ପ୍ରତ୍ୟେକ ମନୁଷ୍ୟ ପାଇଁ ମୁକ୍ତି, ସାମ୍ୟ ଓ ଭ୍ରାତୃଭାବର ଜୟଗାନ କରୁଥିବା ୧୭୮୯ର ଫରାସୀ ବିପ୍ଳବ ଇ˚ଲାଣ୍ତ୍ର ଯେଉଁ ଛାମୁଆ ବୁଦ୍ଧିଜୀବୀମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା, ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଵିଲିଅମ୍ ଗଡ୍ଵିନ୍। ସେ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ ଯେ ଫରାସୀ ବିପ୍ଳବ ବହନ କରୁଥିବା ଏହି ଗଣତାନ୍ତ୍ରିକ ଚେତନା ଯେତେବେଳେ ସମାଜର ପ୍ରତ୍ୟେକ ବ୍ୟକ୍ତିଠାରେ ବିକଶିତ ହେବ, ସେତେବେଳେ ଯାଇ ମନୁଷ୍ୟ ଏକ ଚିର ଆନନ୍ଦମୟ ସ୍ଥିତିର ଅଧିକାରୀ ହୋଇପାରିବ। ଗଡ୍ଵିନ୍ ଏହି ବିପ୍ଳବ ଦ୍ବାରା ଏପରି ଉଦ୍ବୁଦ୍ଧ ହୋଇଥିଲେ ଯେ ସେ ବିଶ୍ବାସ କରୁଥିଲେ ଗଣତନ୍ତ୍ର ଦ୍ବାରା ଦୈନନ୍ଦିନ ଜୀବନର ବିଭିନ୍ନ ଦୋଷ ଦୁର୍ବଳତାମାନ ଏହାଦ୍ବାରା ଦୂରୀଭୂତ ହୋଇ ଏକ ଆଦର୍ଶ ଜୀବନର ଆବିର୍ଭାବ ଘଟିବ: ଉତ୍ତରାଧିକାର ସୂତ୍ରରେ ଠୁଳ ହୋଇଥିବା ସମ୍ପତ୍ତିରୁ ଆରମ୍ଭ କରି ସମସ୍ତ ଟିକସ ଓ ସମସ୍ତ ପ୍ରକାର ପ୍ରତିଷ୍ଠିତ ଧର୍ମ ପର୍ଯ୍ୟନ୍ତର ଅନ୍ତ ଘଟିବ।
ଯାହା ବୋଧହୁଏ ସବୁଠାରୁ ଚମକପ୍ରଦ ମନେ ହୋଇପାରେ, ଗଡ୍ଵିନ୍ ତାଙ୍କର ୧୭୯୩ରେ ପ୍ରକାଶିତ ପ୍ରସିଦ୍ଧ ପୁସ୍ତକ ‘ପଲିଟିକାଲ୍ ଜଷ୍ଟିସ୍’ (‘ରାଜନୈତିକ ନ୍ୟାୟ’)ରେ ଏ ସମସ୍ତ ଚିନ୍ତାଧାରା ସହିତ ଆଉ ଯେଉଁ ଏକ କଳ୍ପନାକୁ ରୂପ ଦେଇଥିଲେ, ତାହା ଅନୁସାରେ ଗଣତନ୍ତ୍ର ବିବାହ ନାମକ ଅନୁଷ୍ଠାନର ମୁଖା ଖୋଲି ଦେଇ ତା’ର ଅସଲ ସ୍ବରୂପକୁ ପଦାରେ ପକାଇ ଦେବ। ବିବାହର ଏହି ଅସଲ ସ୍ବରୂପ ହେଲା ଏହା ହେଉଛି ଏକ ‘‘ପ୍ରବଞ୍ଚନାମୂଳକ ବ୍ୟବସ୍ଥା’’ ଯାହା ‘‘ଭୀରୁତା’’ ଏବ˚ ‘‘କୌଣସି ଯୋଗ୍ୟତା ନଥାଇ ସ୍ନେହ ଓ ସମ୍ମାନ ଲାଭ କରିବାର ଇଚ୍ଛା’’ ଦ୍ବାରା ପରିପୁଷ୍ଟ ହୋଇଥାଏ। ଏହି ବ୍ୟବସ୍ଥା ଅନୁସାରେ ଏକତ୍ରବାସ ‘‘ମସ୍ତିଷ୍କର ସ୍ବାଧୀନ ବିକାଶ ପଥରେ ଅନ୍ତରାୟ ସାଜିଥାଏ’’ ଏବ˚ କଳିଝଗଡ଼ା ଓ ଅଶାନ୍ତି ହୋଇଥାଏ ଏହାର ପରିଣାମ ବୋଲି ଗଡ୍ଵିନ୍ ମତପ୍ରକାଶ କରିଥିଲେ। ତାଙ୍କ ବିଚାରରେ କେବଳ ପୂର୍ଣ୍ଣତା ପ୍ରାପ୍ତ ହୋଇଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିପାରେ। ଏହାର ଅର୍ଥ, ଯେହେତୁ ଅଧିକା˚ଶ ମନୁଷ୍ୟ ହେଉଛନ୍ତି ଅପୂର୍ଣ୍ଣ ଅର୍ଥାତ୍ ଦୋଷ ଦୁର୍ବଳତାଯୁକ୍ତ, ବିବାହ ସେମାନଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ, କ୍ଷତିକାରକ ବ୍ୟବସ୍ଥା ହୋଇଥାଏ। ଗଡ୍ଵିନ୍ଙ୍କର ଏଭଳି ଯୁକ୍ତିକୁ ଯଦି ଗ୍ରହଣ କରାଯାଏ, ତେବେ ଏକ ଗଣତନ୍ତ୍ରରେ ଯଦି ଏକ ଦମ୍ପତି ଏହି ପ୍ରବଞ୍ଚନାରୁ ମୁକୁଳିବା ନିମିତ୍ତ ସେମାନଙ୍କର ବିବାହରେ ଅନ୍ତ ଘଟାଇବାକୁ ଚାହାଁନ୍ତି, ତେବେ ରାଷ୍ଟ୍ର ଏଥିରେ ଆଦୌ ପ୍ରତିବନ୍ଧକ ନସାଜି ତୁରନ୍ତ ସେମାନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରିବା ଉଚିତ ହେବ।
ଡିସେମ୍ବର ୧୯ ତାରିଖରେ କେରଳ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ୍ ଏକ ବିବାହ ବିଚ୍ଛେଦ ସମ୍ପର୍କିତ ଆବେଦନର ବିଚାର କରି ପ୍ରଦାନ କରିଥିବା ରାୟ ଉପରେ ଦୃଷ୍ଟି ନିକ୍ଷେପ କଲେ ମନେହୁଏ ସତେ ଯେମିତି ମାନ୍ୟବର ବିଚାରପତି ଦ୍ବୟ ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକରେ ଵିଲିଅମ୍ ଗଡ୍ଵିନ୍ ଏକ ଗଣତନ୍ତ୍ରରେ ବିବାହ ନାମକ ଅନୁଷ୍ଠାନ ପ୍ରତି ଯେଉଁ ଆଭିମୁଖ୍ୟ ପ୍ରକାଶ କରିଥିଲେ, ଆଜି ମଧ୍ୟ ତାହାର ବାସ୍ତବତାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏକ ଯୁବ ଖ୍ରୀଷ୍ଟିଆନ୍ ଦମ୍ପତି ‘ବିବାହ ବିଚ୍ଛେଦ ଆଇନ, ୧୮୬୯’ର ଧାରା-୧୦ଏ ସେମାନଙ୍କର ମୌଳିକ ସାମ୍ବିଧାନିକ ଅଧିକାର ଉଲ୍ଲ˚ଘନ କରୁଛି ବୋଲି ଦାବି କରି ଏହା ବିରୋଧରେ ଅଦାଲତରେ ଅାବେଦନ କରିଥିଲେ। ଏହି ଧାରା ଅନୁସାରେ ଏକ ଦମ୍ପତି ସର୍ବନିମ୍ନ ଏକ ବର୍ଷ କାଳ ପୃଥକ୍ବାସ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଅଦାଲତରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିପାରିବେ ନାହିଁ। ଉଲ୍ଲେଖଯୋଗ୍ୟ ଯେ ‘ହିନ୍ଦୁ ବିବାହ ଆଇନ’ ଓ ‘ବିଶେଷ ବିବାହ ଆଇନ’ରେ ଆବଶ୍ୟକ ସ୍ଥଳେ ବିବାହର ଏକ ବର୍ଷ ପୂରଣ ହେବା ପୂର୍ବରୁ ମଧ୍ୟ ଅଦାଲତ ବିବାହ ବିଚ୍ଛେଦ ନିମିତ୍ତ ଆବେଦନ ବିଚାର ପାଇଁ ଗ୍ରହଣ କରିବାର ବ୍ୟବସ୍ଥା ଅନ୍ତର୍ଭୁୁକ୍ତ ହୋଇଥିଲେ ମଧ୍ୟ ଖ୍ରୀଷ୍ଟିଆନ୍ମାନଙ୍କ ପାଇଁ ଉଦ୍ଦିଷ୍ଟ ଉପରୋକ୍ତ ବିବାହ ବିଚ୍ଛେଦ ଆଇନରେ ସେଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇ ନାହିଁ।
ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ୧୬୪ ତମ ଲ କମିସନ୍ ରିପୋର୍ଟରେ ପ୍ରଦତ୍ତ ସୁପାରିସକୁ ଅନୁସରଣ କରି ୨୦୦୧ରେ କେନ୍ଦ୍ର ସରକାର ଭାରତରେ ଖ୍ରୀଷ୍ଟିଆନ୍ମାନଙ୍କର ବିବାହ, ବିବାହ ବିଚ୍ଛେଦ ଓ ତତ୍ସମ୍ପର୍କିତ ପ୍ରସଙ୍ଗମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏକ ଯୁକ୍ତିଯୁକ୍ତ ସାମଗ୍ରିକ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ଦେଶରେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଛାମୁଆ ନେତା ଓ ଖ୍ରୀଷ୍ଟଧର୍ମାବଲମ୍ବୀ ସା˚ସଦମାନଙ୍କର ପରାମର୍ଶ ଲୋଡ଼ି ସେମାନଙ୍କର ଏକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁସାରେ ଉପରୋକ୍ତ ବିବାହ ବିଚ୍ଛେଦ ଆଇନ (‘ଡିଭୋର୍ସ ଆକ୍ଟ, ୧୮୬୯’)ରେ ବିବାହ ବିଚ୍ଛେଦ ଘଟିବାରେ ଅଯଥା ବିଳମ୍ବ ସୃଷ୍ଟି କରୁଥିବା ବିଭିନ୍ନ ପ୍ରଣାଳୀଗତ ପ୍ରତିବନ୍ଧକମାନ ଦୂର କରିବା ପାଇଁ ଆବଶ୍ୟକ ସ˚ଶୋଧନ କରାଯାଇଥିଲା।
ଏକ ଉଦାହରଣ ସ୍ବରୂପ ଆଇନର ଧାରା-୧୦ ଅନୁସାରେ କେବଳ ଉଭୟ ପକ୍ଷର ଦୋଷ ତ୍ରୁଟି ଆଧାରରେ ବିବାହ ବିଚ୍ଛେଦ ପାଇଁ ଆବେଦନର ବ୍ୟବସ୍ଥା ରହିଥିବା ବେଳେ, ସ˚ଶୋଧିତ ଆଇନ ଅନୁସାରେ (ଧାରା- ୧୦ଏ) ଉଭୟ ପକ୍ଷର ସହମତି ଆଧାରରେ ମଧ୍ୟ ବିବାହ ବିଚ୍ଛେଦ ଘଟିବା ପାଇଁ ଆବେଦନ କରିବା ଆଇନସମ୍ମତ ହେଲା।
ଏଥି ସହିତ ସ˚ଶୋଧିତ ଆଇନରେ ଏକ ସର୍ତ୍ତ ରଖାଯାଇଥିଲା ଯେ ସଂପୃକ୍ତ ପକ୍ଷ ଦ୍ବୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ସେମାନେ ଲଗାତାର ଅନ୍ୟୂନ ଦୁଇ ବର୍ଷ କାଳ ପୃଥକ୍ବାସ କରିଥିବେ। ପରବର୍ତ୍ତୀ ସମୟରେ ଏହି ଦୁଇ ବର୍ଷର ପୃଥକ୍ବାସ ଆବଶ୍ୟକତା ଅତ୍ୟଧିକ ଦୀର୍ଘ ବୋଲି ବିଚାର କରି, ୨୦୧୦ରେ କେରଳ ହାଇକୋର୍ଟ ‘ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ’ର ଧାରା- ୨୮(୧), ‘ହିନ୍ଦୁ ମ୍ୟାରେଜ୍ ଆକ୍ଟ’ର ଧାରା- ୧୩ ବି(୧) ଏବ˚ ‘ପାର୍ସି ମ୍ୟାରେଜ୍ ଆଣ୍ତ୍ ଡିଭୋର୍ସ ଆକ୍ଟ’ର ଧାରା- ୩୨ ବି(୧) ସହିତ ମେଳ ଖୁଆଇ ଏହି ଦୁଇ ବର୍ଷକୁ ହ୍ରାସକରି ଏହାକୁ ଏକ ବର୍ଷର ପୃଥକ୍ବାସ ରୂପେ ବୁଝିବା ନିମିତ୍ତ ଏକ ମାମଲାର ବିଚାର କରି ରାୟ ଦେଇଥିଲେ।
ବର୍ତ୍ତମାନର ମାମଲାରେ ଉଭୟ ପକ୍ଷ ଖ୍ରୀଷ୍ଟିଆନ୍ ବିଧି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପରେ ଅନୁଭବ କରିଥିଲେ ଯେ ସେମାନେ ପତିପତ୍ନୀ ରୂପେ ବାସ କରିବା ସମ୍ଭବ ନୁହେଁ ଏବ˚ ପରସ୍ପରର ସହମତି ଭିତ୍ତିରେ ‘ଡିଭୋର୍ସ ଆକ୍ଟ’ର ଧାରା- ୧୦ଏ ଅନୁସାରେ ଏର୍ନାକୁଲମ୍ର ଫ୍ୟାମିଲି କୋର୍ଟରେ ଡିଭୋର୍ସ ପାଇଁ ଆବେଦନ କରିଥିଲେ। ଫ୍ୟାମିଲି କୋର୍ଟ କିନ୍ତୁ ବିବାହ ପରେ ଏକ ବର୍ଷର ପୃଥକ୍ବାସ ଘଟି ନଥିବା କାରଣରୁ ସେମାନଙ୍କର ଆବେଦନକୁ ଖାରଜ କରି ଦେଇଥିଲେ, ଯାହା ବିରୁଦ୍ଧରେ ସେହି ଦମ୍ପତି କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନେ ମଧ୍ୟ ଧାରା- ୧୦ଏରେ ନିହିତ ଏକ ବର୍ଷର ପୃଥକ୍ବାସର ଆବଶ୍ୟକତାକୁ ଅସାମ୍ବିଧାନିକ କହି ତା’ ବିରୋଧରେ ଏକ ରିଟ୍ ଆବେଦନ କରିଥିଲେ।
ଏହାର ବିଚାର କରି ଖଣ୍ତପୀଠର ମାନ୍ୟବର ବିଚାରପତି ଦ୍ବୟ- ଏ ମହମଦ୍ ମୁସ୍ତାକ୍ ଓ ଶୋଭା ଆନ୍ନାମା ଇଆପେନ୍ ଏହି ଏକ ବର୍ଷ ପୃଥକ୍ବାସ ଆବଶ୍ୟକତାକୁ ଆବେଦନକାରୀମାନଙ୍କର ମୌଳିକ ଅଧିକାରର ଉଲ୍ଲ˚ଘନ ବୋଲି ରାୟ ଦେଇ ଦୁଇ ସପ୍ତାହ ମଧ୍ୟରେ ସେମାନଙ୍କର ଆବେଦନକୁ ଗ୍ରହଣ କରି, ସେମାନଙ୍କୁ ଆଉ ହରକତ ନକରି ବିବାହ ବିଚ୍ଛେଦ ନିମିତ୍ତ ସେମାନଙ୍କୁ ଅନୁମତି ପ୍ରଦାନ କରିବାକୁ ଫ୍ୟାମିଲି କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବିବାହ ଓ ବିବାହ ବିଚ୍ଛେଦକୁ କୌଣସି ଧର୍ମ ସହିତ ସଂପୃକ୍ତ ନକରି ପ୍ରତ୍ୟେକ ନାଗରିକକୁ ସମାନ ନିୟମ ଲାଗୁ ହେବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଏକ ସାଧାରଣ ବିବାହ ସ˚ହିତା ଦେଶରେ ପ୍ରଚଳନ କରିବା ପାଇଁ ବିଚାରପତି ଦ୍ବୟ ଆହ୍ବାନ ଦେଇଛନ୍ତି। ଅର୍ଥାତ୍ ଗଡ୍ଵିନ୍ଙ୍କ ଭାଷାରେ ପ୍ରବଞ୍ଚନାରୁ ମୁକ୍ତି ପାଇବାକୁ ଚାହୁଁଥିବା ଦମ୍ପତିଙ୍କ ପଥରେ କୌଣସି ଧର୍ମ ବା ରାଷ୍ଟ୍ର ଅନ୍ତରାୟ ନସାଜୁ।