ଗାନ୍ଧୀ ବନାମ ହେତୁବାଦୀ

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

ଗାନ୍ଧୀଜୀଙ୍କୁ ଅନେକ ସମୟରେ ଏପରି ପ୍ରଶ୍ନ କରାଯାଏ, ‘ବାପୁ, ଆପଣ ଜଣେ ପରମ୍ପରାବାଦୀ ନା ହେତୁବାଦୀ ନାସ୍ତିକ? ଆପଣ ଦ୍ବୈତବାଦୀ ନା ଅଦ୍ବୈତବାଦୀ?’

୧୯୨୬ ମସିହା ଜାନୁଆରି ୨୧ ତାରିଖ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଗାନ୍ଧୀ ଏକ ପ୍ରବନ୍ଧ ଲେଖି ସ୍ପଷ୍ଟ କରିଦେଲେ, ସେ ଦ୍ବୈତବାଦ ବା ଅଦ୍ବୈତବାଦ ଭିତରେ ସୀମିତ ହେବାକୁ ଚାହାଁନ୍ତି ନାହିଁ। ସେ ସବୁ ବିଶ୍ୱାସକୁ ସମ୍ମାନ ଦେଉଥିବା ଜଣେ ‘ଅନେକତ୍ୱବାଦୀ’। ସେ କିନ୍ତୁ ଅନ୍ଧବିଶ୍ୱାସୀ ନୁହନ୍ତି।

ଗାନ୍ଧୀଙ୍କ ସେବାଗ୍ରାମ ଆଶ୍ରମରେ କିଛି ନାସ୍ତିକ ବି ରହୁଥିଲେ। ଈଶ୍ୱରଙ୍କ ଅସ୍ଥିତ୍ୱକୁ ଅସ୍ବୀକାର କରୁଥିବା ହେତୁବାଦୀମାନେ ଆଶ୍ରମରେ ରହି ଆଶ୍ରମର ଶୃଙ୍ଖଳା ମଧ୍ୟ ମାନୁଥିଲେ। ଗାନ୍ଧୀଙ୍କ ପ୍ରାର୍ଥନା ସଭାକୁ ଯାଉଥିଲେ। ସମସ୍ତ ରଚନାତ୍ମକ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ। ସେମାନଙ୍କ ଭିତରେ ପ୍ରମୁଖ ଥିଲେ ଜି. ରାମଚନ୍ଦ୍ର ରାଓ, ଡାକ ନାଁ ଥିଲା ‘ଗୋରା’।

ଗୋରା ଥିଲେ ଜଣେ ବିଜ୍ଞାନ ଅଧ୍ୟାପକ। ଚାକିରି ଛାଡ଼ି ସେ ଅସ୍ପୃଶ୍ୟତା ଦୂରୀକରଣ ପାଇଁ ଲଢ଼େଇ କରୁଥିଲେ। ୧୯୩୦ ମସିହାରୁ ଗାନ୍ଧୀଙ୍କ ସହ ସେ ପତ୍ରରେ ସମ୍ପର୍କ ରଖିଥିଲେ। ଈଶ୍ୱରଙ୍କ ସତ୍ତାକୁ ନେଇ ଉଭୟଙ୍କ ମଧ୍ୟରେ ମତ ପ୍ରାର୍ଥକ୍ୟ ଥିଲା। ତଥାପି ଗାନ୍ଧୀଙ୍କ ପ୍ରଶଂସକ ଥିଲେ ଗୋରା। ଗୋରା ଏକ ବହି ଲେଖିଛନ୍ତି। ବହିର ନାଁ ହେଉଛି, ‘ଆନ୍ ଏଥିଷ୍ଟ ଉଇଥ୍ ଗାନ୍ଧୀ’- ଗାନ୍ଧୀଙ୍କ ସହ ଜଣେ ନାସ୍ତିକ।

ଗାନ୍ଧୀଙ୍କ ସହ ଗୋରାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ୧୯୪୪ ମସିହା ନଭେମ୍ବର ମାସ ଶେଷ ସପ୍ତାହରେ, ସେବାଗ୍ରାମରେ। ଗାନ୍ଧୀ ସେତେବେଳେ ସାଂଧ୍ୟ ଭ୍ରମଣରେ ବାହାରିଥିଲେ। ପ୍ୟାରେଲାଲ ଗାନ୍ଧୀଙ୍କ ସହିତ ଗୋରାଙ୍କ ପରିଚୟ କରାଇ କହିଲେ, ‘ବାପୁ, ଇଏ ହେଉଛନ୍ତି ଜି. ରାମଚନ୍ଦ୍ର ରାଓ, ଜଣେ ନାସ୍ତିକ। ଆପଣଙ୍କ ସହ କିଛି ସମୟ କଥା ହେବାକୁ ଚାହାଁନ୍ତି।’ ଗାନ୍ଧୀ ଟିକିଏ ହସିଦେଇ ଉତ୍ତର ଦେଲେ, ‘ଜଣେ ନିରୀଶ୍ୱରବାଦୀ (ଗଡଲେସ୍)ଙ୍କ ସହ ମୁଁ କି କଥା ହେବି?’

ଗାନ୍ଧୀଜୀଙ୍କ ଟିପ୍ପଣୀକୁ ସହଜରେ ନେଇ ଗୋରା ଉତ୍ତର ଦେଲେ, ‘ବାପୁ, ମୁଁ ଜଣେ ନାସ୍ତିକ; ନିରୀଶ୍ୱରବାଦୀ ନୁହେଁ। ନାସ୍ତିକ ଓ ନିରୀଶ୍ୱରବାଦୀଙ୍କ ଭିତରେ ପ୍ରାର୍ଥକ୍ୟ ରହିଛି। ନାସ୍ତିକତା ଏକ ସକାରାତ୍ମକ ପ୍ରଗତିଶୀଳ ମାର୍ଗ, ଆପଣଙ୍କ ଅହିଂସା ପରି। ନାସ୍ତିକତାରେ ଆତ୍ମବିଶ୍ୱାସ ଥାଏ; ମୁକ୍ତ ଚିନ୍ତା ଥାଏ। ହେତୁବାଦୀମାନେ ସତ୍ୟ ସନ୍ଧାନରେ ଥାଆନ୍ତି।’

‘ସତ୍ୟ ହିଁ ଈଶ୍ୱର, ଈଶ୍ୱର ହିଁ ସତ୍ୟ’ କହୁଥିବା ଗାନ୍ଧୀଙ୍କୁ ଗୋରାଙ୍କର ଏ ବିଶ୍ଳେଷଣ କିଛି ନୂଆ ଲାଗି ନ ଥିଲା। ଗୋରା ଯେ ଏକ ଧର୍ମାନ୍ଧ ନୁହନ୍ତି, ଗାନ୍ଧୀଜୀଙ୍କର ମନେ ହୋଇଥିଲା।
ଗାନ୍ଧୀଙ୍କ ଅନୁମତି କ୍ରମେ ସେବାଗ୍ରାମର ଜଣେ ଅନ୍ତେବାସୀ ହୋଇଯାଇଥିଲେ ଗୋରା। ଗ୍ରାମାଞ୍ଚଳରେ ଅସ୍ପୃଶ୍ୟତା ଦୂରୀକରଣରେ ନିଷ୍ଠାର ସହ ସେ କାମ କରିଥିଲେ। ବର୍ଣ୍ଣ ନିର୍ବିଶେଷରେ ପଙ୍‌କ୍ତି ଭୋଜନ ତଥା ଅନ୍ତର୍ଜାତି ବିବାହ କଥା ସେ ଗ୍ରାମାଞ୍ଚଳରେ କହିଥିଲେ। ପରିଶେଷରେ ଏକ ଜାତି ଶୂନ୍ୟ ସମାଜ ପ୍ରତିଷ୍ଠା ପାଇଁ ଅସବର୍ଣ୍ଣ ବିବାହ ଏବଂ ସାମୂହିକ ପଙ୍ଗତ ଯେ ଗାନ୍ଧୀଙ୍କର ଏକ ସୁଚିନ୍ତିତ ମାର୍ଗ, ଗୋରା ଏହା ଗ୍ରହଣ କରି ନେଇଥିଲେ। ସେ ‘ଦବାଖାନା’ରେ ନର୍ସମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ହୃଦ୍‌ସ୍ପନ୍ଦନ ଜାଣିବା ପାଇଁ ବେଙ୍ଗ କଟା (ଡିସେକ୍ସନ) ଶିଖାଉ ଥିଲେ। ହୃଦୟର ସ୍ପନ୍ଦନ ଜାଣିବା ପାଇଁ ଯଦି ବେଙ୍ଗର ବ୍ୟବଚ୍ଛେଦ କରାଯାଏ, ତେବେ ଏହା ହିଂସା ନୁହେଁ ବୋଲି ଗାନ୍ଧୀ ଗୋରାଙ୍କୁ ଆଶ୍ୱାସନା ଦେଇଥିଲେ।

