ମୁଲ୍ଲା ନସିରୁଦ୍ଦିନଙ୍କ ପେଡ଼ାଶୀ ଫଜଲୁ ତା’ ତିନି ମହଲା କୋଠା ଉପରୁ ତଳକୁ ଖସିପଡ଼ି ଭାଗ୍ୟ ବଳରେ ବଞ୍ଚିଗଲା ସିନା, ତା’ର ହାଡ଼ ସବୁ ଭାଙ୍ଗି ଚୂନା ହୋଇଗଲା। ପର ଦିନ ସେ ଡାକ୍ତରଖାନରେ ପଡ଼ିଥିବା ବେଳେ ମୁଲ୍ଲା ତାକୁ ଦେଖିବା ଲାଗି ଗେଲ। ଫଜଲୁ ବଡ଼ କଷ୍ଟରେ କହିଲା- ମୁଲ୍ଲା ଏହା କେମିତି ହେଲା ମୋର କିଛି ହେଲେ ମନେ ପଡୁନାହିଁ!
ମୁଲ୍ଲା ଅତି ଗମ୍ଭୀରତାର ସହିତ ଧୀର କଣ୍ଠରେ କହିଲେ- ଫଜଲୁ, କଥାଟା ଏମିତି ଘଟିଲା। ତୁମେ ହଠାତ୍ ତୁମ ଘରର ଝରକା ଖୋଲି ତା’ ଉପରକୁ ଚଢ଼ିଗଲ ଏବଂ କହିଲ- ଦେଖ, ମୁଁ କେମିତି ଉଡୁଛି! ଏହା କହି ତୁମେ ଉପରକୁ ଡେଇଁ ପଡ଼ିଲ!
ଫଜଲୁ ଯେ ଖୁବ୍ ମଦ ପିଇ ନିଶାରେ ଥିବାରୁ ଏମିତି ଘଟିଛି, ସେ କଥା ସେ ଜାଣିଥିଲା। କିନ୍ତୁ କେମିତି ଏ ଅବସ୍ଥା ହେଲା, ସେ ନେଇ ତା’ର କିଛି ହେଲେ ମନେ ପଡୁ ନ ଥିଲା।
ଏବେ ସେ ଏତକ ଶୁଣିବା ପରେ ବିସ୍ମିତ ହୋଇ କହିଲା- ମୁଲ୍ଲା, ତୁମେ ସେତେବେଳେ ମୋ ପାଖରେ ଥିଲ, ଅଥଚ ମୋତେ ଅଟକାଇ ପାରିଲ ନାହିଁ?
ମୁଲ୍ଲା କହିଲେ- ଆରେ କଥା ତ ସେଇଠି! ମୋତେ ବି ସେତେବେଳେ ଲାଗୁଥିଲା ଯେ ତୁମେ ସତରେ ଆକାଶରେ ଉଡ଼ିପାରିବ!
ଏ ଲଘୁ କଥାଟି କହି ୟୁଜି କୃଷ୍ଣମୂର୍ତ୍ତି ତାଙ୍କ ଅନୁଗାମୀମାନଙ୍କୁ କହିଲେ- ବର୍ତ୍ତମାନ ସ୍ଥିତି ଏହିଭଳି ହିଁ ହୋଇଛି। ଫଜଲୁ ଭାବୁଛି ଯେ ତା’ର ହିତାକାଂକ୍ଷୀ ମୁଲ୍ଲା ତାକୁ ରକ୍ଷା କରିବ, କିନ୍ତୁ ଏଣେ ମୁଲ୍ଲା ନିଜେ ଫଜଲୁ ଭଳି ନିଶାଗ୍ରସ୍ତ। ତୁମେ ଭାବୁଛ ଯିଏ ତୁମକୁ ରୋକିବା କଥା ବା ରକ୍ଷା କରିବା କଥା, ସେ ବି ଯଦି ତୁମ ଭଳି ବେହୋସ ଅବସ୍ଥାରେ ତେବେ ଯାହା ଘଟିବା ସ୍ବାଭାବିକ ଏବେ ପୃଥିବୀର ଅନେକତ୍ର ଅବସ୍ଥା ସେୟା ହିଁ ହୋଇଛି।