ମରୁଭୂମିରେ ଶିଷ୍ୟଙ୍କ ସହିତ ସନ୍ଥ ଫରିଦ ଚାଲିଥିବା ବେଳେ ଜଣେ ଶିଷ୍ୟ ପ୍ରଶ୍ନ କଲା- ଆପଣଙ୍କୁ ଆମେମାନେ ଯେଉଁ ପ୍ରଶ୍ନ କରୁ ତା’ର ଯଥାର୍ଥ ଉତ୍ତର ଆପଣ ପାଆନ୍ତି କେମିତି? ଆପଣଙ୍କ ମନରେ ବି ସେମିତି ପ୍ରଶ୍ନ ଉଠୁଥିବ। ତା’ର ଉତ୍ତର ଆପଣ ପାଆନ୍ତି କାହାଠାରୁ?

Advertisment

ସେତିକି ବେଳକୁ ମରୁଭୂମିରେ ତୃଷାର୍ତ୍ତ ଫରିଦ ଏବ˚ ତାଙ୍କ ଶିଷ୍ୟ ଦଳ ପାଣିର ଏକ ଉତ୍ସ ଖୋଜୁଥିଲେ, ଅଥଚ ଜଣେ ଅତ୍ୟୁତ୍ସାହୀ ଶିଷ୍ୟ ଏମିତି ଏକା ଥରକେ ତିନିଟି ପ୍ରଶ୍ନ ପଚାରିଦେଲା।
ଫରିଦ ହଠାତ୍ କହିଲେ- ମିଳିଗଲା।

କ’ଣ ମିଳିଗଲା ବୋଲି ଶିଷ୍ୟଟି ଭାବୁଥିବା ବେଳେ ଫରିଦ ଗୋଟିଏ ଦିଗକୁ ଆଙ୍ଗୁଳି ଦେଖାଇ କହିଲେ- ମିଳିଗଲା ପାଣି।
କିଛି ଦୂରରେ ଥିଲା ଗୋଟିଏ କୂଅ। କୂଅ ପାଖକୁ ଯାଇ ସେମାନେ ଦେଖିଲେ ଯେ ତାହା ଏତେ ଗଭୀର ଯେ ତଳ ଦିଶୁ ନାହିଁ। ଭିତରଟି କେବଳ କିଟିକିଟି ଅନ୍ଧାର।
ଶିଷ୍ୟମାନେ ପଚାରିଲେ- ଏଠି ପାଣି ଅଛି ତ?

ଫରିଦ କହିଲେ- ଜାଣିବା ଲାଗି ଭିତରକୁ ଓହ୍ଲାଇବାକୁ ହେବ।
ଜଣେ ଶିଷ୍ୟ ଥିଲା ଅପୂର୍ବ ସାହସୀ। କୂଅ କାନ୍ଥରେ ହୋଇଥିବା ପାଦରଖା ଉପରେ ପାଦ ଦେଇ ଅତି ସତର୍କତାର ସହ ସେ ଓହ୍ଲାଇଲା। କିଛି ସମୟ ପରେ ସେ ଉପରକୁ ଉଠିଲା। କୂଅରେ ପାଣି ଥିଲା।

ତୃଷା ମେଣ୍ଟାଇବା ପରେ ଫରିଦ ସେହି ଅତ୍ୟୁତ୍ସାହୀ ଶିଷ୍ୟକୁ କହିଲେ- କୂଅ ମୂଳରେ ଆମ ମନରେ ପ୍ରଶ୍ନଟିଏ ଥିଲା, ଏଥିରେ ପାଣି ଅଛି କି ନାହିଁ? କୂଅ ଭିତରକୁ ଓହ୍ଲାଇବା ପରେ ତା’ର ଉତ୍ତର ମିଳିଳା। ସେମିତି ସବୁ ଗୂଢ଼ ପ୍ରଶ୍ନର ଉତ୍ତର ପାଇବା ଲାଗି ତୁମକୁ ନିଜ ଅଭ୍ୟନ୍ତରକୁ ଓହ୍ଲାଇବାକୁ ହେବ।