ଗଲା ୮ ତାରିଖରେ ପ୍ରକାଶିତ ହୋଇଥିବା ପଦ୍ମପୁର ଉପନିର୍ବାଚନର ଫଳାଫଳ ଦେଖି ବିଶେଷ ଆଚମ୍ବିତ ହେବାର କାରଣ ନାହିଁ। କାରଣ ନିର୍ବାଚନ ପ୍ରଚାରର ଅନ୍ତିମ ଚରଣ ବେଳକୁ ଲାଗୁଥିଲା ଏହା ବୋଧହୁଏ ହେବାର ଥିଲା।
୨୦୧୯ରେ ବିଜେପି ପ୍ରାର୍ଥୀ ଏଠାରେ ୭୭,୫୬୫ ଖଣ୍ତ ଭୋଟ୍‌ ପାଇଥିଲେ, ଏଥର ମଧ୍ୟ ପ୍ରାୟ ସମାନ ଅର୍ଥାତ୍‌ ୭୮,୧୨୮ ଖଣ୍ତ ଭୋଟ୍‌ ପାଇଛନ୍ତି। କ˚ଗ୍ରେସ ପ୍ରାର୍ଥୀ ପାଇଥିବା ଭୋଟ ସଂଖ୍ୟା ୩୨,୭୮୭ରୁ ୩,୫୯୪କୁ ତୀବ୍ର ଭାବେ ଖସିଛି। ବିଜେଡି ପ୍ରାର୍ଥିନୀ ତାଙ୍କ ବାପା ପୂର୍ବ ଥର ପାଇଥିବା ୮୩,୨୯୯ ଭୋଟ୍‌କୁ ବଢ଼ାଇ ୧,୨୦,୮୦୭ କରି ପାରିଛନ୍ତି। ୨୦୧୯ ମସିହାରେ ୨,୫୫,୪୫୫ଟି ଭୋଟ ପଡ଼ିଥିବା ବେଳେ ୨୦୨୨ରେ ସେ ସ˚ଖ୍ୟା ବଢ଼ି ହୋଇଛି ୨,୬୯,୩୫୪; ଅର୍ଥାତ୍‌ ପ୍ରାୟ ୨% ବୃଦ୍ଧି।

Advertisment

ଏବେ ପ୍ରଶ୍ନ ଉଠିପାରେ ଯେ ବିଜେପି ହାତରେ ତ ଅନେକ ସୁଯୋଗ ଥିଲା, ସର୍ବାଧିକ ଶକ୍ତିଶାଳୀ ପ୍ରାର୍ଥୀଙ୍କ ସହିତ ଲୋକ ବଳ ବି ଥିଲା, କେନ୍ଦ୍ରର ଅର୍ଥ ବଳ ଥିଲା, ଅଥଚ ସେ ହାରିଲେ କାହିଁକି? ମୂଳତଃ ଜଣାପଡୁଥିଲା ଯେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୫୫ରୁ ୬୦% ଜନାଧାର ଅଛି ଏବଂ ବିଜେଡି ସହିତ ୪୦ରୁ ୪୫% ମଧ୍ୟରେ ଜନ ସମର୍ଥନ ଥିବାର ଆକଳନ କରାଯାଉଥିଲା। କିନ୍ତୁ ବିଜେଡି ଏହି ଗଣିତକୁ ଓଲଟପାଲଟ କରିଦେବାରେ ସକ୍ଷମ ହେଲା। ଏହା କେମିତି ହେଲା?

ଫସଲ ବୀମା, ଇନ୍‌ପୁଟ୍‌ ସବ୍‌ସିଡି, ଜିଲ୍ଲା ଘୋଷଣା, ସ୍ଥାନୀୟ ସମସ୍ୟା ଇତ୍ୟାଦି ଭଳି ପ୍ରତ୍ୟେକ ପ୍ରସଙ୍ଗରେ ବିଜେପିର ପ୍ରଚାର ପ୍ରଥମରୁ ଆଗୁଆ ଥିଲା। ଏପରିକି ଦଳ ଜାତିବାଦ ପ୍ରସଙ୍ଗକୁ ମଧ୍ୟ ଓହ୍ଲାଇଥିଲା। କିନ୍ତୁ ବିଜେପିର ପ୍ରଚାର କରିବାକୁ ଆସିଥିବା ନେତାମାନେ କେବଳ ଗୋଟିଏ କଥା କହିଲେ ଯେ ସବୁ ସମସ୍ୟା ପାଇଁ ରାଜ୍ୟ ସରକାର ଦାୟୀ। ନୂଆ ରେଳ ଲାଇନ୍‌ ହେଉ କି କୃଷି ବୀମା ହେଉ; ସବୁ କିଛି ରାଜ୍ୟ ସରକାର ଅଟକାଇ ଦେଇଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ ତେଣୁ ଜନ ମତ ଏହା ବିଜେପି ସପକ୍ଷରେ ଯାଉଥିବା ଭଳି ମନେ ହେଉଥିଲା; ଯେଉଁ କାରଣରୁ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ହୁଏ’ତ ପଦ୍ମପୁର ଆସି ନିଜର ପକ୍ଷ ରଖିବାକୁ ହେଲା। ବିଜେପି ଦ୍ବାରା ଉଠାଯାଇଥିବା ସମସ୍ତ ପ୍ରସଙ୍ଗକୁ ବିଜେଡି ପକ୍ଷରୁ ସଂବୋଧନ କରାଗଲା, ପ୍ରତିଶ୍ରୁତିମାନ ଦିଆଗଲା, ଯେମିତି ଜାତିଆଣ ଭାବ ପ୍ରସଙ୍ଗରେ ବିଭିନ୍ନ ଜାତିର ନେତାଙ୍କୁ ଭେଟି ଧର୍ମଶାଳାମାନ ନିର୍ମାଣ କରିବାର ପ୍ରତିଶ୍ରୁତି ଇତ୍ୟାଦି। ଅପର ପକ୍ଷରେ ବିଜେପି ପ୍ରାର୍ଥୀ ଯେଉଁ ପ୍ରସଙ୍ଗଭିତ୍ତିକ ରାଜନୀତି ଆରମ୍ଭ କରିଥିଲେ, ତହିଁରୁ ଓହ୍ଲାଇ ଯାଇ ବିଜେପିର ଅନ୍ୟ ନେତାମାନେ ବିଜେଡି ପ୍ରାର୍ଥୀଙ୍କ ବିବାହ ପ୍ରସଙ୍ଗ ଭଳି ବ୍ୟକ୍ତିଗତ କ୍ଷେତ୍ର ମଧ୍ୟକୁ କ୍ରମେ ପ୍ରବେଶ କଲେ। ବିଜେଡି କିନ୍ତୁ ଏଣେ ଦୂରଦୂରାନ୍ତରୁ ଦାଦନ ଶ୍ରମିକମାନଙ୍କୁ ଫେରାଇ ଆଣି ମତ ଦାନ କରାଇବାର ଉଦ୍ୟମ କରୁଥିଲା, ନିର୍ବାଚନ କେମିତି ଜିଣା ଯାଇପାରିବ ସେ ଦିଗରେ ପ୍ରୟାସରେ ଲାଗିଥିଲା।

ସାଧାରଣତଃ ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତି ଅପେକ୍ଷାକୃତ ଭାବେ ଅଧିକ ଦୃଢ଼ ବୋଲି ଧାରଣା ରହିଛି। କିନ୍ତୁ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ବିଷୟ ହେଉ କି ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ବା ଟାଟା ମୋମୋରିଆଲ୍‌ ଭଳି ଡାକ୍ତରଖାନା ସ୍ଥାପନ ହେଉ; ପ୍ରତ୍ୟେକ ପ୍ରସଙ୍ଗରେ ବିଜେପିର କେବଳ ଗୋଟିଏ ଅଭିଯୋଗ ଯେ ଏ ସବୁ ପଥରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି। ଏହା ଦ୍ବାରା ଏକ ଧାରଣା ଜନ୍ମିଛି ଯେ କେନ୍ଦ୍ରରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ବିଜେପି ସରକାର ଥିବା ସତ୍ତ୍ବେ ରାଜ୍ୟର ଭାଗ୍ୟ ନିୟନ୍ତା ହେଉଛନ୍ତି ନବୀନ ପଟ୍ଟନାୟକ, ଯାହାଙ୍କୁ ଅତିକ୍ରମ କରିବାର ସାମର୍ଥ୍ୟ କେନ୍ଦ୍ର ସରକାରଙ୍କ ଠାରେ ମଧ୍ୟ ନାହିଁ। ସେହି ଦୃଷ୍ଟିରୁ ବିଜେଡିର ପ୍ରତିଶ୍ରୁତି ଭୋଟରମାନଙ୍କ ଲାଗି ଭରସାଯୋଗ୍ୟ ହୋଇଥିବା ସ୍ବାଭାବିକ।

ଏବେ ଦେଖାଯାଉ ବିଜେଡି ସରକାର ଦେଇଥିବା ପ୍ରତିଶ୍ରୁତିର ପାଳନ କରୁଛନ୍ତି କି ନାହିଁ? ପଦ୍ମପୁରର ବାସିନ୍ଦାଙ୍କ ବାସ୍ତବ ସମସ୍ୟାଗୁଡ଼ିକର କିଛି ସମାଧାନ ହୋଇ ପାରୁଛି କି ନାହିଁ?
ମୋ: ୯୪୩୭୦୫୩୩୩୦