ଭାରତ ବାହାରେ ଭାରତୀୟ

ଶରତ ଚନ୍ଦ୍ର ମିଶ୍ର

ପୁରାତନ କାଳରେ ଭାରତୀୟମାନେ ବିଦେଶରେ ବାସ କରିବାକୁ ପସନ୍ଦ କରୁନଥିଲେ। ପକ୍ଷାନ୍ତରେ ବୈଦେଶିକମାନେ ଭାରତର ସଂବୃଦ୍ଧିରେ ଆକୃଷ୍ଟ ହୋଇ ଭାରତ ଆକ୍ରମଣ କରି ଏଠାରେ ବସବାସ କଲେ। ଭାରତର ଧର୍ମ ସହିଷ୍ଣୁତା ହେତୁ ମଧ୍ୟ କିଛି ଅନ୍ୟ ଧର୍ମାବଲମ୍ବୀ ଭାରତରେ ଆସି ଆଶ୍ରୟ ଗ୍ରହଣ ଓ ଧର୍ମ ପ୍ରଚାର କରୁଥିଲେ। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତ ପୃଥିବୀର ଦ୍ବିତୀୟ ଧନଶାଳୀ ରାଷ୍ଟ୍ର ଥିଲା ଓ ଇଂରେଜ ଶାସନ ଆରମ୍ଭ ସହିତ ଭାରତୀୟ ସଂପଦ ଲୁଟ ହେବା ସଙ୍ଗେ ସଙ୍ଗେ ଭାରତର ଦାରିଦ୍ର୍ୟ ଆରମ୍ଭ ହୋଇ କାଳକ୍ରମେ ଇଂରେଜମାନେ ‌ଏହାକୁ ଏକ ଦରିଦ୍ରତମ ଦେଶ ଭାବରେ ଛାଡ଼ି ଦେଇ ଚାଲିଗଲେ।

ଏଇ ଦାରିଦ୍ର୍ୟର କଷାଘାତରେ ଭାରତୀୟମାନେ ବ୍ରିଟିସ କମ୍ପାନିମାନଙ୍କର ଶ୍ରମିକ ଭାବରେ ଶ୍ରୀଲଙ୍କା, ମାଲୟ, ଫିଜି, ମରିସସ୍‌, ବ୍ରିଟିସ ଗାଏନା ଓ ଦକ୍ଷିଣ ଆଫ୍ରିକା ଆଦି ଦେଶକୁ ଯିବା ଆରମ୍ଭ କଲେ ଓ କାଳକ୍ରମେ ସେଠାରେ ବସବାସ କଲେ। ସମୁଦ୍ର ପାରି ହେଲେ ଜାତି ଯିବାର ଭୟ ଦୂରୀଭୂତ ହେଲା ଓ ଦରିଦ୍ର ଶ୍ରମିକଙ୍କ ବଂଶଧରମାନେ ଏବେ କେତେକ ଦେଶରେ ଉଭୟ ରାଜନୈତିକ ଓ ଅର୍ଥନୈତିକ ଶ୍ରେଷ୍ଠତା ଲାଭ କରିଛନ୍ତି। ଏଇ ଶ୍ରମିକମାନେ ମୁଖ୍ୟତଃ ବିହାର ଓ ତତ୍‌କାଳୀନ ମାଡ୍ରାସ ପ୍ରେସିଡେନ୍‌ସିରୁ ଯାଇଥିଲେ। ତେଣୁ ସେଇ ପ୍ରବାସୀମାନଙ୍କ ମଧ୍ୟରେ ‌େଭାଜପୁରୀ ଓ ତାମିଲମାନଙ୍କ ସଂଖ୍ୟା ଅଧିକ। କତିପୟ ଗୁଜୁରାଟୀ ବ୍ୟବସାୟୀ ଯାଇ ପୂର୍ବ ଆଫ୍ରିକାରେ ବ୍ୟବସାୟ କରୁଥିଲେ। ଔପନିବେଶବାଦର ଅନ୍ତ ସହିତ ସେମାନଙ୍କର ପୂର୍ବ ଆଫ୍ରିକା ବାସ ପୀଡ଼ାଦାୟକ ହେଲା ଏବଂ ଅ‌େନକ ହଂକଂ ଓ ଇଂଲାଣ୍ଡ ଚାଲିଗଲେ। ଭାରତର ବିଭାଜନ ସମୟରେ ମଧ୍ୟ ଅନେକ ଇଂଲଣ୍ଡ ଚାଲିଗଲେ। ସେମାନେ ମୁଖ୍ୟତଃ ପଞ୍ଜାବୀ ହିନ୍ଦୁ ଓ ମୁସଲମାନ, ଶିଖ୍‌ ଓ ବଙ୍ଗାଳୀ। କିଛି ଶିଖ ଚାଷୀ, ଆମେରିକାର ପଶ୍ଚିମ ଉପକୂଳ ଓ କାନାଡାରେ ଯାଇ ବସବାସ କରିଥିଲେ। ଆମେରିକା ଯିବା ୧୯୬୫ ପରେ ସହଜ ହେବାରୁ ଶିକ୍ଷିତ ଭାରତୀୟମାନଙ୍କର ଆମେରିକା ଯିବା ଫୁଆରା ଛୁଟିଲା। ଶିକ୍ଷିତ ଭାରତୀୟ ଆମେରିକା, ଇଂଲାଣ୍ଡ, କାନାଡା ଓ ଅଳ୍ପ କେତେ ବର୍ଷ ହେଲା ଅ‌େଷ୍ଟ୍ରଲିଆ ଯାଇ ଚାକିରି କରି କାଳକ୍ରମେ ସମାଜରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ମଧ୍ୟପ୍ରାଚ୍ୟରେ ବହୁ କୁଶଳୀ ଓ ଅର୍ଦ୍ଧ କୁଶଳୀ ଭାରତୀୟ ଶ୍ରମିକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ।

