ଜଣେ ସାଧୁ ଆଶ୍ରମ ଛାଡ଼ି ବାହାରକୁ ଗଲେ। ଗଲା ବେଳେ ଚେଲାମାନଙ୍କୁ କହିଦେଇ ଗଲେ- ଦିନ କାଳ ଭଲ ନାହିଁ। ସାବଧାନରେ ରହିବ। ଏଇଟା ଆଶ୍ରମ। ଲୋକେ ଆଶ୍ରୟ ମାଗିଲେ ବୁଝି ବିଚାରି ଯାହା କରିବ।
ଦିନେ ଆଶ୍ରମକୁ ଆସିଲା ଜଣେ ବ୍ୟକ୍ତି। ତାର ଚେହେରା ଥିଲା କଦାକାର। ତାର କଥାବାର୍ତ୍ତା ମଧୢ ଥିଲା ରୁକ୍ଷ। ଚେଲାଏ ଭାବିଲେ, ଏଇଟା ବଦମାସଟିଏ। ତେଣୁ ତାକୁ ଆଶ୍ରମରେ ପୂରାଇଲେ ନାହିଁ। ସେ ପିଣ୍ତାରେ ଖାଇଲା ଓ ଶୋଇଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେଇ ଲୋକଟି କ’ଣ କରିବ କ’ଣ କରିବ ବୋଲି ଭାବି ଶେଷରେ ଆଶ୍ରମର ବଗିଚା ସଫା କରିବାକୁ ଲାଗିଲା। ବଗିଚାର ତତ୍ତ୍ବ ନେଲା। କିନ୍ତୁ ତାର ଟାଣ କଥାକୁ ଡରି ଚେଲାଏ ତା ଠାରୁ ଦୂରରେ ରହିଲେ।
କିଛିଦିନ ଗଲା ପରେ ଆଶ୍ରମରେ ପହଞ୍ଚିଲେ ଜଣେ ସାଧୁ ଓ ତାଙ୍କ କିଛି ଚେଲା। ଆଶ୍ରମର ଚେଲାଏ ସେମାନଙ୍କୁ ଦେଖିଲା ମାତ୍ରକେ ସେମାନଙ୍କୁ ପାଛୋଟି ନେଇ ଆଶ୍ରମେର ରଖିଲେ। ତେବେ ଏହି ଦଳକ ଆଶ୍ରମରେ ରହି ଭଜନକୀର୍ତ୍ତନ କରି କେବଳ ଗମାତ କରିବାରେ ଲାଗିଲେ।
କିଛି ଦିନ ପରେ ସାଧୁ ଫେରିଲେ। ଆଶ୍ରମର ବଗିଚାର ଚେହେରା ଦେଖି ସେ ଖୁସି ହୋଇ ଭିତରକୁ ଗଲେ। ତେବେ ଭିତରେ ସେ ଯାହା ଦେଖିଲେ ସେଥିରେ ତାଙ୍କର ଧୈର୍ଯ୍ୟଚ୍ୟୁତି ହେଲା। କେମିତି ସାଧୁ ଓ ଚେଲା ଏ ଆଶ୍ରମ ଛାଡ଼ିବେ ତାର ବ୍ୟବସ୍ଥା କରିବାକୁ ସେ ଶିଷ୍ୟମାନଙ୍କୁ କହିଲେ।
ସେମାନେ ଗଲା ପରେ ସାଧୁ ଶାନ୍ତିରେ ନିଃଶ୍ବାସ ମାରି ତାଙ୍କ ଶିଷ୍ୟମାନଙ୍କୁ କହିଲେ- ତୁମେମାନେ ମଣିଷ ଚିହ୍ନିବାରେ ବିଫଳ ହେଲ। ଯେଉଁ ଲୋକ ତୁମ ମନ ମାନିଲା ଭଳି ଭେକ ରଖିଲା, ବା ସେମିତି କଥାବାର୍ତ୍ତା କଲା, ତୁମେ ତାକୁ ଭଲ ବୋଲି ଭାବିଲ। କିନ୍ତୁ ତାର କାମ ଦେଖିଲ ନାହିଁ। ଏବେ ସେହି ଉପଦ୍ରବକାରୀ ସାଧୁ ଓ ଚେଲାଙ୍କୁ ଆଶ୍ରମରେ ପୂରାଇ ଦେଲ। ମଣିଷର ଭେକ ନୁହେଁ, କାମ ତାର ପରିଚୟ। ପ୍ରଥମରୁ ନ ହେଲା ନାହିଁ, ପରେ ତ ସେହି ବ୍ୟକ୍ତିଙ୍କ କାର୍ଯ୍ୟ ଲାଗି ତାଙ୍କୁ ମର୍ଯ୍ୟାଦା ଦେଇ ଥାଆନ୍ତ!