ଜୀବନ୍ତ ଜୀବାଣୁ

ଗଲା ୨୩ ତାରିଖ ଦିନ ଆମ ଦେଶର ଗୋଟିଏ ଶ୍ରେଷ୍ଠ ଡାକ୍ତରଖାନା ଉପରେ ଗୁରୁତର ଆକ୍ରମଣ ସ˚ଘଟିତ ହୋଇଯାଇଛି ବୋଲି କୁହାଗଲେ ଅନେକ ପାଠକ-ପାଠିକା ବିଶ୍ବାସ କରି ନ ପାରନ୍ତି; କାରଣ ଏଭଳି ଏକ ସମ୍ବାଦ ଯେ ସେମାନଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଥିବ ଏହା ସେମାନଙ୍କ ପ୍ରତେ ହୋଇ ନ ପାରେ। ତେଣୁ ଏବେ ଯେତେବେଳେ ସେମାନେ ଜାଣିବାକୁ ପାଇବେ ଯେ ତାହା ହେଉଛି ଦେଶର ବୃହତ୍ତମ ଡାକ୍ତରଖାନା ଦିଲ୍ଲୀସ୍ଥିତ ‘ଅଲ୍‌ ଇଣ୍ତିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌’ ବା ‘ଏମ୍‌ସ’ ଉପରେ ହୋଇଥିବା ‘ସାଇବର ଆକ୍ରମଣ’, ହୁଏ’ତ ସେମାନଙ୍କ ମଧୢରୁ ଅଧିକା˚ଶ ଆଶ୍ବସ୍ତିରେ ନିଃଶ୍ବାସ ମାରିବେ।

ଏହାର କାରଣ ହେଲା ନିରବରେ ଏବ˚ ବିନା ରକ୍ତପାତରେ ସ˚ଘଟିତ ହେଉଥିବା ‘ସାଇବର ଆକ୍ରମଣ’ମାନ ସେମାନଙ୍କ ଭୟାବହ ପରିଣାମ ସତ୍ତ୍ବେ ଜନ ଧାରଣାରେ ଗମ୍ଭୀର ପର୍ଯ୍ୟାୟଭୁକ୍ତ ହୋଇ ନ ଥାଆନ୍ତି। ତେଣୁ ପ୍ରକାଶ ଥାଉ କି ଏହି ସାଇବର ଆକ୍ରମଣ ପରେ ଏକ ସପ୍ତାହରୁ ଅଧିକ କାଳ ଅତିକ୍ରାନ୍ତ ହୋଇ ସାରିଥିଲେ ସୁଦ୍ଧା ଦିଲ୍ଲୀ ‘ଏମ୍‌ସ’ର ମୁଖ୍ୟ ‘ସର୍ଭର‌୍‌’ ଶିଥିଳ ହୋଇ ରହିଛି ଏବ˚ ସେଠାକାର କାର୍ଯ୍ୟ ଚିନ୍ତାତୀତ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। କହିବା ଅନାବଶ୍ୟକ ଯେ ଏହି ଆକ୍ରମଣ ପରେ ପରିସ୍ଥିତିକୁ ସମ୍ଭାଳିବା ଲାଗି କାଗଜ-କଲମ ଓ ନଥି ବିଡ଼ା ଆଧାରିତ ଅର୍ଦ୍ଧ ଶତାବ୍ଦୀ ପୂର୍ବର କାର୍ଯ୍ୟ ପଦ୍ଧତିକୁ ଅଗତ୍ୟା ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା। ଯଦିଓ ‘ଏମ୍‌ସ’ର ଡାକ୍ତର ଏବ˚ ଅନ୍ୟାନ୍ୟ କର୍ମଚାରୀମାନେ ସହସା ସେମାନଙ୍କୁ ପ୍ରାଗୈତିହାସିକ ଭଳି ମନେ ହେଉଥିବା କାର୍ଯ୍ୟ-ପଦ୍ଧତିକୁ ଅନୁସରଣ କରିବାକୁ ବାଧୢ ହୋଇଥିଲେ; ତଥାପି ‘ଏମ୍‌ସ’ର ଆଦର୍ଶ ସ୍ଥାନୀୟ କର୍ମ ସ˚ସ୍କୃତିର ଟେକ ବଜାୟ ରଖି ସେହି ସ˚କଟମୟ ସପ୍ତାହକ ମଧୢରେ ପ୍ରାୟ ୧୨,୦୦୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିବାରେ ସଫଳ ହୋଇଛନ୍ତି। କିନ୍ତୁ, ଏହା ମଧୢ ଅନୁମାନସାପେକ୍ଷ ଯେ ଏହି ସମୟ ଖଣ୍ତରେ କେତେକ ଗୁରୁତର ଭାବେ ଅସୁସ୍ଥ ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ପ୍ରାଣ ହରାଇ ଥାଇ ପାରନ୍ତି। କେବଳ ସେତିକି ନୁହେଁ, ‘ଏମ୍‌ସ’ର ଚିକିତ୍ସା ଅଧୀନରେ ଥିବା କୋଟି କୋଟି ରୋଗୀଙ୍କ ରୋଗ ଏବ˚ ଚିକିତ୍ସା ସ˚ପର୍କିତ ଅତ୍ୟନ୍ତ ଜରୁରୀ ‘ଡେଟା’ ବା ତଥ୍ୟର ପୁନରୁଦ୍ଧାର ଯେ ସମ୍ଭବ ହୋଇ ନ ପାରେ, ସେଭଳି ଆଶଙ୍କା ମଧୢ ପ୍ରକାଶ ପାଇଲାଣି। ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ହାରାହାରି ପ୍ରାୟ ୩୮ ଲକ୍ଷ ରୋଗୀ ଏହି ଡାକ୍ତରଖାନାକୁ ଚିକିତ୍ସା ଲାଗି ଆସିଥାଆନ୍ତି।

ଜଣାପଡ଼ିଛି ଯେ ‘ଏମ୍‌ସ’ର ମୁଖ୍ୟ ସର୍ଭରକୁ ‘ହ୍ୟାକ୍‌’ କରାଯାଇ ତହିଁରେ ସ୍ଥାପନ କରାଯାଇଥିବା ଏକ ‘ରାନ୍‌ସମ୍‌ୱେର‌୍‌’ (ମନ୍ଦ ଉଦ୍ଦେଶ୍ୟଧାରୀ କ˚ପ୍ୟୁଟର ପ୍ରୋଗ୍ରାମ, ଯାହା କ˚ପ୍ୟୁଟର ବ୍ୟବସ୍ଥାକୁ ଅଚଳ କରି ପକାଏ) ଏଭଳି ସ୍ଥିତି ଉତ୍ପନ୍ନ କରିଛି। ସ˚ପ୍ରତି ସାଇବର ଅପରାଧୀମାନେ ଏଭଳି ‘ରାନସମ୍‌ୱେର୍‌’ମାନ ତିଆରି କରି ବିଭିନ୍ନ ବ୍ୟାଙ୍କ ବା ଅର୍ଥ ଲଗାଣକାରୀ ସ˚ସ୍ଥା ବା ଉଦ୍ୟୋଗ ଆଦିର ‘ସର୍ଭର’ ମଧୢକୁ ପ୍ରବେଶ କରାଇ ସେହି ସବୁ ଅନୁଷ୍ଠାନର କ˚ପ୍ୟୁଟର ବ୍ୟବସ୍ଥାକୁ ସ˚ପୂର୍ଣ୍ଣ ଅଚଳ କରିଦେବାର ଧମକ ଦେଇ ବିପୁଳ ପରିମାଣର ଅର୍ଥରାଶି ଦାବି କରୁଛନ୍ତି। ସ୍ମରଣରେ ଆସେ ଯେ ଗଲା ମେ’ ମାସରେ ଏଭଳି ଏକ ‘ରାନ୍‌ସମ୍‌ୱେର୍‌’ ଆମେରିକାର ବୃହତ୍ତମ ପେଟ୍ରୋଲ ଯୋଗାଣକାରୀ ଉଦ୍ୟୋଗ ‘କଲୋନିଆଲ୍‌ ପାଇପ୍‌ଲାଇନ୍‌’କୁ କିଛି ଦିନ ଲାଗି ସ˚ପୂର୍ଣ୍ଣ ଅଚଳ କରିଦେଇ ଯୁକ୍ତରାଷ୍ଟ ଆମେରିକାରେ ନାହିଁ ନ ଥିବା ପେଟ୍ରୋଲ ସ˚କଟ ସୃଷ୍ଟି କରିବା ସହିତ ଜନଜୀବନକୁ ସ˚ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ପକାଇଥିଲା। ଶୁଣିବାକୁ ମିଳିଥାଏ ଯେ ଏହି ସ˚କଟରୁ ପରିତ୍ରାଣ ପାଇବା ସକାଶେ ‘କଲୋନିଆଲ ପାଇପ୍‌ଲାଇନ୍‌’ର କର୍ତ୍ତୃପକ୍ଷ ଆକ୍ରମଣ ଘଟାଇଥିବା ଅଜ୍ଞାତ ଅପରାଧୀମାନଙ୍କୁ ’କ୍ରିପ୍‌ଟୋ କରେନ୍‌ସି’ ମାଧୢମରେ ୪.୫ ନିୟୁତ ଡଲାର ପ୍ରଦାନ କରିବାକୁ ବାଧୢ ହୋଇଥିଲେ।

ସନ୍ଦେହ କରାଯାଇଥାଏ ଯେ ରୁଷିଆ ବା ବେଲାରୁସର କୌଣସି ସାଇବର ଅପରାଧୀଙ୍କ ଗୋଷ୍ଠୀ ଏହାର ସ˚ରଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ୨୦୧୯ ମସିହା ଅକ୍ଟୋବର ମାସରେ ମୁମ୍ବାଇ ବିଦ୍ୟୁତ୍‌ ଗ୍ରିଡ୍‌କୁ ଦୀର୍ଘ ୧୨ ଘଣ୍ଟା କାଳ ଅଚଳ କରି ଦେଇଥିବା ସାଇବର ଆକ୍ରମଣ ବିଷୟ ମଧୢ ସ୍ମରଣକୁ ଆସିଥାଏ, ଯାହା ଚୀନରେ ବସିଥିବା ସାଇବର ଅପରାଧୀଙ୍କ ଦ୍ବାରା ସ˚ଘଟିତ ହୋଇଥିବ ବୋଲି ସନ୍ଦେହ କରାଯାଇଥାଏ; କାରଣ ସେହି ସମୟରେ ଗଲଵାନ ଉପତ୍ୟକାରେ ଚୀନ ଏବ˚ ଭାରତ ମଧୢରେ ଏକ ଯୁଦ୍ଧ ପ୍ରାୟ ପରିସ୍ଥିତି ଉପୁଜି ଥିଲା, ଯାହା ଚୀନକୁ ଏଭଳି ଉପଦ୍ରବ କରିବାକୁ ପ୍ରରୋଚିତ କରିଥିବ। ଏଠାରେ ପ୍ରକାଶ ଥାଉ କି ଯେଉଁ ଦିନ ‘ଏମ୍‌ସ’ ଉପରେ ସାଇବର ଆକ୍ରମଣ ହୋଇଥିଲା, ସେହି ଦିନ ଇ˚ଲାଣ୍ତର ସ˚ସଦର ‘କ˚ପ୍ୟୁଟର ନେଟ୍‌ଵାର୍କ‌’ ମଧୢ ଏକ ସମତୁଲ ଆକ୍ରମଣ ଦ୍ବାରା ଅଚଳ ହୋଇଯାଇଥିଲା, ଯାହା ପଛରେ ରୁଷିଆର କେଉଁ ଏକ ଅଜ୍ଞାତ କୋଣରେ କାର୍ଯ୍ୟରତ ଭ୍ଲାଡିମିର ପୁଟିନଙ୍କ ସମର୍ଥକ ଗୋଷ୍ଠୀଙ୍କ ସ˚ପୃକ୍ତିର ସନ୍ଦେହ କରାଯାଇଥାଏ, କାରଣ ସେହି ଦିନ ଇଂଲାଣ୍ତ ସ˚ସଦ ଦ୍ବାରା ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ରୂପେ ଘୋଷଣା କରାଯିବା ନେଇ ଭୋଟ-ଦାନର କାର୍ଯ୍ୟକ୍ରମ ଥିଲା। ସୁତରା˚, ‘ଏମ୍‌ସ’ ଭୋଗିଥିବା ଆକ୍ରମଣ ପଛରେ ଯେ କୌଣସି ଶତ୍ରୁ ମନୋଭାବ ସ˚ପନ୍ନ ରାଷ୍ଟ୍ରର ହାତ ନ ଥିବ ଏହା ମଧୢ କୁହାଯାଇ ନ ପାରେ, ଯେଉଁ କାରଣରୁ ଏହାର ତଦନ୍ତର ଦାୟିତ୍ବ ନେସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ବା ‘ଏନ୍‌ଆଇଏ’ ଦ୍ବାରା ଗ୍ରହଣ କରାଯାଇଛି।

‘ସାଇବର ଆକ୍ରମଣ’କୁ କିଭଳି ସାମରିକ ଉଦ୍ଦେଶ୍ୟ ସାଧନ ଲାଗି ବ୍ୟବହାର କରାଯାଉଛି, ତାହାର ଦୃଷ୍ଟାନ୍ତ ମିଳିଥିଲା ୨୦୧୪ ମସିହା, ମାର୍ଚ୍ଚ ମାସ ୨ ତାରିଖରେ, ଯେଉଁ ଦିନ ରୁଷିଆ ଦ୍ବାରା ରଚିତ ସାଇବର ଆକ୍ରମଣ ଦ୍ବାରା ପ୍ରଥମେ ୟୁକ୍ରେନର ଇଣ୍ଟରନେଟ୍‌ ଓ ମୋବାଇଲ୍‌ ସେବାକୁ ସ˚ପୂର୍ଣ୍ଣ ଅଚଳ କରି ଦିଆଯାଇଥିଲା, ଏବ˚ ଏଥିରେ ଅତ୍ୟନ୍ତ ବିବ୍ରତ ୟୁକ୍ରେନ୍‌ ସରକାର ତଜ୍ଜନିତ ସ˚କଟକୁ ସମ୍ଭାଳିବାରେ ବ୍ୟସ୍ତ ଥିବା ବେଳେ ରୁଷିଆ ସନ୍ତର୍ପଣରେ ଏବ˚ ବିନା ପ୍ରତିରୋଧରେ କ୍ରିମିଆ ଦଖଲ କରି ନେଇଥିଲା। ତେବେ, ଏହାର ଏକ ଦଶନ୍ଧି ପୂର୍ବରୁ ଅର୍ଥାତ୍‌ ୨୦୦୩ ମସିହାରେ ଇରାକ୍‌ ଉପରେ ଆକ୍ରମଣ କରିବା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ମଧୢ ପ୍ରଥମେ ସେଠାରେ ଏକ ସାଇବର ଆକ୍ରମଣ ରଚନା କରି ବ୍ୟାଙ୍କ ସେବାକୁ ଅଚଳ କରି ଦେବା ସହିତ ସଦ୍ଦାମ ହୁସେନଙ୍କ ଲାଗି ଅର୍ଥର ସମସ୍ତ ସ୍ରୋତକୁ ବନ୍ଦ କରିବା ସକାଶେ ଯୋଜନା କରିଥିଲା। ମାତ୍ର ଏଭଳି ଏକ ପ୍ରୟାସ ଦ୍ବାରା ଇରାକର ବ୍ୟାଙ୍କ ବ୍ୟବସ୍ଥା ସହିତ ସ˚ଯୋଜିତ ଅନେକ ୟୁରୋପୀୟ ବ୍ୟାଙ୍କ ମଧୢ ଭୁଶୁଡ଼ି ପଡ଼ିବ ବୋଲି ଜ୍ଞାନ ଉଦୟ ହେବା ପରେ ଅନ୍ତିିମ କ୍ଷଣରେ ଆମେରିକା ତହିଁରୁ ବିରତ ରହିଥିଲା। ଏଭଳି ଉଦାହରଣ ଦର୍ଶାଇଥାଏ କିଭଳି ‘ସାଇବର ଆକ୍ରମଣ’ ସାମରିକ ଆକ୍ରମଣର ଏକ ଗୁରୁତ୍ବପୂର୍ଣ୍ଣ ଅଂଶରେ ପରିଣତ ହୋଇଛି, ଯେଉଁ ଗୁରୁତ୍ବ ଭବିଷ୍ୟତ୍‌ରେ ଆହୁରି ବୃଦ୍ଧି ପାଇବ। କାରଣ, ବିପୁଳ ଅର୍ଥ ବ୍ୟୟ ଏବ˚ କରୁଣ ରକ୍ତପାତ ଘଟାଉଥିବା ପାର˚ପରିକ ଯୁଦ୍ଧ ବଦଳରେ ‘ସାଇବର ଯୁଦ୍ଧ’ ବା ‘ସାଇବର ସ˚ତ୍ରାସ’ ବାହାରକୁ ଚାଞ୍ଚଲ୍ୟହୀନ ଏବ˚ ସ୍ବାଭାବିକ ଭଳି ମନେ ହେଉଥିବା ଜୀବନ ଯାତ୍ରା ମଧ୍ୟକୁ ପ୍ରବେଶ କରି ଅଦୃଶ୍ୟ ଏବ˚ ନିରବ ହାହାକାର ରଟନା କରିବାର ସାମର୍ଥ୍ୟ ରଖିଥାଏ।

ସୁତରା˚, ‘ସାଇବର ସୁରକ୍ଷା’ ଦିଗରେ ଦୃଢ଼ ପଦକ୍ଷେପ ନିଆଯିବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଭଳି ମନେ ହୁଏ। ଆମ ଦେଶରେ ଏ ଦିଗରେ ଗବେଷଣା ଏବ˚ ପ୍ରାବିଧିକ ଉଦ୍ୟମ ଅଗ୍ରସର ରହିଥିବାରୁ ଜାତିସ˚ଘ ଦ୍ବାରା ପ୍ରସ୍ତୁତ ‘ସାଇବର ସୁରକ୍ଷା ସୂଚକାଙ୍କ’ରେ ୨୦୨୧ ମସିହାରେ ଭାରତର ସ୍ଥାନ ପ୍ରଥମ ଦଶ (୧୦ ନମ୍ବର)ଟି ରାଷ୍ଟ୍ର ମଧୢରେ ରହିଛି। କିନ୍ତୁ ବିଡ଼ମ୍ବନା ହେଲା, ଏହା ସତ୍ତ୍ବେ ଏ ଯାବତ୍‌ ଭାରତରେ ଏକ ନିର୍ଦ୍ଦିଷ୍ଟ ସାଇବର ସୁରକ୍ଷା ନୀତି ପ୍ରସ୍ତୁତ ହୋଇ ପାରିନାହିଁ। ଏଠାରେ ପ୍ରକାଶ ଥାଉ କି ଛୋଟବଡ଼ ନିର୍ବିଶେଷରେ ଭାରତ ପ୍ରତି ବର୍ଷ ହାରାହାରି ୧୧.୫ ଲକ୍ଷ ସରିକି ‘ସାଇବର ଆକ୍ରମଣ’ର ସମ୍ମୁଖୀନ ହୋଇଥାଏ। ତେବେ, କେବଳ ଭାରତ ନୁହେଁ ସାଇବର ସୁରକ୍ଷା କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ଲାଭ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ମଧୢ ୫୦ ପ୍ରତିଶତ କ୍ଷେତ୍ରରେ ‘ସାଇବର ସୁରକ୍ଷା’ ଢାଲର ନବୀକରଣ କରାଯାଇ ନ ଥାଏ। ସୁତରାଂ, ଏଭଳି ଆଭିମୁଖ୍ୟ ହିଁ ଢାଲରେ ଛିଦ୍ର ରୂପେ ଆବିର୍ଭୂତ ହୋଇଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏଥିରେ ସନ୍ଦେହ ନାହିଁ ଯେ ଇଣ୍ଟରନେଟ୍‌ ଏବ˚ କ˚ପ୍ୟୁଟର ବ୍ୟବସ୍ଥା ଉପରେ ସ˚ପୂର୍ଣ୍ଣ ନିର୍ଭର କରି ଭବିଷ୍ୟତ୍‌ରେ ପୃଥିବୀ ପରିଚାଳିତ ହେବ। ସେତିକି ବେଳକୁ ସାଇବର ସ˚ଘାତର ବିଭୀଷିକା ଏକ ଭୟାବହ ବାସ୍ତବତାରେ ପରିଣତ ହୋଇଥିବ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ ହକି˚ଙ୍କ ଏକ ଭବିଷ୍ୟଦ୍ରଷ୍ଟାସୁଲଭ ବକ୍ତବ୍ୟ ମନେ ପଡ଼ିଥାଏ, ଯାହା ହେଲା, କ˚ପ୍ୟୁଟର ‘ଭାଇରସ’ କେବଳ ଗୋଟିଏ କ˚ପ୍ୟୁଟର ପ୍ରୋଗ୍ରାମ ମାତ୍ର ନୁହେଁ। ଏହା ମଣିଷ ଦ୍ବାରା ସୃଷ୍ଟ ମଣିଷର ଇଚ୍ଛାକୁ ପୂରଣ କରିବା ଲାଗି ଉଦ୍ଦିଷ୍ଟ ଏକ ‘ଜୀବନ୍ତ ଜୀବାଣୁ’, ଯାହା ଦିନେ କେବଳ କ˚ପ୍ୟୁଟର ବ୍ୟବସ୍ଥା ନୁହେଁ, ତା’ ଉପରେ ନିର୍ଭରଶୀଳ ସମଗ୍ର ମାନବ ଜୀବନକୁ ମଧୢ ପକ୍ଷାଘାତଗ୍ରସ୍ତ ଓ ଅଥର୍ବ କରିଦେବ।

ସମ୍ବନ୍ଧିତ ଖବର