ବର୍ତ୍ତମାନ ଏଗାରଟି ଦେଶରେ ଭାରତୀୟ ବଂଶୋଦ୍ଭବମାନେ ରାଜନୈତିକ କ୍ଷମତା ଆହରଣ କରିଛନ୍ତି। ଆମେରିକାର ଉପରାଷ୍ଟ୍ରପତି, ବ୍ରିଟେନ୍‌, ଆୟାରଲାଣ୍ଡ ଓ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ତନ୍ମଧ୍ୟରୁ ପ୍ରଧାନ। ସେମାନଙ୍କ ମଧ୍ୟରୁ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ ଜ‌େଣ ନିରୁତା ହିନ୍ଦୁ ଓ ତାଙ୍କ ସ୍ତ୍ରୀ ଭାରତୀୟ ପାସପୋର୍ଟ ଧାରୀ।

ତାଙ୍କର ପ୍ରଧାନମନ୍ତ୍ରିତ୍ବ ଭାରତୀୟ ଓ ହିନ୍ଦୁମାନଙ୍କ ମଧ୍ୟ‌େର ବେଶ ଉଦ୍ଦୀପନା ସୃଷ୍ଟି କରିଅଛି। ଉପନିବେଶବାଦରେ ଦୁଇ ଶତାବ୍ଦୀ କାଳ ପ୍ରପୀଡ଼ିତ ଭାରତୀୟଙ୍କ ପକ୍ଷରେ ଏହା ନିଶ୍ଚିତ ଏକ ଗର୍ବ ଓ ଗୌରବର କଥା। କେତେକ ଭାରତୀୟ ଏଥିରେ ଅତି ଉତ୍ସାହିତ ହୋଇ ସେ କୋହିନୂର ହୀରା ଫେରାଇ ଦେବେ ଓ ଭାରତୀୟମାନଙ୍କ ପ୍ରତି ଭିସା ନୀତି କୋହଳ କରି ଦେବେ ଓ ଦ୍ବି-ପାକ୍ଷିକ ବାଣିଜ୍ୟରେ କୋହଳ ନୀତି ଅବଲମ୍ବନ କରିବେ ବୋଲି ଆଶା ପ୍ରକାଶ କରୁଛନ୍ତି। ସ୍ମରଣ ରଖିବାକୁ ହେବ ଯେ ଋଷି ସୁନକ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ଓ ଇଂଲାଣ୍ଡର ଭୋଟରଙ୍କ ପାଖରେ ଉତ୍ତରଦାୟୀ। ଇଂଲାଣ୍ଡର ସ୍ବାର୍ଥ ରକ୍ଷା ତାଙ୍କର ପ୍ରଥମ କର୍ତ୍ତବ୍ୟ ଓ ରାଜଧର୍ମ ଏବଂ ସେଥିରୁ ସେ ବିଚ୍ୟୁତ ହେବେ ନାହିଁ ଓ ହେବା ଉଚିତ ମଧ୍ୟ ନୁହେଁ। ସେ ଜଣେ ଉଚ୍ଚ ମାନର ଅର୍ଥନୀତିଜ୍ଞ ଓ ବାଣିଜ୍ୟ ଆଲୋଚନାରେ ଜଣେ ଅର୍ଥନୀତିଜ୍ଞର ଆଭିମୁଖ୍ୟ ଗ୍ରହଣ କରିବେ। ସେଥିରେ ଭାରତବାସୀ ନିରାଶ ନ ହୋଇ ବରଂ ତାଙ୍କର ସଫଳତା କାମନା କରିବା ଉଚିତ।

