ଅଗଷ୍ଟ ୨୦୧୭ରେ ବା˚ଲାଦେଶର ଢାକାରେ ରୋଜା ଲକ୍ସମବର୍ଗ-ଷ୍ଟିଫ୍ଟୁଙ୍ଗ୍ ଓ ବା˚ଲାଦେଶ ଅନୁସନ୍ଧାନ ପରିଷଦର ମିଳିତ ଉଦ୍ୟମରେ ଗୋଟିଏ ମହତ୍ତ୍ବପୂର୍ଣ୍ଣ ଆଲୋଚନାର ସୂତ୍ରପାତ ହୋଇଥିଲା। ବିଷୟ ଥିଲା ‘ଫାଇନାନ୍ସିଆଲାଇଜେସନ୍ ଆଣ୍ତ ଫଲ୍ସ୍ ସଲ୍ୟୁସନ୍ସ: କ୍ଲାଇମେଟ୍-ସ୍ମାର୍ଟ ଏଗ୍ରିକଲ୍ଚର୍ ଆଣ୍ତ ଇଟସ୍ ଅଲଟେରନେଟିଭ୍ସ୍’। ହଁ, ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ବାତାବରଣ ପରିବର୍ତ୍ତନର ସ˚କଟ କାଳରେ କୃଷି-ଉନ୍ନୟନର ବିକଳ୍ପ ବ୍ୟବସ୍ଥା। ମୁଁ କୃଷି ବିଶେଷଜ୍ଞ ନୁହେଁ, ବସ୍ତୁତଃ ଏ ଆଲୋଚନାର ମହତ୍ତ୍ବପୂର୍ଣ୍ଣ ବିକଳ୍ପ ଚିନ୍ତନ ମୋର ଅନୁମାନର ବାହାରେ। ମୁଁ କିନ୍ତୁ ଏହାର ଉଲ୍ଲେଖ କରୁଚି ଆଉ ଗୋଟିଏ କାରଣରୁ।
ଏ ଆଲୋଚନାର ଉପପାଦ୍ୟ ବା ତତ୍ତ୍ବ ଦୃଷ୍ଟି ମୋର ଗୋଟିଏ ବହୁ ଦିନର ଜିଜ୍ଞାସାକୁ ଅଧିକ ଚିନ୍ତନର ସ୍ପଷ୍ଟ ପରିବେଶ ଦେଇଚି। ମୋର ଜିଜ୍ଞାସାର ବିଷୟ ‘ପ୍ରକୃତି ଓ ରାଷ୍ଟ୍ର’। ରାଷ୍ଟ୍ର ଦର୍ଶନରେ ପ୍ରକୃତିର ଭୂମିକା ରାଜନୀତି ବିଜ୍ଞାନରେ ଚର୍ଚ୍ଚିତ ବିଷୟ ନୁହେଁ। ସପ୍ତଦଶ ଶତାବ୍ଦୀରେ ହବ୍ସ୍ ଆରଣ୍ୟକ ପ୍ରକୃତିର ପୃଷ୍ଠଭୂମି ଉପରେ ରାଜନୈତିକ ରାଷ୍ଟ୍ରର ନବନିର୍ମାଣ କଳ୍ପନା କରିଥିଲେ। ତାଙ୍କ ଦୃଷ୍ଟିରେ ଆରଣ୍ୟକ ପ୍ରକୃତିରେ ମଣିଷ ଚରିତ୍ର ଥିଲା ବିବେକହୀନ ସ୍ବାର୍ଥାନ୍ବେଷଣ। ମଣିଷ ଜୀବନ ଥିଲା ‘ଦରିଦ୍ର, ନିଃସଙ୍ଗ, କଦର୍ଯ୍ୟ, ପାଶବିକ ଓ ସ˚କ୍ଷିପ୍ତ’- ‘ସଲିଟାରି, ନାଷ୍ଟି, ବ୍ରୁଟିସ୍ ଆଣ୍ତ ନାର୍ଟ’! ଏଇ ସ୍ଥିତିରୁ ମୁକ୍ତ ହେବା ପାଇଁ ମଣିଷମାନେ ନିଜ ନିଜର ସ୍ବାଧିକାରକୁ ସମର୍ପଣ କରି ଗୋଟିଏ ସର୍ବାଧିକାରୀ ମହାନୁଷ୍ଠାନ ବା ମହାନାୟକର ନିର୍ମାଣ କଲେ, ଯାହାର ନାମ ଲେଭିଆଥାନ୍! ଏହି ଲେଭିଆଥାନ୍ ରାଷ୍ଟ୍ର ଥିଲା ତାଙ୍କର ରାଜନୈତିକ ଦର୍ଶନରେ ଅରାଜକ ପ୍ରକୃତିରୁ ନିୟନ୍ତ୍ରିତ ମାନବତା ଆଡ଼କୁ ବଢ଼ିଥିବା ମଣିଷର ପ୍ରଥମ ପଦକ୍ଷେପ। ପରେ ସେହି ସପ୍ତଦଶ ଶତାବ୍ଦୀରେ ଜନ୍ ଲକ୍ ବି ଆରଣ୍ୟକ ପ୍ରକୃତି ବିଷୟରେ କହିଲେ, କିନ୍ତୁ ମଣିଷର ଆରଣ୍ୟକ ପ୍ରକୃତିର ଯେଉଁ ଭୟଙ୍କର ଚିତ୍ର ଦେଇଥିଲେ ହବ୍ସ୍, ତା ସହିତ ଏକମତ ହେଲେ ନାହିଁ। ଲକ୍ ଆରଣ୍ୟକ ପ୍ରକୃତିରେ ପ୍ରକୃତିର ନିୟମକୁ ନିୟନ୍ତ୍ରକ ଭାବରେ ଗ୍ରହଣ କଲେ।
ତାଙ୍କ ଦୃଷ୍ଟିରେ ମହାନାୟକୀୟ ରାଷ୍ଟ୍ର ସ୍ଥାନରେ ରହିଲା ପ୍ରାକୃତିକ ନିୟମରେ ସମୃଦ୍ଧ ଏକ ନୈତିକ ରାଷ୍ଟ୍ର। ଅଷ୍ଟାଦଶ ଶତାବ୍ଦୀରେ ରୁଷୋ ମଣିଷର ଆରଣ୍ୟକ ପ୍ରକୃତିକୁ ଯୁଯୁତ୍ସୁ, ସ୍ବାର୍ଥାନ୍ବେଷୀ ଓ ହି˚ସ୍ର ଭାବରେ ନ ଦେଖି ଗୋଟିଏ ଚିନ୍ତାଶୀଳ କିନ୍ତୁ ବହୁ ଏକକୀୟ ସମଷ୍ଟି ଭାବରେ ଦେଖିଲେ ଓ କଳ୍ପନା କଲେ ଯେ ବ୍ୟକ୍ତିର ଅଭୀଷ୍ଟ ସମର୍ପିତ ହୋଇ, ସମୂହର ଅଭୀଷ୍ଟମାନଙ୍କୁ ନେଇ ‘ସର୍ବସାଧାରଣଙ୍କ ଅଭୀଷ୍ଟ’ର ନିର୍ମାଣ ହୁଏ ଓ ତାହା ହିଁ ରାଷ୍ଟ୍ରର ରାଜନୈତିକ ଜନ୍ମ। ଏନ୍ଲାଇଟେନ୍ମେଣ୍ଟ ବା ନବୋନ୍ମେଷ କାଳରେ ୟୁରୋପରେ ପ୍ରାକ୍-ସମାଜ, ପ୍ରାକ୍-ରାଷ୍ଟ୍ରର ମଣିଷ ଜୀବନ ବଦଳିଲା ସ୍ବାର୍ଥ ବା ଅଧିକାର ତ୍ୟାଗ କରି ସମୂହ ତ୍ୟାଗର ଆଧାରରେ ରାଷ୍ଟ୍ର ନିର୍ମାଣରେ ବା ରାଜନୈତିକ ସମାଜ ରଚନାରେ। ଏହା ସମ୍ଭବ ହେଲା ଗୋଟିଏ ସାମାଜିକ ଚୁକ୍ତି ବା ସୋସିଆଲ୍ କଣ୍ଟ୍ରାକ୍ଟ ଜରିଆରେ। ଆମର ବର୍ତ୍ତମାନର ରାଜନୈତିକ ରାଷ୍ଟ୍ର ଏହି ସୋସିଆଲ କଣ୍ଟ୍ରାକ୍ଟର ପରିଣତି। ପ୍ରତିନିଧି ମନୋନୀତ ବା ନିର୍ବାଚିତ କରି ପ୍ରତିନିଧି ସଭା ଦ୍ବାରା ରାଷ୍ଟ୍ର ନିର୍ମାଣ। ନାଗରିକମାନେ ପରସ୍ପର ସହିତ କରିଥିବା ଚୁକ୍ତିଟି ଏହି ଯେ ତମେ ତମର ପ୍ରତିନିଧି ବାଛିଲେ, ମୁଁ ବି ମୋ ପ୍ରତିନିଧି ବାଛିବି ଓ ଆମେ ବାଛିଥିବା ପ୍ରତିନିଧିମାନେ ରାଷ୍ଟ୍ରର ଅ˚ଗ ହୋଇ ଆମର ଅଭୀଷ୍ଟ ପୂରଣ କରିବେ। ପରୋକ୍ଷରେ ରାଷ୍ଟ୍ର ସହିତ ନାଗରିକ (ଭୋଟଦାତାର ଏ ଚୁକ୍ତି ବି ହେଲା ଯେ ମୋର ବିବେକ ଦ୍ବାରା ପ୍ରତିନିଧି ନିର୍ବାଚିତ କରି ରାଷ୍ଟ୍ର ପରିଚାଳନାରେ ମୁଁ ମୋର ଅଧିକାର ସାବ୍ୟସ୍ତ କରୁଚି। ଗଣତନ୍ତ୍ର ଏ ଯାବତ୍ ଏହି ସାମାଜିକ ଚୁକ୍ତିର ପରିଣତି ଭାବରେ କାର୍ଯ୍ୟ କରୁଚି।
ଏଥିରେ ପ୍ରକୃତିର ଭୂମିକା କ’ଣ? ରାଜନୀତି ବିଜ୍ଞାନରେ ରାଷ୍ଟ୍ର ନିର୍ମାଣର ମୌଳିକ ସ୍ଥାପନାରେ ଆରଣ୍ୟକ ପ୍ରକୃତି ବା ଷ୍ଟେଟ୍ ଅଫ୍ ନେଚର୍ର ଯେଉଁ ତତ୍ତ୍ବ ଥିଲା, ତାହା ଥିଲା ଅବିନ୍ୟସ୍ତ ବନସ୍ତର। ଏଇଟି ଥିଲା ଗୋଟିଏ ମେଟାଫର୍। ଏ ମେଟାଫର୍ ଏବେ ବାସ୍ତବତାର ଧରାତଳରେ ଆମର ଜିଜ୍ଞାସାର ପରିଧି ଭିତରକୁ ଆସିବା ଜରୁରୀ। କାରଣ ପ୍ରକୃତିର ନିୟନ୍ତ୍ରଣ ଏବେ ଗୋଟିଏ ବିରାଟ ସ˚କଟ। ବିଶ୍ବର ସ˚ପନ୍ନ ଦେଶମାନେ ପ୍ରକୃତିରେ ହସ୍ତକ୍ଷେପ କରି ଯେଉଁ ଭୟଙ୍କର ଅପରାଧ କରିଚନ୍ତି, ତା’ର ମୂଲ୍ୟ ଦେଉଚନ୍ତି ବିଶ୍ବର ରାଷ୍ଟ୍ର ସମୂହ। କିନ୍ତୁ ଚିନ୍ତାର ବିଷୟ ଏହି ଯେ ପ୍ରକୃତିକୁ ନେଇ ବିଶ୍ବର ଦୃଷ୍ଟିକୋଣ ଏବେ ବି ପୁଞ୍ଜିବାଦୀଙ୍କ ଦ୍ବାରା ପରିଚାଳିତ। ଏମିତିକି କାର୍ଲ ମାର୍କସ୍ଙ୍କ ପ୍ରକୃତି ଦର୍ଶନରେ ପୁଞ୍ଜିର ଭୂମିକା ବଡ଼ ବିସ୍ମୟକର ଭାବରେ ନିର୍ମମ। ପୁଞ୍ଜିବାଦୀ ଯାହା କରୁଚନ୍ତି, ତାକୁ ଯଦି ସାମ୍ୟବାଦୀ ଓ ସମାଜବାଦୀ ବି ଗ୍ରହଣ କରନ୍ତି, ତେବେ ରାଷ୍ଟ୍ର ସହିତ ପ୍ରକୃତିର ସ˚ପର୍କ କିଭଳି ହେବ। ଭବିଷ୍ୟତରେ ପ୍ରକୃତିର ସ୍ବରୂପ ରାଷ୍ଟ୍ର ଧର୍ମରେ କିଭଳି ବିମ୍ବିତ ହେବ ବା ରାଷ୍ଟ୍ର ଦର୍ଶନରେ ପ୍ରକୃତିର ଭୂମିକା କ’ଣ ହେବ? ଭାରତୀୟ ରାଷ୍ଟ୍ର ପ୍ରକୃତି ଦୃଷ୍ଟି ବିକଶିତ କରି ବିଶ୍ବରେ ଏକ ବୈକଳ୍ପିକ ରାଜନୀତିର ଭୂମି ଓ ସ୍ଥାପତ୍ୟ ନିର୍ମାଣ କରିପାରିବ କି?
ମାର୍କସ୍ କହୁଛନ୍ତି: ‘‘ପ୍ରକୃତି ସମସ୍ତ ଉତ୍ପାଦକତାର କେନ୍ଦ୍ରରେ ଥିଲେ ମଧୢ ୟାର (ପ୍ରକୃତିର) କୌଣସି ଅନ୍ତର୍ନିହିତ ମୂଲ୍ୟ ନାହିଁ। ପ୍ରକୃତିକୁ ଆତ୍ମସାତ୍ କରି ଶ୍ରମିକ ହିଁ ପ୍ରକୃତିରୁ ମୂଲ୍ୟ ଉତ୍ପାଦିତ କରେ।’’ ଅନ୍ୟ ଭାବରେ କହିଲେ ଶ୍ରମ ହିଁ ମୂଲ୍ୟ-ଭିତ୍ତିକ ଅର୍ଥନୀତିର ନିର୍ମାତା, ପ୍ରକୃତି ନିଥର, ନିଶ୍ଚେଷ୍ଟ ଓ ଅଥର୍ବ! ଏ ତତ୍ତ୍ବ ପୁଞ୍ଜିବାଦୀକୁ ଗୋଟେ ବହୁତ ବଡ଼ ଦର୍ଶନ ଅକାତରରେ ଯୋଗାଇ ଦେଲା। ପୁଞ୍ଜିବାଦୀ ତତ୍ତ୍ବକାର (ବର୍କେଟ୍, ଜେସନ୍ ମୁଭ୍, ଫଷ୍ଟର ଓ ଅନ୍ୟମାନେ) ଏହାରି ଆଧାରରେ କହିଲେ: ‘ଆତ୍ମସାତ୍ କରାଯାଇଥିବା ପ୍ରକୃତିକୁ ଶ୍ରମ ହିଁ ମୂଲ୍ୟ ଦିଏ, ଏବ˚ ମାନିବାକୁ ହେବ ଯେ ଶ୍ରମ ମଧୢ ସ୍ବୟ˚ ପ୍ରକୃତି। କିନ୍ତୁ ଶ୍ରମିକ ଓ ଶ୍ରମଶକ୍ତି ବାହାରେ ‘ପ୍ରକୃତି ଭାବରେ ପ୍ରକୃତି’ (ଅର୍ଥାତ୍ ନେଚର୍ ଆଜ୍ ନେଚର୍) ମୂଲ୍ୟହୀନ।’’ ଏ ତତ୍ତ୍ବ ଦୃଷ୍ଟି ପ୍ରକୃତିକୁ ହୀନବଳ, ହୀନମାନ କରିଦେଲା। ଏମାନେ ୟା ବି କହିଲେ ଯେ ପୁଞ୍ଜି ହିଁ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀ ପର ଠାରୁ ପ୍ରକୃତିର ଇତିହାସ ଲେଖିଚି। କି ଭୟଙ୍କର ସ˚କୀର୍ଣ୍ଣ ଦୃଷ୍ଟି ଏ, କି ଉନ୍ମାଦିତର ପ୍ରଳାପ ଏ! ସେମାନେ ୟା ବି କହୁଚନ୍ତି ଯେ ବାତାବରଣ-ବିଧ୍ବ˚ସ ବା ଜଳବାୟୁ ପରିବର୍ତ୍ତନ (କ୍ଲାଇମେଟ୍ ଚେଞ୍ଜ)ର ଗତିକୁ ରୋକାଯାଇପାରିବ ଯଦି ପ୍ରକୃତିରୁ ମୁନାଫା କମେଇବାର ଉପାୟ ସନ୍ଧାନ କରିବାକୁ ପୁଞ୍ଜିକୁ ଅନୁମତି ଦିଆଯାଏ!
ଘୋର ମୂର୍ଖତାରେ ଭରା ଏ ତତ୍ତ୍ବକୁ ନେଇ ‘ସ୍ମାର୍ଟ-ଏଗ୍ରିକଲ୍ଚର୍’ ହେବ? ଅନ୍ୟ ଭାବରେ କହିଲେ ବିକଶିତ ରାଷ୍ଟ୍ରମାନେ ପ୍ରକୃତିକୁ ଅନ୍ତଃସାରଶୂନ୍ୟ ନ କରି ଛାଡ଼ିବେ ନାହିଁ। ଯେତେ ନିୟମ, ଯେତେ ଅନୁବନ୍ଧ, ଯେତେ ପ୍ରୋଟୋକୋଲ୍ ହେବ ସେମାନେ ତା’ର ସେତେ ଉଲ୍ଲ˚ଘନ କରିବେ। ତେଣୁ ରାଷ୍ଟ୍ରମାନଙ୍କର ବାତାବରଣ-ବିଧ୍ବ˚ସ ରୋକିବା ପାଇଁ ଅନୁଷ୍ଠିତ ସବୁ ଆନ୍ତର୍ଜାତିକ ପରାମର୍ଶ ବିଫଳ ହେବ। ତା’ର ମୁଖ୍ୟ କାରଣ ଆନ୍ତର୍ଜାତିକ ବିଚାର, ଆଲୋଚନା ଓ ସହମତି-ଅସହମତିର ରାଜନୀତି ପଛରେ ରାଷ୍ଟ୍ରଦର୍ଶନ ନାହିଁ କି ପ୍ରକୃତି-ଦର୍ଶନ ନାହିଁ। ଶକ୍ତି ଓ ଲୋକମଙ୍ଗଳ ଆଧାରିତ ରାଷ୍ଟ୍ରଦର୍ଶନ ପୁଞ୍ଜିବାଦୀଙ୍କ ଦ୍ବାରା ବିକଶିତ ଏକ ବିଚାରଧାରାର କ୍ୟାରିକେଚର୍ ହୋଇ ଆମ ସମ୍ମୁଖରେ ଦଣ୍ତାୟମାନ। ନୂଆ ରାଷ୍ଟ୍ରଦର୍ଶନର ଆବଶ୍ୟକତା ପ୍ରଭୁ ରାଷ୍ଟ୍ରମାନେ ଅନୁଭବ କରିନାହାନ୍ତି ଓ ଗୋଲାମ୍ମାନେ କ’ଣ କରିବେ?
ସେହିଭଳି ପୁଞ୍ଜିବାଦୀ ପ୍ରକୃତି ଦର୍ଶନ ବଦଳି ନାହିଁ କି ସାମ୍ୟବାଦୀ ପ୍ରକୃତି ଦର୍ଶନ ବଦଳିନାହିଁ। ମାନବ ପ୍ରକୃତିକୁ ଆରଣ୍ୟକ ପ୍ରକୃତି ସହିତ ତୁଳନା କରି ସର୍ବାଧିକାର ସ˚ପନ୍ନ ରାଷ୍ଟ୍ରର ପରିକଳ୍ପନା (ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀ) ପରେ ସତେ ଅବା ମଣିଷ ଓ ପ୍ରକୃତିଙ୍କୁ ଉପହାସ କରି, ପ୍ରତାରିତ କରି ବା ଆଡ଼େଇ ଦେଇ ଚଳନ୍ତି ରାଜନୀତିର ରାଷ୍ଟ୍ରତତ୍ତ୍ବ ପରିଚାଳିତ ହେଉଚି। ରାଷ୍ଟ୍ରାୟତ୍ତ ବୁଦ୍ଧିବୀଜୀମାନଙ୍କ ଦ୍ବାରା କିଛି ହେବ ନାହିଁ। ବସ୍ତୁତଃ ଏଇମାନେ ହିଁ ବିକାଶ ତତ୍ତ୍ବରେ ରାଷ୍ଟ୍ରର ଭୂମିକା ସ୍ଥିର କଲା ବେଳେ ମଣିଷ ଓ ପ୍ରକୃତିକୁ ମୂଲ୍ୟହୀନ ସିଦ୍ଧ କରିଚନ୍ତି। ଶ୍ରମ ନ କଲେ ମଣିଷ ମୂଲ୍ୟହୀନ, ସେହିପରି ପୁଞ୍ଜି ନ ଥିଲେ ଶ୍ରମ ମୂଲ୍ୟହୀନ ଓ ସବୁଠୁ ଭୟଙ୍କର କଥା ପ୍ରକୃତିର କୌଣସି ଅନ୍ତର୍ନିହିତ (ଇନ୍ଟ୍ରିନ୍ଜିକ୍) ମୂଲ୍ୟ (ଭାଲ୍ୟୁ) ନାହିଁ।
କିଏ କହିବ ଯେ ଏ ତତ୍ତ୍ବ ଭୁଲ୍? କିଏ ତା’ର ରାଷ୍ଟ୍ରଧର୍ମରେ ପ୍ରକୃତିର ଭୂମିକାକୁ ସନ୍ନିବିଷ୍ଟ କରିବ? ବିଶ୍ବରେ କେବଳ ଗୋଟିଏ ମହାଦେଶୋପମ ସଭ୍ୟ ଦେଶ ଭାରତ ଏ କାର୍ଯ୍ୟ କରିପାରେ। ଏଥି ପାଇଁ ଭାରତ ନିକଟରେ ଅନ୍ତତଃ ସାତ ହଜାର ବର୍ଷ ପ୍ରାଚୀନ ସଭ୍ୟତାର ଐତିହାସିକ ପରିକଳ୍ପନା ଓ ଅନ୍ତତଃ ପାଞ୍ଚ ହଜାର ବର୍ଷର ବୈଦିକ ପାଠ ରହିଚି। ସମଗ୍ର ଋକ୍ ବେଦ ପ୍ରକୃତି ଆରାଧନାର ଏକ ମହାପାଠ। ଯେ ପର୍ଯ୍ୟନ୍ତ ମାନବ-ନିବାସର କ୍ଷେତ୍ରମାନଙ୍କୁ ନେଇ ରଚିତ ବିଶ୍ବର ରାଜନୈତିକ ପରିକଳ୍ପନାରେ ପ୍ରକୃତିର ସାର୍ବଭୌମତାକୁ ସ୍ବୀକାର କରାଯାଇନାହିଁ ଓ ମଣିଷର ଆସ୍ଥା ଭିତରେ ପ୍ରକୃତି ପ୍ରତି ଶ୍ରଦ୍ଧା, ସମ୍ବେଦନା ଓ ଭୟର ସ୍ଥାପନା କରାନଯାଇଚି ସେ ପର୍ଯ୍ୟନ୍ତ ମଣିଷ ପ୍ରକୃତି ପ୍ରତି କୃତଜ୍ଞ ହେବାର ମନ୍ତ୍ର ଶିଖିବ ନାହିଁ। ପ୍ରକୃତିର କୌଣସି ଅନ୍ତର୍ନିହିତ ମୂଲ୍ୟ ନାହିଁ ବୋଲି ପଢ଼ା ଯାଉଥିବା ପାଠର ବିରୋଧ ପାଇଁ ଭାରତରେ ପ୍ରକୃତି ପାଠର ବୃହତ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରିବ।
ପ୍ରକୃତି ପାଠର ପାଠ୍ୟକ୍ରମରେ ମୂଲ୍ୟବୋଧ ଭିତ୍ତିକ ପାଠ ସନ୍ନିବିଷ୍ଟ ନ କରି ବୈଜ୍ଞାନିକ ନକ୍ସା ମାତ୍ର ଉପସ୍ଥାପିତ କଲେ ତାହା ଆସ୍ଥା ନିର୍ମାଣରେ ସହାୟକ ହେବ ନାହିଁ। ବେଦ ଓ ଉପନିଷଦ୍ ମାନଙ୍କରୁ ଆହୃତ ପ୍ରକୃତି ପାଠକୁ ତଳୁ ଉପରକୁ ଯାଉଥିବା ସୋପାନ କ୍ରମରେ ପ୍ରାଥମିକ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ବିକଶିତ କରିବାକୁ ହେବ। ସବୁଠୁ ବଡ଼ କଥା ଭାରତୀୟ ରାଷ୍ଟ୍ରବାଦକୁ ଅର୍ଥ ଓ ସାମର୍ଥ୍ୟ ଦେବା ପାଇଁ ଭାରତର ସମ୍ବିଧାନ, ଡିରେକ୍ଟିଭ୍ ପ୍ରିନ୍ସିପ୍ଲସ୍ ଅଫ୍ ଷ୍ଟେଟ ପଲିସି ଓ ମୌଳିକ ଅଧିକାର ଖସଡ଼ାରେ ମଣିଷ ଓ ପ୍ରକୃତିର ଅଙ୍ଗାଙ୍ଗୀ ସ˚ପର୍କ ଉଜାଗର କରି ପାଠ ରଖିବାକୁ ପଡ଼ିବ। ପ୍ରକୃତିର କୋପର ମୁକାବିଲା ପାଇଁ ରାଷ୍ଟ୍ରନୀତି-ପ୍ରକୃତିନୀତି ପରିତ୍ୟାଗ କରି ପୁଞ୍ଜି, ଶ୍ରମ ଓ ଉତ୍ପାଦକତାର ଅର୍ଥନୀତିରେ ଲିପ୍ତ ହୋଇ ରହିବା କ’ଣ ଉପଯୁକ୍ତ ରାଜନୀତି ବା ରାଷ୍ଟ୍ରନୀତି?
ଭାରତୀୟ ରାଷ୍ଟ୍ରବାଦ, ବିଶ୍ବର ଅନ୍ୟ ଦେଶମାନଙ୍କରେ ଚାଲିଥିବା ରାଷ୍ଟ୍ରବାଦମାନଙ୍କ ଠାରୁ ତିନିଟି କାରଣରୁ ଭିନ୍ନ: ପ୍ରଥମଟି ହେଲା, ଭାରତୀୟ ରାଷ୍ଟ୍ରରେ ଏକ ବିଶାଳତମ ଲୋକସମୂହ ପ୍ରକୃତି-ଆରାଧନାରେ ବିଶ୍ବାସୀ ଓ ମାନସିକ ସ୍ତରରେ ପ୍ରକୃତି ସହିତ ଲୀନ ହେବାର ଅନୁଭୂତି ଓ ପରିକଳ୍ପନାରେ ବଞ୍ଚେ। ଦ୍ବିତୀୟରେ, ଭାରତରେ ରାଷ୍ଟ୍ରବାଦୀ ରାଜନୈତିକ ଦଳ ବର୍ତ୍ତମାନ କ୍ଷମତାରେ।
ଗଣତାନ୍ତ୍ରିକ ରାଷ୍ଟ୍ରରେ ୟାଙ୍କର ବିରୋଧୀ ଅଛନ୍ତି, କିନ୍ତୁ ରାଜନୈତିକ ବିଚାରଧାରାର ବିକଳ୍ପ ଏଯାଏଁ ପ୍ରତିଷ୍ଠିତ ହୋଇନାହିଁ। ଖୋଲି କହିଲେ ଭାରତୀୟତାର ରାଜନୀତି ବିରୋଧରେ କି ରାଜନୀତି ବା ଥାଇପାରେ? ଯେଉଁମାନେ ଉଦାରବାଦୀ ଶିକ୍ଷାର ଆଧାରରେ ପୁଞ୍ଜି-ପ୍ରତିଷ୍ଠିତ ଉନ୍ନାସିକ ବୌଦ୍ଧିକତାରେ ଭାରତର ବର୍ତ୍ତମାନର ‘ଦେଶୀ ରାଜନେତା’ଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ବି ପଛାଉ ନ ଥିଲେ, ସେମାନଙ୍କ ଜ୍ଞାନପୀଠ ଆମେରିକାରେ ଏବେ ଉଦାରବାଦୀ ପୁଞ୍ଜି ଦର୍ଶନ ସନ୍ଦିଗ୍ଧ, ୟୁରୋପରେ ରାଷ୍ଟ୍ରବାଦର ପ୍ରବାହ ଚାଲିଚି, କେବଳ କ୍ଷୁଦ୍ର ଓ ଦରିଦ୍ର ଦେଶମାନଙ୍କରେ ଗଣତନ୍ତ୍ର ଏକ ନିର୍ଭରଶୀଳ ବ୍ୟବସ୍ଥା ଭାବରେ କାର୍ଯ୍ୟ କରୁଚି, ଯଦିଓ ସେଠି ବି ଲୋକକ୍ଷେତ୍ରର ଚିନ୍ତନ ରାଷ୍ଟ୍ରବାଦୀ।
ରାଷ୍ଟ୍ରବାଦର ଭୂତ ଭୟ ଆଉ ନାହିଁ। ତୃତୀୟରେ, ସ˚ପନ୍ନ ଦେଶମାନେ ପ୍ରକୃତିର ଅନୁଶୀଳନ ପ୍ରଧାନ ବିଜ୍ଞାନ ବିକଶିତ କରିଚନ୍ତି, କିନ୍ତୁ ପ୍ରକୃତିର କଳା ଭାରତ ହାତରେ ଠୁଳ। ବିଜ୍ଞାନର ଆଧାରରେ ପ୍ରକୃତିର ରହସ୍ୟ ଉନ୍ମୋଚନ କରୁଥିବା ରାଷ୍ଟ୍ରମାନେ ଯେ ପ୍ରକୃତିକୁ ପୁଞ୍ଜିର ଉତ୍ପାଦନ ବୋଲି ମନେ କରନ୍ତି, ପ୍ରକୃତିର କୌଣସି ଅନ୍ତର୍ନିହିତ ମୂଲ୍ୟ ନାହିଁ ବୋଲି ମନେ କରନ୍ତି। ଭୂମିର କର୍ଷଣ ପୂର୍ବରୁ ଭୂମିର ପୂଜା କରିବା, ଏମିତିକି ଗଛରେ ଚୋଟଟିଏ ପକେଇବା ପୂର୍ବରୁ ଗଛକୁ ପ୍ରଣାମ କରିବା, ପାଟିକୁ ଗୁଣ୍ତାଏ ଅନ୍ନ ନେବା ପୂର୍ବରୁ ପ୍ରକୃତିର ଦାନକୁ ଈଶ୍ବରଙ୍କୁ ଉତ୍ସର୍ଗ କରିବାର ମୂଲ୍ୟ ଭାରତୀୟଙ୍କ ଭିତରେ ସ୍ଥାପିତ ହୋଇ ରହିଚି। ଭାରତୀୟଙ୍କ ପାଇଁ ସମସ୍ତ ବିଦ୍ୟା, ସମସ୍ତ ଇନ୍ଦ୍ରିୟାନୁଭୂତି, ସମସ୍ତ କଳ୍ପନାଶୀଳତା ଓ ସମସ୍ତ ଆସ୍ଥା ବ୍ୟବସ୍ଥା ପ୍ରକୃତି ନିହିତ।
ଭାରତୀୟ ରାଷ୍ଟ୍ରବାଦ ଏକ ରାଜନୈତିକ ଚିନ୍ତାଧାରା ଭାବରେ ଭାରତୀୟ ଲୋକକ୍ଷେତ୍ରରେ ବିଦ୍ୟମାନ। ଲୋଡ଼ା ୟାର ରାଜନୈତିକ ଆବିଷ୍କାର। ତର୍କ ଓ ପ୍ରମାଣ ଦ୍ବାରା ବିଜ୍ଞାନ ପ୍ରକୃତିର ବହୁ ରହସ୍ୟ ଉଦ୍ଘାଟନ କଲେ ବି ଲୋକକ୍ଷେତ୍ରର ମୁଖ୍ୟ ସ୍ରୋତରେ ଆସ୍ଥାକୁ ନିୟନ୍ତ୍ରଣ କରି ପାରିନାହିଁ। ଏ କାର୍ଯ୍ୟ କରିବ ଭାରତୀୟ ଜାତୀୟ ସ୍ମୃତିରେ ଠୁଳୀଭୂତ ପ୍ରକୃତି ପାଠ। ରାଷ୍ଟ୍ର ତତ୍ତ୍ବରେ ପ୍ରକୃତି ପାଠ ସାମିଲ ହେବାର ପ୍ରକ୍ରିୟା ସ˚କ୍ଷେପରେ ମାତ୍ର ଏତିକି ଯେ ପିଢ଼ି ପରେ ପିଢ଼ି ଭାରତୀୟ ଶିକ୍ଷାର୍ଥୀ ପ୍ରକୃତି ପାଠର କଳାତ୍ମକ ଅଧୢୟନ ଆଧାରରେ ବୈଜ୍ଞାନିକ ଅନୁଶୀଳନର ଅଧୢୟନ କରିବେ। ଏଇମାନେ ପ୍ରବୁଦ୍ଧ ନାଗରିକ ଭାବରେ ସମ୍ବିଧାନ ଓ ରାଷ୍ଟ୍ରନୀତିରେ ଭାରତୀୟତା ପ୍ରବେଶ କରାଇଲା ବେଳେ ପ୍ରକୃତି ତତ୍ତ୍ବ ବି ପ୍ରବେଶ କରାଇବେ। ଇତିହାସର ପୁନର୍ଲିଖନ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପର˚ପରା ପାଠ। କିଏ କହିଲା ପର˚ପରା ପାଠ କୁସ˚ସ୍କାର ଓ ବିଭେଦକାରୀ? ଯେଉଁମାନେ କହନ୍ତି ସେମାନେ ଭାରତୀୟତାର ଶକ୍ତି ଓ ସାମର୍ଥ୍ୟ ସହିତ ପରିଚିତ ନୁହନ୍ତି। ରାଷ୍ଟ୍ରୀୟ ନେତୃତ୍ବ ହାତରେ ଭାରତୀୟ ବାସ୍ତବତାର ତତ୍ତ୍ବାୟନ ପାଇଁ କ୍ଷମତାର ଅଭାବ ନାହିଁ। ‘ରାଷ୍ଟ୍ର ଓ ପ୍ରକୃତି’ କ’ଣ ପ୍ରତିନିଧି ସଭାରେ ଏକ ଆଲୋଚନାର ବିଷୟ ହୋଇପାରିବ ନାହିଁ? ଏଥିରୁ କ’ଣ ରାଷ୍ଟ୍ରର ପ୍ରକୃତି ନୀତି ପାଇଁ ଆସ୍ଥା ରଚନାର ବହୁମୁଖୀ ସମ୍ଭାବନା ଜାଗରିତ ହେବ ନାହିଁ?
ମୋ-୯୪୩୭୦୩୯୮୫୮