ଦିଲ୍ଲୀର ଲାଲକିଲ୍ଲାରୁ ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ‘୫ଜି’ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ବୋଲି ଘୋଷଣା କରି ଭାରତରେ ଟେଲିକମ୍ ବିପ୍ଳବର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଛନ୍ତି ବୋଲି କୁହାଯାଇପାରେ। ପ୍ରାୟ ଚଉଠ ଶତାବ୍ଦୀ ତଳେ ଭାରତରେ ପ୍ରଥମେ ନିଜର ସ୍ବର ଶୁଣାଇବାକୁ ଆରମ୍ଭ କରିଥିବା ମୋବାଇଲ୍ ଟେଲିଫୋନ ସେବା ବର୍ତ୍ତମାନ ‘୫ଜି’ (ପଞ୍ଚମ ପିଢ଼ିର ପ୍ରବିଧି) ରୂପ ପରିଗ୍ରହଣ କରିବାକୁ ଯାଉଥିବାବେଳେ ଇତି ମଧ୍ୟରେ ଯେଉଁ ଭଳି ଘଟ ପରିବର୍ତ୍ତନମାନ ମଧ୍ୟ ଦେଇ ଯାତ୍ରା କରିଛି, ତାହା ନିଶ୍ଚିତ ରୂପେ ବୈପ୍ଳବିକ ମନେ ହୋଇଥାଏ।
୧୯୯୫ରେ ଯେତେବେଳେ ପ୍ରଥମେ ମୋବାଇଲ୍ ଫୋନ୍ ବ୍ୟବହାର ଆରମ୍ଭ ହେଲା, ସେତେବେଳେ ବ୍ୟବହାରକାରୀକୁ ଉଭୟ କଲ୍ କରିବା ପାଇଁ ଓ କଲ୍ ରିସିଭ୍ କରିବା ପାଇଁ ଯେଉଁ ଉଚ୍ଚ ହାରରେ ମାହାସୁଲ ଦେବାକୁ ପଡୁଥିଲା, ତାହା ତା’ର ପକେଟ୍ରେ ବିଶାଳ କଣା ସୃଷ୍ଟି କରି ଦେଉଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କହିବା ବାହୁଲ୍ୟ, ତାହା ସାଧାରଣ ଆୟ ବର୍ଗର ପହୁଞ୍ଚ ମଧ୍ୟରେ ନ ଥିଲା। କ୍ରମେ ଏହି ମାହାସୁଲ୍ ହାରରେ ହ୍ରାସ ଘଟି ଘଟି ତାହା ବର୍ତ୍ତମାନ ଏତେ ତଳକୁ ଖସି ଆସିଛି ଯେ ଭାରତରେ ମୋବାଇଲ୍ ଫୋନ୍ ବ୍ୟବହାର ଖର୍ଚ୍ଚ ସାରା ପୃଥିବୀରେ ସର୍ବନିମ୍ନ ସ୍ତରରେ ପହଞ୍ଚି ଯାଇ ତାହା ପ୍ରାୟ ପ୍ରତ୍ୟେକ ଭାରତୀୟର ଏକ ଅପରିହାର୍ଯ୍ୟ ସାଧନରେ ପରିଣତ ହୋଇ ସାରିଲାଣି। ଏହି ସମୟ ମଧ୍ୟରେ ଏହାର ଠିକ୍ ଏକ ବିପରୀତ ପ୍ରକ୍ରିୟା ଘଟି ସେ ସମୟରେ ସକ୍ରିୟ ଥିବା ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନିମାନଙ୍କର ସଂଖ୍ୟା ୧୨ ଥିବା ବେଳେ ତାହା ଏବେ ସଂକୁଚିତ ହୋଇ ମାତ୍ର ୪ଟିରେ ସୀମିତ ହୋଇଛି। ସେ ସମୟରେ ମୋବାଇଲ୍ ଫୋନ୍ର ବ୍ୟବହାର କେବଳ ସ୍ବରଭିତ୍ତିକ ସେବା ପ୍ରଦାନ (‘୨ଜି’)ରେ ସୀମିତ ଥିବା ବେଳେ ବର୍ତ୍ତମାନ ‘୪ଜି’ ଟେକ୍ନୋଲୋଜି ବ୍ୟବହାର କରୁଥିବା ଭାରତୀୟମାନେ ପୃଥିବୀର ସର୍ବାଧିକ ମୁଣ୍ତପିଛା ମୋବାଇଲ୍ ଡେଟା ବ୍ୟବହାରକାରୀମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ସ୍ବୀକୃତି ଲାଭ କରିଛନ୍ତି।
