ବଡ଼ଫୁକନ, ବକ୍ସି ଓ ବିର୍ସା

ବହୁବଚନ - ବିଜୟ ନାୟକ

“ଦେଶୋତ କୋଇ ମୋମାଇ ଡାଙ୍ଗର ନହୋଇ”, ଏହି ବାକ୍ୟାଂଶଟି ତୁଣ୍ଡବାଇଦ ମାଧ୍ୟମରେ ଆସାମର ପୁରପଲ୍ଲୀରେ ଗୁଞ୍ଜରିତ। ଏମନ୍ତ ଉଚ୍ଚାରଣ ଆଢ଼ୁଆଳରେ ନିହିତ ଅହୋମ୍ ରାଜବଂଶର ବୀରଗାଥା। ଦୁର୍ଦ୍ଦକ୍ଷ ଅହୋମ୍ ସେନାଧ୍ୟକ୍ଷ ଲାସିତ ବଡ଼ଫୁକନଙ୍କର ନିଜ ମାମୁଙ୍କ ସମ୍ପର୍କରେ ଏହା ଥିଲା କଠୋର ମନ୍ତବ୍ୟ। ଆସାମକୁ ମୋଗଲ ସାମ୍ରାଜ୍ୟରୁ ଦୂରେଇ ରଖିବା ପାଇଁ ବଡ଼ଫୁକନଙ୍କ ସଂଗ୍ରାମର ପଟାନ୍ତର ନାହିଁ। କିଂବଦନ୍ତି କହେ ଯେ ରାତିକ ମଧ୍ୟରେ ଏକ ଗଡ଼ ନିର୍ମାଣ ପାଇଁ ରାଜ କର୍ମଚାରୀମାନଙ୍କୁ ଆଦେଶ ଦେଇଥିଲେ ଅହୋମ୍ ସେନାପତି। ଗଡ଼ ନିର୍ମାଣର ଦାୟିତ୍ୱ ନ୍ୟସ୍ତ ଥିଲା ତାଙ୍କ ମାମୁଙ୍କ ଉପରେ। ରାତି ପାହି ଆସୁଥିବା ବେଳେ ବଡ଼ଫୁକନ ନିର୍ମାଣାଧୀନ ଗଡ଼ ପରିଦର୍ଶନରେ ଯାଇ ଦେଖିଲେ ଯେ କର୍ମଚାରୀମାନେ ନିଦ୍ରାଗତ ଏବଂ ଗଡ଼ ନିର୍ମାଣ ଅସମ୍ପୂର୍ଣ୍ଣ। ଦାୟିତ୍ୱହୀନତା ପାଇଁ ସେ ନିଜ ମାମୁଙ୍କର ମୁଣ୍ଡକାଟ କରିଥିଲେ ଏବଂ ସଦର୍ପ କହିଥିଲେ ଯେ ଦେଶଠୁ କୋଉ ମାମୁ ବଡ଼(ଡେଙ୍ଗା) ନୁହଁନ୍ତି।

ବଡ଼ଫୁକନ ଦେଶପ୍ରୀତିର ଅନନ୍ୟ ଉଦାହରଣ। ତାଙ୍କର ଅଧିନାୟକତ୍ୱରେ ସରାଇଘାଟ ଯୁଦ୍ଧରେ ମୋଗଲ ବାହିନୀ ପରାଜିତ ହୋଇଥିଲେ। ବିରଳ ବୀରତ୍ୱ ପାଇଁ ସେ ରାଣା ପ୍ରତାପ ଓ ଛତ୍ରପତି ଶିବାଜୀଙ୍କ ସହିତ ତୁଳନୀୟ। କିନ୍ତୁ ତାଙ୍କ ସଂଗ୍ରାମର ମହାଗାଥା ଆସାମ ମଧ୍ୟରେ ସୀମିତ।

ଭାରତର ଅନେକ ବୀରପୁରୁଷ ଓ ବୀରାଙ୍ଗନାଙ୍କୁ ଯଥାସ୍ଥାନ ମିଳି ପାରିନାହିଁ ଇତିହାସ ପୃଷ୍ଠାରେ। ଓଡ଼ିଶାରେ ବ୍ରିଟିଶ ବିରୋଧୀ ସଂଗ୍ରାମ ଏହି ପରିପ୍ରେକ୍ଷୀରେ ପ୍ରଣିଧାନଯୋଗ୍ୟ। ୧୮୦୩ ମସିହାରେ ଓଡ଼ିଶା ଇଷ୍ଟଇଣ୍ଡିଆ କମ୍ପାନି ଶାସନାଧୀନ ହୋଇଥିଲା। କମ୍ପାନି ଶାସନକୁ ବିରୋଧ କରି ଜୟୀ ରାଜଗୁରୁ ଫାଶୀ ପାଇଥିଲେ। ତତ୍ପରେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ଥିଲା ସ୍ଥାନ ଓ କାଳ ଦୃଷ୍ଟିରୁ ଏକ ବ୍ୟାପକ ଓ ଲୋମହର୍ଷଣକାରୀ ସଂଗ୍ରାମ। ୧୮୨୭ ମସିହାରେ ତାପଙ୍ଗ ଦଳବେହେରା ମାଧବ ରାଉତରାୟଙ୍କ ସଙ୍ଘର୍ଷ ଏବଂ ୧୮୩୬ ମସିହାରେ କୃତ୍ତିବାସ ପାଟ୍ଟସାହାଣିଙ୍କ ବିଦ୍ରୋହ ଓଡ଼ିଆ ବୀରମାନଙ୍କ ସାହସ ଓ ସାମର୍ଥ୍ୟର ନିତ୍ୟ ନିଦର୍ଶନ। ବୀର ସୁରେନ୍ଦ୍ର ସାଏ, ମାଧୋ ସିଂ ଓ ଚାଖି ଖୁଣ୍ଟିଆଙ୍କ ବୀରତ୍ୱ ଓଡ଼ିଶା ସୀମା ଟପି ନାହିଁ।

ବିଦେଶୀ ବିରୋଧୀ ଯୁଦ୍ଧରେ ଭାରତର ଜନଜାତି ସମ୍ପ୍ରଦାୟର ଭୂମିକା ସର୍ବାଗ୍ରେ ଉଲ୍ଲେଖନୀୟ। ୧୭୮୪ ସମିହାରେ ସାନ୍ତାଳ ବୀର ତିଲକା ମାଝୀ ବ୍ରିଟିଶ ବିରୋଧରେ ଯୁଦ୍ଧ କରି ଫାଶୀଦଣ୍ଡ ପାଇଥଲେ। ସେହପରି ଆଦିବାସୀ ନାୟକ ତାନ୍ତିଆ ଭିଲଙ୍କୁ ୧୮୮୯ ମସିହାରେ ଫାଶୀ ଦିଆ ଯାଇଥିବାବେଳେ ବୁଦ୍ଦୁ ଭଗତ ପୁଲିସ ଗୁଳିରେ ୧୮୩୧ ମସିହାରେ ପ୍ରାଣ ହରାଇଥିଲେ। ଝାଡ଼ଖଣ୍ଡର ଏକ ସାନ୍ତାଳୀ ପରିବାରର ଚାରି ଭାଇ(ସିଦ୍ଦୁ, କାହ୍ନୁ, ଚାନ୍ଦ, ଭାଇରୋ) ଓ ଦୁଇ ଭଉଣୀ(ଫୁଲ ଓ ଝାନ୍) ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ସହିଦ ହୋଇଥିଲେ। ରମ୍ପା ବିପ୍ଳବ (୧୯୨୨)ର ନାୟକ ଆଲୁରି ସୀତାରାମ ରାଜୁଙ୍କ ପରି ଅନେକ ଜନଜାତି ନେତାଙ୍କ ବଳିଦାନ ସର୍ବଦା ସ୍ମରଣୀୟ।

ଓଡ଼ିଶାରେ ମଧ୍ୟ ଜନଜାତୀୟ ବିପ୍ଳବ ବନାଗ୍ନି ପରି ବ୍ୟାପିଥିଲା। କମଳଲୋଚନ ଦୋରାବିଶୋଇ ଓ ଚକ୍ରା ବିଶୋଇ କନ୍ଧମେଳିର ସର୍ଦ୍ଦାର ଥିଲାବେଳେ କେନ୍ଦୁଝର ଭୂୟାଁମେଳିର ସର୍ଦ୍ଦାର ଥିଲେ ରତ୍ନା ନାୟକ ଓ ଧରଣୀଧର ଭୂୟାଁ। ସେହିପରି ୧୯୧୭ ମସିହାରେ ମୟୂରଭଞ୍ଜରେ ସଂଗଠିତ ସାନ୍ତାଳ ମେଳି ଏକ ବିସ୍ମୃତପ୍ରାୟ ଅଧ୍ୟାୟ। ଏହି ମେଳିରେ ନେତୃତ୍ୱ ନେଇଥିବା କଙ୍କ ମାଝି (ମତାନ୍ତରେ ହିନ୍ଦୁ ମାଝି ଓ ମାନସିଂ ମାଝି), କାଳିଆ ମହାନ୍ତ, ରେତୁ-କୋଲ କୁମାର ଓ ନୟନସିଂ ମୁଣ୍ଡାଙ୍କୁ ଫାଶୀ ଦିଆ ଯାଇଥିବାବେଳେ ୭୦୦ରୁ ଊର୍ଦ୍ଧ୍ୱ ମେଳିଆଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ତେବେ ରାଞ୍ଚି ଜିଲ୍ଲାର ଖୁଣ୍ଟି ଉପଖଣ୍ଡ ଅନ୍ତର୍ଗତ ଉଲିହାତୁ ଗ୍ରାମରେ ଜନ୍ମିତ ବିର୍ସା ମୁଣ୍ଡା(୧୮୭୫-୧୯୦୦)ଙ୍କ ସଂଗ୍ରାମ ଥିଲା ସର୍ବାଧିକ ରୋମାଞ୍ଚକର। ନିଜ ସେବା ଓ ସଂଗ୍ରାମ ପାଇଁ ସେ ‘ଭଗବାନ’ ଓ ‘ଧରତୀ ଆବା’ (ପୃଥିବୀର ପିତା) ଭାବରେ ପୂଜିତ। ବିର୍ସାଙ୍କ ସଂଗ୍ରାମ ଅବଶ୍ୟ ଭାରତ ଇତିହାସରେ ଏକ ଅମ୍ଳାନ ଅଧ୍ୟାୟ। କିନ୍ତୁ ଅନ୍ୟ ଜନଜାତୀୟ ଆନ୍ଦୋଳନର ସ୍ଥାନ କେଉଁଠି ?
ଡଚ୍, ପର୍ତ୍ତୁଗୀଜ ଓ ବ୍ରିଟିଶ ବିରୋଧୀ ଯୁଦ୍ଧରେ ଭାରତୀୟ ବୀର-ରମଣୀମାନଙ୍କ ଅବଦାନ ଊଣା ନୁହେଁ। ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ଆରମ୍ଭ କରି ଜନଜାତୀୟ ରାଣୀ ଦୁର୍ଗାବତୀ, କିତ୍ତୁରର ରାଣୀ ଚେନ୍ନାମ୍ମା, ଉଲ୍ଲାଲର ରାଣୀ ଅବାକ୍କା ପ୍ରମୁଖଙ୍କ ପରାକ୍ରମର ପଟାନ୍ତର ନାହିଁ।

ଏଠାରେ ଉଲ୍ଲେଖ ଅପ୍ରାସଙ୍ଗିକ ନୁହେଁ ଯେ ଓଡ଼ିଶାର ଅନେକ କୀର୍ତ୍ତି ଓ କୃତି ଭାରତ ଇତିହାସରେ ସ୍ଥାନିତ ହୋଇପାରିନାହିଁ। ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ଭୌମକର ରାଣୀମାନଙ୍କର ଶାସନ। ଖ୍ରୀଷ୍ଟାବ୍ଦ ୮୪୬ରୁ ଖ୍ରୀଷ୍ଟାବ୍ଦ ୯୪୦ ପର୍ଯ୍ୟନ୍ତ ଓଡ଼ିଶାକୁ ମହାରାଣୀମାନେ ଶାସନ କରିଥିଲେ।

ସେହି ମହନୀୟା ମହାରାଣୀମାନେ ହେଲେ ତ୍ରିଭୁବନ ମହାଦେବୀ (ପ୍ରଥମ ଓ ଦ୍ୱିତୀୟ), ଧର୍ମ ମହାଦେବୀ, ଗୌରୀ ମହାଦେବୀ, ଦଣ୍ଡୀ ମହାଦେବୀ ଓ ବକୁଳ ମହାଦେବୀ। ସମ୍ଭବତଃ ସେଥିପାଇଁ ଓଡ଼ିଶାକୁ ଏକଦା ପ୍ରମିଳା ରାଜ୍ୟ କୁହାଯାଉଥିଲା। ଭାରତ ଇତିହାସରେ ଏହାର ସ୍ଥାନ କାହିଁ? ଓଡ଼ିଶାର ନୌବାଣିଜ୍ୟ, ଶୈଳେନ୍ଦ୍ର ରାଜାମାନଙ୍କର ଉପନିବେଶ ସ୍ଥାପନ, ଖାରବେଳ ଓ କପିଳେନ୍ଦ୍ରଙ୍କ ସାମ୍ରାଜ୍ୟ, ଇତିହାସରେ ଅବହେଳିତ ନୁହେଁ କି ?
ଉପନିବେଶବାଦୀମାନଙ୍କ ମାନଦଣ୍ଡରେ ଭାରତ ଇତିହାସକୁ ଆକଳନ କରିବାର ଆଭିମୁଖ୍ୟ ପୁରୁଣା ହୋଇଗଲାଣି। ପାଶ୍ଚାତ୍ୟ ପ୍ରଚକ୍ଷୁରେ ସ୍ୱଜାତିକୁ ଦେଖିବାର ମାନସିକତା ପରିହାର କରିବା ନିଶ୍ଚୟ ସମୟର ଆହ୍ୱାନ।

ଉପନିବେଶବାଦୀ ଐତିହାସିକମାନଙ୍କ ‘ସିପାହୀ ବିଦ୍ରୋହ’କୁ ଜାତୀୟତାବାଦୀ ଐତିହାସିକମାନେ ‘ପ୍ରଥମ ମୁକ୍ତି ସଂଗ୍ରାମ’ ଆଖ୍ୟା ଦେଇ ସାରିଛନ୍ତି। ଇତିମଧ୍ୟରେ ‘ପାଇକ ବିଦ୍ରୋହ’ ଭାରତବର୍ଷର ଦୃଷ୍ଟି ଆକର୍ଷଣ କରିସାରିଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ତଥା ଦେଶପ୍ରେମୀ ବୁଦ୍ଧିଜୀବୀମାନଙ୍କ ଅବଦାନ ପ୍ରଶଂସନୀୟ। ଜନଜାତୀୟ ସ୍ୱାଭିମାନ ଓ ସଂଘର୍ଷର ବିଲୁପ୍ତପ୍ରାୟ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଜନଜାତୀୟ ଗୌରବ ଦିବସ ପାଳନ ଏକ ଐତିହାସିକ ପଦକ୍ଷେପ। ସେହିପରି ଗତ ମାସ ୨୩, ୨୪ ଓ ୨୫ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଲାସିତ ବଡ଼ଫୁକନଙ୍କ ତ୍ରି-ଦିବସୀୟ ୪୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଇତିହାସର ପରିବର୍ତ୍ତନ ଓ ପରିବର୍ଦ୍ଧନ ବିଷୟରେ ଇଙ୍ଗିତ ଦେବା ତାତ୍ପର୍ଯ୍ୟପୂର୍ଣ୍ଣ।
ସ୍ୱାଧୀନତାର ଅମୃତକାଳରେ କଡ଼ ଲେଉଟାଇଛି କି ଆଉ ଏ ତନ୍ଦ୍ରାଳସା ମହାଜାତି !
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର