ଗଲା ଶୁକ୍ରବାର ଅର୍ଥାତ୍ ଡିସେମ୍ବର ୧୦ ତାରିଖରେ ସାରା ପୃଥିବୀ ଜାତିସ˚ଘ ଦ୍ବାରା ଘୋଷିତ ‘ଆନ୍ତର୍ଜାତିକ ମାନବ ଅଧିକାର’ ଦିବସ ପାଳନ କରିଛି ସତ; କିନ୍ତୁ ତାର ଦୁଇ ଦିନ ପୂର୍ବରୁ ଆଫଗାନିସ୍ତାନରେ ଏଭଳି ଘଟଣାଟିଏ ସ˚ଘଟିତ ହୋଇଯାଇଛି, ଯାହା ସତେ ଯେମିତି ଜାତି˚ଘର ଏହି ଆଭିମୁଖ୍ୟ ପ୍ରତି ଏକ ନିଷ୍ଠୁର ପରିହାସ; କାରଣ ସେହି ଦିନ ଶହ ଶହ ଆଫଗାନ ନାଗରିକଙ୍କ ଉପସ୍ଥିତି ଓ କେଳାହଳ ମଧୢରେ ଏକ ଉପଭୋଗ୍ୟ ଦୃଶ୍ୟ ଭଳି ଏକ ମୃତ୍ୟୁ ଦଣ୍ତକୁ ରୂପ ଦିଆଯାଇଥିଲା। ପ୍ରକାଶ ଥାଉ କି ଏହା ହେଉଛି ୨୦୨୧ ମସିହାରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ୨.୦ ଶାସକଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପ୍ରଥମ ପ୍ରକାଶ୍ୟ ମୃତ୍ୟୁ ଦଣ୍ତ, ଯେଉଁଭଳି ଦଣ୍ତି ୧୯୯୬ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ଶାସନ କରିୁଥିବା ତାଲିବାନର ପ୍ରଥମ ପାଳି ଶାସକଙ୍କ ଅମଳରେ ଏକ ନିୟମିତତାରେ ପରିଣତ ହୋଇଥିଲା। ତେବେ, ଏହି ମୃତ୍ୟୁ ଦଣ୍ତ ଅନେକଙ୍କୁ ହତାଶ କରିଛି, ଯେଉଁମାନେ ଏକ ଧାରଣା ପୋଷଣ କରି ନେଇଥିଲେ ଯେ ଦ୍ବିତୀୟ ପାଳିର ତାଲିବାନ ଏକ ଅପେକ୍ଷାକୃତ ଉଦାରବାଦୀ ସ˚ସ୍କରଣ। ତାହା ସହିତ ଏକ ସ୍ବାଭାବିକ ଆଶଙ୍କାର ସୂତ୍ରପାତ ଘଟିଛି ଯେ ପୁନର୍ବାର ସେଠାରେ ପ୍ରକାଶ୍ୟ ମୃତ୍ୟୁଦଣ୍ତ, ବେତ୍ରାଘାତ, ଅଙ୍ଗ-ଛେଦନ, ପଥର ଫିଙ୍ଗି ହତ୍ୟା ଭଳି ଅତ୍ୟନ୍ତ ନିଷ୍ଠୁର ଦଣ୍ତଗୁଡ଼ିକର ଧାରା ପୁନର୍ବାର ସୃଷ୍ଟି ହେବ।ଏହି ପରିପ୍ରେକ୍ଷୀରେ କେବଳ ମଧୢ-ଏସିଆ ନୁହେଁ, ପୃଥିବୀ ସମ୍ମୁଖରେ ଭବିଷ୍ୟତ୍ର ଯେଉଁ ରୂପରେଖର ଆଭାସ ମିଳେ, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ତେବେ, ପ୍ରଶ୍ନ ଉଠିଥାଏ ଯେ ତାଲିବାନ ୨.୦ ତାର ପୂର୍ବବର୍ତ୍ତୀ ଅବତାର ବହନ କରିଥିବା କ୍ରୂର କଠୋରପନ୍ଥା ଠାରୁ ଦୂରେଇ ଯାଇଛି ବୋଳି ଧାରଣା ସୃଷ୍ଟି ହୋଇଥିଲା କାହିଁକି? ଏହାର କାରଣ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ର˚ପ୍ ଏବ˚ ତାଲିବାନ ସ˚ଗଠନ ମଧୢରେ ହୋଇଥିବା ରାଜିନାମାର ଅବ୍ୟବହିତ ପୂର୍ବରୁ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ଆଲେଖ୍ୟ, ଯାହାର ରଚୟିତା ଥିଲେ ତାଲିବାନ ନେତା ସିରାଜୁଦ୍ଦିନ ହକ୍କାନି, ଏବ˚ ଯାହା ଆଶ୍ବସ୍ତ କରିବାକୁ ଚେଷ୍ଟା କରିଥିଲା ଯେ ଦୀର୍ଘକାଳୀନ ଯୁଦ୍ଧ ବିଗ୍ରହ ଦ୍ବାରା ପୀଡ଼ିତ ଆଫଗାନମାନେ ଏବେ ଶାନ୍ତି ଚାହାନ୍ତି; ସୁତରା˚, ମୌଳବାଦୀ ବିଚାର ଏବ˚ ‘ସାରିଆ’ର ପ୍ରଭାବ ସତ୍ତ୍ବେ ନୂତନ ତାଲିବାନ ସରକାର ପ୍ରତ୍ୟେକ ଆଫଗାନଙ୍କ ସ୍ବପ୍ନ ପୂରଣ ଦିଗରେ ଉଦ୍ୟମ କରିବ, ଆଫଗାନ ନାଗରିକଙ୍କ ସହମତି ହେବ ଶାସନର ଉପଜୀବ୍ୟ ଏବ˚ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ମହିଳାମାନଙ୍କ ଅଧିକାର ସୁରକ୍ଷା ଦିଗରେ ଗୁରୁତ୍ବ ପ୍ରଦାନ କରାଯିବ। ଅବଶ୍ୟ, ଏଭଳି ପ୍ରତିଶ୍ରୁତି ବସ୍ତୁତଃ ଅଧିକା˚ଶଙ୍କ ସକାଶେ ଅବିଶ୍ବାସ୍ୟ ଭଳି ମନେ ହୋଇଥିଲା, ତଥାପି କେତେକ ଏହାକୁ ତାଲିବାନର ହୃଦୟ ପରିବର୍ତ୍ତନ ବୋଲି ଧରି ନେଇଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ ଏହି ତାଲିବାନ ସରକାରକୁ ପୃଥିବୀର ପ୍ରାୟ କୌଣସି ରାଷ୍ଟ୍ର ସ୍ବୀକୃତି ପ୍ରଦାନ କରି ନ ଥିଲେ ହେଁ ଚୀନ, ଇରାନ, ରୁଷିଆ ଏବ˚ ଭାରତ ଭଳି ରାଷ୍ଟ୍ର ସେଠାରେ ନିଜ ନିଜ ଦୂତାବାସମାନ ଖୋଲି ରଖିଛନ୍ତି ଏବ˚ ଆଫଗାନିସ୍ତାନ ନିର୍ମାଣ ଲାଗି ସୁଯୋଗ ଅପେକ୍ଷାରେ ଅଛନ୍ତି। ସୁତରାଂ, ଭାରତୀୟ ପାଣ୍ଠି ସହାୟତାରେ ହେଉଥିବା କେତେକ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପଡ଼ିଥିବା ଦୃଷ୍ଟିରୁ ସେସବୁକୁ ପୁନର୍ବାର ପ୍ରାରମ୍ଭ କରିବା ଲାଗି ତାଲିବାନର ନିବେଦନକୁ ଏହି ହୃଦୟ ପରିବର୍ତ୍ତନର ଏକ ସ˚କେତ ରୂପେ ଅନେକ ଦେଖିଥିଲେ। କେବଳ ସେତିକି ନୁହେଁ, ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରପତି ହମିଦ କାରଜାଇଙ୍କ ବିଦେଶ ଗସ୍ତକୁ ଅନୁମତି ପ୍ରଦାନ ମଧୢ ଏହି ଧାରଣାକୁ ଅଧିକ ଦୃଢ଼ କରିଥିଲା। ତେଣୁ, ଏଭଳି ଆଶା ମଧୢ ସ˚ଚାରିତ ହେଉଥିଲା ଯେ ପାଶ୍ଚାତ୍ୟ ରାଷ୍ଟ୍ରର ବ୍ୟାଙ୍କଗୁଡ଼ିକରେ ଅଚଳ ହୋଇ ପଡ଼ିଥିବା ଆଫଗାନିସ୍ତାନ ସରକାରଙ୍କ ଆକାଉଣ୍ଟରେ ଗଚ୍ଛିତ ୯ ବିଲିଅନ ଡଲାର ହୁଏ’ତ ରାଷ୍ଟ୍ରର ବିକାଶ କଳ୍ପେ ଶୀଘ୍ର ଉପଲବ୍ଧ ହୋଇପାରେ। କିନ୍ତୁ କ୍ରମେ ତାଲିବାନ ୨.୦ର ପ୍ରକୃତ ସ୍ବରୂପ ବିଷୟରେ ଆଭାସ ମିଳିଲା, ଯେେତବେଳେ ଉଚ୍ଚ ମାଧୢମିକ ବା ତା’ ଉପର ସ୍ତରରେ ବାଳିକାମାନଙ୍କ ସ୍କୁଲ ପ୍ରବେଶକୁ ବନ୍ଦ କରିଦିଆଗଲା ବା କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଅ˚ଶୀଦାରିକୁ ସ˚କୁଚିତ କରିଦିଆଗଲା। ସେହି ଦୃଷ୍ଟିରୁ ଏହି ମୃତ୍ୟୁ ଦଣ୍ତ ତାଲିବାନଙ୍କ ପ୍ରକୃତ ସ୍ବରୂପକୁ ଆହୁରି ପ୍ରାଂଜଳ କରିଛି। ପ୍ରକାଶ ଥାଉ କି ସେ ଦିନ ଘଟଣାସ୍ଥଳରେ ସିରାଜୁଦ୍ଦିନ ହକ୍କାନିଙ୍କ ସମେତ ପ୍ରାୟ ସମସ୍ତ ତାଲିବାନ ମନ୍ତ୍ରୀ ଉପସ୍ଥିତ ଥିଲେ ଏବ˚ ଏହି ଘଟଣା ପରେ ପାୟ ୨୭ଟି ପ୍ରକାଶ୍ୟ ବେତ୍ରାଘାତ ଦଣ୍ତ ମଧୢ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ପ୍ରଦାନ କରାଯାଇଛି, ଯହିଁରେ ଅନେକ ମହିଳା ଅନ୍ତର୍ଭୁକ୍ତ। ସୁତରାଂ, ତାଲିବାନ ୨.୦ େଯ ତାର ପୂର୍ବବର୍ତୀ ଅବତାରର ଅବିକଳ ଦ୍ବିତୀୟ ସ˚ସ୍କରଣ ଏଥିରେ ଆଉ ସନ୍ଦେହର ଅବକାଶ ନାହିଁ।
କିନ୍ତୁ, ପ୍ରଶ୍ନ ଉଠିଥାଏ ଯେ ତାଲିବାନ ୨.୦ ଦ୍ବାରା ଶାସନ ଦଖଲର ବର୍ଷାଧିକ କାଳ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ହଠାତ୍ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରାଗଲା କାହିଁକି? ତାଲିବାନ ପକ୍ଷରୁ ଶୁଣିବାକୁ ମିଳିଛି ଯେ ଶୃଙ୍ଖଳା ଏବ˚ ନୀତି ସ୍ଥାପନ ସକାଶେ ଏଭଳ ଦୃଷ୍ଟାନ୍ତମୂଳକ ଦଣ୍ତର ଆବଶ୍ୟକତା ରହିଛି ଏବ˚ ଅନ୍ୟାନ୍ୟ ରାଷ୍ଟ୍ର ବା ଜାତିସ˚ଘ ଦ୍ବାରା ଏହାର ନିନ୍ଦା ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ତୁଲ୍ୟ। ଏହି ପରିିପ୍ରେକ୍ଷୀରେ ଏବେ ଆଫଗାନିସ୍ତାନରୁ ଦୃଷ୍ଟି ହଟାଇ ଏହାର ପଶ୍ଚିମ ପାର୍ଶ୍ବସ୍ଥ ପଡେ଼ାଶୀ ଇରାନ ଉପରେ ତାହା ନିକ୍ଷେପ କଲେ ସେଠାରେ ମଧୢ ଏକ ସମତୁଲ ଘଟଣା ଦୃଷ୍ଟିଗୋଚର ହୋଇଥାଏ। ତାହା ହେଲା ସେଠାରେ ମଧ୍ୟ ଜଣେ ହିଜାବ ବିରୋଧୀ ପ୍ରଦର୍ଶନକାରୀଙ୍କୁ ମୃତ୍ୟୁ ଦଣ୍ତରେ ଦଣ୍ତିତ କରାଯାଇଛି। ଏ ସଂଦର୍ଭରେ ଇରାନ ସରକାରଙ୍କ ବକ୍ତବ୍ୟ ମଧ୍ୟ ତାଲିବାନ ସରକାରଙ୍କ ପ୍ରତିଧ୍ବନି ଭଳି ଶୁଣାଯାଇଥାଏ, ଯାହା ହେଲା ରାଷ୍ଟ୍ରରେ ଶୃଙ୍ଖଳା ପ୍ରତିଷ୍ଠା ଲାଗି ଏଭଳି ଦୃଷ୍ଟାନ୍ତମୂଳକ ଦଣ୍ତ ଜରୁରୀ। ସୁତରା˚, ଏକ ସନ୍ଦେହ ଜନ୍ମିଥାଏ ଯେ ଉଦାରବାଦୀ ପାଶ୍ଚାତ୍ୟ ଜଗତ୍ ବିରୋଧରେ ଏହା ଇସଲାମୀୟ ମୌଳବାଦର ଏକ ପ୍ରତିକ୍ରିୟମୂଳକ ସ୍ବର ଉତ୍ତୋଳନ ନୁହେଁ ତ!, ଯହିଁରେ ଦୁଇ ଇସଲାମୀୟ ରାଷ୍ଟ୍ର ସମ୍ଭବତଃ ହାତ ମିଳାଇଛନ୍ତି!
କହିବା ବାହୁଲ୍ୟ ଯେ ଇସଲାମୀୟ ମୌଳବାଦୀମାନେ ଏକ ବ୍ୟାଖ୍ୟାନ ସୃଷ୍ଟି କରିବାରେ ଲାଗିଛନ୍ତି ଯେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଆପଣା ଦୃଷ୍ଟିଭଙ୍ଗୀକୁ ରକ୍ଷଣଶୀଳ ଇସଲାମୀ ସମାଜରେ ଅନୁପ୍ରବେଶ ଘଟାଇବାକୁ ବଦ୍ଧପରିକର, ଯାହାର ପ୍ରମାଣ ଇରାନରେ ହେଉଥିବା ହିଜାବ ବିରୋଧୀ ଆନ୍ଦୋଳନ ବା ଆଫଗାନିସ୍ତାନରେ ଆପଣା ଅଧିକାର ଲାଗି ମହିଳାମାନେ କରୁଥିବା ବିରୋଧ ପ୍ରଦର୍ଶନ। ଏଭଳି ସ୍ଥିତିରେ ଖୁବ୍ ସମ୍ଭବ ଯେ ଏହି ଚରମପନ୍ଥୀ ଇସଲାମୀୟ ରାଷ୍ଟ୍ର ଦ୍ବୟ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ ଦ୍ବାରା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଏକ ପ୍ରତ୍ୟୁତ୍ତର ଦେବାକୁ ଚାହାନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ଆମେରିକୀୟ ସାମ୍ବାଦିକାଙ୍କ ସହିତ ବରିଷ୍ଠ ତାଲିବାନ ନେତାଙ୍କ ସାକ୍ଷାତକାର ବିଶେଷ ପ୍ରଣିଧାନଯୋଗ୍ୟ ଭଳି ମନେ ହୋଇଥାଏ। ମହିଳାମାନଙ୍କୁ ବୁର୍ଖା ବା ହିଜାବ ଦ୍ବାରା ଆବୃତ ରଖାଯିବା ସେମାନଙ୍କ ନିପୀଡ଼ନ ବା ଅଧିକାରର ହନନ ନୁହେଁ କି? ଅଥବା ବୁର୍ଖା ବା ହିଜାବକୁ ଏକ ପସନ୍ଦର ପରିଧାନ ରୂପେ ଗ୍ରହଣ କରାଯାଉନାହିଁ କାହିଁକି? ଭଳି ପ୍ରଶ୍ନ କରିଥିବା ସାମ୍ବାଦିକାଙ୍କୁ ତାଲିବାନ ନେତାଙ୍କ ଯେଉଁ ଉତ୍ତର ଶୁଣିବାକୁ ପଡ଼ିଥିଲା ତାହା ହେଲା: ଆମେରିକାରେ ଯଦି ଏ କ୍ଷେତ୍ରରେ ସ˚ପୂର୍ଣ୍ଣ ସ୍ବାଧୀନତା ବିଦ୍ୟମାନ, ତେବେ ସେଠାରେ ପ୍ରକାଶ୍ୟରେ ବଜାର ଭିତରେ ଜଣେ ଉଲଗ୍ନ ଭାବେ ବିଚରଣ କରିବା ସମ୍ଭବ କି? କହିବା ବାହୁଲ୍ୟ ସାମ୍ବାଦିକା ଜଣକ ନିରୁତ୍ତର ରହିଥିଲେ। ସୁତରା˚, ତାଲିବାନ ନେତା ପ୍ରଚ୍ଛନ୍ନରେ ପ୍ରଶ୍ନ କରିଥିଲେ ଯେ ଏଭଳି ‘ଲକ୍ଷ୍ମଣ ରେଖା’ ନିର୍ଦ୍ଧାରଣ କରିବାର ଅଧିକାର ପାଶ୍ଚାତ୍ୟ ଜଗତ୍ ପାଇଲା କେଉଁଠୁ?
ଏହା ଏକ ବାସ୍ତବତା ଯେ ଚରମପନ୍ଥୀମାନେ କୌଣସି ‘ଲକ୍ଷ୍ମଣ ରେଖା’କୁ ଯେଉଁ ସୀମାନ୍ତ ପର୍ଯ୍ୟନ୍ତ ଭିଡ଼ି ନେଇ ପାରନ୍ତି, ତାହା ମଧୢମ ମାର୍ଗୀ ଉଦାରପନ୍ଥୀମାନଙ୍କୁ ଅସହ୍ୟ ଅବାସ୍ତବ ଏପରିକି ଅମାନବୀୟ ଭଳି ବୋଧ ହୋଇପାରେ। କିନ୍ତୁ ପ୍ରଖ୍ୟାତ ଲେଖକ ସଲମାନ ରସଦି ତାଙ୍କ ପ୍ରବନ୍ଧ ସ˚କଳନ ‘ଇମାଜିନାରି ହୋମ୍ଲାଣ୍ତ୍ସ’ରେ ଠାଏ କହି ନାହାନ୍ତି କି ମନୁଷ୍ୟ ଯେଉଁ ଚିହ୍ନମାନ ସୃଷ୍ଟି କରିଥାଏ, ତାକୁ ରକ୍ଷା କରିବା ଲାଗି ସେ ସହଜରେ ଯୁଦ୍ଧକୁ ମଧୢ ଓହ୍ଲାଇପାରେ! ବର୍ତ୍ତମାନ ସେଭଳି କିଛି ଘଟିବାକୁ ଯାଉଛି କି? ଊଦାରପନ୍ଥୀ ଏବ˚ ଚରମପନ୍ଥୀ, ଉଭୟେ ନିଜ ନିଜ ଦ୍ବାରା ସୃଷ୍ଟ ଚିହ୍ନର ସୁରକ୍ଷା ଲାଗି ଯଦିଓ ସର୍ବଦା ମୁହାଁମୁହିଁ ହୋଇ ଅଛନ୍ତି; ଏକ ସଂଘାତ ଲାଗି ଚରମପନ୍ଥୀଙ୍କ ଦ୍ବାରା ବର୍ତ୍ତମାନ ଏକ ସ˚ଗଠିତ ଉଦ୍ୟମର ପ୍ରାରମ୍ଭ ହୋଇଯାଇଛି କି? ଯଦି ତାହା ହୋଇଥାଏ, ତାହା ହେଲେ ଏହା ଏକ ନୂଆ ବିପଦ!