ଗୋଟିଏ ଅନୁଧ୍ୟାନ ଯୋଗ୍ୟ କଥା ହେଉଛି ଯେ ଭାରତୀୟମାନେ ଯେତେ ମାତ୍ରାରେ ବିଦେଶରେ ସଫଳ ହେଉଛନ୍ତି, ନିଜ ଦେଶରେ ସେତେ ମାତ୍ରାରେ ସଫଳ ହୋଇ ପାରୁନାହାନ୍ତି। ଭାରତ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଉନ୍ନତି କଲେ ମଧ୍ୟ, ପ୍ରାୟ ଦୁଇ ଲକ୍ଷରୁ ଅଧିକ ଭାରତୀୟ ପ୍ରତି ବର୍ଷ ଦେଶ ଛାଡ଼ୁଛନ୍ତି ଓ ଭାରତ ବାହାରେ ବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ବର୍ତ୍ତମାନ ୩ କୋଟି ୫୦ ଲକ୍ଷରେ ପହଞ୍ଚିଲାଣି। ବିଦେଶ ଯାଉଥିବା ଭାରତୀୟମାନଙ୍କ ମଧ୍ୟରେ ବର୍ତ୍ତମାନ ମେଧାବୀ ଭାରତୀୟମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମେଧାବୀ ଭାରତୀୟମାନେ ବହୁ ସଂଖ୍ୟାରେ ନିଜ ଦେଶକୁ ପରିତ୍ୟାଗ କରିବାର କାରଣ ଖୋଜି ତା’ର ସମାଧାନ କରିବା ଆବଶ୍ୟକ। ବର୍ତ୍ତମାନ ଆମେରିକାରେ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ। ପ୍ରତି ବର୍ଷ ପ୍ରାୟ ୯ ବିଲିଅନ ଡଲାର ଭାରତୀୟ ଛାତ୍ରମାନେ ଆମେରିକା, ଇଂଲାଣ୍ଡ, କାନାଡ଼ା ଓ ଅଷ୍ଟ୍ରେଲିଆରେ ଖର୍ଚ୍ଚ କରୁଛନ୍ତି। କୋଭିଡ୍‌ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ, ଚୀନ୍‌ ଓ ୟୁକ୍ରେନରେ ମଧ୍ୟ ବହୁ ଭାରତୀୟ ଛାତ୍ରଛାତ୍ରୀ ଥିବା ଜଣାଗଲା। ଭାରତରେ ଉଚ୍ଚ ମାନର ଶିକ୍ଷାନୁଷ୍ଠାନ ଓ ଅଧିକ ସଂଖ୍ୟକ ସରକାରୀ ମେଡିକାଲ କଲେଜ ଥିଲେ, ଏ ବିଦେଶୀ ମୁଦ୍ରା ବ୍ୟୟର ସିଂହଭାଗ ବଞ୍ଚାଯାଇପାରନ୍ତା। ଚାକିରି ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଅତ୍ୟଧିକ ଆରକ୍ଷଣ ହେତୁ, ଅନେକ ଛାତ୍ର ବିଦେଶରେ ଅଧ୍ୟୟନ କରି ବ୍ୟବସାୟିକ କ୍ଷେତ୍ରରେ ଚାକିରି କରିବାକୁ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସରକାରୀ କଳ ଓ ଉଦ୍ୟୋଗମାନଙ୍କରେ ମେଧା ଶକ୍ତିରେ ଦୃଢ଼ ହ୍ରାସ ଘଟି, ବେସରକାରୀ ସଂସ୍ଥାରେ ମେଧା ଶକ୍ତି ବୃଦ୍ଧି ପାଉଛି। ଏହା ଦେଶର ସଂବୃଦ୍ଧିରେ ଏକ ବାଧକ। ଇଉରୋପ, ଆମେରିକା, ଜାପାନ ଆଦି ଉନ୍ନତ ଦେଶମାନେ, ଦରିଦ୍ର ତୁଷ୍ଟୀକରଣ, ଆରକ୍ଷଣ ଆଦିରେ ଗୁରୁତ୍ବ ପ୍ରଦାନ ନ କରି, ଗୁଣବନ୍ତମାନଙ୍କୁ ପ୍ରୋତ୍ସାହିତ କରି ଉନ୍ନତି କଲେ। ଆମ ଦେଶର ଜାତିପ୍ରଥା ଏକ ରୋଗ। ତା’ର ବିଲୋପ ସାଧନ ଦେଶର ଉନ୍ନତି ନିମନ୍ତେ ଆବଶ୍ୟକ। ଜାତିଭିତ୍ତିକ ଆରକ୍ଷଣ ଦ୍ବାରା ଜାତିପ୍ରଥା ବିଲୋପ ହେବା ପରିବର୍ତ୍ତେ ଜାତିପ୍ରଥାର ଧାରାବାହିକତାରେ ସ୍ବାର୍ଥ ନିହିତ ହେଲାଣି। ତେଣୁ ଆରକ୍ଷଣ ପରେ ଜାତିର ଡୋର ଶିଥିଳ ହେବା ପରିବର୍ତ୍ତେ ଆହୁରି ଜୋର ହେବାରେ ଲାଗିଛି। ଦେଶ ବାହାରେ ଭାରତୀୟମାନଙ୍କ ମଧ୍ୟରେ ଜାତି ପ୍ରଥାର ପ୍ରଭାବ ହ୍ରାସ ପାଉଛି।

