ନବମ ଦଶକର କଥା। ‘ଦ ଅବଜର୍ଭର’ ଖବରକାଗଜ ଲାଗି ଚାର୍ଲସ ଶୋଭରାଜର ଏକ ସାକ୍ଷାତକାର ନିମନ୍ତେ ଯେତେବେଳେ ସାମ୍ବାଦିକ ଆଣ୍ତ୍ୟୃ ଆଣ୍ଟୋନି ପ୍ୟାରିସରେ ପହଞ୍ଚି ଯୋଗାଡ଼ଯନ୍ତ୍ର ଆରମ୍ଭ କଲେ, ସେଥି ଲାଗି ଶୋଭରାଜ ପ୍ରଥମେ ବିପୁଳ ପରିମାଣର ଅର୍ଥ ଦାବି କଲା; ଅବଶ୍ୟ ପରେ ତା’ ଦାବିର ପ୍ରତ୍ୟାଖ୍ୟାନ ସତ୍ତ୍ବେ ସେ ଏହି ସାକ୍ଷାତକାର ଦେଇଥିଲା। ଏହି ଅନୁଭୂତି ସମ୍ବନ୍ଦରେ ‘ଦ ଗାର୍ଡିଆନ୍‌’ ଖବରକାଗଜରେ ଏକ ଆଳେଖ୍ୟ ଲେଖି ଆଣ୍ଟୋନି କହିିଛନ୍ତି ଯେ ଶୋଭରାଜର ଆସ୍ପର୍ଦ୍ଧା ଥିଲା ବିସ୍ମୟ ସ˚ଚାରକାରୀ; କାରଣ ଏକ ବିଡ଼ମ୍ବନା ସ୍ବରୂପ ପୃଥିବୀର ବିଭିନ୍ନ ଦେଶରେ ୨୦ରୁ ଅଧିକ ହତ୍ୟାକାଣ୍ତ, ଚୋରି, ଠକେଇ, ଜେଲ୍‌ରୁ ପଳାୟନ, ଅସ୍ତ୍ର ଚାଲାଣ, ଡ୍ରଗ୍‌ସ କାରବାର ଭଳି ସାଂଘାତିକ ଅପରାଧରେ ଲିପ୍ତ ଥିବା ସତ୍ତ୍ବେ ସେ ଗୋଟିଏ ୟୁରୋପୀୟ ଦେଶର ରାଜଧାନୀରେ ମୁକ୍ତ ନାଗରିକ ରୂପେ ବିଚରଣ କରୁଥିଲା। ସେତେବେଳେ ଆଣ୍ଟୋନୀ ହୁଏ’ତ ଜାଣି ନ ଥିଲେ ଯେ ସପ୍ତମ ଦଶକରେ କାଠମାଣ୍ତୁରେ ଘଟିଥିବା ଏକ ଡବଲ ମର୍ଡର (ଜଣେ ଆମେରିକୀୟ ଯୁବତୀ ଏବ˚ ତାଙ୍କ କାନାଡୀୟ ବନ୍ଧୁ) ସକାଶେ ନିୟତି ଦ୍ବାରା ଶୋଭରାଜ ଲାଗି ନେପାଳରେ ଊଣେଇଶ ବର୍ଷର କାରାବାସର ବ୍ୟବସ୍ଥା ହୋଇ ରହିଛି। ସୁତରାଂ, ୨୦୦୩ ମସିହାରେ କାଠମାଣ୍ଡୁରେ ସେ ଗିରଫ ହେଲା ଓ ଦୋଷୀ ସାବ୍ୟସ୍ତ ହୋଇ କାରାରୁଦ୍ଧ ହେଲା। ତେବେ, ଗଲା ବୁଧବାର ଦିନ ଏହି ଦଣ୍ତର ମିଆଦ ପୂର୍ଣ୍ଣ ହେବାକୁ ଆଉ କିଛି ମାସ ବାକି ଥିବା ବେଳେ ତାକୁ ମୁକ୍ତ କରି ଦିଆଯାଇଛି ଏବ˚ ସେହି ଦୃଷ୍ଟିରୁ ୭୮ ବର୍ଷ ବୟସ୍କ ଏହି ଅତ୍ୟନ୍ତ କୁଖ୍ୟାତ, ଧୂର୍ତ୍ତ ଏବ˚ ନିଜ ଜୀବଦ୍ଦଶାରେ କି˚ବଦନ୍ତୀୟ ପ୍ରସିଦ୍ଧି ଲାଭ କରିଥିବା ଅନ୍ତର୍ଜାତୀୟ ଅପରାଧୀ ବର୍ତ୍ତମାନ ସତକୁ ସତ ଏକ ମୁକ୍ତ ନାଗରିକ ଭାବେ ବିଚରଣ କରିବ; କାରଣ ତା’ ଅପରାଧର ଶୃଙ୍ଖଳରେ ସମ୍ଭବତଃ ତା’ର ସର୍ବଶେଷ ଅପରାଧ ସକାଶେ ସେ ନେପାଳରେ ଦଣ୍ତ ଭୋଗି ସାରିଲା। ଏଣେ, ଇତିମଧ୍ୟରେ ଥାଇଲାଣ୍ତରେ ତାକୁ ତା’ ଅନୁପସ୍ଥିତିରେ ପ୍ରଦାନ କରାଯାଇଥିବା ମୃତ୍ୟୁ ଦଣ୍ତ ଏବ˚ ଅନ୍ୟାନ୍ୟ ଅନେକ ଅପରାଧ ସକାଶେ ବିଭିନ୍ନ ଦେଶରେ ତା’ ବିରୋଧରେ ରହିଥିବା ଅଭିଯୋଗମାନ ଏହି ଦୀର୍ଘ କାଳ ମଧୢରେ ଅଚଳ ଓ ଅକାମୀ ହୋଇ ସାରିଛି।

Advertisment

‘ସର୍ପେଣ୍ଟ’ ବା ସର୍ପ ଭାବେ ପରିଚିତ ଏହି କୁଖ୍ୟାତ ଅପରାଧୀ ଉପରେ ବିବିସି ଦ୍ବାରା ‘ଦ ସର୍ପେଣ୍ଟ’ ନାମରେ ଏକ ବୃତ୍ତଚିତ୍ର-ଶୃଙ୍ଖଳା, ନେଟ୍‌ଫ୍ଲିକ୍‌ସରେ ଏକ ଧାରାବାହିକ ସିନେମା ଏବ˚ ରିଚାର୍ଡ ନେଭିଲଙ୍କ ଦ୍ବାରା ରଚିତ ‘ଦ ଲାଇଫ୍‌ ଏଣ୍ତ କ୍ରାଇମ୍‌ସ ଅଫ୍‌ ଚାର୍ଲସ ଶୋଭରାଜ’ ଶୀର୍ଷକ ଏକ ଅତ୍ୟନ୍ତ ଚମତ୍କାର ପୁସ୍ତକ ତଥା ତା’ର ରୋମା˚ଚଭରା ଅପରାଧକୁ ନେଇ ଅସ˚ଖ୍ୟ ଆଲେଖ୍ୟ ଉପଲବ୍‌ଧ ଏବ˚ ସେ କାହାଣୀ ଏଭଳି ଦୀର୍ଘ ଯେ ତା’ର ବର୍ଣ୍ଣନା ଲାଗି ଏହି ସ୍ତମ୍ଭ ଅତ୍ୟନ୍ତ କ୍ଷୁଦ୍ର ସାବ୍ୟସ୍ତ ହେବ। ତେବେ, ଏକ ସ୍ଥୂଳ ଆଲୋଚନା ମାଧୢମରେ ଚାର୍ଲସ ଶୋଭରାଜର ସେହି ସମ୍ମୋହନକାରୀ ଚୁମ୍ବକୀୟ ଆକର୍ଷଣ ଉପରେ କିଞ୍ଚିତ ଆଲୋକପାତ କରାଯାଇପାରେ, ଯାହା ତା’ର ଆପରାଧିକ ଯାତ୍ରାକୁ ଅନ୍ତତଃ ଊଣେଇଶଟି ଦେଶରେ ଅପ୍ରତିହତ କରି ରଖି ପାରିଥିଲା। ଫ୍ରେନ୍‌ଚ ଏବ˚ ଇ˚ରେଜୀରେ ସାବଲୀଳ ଭାବେ କହି ପାରୁଥିବା ଶୁଣାଯାଏ, ଶୋଭରାଜ ଠାରେ ଥିଲା ବିନମ୍ରତା ଏବ˚ ବେପରୁଆ ଠାଣିର ଏକ ଚିତ୍ତର˚ଜକ କକ୍‌ଟେଲ୍‌। ଏହି କାରଣରୁ ତା’ର ପ୍ରଥମ ପତ୍ନୀ (ଏକ ଫରାସୀ ମଧୢବିତ୍ତ ପରିବାରର ସୁଶୀଳା କନ୍ୟା) ନେନ୍ଥାଲ କ˚ପଗ୍ୟାଁ ଅବଲୀଳା କ୍ରମେ ଅନେକ ବର୍ଷ ଧରି ତା’ର ଅପରାଧମାନର ଅ˚ଶୀଦାର ହୋଇପଡ଼ିଥିଲେ; ପରେ କାବୁଲ ଜେଲରୁ ମୁକ୍ତ ହେବା ମାତ୍ରକେ ନିଜ କନ୍ୟା ସହ ଯୁକ୍ତରାଷ୍ଟ୍ର ଆମେରିକା ପଳାୟନ କରି ଶୋଭରାଜ କବଳରୁ ମୁକ୍ତ ହୋଇଥିଲେ।

ଭାରତରେ ଅଗତ୍ୟା ତା’ର ପ୍ରେମିକାରେ ପରିଣତ ହୋଇଥିବା କାନାଡୀୟ ପରିବ୍ରାଜିକା ଓ କବି ମେରୀ ଆଣ୍ତ୍ରି ଲେକ୍‌ଲର୍କ‌୍‌ ପରବର୍ତ୍ତୀ କାଳରେ ଲେଖିଥିବା ବିବରଣୀରୁ ଜଣାପଡ଼େ କିପରି ସେ କ୍ରମେ ପ୍ରେମିକାରୁ ଶୋଭରାଜର ବିମୁଗ୍‌ଧ କ୍ରୀତଦାସୀରେ ପରିଣତ ହୋଇଥିଲେ। ଚାର୍ଲସ ଶୋଭରାଜ ଦ୍ବାରା ଆକର୍ଷିତ ଅନେକ ହତଭାଗ୍ୟ ଯୁବତୀ ତା’ ଦ୍ବାରା ହତ୍ୟା ଓ ଲୁଟର ଶିକାର ହୋଇଛନ୍ତି ଏବ˚ ଅନ୍ୟ କେତେକଙ୍କୁ ବ୍ୟବହାର କରି ସେ ବିଭିନ୍ନ ଦେଶରେ ବିମାନଘାଟି ବା ପୁଲିସ ଷ୍ଟେସନ ବା ଜେଲ୍‌ରୁ ପଳାୟନ କରିବାରେ ସମର୍ଥ ହୋଇଛି। ଉଦାହରଣ ସ୍ବରୂପ ଦିଲ୍ଲୀର ଏକ ଥାନାରେ ଅଟକ ଥିବା ବେଳେ ତା’ର ଆଦେଶରେ ତା’ର କୌଣସି ଜଣେ ଫରାସୀ ବାନ୍ଧବୀ ଥାନାର କର୍ମଚାରୀମାନଙ୍କୁ ତାସ ଖେଳରେ ମଜ୍ଜାଇ ରଖି ଚାର୍ଲସ ସକାଶେ ସେଠାରୁ ଅନ୍ତର୍ଦ୍ଧାନ ହେବାର ସୁଯୋଗ ସୃଷ୍ଟି କରିଥିଲା। ତା’ର ଅନେକ ବାନ୍ଧବୀ ଏବ˚ ଏକାଧିକ ପତ୍ନୀ ସତେ ଯେମିତି ମୋହାଚ୍ଛନ୍ନ ଅବସ୍ଥାରେ ଥିବା ଭଳି ତା’ ଦ୍ବାରା ବ୍ୟବହୃତ ହୋଇଥିଲେ ଏବଂ ବିଭିନ୍ନ ଦେଶରେ ଚାର୍ଲସର ସହଯୋଗୀ ଆରୋପରେ ଆଇନ ଦ୍ବାରା ଦଣ୍ତିତ ଏବ˚ ଲା˚ଛିତ ହୋଇଥିଲେ। କିନ୍ତୁ, ଏହା ଦ୍ବାରା ଶୋଭରାଜ ଲେଶ ମାତ୍ର ବିବେକ ଦ˚ଶ ଦ୍ବାରା ଆକ୍ରାନ୍ତ ହୋଇ ନ ଥିଲା କି ଥରେ ହେଲେ ପଛକୁ ଫେରି ଚାହିଁ ନ ଥିଲା। ଶୁଣାଯାଏ ଯେ ତିହାର ଜେଲରେ ତାକୁ ଚାର୍ଲସ ସାହେବ ବୋଲି ସ˚ବୋଧନ କରାଯାଉଥିଲା ଏବ˚ ତାକୁ ବସିବା ଲାଗି ସର୍ବଦା ଚଉକି ପ୍ରଦାନ କରାଯାଉଥିଲା। ଏଭଳି ଏକ ପରିବେଶରେ ତା’ କଥାରେ ଭୋଳ ହୋଇ ନିଶାଯୁକ୍ତ ମିଷ୍ଟାନ୍ନ ଖାଇ ଜେଲ କର୍ମଚାରୀମାନେ ଅଚେତ ନିଦ୍ରାରେ ଶୋଇଯିବା ଏବ˚ ସେ ସ୍ବଚ୍ଛନ୍ଦରେ ଖସି ଯିବାରେ ବିସ୍ମୟର ବିଶେଷ କାରଣ ନାହିଁ।

ଶୋଭରାଜ ଉପରେ ଚମତ୍କାର ପୁସ୍ତକଟିଏ ଲେଖିଥିବା ରିଚାର୍ଡ ନେଭିଲ ଥରେ କହିଥିଲେ ଯେ ଶୋଭରାଜ ଏକ ଅତ୍ୟନ୍ତ ରହସ୍ୟମୟ ଏବ˚ ଦୁର୍ବୋଧୢ ଚରିତ୍ର, ଯାହା ଅଧିକା˚ଶ ସମୟରେ ଏକ ତଳହୀନ କୂପ ଭଳି ଅପହଞ୍ଚ ଲାଗିଥାଏ। ସମ୍ଭବତଃ ଏଭଳି ଏକ ବ୍ୟକ୍ତିତ୍ବକୁ ଆବିଷ୍କାର କରିବାର ଦୁର୍ବାର ପିପାସା ଅନେକଙ୍କ ସକାଶେ ତାକୁ ଆକର୍ଷଣୀୟ କରି ଗଢ଼ି ତୋଳିଥାଏ ଏବ˚ ବିପଜ୍ଜନକ ଅପରାଧୀ ବୋଲି ଜାଣି ସୁଦ୍ଧା ଅନେକ ସଚେତନ ଓ ଶିକ୍ଷିତ ମହିଳା ତା’ର ସଙ୍ଗୀ ହୋଇଛନ୍ତି ଏବ˚ ତା’ର ଅପରାଧ ତନ୍ତ୍ରରେ ଅ˚ଶ ପାଲଟିଛନ୍ତି। ଅନେକ ପୁଲିସ ଚଢ଼ାଉ ବେଳେ ଦେଖିବାକୁ ମିଳିଛି ଯେ ହୋଟେଲ କକ୍ଷରୁ ନିମିଷକ ପୂର୍ବରୁ ପଳାୟନ କରିଥିବା ଚତୁର ଶୋଭରାଜର ଖଟ ଉପରେ ପଡ଼ି ରହିଥାଏ ସେ ପଢୁଥିବା ଜର୍ମାନୀ ଦାର୍ଶନିକ ଫ୍ରେଡରିକ ନିଚାଙ୍କ ପୁସ୍ତକ ‘ବିଅଣ୍ତ ଗୁଡ଼୍ ଏଣ୍ତ ଇଭିଲ’ ବା ଆଲବେର କାମ୍ୟୁଙ୍କ ଫ୍ରେନ୍‌ଚ ଭାଷୀ କ୍ଲାସିକ୍‌ ‘ଏଲ୍‌’ଏଟ୍ରେନ୍‌ଜର’ (‘ଦ ଆଉଟ୍‌ସାଇଡର‌୍‌’) ବା ସେହି ଭଳି କିଛି କ୍ଲାସିକ୍‌।

ଶୋଭରାଜ ଉପରେ ‘ବିବିସି’ ସକାଶେ ବୃତ୍ତଚିତ୍ର ନିର୍ମାଣ କରିଥିବା ଫାରୁକ ଧୋଣ୍ତି କହନ୍ତି ଯେ ଏଭଳି କିଛି ଦୃଶ୍ୟ ପ୍ରମାଣ କରେ ଯେ ଶୋଭରାଜକୁ ନେଇ କୌଣସି ଅନ୍ଦାଜ ଲଗାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ଜେଲ୍‌ ଭିତରେ ଥିବା ବେଳେ ସେ ପଳାୟନ କରିବାକୁ ଆତୁର ହୋଇ ଉଠେ ଏବ˚ ବାହାରେ ଥିଲେ ଜେଲ ଭିତରକୁ ପଶିବା ଲାଗି ମଉକା ଖୋଜେ! ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍‌ସ, ଗ୍ରୀସ, ଆଫଗାନିସ୍ତାନ, ଥାଇଲାଣ୍ତ, ଭାରତ ଓ ନେପାଳ ଇତ୍ୟାଦି ଦେଶରେ ସେ ଜେଲ ଭୋଗିଛି ଏବ˚ ତା’ ଆୟୁଷର ଅର୍ଦ୍ଧାଧିକ କାଳ କାରାଗାର ଭିତରେ ହିଁ କଟିଛି ଏବ˚ ତା’ ସହିତ ସେ ଛଅ ଥର ବିଭିନ୍ନ ଦେଶର ଜେଲରୁ ପଳାୟନ କରିବାରେ ମଧୢ ସମର୍ଥ ହୋଇଛି। ସେହି ଦୃଷ୍ଟିରୁ ଶୋଭରାଜକୁ ‘ସର୍ପେଣ୍ଟ୍‌’ ବୋଲି କୁହାଯିବା ଅଯୌକ୍ତିକ ନୁହେଁ, କାରଣ ସେ ସର୍ପ ଭଳି ବିଷାକ୍ତ, ଧୂର୍ତ୍ତ ଏବ˚ ଖସରା।

ପୂର୍ବତନ ଦିଲ୍ଲୀ ପୁଲିସ କମିସନର ବେଦ ମାରଵା ଚାର୍ଲସ ଶୋଭରାଜକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲେ। ଶୋଭରାଜର ବ୍ୟକ୍ତିତ୍ବର ଚମକକୁ କିନ୍ତୁ ସେ ନିର୍ବିଚାରରେ ଖଣ୍ତନ କରନ୍ତି। ଶୋଭରାଜ ସ˚ପର୍କରେ ସେ ଯେଉଁ ମତ ଦେଇଥିଲେ ତାହା ଗୋଟିଏ ଇ˚ରେଜୀ ଓ ଗୋଟିଏ ହିନ୍ଦୀ ଶବ୍ଦର ମିଶ୍ରଣରୁ ଜାତ ଅଭିବ୍ୟକ୍ତି: ‘ପିଓର‌୍‌ କମିନା’ ଅର୍ଥାତ୍‌ ‘ସୁଦ୍ଦୁ କମିନା’। ସେ କହିଥିଲେ ଯେ ଏହା ହିଁ ତାକୁ ଅନ୍ୟାନ୍ୟ ଅପରାଧୀଙ୍କ ଠାରୁ ଭିନ୍ନ କରେ; ଅର୍ଥାତ୍‌ ଅନ୍ୟାନ୍ୟ ଅପରାଧୀଙ୍କ ଠାରେ ସତ୍‌ଗୁଣର ମୃଦୁ ଝଲକଟିଏ ଦିଶିଯାଇପାରେ, କିନ୍ତୁ ଚାର୍ଲସ ଠାରେ ତାହା ଅନୁପସ୍ଥିତ। ସେହି ଦୃଷ୍ଟିରୁ ବର୍ତ୍ତମାନ ମୁକ୍ତ ହୋଇଥିବା ଅଠସ୍ତରି ବର୍ଷ ବୟସ୍କ ବୃଦ୍ଧ ଚାର୍ଲସ ଶୋଭରାଜ ଠାରେ ଏକ ସୁସ˚ସ୍କୃତ ସ˚ସ୍କରଣର ଆଶା କରିବା ନିର୍ବୋଧତା ହେବ। ତେବେ, ଆଗକୁ ଏହି ରହସ୍ୟମୟ ଅପରାଧୀର କି ରୂପ ପ୍ରକାଶିତ ହେବ ତାହା ଦେଖିବାକୁ ବାକି ରହିଲା। ହିନ୍ଦୀରେ ‘କମିନା’ ଶବ୍ଦଟି ଯେଉଁ ଭାବର ଦ୍ୟୋତକ, ତାହା ହୁଏ’ତ ଆମ ଓଡ଼ିଆ ଭାଷାର କୌଣସି ଶବ୍ଦ ଦ୍ବାରା ଠିକଣା ଭାବେ ପ୍ରକାଶ କରି ହେବ ନାହିଁ। ସୁତରା˚, ଆମ ମଗଜରେ ଚାର୍ଲସ ଶୋଭରାଜ ନେଇ ସେହି ଧାରଣା ହିଁ ବଳବତ୍ତର ରହୁ; ‘ସୁଦ୍ଦୁ କମିନା’।