୧୯୪୫ ମସିହା, ମାର୍ଚ୍ଚ ୩୦ ତାରିଖରେ ଗାନ୍ଧୀଙ୍କ ସହିତ ହେତୁବାଦୀ ଗୋରାଙ୍କ ଏକ ଦୀର୍ଘ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଏ ସାକ୍ଷାତକାର ପାଇଁ ଗାନ୍ଧୀଜୀ ନିଜେ ଗୋରାଙ୍କୁ ଆମନ୍ତ୍ରଣ କରିଥିଲେ। ଏ ସାକ୍ଷାତକାରର ଏକ ଆବେଗିକ ବର୍ଣ୍ଣନା ଦେଇ ଗୋରା ତାଙ୍କ ବହିରେ ଲେଖିଛନ୍ତି- ‘ସକାଳ ପାଞ୍ଚଟାରେ ମୁଁ ବାପୁଙ୍କ ପାଖରେ ପହଞ୍ଚି ଯାଇଥିଲି। ବାପୁ ନିଜ କୁଟୀର ବାହାରେ ଖଟିଆଟିରେ ଶୋଇଥିଲେ। ମୋତେ ଦେଖି କହିଲେ, ‘ଆସ ଗୋରା, ମୋ ପାଖରେ ଖଟିଆ ଉପରେ ବସ।’ ବାପୁଙ୍କ ଆତ୍ମିକ ସମ୍ବୋଧନରେ ମୁଁ ଆତ୍ମହରା ହୋଇ ଯାଇଥିଲି। ବାପୁଙ୍କ ପାଖରେ ବସିଲି। ମୋର ସେଦିନ ଧାରଣା ହୋଇଥିଲା, ମୁଁ ଯେମିତି ମୋ ବାପାଙ୍କ ପାଖରେ ବସି ଘର କଥା ଆଲୋଚନା କରୁଛି।

ଗାନ୍ଧୀଜୀଙ୍କ ପ୍ରଥମ ପ୍ରଶ୍ନ ଥିଲା, ‘ତୁମେ ନାସ୍ତିକ ହେବାକୁ କାହିଁକି ଇଚ୍ଛା କଲ?’ ସାଧାରଣ ଭାବେ ପଚରା ଯାଉଥିବା ପ୍ରଶ୍ନ ଠାରୁ ଏ ପ୍ରଶ୍ନ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ନାସ୍ତିକତାର ଅର୍ଥ କ’ଣ ନ ପଚାରି ବାପୁ ମୋତେ ଏପରି ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ। ମୁଁ ଉତ୍ତର ଦେଇଥିଲି, ‘ବଙ୍ଗଳା ଦୁର୍ଭିକ୍ଷ ବେଳେ ଗତ ବର୍ଷ ମୁଁ ଅନେକ ଲୋକ ଅନାହାରରେ କଲିକତାର ମିଠା ଓ ଫଳ ଦୋକାନ ଆଗରେ ମରି ପଡ଼ିବାର ଦେଖିଛି। ଅନାହାରରେ ଥିଲେ ବି କେହି ବଳ ପୂର୍ବକ ଦୋକାନରେ ପଶି ଯାଇ ନ ଥିଲେ। ସେମାନେ କେହି ଭୀରୁ ନ ଥିଲେ କି ନିଜ ଆଖିରେ ଅନାହାର ମୃତ୍ୟୁ ଦେଖୁଥିବା ଦୋକାନୀ ନିଷ୍ଠୁର ବି ନଥିଲେ। ଉଭୟେ ସାମାଜିକ ଅସମାନତା ପାଇଁ ଭାଗ୍ୟ ଓ ଭଗବାନଙ୍କୁ ଦାୟୀ କରୁଥିଲେ।