ଆମ ଦେଶର ଦ୍ବିତୀୟ ପ୍ରଧାନ ଶତ୍ରୁ ହେଉଛି ଦୁର୍ନୀତି। ଏହାର ନିବାରଣ ନିମନ୍ତେ ଯେତିକି ନୂଆ କୋର୍ଟ, ଲୋକପାଳ, ଦୁର୍ନୀତି ନିବାରଣ ସଂସ୍ଥା ପ୍ରତିଷ୍ଠା ହେଉଛି ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଦଣ୍ଡିତ ହେଉଛନ୍ତି, ଦୁର୍ନୀତି ସେତିକି ଅଧିକ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ଅପେକ୍ଷାକୃତ ଦୁର୍ନୀତିମୁକ୍ତ ସମାଜରେ, ପ୍ରବାସୀ ଭାରତୀୟମାନେ ସଫଳ ହେଉଛନ୍ତି ଓ ନିଜ ଦେଶକୁ ଫେରିବାକୁ ଆଗ୍ରହ ଥି‌େଲ ମଧ୍ୟ, ଫେରିଆସି ଦୁର୍ନୀତିର ନାଗଫାଶ ମଧ୍ୟରେ ଛନ୍ଦି ହେବାକୁ ଭୟ କରୁଛନ୍ତି। ଏକ ସର୍ବେକ୍ଷଣରୁ ଜଣାଯାଏ ଯେ, ଦୁର୍ନୀତିରେ ଲିପ୍ତ କର୍ମଚାରୀମାନଙ୍କ ମଧ୍ୟରେ ପରିବାରର ପ୍ରଥମ ପିଢ଼ିର କର୍ମଚାରୀଙ୍କ ସଂଖ୍ୟା ଅଧିକା କାରଣ ତାଙ୍କ ଉପରେ ସଂପ୍ରସାରିତ ପରିବାରର ବୋଝ ଅଧିକ।

ଆମ ଦେଶର ନିର୍ବାଚନରେ ବହୁ ଅର୍ଥ ବ୍ୟୟ ହୁଏ। ଭୋଟର ଅର୍ଥ ନିଏ ଓ ଯେଉଁ ଦେଶରେ ଭୋଟର ଦୁର୍ନୀତିଗ୍ରସ୍ତ ସେଠାରେ ନିର୍ବାଚିତ ବ୍ୟକ୍ତି ଦୁର୍ନୀତିଗ୍ରସ୍ତ ହେବା ସ୍ବାଭାବିକ। ସରକାରୀ କଳରେ ଅସାଧୁତା କାରଣ ଯୋଗୁଁ ଯୁବପିଢ଼ିର ଏକ ଅଂଶ ଉଚ୍ଚ ମାନର ଜୀବନ ଧାରଣ, ଅଧିକ ରୋଜଗାର ଓ ସାଧୁ ପରିବେଶରେ ଜୀବନଯାପନ ଓ ନିଜର ଭବିଷ୍ୟତ ପିଢ଼ିର ଦାୟାଦମାନଙ୍କ ଭବିଷ୍ୟତ୍‌ ଆଦି ଦୃଷ୍ଟିରୁ ନିଜ ଦେଶକୁ ପରିତ୍ୟାଗ କରି ଅନ୍ୟ ଦେଶକୁ ଚାଲିଯାଉଛନ୍ତି। ପ୍ରବାସରେ ଯାଇ ଏହି ଭାରତୀୟମାନେ ଅନ୍ୟ ଦେଶରେ ପ୍ରତିଷ୍ଠିତ ହେଲେ, ଆମ ନିମନ୍ତେ ଗୌରବ, କିନ୍ତୁ ନିଜ ଦେଶରେ ଏମାନଙ୍କୁ ଆକର୍ଷିତ କରି ରଖି ନପାରିବା ଆମର ଏକ ବିରାଟ ବିଫଳତା ବୋଲି ମାନି ନେଇ ତା’ର ‌ପ୍ରତିଷେଧକ ବ୍ୟବସ୍ଥା କରିବା ଆବଶ୍ୟକ।
ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର