ଜଣେ ରାଜା ସ୍ବପ୍ନ ଦେଖିଲେ ଯେ ତାଙ୍କର ସବୁ ଦାନ୍ତ ଝଡ଼ି ଯାଇଛି, କେବଳ ଛାମୁ ଦାନ୍ତ ଦୁଇଟିକୁ ଛାଡ଼ି। ତାଙ୍କ ନିଦ ଭାଙ୍ଗିଗଲା ଏବଂ ସ୍ବପ୍ନଟି କଥା ଭାବି ସେ ବିଚଳିତ ହୋଇ ଉଠିଲେ। ସ୍ବପ୍ନଟିର ବ୍ୟାଖ୍ୟା କରିବା ସକାଶେ ସେ ବିଦ୍ବାନମାନଙ୍କୁ ଡକାଇଲେ। କିନ୍ତୁ ବିଦ୍ବାନମାନେ ବହୁତ ପ୍ରକାରେ ଚେଷ୍ଟା କରି ସୁଦ୍ଧା ବ୍ୟାଖ୍ୟା କରି ପାରିଲେ ନାହିଁ।
ଏତିକି ବେଳେ ରାଜଧାନୀରୁ ଦୂରରେ ରହୁଥିବା ଜଣେ ବ୍ୟାଖ୍ୟାକାର ଭାବିଲେ ଯେ ସେ ସ୍ବପ୍ନର ଅର୍ଥ ବୁଝି ପାରିଛନ୍ତି। ସେ ଏ ବିଷୟରେ ତାଙ୍କ ବୃଦ୍ଧ ପିତାଙ୍କୁ ଜଣାଇଲେ। ବୃଦ୍ଧ ପିତା ଥିଲେ ଅତ୍ୟନ୍ତ ଗୁଣୀ। ପୁଅ ସ୍ବପ୍ନର ବ୍ୟାଖ୍ୟା କିପରି କରିଛି ବୋଲି ସେ ଜାଣିବାକୁ ଚାହିଁଲେ। ଯୁବ ବ୍ୟାଖ୍ୟାକାର କହିଲେ- ସ୍ବପ୍ନଟି କହୁଛି ଯେ ରାଜାଙ୍କ ସବୁ ପାଖ ଲୋକ ତାଙ୍କ ଆଖି ଆଗରେ ଜଣ ଜଣ କରି ମୃତ୍ୟୁ ବରଣ କରିବେ। ରାଜା ଏକୁଟିଆ ରହିଯିବେ।
ପିତା ଏହା ଶୁଣି ପୁଅଙ୍କୁ କହିଲେ- ତୁମେ ଠିକ ବ୍ୟାଖ୍ୟା କରିଛ ସତ, କିନ୍ତୁ ଠିକ ଭାବେ ବର୍ଣ୍ଣନା କରି ପାରୁନାହଁ। ତୁମେ ଯାହା କହୁଛ ସେଥିରେ ରାଜା ଅତ୍ୟନ୍ତ ମ୍ରିୟମାଣ ହେବେ ଏବଂ ହୋଇପାରେ କ୍ରୋଧ ଜର୍ଜର ହୋଇ ତୁମକୁ ଦଣ୍ଡ ଦେଇ ପାରନ୍ତି।
ପୁଅ ଏବେ ପଚାରିଲେ- ତାହା ହେଲେ ମୁଁ କ’ଣ କହିବି?
ପିତା କହିଲେ- ତୁମେ କହିବ ଯେ ସ୍ବପ୍ନଟି କହୁଛି ମହାରାଜ ଅତ୍ୟନ୍ତ ଭାଗ୍ୟବାନ। କାରଣ େସ ଅତ୍ୟନ୍ତ ଦୀର୍ଘଜୀବୀ ହେବେ। ତାଙ୍କର ଯେତେ ପାଖ ଲୋକ ଅଛନ୍ତି, ସମସ୍ତଙ୍କ ଠାରୁ ସେ ଅଧିକ ବର୍ଷ ସୁସ୍ଥ ସବଳ ହୋଇ ବଞ୍ଚିବେ।
ଯୁବ ବ୍ୟାଖ୍ୟାକାର ବାପାଙ୍କ କଥା ମାନିଲେ। ସତକୁ ସତ ରାଜା ପ୍ରସନ୍ନ ହୋଇ ଯୁବ ବ୍ୟାଖ୍ୟାକାରଙ୍କୁ ପୁରସ୍କାର ପ୍ରଦାନ କଲେ।