ଏହା ଦିନେ ଫେରିବ

କଥାଟିଏ - ଯାଯାବର

ଥରେ ସନ୍ଥ ଫରିଦ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଗୋଟିଏ ଛୁଆର ବିକଳ କାନ୍ଦଣା ଶୁଣି ଠିଆ ହୋଇଗଲେ। ଫରିଦ ଦେଖନ୍ତି ତ ଗୋଟିଏ ଦୁର୍ଦ୍ଦାନ୍ତ ଲୋକଟି ତା’ର ଛୋଟ ଛୁଆକୁ ବାଡ଼ଉଛି। ଫରିଦଙ୍କ ପାଟିରୁ ବାହାରି ଗଲା- ୟେ ତୋ ପାଖକୁ ଫେରିବ।

ଏ କଥାଟି ସେ ଗୁଣ୍ତାର କାନରେ ପଡ଼ି ଯାଇଥିଲା। ସେ ଫରିଦଙ୍କୁ ଅଟକାଇ ପଚାରିଲା- ୟେ ମୋ ପାଖକୁ ଫେରିବ ମାନେ? କିଏ ଫେରାଇବ? ତୁମେ କହିବାକୁ ଚାହଁ କି ଛୁଆଟିକୁ ବାଡ଼ଉ ଥିଲି ବୋଲି ଭଗବାନ ମୋତେ ଦଣ୍ତ ଦେବେ? ୟେ ସବୁ ବାଜେ କଥା। ଭଗବାନ ଏମିତି କାହାକୁ ଦଣ୍ତ ଦିଅନ୍ତି ନାହିଁ। ମୋ ଦେହରେ ହାତ ମାରିବାର ସାହସ କାହାର ଅଛି?

ଫରିଦ କହିଲେ- ପାରସ୍ୟର ରାଜା ଥିଲେ ଭାରି ନିଷ୍ଠୁର। ସେ ତାଙ୍କ ଏକମାତ୍ର ପୁତ୍ରକୁ ତାଙ୍କ ଭଳି କରିବା ଲାଗି ପିଲଟି ଦିନରୁ ତା’ ମନରେ ନିଷ୍ଠୁରତା ଭରିବାକୁ ଲାଗିଲେ। ତା’ ଆଗରେ ଲୋକଙ୍କୁ ଅତ୍ୟାଚାର କରାଗଲା ଏବ˚ ରାଜପୁତ୍ର ତାହା ଦେଖି ଆନନ୍ଦ ପାଇଲେ। ସେତିକି ବେଳେ ମୁଁ କହିଥିଲି ଯେ ମହାରାଜ ୟେ କ’ଣ କରୁଛନ୍ତି? ୟେ ଦିନେ ଆପଣଙ୍କ ପାଖକୁ ଫେରିବ। ସେତିକି ବେଳେ ସେ ବି ତୁମ ଭଳି ଅଟ୍ଟହାସ୍ୟ କରିଥିଲେ।
କିନ୍ତୁ ବର୍ଷ କେଇଟା ପରେ ସବୁ ବଦଳିଗଲା। ତାହା ତାଙ୍କ ପାଖକୁ ଫେରିଲା। ଗାଦି ହାସଲ କରିବା ଲାଗି ରାଜପୁତ୍ର ତାଙ୍କ ବାପାଙ୍କୁ ବନ୍ଦୀ କରି କାରାଗାରରେ ପୂରାଇ ଅତ୍ୟାଚାର କଲେ। ସେଥିରେ ରାଜା ମଲେ। ଏହା ହିଁ ନିୟମ। ଯେମିତି ବିହନ ତୁମେ ବୁଣୁଛ, ସେମିତି ଫସଲ କାଟିବ। ବିହନର ଯାତ୍ରା ଗଛରେ ଫଳ ଫଳିବା ପରେ ଯାଇ ସମାପ୍ତ ହେବ। ତୁମେ ବିଷର ବିହନ ବୁଣୁଛ। ଏବେ ଫଳକୁ ଅପେକ୍ଷା କର।

ସମ୍ବନ୍ଧିତ ଖବର