ଊନବିଂଶ ଶତାବ୍ଦୀର ଆମେରିକା କଥା। ଫ୍ରେଡେରିକ୍‌ ଡଗଲାସ (୧୮୧୭-୧୯୯୫) ଥିଲେ ମୂଳତଃ କ୍ରୀତଦାସ। ସମୟକ୍ରମେ ସେ ଜଣେ ଖ୍ୟାତି ସଂପନ୍ନ ଲେଖକ, ଓଜସ୍ବୀ ବକ୍ତା ଓ ଜନପ୍ରିୟ ରାଜନେତା ଭାବରେ ପ୍ରସିଦ୍ଧି ଲାଭ କଲେ। ସେତେବେଳେ ଆମେରିକାରେ କ୍ରୀତଦାସ ବ୍ୟବସ୍ଥାର ଉ‌େଚ୍ଛଦ ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନ ଚାଲିଥିଲା। ତାହାକୁ କୁହାଯାଉଥିଲା ‘ଉଚ୍ଛେଦକାମୀ ଆନ୍ଦୋଳନ’, ଯାହା ଆବ୍ରାହମ ଲିଙ୍କନ୍‌ଙ୍କୁ ଦାସ ବ୍ୟବସ୍ଥାର ଉନ୍ମୁଳନ ପାଇଁ ପ୍ରେରଣା ଯୋଗାଇଥିଲା। ଡଗଲାସ ଥିଲେ ଏହି ଆନ୍ଦୋଳନର ଜଣେ ଆଗ ଧାଡ଼ିର ନେତା।

Advertisment

ସାମାନ୍ୟ ଜଣେ କ୍ରୀତଦାସରୁ ଡଗଲାସଙ୍କୁ ଏହି ଧରଣର ଜାତୀୟ ପ୍ରସିଦ୍ଧି ଅର୍ଜନ କରିବାରେ ସାହାଯ୍ୟ କରିଥିଲା ତାଙ୍କ ଲେଖନୀ, ତାଙ୍କ ଆତ୍ମଜୀବନୀ, ଯାହାର ଶୀର୍ଷକ- ‘ନ୍ୟାରେଟିଭ୍‌ ଅଫ ଦ ଲାଇଫ୍‌ ଅଫ୍ ଫ୍ରେଡରିକ୍‌ ଡଗଲାସ, ଆନ୍‌ ଆମେରିକାନ୍ ସ୍ଲେଭ୍‌ ରିଟିନ୍ ବାଇ ହିମସେଲ୍‌ଫ’ (୧୮୪୫), ଅର୍ଥାତ୍‌ ‘ଫ୍ରେଡରିକ ଡଗଲାସ ନାମକ ଜଣେ କ୍ରୀତଦାସଙ୍କ ଜୀବନ ବର୍ଣ୍ଣନ ତାଙ୍କରି ହାତରେ’।

ମାତ୍ର ୨୭ ବର୍ଷ ବୟସରେ ସେ ଲେଖିଥିବା‌ ଏହି ପୁସ୍ତକର ଶୀର୍ଷକ ଏତେ ଦୀର୍ଘ ହେବା ପଛର କାରଣ ହେଲା ସଭ୍ୟ ଜଗତ‌େର ସେ ନୂଆ ଥିବା ହେତୁ ‘ଅାମେରିକାନ୍‌ ସ୍ଲେଭ୍‌’ର ଉଲ୍ଲେଖ ଜରୁରୀ ଥିଲା। ତା’ ଠାରୁ ମାତ୍ରାରେ ଜରୁରୀ ଥିଲା ‘ତାଙ୍କ ହାତରେ ଜୀବନ ବର୍ଣ୍ଣନ’ କାରଣ ଜଣେ କ୍ରୀତଦାସ ପୁଣି ଆତ୍ମଜୀବନୀ ଲେଖନ ଭଳି ଏକ ଶୁଦ୍ଧ ବୌଦ୍ଧିକ କାର୍ଯ୍ୟ କରିପାରିବ ବୋଲି ସାଧାରଣରେ ବିଶ୍ବାସ ନ ଥିଲା। ଜଣେ କଳା କ୍ରୀତଦାସ କେବଳ ଅ-ବୌଦ୍ଧିକ ଶାରୀରିକ କାର୍ଯ୍ୟ କରିପାରେ! ଗୋରା ଲୋକଙ୍କ ତୁଳନାରେ ତା’ର ମାନସିକ ବିକାଶ ତଳ ସ୍ତରରେ! ଏହି ଭ୍ରାନ୍ତିର ପର୍ଦ୍ଦାଫାସ କରୁଥିବା ପୁସ୍ତକର ଶୀର୍ଷକ। ଆତ୍ମଜୀବନୀରେ ଜଣେ ସାମାନ୍ୟ କ୍ରୀତଦାସର ଜୀବନ ସଂଘର୍ଷ,‌ ଗୋରା ମାଲିକ ହାତରେ ସେ ଭୋଗୁଥିବା ଶାରୀରିକ ଯାତନା, ମୁକ୍ତି ପାଇଁ ସେ ଜାରି ରଖିଥିବା ପ୍ରୟାସ ଏବଂ ସର୍ବୋପରି ଜୀବନରେ ହାରି ନ ଯିବାର ସଂକଳ୍ପକୁ ଅନୁଭବ କରିହୁଏ। ସହଜ, ସରଳ ଓ ସ୍ବାଭାବିକ ଢଙ୍ଗରେ ଲିଖିତ ଏହି ପୁସ୍ତକରେ ହୁଏ’ତ କୃତ୍ରିମତା କିଛି ନାହିଁ, ହେଲେ ତା’କୁ ନାଟକୀୟତାଶୂନ୍ୟ ବୋଲି କୁହାଯାଇ ନ ପାରେ। ସତ କଥା, ଜୀବନ ଯଦି ଏକ ନାଟକ, ସ୍ବାଭାବିକ ଜୀବନ-ସଂଘର୍ଷ ବା ଅ-ନାଟକୀୟ ହେବ କେମିତି? ଏବଂ ତା’ ପୁଣି ଜଣେ କ୍ରୀତଦାସର!

ଡଗଲାସଙ୍କ ଆତ୍ମଜୀବନୀଟି କୌଣସି ପୋଖତ ସୃଜନୀରୁ ଊଣା ନ ଥିଲା। ପୁସ୍ତକଟି ପାଠକ ମନରେ ହଇଚଇ ସୃଷ୍ଟି କଲା। ଅନେକ ପାଠକ ମନରେ ସଂଶୟ ପାଳି‌େଲ- କେହି ଗୋରା ଲେଖକ ହୁଏତ ଛନ୍ମ ନାମରେ ପୁସ୍ତକଟିକୁ ଲେଖିଛନ୍ତି! ପୁସ୍ତକ ରଚୟିତାର ପ୍ରସିଦ୍ଧି ତାଙ୍କୁ ‘ଉଚ୍ଛେଦକାମୀ ଆନ୍ଦୋଳନ’ର କେନ୍ଦ୍ରକୁ ଆଣିଲା। ବିଭିନ୍ନ ସଭା ସମିତିରେ ସେ କହିବା ପାଇଁ ଆମନ୍ତ୍ରଣ ପାଇଲେ। ଯେତେବେଳେ ଦାସ ବ୍ୟବସ୍ଥାର ଉଚ୍ଛେଦ ପାଇଁ ସେ ତର୍କପୂର୍ଣ୍ଣ ବକ୍ତବ୍ୟ ରଖିଲେ, ଲୋକ ପୁଣି ସଂଶୟ ରଖିଲେ- ହୁଏତ ଡଗଲାସଙ୍କ କ୍ରୀତଦାସ ହେବାର ଦାବି ମିଥ୍ୟାପୂର୍ଣ୍ଣ! ସେ ଯାହାହେଉ, ୧୮୬୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସ ବ୍ୟବସ୍ଥାର ଉଚ୍ଛେଦ ହେଲା। ଏହା ପରେ ୧୮୮୧ରେ ଏବଂ ୧୮୯୨ରେ ସେ ଆଉ ଦୁଇ ଥର ଆତ୍ମଜୀବନୀକୁ ଲେଖିଲେ। ପ୍ରଥମେ ଯେଉଁ କିଛି ତଥ୍ୟକୁ ଗୋପନ ରଖିଥିଲେ, ତା’କୁ ଲୋକଲୋଚନକୁ ଆଣିଲେ। ‘ନର୍ଥ ଷ୍ଟାର’ ନାମରେ ଏକ ପତ୍ରିକା ମଧ୍ୟ ସଂପାଦନ କରିଥିଲେ। ଡଗଲାସଙ୍କ ଲେଖାମାନ ତାଙ୍କ ଧୀ-ଶକ୍ତିର ପରିଚୟ ଦେଲା, କଳା ଓ ସାଧାରଣ ଲୋକଙ୍କୁ ପ୍ରେରଣା ଯୋଗାଇଲା ଏବଂ କଳା ଲୋକ ଜନ୍ମଗତ ଭାବେ ବୌଦ୍ଧିକତା-ଶୂନ୍ୟ ବୋଲି ରହିଥିବା ଭ୍ରାନ୍ତିକୁ ଅସାରସିଦ୍ଧ କଲା।

ଡଗଲାସଙ୍କ ଆତ୍ମଜୀବନୀରେ ଅନେକ ଘଟଣାର ବର୍ଣ୍ଣନ ରହିଛି, ଯାହା ଆମେରିକାରେ କଳା ଲୋକଙ୍କ ପ୍ରତି ରହିଥିବା ଚରମ ପକ୍ଷପାତିତାକୁ ପ୍ରତ୍ୟକ୍ଷ କରାଏ। ମାତ୍ର ଯେଉଁ ଘଟଣାଟିର ଏଠାରେ ଅବତାରଣା ଜରୁରୀ, ତାହା ହେଲା ତାଙ୍କ ଅକ୍ଷର ଶିକ୍ଷା‌ ପାଇଁ ସଂଘର୍ଷ, କାରଣ ସେତେବେଳେ କ୍ରୀତଦାସ ପ‌ାଇଁ ଶିକ୍ଷାର ଦ୍ବାର ପୂର୍ଣ୍ଣତଃ ନିଷିଦ୍ଧ ଥିଲା।

ସେତେବେଳେ ଆମେରିକାରେ ଗୋରା ମାଲିକ ନିଜ ବଳକା କ୍ରୀତଦାସଙ୍କୁ ଭଡ଼ା ସୂତ୍ରରେ ଅନ୍ୟ ମାଲିକ ଘରେ କାମ କରିବାକୁ ଦେଇପାରୁଥିଲେ। ଡଗଲାସଙ୍କ ମୂଳ ମାଲିକ ଥି‌େଲ ଅତ୍ୟନ୍ତ ନୃଶଂସ; ନିୟମିତ ବ୍ୟବଧାନରେ କ୍ରୀତଦାସମାନଙ୍କ ଉପରେ ବେତ୍ରାଘାତକୁ ସେ ନିଜ କର୍ତ୍ତବ୍ୟ ଏବଂ ମହିଳା କ୍ରୀତଦାସଙ୍କ ଧର୍ଷଣକୁ ସେ ନିଜ ଅଧିକାର ବୋଲି ମନେ କରୁଥିଲେ। ମାତ୍ର ଛ ବର୍ଷ ବୟସ ଶିଶୁ ଡଗଲାସଙ୍କୁ ଭଡ଼ା ସୂତ୍ରରେ ସେ ଆଉ ଜଣେ ଗୋରା ମାଲିକଙ୍କ ଘରେ କାମ କରିବାକୁ ଛାଡ଼ିଦେଲେ। ନୂଆ ମାଲିକାଣୀ ସୋଫିଆ ଥିଲେ ସହାନୁଭୂତିଶୀଳା।

ସେଠାରେ ଶିଶୁ ଡଗଲାସ ପେଟ ଭରି ଖାଇବାକୁ ପାଇଲେ ଏବଂ ଶୀତରୁ ରକ୍ଷା ପାଇବା ଭଳି କିଛି ପୋଷାକ ଲାଭ କଲେ। ତା’ ସହିତ, ସୋଫିଆଙ୍କ ତତ୍ତ୍ବାବଧାନରେ ତାଙ୍କର ପ୍ରାରମ୍ଭିକ ଅକ୍ଷର ଶିକ୍ଷା ମଧ୍ୟ ଆରମ୍ଭ ହେଲା। ପୁଣି କିଛି ଅବଧିର ଅନ୍ତରାଳରେ ଶିକ୍ଷା ଲାଭ କ୍ରିୟା ଅକସ୍ମାତ ବନ୍ଦ ହେଲା, କାରଣ ମାଲିକ ଅର୍ଥାତ୍‌ ସୋଫିଆଙ୍କ ସ୍ବାମୀ ଏଥିପାଇଁ ତାଙ୍କୁ ସତର୍କ କଲେ: ‘ଜଣେ କ୍ରୀତଦାସକୁ ଶିକ୍ଷା ଦେବା ଅର୍ଥ ତା’କୁ ନିଜ ମୌଳିକ ଅଧିକାର ପାଇଁ ଦାବି କରିବାକୁ ସାମର୍ଥ୍ୟ ଦେବା! ତାହା ହେଲେ ଶିକ୍ଷାପ୍ରାପ୍ତ କ୍ରୀତଦାସଟି ଯେ ଗୋରାମାନଙ୍କ ତୁଳନାରେ ନୀଚ ସ୍ତରର, ସେମିତି ମନେ କରି ନ ପାରେ ଏବଂ ନିଜ ଅଧିକାର ପାଇଁ ସଂଘର୍ଷ କରିବ! ଏହାର ପରିଣାମ ବୁଝିପାରୁଛ ତ?’

ଏହା ପରେ ସୋଫିଆ କେବଳ ଡଗଲାସର ପାଠପଢ଼ା ବନ୍ଦ କଲେ, ତାହା ନୁହେଁ, ସେ ଲୁଚି ଲୁଚି ପଢୁଥିବା ସମ୍ବାଦପତ୍ର ପଠନରୁ ମଧ୍ୟ ତାକୁ ଜୋର୍‌ କରି ଦୂରେଇ ରଖିଲେ। ମାତ୍ର ଶିକ୍ଷାର ପ୍ରେମରେ ପଡ଼ିଯାଇଥିବା ଡଗଲାସ ଏଣିିକି ଲୁଚି ଲୁଚି ପାଠ ପଢ଼ିଲେ ଏବଂ ନିଜ କାମ ସାରି ସେଥି ଲାଗି ସମୟ ବାହାର କଲେ। ସେହି ସମୟରେ ଅନ୍ୟ ସମବୟସ୍କ କ୍ରୀତଦାସ ବାଳକମାନଙ୍କୁ ଶିକ୍ଷାଦାନ ମଧ୍ୟ କଲେ। ସେହି ଦାସ ବ୍ୟବସ୍ଥାର ସାମାଜିକ ପରିବେଶରେ ତାଙ୍କର ପାଠ ପଢ଼ିବା ଏବଂ ଅନ୍ୟକୁ ପାଠ ପଢ଼େଇବା ଥିଲା ଏକ କିସମର ‘ଆତଙ୍କବାଦୀ’ କାର୍ଯ୍ୟତୁଲ୍ୟ ନିଷିଦ୍ଧ ଏବଂ ଗର୍ହିତ। ପରିଶେଷରେ ଏହି ଶିକ୍ଷା ହିଁ ତାଙ୍କୁ ବୌଦ୍ଧିକ ସାମର୍ଥ୍ୟ ଦେଲା ଏବଂ ମୁକ୍ତିର ବାଟ ଦେଖାଇଲା। ଏକ ବଞ୍ଚିତ, ଶୋଷିତ ବର୍ଗ ପାଇଁ ଶିକ୍ଷା କେତେ ଯେ ଉପଯୋଗୀ ହୋଇପାରେ, ତାହା ଏହି କ୍ରୀତଦାସର ଆତ୍ମଜୀବନୀ ପଠନରୁ ବୁଝି ହୁଏ।

ଫ୍ରେଡେରିକ୍‌ ଡଗଲାସଙ୍କ ଆତ୍ମଜୀବନୀ ହିନ୍ଦୀ ସମେତ ଅନେକ ଭାଷାରେ ଅନୁଦିତ ଏବଂ ସହଜରେ ଉପଲବ୍‌ଧ। ୱେବ୍‌ସାଇଟ୍‌ରେ ମଧ୍ୟ ପିଡିଏଫ୍‌ (PDF) ଫର୍ମାଟ୍‌ରେ ତାହା ରହିଛି। ପଢ଼ିଲା ବେଳେ ଲାଗିଲା, ତାହା ଆମ ଓଡ଼ିଆରେ ମଧ୍ୟ ଉପଲବ୍‌ଧ ହେବା କଥା। ବୌଦ୍ଧିକତା-ଶୂନ୍ୟ ବୋଲି ଭ୍ରମ ଧାରଣାର ଶିକାର ଏକ ସମୂହ କିମ୍ବା ବ୍ୟକ୍ତି କିଭଳି ପ୍ରବୁଦ୍ଧ ହୋଇପାରେ ତାହାର ପ୍ରମାଣ ଏହି ପୁସ୍ତକ।
[email protected]