ବର୍ତ୍ତମାନ ‘୫ଜି’ର ଆଗମନ ଭାରତୀୟମାନଙ୍କ ମଧ୍ୟରେ ଚେର ବିସ୍ତାର କରିଥିବା ଏହି ଡିଜିଟାଲ୍ ଅଭ୍ୟାସକୁ ଯେଉଁ ଭଳି ଆହୁରି ବ୍ୟାପକତର ଓ ଗଭୀରତର କରିବାକୁ ଯାଉଛି, ତାହା ଯେତିକି ଉପଯୋଗୀ ହେବ ସେତିକି ଚମକପ୍ରଦ ହେବା ନିଶ୍ଚିତ। ଏହାର ମୁଖ୍ୟ କାରଣ ହେଲା- ‘୫ଜି’ ଡେଟାର ବେଗ ହେଉଛି ‘୪ଜି’ ଡେଟା ବେଗର ୫ରୁ ୧୦ ଗୁଣ ପର୍ଯ୍ୟନ୍ତ (ଘଣ୍ଟାକୁ ୬୦ କିମି ବେଗରେ ଚାଲୁଥିବା ଏକ ଗାଡ଼ି ହଠାତ୍ ଘଣ୍ଟାକୁ ୩୦୦ରୁ ୬୦୦ କିମି ବେଗରେ ଚାଲିବା ଭଳି)।
ଆଜି ସୁଦ୍ଧା ପୃଥିବୀରେ ପ୍ରାୟ ୭୦ଟି ଦେଶରେ ‘୫ଜି’ ନେଟ୍ୱର୍କ କାର୍ଯ୍ୟ କରିବା ଆରମ୍ଭ ହୋଇସାରିଲାଣି। ମାତ୍ର ଦୁଇ ବର୍ଷ ତଳେ ଏହି ସ˚ଖ୍ୟା ଥିଲା ଏହାର ପ୍ରାୟ ଅଧା; ଏଥିରୁ ସହଜରେ ଅନୁମାନ କରି ହୁଏ ପୃଥିବୀରେ କିଭଳି ଦ୍ରୁତ ଗତିରେ ‘୫ଜି’ର ପ୍ରସାର ଘଟିବାରେ ଲାଗିଛି। ଏଇମାତ୍ର ଚାରିବର୍ଷ ତଳେ ୨୦୧୮ରେ ଦକ୍ଷିଣ କୋରିଆ ପୃଥିବୀର ପ୍ରଥମ ଦେଶ ଭାବରେ ‘୫ଜି’ ନେଟ୍ୱର୍କ ସ୍ଥାପନ କରିଥିଲା। ସେମାନଙ୍କର ସହରମାନଙ୍କୁ ‘୫ଜି’ ସହିତ ସଂଯୁକ୍ତ କରିବାରେ ସବୁଠାରୁ ଆଗରେ ଥିବା ଦୁଇ ଦେଶ ହେଉଛନ୍ତି ଯଥାକ୍ରମେ ଆମେରିକା ଓ ଚୀନ୍। ଏ ବାବଦରେ ପୃଥିବୀର ପ୍ରଥମ ଦଶଟି ଦେଶ ମଧ୍ୟରେ ଥିବା ଦୁଇଟି ଏସୀୟ ଦେଶ ହେଉଛନ୍ତି ଦକ୍ଷିଣ କୋରିଆ ଓ ଫିଲିପିନ୍ସ।
ଭାରତରେ ‘୫ଜି’ ସେବା ଆରମ୍ଭ ହେଲେ ଏହାର ବ୍ୟବହାରକାରୀମାନେ ସେସବୁ ଦେଶରେ ଘଟିଥିବା ଭଳି କେବଳ ଯେ ଦ୍ରୁତତର ଇଣ୍ଟରନେଟ୍ ବେଗ ଉପଭୋଗ କରିବେ, ତାହା ନୁହେଁ, ଆମର ଶିଳ୍ପ କ୍ଷେତ୍ରରେ ଏକ ‘ଚତୁର୍ଥ ଶିଳ୍ପ ବିପ୍ଳବ’ର ଆବିର୍ଭାବ ଘଟିବ, ଯେଉଁଥିରେ ଅତି ଦ୍ରୁତ ଗତି ସମ୍ପନ୍ନ ଇଣ୍ଟରନେଟ୍ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ- ‘ଏଆଇ’)ରୁ ରୋବଟିକ୍ସ ପର୍ଯ୍ୟନ୍ତ ଉଚ୍ଚାଙ୍ଗ ଜ୍ଞାନକୌଶଳକୁ ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ କରି ଚମକପ୍ରଦ ପରିମାଣାତ୍ମକ ଓ ଗୁଣାତ୍ମକ ଉନ୍ନତି ହାସଲ କରି ହେବ। ଶିକ୍ଷାରୁ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ, ପର୍ଯ୍ୟଟନରୁ ବିପର୍ଯ୍ୟୟ ପ୍ରଶମନ ପର୍ଯ୍ୟନ୍ତ- ସମସ୍ତ ପ୍ରକାର ସେବା କ୍ଷେତ୍ରରେ ‘୫ଜି’ର ବ୍ୟବହାର ଯୋଗୁଁ ସେବା ପ୍ରଦାନ ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ଘଟିବା ସହିତ ଉପଭୋକ୍ତାମାନଙ୍କର ସନ୍ତୋଷ ବିଧାନରେ ଆଶାତୀତ ଉନ୍ନତି ଘଟିବ।
ଭାରତରେ ଏ ସବୁ ଘଟିବାକୁ ଯାଉଛି ବୋଲି ଯେଉଁ ମୂଳଭିତ୍ତି ଆଧାରରେ ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସରେ ଘୋଷଣା କରିଛନ୍ତି, ତାହା ହେଉଛି ଅଗଷ୍ଟ ପହିଲା ଦିନ ସମ୍ପନ୍ନ ହୋଇଥିବା ବହୁ ପ୍ରତୀକ୍ଷିତ ‘୫ଜି ସ୍ପେକ୍ଟ୍ରମ୍’ ନିଲାମ। ଦେଶରେ ‘୫ଜି’ ସେବା ଉପଲବ୍ଧ ହେବାକୁ ତ୍ବରାନ୍ବିତ କରିବା ପାଇଁ ସରକାର ନିଲାମ ପ୍ରତି ପୂର୍ବରୁ ଅବଲମ୍ବନ କରିଥିବା କଠୋର ଆଭିମୁଖ୍ୟକୁ କେତେକାଂଶରେ କୋହଳ କରିଥିଲେ। ଉଦାହରଣ ସ୍ବରୂପ ସରକାର ସ୍ପେକ୍ଟ୍ରମ୍ କ୍ରେତାମାନଙ୍କୁ ବହନ କରିବାକୁ ପଡୁଥିବା ଖର୍ଚ୍ଚବୋଝରେ କେତେକାଂଶରେ ହ୍ରାସ ଘଟାଇଲେ, ସେମାନଙ୍କୁ କିସ୍ତି ଆକାରରେ ଦେୟ ପୈଠ କରିବା ପାଇଁ ଅନୁମତି ଦେଲେ, ବ୍ୟାଙ୍କ୍ ଗ୍ୟାରେଣ୍ଟି ଦାଖଲ ପାଇଁ ସେମାନଙ୍କୁ ଆଉ ବାଧ୍ୟ କଲେ ନାହିଁ, ଏବଂ ସ୍ପେକ୍ଟ୍ରମ୍ ବ୍ୟବହାର ନିମିତ୍ତ କୌଣସି ଦେୟ ଆଦାୟ ନ କରିବାକୁ ନିଷ୍ପତ୍ତି ନେଲେ।
ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ସରକାର ଅତୀତରେ ସ୍ପେକ୍ଟ୍ରମ୍ ନିଲାମକୁ ସରକାରୀ ତହବିଲ ପାଇଁ ସମ୍ବଳ ସଂଗ୍ରହର ଏକ ଗୁରୁତ୍ବପୂର୍ଣ୍ଣ ସୂତ୍ର ରୂପେ ଯେଉଁଭଳି ବିଚାର କରୁଥିଲେ, ଏଥର ସେଥିରେ ପରିବର୍ତ୍ତନ ଘଟାଇ ଦେଶରେ ‘୫ଜି’ ବ୍ୟବହାରକୁ ତ୍ବରାନ୍ବିତ କରି ଏକ ବୃହତ୍ତର ଅର୍ଥନୈତିକ ଓ ସାମାଜିକ ଲାଭ ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦେଇଛନ୍ତି।
ଏହା କିନ୍ତୁ ସରକାରଙ୍କୁ ମଧ୍ୟ ଯେ ତାତ୍କାଳିକ କ୍ଷତିରେ ପକାଇ ନାହିଁ, ତାହାର ପ୍ରମାଣ ସ୍ବରୂପ ସରକାର ଏହି ନିଲାମରୁ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ବଳ ସଂଗ୍ରହ କରି ପାରିଛନ୍ତି, ଯାହା ସରକାର ଆଶା କରିଥିବା ପରିମାଣଠାରୁ ବେଶ୍ ଅଧିକ ଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସରକାର ସର୍ତ୍ତ କୋହଳ କରିବା ଫଳରେ ଏଥର ନିଲାମରେ ମୂଲ୍ୟବାନ୍ ଉଚ୍ଚକ୍ଷମତାସମ୍ପନ୍ନ ୭୦୦ ମେଗାହର୍ଜ ବ୍ୟାଣ୍ତ୍ ସ୍ପେକ୍ଟ୍ରମ୍ ବିକ୍ରୟ ସମ୍ଭବ ହୋଇଛି, ଯାହା ଅତୀତରେ ଅନୁଷ୍ଠିତ ନିଲାମ ମାନଙ୍କରେ ସମ୍ଭବ ହୋଇପାରିନଥିଲା। ଏଥିରୁ ସାବ୍ୟସ୍ତ ହୋଇଥାଏ ଯେ ସରକାରୀ ନୀତି ଯଦି ଯୁକ୍ତିଯୁକ୍ତ ହୋଇଥାଏ, ତେବେ ଶିଳ୍ପ ବ୍ୟବସାୟର ପ୍ରତିକ୍ରିୟା ମଧ୍ୟ ଅନୁକୂଳ ହେବ। ନିୟାମକ ସଂସ୍ଥା ‘ଟ୍ରାଇ’ ମଧ୍ୟ ସରକାରଙ୍କର ଏହି ପ୍ରୋତ୍ସାହନମୂଳକ ନୀତି ସହିତ ନିଜର ଏକ ଅନୁରୂପ ଆଭିମୁଖ୍ୟ ଯୋଡ଼ି ଦେଇଥିଲା। ବିଭିନ୍ନ ବ୍ୟାଣ୍ତ୍ର ସ୍ପେକ୍ଟ୍ରମ୍ ନିଲାମ ପାଇଁ ‘ଟ୍ରାଇ’ ଧାର୍ଯ୍ୟ କରିଥିବା ‘ସଂରକ୍ଷିତ ମୂଲ୍ୟ’ (‘ରିଜର୍ଭ ପ୍ରାଇସ୍’)ରେ ପ୍ରାୟ ୪୦ ଶତାଂଶ ହ୍ରାସ ଘଟାଇ ଦେଇଥିଲା ଏବଂ ‘ମୂଳ ମୂଲ୍ୟ’ (‘ବେସ୍ ପ୍ରାଇସ୍’) ନିର୍ଦ୍ଧାରଣ ପଦ୍ଧତିକୁ ମଧ୍ୟ ପୂର୍ବାପେକ୍ଷା କୋହଳ କରି ଦେଇଥିଲା।
ଏ ସମସ୍ତ ଉଦ୍ୟମର ସୁଫଳ ସ୍ବରୂପ ୨୦୧୬ ଓ ୨୦୨୧ର ନିଲାମମାନଙ୍କରେ ବିକ୍ରୟ ନିମିତ୍ତ ଉଦ୍ଦିଷ୍ଟ ସମସ୍ତ ସ୍ପେକ୍ଟ୍ରମ୍ର ମାତ୍ର ୪୦ ଶତାଂଶ ବିକ୍ରି ହୋଇ ପାରିଥିବା ବେଳେ ଏଥରର ନିଲାମରେ ସରକାର ୭୧ ଶତାଂଶ ସ୍ପେକ୍ଟ୍ରମ୍ ବିକ୍ରି କରି ପାରିଛନ୍ତି। ଆଶା କରାଯାଏ ଏହା ମାଧ୍ୟମରେ ଯେଉଁ ‘୫ଜି’ ବିପ୍ଳବ ସୃଷ୍ଟି ହେବାକୁ ଯାଉଛି, ତାହାକୁ ଦେଶର ସହରମାନଙ୍କରେ ସୀମିତ ନ ରଖି, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଭଳି ଦେଶର ପ୍ରତି ଗ୍ରାମକୁ ମଧ୍ୟ ଯଥାଶୀଘ୍ର ଅପ୍ଟିକାଲ୍ ଫାଇବର୍ ଦ୍ବାରା ସଂଯୁକ୍ତ କରି ଦେଶର କୋଣ ଅନୁକୋଣରେ ଇଣ୍ଟର୍ନେଟ୍ର ପଦଚିହ୍ନ ଯେପରି ଦେଖିବାକୁ ମିଳେ, ତାହା ପାଇଁ ସବୁମନ୍ତେ ଉଦ୍ୟମ କରାଯିବ।