ପ୍ରେମ ଦୁନିଆର ଅମଡ଼ା ବାଟ

ମିହିର ପ୍ରତାପ ଦାସ

ନିକଟ‌େର ସତେଇଶ ବର୍ଷ ବୟସ୍କା ଶ୍ରଦ୍ଧା‌ ୱାକରଙ୍କ ଜଘନ୍ୟ ହତ୍ୟାକାଣ୍ଡ ଦେଶ ବ୍ୟାପୀ ଚାଞ୍ଚଲ୍ୟ ଖେଳାଇଛି। ଶ୍ରଦ୍ଧାଙ୍କ ହତ୍ୟାକାରୀ ହେଉଛି ତାଙ୍କର ଅଠେଇଶ ବର୍ଷ ବୟସ୍କ ପୁରୁଷ ବନ୍ଧୁ ଅଫତାବ ଅମିନ। ଏ ଦୁହେଁ ‘ବମ୍ବଲ’ ନାମକ ଏକ ସ୍ମାର୍ଟଫୋନ୍ ଆପ୍ଲିକେସନ ବା ‘ଆପ୍‌’ ମାଧ୍ୟମରେ ପରସ୍ପର ସହିତ ପରିଚିତ ହେବା ପରେ ଘନିଷ୍ଠ ହୋଇପଡ଼ିଥିଲେ। ଏହି ଘଟଣାଟି ଘଟିବା ପରେ ‘ଡେଟିଂ ଆପ୍‌’ ନେଇ ଆଲୋଚନା ସରଗରମ ହୋଇଉଠିଛି, ଯେଉଁଗୁଡ଼ିକ ଭାରତୀୟ ‘ମିଲେନିଏଲ୍‌’ ଏବଂ ‘ଜେନେରେସନ୍‌ ଜେଡ୍‌’ (ତରୁଣ ବର୍ଗ)ଙ୍କ ମଧ୍ୟ‌େର ଅତ୍ୟନ୍ତ ଆଦୃତ ହେବାରେ ଲାଗିଛି। ‘ଡେଟିଂ ଆପ୍‌’ଗୁଡ଼ିକ ଏବେ ଅପରିଚିତ ଯୁବକ ଓ ଯୁବତୀଙ୍କ ସକାଶେ ‘ଭର୍ଚୁଆଲ’ ମିଳନ ସ୍ଥଳରେ ପରିଣତ ହେବା ସହିତ ପାରସ୍ପରିକ ପ୍ରେମ ଅଙ୍କୁରଣ ପାଇଁ ଉର୍ବର ଭୂମି ପାଲଟିଛି।

‘ବମ୍ବଲ’ ପରି ଅନେକ ବନ୍ଧୁ ସୃଷ୍ଟିକାରୀ, ମିତ୍ର ସନ୍ଧାନୀ, ପ୍ରେମ ଅନ୍ବେଷୀ ‘ଆପ୍‌’ ଉପଲବ୍‌ଧ, ଯେମିତି କି ମ୍ୟାଚ୍‌, ଟିଣ୍ଡର୍‌, ହିଞ୍ଜ, ଓକେକ୍ୟୁପିଡ, ଇ-ହାରମୋନି ଇତ୍ୟାଦି। ପାଶ୍ଚାତ୍ୟ ଦେଶମାନଙ୍କରେ ନୂଆ ଭାବେ ପରିଚିତ ହୋଇଥିବା ତରୁଣ-ତରୁଣୀ ନିଜ ନିଜ ମଧ୍ୟରେ ଆଳାପ ଓ ମିଳାପ ବଢ଼ାଇବା ଲାଗି ରେସ୍ତୋରାଁ ହେଉ ବା ପାର୍କ ହେଉ ବା ସେଭଳି କୌଣସି ସ୍ଥାନକୁ ଯାଇଥାଆନ୍ତି, ଯାହାକୁ ‘ଡେଟିଂ’ ବୋଲି କୁହାଯାଏ। ଏଭଳି ପରିଚୟ ପାଇଁ ସୁଯୋଗ ସୃଷ୍ଟି କରୁଥିବାରୁ ଏହି ‘ଆପ୍‌’ଗୁଡ଼ିକୁ ‘ଡେଟିଂ ଆପ୍‌’ ବୋଲି କୁହାଯାଇଥାଏ। ଆଜିକାଲି ଭାରତୀୟ ସହରୀ ଯୁବକ-ଯୁବତୀଙ୍କ ମଧ୍ୟରେ ‘ଡେଟିଂ’ ଏକ ସାଧାରଣ କଥା ହେବାକୁ ବସିଲାଣି। କିନ୍ତୁ ‘ଡେଟିଂ’ ଆପ୍‌ ଜରିଆରେ ପ୍ରେମ ସଂପର୍କ ସ୍ଥାପନର ସୁଯୋଗ କି ସହର କି ଗାଁ ସବୁଠି ଉପଲବ୍‌ଧ।

କୁହାଯାଏ, ୨୦୦୭ ମସିହାରୁ ‘ଡେଟିଂ’ ଡାଟାର ବ୍ୟବହାର ଆରମ୍ଭ ହୋଇ ଯାଇଥିଲା। କିନ୍ତୁ ମାର୍ଟିନ୍‌, ରାଡ୍‌ ଏବଂ ବାଡେନ ନାମକ ତିନି ଉଦ୍ୟମୀ ଯୁବକ ୨୦୧୨ ମସିହା ସେପ୍ଟେମ୍ବର ୧୨ ତାରିଖରେ ଗୋଟିଏ ଜନ ସଂପର୍କ ଓ ବନ୍ଧୁତା ସୃଷ୍ଟିକାରୀ ‘ଆପ୍‌’ ପ୍ରସ୍ତୁତ କଲା ପରେ ଯାଇ ‘ଡେଟିଂ’ ଆପ୍‌ ବିଧିବଦ୍ଧ ଅସ୍ତିତ୍ବ ପାଇଲା ଏବଂ ତା’ର ଲୋକପ୍ରିୟତା ଏଭଳି ବୃଦ୍ଧି ପାଇଲା ଯେ ଅନେକ ‘ଡେଟିଂ’ ଆପ୍‌ ମଇଦାନକୁ ଓହ୍ଲାଇ ଆସିଲେ। ଏହି ପ୍ରଥମ ‘ଡେଟିଂ’ ଆପ୍‌ର ନାମ ଥିଲା ‘ଟିଣ୍ଡର’, ଯାହାର ଓଡ଼ିଆ ଅର୍ଥ ନିଆଁ ଝୁଲ। କିନ୍ତୁ କ୍ରମେ ତରୁଣ-ତରୁଣୀଙ୍କୁ ଅତିକ୍ରମ କରି ଏଭଳି ‘ଆପ୍’ର ଜନପ୍ରିୟତା ପ୍ରୌଢ଼ ଏପରିକି ଉତ୍ତୀର୍ଣ୍ଣ ବୟସ୍କଙ୍କ ପାଖରେ ମଧ୍ୟ ଦେଖାଗଲାଣି, ଯେଉଁମାନେ ଏହା ଜରିଆରେ ନିଜ ନିଃସଙ୍ଗତା ଦୂର କରିବାକୁ ସାଥୀ ଖୋଜୁଛନ୍ତି। ଏକ ସର୍ଭେ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ୫୯% ପ୍ରାପ୍ତ ବୟସ୍କ ‘ଡେଟିଂ ଆପ୍‌’ ଜରିଆରେ ନୂଆ ବନ୍ଧୁ ଏବଂ ପ୍ରେମ ଖୋଜିଥାଆନ୍ତି। ୨୦୨୨ ମସିହାରେ ଅର୍ଥାତ୍‌ ବର୍ତ୍ତମାନ ପରିସ୍ଥିତି ଏଭଳି ଯେ ପୁରୁଷ ଏବଂ ମହିଳା ନିର୍ବିଶେଷରେ ପ୍ରାୟ ୪ କୋଟି ଲୋକ ପ୍ରତିଦିନ ଏହି ସବୁ ‘ଆପ୍‌’ର ବ୍ୟବହାର କରୁଛନ୍ତି। କୋଭିଡ ପାନ୍‌ଡେମିକ୍‌ କାଳରେ ଗୃହବନ୍ଦୀ ନିଃସଙ୍ଗ ଲୋକେ ଏଭଳି ‘ଆପ୍‌’ଗୁଡ଼ିକ ଜରିଆରେ ଭାବ ବିନିମୟ କରିବାର ସୁଯୋଗ ପାଇଥିବାରୁ ଏହାର ବ୍ୟବହାର ଆହୁରି ବିସ୍ତାରିତ ହୋଇଥିଲା। ଏବେ ତ ଭିନ୍ନ ଭିନ୍ନ ଧର୍ମାବଲମ୍ବୀଙ୍କ ଲାଗି ଅଲଗା ଅଲଗା ଏଭଳି ‘ଆପ୍‌’ମାନ ବାହାରିଲାଣି। ଉଦାହରଣ ସ୍ବରୂପ ମୁସଲମାନଙ୍କ ସକାଶେ ମୁଜମାଚ ଓ ସଲାମ ବା ଖ୍ରୀଷ୍ଟିଆନଙ୍କ ଲାଗି ଖ୍ରୀଷ୍ଟିଆନ କନେକସନ, ଇହୁଦୀଙ୍କ ସକାଶେ ଜେସେ ୱାଇପ ଓ ଜେଡେଟା ଆଦି।

ତେବେ, ଏ ସବୁ ‘ଆପ୍‌’ର ବ୍ୟବହାର ବାବଦରେ ଯେଉଁ ସବୁ ଅଭିଯୋଗମାନ ଆସିଥାଏ, ତା’ ମଧ୍ୟରୁ ପ୍ରମୁଖଟି ହେଲା ଏଥିରେ ଯେ କୌଣସି ଲୋକ ଏକ ଛଳ ପରିଚୟ ପ୍ରଦାନ କରି ପଂଜୀକୃତ ହୋଇ ପାରୁଥିବାରୁ ଅନେକ ଅସାମାଜିକ ଯୌନ-ପାଗଳ, ସୁବିଧାବାଦୀ ତଥା ଅପରାଧୀ ଅପରିଚିତ ଯୁବତୀ ଓ ମହିଳାମାନଙ୍କ ସହିତ ସଂପର୍କ ସ୍ଥାପନ କରିବା ସହିତ ଅପରାଧରେ ପ୍ରବୃତ୍ତ ହେଉଛନ୍ତି। ଏଥିରୁ ରକ୍ଷା ପାଇବା ଲାଗି ବ୍ୟାଙ୍କଗୁଡ଼ିକ ଅନୁସରଣ କରୁଥିବା ‘କେୱାଇସି’ ପଦ୍ଧତି ଭଳି ଏକ ପ୍ରମାଣଯୋଗ୍ୟ ପରିଚୟ ପତ୍ର (ଆଧାର କାର୍ଡ ଭଳି) ସହିତ ପଞ୍ଜୀକରଣ କରାଯିବା ବାଧ୍ୟତାମୂଳକ ହେଉ ବୋଲି ମତ ପ୍ରକାଶ ପାଉଛି।

କହିବା ବାହୁଲ୍ୟ ଯେ ‘ଡେଟିଂ ଅାପ୍‌’ର ବ୍ୟବହାର ଆଗକୁ ଆହୁରି ବଢ଼ିବ ସିନା, କମିବ ନାହିଁ। ଏହା କ୍ରମେ ଘଟସୂତ୍ର ବ୍ୟବସାୟକୁ ଅଚଳ କରି ପକାଇ ପାରେ। ତରୁଣ ତରୁଣୀମାନେ ଏହା ଜରିଆରେ ମନ ପସନ୍ଦର ସାଥୀ ପାଇବାର ଚେଷ୍ଟା କରିବେ ନିଶ୍ଚୟ। ଏବେ ପ୍ରାୟ ୩ କୋଟି ଭାରତୀୟ ‘ଡେଟିଂ ଆପ୍‌’ର ବ୍ୟବହାର କରୁଛନ୍ତି, ଯାହା ଭିତରୁ ୬୭% ହେଉଛନ୍ତି ପୁରୁଷ।

ତେବେ, ନିକଟରେ ‘ଡେଟିଂ ଆପ୍‌’ର ଏକ କୌତୂହଳପ୍ରଦ ବ୍ୟବହାର ମଧ୍ୟ ଦେଖିବାକୁ ମିଳିଛି। ଚୀନରେ ଏବେ କୋଭିଡ୍‌ ଲକ୍‌ଡାଉନ୍‌ ବିରୋଧରେ ଜନ ପ୍ରତିବାଦ ଉତ୍କଟ ହେବାରୁ ଏକଛତ୍ରବାଦୀ ଚୀନ ସରକାର ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ କଡ଼ା ନଜର ରଖିବା ସହିତ କଟକଣା ଜାରି କରିଦେଲେ। ଏଇ ସମୟରେ ‘ଡେଟିଂ ଆପ୍‌’ର ବ୍ୟବହାର କରି ପ୍ରତିବାଦକାରୀମାନେ ପରସ୍ପର ସହିତ ସଂପର୍କ ରଖି ଆନ୍ଦୋଳନ ଜାରି ରଖିଲେ। ଏହାର କାରଣ ‘ଡେଟିଂ ଆପ୍‌’ରେ ଭାବ ବିନିମୟ ଲାଗି ମିଳୁଥିବା ଅପେକ୍ଷାକୃତ ଅଧିକ ସ୍ବାଧୀନତା।

କୌଣସି ପ୍ରଯୁକ୍ତି ଭଲ ନା ମନ୍ଦ; ତାହା ତା’ର ବ୍ୟବହାର ଉପରେ ନିର୍ଭର କରେ। ‘ଡେଟିଂ ଆପ୍‌’କୁ ଆମ ଦେଶରେ ନାପସନ୍ଦ କରାଯାଉଛି; କାରଣ ସେମାନଙ୍କ ମତରେ ଏହା ଭାରତ ଭଳି ଏକ ରକ୍ଷଣଶୀଳ ସମାଜରେ ଉଚ୍ଛୃଙ୍ଖଳତା ସୃଷ୍ଟି କରୁଛି। ପୁଣି ତରୁଣ ବର୍ଗ ସେମାନଙ୍କ ଅଭିଭାବକଙ୍କ ଦୃଷ୍ଟି ଆଢୁଆ‌ଳରେ ଏହି ‘ଆପ୍‌’ର ବ୍ୟବହାର କରୁଥିବାରୁ ତାହା ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଯାହା ସମସ୍ତେ ମନେ ରଖିବା ଉଚିତ ତାହା ହେଲା ଏହାର ବ୍ୟବହାର କଲା ବେଳେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରାଯିବା ଉଚିତ। ଏହି ‘ଆପ୍‌’ର ବ୍ୟବହାର ତୀବ୍ର ଭାବପ୍ରବଣତା ସୃଷ୍ଟି କରିଥାଏ, କିନ୍ତୁ ଏହା ସତ୍ତ୍ବେ ସଜାଗତା ରକ୍ଷା ମଧ୍ୟ ଅତ୍ୟନ୍ତ ଜରୁରୀ।
ମୋ: ୯୯୩୭୮୬୩୫୨୮

ସମ୍ବନ୍ଧିତ ଖବର