ୍ବିତୀୟଙ୍କୁ ଜଗନ୍ନାଥ ନିଶାର୍ଦ୍ଧରେ ଦର୍ଶନ ଦେବା ହେଉ ଅବା ଦାସିଆ ବାଉରୀ ଓ ଶବରୀର ସରଳ ଭକ୍ତିର ଗାଥା ହେଉ। ଆମର ମାତୃଶକ୍ତିର ଆରାଧନା ମଧ୍ୟ ସର୍ବଭୂତରେ ପ୍ରତିଷ୍ଠିତ ମାତା, ଶକ୍ତି ଓ ବାଣୀ ରୂପର ଉଚ୍ଚାଟ ଉଚ୍ଚାରଣ; ଅର୍ଥାତ୍‌ ମାତୃଶକ୍ତି ମା’ ରୂପରେ ପ୍ରୀତିମୟୀ, ଶକ୍ତି ରୂପରେ କର୍ମମୟୀ ଓ ବାଣୀ ରୂପରେ ଜ୍ଞାନମୟୀ।

ଜଗନ୍ନାଥଙ୍କ ଚାରି ଆୟୁଧଗୁଡ଼ିକରେ ମଧ୍ୟ ଜ୍ଞାନ, କର୍ମ ଓ ପ୍ରୀତିର ସମାବେଶ ସମୁଜ୍ଜ୍ବଳ। ପଞ୍ଚଜନ୍ୟ ଶଙ୍ଖ ସର୍ଜନାର ଆଦ୍ୟ ଧ୍ବନିର ଉଦ୍‌ଘୋଷକ ହୋଇଥିଲା ବେଳେ ସୃଷ୍ଟିର ଅନନ୍ତ ପ୍ରବାହ ସତେ ଯେପରି ସୁଦର୍ଶନ ରୂପରେ ଜ୍ଞାନ, କୌମଦକ ଗଦା ରୂପ‌େର ଶକ୍ତି ଓ ଦିବ୍ୟ ସୌନ୍ଦର୍ଯ୍ୟମୟ ପଦ୍ମ ରୂପରେ ପ୍ରୀତିର ସମାହିତ ନିତ୍ୟନୂତନ ରୂପକଳ୍ପ।

ସ୍ଥାବର ଜଙ୍ଗମ ଭରା ସୃଷ୍ଟିର ଛତ୍ରେଛତ୍ରେ ପ୍ରୀତ ବନ୍ଧନର ରୂପଲାବଣ୍ୟ ଚିତ୍ରାୟିତ। ପ୍ରତ୍ୟେକ ପ୍ରାଣୀର ଶରୀର କୋଟିକୋଟି କୋଷମାନଙ୍କର ସୁସଂହତ ରୂପ ହେଲା ଭଳି ଭୌତିକ ବିଶ୍ବ କୋଟିକୋଟି ନିହାରିକା ପୁଞ୍ଜର ସମା‌ହାର। ପୁଣି ପ୍ରତ୍ୟେକ କୋଷରେ କୋଟିକୋଟି ଅଣୁପରମାଣୁ ଅନୁବନ୍ଧିତ ହୋଇଥିଲା ବେଳେ ପ୍ରତ୍ୟେକ ନିହାରିକା ପୁଞ୍ଜରେ କୋଟି କୋଟି ନକ୍ଷତ୍ରଙ୍କ ସମାବେଶ: ‘ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ’ ଲୋମମୂଳେ ବିରାଜଇ’ ଭଳି ସ୍ଥାପତ୍ୟର କଥା ଇଏ। ଏହି ଅଣୁରଣୀୟାନ ମହତୋମହୀୟାନ ଭାସ୍କର୍ଯ୍ୟର ଗାତ୍ରେଗାତ୍ରେ ଆକର୍ଷଣ ଓ ବନ୍ଧନର ମୂର୍ଚ୍ଛନା ହିଁ ଅନୁରଣିତ। ସେହି ପ୍ରୀତି-ବନ୍ଧନରେ ଅଣୁରୁ ଅନ୍ତରୀକ୍ଷ, ବ୍ୟକ୍ତି ଠାରୁ ବ୍ୟାପ୍ତି ପ୍ରତ୍ୟେକ ସ୍ବ ସ୍ବ ଗରିମାରେ ମହିମାମଣ୍ଡିତ।

ପ୍ରକୃତିର ଏହି ଅପରୂପ ଲାବଣ୍ୟ ଓ ନୈସର୍ଗିକ ମୂର୍ଚ୍ଛନା ଲୋଡ଼ି ବସେ ତଲ୍ଲୀନ ବୁଦ୍ଧି, ଇଚ୍ଛା ଓ ଅନୁଭବ, ଜ୍ଞାନ, କର୍ମ ଓ ପ୍ରୀତିର ସାଧନା। ଏଥିରେ ନ ଥାଏ କର୍ମକାଣ୍ଡ ବିଜଡ଼ିତ ଧର୍ମଗୁଡ଼ିକର ପରସ୍ପର ବିରୋଧୀ ବିଭିନ୍ନତା; ଥାଏ କେବଳ ସର୍ବ ଧର୍ମର ସମନ୍ବୟୀ ମାନବ ଧର୍ମର ଅଭିନ୍ନ ଏକତା। ଏହି ଐକ୍ୟ ତାନରେ ବିଭୋର ମଣିଷ ସୃଷ୍ଟି କରିଛି କଳା, ସାହିତ୍ୟ, ବିଜ୍ଞାନ, ଦର୍ଶନ ଭଳି ଦିଗନ୍ତ ବିସ୍ତାରୀ ଜ୍ଞାନ ରାଜ୍ୟ ନିଜ ନିଜ ଉପଲବ୍‌ଧିରେ।
ଏହାହିଁ ବୋଧହୁଏ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା ବିଭୂତି ସମାବିଷ୍ଟ ଜଗନ୍ନାଥ ସଂସ୍କୃତି କୈବଲ୍ୟର ପ୍ରକୃଷ୍ଟ ସ୍ତୁତି ଓ ଆରାଧନା; ସତ୍ୟ, ଶିବ ଓ ସୁନ୍ଦରର ଉପାସନା।
ମୋ-୯୯୩୭୬୨୪୫୦୫

ସମ୍ବନ୍ଧିତ ଖବର