ଓଡ଼ିଶାର ଶତକଡ଼ା ପ୍ରାୟ ୮୫ ଭାଗରୁ ଅଧିକ ଲୋକ ଓଡ଼ିଆ କହନ୍ତି, ବୁଝନ୍ତି, ଲେଖନ୍ତି ଓ ପଢ଼ନ୍ତି। ସେମିତି ଏକ ସମ୍ବାଦପତ୍ର ପାଠକ ସର୍ବେକ୍ଷଣ ଅନୁସାରେ ପ୍ରଥମ ପାଞ୍ଚଟି ଓଡ଼ିଆ ସମ୍ବାଦପତ୍ର- ସମ୍ବାଦ, ସମାଜ, ପ୍ରମେୟ, ଧରିତ୍ରୀ ଓ ପ୍ରଗତିବାଦୀର ପାଠକ ସଂଖ୍ୟା ପ୍ରାୟ ୪୪ ଲକ୍ଷ। ଅନ୍ୟ ଖବର କାଗଜଗୁଡ଼ିକୁ ମିଶାଇଲେ ଦୈନିକ ପାଠକ ସଂଖ୍ୟା ଅତିକମ୍ରେ ପଚାଶ ଲକ୍ଷ ହେବ। କେବଳ ସମ୍ବାଦର ପାଠକ ସଂଖ୍ୟା ସାଢ଼େ ପନ୍ଦର ଲକ୍ଷ। ଦୈନିକ ସମ୍ବାଦପତ୍ରମାନେ ବିଭିନ୍ନ ଭାବରେ ଓଡ଼ିଆ ଭାଷା, ସାହିତ୍ୟ, ଜାତୀୟତା, ଜୀବନଚର୍ଯ୍ୟା, କଥୋପକଥନ ଶୈଳୀ, ଶବ୍ଦାବଳୀ, ଶବ୍ଦ ସୃଷ୍ଟି ପ୍ରକ୍ରିୟା, ବାକ୍ୟଗଠନ, ଭାବପ୍ରକାଶ, ଧ୍ବନି ବିନ୍ୟାସ, ଚିଠିପତ୍ର, ନିମନ୍ତ୍ରଣ, ଭାଷଣ ତଥା ଆହରଣକୁ ପ୍ରଭାବିତ ଓ ସମୃଦ୍ଧ କରିଥାନ୍ତି। ଏହାଛଡ଼ା ଖେଳକୁଦ, ରାଶିଫଳ, ଶ୍ରଦ୍ଧାଞ୍ଜଳି, ସ୍ବାସ୍ଥ୍ୟ, ରାଜନୀତି, ଅର୍ଥନୀତି, ସଂପାଦକୀୟ ଓ ବିଭିନ୍ନ ସ୍ତମ୍ଭ ଦ୍ବାରା ଭାଷା ପାଠକମାନଙ୍କୁ ଆକର୍ଷିତ କରିଥାଏ। ସମ୍ବାଦପତ୍ର ପଢ଼ିଲା ପରେ ଦିନ ଆରମ୍ଭ ହୁଏ। ଆମର ବ୍ୟକ୍ତିଗତ ମତାମତ, ପ୍ରସାର, ସଞ୍ଚାର, ପ୍ରଚାର, ବିଚାର ଭାଷା ଦ୍ବାରା ପ୍ରଭାବିତ େହାଇଥାଏ। ଏହି ସୁବିଧା ନେଇ ବିଦେଶୀ, ପଡ଼ୋଶୀ ଭାଷା, ଉପଭାଷା ଆମ ଅଜାଣତରେ ଓଡ଼ିଆ ଭାଷାରେ ଅନୁପ୍ରବେଶ କରିଥା’ନ୍ତି। ମାତୃଭାଷା ବ୍ୟବହାର ପାଇଁ- ଦୃଢ଼ ଇଚ୍ଛାଶକ୍ତି ଓ ସ୍ବାଭିମାନର ଅଭାବ ଏହାର ଅନ୍ୟ ଏକ କାରଣ। କେବଳ ଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦେଇଦେଲେ ଏହା ସୁରକ୍ଷିତ ଓ ବିକଶିତ ହୋଇଯିବ ନାହିଁ। ଅତୀତରେ ଜଣେ ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ ପଢ଼ିବା ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଅକ୍ଷର ଶିଖିଥିଲେ। ଏପରି ଅନେକ ଉଦାହରଣ ଅଛି।
ଏବେ ପଢ଼ିଲେ ଜଣାପଡ଼େ ଅନେକ ଓଡ଼ିଆ ଶବ୍ଦର ଅପମୃତ୍ୟୁ ଓ ଆକସ୍ମିକ ମୃତ୍ୟୁ ହୋଇଛି। ଆମ ଓଡ଼ିଆ ସମ୍ବାଦପତ୍ରମାନଙ୍କରେ ଅନେକଙ୍କ ଶିରୋନାମା ବି ଅଣଓଡ଼ିଆ ଓ ବିଦେଶୀ। ଏଠାରେ ତା’ର କେତେଟି ଉଦାହରଣ: ଖବର ଶିରୋନାମା ହେଲା- ଷ୍ଟେସନ୍ ପ୍ଲାଟ୍ଫର୍ମକୁ ମାଡ଼ିଗଲା ଟ୍ରେନ୍। ଏଥିରେ ଚାରିଟି ଶବ୍ଦରୁ ତିନିଟି ହେଲା ଇଂରେଜୀ। ଆଉ ଏକ ଶିରୋନାମା ‘‘ମାଷ୍ଟରପ୍ଲାନ୍କୁ ମିଳିଲା ପର୍ମିସନ୍।’’ ସେମିତି ବାଥ୍ରୁମରେ ପଡ଼ି ଆକ୍ସିଡେଣ୍ଟ୍। ପ୍ରେସ୍ ଗାଲେରିକୁ ଫେରିଲେ ଜର୍ଣ୍ଣାଲିଷ୍ଟ। ୱାଗନ ଲାଇନ୍ଚ୍ୟୁତ। ଭିଜିଲାନ୍ସ ଜାଲରେ ସିନିଅର ବ୍ୟୁରୋକ୍ରାଟ୍। ବ୍ରାଉନ୍ ସୁଗାର ଜବତ, ପୁଲିସ କାମିଆବ୍। ପ୍ଲାନ୍ ଫେଲ୍, ମିଟିଂ ସସ୍ପେଣ୍ଡ୍। ଇଲେକ୍ସନ କମିସନ୍ଙ୍କ ଡିସିସନ୍କୁ ଚାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ପିଟିସନ୍। ହାପିଏଷ୍ଟ ମାଇଣ୍ଡ୍ସ ଖୋଲିଲା ଆଇଟି ଡେଭ୍ଲପ୍ମେଣ୍ଟ୍ ସେଣ୍ଟର। ସୋସିଆଲ୍ ମିିଡିଆରେ ଫଟୋ ଭାଇରାଲ୍। ସାଇବର୍ କ୍ରାଇମ୍ ରୋକିବେ ସଫ୍ଟୱେର ଏକ୍ସପର୍ଟ। ଫିଫା ଫ୍ୟାନ୍ ଫେଷ୍ଟିଭାଲ୍ରେ ନୋରାଙ୍କ ଦମ୍ଦାର ଡ୍ୟାନ୍ସ। ଏଥିରେ ଥିବା ଓଡ଼ିଆ ଶବ୍ଦ ଖୋଜିଲେ ପାଇବା କଷ୍ଟ। ସେମିତି ଆଉ ଏକ ଶିରୋନାମା- ରୋଡ୍ ଆକ୍ସିଡେଣ୍ଟ, କଣ୍ଟେନର ଓଲଟିଲା- ହେଲ୍ପର ସିରିଅସ୍। ଏଥିରେ ଥିବା ଛଅଟି ଶବ୍ଦରୁ ମାତ୍ର ଗୋଟିଏ ଶବ୍ଦ (ଓଲଟିଲା) ଓଡ଼ିଆ। ସେମିତି ସର୍ଭେଲାନ୍ସ ବଢ଼ାଇବାକୁ ସିଇଓଙ୍କ ଠାରେ ଡିମାଣ୍ଡ। ଏମ୍ସରେ ଅଲ୍ଟ୍ରା ମଡର୍ଣ୍ଣ ମଲେକ୍ୟୁଲାର ଓ ଡାଇଗ୍ନୋଷ୍ଟିକ୍ ରିସର୍ଚ୍ଚ ସେଣ୍ଟର ଉଦ୍ଘାଟନ। ଖେଳ, ବିଜ୍ଞାପନ, ମନୋରଞ୍ଜନ, ରାଶିଫଳ ସ୍ତମ୍ଭ ଏ ବିଷୟରେ ଆହୁରି ଆଗୁଆ।
ଗୋଟିଏ କାଗଜରେ ରାଶିଫଳ ସ୍ତମ୍ଭ କହୁଚି- ‘‘ବିଜିନେସ୍ ଓ କ୍ୟାରିଅରରେ ପ୍ରମୋସନ୍ ପସିବିଲିଟି ଅଛି।’’ ଶତ୍ରୁଙ୍କ ପ୍ରତି କେଆରଫୁଲ୍ ରୁହନ୍ତୁ, ସକ୍େସସ୍ଫୁଲ ହେବେ। ବିଜ୍ଞାପନ ଶିରୋନାମା ହେଲା- ହର୍ଲିକ୍ସ ରିଫିିଲ୍ ପ୍ୟାକ୍ରେ ହେଭି ଡିସ୍କାଉଣ୍ଟ୍।’’ ସବୁଠୁ ହତାଶାଜନକ ହେଲା ଖେଳକୁଦ ସମାଚାର କ୍ଷେତ୍ର। ଯଥା- ‘ତୃତୀୟଟି ଟ୍ବେଣ୍ଟି ଓପନର୍ଙ୍କ ଉପରେ ଫୋକ୍ସ’’। ‘‘ଲିଷ୍ଟ ଏ କ୍ରିକେଟ୍ରେ ସର୍ବାଧିକ ପର୍ସନାଲ୍ ସ୍କୋର।’’ ‘‘ରାଜ୍ୟ ରୋଲ୍ର ସ୍ଲେଟିଙ୍ଗରେ ଜିଲ୍ଲା ଚାମ୍ପିଅନ୍।’’ ଗୋଲ୍କିପର ଆଉଟ୍। ମିନି ମାରାଥନ୍ ଫାଇନାଲ୍ରେ। ଚାମ୍ପିଅନ୍ ପ୍ଲେୟରଙ୍କୁ କମ୍ପ୍ଲିମେଣ୍ଟାରି ପାସ୍ ଓ ଟିକେଟ୍ ପୂରା ଷ୍ଟାଡିୟମ୍ ଅଡିଏନ୍ସରେ ଫୁଲ୍। ଏଥିରେ ଦଶ ଅକ୍ଷରରୁ ନ ଅକ୍ଷର ଇଂରେଜୀ ଓ ମାତ୍ର ଗୋଟିଏ ଅକ୍ଷର ଓଡ଼ିଆ। ସେମିତି- ‘ଫିଫା ୱାର୍ଲଡ୍ କପ୍ରୁ ଘାନା ଆଉଟ୍, ଫାଷ୍ଟ୍ ରାଉଣ୍ଡ୍ରେ।
ମନୋରଂଜନ କ୍ଷେତ୍ରରେ ଆହୁରି ହାସ୍ୟାସ୍ପଦ, ବିକୃତ, ବିକଳାଙ୍ଗ ଆମ ଭେଜାଲ୍ ଓଡ଼ିଆ। ଗଣମାଧ୍ୟମରେ ଦିନେ ଦେଖିଲି- ଓଡ଼ିଆ ମ୍ୟୁଜିକ୍ ମସ୍ତି। ଯେତିକି ମନେଅଛି ତାହାହେଲା- ନାୟିକା ନିଜ ପ୍ରେମିକଙ୍କ ସଂପର୍କରେ ଓଡ଼ିଆ, ହିନ୍ଦୀ, ଇଂରେଜୀ ମିଶାଇ ଗାଉଛନ୍ତି- ‘‘ଦେଇଦେବିକି ତା’କୁ ଦିଲ୍-ଜଏଣ୍ଟ୍ ଫାମିଲି ହଉ ପଛେ, ବ୍ୟାଙ୍କ୍ ବାଲାନ୍ସ ନ ଥାଉ ପଛେ, ଲିପିଷ୍ଟିକ୍, କାଜଲ, ତିଲ୍- ଡିନର୍ କରିବି ତା’ସାଥେ- ଆଉ ଦେଇଦେବି ତା’କୁ ଦିଲ୍ ଦିଲ୍ ଦିଲ୍। ସେମିତି ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇ ଝିଅ େଲଖିଚି- ଡାଡି, ତୁମକୁ ରିଅଲି ମିସ୍ କରୁଚି, ବେଡ୍ ରୁମ୍ରେ ତମ ବେଡ୍ସିଟ୍, ବ୍ଲାଙ୍କେଟ୍, ବୁକ୍ସ ଫଟୋ ଦେଖି ଇମୋସ୍ନାଲ୍ ଫିଲ୍ କରୁଚି। ଏମିତି ଅନେକ।
ଆଜିର ବିକଳାଙ୍ଗ ଓଡ଼ିଆ ଗଣମାଧ୍ୟମରେ ମାତୃଭାଷାର ଦୁର୍ଦ୍ଦଶା ଦେଖିଥିଲେ, ପଢ଼ିଥିଲେ ଉତ୍କଳ ଗୌରବ ମଧୁସୂଦନ ପୁଣି ଥରେ ବିଳାପ କରି ବୋଲିଥା’ନ୍ତେ ‘‘ମା’, ମା’ ବୋଲି କେତେ ମୁଁ ଡାକିଲି, କେହି ତ ଶୁଣିଲେ ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନ ଦେଲେ ଉତ୍ତର କେହି।
ଖୋଜିଲି ଅରଣ୍ୟ ଜନସମାଜରେ, ଖୋଜିଲି ବାରିଧି ତଟ, ସର୍ବତ୍ର ଦେଖିଲି ମାତା ପଦଚିହ୍ନ, ନ ହେଲା ମାତାର ଭେଟ।’’ ସେହିପରି, ଏବେ ଗଣମାଧ୍ୟମରେ ଓଡ଼ିଆ ଲିପି, ଅକ୍ଷର ଭିତରେ ଓଡ଼ିଆ ଭାଷା ହଜିଗଲାଣି ବା କଷ୍ଟକରି ଖୋଜିବାକୁ ପଡୁଚି। ସେହିପରି ଇଂରେଜୀ ଶବ୍ଦର ଓଡ଼ିଆ ଅନୁବାଦ ମଧ୍ୟ ଏତେ କ୍ଳିଷ୍ଟ ଯେ ଲୋକେ ମୂଳ ଇଂରେଜୀ ଶବ୍ଦକୁ ଅଧିକ ପସନ୍ଦ କରୁଛନ୍ତି। ଉଦାହରଣ ସ୍ବରୂପ ରେଲ୍ୱେ ୱାର୍ଣ୍ଣିଙ୍ଗ୍ ସାଇନ୍ ବୋର୍ଡକୁ ଓଡ଼ିଆ ଅନୁବାଦ ଲେଖାଯାଇଛି- ‘‘ଲୌହପଥ ଗାମିନୀ ସୂଚକ ଦର୍ଶକ ହରିତ୍ ତାମ୍ର ଲୌହ ପଟ୍ଟିକା। ଏଥିରେ ୨୪ଟା ବ୍ୟଞ୍ଜନ ଓ ୧୦ଟା ସ୍ବରବର୍ଣ୍ଣ ଖୁନ୍ଦାଖୁନ୍ଦି। ସେମିତି…. ହେଡ୍ଫୋନ୍କୁ ଅକ୍ସଫୋର୍ଡ ଇଂରେଜୀ ଓଡ଼ିଆ ଶବ୍ଦକୋଷ ଅନୁବାଦ କରିଛନ୍ତି- ହାତରେ ବା ମୁଣ୍ଡ ପଟି ଦ୍ବାରା କାନ ପାଖରେ ଧରାଯାଉଥିବା ରେଡିଓ ବା ଟେଲିଫୋନ୍ ଶୁଣିବା ଶିରଭାଷଯନ୍ତ୍ର। ଏପରି କ୍ଷେତ୍ରରେ ହେଡ୍ଫୋନ୍ ଶବ୍ଦଟିକୁ ସିଧାସଳଖ ଆମ ଭାଷାରେ ଗ୍ରହଣ କରିନେବା ବିଜ୍ଞତା ହୋଇଥା’ନ୍ତା। ଟେଲିଫୋନ୍, ମୋବାଇଲ୍କୁ କେହି କହୁନାହାନ୍ତି ଦୂରଭାଷ ଭ୍ରାମ୍ୟମାଣ କାନ ଫୁସ୍ଫୁସ୍ ଯନ୍ତ୍ର।
ସାହିତ୍ୟରେ ନୋବେଲ୍ ପୁରସ୍କାର ବିଜେତା ପ୍ରଖ୍ୟାତ ଇଂରେଜ କବି ଟି.ଏସ୍. ଇଲିଅଟ୍ ତାଙ୍କ ଗୀତିକାବ୍ୟ ୱେଷ୍ଟ୍ଲାଣ୍ଡ୍ର ଶେଷ ବକ୍ତବ୍ୟ ପାଇଁ ନିଜ ମାତୃଭାଷାରେ ଉପଯୁକ୍ତ ଶବ୍ଦ ନ ପାଇ ସିଧା ବୃହଦାରଣ୍ୟକ କାଣ୍ଡକୁ ଉଦ୍ଧାର କରି ଲେଖିଥିଲେ ‘‘ଦା, ଦତ୍ତ, ଦୟଧ୍ବମ, ଦମୟତ- ଓମ୍ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ।’’ ବିଶ୍ବ ବିଖ୍ୟାତ ପରମାଣୁ ବୈଜ୍ଞାନିକ ରବର୍ଟ ଓପ୍ପେନ୍ହିମର ପ୍ରଥମ ପରମାଣୁ ପରୀକ୍ଷଣରୁ ଜାତ ମହାଲୋକକୁ ବର୍ଣ୍ଣନା କରିବାକୁ ନିଜ ଭାଷାରେ ଶବ୍ଦ ନ ପାଇ ଶ୍ରୀମଦ୍ ଭଗବତ୍ଗୀତା ଉଦ୍ଧାର କରି କହିଥିଲେ ଏହା ଏକ ସମୟରେ ଆକାଶରେ ସହସ୍ର ସୂର୍ଯ୍ୟାଲୋକର ଆଭାଠାରୁ ଅଧିକ। ପ୍ରଖ୍ୟାତ ଜର୍ମାନ ବିଦ୍ବାନ୍ ମାକ୍ସମୁଲର୍ ଋଗ୍ବେଦକୁ ଅନୁବାଦ କଲାବେଳେ ଇଂରେଜୀରେ ତା’ର ଉପଯୁକ୍ତ ପ୍ରତି ଶବ୍ଦ ପାଉନଥିଲେ ଏବଂ ଅନେକ ବୈଦିକ ଶବ୍ଦକୁ ସିଧାସଳଖ ଉଦ୍ଧାର କରୁଥିଲେ। ଭାରତୀୟ ଭାଷାର ଅଧିକ ଗବେଷଣା ପାଇଁ ବିଦେଶୀ ବିଦ୍ବାନ୍ ଉଇଲିଅମ୍ ଜୋନ୍ସ, କଲିକତାରେ ସ୍ଥାପନ କରିଥିଲେ ଏସିଆଟିକ୍ ସୋସାଇଟି। ଏବଂ ଉପଯୁକ୍ତ ପ୍ରତିଶବ୍ଦ ନ ଥିବାରୁ ଷୋଡ଼ଶ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ମଧ୍ୟରେ ଇଂରେଜୀ ଭାଷାରେ ଓ ଶବ୍ଦକୋଷରେ ପ୍ରବେଶ କଲେଣି ପ୍ରାୟ ୧୧୦୦ ଭାରତୀୟ ଶବ୍ଦାବଳୀ।
କେବଳ ୨୦୨୦-୨୧ରେ ଅକ୍ସଫୋର୍ଡ ଲର୍ଣ୍ଣର୍ସ ଡିକ୍ସସନାରି ଗ୍ରହଣ କରିଛନ୍ତି ୨୬ଟି ନୂଆ ଭାରତୀୟ ଶବ୍ଦ। ତା’ ମଧ୍ୟରେ ଅଛି- ଆଧାର, ଚାଲ୍, ଡବ୍ବା, ହର୍ତାଳ, ଶାଦି, ବାସ୍, ଝୁଗି, ଫଣ୍ଡା, ନିବାସ, ନାଟକ, ସେବକ, ଚୁପ୍, ଦେଶ୍, ଦିୟା, ସୂର୍ଯ୍ୟ ନମସ୍କାର। ଏହାଛଡ଼ା ଗୃହୀତ ହୋଇଛି ପାଇଜାମା, ବଙ୍ଗାଲୋ, ଗଞ୍ଜା, ଜୁଗାଡ଼, ଦାଦାଗିରି, ଠକ, ମିର୍ଚ୍ଚ ମସାଲା, କିମା, ଚାମଚା, ନାଟକ ଇତ୍ୟାଦି। କେବଳ ୨୦୧୭ ମସିହାରେ ପ୍ରବେଶ କରିଛନ୍ତି ଆବ୍ବା, ଆନ୍ନା, ଗୁଲାବ ଜାମୁନ୍, ଭଡ଼ା, ଅଚ୍ଛା ଇତ୍ୟାଦି। ଏହାର ବହୁ ଆଗରୁ ପଶିଛନ୍ତି ଯୋଗ, ପଣ୍ଡିତ, ମନ୍ତ୍ର, ଜଗର୍ନଟ୍ ଇତ୍ୟାଦି। ଏହିପରି ଇଂରେଜୀ ଭାଷା ବିଶ୍ବର ଶତାଧିକ ଭାଷାରୁ ଶବ୍ଦ ଗ୍ରହଣ କରି ନିଜକୁ ସମୃଦ୍ଧ କରି ଆଜି ହୋଇଛି ବିଶ୍ବଭାଷା। ଭାରତରେ ୧୨ କୋଟିରୁ ଅଧିକ ଲୋକ ଏେବ ଇଂରେଜୀ ଲେଖନ୍ତି ଓ କହନ୍ତି। ଅର୍ଥାତ୍ ଏହା ଇଂଲିଶ୍ ଭାଷାର ଜନନୀ ଓ ଜନ୍ମଭୂତି ଇଂଲାଣ୍ଡର ସମଗ୍ର ଜନସଂଖ୍ୟାର ପାଖାପାଖି ଦୁଇଗୁଣ। ତେଣୁ ଏହାକୁ ବିଦେଶୀ ଭାଷା କହି ଗାଳିଦେବା ଅପେକ୍ଷା ନିଜ ମାତୃଭାଷାକୁ ଅଧିକ ସରଳ, ସହଜ ଓ ଅଧିକ ବ୍ୟବହାରଯୋଗ୍ୟ କରିବା ଆବଶ୍ୟକ। ଏବଂ ଇଂରେଜୀ ଶବ୍ଦକୋଷ ଭଳି ଓଡ଼ିଆ ଶବ୍ଦକୋଷରେ ବହୁଳ ଭାବରେ ବ୍ୟବହୃତ ଇଂରେଜୀ ଶବ୍ଦଗୁଡ଼ିକୁ ଗ୍ରହଣ କରିନେବା ଉଚିତ ହେବ।
ଏବେ ସ୍ବଦେଶ ସୁନ୍ଦର ପଟ୍ଟନାୟକଙ୍କ ରଚିତ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଭାଷୀ ଗ୍ରାମ ‘‘ଜଳନ୍ତର ଇତିହାସ ଏକ ଭିନ୍ନ ପୃଷ୍ଠାର ଆତ୍ମକଥା’’ ପୁସ୍ତକର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲି। ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ବାରା ପ୍ରତିଷ୍ଠିତ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ କର୍ମଭୂମି ବିଚ୍ଛିନ୍ନାଞ୍ଚଳ ଜଳନ୍ତର ନିଷ୍ଠୁର ଇତିହାସର ଚକତଳେ ପେଷିହୋଇ ଚୂର୍ମାର୍ ହେଇଗଲାଣି। ଏପ୍ରିଲ୍ ପହିଲାରେ ଆମେ ଓଡ଼ିଶା ଦିବସ ପାଳନ କଲେ ଜଳନ୍ତର ପାଇଁ ଏହା ଶୋକ ଅପମାନର ଦିବସ। କାରଣ ଏହି ଦିନ ଜଳନ୍ତର ନିଜର ପରିଚୟ ହଜାଇ ପଡ଼ୋଶୀ ତେଲୁଗୁ ଭାଷୀ ଅଞ୍ଚଳ ଆନ୍ଧ୍ରର ଅଙ୍ଗ ହୋଇଗଲା। ଏବେ ଏହାର ବିକୃତ ନୂଆ ଠିକଣା ହେଲା ଜଳନ୍ତ୍ରା କୋଟା, ଭାୟା ସୋମ୍ପେଟା, ଜିଲ୍ଲା ଶ୍ରୀକାକୁଲମ୍। ସେମିତି ମଞ୍ଜୁଷା ହେଇଗଲା ମାଣ୍ଡାସା। ଓଡ଼ିଆଙ୍କୁ ଥଟ୍ଟାରେ କୁହାଗଲା- ପଲ୍ଲୀଟିଉ ଓଢ଼ିଆଳୁ- ଅର୍ଥାତ୍ ମଫସଲୀ ଓଢ଼। ଆମେ ଏବେ ନିଜେ ନିଜ ମାତୃଭାଷାକୁ ବିକୃତ, ବିକଳାଙ୍ଗ କରି କହୁଚେ। କାହାକୁ କହିବା? ନ କହିଲେ କୂଳ ଭାସିଯାଉଛି। ଯେଉଁ ଓଡ଼ିଆ ଭାଷାର ସୃଷ୍ଟି ଓ ବିକାଶ ପଛରେ ଦୁଇ ହଜାର ବର୍ଷର ଇତିହାସ ରହିଚି ଏବେ ତା’କୁ ବୁଝାଇବାକୁ ଇଂରେଜୀ ଭାଷାର ଆଶ୍ରୟ ନେବାକୁ ପଡୁଚି। ଏହି ପ୍ରକ୍ରିୟାରେ ସତ୍ୟପାଠ ମାନେ ଆଫିଡେଭିଟ୍, କୁହୁଡ଼ି ମାନେ ଫଗ୍, ଖେଳ ମାନେ ଗେମ୍ସ, ବାପା ମାନେ ଡାଡି, କକା ମାନେ ଅଙ୍କଲ୍ ଓ ଖୁଡ଼ୀ ମାନେ ଆଣ୍ଟି ଓ ଅଜା, ଆଈ ମାନେ ମାଟର୍ନାଲ୍ ଗ୍ରାଣ୍ଡ୍ ପ୍ୟାରେଣ୍ଟ୍ କହିଲେ ପିଲାଏ ଚଞ୍ଚଳ ବୁଝିଯାଉଛନ୍ତି।
ମୋ: ୯୯୩୭୦୨୭୦୧୭
[email protected]