ଗାନ୍ଧୀଜୀ ଖଟିଆରୁ ଉଠି ବସିପଡ଼ିଲେ। କହିଲେ, ‘ଗୋରା, ତୁମେ ହେତୁବାଦୀ ହେବା ଭୁଲ୍ ବୋଲି ମୁଁ କହୁନି। ମୁଁ ବି ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖି କିଛି ତ୍ରୁଟି କରିଛି ବୋଲି ଭାବୁନି। ମୁଁ ଜାଣେ, ତୁମେ ରୂଢ଼ିବାଦୀ ନୁହଁ। ଯଦି ତୁମେ କେବେ ନିଜକୁ ଭୁଲ୍ ବୋଲି ଭାବିବ ମୋ ବାଟକୁ ଗ୍ରହଣ କରିନେବ। କିମ୍ବା ମୁଁ ତୁମ ବାଟରେ ଯାଇପାରେ। କିମ୍ବା ଆମେ ତୃତୀୟ ବାଟ ବାଛି ନେଇପରିବା। ତୁମେ ତୁମ ଝିଅ, ‘ମନୋରମା’ର ବାହାଘର ଏକ ଦଳିତ ପୁଅ ସହ କରିବ।’

ଗୋରା ତାଙ୍କ ଝିଅର ବିବାହ ଜଣେ ଦଳିତ ଯୁବକ ଅର୍ଜୁନଙ୍କ ସହ କରିବାର ନିଷ୍ପତ୍ତି ନେଇଥିଲେ। ଏହି ବିବାହ ଉତ୍ସବ ସେବାଗ୍ରାମରେ ୧୯୪୮ ମସିହା ଏପ୍ରିଲରେ ହୋଇଥାଆନ୍ତା ଏବଂ ଗାନ୍ଧୀଜୀ ଆଶୀର୍ବାଦ ଦେଇଥାନ୍ତେ। କିନ୍ତୁ ୧୯୪୮ ଜାନୁଆରିରେ ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା।

ମହାଦେବ ଦେଶାଇଙ୍କ ସମ୍ପାଦିତ ‘ଉଇଥ୍ ଗାନ୍ଧୀ ଇନ୍ ସିଲୋନ୍’ ପୁସ୍ତକରେ ଗାନ୍ଧୀଜୀଙ୍କ ସ୍ପଷ୍ଟୋକ୍ତି ହେଲା, ସବୁ ପୁରୁଣା ପରମ୍ପରା ଯେ ଭଲ, ସେ ଏ ଧାରଣକୁ ଗ୍ରହଣ କରନ୍ତି ନାହିଁ। ପରମ୍ପରାରେ ଅନୈତିକତା ତଥା କୁପ୍ରଥା ଥିଲେ ତାହା ବର୍ଜନ କରିବା ଉଚିତ। କିନ୍ତୁ ଆଧୁନିକତାବାଦୀମାନେ ସବୁ ପ୍ରାଚୀନ ପରମ୍ପରାକୁ ଯେପରି କୁସଂସ୍କାର ବୋଲି କହନ୍ତି, ତାହା ବି ଗ୍ରହଣୀୟ ନୁହେଁ। ଭାରତରେ ଏବେ ବି ଅନେକ ପୁରୁଣା ଅନୁଷ୍ଠାନ ଅଛି ଯାହା ଦେଶ ପାଇଁ ଦରକାର। ଅନ୍ଧବିଶ୍ୱାସ କିନ୍ତୁ ଏ ଦେଶର ଏକ ବୃହତ୍ ଶତ୍ରୁ। ଏ ଶତ୍ରୁ ଭାରତବର୍ଷକୁ ଭୃତ୍ୟ କରି ହଜାର ହଜାର ବର୍ଷ ଧରି ବାନ୍ଧି ରଖିଛି।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର