ଓଡ଼ିଶାରେ ପର୍ଯ୍ୟଟନ ସୁଯୋଗ ଭରପୂର। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ପର୍ଯ୍ୟଟନ-ଭିତ୍ତିକ ଯୋଜନା ଏବଂ ବିଜ୍ଞାପନର ହୋ ହାଲ୍ଲା ଅନେକ। କିନ୍ତୁ ସରକାରୀ ପରିସଂଖ୍ୟାନ ଏବଂ ବ୍ୟବସାୟଭିତ୍ତିକ ତଥ୍ୟକୁ ଦେଖିଲେ ଜଣାଯାଏ ଯେ ଓଡ଼ିଶା ପର୍ଯ୍ୟଟନ ଭିତ୍ତିଭୂମି ଏବଂ ରାଜସ୍ୱ ଉପାର୍ଜନ ଅନ୍ୟ ରାଜ୍ୟ ତୁଳନାରେ ଅନେକ ପଛରେ। ଭିତରକନିକା, ଚିଲିକା, ପୁରୀ, କୋଣାର୍କ, ଟିକରପଡ଼ା, ଶିମିଳିପାଳ, ସାତକୋଶିଆ ଇତ୍ୟାଦି ଜାତୀୟ ସ୍ତରର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ସୁଦ୍ଧା ବିଦେଶୀ ଏବଂ ଦେଶୀ ପର୍ଯ୍ୟଟକଙ୍କ ଭ୍ରମଣ ଆଧାରରେ ଅଗ୍ରଣୀ ୧୦ଟି ରାଜ୍ୟ ଭିତରେ ଓଡ଼ିଶା ନାହିଁ। ପର୍ଯ୍ୟଟନକୁ ନେଇ ଭାରତ ସରକାରଙ୍କର ବିଗତ ୧୦ ବର୍ଷର ତଥ୍ୟ ଭିତ୍ତିରେ ଓଡ଼ିଶା ତୁଳନାରେ ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯଥାକ୍ରମେ ୨ ଗୁଣ ଏବଂ ୨୦ ଗୁଣ। ସେମିତି ତାମିଲନାଡୁ, କେରଳ ଓ କର୍ଣ୍ଣାଟକକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯଥାକ୍ରମେ ୬୦, ୧୫ ଓ ୧୦ ଗୁଣ। ସେମିତି ଓଡ଼ିଶା ତୁଳନାରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଯଥାକ୍ରମେ ୫, ୫, ୨ ଏବଂ ୧୩ ଗୁଣ ଅଧିକ ଦେଶୀ ପର୍ଯ୍ୟଟକ ଦେଖି ଥାଆନ୍ତି। ପୁଣି ଉତ୍ତରପ୍ରଦେଶ, ବିହାର, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଥିବା ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାରତରେ ଥିବା ସମୁଦାୟ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ପ୍ରମୁଖ। କିନ୍ତୁ ପାଠକେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ସରକାରଙ୍କର ସ୍ବଦେଶ ଦର୍ଶନ ଯୋଜନାରେ ବିହାର, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟର ବୌଦ୍ଧ ପର୍ଯ୍ୟଟନସ୍ଥଳୀ ସାମିଲ ଥିଲା ବେଳେ ଓଡ଼ିଶାର କୌଣସି ଗୋଟିଏ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଏଥିରେ ଅନ୍ତର୍ଭୁକ୍ତ ନାହାନ୍ତି। କିନ୍ତୁ, ଓଡ଼ିଶା ସରକାରଙ୍କ ତରଫରୁ ଆଜି ଯାଏ ଏ ସଂପର୍କରେ ବିଶେଷ ପ୍ରଶ୍ନ ଉଠା ଯାଇନାହିଁ।
ପର୍ଯ୍ୟଟନକୁ ନେଇ ଓଡ଼ିଶା ସରକାର ୨୦୧୬ରୁ ୨୦୨୦-୨୧ ପର୍ଯ୍ୟନ୍ତ ସମୁଦାୟ ୧,୩୩୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ହାରାହାରି ବାର୍ଷିକ ୭% ହାରରେ ବୃଦ୍ଧି ପାଉଛି। ସେହି ହିସାବରେ ପଶ୍ଚିମବଙ୍ଗ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ଓ ଛତିଶଗଡ଼ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ଖର୍ଚ୍ଚରେ ୨୦୧୬ରୁ ୨୦୨୦-୨୧ ଭିତରେ ବାର୍ଷିକ ହାରାହାରି ୪-୫% ହାରରେ ବୃଦ୍ଧି ଘଟିଛି। ସୁତରାଂ, ଓଡ଼ିଶା ଆନୁପାତିକ ଭାବେ ଅଧିକ ଅର୍ଥ ବ୍ୟୟ କରି ସୁଦ୍ଧା କମ୍ ସଂଖ୍ୟକ ପର୍ଯ୍ୟଟକ ପାଉଛି। ଆଉ ଏକ ତଥ୍ୟ ଦେଖନ୍ତୁ। ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ତାମିଲନାଡୁର ‘ଷ୍ଟେଟ୍ ଟୁରିଜିମ୍ ଡେଭେଲୋପମେଣ୍ଟ କର୍ପୋରେସନ୍’ ନିଜ ଆୟର ୨୫-୩୦% ଦରମା ବାବଦରେ ଖର୍ଚ୍ଚ କରୁଥିବା ବେେଳ ‘ଓଡ଼ିଶା ଟୁରିଜିମ୍ ଡେଭେଲୋପମେଣ୍ଟ କର୍ପୋରେସନ୍’ ତା ଆୟର ୫୭% ଏ ବାବଦରେ ଖର୍ଚ୍ଚ କରେ। ସୂଚନାଯୋଗ୍ୟ ଯେ ‘ତାମିଲନାଡୁ ଟୁରିଜିମ୍ ଡେଭେଲୋପମେଣ୍ଟ କର୍ପୋରେସନ୍’ର ଆୟ ହାରାହାରି ବାର୍ଷିକ ୮% ବୃଦ୍ଧି ପାଇ ୧୨୦ କୋଟି ଟଙ୍କାରେ ପହଞ୍ଚିଲାଣି, କିନ୍ତୁ ‘ଓଡ଼ିଶା ଟୁରିଜିମ ଡେଭେଲୋପମେଣ୍ଟ କର୍ପୋରେସନ’ (‘ଓଟିଡିସି’)ର ଆୟ ବିଗତ ପାଞ୍ଚ ବର୍ଷ ତଥ୍ୟ ଭିତ୍ତିରେ ହାରାହାରି ବାର୍ଷିକ ୪% ବୃଦ୍ଧି ପାଇ ୨୦୨୧ ସୁଦ୍ଧା ମାତ୍ର ୨୭ କୋଟି ଟଙ୍କାରେ ପହଞ୍ଚିଛି ଏବଂ କ୍ଷତିର ପରିମାଣ ହେଉଛି ପ୍ରାୟ ୧.୭ କୋଟି ଟଙ୍କା। ୨୦୧୬ରେ ଆୟ ଥିଲା ୨୫ କୋଟି ଟଙ୍କା ଏବଂ ଲାଭ ୬.୭ କୋଟି; ସୁତରାଂ ଲାଭ ଥିଲା ଆୟର ୨୭ ଶତାଂଶ। କିନ୍ତୁ ଲାଭର ଶତାଂଶ ଖସି ଖସି ୨୦୨୦ ବେଳକୁ ୯%ରେ ପହଞ୍ଚିଗଲା।
ବିଗତ ପାଞ୍ଚ ବର୍ଷର ହିସାବକୁ ଦେଖିଲେ ‘ଓଟିଡିସି’ର ବ୍ୟବସାୟ ଜନିତ ସିଧାସଳଖ ଖର୍ଚ୍ଚ ବାର୍ଷିକ ୧୪% ହାରରେ ବୃଦ୍ଧି ପାଉଥିବା ବେଳେ ଆୟ ମାତ୍ର ୫% ହାରରେ ବଢୁଛି। ତୁଳନାତ୍ମକ ଭାବେ ତାମିଲନାଡୁ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ କର୍ଣ୍ଣାଟକକୁ ଦେଖିଲେ ବ୍ୟବସାୟ ଜନିତ ସିଧାସଳଖ ଖର୍ଚ୍ଚ ବାର୍ଷିକ ୭-୯% ହାରରେ ବଢୁଥିବା ବେଳେ ଆୟ ମଧ୍ୟ ୭-୧୦% ହାରରେ ବଢୁଛି। ସେମିତି ଆଉ ଏକ ନଜିର ଦେଖନ୍ତୁ। ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ପର୍ଯ୍ୟଟନ ବିଭାଗ ‘ପାନ୍ଥଶାଳା’ କ୍ଷେତ୍ରରେ ସମୁଦାୟ ୬୭ ଲକ୍ଷ ଟଙ୍କା ଆୟ କରିଥିଲେ ସିନା, ଯାତ୍ରୀ ଅଭାବରୁ ୮ କୋଟି ଟଙ୍କାର କ୍ଷତି ସହିଥିଲେ। ପାନ୍ଥଶାଳା କର୍ମଚାରୀମାନଙ୍କ ଦରମା ବାବଦରେ ଖର୍ଚ୍ଚ ହୋଇଥିଲା ୩ କୋଟି ଟଙ୍କା। ଏଠାରେ ପ୍ରକାଶ ଥାଉକି ୪୫-୬୫% ‘ପାନ୍ଥଶାଳା’ ରୋଜଗାରକ୍ଷମ ନୁହନ୍ତି। ସରକାରୀ ଅଡିଟର୍ଙ୍କ ଅଡିଟ୍ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟନ ଇଲାକାରେ ଅବସ୍ଥିତ ‘ଓଟିଡିସି’ର ହୋଟେଲମାନ ବର୍ଷକୁ ୭୦% ସମୟ ଖାଲି ପଡୁଛି, ଅର୍ଥାତ୍ ଉପାର୍ଜନକ୍ଷମ ନୁହନ୍ତି। କିନ୍ତୁ ପର୍ଯ୍ୟଟନ ବିଭାଗର ଏଭଳି ସଂପତ୍ତିର ମରାମତି ଓ ସଂରକ୍ଷଣରେ ଆୟର ୮-୧୦% ଟଙ୍କା ଖର୍ଚ୍ଚ ହେଉଛି। ୨୦୧୬ରେ ରାଜ୍ୟ ସରକାର ଆଣିଥିବା ନିୟମ ଅନୁଯାୟୀ ସମସ୍ତ ସରକାରୀ ସ୍ବତ୍ୱାଧିକାର ଅଧୀନସ୍ଥ ସଂସ୍ଥା ରାଜ୍ୟ ସରକାରଙ୍କୁ ତାଙ୍କ ଆୟରୁ ଅତି କମରେ ୩୦% ମୁନଫା ବା ଡିଭିଡେଣ୍ଡ୍ ଦେବେ। କିନ୍ତୁ ବିଗତ ୫ ବର୍ଷ ଭିତରେ ‘ଓଟିଡିସି’ ୩ ଥର ଲାଗି ଏହା ଦେବାରେ ବିଫଳ ହୋଇଛନ୍ତି।
କେବଳ ସେତିକି ନୁହେଁ, ବିଗତ ଦଶ ବର୍ଷରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ଶୂନ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ରାଜ୍ୟକୁ କେନ୍ଦ୍ରରୁ ଅନେକ ପାଣ୍ଠି ଆସୁଛି। ୨୦୧୬-୧୭ରେ ‘ସ୍ବଦେଶ ଦର୍ଶନ’ ଯୋଜନା ମାଧ୍ୟମରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ତମ୍ପରାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ୭୦.୮୨ କୋଟି ଟଙ୍କା ଅନୁମୋଦନ କରିଥିଲେ, ଯହିଁରୁ ରାଜ୍ୟ ସରକାର ଆଣିଥିବା ୬୩.୫୬ କୋଟି ଟଙ୍କାରୁ ଏ ଯାବତ ୫୨.୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି (ପାର୍ଲିଆମେଣ୍ଟ ତଥ୍ୟ)। ସେହିପରି ୨୦୧୪-୧୫ରେ ‘ପ୍ରସାଦ’ ଯୋଜନା ମାଧ୍ୟମରେ ପୁରୀ ଓ ରାମଚଣ୍ଡୀରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ଅନୁମୋଦନ କରିଥିଲେ ହେଁ ଏ ଯାବତ୍ ୧୦ କୋଟି ଟଙ୍କା ମିଳିଛି, କିନ୍ତୁ ଏଯାବତ ରାଜ୍ୟ ସରକାର କୌଣସି ଟଙ୍କା ଖର୍ଚ୍ଚ କରିନାହାନ୍ତି (ପାର୍ଲିଆମେଣ୍ଟ ତଥ୍ୟ)। ଉଲ୍ଲେଖଯୋଗ୍ୟ ଯେ ‘ପ୍ରସାଦ’ ଯୋଜନାରେ ଉତ୍ତରାଖଣ୍ଡ (୫୪.୩୬ କୋଟି ଟଙ୍କା) ପଛକୁ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ ଏତେ ଅଧିକ ଆର୍ଥିକ ଅନୁଦାନ ପାଇଛି। ଏଭଳି ସ୍ଥଳେ ରାଜ୍ୟ ସରକାର ଏ କ୍ଷେତ୍ରରେ ଅଧିକ ବିକାଶ ହାସଲ କରିବା ଉଚିତ ବୋଲି ଆଶା କରାଯାଏ।
ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ‘ଇକୋ ଟୁରିଜିମ୍’କୁ ପ୍ରାଧାନ୍ୟ ଦେଉଛନ୍ତି। ‘ଇକୋ ଟୁରିଜିମ୍’ର ପ୍ରୋତ୍ସାହନ ନାମରେ ଆମ ରାଜ୍ୟରେ ମଧ୍ୟ ବହୁତ ଖର୍ଚ୍ଚ କରାଯାଉଛି, କିନ୍ତୁ ତହିଁରୁ ଲାଭ ମିଳିପାରୁନାହିଁ। ସରକାରୀ ଅଡିଟ୍ ରିପୋର୍ଟ ଅନୁସାରେ ୨୦୧୮ରେ ଚିଲିକା ତଟରେ ‘କ୍ୟାମ୍ପ ଇନ୍ଫ୍ରାଷ୍ଟ୍ରକ୍ଚର୍’ ବା ‘କ୍ୟାମ୍ପ ଭିତ୍ତିଭୂମି’ ନାମରେ ୧.୪୬ କୋଟି ଟଙ୍କା ଖର୍ଚ୍ଚ କରି ସୁଦ୍ଧା ପାଣି ଓ ବିଦ୍ୟୁତ୍ ଅଭାବରୁ ବ୍ୟବସ୍ଥା ସେଠି ଅଚଳ ହୋଇ ରହିଛି। ୨୦୧୬ରେ ‘ଓଟିଡିସି’ ତତ୍ତ୍ବାବଧାନରେ ଚିଲିକା ଓ ତମ୍ପରା ଅଞ୍ଚଳରେ ‘ଫୁଡ୍ କୋର୍ଟ୍’ ଏବଂ ‘ପାର୍କିଙ୍ଗ’ ବାବଦରେ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ସୁଦ୍ଧା ଆଜି ଯାଏ ସେ ସବୁ ଅଚଳ ଅବସ୍ଥାରେ ପଡ଼ିଛି। ସେହିପରି ୨୦୧୪ରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ୧୪ଟି ବୋଟ୍ କିଣା ଯାଇଥିଲା, ଯହିଁରୁ ‘ଚିଲିକା ୱାଇଲ୍ଡ୍ ଲାଇଫ’ ବିଭାଗ ୭ଟି ବୋଟ୍ କିଣିଥିଲେ ଯେଉଁଗୁଡ଼ିକ ମାତ୍ର ୧୧ ମାସ ପାଇଁ ଚାଲିଥିଲା। କାରଣ ଡିଜେଲରେ ଚାଲୁଥିବା ଏହି ବୋଟ୍ମାନ ‘ଇକୋ ଟୁରିଜିମ୍’ ପାଇଁ ଉପଯୁକ୍ତ ନ ଥିଲା। ଖାଲି ସେତିକି ନୁହେଁ, ତହିଁରୁ ୩ଟି ବୋଟ୍ ୨୦୧୪ରୁ କିଣା ହୋଇ ୨୦୧୬ ପର୍ଯ୍ୟନ୍ତ ଅଚଳ ହୋଇ ରହିବା ପରେ ‘ବ୍ରହ୍ମପୁର ଫରେଷ୍ଟ ଡିଭିଜନ’ରୁ ‘ରାଜନଗର ଫରେଷ୍ଟ ଡିଭିଜନ’କୁ ଯାଇଥିଲା ଏବଂ ତାହା ରାଜନଗରରେ ମାତ୍ର ୧୩ ମାସ ଚାଲିଲା ପରେ ୨୦୧୭ ଠାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ ‘ଇକୋ ଟୁରିଜିମ୍’ ପରିପ୍ରେକ୍ଷୀରେ ଅନୁପଯୁକ୍ତ ବ୍ୟୟବହୁଳ ଡିଜେଲ ବୋଟ୍ କିଣାଯାଇଥିଲା କାହିଁକି?
ବିଗତ ୧୦ ବର୍ଷରେ ଓଡ଼ିଶାକୁ ସମୁଦାୟ ଯେତିକି ବିଦେଶୀ ପର୍ଯ୍ୟଟକ ଆସିଛନ୍ତି, ତହିଁରୁ ୪୦% କେବଳ କୋଣାର୍କ ଭ୍ରମଣ ପାଇଁ ଆସିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ କୋଣାର୍କକୁ ଛାଡ଼ିଦେଲେ ଓଡ଼ିଶାର ଅନ୍ୟ କୌଣସି ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ନ ଥାଏ ବା ସେମାନେ ସେ ସବୁ ବିଷୟରେ ଜାଣନ୍ତି ନାହିଁ। ଏହାର ଅର୍ଥ ଓଡ଼ିଶା ସରକାର ହୁଏତ ପୁରୀ-କୋଣାର୍କକୁ ଛାଡ଼ିଦେଲେ ଅନ୍ୟ କୌଣସି ପର୍ଯ୍ୟଟନ ସ୍ଥଳକୁ ପରିଚିତ କରାଇବାରେ ଅସଫଳ ହୋଇଛନ୍ତି। ଅଧିକାଂଶ ସ୍ଥାନରେ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଅସଜଡ଼ା ଅବସ୍ଥାରେ ପଡ଼ିଛି। ସୁତରାଂ, ଜିଲ୍ଲା ଆଧାରରେ ପର୍ଯ୍ୟଟନ ସ୍ଥଳୀର ଚିହ୍ନଟ, ଗମନାଗମନର ସୁବ୍ୟବସ୍ଥା, ଯାତ୍ରୀମାନଙ୍କ ପାଇଁ ରହିବା ବ୍ୟବସ୍ଥା ଇତ୍ୟାଦି ଦୃଷ୍ଟିରୁ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ। ସେମିତି ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଯାତ୍ରୀ ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଥାଏ। ଏହା ଏକ ବାସ୍ତବତା ଯେ ଅନେକ ରାଜ୍ୟରେ ପର୍ଯ୍ୟଟନ କାରବାର ‘ପବ୍ଲିକ ପ୍ରାଇଭେଟ ପାର୍ଟନର୍ସିପ୍’ ବା ‘ପିପିପି’ ହିସାବରେ ଚାଲିଛି, ଫଳରେ ଭାରତୀୟ ତଥା ବିଦେଶୀ ପୁଞ୍ଜିପତିମାନେ ନୂଆ ପର୍ଯ୍ୟଟନ ସ୍ଥଳୀ ଖୋଜି ତାକୁ ବ୍ୟବସାୟ ଯୋଗ୍ୟ କରୁଛନ୍ତି ଏବଂ ତହିଁରୁ ରାଜସ୍ବ ଆୟ କରାଯାଉଛି। ଓଡ଼ିଶାରେ ଉପଲବ୍ଧ ପର୍ଯ୍ୟଟନ ସୁଯୋଗ ତଥା ପ୍ରକୃଷ୍ଟ ପର୍ଯ୍ୟଟନ ସମ୍ପଦ କାରଣରୁ ଏଠାରେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅଧିକ ଘରୋଇ ପୁଂଜି ନିବେଶ ସକାଶେ ଅଗ୍ରେହ ସୃଷ୍ଟି ହେବା କଥା, କିନ୍ତୁ ଏ ଯାବତ୍ ସ୍ଥିତି ନିରୁତ୍ସାହଜନକ ରହିଛି। ଓଡ଼ିଶାରେ କେବଳ ‘ପାନ୍ଥନିବାସ’, ଯାନବାହାନ ଏବଂ ‘କ୍ୟାଟେରିଙ୍ଗ’ ପରିଚାଳନାରେ ‘ପିପିପି’ ଉଦ୍ୟମ ସୀମିତ।
ଅନେକ ବିଶେଷଜ୍ଞ କହନ୍ତିି ଯେ ଏହି କ୍ଷେତ୍ରରେ ଆମ ରାଜ୍ୟ ଏକ ଉପଯୁକ୍ତ ‘ମଡେଲ’କୁ ଆପଣେଇବା ଉଚିତ, ଯାହା କେତେକ ରାଜ୍ୟ କରି ଅଶେଷ ସଫଳତା ଲାଭ କରି ପାରିଛନ୍ତି। କର୍ଣ୍ଣାଟକ ପର୍ଯ୍ୟଟନ ବିଭାଗର ପୃଷ୍ଠପୋଷାକତାରେ ‘ଜଙ୍ଗଲ ଲଜେସ୍ ଏଣ୍ଡ ରିସର୍ଟସ୍ ଲିମିଟେଡ୍’ ନାମକ ଏକ କମ୍ପାନି କର୍ଣ୍ଣାଟକ ପର୍ଯ୍ୟଟନକୁ ଏକ ଉଚ୍ଚ ସ୍ତରକୁ ନେଇସାରିଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ କିମ୍ବା ‘ଓଟିଡିସି’ ନିଜ ଲାଗି ଏଭଳି ସୁଯୋଗର ସଦୁପଯୋଗ କରିବା ଉଚିତ। ତା ଛଡ଼ା ବିଜ୍ଞାପନରେ ମଧ୍ୟ ଆମ ରାଜ୍ୟ ସରକାର ଅଧିକ ବ୍ୟୟ କରିବା ଦରକାର। ଅନ୍ୟ ରାଜ୍ୟମାନେ ବିଜ୍ଞାପନ ବାବଦକୁ ଆୟର ୧୨% ଖର୍ଚ୍ଚ କରୁଥିବା ବେଳେ ‘ଓଟିଡିସି’ର ବାର୍ଷିକ ବିବରଣୀ ଅନୁସାରେ ବିଜ୍ଞାପନ ବାବଦକୁ ଖର୍ଚ୍ଚର ପରିମାଣ ଆୟର ମାତ୍ର ୧ ପ୍ରତିଶତ। କହିବା ବାହୁଲ୍ୟ ଯେ ବିଜ୍ଞାପନ ମାଧ୍ୟମରେ ଆମ ରାଜ୍ୟର ପର୍ଯ୍ୟଟନ ସମ୍ଭାବନା ଦେଶ ବିଦେଶରେ ପରିଚିତି ଲାଭ କରି ପାରିବ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ପର୍ଯ୍ୟଟନ ସମ୍ପଦର ସଠିକ୍ ଉପଯୋଗ ରାଜ୍ୟକୁ ବିପୁଳ ରାଜସ୍ବ ଓ ଲାଭ ଦେଇଥାଏ। କେବଳ ସେତିକି ନୁହେଁ, ଏହି କ୍ଷେତ୍ର ଜରିଆରେ ସାରା ପୃଥିବୀ ସହିତ ଯୋଡ଼ି ହେବା ଲାଗି ଗବାକ୍ଷ ଖୋଲିଥାଏ। ସୁତରାଂ, ଆମ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ବିଶେଷ ଉଦ୍ୟମ କରନ୍ତୁ। ରାଜ୍ୟ ପର୍ଯ୍ୟଟନ ବିଭାଗର ନିଦ ମଧ୍ୟ ଭାଙ୍ଗୁ।
ମୋ: ୯୭୯୧୧୨୧୦୬୮