ସୁଖ-ଶାନ୍ତି-ଆନନ୍ଦ

ଆଲୋକର ସନ୍ଧାନେ - ଅଭୟ ଦ୍ବିବେଦୀ

ସୁଖ, ଶାନ୍ତି, ଆନନ୍ଦ- ଏହି ତିନିଟି ଶବ୍ଦ ସମାନ ପ୍ରତୀୟମାନ ହେଉଥିଲେ ହେଁ, ବାସ୍ତବରେ ଭିନ୍ନ ଅର୍ଥ ବହନ କରିଥାନ୍ତି। ସେହି କ୍ରମରେ ଏମାନଙ୍କର କ୍ଷେତ୍ର ମଧ୍ୟ ଭିନ୍ନ: ପାର୍ଥିବ ଜଗତ, ମାନସ ପାରାବାର ଓ ତହିଁ ଊର୍ଦ୍ଧ୍ୱରେ ଅତୀନ୍ଦ୍ରିୟ ଶୂନ୍ୟଭୂମି। କୋଟି କୋଟି ବର୍ଷ କ୍ରମ ବିବର୍ତ୍ତନର ପରିଣାମ ସ୍ୱରୂପ ଜଡ଼ରୁ ଜୀବନର ସୃଷ୍ଟି- ଏହା ବିଜ୍ଞାନ ସ୍ୱୀକୃତ ଓ ଶାସ୍ତ୍ର ସମ୍ମତ। ବିଜ୍ଞାନ ଓ ଶାସ୍ତ୍ର ଉଭୟ ଜୀବନର ଜୟଗାନ କରିଛନ୍ତି ଓ ଜୀବନଯାତ୍ରାକୁ ସୁଖ, ଶାନ୍ତି, ଆନନ୍ଦର ଉତ୍ତୁଙ୍ଗ ଶିଖର ଆରୋହଣ ପାଇଁ ପ୍ରେରଣା ଯୋଗାଇଛନ୍ତି। ବିଜ୍ଞାନର ମତ ହେଉଛି ଯେଉଁ ଜଡ଼ରେ ଜୀବନୀଶକ୍ତିର ସାମାନ୍ୟତମ ସ୍ପର୍ଶର ଝଲକ ନ ଥିଲା, ତାହା କ୍ରମଶଃ କେତେ କେତେ ପ୍ରକ୍ରିୟାରେ ଜୀବନ୍ତ ହୋଇ ଉଠିଛି। ମାତ୍ର ଶାସ୍ତ୍ରର ଉଦ୍‌ଘୋଷଣା ହେଲା ଜଡ଼ ବୋଲି ଯାହା କୁହାଯାଉଛି, ତହିଁରେ ପ୍ରଥମରୁ ହିଁ ଜୀବନୀଶକ୍ତି ସଂଗୁପ୍ତ, ଆବରଣଯୁକ୍ତ ଓ ଲୁକ୍‌କାୟିତ ଥିଲା। ଆଧାରର ସାମର୍ଥ୍ୟ ଓ ପ୍ରବଳ ଇଚ୍ଛାଶକ୍ତିର ପ୍ରଭାବରେ ତାହା ଉନ୍ମୋଚିତ ହେବାକୁ ଲାଗିଲା। ବିଜ୍ଞାନ ଓ ଶାସ୍ତ୍ର ଉଭୟ ସହମତ ଯେ ମଣିଷ ହିଁ ଜୀବନୀଶକ୍ତିର ଶ୍ରେଷ୍ଠତମ ପରିଚୟ। ବିଜ୍ଞାନକୁ ଅନ୍ତିମ ମତ ବୋଲି ମାନିନେଲେ, ଜୀବନ ହେଉଛି ଆକସ୍ମିକତାର ଭ୍ରାମ୍ୟମାଣ କୁଣ୍ଡଳୀ ଦ୍ୱାରା ରଚିତ ଅବିନ୍ୟସ୍ତ କାହାଣୀ। ଶୂନ୍ୟର ଡୋରିରେ ବନ୍ଧା ଅଗ୍ରଗାମୀ ଅଥଚ ଅଫେରନ୍ତି ମଶାଲ। ଜାଗତିକ କ୍ଳାନ୍ତି, ସଂଶୟ, ବିତୃଷ୍ଣା ଓ ନୈରାଶ୍ୟରେ ପରିପୂର୍ଣ୍ଣ ଅବୋଧ୍ୟ, ଅଗମ୍ୟ ମାୟାଜାଲ। ଜୀବନ ହିଁ ଶୂନ୍ୟଗର୍ଭ, ଏକାନ୍ତ ନିଃସଙ୍ଗ। ଶାସ୍ତ୍ରୀୟ ସିଦ୍ଧାନ୍ତରେ ମଣିଷ ହେଉଛି ବୃହତ୍ତମ ସତ୍ତାର ଏକ ଅଂଶ। ସେ ଜନ୍ମ ଓ ମୃତ୍ୟୁକୁ ପରସ୍ପର ବିରୋଧୀ ଦୁଇଟି ପୃଥକ ପ୍ରକ୍ରିୟା ଭାବେ ଗ୍ରହଣ କରେ ନାହିଁ, ଅଧିକନ୍ତୁ ଦୁହିଁଙ୍କ ସମନ୍ୱୟରେ ସମ୍ପୂର୍ଣ୍ଣ ଛନ୍ଦ ଓ ଅଖଣ୍ଡ ଗତି ପ୍ରାପ୍ତ ହୁଏ। ମୃତ୍ୟୁରେ ବିରାଟ ରହସ୍ୟମୟ ସୌନ୍ଦର୍ଯ୍ୟ ଅବଲୋକନ କରି ଅଭିଭୂତ ହୋଇଯାଏ।

ଶାସ୍ତ୍ରୀୟ ପରିଭାଷାରେ ପାଞ୍ଚଟି ସୋପାନ ଦେଇ ଜୀବନର ଜୟଯାତ୍ରା ଅବ୍ୟାହତ ରହିଛି। ବାଳକ ଭୃଗୁ, ପିତା ବରୁଣଙ୍କୁ ପଚାରିଛନ୍ତି- ମୋତେ ଜୀବନର ଅନ୍ତିମ ସତ୍ୟ ବୁଝାଇ ଦିଅନ୍ତୁ। ପରମ ଜ୍ଞାନୀ ବରୁଣ ପୁତ୍ରର ଆଗ୍ରହ ଓ ନିଷ୍ଠାରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଇଛନ୍ତି- ‘ଅନ୍ନଂ ବ୍ରହ୍ମ ବ୍ୟଜାନାତ୍‌’। ଅନ୍ନକୁ ପରମ ସତ୍ୟ ବୋଲି ଜାଣ। ବାଳକ ଭୃଗୁ ଗଭୀର ତପସ୍ୟାରେ ଅନୁଭବ କରିଛନ୍ତି ଯେ ଅନ୍ନରୁ ଜୀବନର ସୃଷ୍ଟି ଏବଂ ତହିଁରେ ଏହାର ସ୍ଥିତି। ତେଣୁ ଅନ୍ନ ହିଁ ବ୍ରହ୍ମ। ମାତ୍ର ହୃଦୟର ଗଭୀରତମ କୋଣରେ ଅଭାବବୋଧର ଆଭାସ ଅନୁଭବ କରିଛନ୍ତି। ପିତା ବରୁଣଙ୍କୁ ଭୃଗୁ ପୁନଶ୍ଚ ପଚାରିଛନ୍ତି- ଅନ୍ନକୁ ବ୍ରହ୍ମ ବୋଲି ଉପଲବ୍‌ଧି କଲାପରେ ପୁନଶ୍ଚ ଏ ଦୁଃଖ କାହିଁକି? ସ୍ମିତ ହାସ୍ୟରେ ଜ୍ଞାନୀ ଶ୍ରେଷ୍ଠ ବରୁଣ କହିଛନ୍ତି- ‘ପ୍ରାଣଂ ବ୍ରହ୍ମ ବ୍ୟଜାନାତ୍‌’। ପ୍ରାଣକୁ ବ୍ରହ୍ମ ବୋଲି ଜାଣ। ଗଭୀର ତପସ୍ୟାରେ ଭୃଗୁ ଅନୁଭବ କରିଛନ୍ତି ଯେ ପ୍ରାଣ ବିନା ଜୀବନର ସୃଷ୍ଟି, ସ୍ଥିତି ସମ୍ଭବ ନୁହେଁ। ମାତ୍ର ପୂର୍ବବତ୍ ଅନ୍ତର ମଧ୍ୟରେ ଅଭାବବୋଧର ସେହି ଝଲକ ଉଦ୍‌ଭାସିତ ହୋଇଛି। ପୁନଶ୍ଚ ଗୁରୁ ବରୁଣ ଉପଦେଶ ଦେଇଛନ୍ତି- ‘ମନଂ ବ୍ରହ୍ମ ବ୍ୟଜାନାତ୍‌’, ‘ବିଜ୍ଞାନଂ ବ୍ରହ୍ମ ବ୍ୟଜାନାତ୍‌’, ‘ଆନନ୍ଦଂ ବ୍ରହ୍ମ ବ୍ୟଜାନାତ୍‌’। ଆନନ୍ଦମୟ ସୋପାନରେ ଉପନୀତ ହେବା ପରେ ଆଉ ଦୁଃଖ ନାହିଁ, ଜିଜ୍ଞାସା ନାହିଁ। ସେ ଚରମ ତୃପ୍ତି ଅନୁଭବ କରିଛନ୍ତି। ପ୍ରତିଟି ସୋପାନର ପରିପୂର୍ଣ୍ଣତାରେ ଜୀବନର ସାମଗ୍ରିକ ସତ୍ୟ ଅନୁଭବ କରିହୁଏ। ତେଣୁ ତମାମ ଜୀବନ ଭୋକରେ ଆଉଟୁପାଉଟୁ ହେଉଥିବା ଅଥବା ତୀବ୍ର ମାନସିକ ବ୍ୟାଧିରେ ଆକ୍ରାନ୍ତ ବ୍ୟକ୍ତି ସକାଶେ ଜୀବନର ଅନ୍ତିମ ସତ୍ୟ ନୀରିକ୍ଷଣ ନିରର୍ଥକ। କାରଣ ପ୍ରତିଟି ସ୍ତରର ପରିପୂର୍ଣ୍ଣତା, ପରବର୍ତ୍ତୀ ସୋପାନ ଆରୋହଣ ନିମନ୍ତେ ସାମର୍ଥ୍ୟ ଯୋଗାଇଥାଏ। ବିଜ୍ଞାନ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ପରିଭାଷାର ତିନିଟି ସୋପାନ, ଅର୍ଥାତ ମନୋମୟ ଭୂମି ପର୍ଯ୍ୟନ୍ତ ଅଗ୍ରଗତି କରିପାରିଛି। ତେଣୁ ସେହି ସ୍ତରଗୁଡ଼ିକର ଯାବତୀୟ ରହସ୍ୟ ଆମ ଆଗରେ ଉନ୍ମୋଚନ କରିବାର ସାମର୍ଥ୍ୟ ରଖୁଛି। କିନ୍ତୁ ଭବିଷ୍ୟତରେ ଯେ ଏହା ଲମ୍ବି ଯାଇଥିବା ସେହି ଶିଡ଼ିର ଆଉ ଦୁଇଟି ପାହାଚ ଆରୋହଣ ନ କରିବ, ତାହା ଆମେ ଅସ୍ୱୀକାର କରିପାରିବା ନାହିଁ।

ଜିଜ୍ଞାସୁ ଭୃଗୁ ଅନ୍ତିମ ସୋପାନରେ ଉପନୀତ ହେବା ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ ତୃପ୍ତି ଅନୁଭବ କରିବା ସହିତ ଅଭାବବୋଧରେ ଘାରି ହୋଇଛନ୍ତି। ମନରେ ସ୍ୱତଃ ପ୍ରଶ୍ନ ଆସେ, ସନ୍ତୋଷ ଲାଭ କରିବା ମୁହୂର୍ତ୍ତରେ ଦୁଃଖ ଆସେ କେମିତି? ତାହାର ସମାଧାନ ଏହିପରି- ପ୍ରତିଟି ସୋପାନରେ ଜୀବନର ସତ୍ୟ ଅନୁଭବ କରିବା ମାତ୍ରେ ଭୃଗୁ ତୃପ୍ତ ହୋଇଛନ୍ତି, କିନ୍ତୁ ସେହି ସୋପାନର ସଂକୀର୍ଣ୍ଣ ସୀମାବଦ୍ଧତା ତାଙ୍କ ଅନ୍ତରରେ ଦୁଃଖ ବା ଅଭାବବୋଧ ଭରି ଦେଇଛି; ଯାହା ପରବର୍ତ୍ତୀ ପାହାଚ ଆରୋହଣ ନିମନ୍ତେ ତାଙ୍କୁ ପ୍ରେରଣା ଦେଇଛି। ପ୍ରଥମରୁ କୁହାଯାଇଛି ଯେ ମଣିଷ ହେଉଛି ଶରୀର, ମନ ଓ ଆତ୍ମାର ଦିବ୍ୟ ସମ୍ମିଶ୍ରଣ। ଏହି ତିନିଟି କ୍ଷେତ୍ର ପରସ୍ପରଠାରୁ ପୃଥକ। କେହି କାହାରି ପ୍ରତିଦ୍ୱନ୍ଦ୍ବୀ ନୁହନ୍ତି, ବରଂ ପରିପୂରକ; ଦ୍ୱନ୍ଦ୍ୱ ନୁହନ୍ତି ସମାସ। ଆହୁରି ସ୍ପଷ୍ଟ ଭାବରେ କହିଲେ- ଶରୀର ଅସୁସ୍ଥ ହେଲେ ମନ ବିବ୍ରତ ହୁଏ। ଶରୀର ସୁସ୍ଥ ଥାଇ ମନ ବ୍ୟସ୍ତ ଥିଲେ ସଂସାର ଅସାର ଲାଗେ। ଆତ୍ମାର ଆହ୍ୱାନରେ ଶରୀର ଓ ମନ ଉଭୟ ତଲ୍ଲୀନ ହୋଇଯାଆନ୍ତି। ଯେଉଁ ଯାବତୀୟ ଆବଶ୍ୟକତା ପୂରଣରେ ଶରୀର ସନ୍ତୁଷ୍ଟ ରହେ, ତାହା ସୁଖ। ଯାହା ମନକୁ ସନ୍ତୋଷ ପ୍ରଦାନ କରେ ତାହା ଶାନ୍ତି ଏବଂ ଆତ୍ମାର ଚରମ ଅଭୀପ୍‌ସା ହେଉଛି ଆନନ୍ଦ। ସୁଖ, ଶାନ୍ତି, ଆନନ୍ଦ- ସାଧାରଣ ଜୀବନରେ ଏହି ତିନିଟି ଶବ୍ଦ ସମାନ ଅର୍ଥରେ ପ୍ରୟୋଗ କରାଯାଉଥିଲେ ହେଁ, ସୋପାନର ଆଧାରରେ ତିନିଟିର ପରିଭାଷା ଭିନ୍ନ।

ଶରୀର ଇନ୍ଦ୍ରିୟମାନଙ୍କ ଦ୍ୱାରା ପରିଚାଳିତ। ଇନ୍ଦ୍ରିୟର ଆବଶ୍ୟକତା ହିଁ ଶରୀରର ଆବଶ୍ୟକତା ବୋଲି ଗ୍ରହଣ କରାଯାଏ। ଇନ୍ଦ୍ରିୟ ସନ୍ତୁଷ୍ଟ ହେଲେ ଶରୀର ସୁଖ ଅନୁଭବ କରେ। ସୁଖ କ୍ଷଣସ୍ଥାୟୀ। କାରଣ ନିୟମିତ ବ୍ୟବଧାନରେ ଇନ୍ଦ୍ରିୟ, ଈପ୍‌ସିତ ବସ୍ତୁ ପାଇଁ ବ୍ୟଗ୍ର ହୋଇ ଉଠେ। ଦୃଷ୍ଟାନ୍ତ: ଖାଦ୍ୟ, ସ୍ପର୍ଶସୁଖ ଇତ୍ୟାଦି। ତେଣୁ ଶରୀରର ସୁଖ ନିମନ୍ତେ ନିୟମିତ ବ୍ୟବଧାନରେ ଇନ୍ଦ୍ରିୟକୁ ସନ୍ତୁଷ୍ଟ କରିବାକୁ ପଡ଼ିଥାଏ। ଈପ୍‌ସିତ ବସ୍ତୁର ଅଭାବରେ ଆମେ ଯେପରି ଦୁଃଖ ପାଉ, ତାହାର ଆଧିକ୍ୟରେ ମଧ୍ୟ କଷ୍ଟ ପାଇଥାଉ। ଗୋଟିଏ ବସ୍ତ୍ରରେ ଶୀତ ଜ୍ୱାଳାରୁ ଉପଶମ ମିଳୁଥିଲେ, ପାଞ୍ଚଟି ବସ୍ତ୍ର ପାଞ୍ଚ ଗୁଣ ସୁଖ ଦିଏ ନାହିଁ , ବରଂ କଷ୍ଟ ମିଳେ। ଇନ୍ଦ୍ରିୟଗତ ଆବଶ୍ୟକତା ଏହି ପର୍ଯ୍ୟାୟର। ଆମେ ଆବଶ୍ୟକତାର ପରିମାଣ ଯଥାର୍ଥ ଭାବେ ସ୍ଥିର କରିବାରେ ଅସମର୍ଥ ଥିବାରୁ, ତମାମ ଜୀବନ ଅଧିକରୁ ଅଧିକ ବସ୍ତୁ ସଂଗ୍ରହ ଏବଂ ବ୍ୟବହାରରେ ଲାଗିଥାଉ। ଫଳରେ ପ୍ରତି ମୁହୂର୍ତ୍ତରେ ଆମେ ଜୀବନରେ ଦୁଃଖର ମଞ୍ଜି ପୋତିଚାଲୁ।

ଶରୀରର ଯେଉଁ କ୍ଷେତ୍ର ଇନ୍ଦ୍ରିୟ ସଂସ୍କାରକୁ ଧାରଣ କରିବା ପାଇଁ ସମର୍ଥ, ତାହା ହେଉଛି ମନ। ଆହୁରି ସ୍ପଷ୍ଟ କରି କହିଲେ, କାହିଁ କେତେ କାଳ ପୂର୍ବେ ଦେବୀମାତାଙ୍କୁ ପ୍ରାଣ ଭରି ଦର୍ଶନ କରିଥିବାର ଦୃଶ୍ୟ ଆଜି ସ୍ମରଣ କରିହୁଏ। ନେତ୍ର ଦ୍ୱାରା ଦେଖିଥିବା ସେ ଦୃଶ୍ୟ କେବେଠୁ ବିତିଯାଇଥିଲେ ହେଁ ଆଜି ମଧ୍ୟ ତାହା ଦାଉ ଦାଉ ଝଲସି ଉଠେ। ଯେଉଁ କ୍ଷେତ୍ର ସେହି ରୂପକୁ ବାରବାର ସାମନାକୁ ଆଣେ ତାହା ମନ। ଇନ୍ଦ୍ରିୟ ବହିର୍ମୁଖୀ। ସେମାନେ ବାହାରର ବିଷୟ (ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ) ଆହରଣ କରନ୍ତି। ମନ ସେହି ବିଷୟକୁ ଧାରଣ କରି ସର୍ବଦା ଚଞ୍ଚଳ, ଅଶାନ୍ତ ରହେ। ଇନ୍ଦ୍ରିୟଗ୍ରାହ୍ୟ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଏବଂ ଅନେକାଂଶରେ କଳ୍ପନା ମନକୁ ବ୍ୟାକୁଳ, ବିବ୍ରତ କରେ। ଅନ୍ତର୍ମୁଖୀ ଧ୍ୟାନ ସାହାଯ୍ୟରେ ଇନ୍ଦ୍ରିୟର ଉତ୍ପତ୍ତିସ୍ଥଳୀ ‘ସୂକ୍ଷ୍ମତନ୍ମାତ୍ର’ ଅନୁଭବ କରିପାରିଲେ ମନ ଶାନ୍ତ ହୁଏ। ଧ୍ୟାନ ମାଧ୍ୟମରେ ଶବ୍ଦର କୋଳହାଳ,ସ୍ପ ର୍ଶର ମାଦକତା, ରୂପର ଲାବଣ୍ୟ, ରସର ସ୍ୱାଦ ଏବଂ ଗନ୍ଧର ମହକ ସବୁ କିଛି ଅପସରି ଯାଏ। ମନ ଶାନ୍ତ ହେଲେ, ଉତ୍ତରଣର ମାର୍ଗ ସ୍ପଷ୍ଟ ହୋଇଯାଏ।

ଶରୀରର ଅନ୍ୟ ଏକ ପ୍ରକୃଷ୍ଟ କ୍ଷେତ୍ର ହୃଦୟ ସିଂହାସନରେ ଆତ୍ମା ବିଦ୍ୟମାନ। ତେଣୁ ମଣିଷ ଜୀବାତ୍ମା ଭାବେ ଅଭିହିତ। ଆତ୍ମା ହେଉଛି ପରମାତ୍ମାଙ୍କର ଅଂଶବିଶେଷ। ପରମାତ୍ମା ହେଉଛନ୍ତି ସଚ୍ଚିଦାନନ୍ଦ- ସତ୍‌, ଚିତ୍‌, ଆନନ୍ଦର ଦିବ୍ୟ ସମାହାର। ମାତ୍ର ମଣିଷ ହେଉଛି ସତ୍ ଏବଂ ଚିତ୍‌ର ଦିବ୍ୟ ସମ୍ମିଶ୍ରଣ। ତେଣୁ ମଣିଷ ନିଜ ହୃଦୟରେ ଆନନ୍ଦମୟ ସତ୍ତାର ଅଭାବ ସର୍ବଦା ଅନୁଭବ କରୁଥାଏ। ତେଣୁ ଆତ୍ମାର ଚରମ ଅଭୀପ୍‌ସା ହେଉଛି ଆନନ୍ଦ। କିନ୍ତୁ ସେ ପରମାତ୍ମାଙ୍କର ଅଂଶବିଶେଷ ହୋଇଥିବାରୁ, କୌଣସି ନା କୌଣସି ମୁହୂର୍ତ୍ତରେ ଆନନ୍ଦମୟ ସତ୍ତାର ସାମାନ୍ୟତମ ସ୍ପର୍ଶର ଝଲକ ଅନୁଭବ କରିପାରେ। କିଛି ସାର୍ଥକ ଜୀବାତ୍ମା ସେହି ସ୍ପର୍ଶର ଝଲକକୁ ପରିପୂର୍ଣ୍ଣ, ପରିବ୍ୟାପ୍ତ କରି ଆନନ୍ଦପ୍ରାପ୍ତିରେ ସମର୍ଥ ହୋଇପାରନ୍ତି। କିନ୍ତୁ ସାଧାରଣ ଜୀବନରେ ଏହା ସମ୍ଭବ ହୁଏ ନାହିଁ। କାରଣ ସାଧାରଣ ଜୀବନ ବସ୍ତୁ ଏବଂ କୋଳାହଳ ସର୍ବସ୍ୱ। ଅନେକ ସମୟରେ ଆମେ ଆତ୍ମାର ଅସ୍ତିତ୍ୱ ସଂପର୍କରେ ଅବଗତ ନ ଥାଉ। ତେଣୁ ତାହାକୁ ପରିପୁଷ୍ଟ କରିବା ସମ୍ଭବ ହୁଏ ନାହିଁ। ଫଳରେ ଆତ୍ମା, ପରସ୍ତ ପରେ ପରସ୍ତ ଆବରଣଯୁକ୍ତ ହୋଇ ରହିଯାଏ। ଯେତେବେଳେ ଆମେ ଜଗତ ଓ ଜୀବନକୁ ଅନ୍ତରଙ୍ଗ ଭାବେ ଅନୁଭବ କରି ଏହାକୁ ସର୍ବବ୍ୟାପ୍ତ ପରମପ୍ରଜ୍ଞାର କରଣି ବୋଲି ଅନୁଭବ କରିପାରିବା, ସଂସାରର ବିଚିତ୍ର ରଚନା ଓ ଅନନ୍ତ କୌଶଳର କରାମତି ଭିତରେ ପରମ ପ୍ରଜ୍ଞାକୁ ଆବିଷ୍କାର କରିପାରିବା, ସେତେବେଳେ ଆତ୍ମାର ସ୍ଥିତି ସଂପର୍କରେ ସଚେତନ ହୋଇପାରିବା। ଫଳରେ ଜାଗତିକ ନୈମିତ୍ତିକତା ଆମ ଭିତରେ ବିଶ୍ୱାତୀତ ସତ୍ୟ ପ୍ରତିଷ୍ଠା ନିମନ୍ତେ ସାମର୍ଥ୍ୟ ଆଣିପାରିବ। ସେହି ସାମର୍ଥ୍ୟର ଆଧାରରେ ଆମେ ସୁଖ, ଶାନ୍ତି, ଆନନ୍ଦର ଯଥାର୍ଥ ସମାଧାନ ନିଜ ଭିତରେ ଆବିଷ୍କାର କରିପାରିବା।
ମୋ: ୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର