ଭାରତୀୟ ଔଷଧ ବା ଫାର୍ମା ଶିଳ୍ପ ପ୍ରତି ଏକ ଦାରୁଣ ଧକ୍କା ରୂପେ ଗତ ଅକ୍ଟୋବରରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’) ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ ଜଣ ଶିଶୁଙ୍କର ମୃତ୍ୟୁ ପାଇଁ ଏକ ଭାରତୀୟ କମ୍ପାନି ଦ୍ବାରା ନିର୍ମିତ କେତେକ ତରଳ କାଶ ଔଷଧ ବା ସିରପ୍କୁ ଦାୟୀ କରି ଏକ ସତର୍କ ସୂଚନା ପ୍ରସାର କରିଥିଲା। ଚାରିଟି ଭିନ୍ନ ଭିନ୍ନ ନାମରେ ବିକ୍ରି ହୋଇଥିବା ଏହି କଫ ସିରପ୍ ଗୁଡ଼ିକର ନିର୍ମାତା ହେଉଛି ‘ମେଡେନ୍ ଫାର୍ମାସିଉଟିକାଲ୍ସ’ ନାମକ ହରିଆନାସ୍ଥିତ ଏକ କମ୍ପାନି। ‘ହୁ’ର ଏହି ପଦକ୍ଷେପ ପରେ ପରେ ଭାରତ ସରକାର ଉଭୟ ‘ହୁ’ ଏବ˚ ଗାମ୍ବିଆର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେମାନେ ସ˚ଗ୍ରହ କରିଥିବା ଉପରୋକ୍ତ କଫ୍ ସିରପ୍ ନମୁନା ପରୀକ୍ଷା ନିମିତ୍ତ ଭାରତକୁ ମଧ୍ୟ ଦେବା ପାଇଁ ଅନୁରୋଧ କରିଥିଲେ ହେଁ, ଏ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ହେଲେ ଭାରତର ଅନୁରୋଧ ରକ୍ଷା କରି ନାହାନ୍ତି। କେବଳ ରପ୍ତାନି ଉଦ୍ଦେଶ୍ୟରେ ଉପରୋକ୍ତ ଚାରିଟି କଫ୍ ସିରପ୍ ଉତ୍ପାଦନ କରିବା ପାଇଁ ‘ମେଡେନ୍ ଫାର୍ମାସିଉଟିକାଲ୍ସ’ ସରକାରଙ୍କ ଠାରୁ ଲାଇସେନ୍ସ ପାଇଥିଲା।
‘ହୁ’ ଦ୍ବାରା ସତର୍କ ସୂଚନା ଜାରି ହେବା ପରେ ଭାରତର ‘ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ତାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (‘ସିଡିଏସ୍ସିଓ’) ଓ ହରିଆନାର ‘ଷ୍ଟେଟ୍ ଡ୍ରଗ୍ କଣ୍ଟ୍ରୋଲର୍’ ମିଳିତ ଭାବରେ ସେହି କମ୍ପାନିର କାରଖାନା ଉପରେ ଚଢ଼ାଉ କରି ଯେଉଁ ଯାଞ୍ଚ କଲେ, ସେଥିରୁ ସେମାନେ ସେଠାରେ ଔଷଧ ଉତ୍ପାଦନ ପ୍ରକ୍ରିୟାରେ ୧୨ଟି ବିଭିନ୍ନ ପ୍ରକାର ଅନିୟମିତତାର ପ୍ରମାଣ ଦେଖିବାକୁ ପାଇଥିଲେ। ରାଜ୍ୟ ସରକାର ତା’ପରେ କାରଖାନାମାନ ବନ୍ଦ କରିବାକୁ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ। ଚଢ଼ାଉ ସମୟରେ ନିୟନ୍ତ୍ରକ ସ˚ସ୍ଥା ଦ୍ବୟ ସେଠାରୁ ଗାମ୍ବିଆରେ ଶିଶୁମୃତ୍ୟୁ ପାଇଁ ଦାୟୀ କରାଯାଉଥିବା କଫ୍ ସିରପ୍ମାନଙ୍କର ନମୁନା ସ˚ଗ୍ରହ କରି ଚଣ୍ତୀଗଡ଼ସ୍ଥିତ ‘ରିଜିଓନାଲ୍ ଡ୍ରଗ୍ ଟେଷ୍ଟିଙ୍ଗ୍ ଲାବରେଟରି’କୁ ପରୀକ୍ଷା ନିମିତ୍ତ ପଠାଇଥିଲେ। ଗୁରୁବାର ଦିନ ସରକାର ରାଜ୍ୟସଭାରେ ପ୍ରକାଶ କରିଛନ୍ତି ଯେ ପରୀକ୍ଷାର ଫଳାଫଳ ଅନୁସାରେ ନମୁନା ଔଷଧଗୁଡ଼ିକର ଗୁଣାତ୍ମକ ମାନ ସମ୍ପୂର୍ଣ୍ଣ ସ୍ବାଭାବିକ ଥିବା ଜଣାପଡ଼ିଛି। ‘ହୁ’ର ସତର୍କ ସୂଚନା ପ୍ରକାଶ ପାଇବା ପରେ ଏକ ଅଭିଯୋଗ ହେଉଥିଲା ଯେ ‘ମେଡେନ୍ ଫାର୍ମା’ର କଫ୍ ସିରପ୍ ମାନଙ୍କରେ ଏଥିଲିନ୍ ଗ୍ଲାଇକଲ୍ ଓ ଡାଇଏଥିଲିନ୍ ଗ୍ଲାଇକଲ୍ ନାମକ ରାସାୟନିକ ପଦାର୍ଥମାନଙ୍କ ଉପସ୍ଥିତି ଯୋଗୁଁ ଶିଶୁମାନଙ୍କର କିଡ୍ନୀ କ୍ଷତିଗ୍ରସ୍ତ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା। ଚଣ୍ତୀଗଡ଼ ଲାବରେଟରିର ରିପୋର୍ଟରେ କିନ୍ତୁ ପରୀକ୍ଷା କରାଯାଇଥିବା ନମୁନାମାନଙ୍କରେ ଏ ଦୁଇ ରାସାୟନିକ ପଦାର୍ଥର ଉପସ୍ଥିତି ଦେଖିବାକୁ ମିଳି ନ ଥିଲା ବୋଲି କୁହାଯାଇଛି।
ସରକାର ଏହା ପ୍ରକାଶ କରିବା ପରେ ‘ମେଡେନ୍ ଫାର୍ମା’ ତା’ର ବନ୍ଦ କରାଯାଇଥିବା ସୋନିପତ୍ସ୍ଥିତ କାରଖାନାରେ ପୁଣି ଉତ୍ପାଦନ ଆରମ୍ଭ କରିବାକୁ ଆଶା ବାନ୍ଧି ବସିଥିବା ବେଳେ ‘ହୁ’ କିନ୍ତୁ ସେଥିରେ ଏକମତ ନ ହୋଇ ‘ମେଡେନ୍ ଫାର୍ମା’ର କଫ୍ ସିରପ୍ ବିରୋଧରେ ପୁଣି ତା’ର ପୂର୍ବ ଅଭିଯୋଗ ଦୋହରାଇଛି। ‘ହୁ’ ଏ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛି ଯେ ଘାନା ଓ ସ୍ବାଜିଲ୍ୟାଣ୍ତ୍ରେ କରାଯାଇଥିବା ପରୀକ୍ଷାରେ ଏହି କଫ୍ ସିରପ୍ମାନଙ୍କରେ ଉଭୟ ଏଥିଲିନ୍ ଓ ଡାଇଏଥିଲିନ୍ ଗ୍ଲାଇକଲ୍ ମିଶିଥିବା ଜଣାପଡ଼ିଥିଲା ଏବ˚ ଏହି ରାସାୟନିକ ପଦାର୍ଥମାନ କୌଣସି ବି ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହେବା ଉଚିତ ନୁହେଁ। ‘ହୁ’ ଏହା ମଧ୍ୟ କହିଛି ଯେ ‘ମେଡେନ୍ ଫାର୍ମା’ ଔଷଧ ଉତ୍ପାଦନରେ ବ୍ୟବହାର କରୁଥିବା ଉପାଦାନମାନଙ୍କର ଉତ୍ସ ଓ ଉତ୍ପାଦିତ ଔଷଧର ବିତରଣ ସମ୍ବନ୍ଧରେ ସବିଶେଷ ତଥ୍ୟ ଯୋଗାଇବାକୁ ସେ କମ୍ପାନିକୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ମିଳିପାରି ନାହିଁ।
ଏଥିରୁ ଯେଉଁ ଗୋଟିଏ କଥା ସ୍ପଷ୍ଟ ହୋଇଥାଏ, ତାହା ହେଲା ଭାରତ ସରକାର ବର୍ତ୍ତମାନ ଘଟଣାରେ ଜଡ଼ିତ ଔଷଧ ନିର୍ମାତାକୁ ଯେତେ କ୍ଲିନ୍ଚିଟ୍ ଦେଲେ ମଧ୍ୟ ‘ହୁ’ ତା’ର ଅଭିଯୋଗ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ, ଆନ୍ତର୍ଜାତିକ ସ୍ତରରେ ଭାରତର ଫାର୍ମା ଶିଳ୍ପ ସମ୍ପୂର୍ଣ୍ଣ ରୂପେ ସନ୍ଦେହମୁକ୍ତ ହେବ ନାହିଁ। ଏହା ମଧ୍ୟ ଅଛପା ନୁହେଁ ଯେ ଭାରତ ପୃଥିବୀର ପ୍ରମୁଖ ଜେନେରିକ୍ ଔଷଧ ଓ ଟିକା ଯୋଗାଣକାରୀ ଦେଶରେ ପରିଣତ ହୋଇ ପୃଥିବୀର ଫାର୍ମାସି ରୂପେ ଅଭିହିତ ହେବାକୁ ଆରମ୍ଭ କରିଥିଲେ ହେଁ ଦେଶ ଭିତରେ ନକଲି ଓ ଭେଜାଲ୍ ଔଷଧମାନ ବଜାରର ଏକ ବିଶେଷ ଅ˚ଶ ଦଖଲ କରି ରହିଛନ୍ତି। ସ୍ବାଭାବିକ ଭାବରେ ଏହା ରତ୍ପାନିରେ ପ୍ରବେଶ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
୨୦୧୯ରେ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା (‘ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ’) ସମ୍ପର୍କରେ ପ୍ରକାଶ କରିଥିବା ତା’ର ବାର୍ଷିକ ରିପୋର୍ଟରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ ଅଫିସ୍’ ଉଲ୍ଲେଖ କରିଥିଲା ଯେ ଭାରତରେ ବିକ୍ରି ହେଉଥିବା ଔଷଧମାନଙ୍କର ପ୍ରାୟ ୨୦ ଶତା˚ଶ ଅର୍ଥାତ୍ ଏକ-ପଞ୍ଚମା˚ଶ ହେଉଛି ନକଲି। ଏହାର ବର୍ଷକ ପୂର୍ବେ ୨୦୧୮ରେ ‘ସିଡିଏସ୍ସିଓ’ ଏକ ଆକଳନ ପ୍ରକାଶ କରିଥିଲା ଯେ ଭାରତୀୟ ବଜାରରେ ବିକ୍ରି ହେଉଥିବା ଜେନେରିକ୍ ଔଷଧମାନଙ୍କ ମଧ୍ୟରୁ ପ୍ରାୟ ୪.୫ ଶତା˚ଶ ହେଉଛି ନିମ୍ନ ମାନର। ଅନ୍ୟ ଏକ ଆକଳନ ଅନୁସାରେ ୨୦୨୦-୨୧ ମଧ୍ୟରେ ଦେଶରେ ନିମ୍ନ ମାନର ଓ ନକଲି ଚିକିତ୍ସା ପଦାର୍ଥ (ସବ୍ଷ୍ଟାଣ୍ତାର୍ଡ ଆଣ୍ତ୍ ଫଲ୍ସିଫାଏଡ୍ ମେଡିକାଲ୍ ପ୍ରଡକ୍ଟ- ‘ଏସ୍ଏଫ୍’) ମାନଙ୍କର କାରବାରରେ ଏକ ତୀକ୍ଷ୍ଣ ୪୭ ଶତା˚ଶ ବୃଦ୍ଧି ଘଟିବା ଦେଖାଯାଇଥିଲା। ଏହା ଅବଶ୍ୟ ବିଶେଷ କରି କୋଭିଡ୍-୧୯ ମୁକାବିଲାରେ ବ୍ୟବହୃତ ଔଷଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପଦାର୍ଥ (ଯେମିତି ହ୍ୟାଣ୍ତ୍ ସାନିଟାଇଜର୍ କିମ୍ବା ଫେସ୍ ମାସ୍କ ଆଦି) ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥିଲା, କିନ୍ତୁ ଏହା ଯେ ଆମର ଔଷଧ ଉତ୍ପାଦନ ଓ ବିତରଣକୁ ଦୀର୍ଘ କାଳ ଧରି ସ˚କ୍ରମିତ କରି ଆସିଥିବା ନିମ୍ନ ସ୍ତରର ନୈତିକତାର ଏକ ସୁବିଧାବାଦୀ ପରିପ୍ରକାଶ ଥିଲା, ଏହା ପ୍ରତ୍ୟେକ ଭୁକ୍ତଭୋଗୀ ଭାରତୀୟକୁ ଜଣା।
ଔଷଧ ଉତ୍ପାଦନ ଓ ବିତରଣ ହେଉଛି ଏପରି ଏକ ପ୍ରକ୍ରିୟା, ଯେଉଁଥିରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ବହୁ ସ˚ଖ୍ୟକ ଉପାଦାନ ବ୍ୟବହୃତ ହୋଇଥାଏ, ତାହା ନୁହେଁ, ସେଇପରି ବହୁ ସ˚ଖ୍ୟକ ଯୋଗାଣକାରୀ, ପ୍ୟାକେଜ୍କର୍ତ୍ତା, ପରିବହନକାରୀ, ପାଇକାରୀ ବେପାରୀ, ବିତରକ, ଖାଉଟି ବେପାରୀ ଓ ଏପରିକି ପୁନଃ ବିକ୍ରେତାମାନେ ମଧ୍ୟ ଓତପ୍ରୋତ ଭାବରେ ଜଡ଼ିତ ଥାନ୍ତି। ଏଭଳି ଏକ ବିଖଣ୍ଡିତ ଯୋଗାଣ ଶୃଙ୍ଖଳର ପ୍ରତ୍ୟେକ କଡ଼ି କିନ୍ତୁ ଯେଉଁ ସମାନ୍ତରାଳ ଅନୁପ୍ରବେଶର ସମ୍ଭାବନା ଓ ସୁଯୋଗ ସୃଷ୍ଟି କରିଥାଏ, ତାହାର ପରିଣତି ହୋଇଥାଏ ଅପମିଶ୍ରଣରୁ ଆରମ୍ଭ କରି ନିମ୍ନମାନର ଉପାଦାନ ବ୍ୟବହାର ଓ ନକଲି ଔଷଧ ପ୍ରଚଳନ ପର୍ଯ୍ୟନ୍ତ।
ଭାରତର ବିଶାଳ ଔଷଧ ଶିଳ୍ପରେ ପ୍ରାୟ ୩,୦୦୦ କମ୍ପାନି ସକ୍ରିୟ ଥିବା ବେଳେ ସେମାନେ ପ୍ରାୟ ୧୦,୫୦୦ ସ˚ଖ୍ୟକ କାରଖାନାରେ ଔଷଧ ଉତ୍ପାଦନ କରିଥାନ୍ତି। ଏହି ବିଶାଳ ତଥା ଅତିଶୟ ଗୁରୁତ୍ବପୂର୍ଣ୍ଣ ଶିଳ୍ପର ଗୁଣାତ୍ମକ ମାନ ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଦେଶରେ ଥିବା କେନ୍ଦ୍ରୀୟ ଲାବରେଟରି ସ˚ଖ୍ୟା ହେଉଛି ମାତ୍ର ଛ’ଟି ଏବ˚ ଅନ୍ୟ ପରୀକ୍ଷାଗାର ସ˚ଖ୍ୟା ୪୭ଟି। ସେମାନେ ବର୍ଷକୁ ପରୀକ୍ଷା କରି ପାରୁଥିବା ମୋଟ ନମୁନା ସ˚ଖ୍ୟା ହେଉଛି ମାତ୍ର ପ୍ରାୟ ଆଠ ହଜାର, ଯାହା ସମୁଦ୍ରକୁ ଶଙ୍ଖେ ଭଳି। ପୁଣି ଔଷଧଟି ନକଲି କି ଅସଲି କିମ୍ବା ନିମ୍ନମାନର, ସେ ସମ୍ବନ୍ଧରେ ନିଶ୍ଚିତ ମତ ପ୍ରଦାନ କରିବାର ଯୋଗ୍ୟତା କେବଳ ୨୦-୩୦ଟି ପରୀକ୍ଷାଗାରରେ ଉପଲବ୍ଧ ଅଛି। ସେହି ପରିବେଶରେ ଔଷଧ ନିରୀକ୍ଷକମାନଙ୍କ ସ˚ଖ୍ୟା ମଧ୍ୟ ଆବଶ୍ୟକତା ଠାରୁ ବହୁତ କମ୍ ରହିଆସିଛି। ଏସବୁ ହେଉଚି ଦେଶରେ ଫାର୍ମା ଶିଳ୍ପର ଗୁଣାତ୍ମକ ମାନ ରକ୍ଷା ସମ୍ମୁଖୀନ ହେଉଥିବା ପ୍ରତିବନ୍ଧମାନଙ୍କ ମଧ୍ୟରୁ କାଣିଚାଏ ମାତ୍ର। ଭାରତ ଯଦି କେବଳ ଜେନେରିକ୍ସ ବା ଟିକା ଉତ୍ପାଦନରେ ନୁହେଁ, ଉଚ୍ଚମାନର ଔଷଧ ଉତ୍ପାଦନରେ ମଧ୍ୟ ପୃଥିବୀର ଫାର୍ମାସି ହେବାକୁ ଲକ୍ଷ୍ୟ ରଖିଥାଏ, ତେବେ ‘ହୁ’ ସହିତ ଝଗଡ଼ା ଊର୍ଦ୍ଧ୍ବକୁ ଯାଇ ନିଜର ଘର ସଜାଡ଼ିବା ଦରକାର।