ଆଜିକାଲି ହାତୀ ଓ ମଣିଷ ବିବାଦ ନିତିଦିନିଆ କଥା ହୋଇଛି। ଅତୀତରେ ହାତୀ ପଲ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଂଚଳକୁ କାଁ ଭାଁ ଆସି ଖେତ ନଷ୍ଟ କରୁଥିଲେ। ବର୍ତମାନ ଜଙ୍ଗଲ ଠାରୁ ଦୂର ଜନବସତିକୁ ହାତୀମାନଙ୍କ ଘନ ଘନ ଅନୁପ୍ରବେଶ ଘଟୁଛି। ଏହି କାରଣରୁ ଉଭୟ ମଣିଷ ଓ ହାତୀଙ୍କ ଜୀବନ ହାନି ଓ ଫସଲ ହାନି ବା ଅନ୍ୟାନ୍ୟ କ୍ଷତି ଖୁବ୍‌ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶା ବନ୍ୟପ୍ରାଣୀ ସଂସ୍ଥା ଦ୍ୱାରା ପ୍ରକାଶିତ ୨୦୨୧ ବିବରଣୀ ଅନୁସାରେ ୨୦୧୧-୧୨ରୁ ୨୦୨୦-୨୧ ମଧ୍ୟରେ ୮୫୪ ଜଣ ମଣିଷ ଓ ୭୬୫ଟି ହାତୀଙ୍କ ପ୍ରାଣ ହାନି ଘଟିଛି। ୧୨,୬୩୮ଟି ଘର ଭାଙ୍ଗିଛି। ୨,୯୨,୬୦୨ ଜଣ ଚାଷୀଙ୍କ ୧,୨୭,୨୪୨ ଏକର ଜମିର ଫସଲ ଉଜୁଡ଼ି ଯାଇଛି। କି ଭୟଙ୍କର ସ୍ଥିତି ଭାବନ୍ତୁ।

Advertisment

ଏପରି କାହିଁକି ହେଲା ? ପ୍ରଥମ କଥା, ହାତୀଙ୍କ ବାସ ସ୍ଥାନ ଓ ଖାଦ୍ୟର ଅବକ୍ଷୟ। ହାତୀ ଏକ ଦୂର ଭ୍ରମଣକାରୀ ବିଶାଳକାୟ ତୃଣଭୋଜୀ ପ୍ରାଣୀ। ଗୋଟିଏ ହାତୀ ଦୈନିକ ୧.୫ରୁ ୨.୦ କ୍ବିଣ୍ଟାଲ ଡାଳପତ୍ର, ଲତା ଓ ଘାସ ଇତ୍ୟାଦି ଖାଏ ଏବଂ ୧୫୦ରୁ ୨୦୦ ଲିଟର ପାଣି ପିଏ ଓ ଏହାକୁ ସଂଗ୍ରହ କରିବା ଲାଗି ପ୍ରତିଦିନ ପ୍ରାୟ ୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଙ୍ଗଲରେ ୧୬ରୁ ୧୮ ଘଣ୍ଟା ଘୂରି ବୁଲେ। ରାସ୍ତାଘାଟ, ସହରାଞ୍ଚଳ, ରେଳପଥ, କଳକାରଖାନା, ଖଣିଖାଦାନ, ଚାଷବାସ ଇତ୍ୟାଦି ନିମନ୍ତେ ଜଙ୍ଗଲର ଅବିଚାରିତ ଓ ଅସନ୍ତୁଳିତ କ୍ଷୟ ହେବା ଦ୍ୱାରା ହାତୀଙ୍କ ବାସସ୍ଥାନ କ୍ରମ-ସଙ୍କୁଚିତ, ବିଖଣ୍ଡିତ ଓ ବିଧ୍ୱସ୍ତ ହୋଇ ଚାଲିଛି। ତେଣୁ ଆହାର ଅନ୍ୱେଷଣରେ ହାତୀ ଖେତ ନଷ୍ଟ କରୁଛି ଓ ଘରଦ୍ୱାର ଇତ୍ୟାଦି ଭାଙ୍ଗୁଛି। ଲୋକମାନେ ମଧ୍ୟ ଧନ ଜୀବନର ସୁରକ୍ଷା ନିମନ୍ତେ ଏମିତି ପନ୍ଥାମାନ ଆପଣାଉଛନ୍ତି, ଯହିଁରେ ହାତୀଙ୍କ ମୃତ୍ୟୁ ଘଟୁଛି। ହାତୀମାନେ ମଣିଷ ଦ୍ବାରା ବିଦ୍ୟୁତ୍ ଶକ୍ତି ବ୍ୟବହାର, ତୀର ବା ବର୍ଚ୍ଛା ଆକ୍ରମଣ ଏବଂ ବିଷ ପ୍ରୟୋଗ ଇତ୍ୟାଦି ଦ୍ବାରା ପ୍ରାଣ ହରାଉଛନ୍ତି। ଶିକାରୀମାନେ ମଧ୍ୟ ହାତୀଙ୍କ ହତ୍ୟା କରୁଛନ୍ତି।

ଅନେକ ସମୟରେ ମଣିଷ ଦ୍ବାରା ଉଗ୍ର ପ୍ରତିରୋଧ କାରଣରୁ କ୍ରୁଦ୍ଧ ହାତୀ ଧ୍ୱଂସର ତାଣ୍ଡବଲୀଳା ରଚନା କରିଥାଏ। ଯେତିକି ଶସ୍ୟ ଖାଏ, ତା’ ଠାରୁ ଅଧିକ ଦଳିଚକଟି ନଷ୍ଟ କରେ। ପରିସ୍ଥିତି ଏଭଳି ହେଲାଣି ଯେ ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ କେତେକ ଅଞ୍ଚଳରେ ଲୋକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଚାଲି ଯାଉଥିବା ଦେଖିବାକୁ ମିଳୁଛି।

ଏ ସମସ୍ୟାର ଶୀଘ୍ର ସମାଧାନ ନିମନ୍ତେ ସମସ୍ତେ ଉଦ୍‌ବିଗ୍ନ। କିନ୍ତୁ ସତ କଥା ହେଲା, ସ୍ଥିତିରେ ସୁଧାର ଆଣିବା ସମୟସାପେକ୍ଷ। ଗାଁ ଗହଳିକୁ ଅନୁପ୍ରବେଶ କରୁଥିବା ହାତୀର ବାରମ୍ବାର ଫେରିବାକୁ ନିରୁତ୍ସାହିତ କରିବା ପାଇଁ କୌଣସି ଉତ୍ତେଜନାମୂଳକ ପଦକ୍ଷେପ ନ ନେବା ଉଚିତ। ବରଂ, ସୌର ଶକ୍ତି ସଂପନ୍ନ ତାର ବାଡ଼ ଲଗାଇ ବା ଟ୍ରେଂଚ୍‌ ଖୋଳି ବା ମହୁମାଛି ଗୁଞ୍ଜରଣର କୃତ୍ରିମ ଶବ୍ଦ କରି ଅଥବା ଲଙ୍କାଗୁଣ୍ଡ ଧୂଆଁ ଦେଇ ହାତୀକୁ ରୋକିବା ଦରକାର। ଜଙ୍ଗଲ ସଂଲଗ୍ନ ବିଲରେ ଆଳୁ, ଅଦା, ଲଙ୍କା, ହଳଦୀ, ଲେମ୍ବୁ ଓ ସୂର୍ଯ୍ୟମୁଖୀ ଇତ୍ୟାଦି ଚାଷ କରାଯିବା ଦରକାର, ଯାହା ପ୍ରତି ହାତୀଙ୍କର ଆଗ୍ରହ ନ ଥାଏ। ଜଙ୍ଗଲରେ ଶାଳିଆ ବାଉଁଶ, କଂଟା ବାଉଁଶ, ଶିଆଳି ଲତା, ଶିମିଳି, ସୁନାରୀ, ମଇ, ବର, ପଣସ, ଡିମିରି ଇତ୍ୟାଦି ଭଳି ହାତୀ ଖାଇବାକୁ ଭଲ ପାଉଥିବା ଗଛଲତାର ଅଭିବୃଦ୍ଧି ଦିଗରେ ବିଶେଷ ଯତ୍ନ ନିଆଯିବା ଆବଶ୍ୟକ। ଜଙ୍ଗଲ ଭିତରେ ସଂଯୋଗକାରୀ କରିଡୋର୍‌ର ବିକାଶ ବା ପୁନରୁଦ୍ଧାର କରାଯାଇ ହାତୀଙ୍କ ବିଚରଣକୁ ସ୍ୱଚ୍ଛନ୍ଦ କରାଗଲେ ହାତୀମାନେ ଜଙ୍ଗଲ ବାହାରକୁ ଆସିବାକୁ ମନସ୍ଥ କରିବେ ନାହିଁ। ସେହିଭଳି ହାତୀ ଦ୍ବାରା ହେଉଥିବା କ୍ଷତିର ଭରଣା ବଜାର ମୂଲ୍ୟ ଅନୁସାରେ ଦିଆଗଲେ ଜନସାଧାରଣଙ୍କର ଆକ୍ରୋଶ କମିବ ଏବଂ ସେମାନେ ହାତୀଙ୍କୁ ମାରିବା ଲାଗି ଚାହିବେ ନାହିଁ।

ଯଦିଓ ବନ ବିଭାଗ ଦ୍ବାରା ଏହି ସଂଦର୍ଭରେ ଅନେକ କାର୍ଯ୍ୟକ୍ରମ ଚାଲିଛି, ଆଶାନୁରୂପକ ସଫଳତା ମିଳିପାରୁନି। ଏହାର କାରଣ ଜନସାଧାରଣଙ୍କର ସହଯୋଗରେ ଅଭାବ। ହାତୀକୁ ଶତ୍ରୁ ବୋଲି ନ ମଣିବା ଲାଗି ଲୋକମାନଙ୍କୁ ସଚେତନ କରାଯିବା ଉଚିତ ଓ ହାତୀମାନେ କାହିଁକି ଜନବସତି ମୁହାଁ ‌େହଉଛନ୍ତି, ତାର କାରଣ ଗ୍ରାମବାସୀମାନେ ବୁଝିବା ଦରକାର।
ମୋ:୯୪୩୭୦୮୦୨୩୩