ପ୍ରତି ବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଚାରିଆଡ଼େ ନୂଆ ବର୍ଷ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଜାନୁଆରି ୧ ତାରିଖରେ ଆମେ ବନ୍ଧୁମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥାଉ। କିନ୍ତୁ ଆମ ଜାତୀୟ ନବ ବର୍ଷ ଯେ ଜାନୁଆରିରେ ନୁହେଁ ମାର୍ଚ୍ଚ ମାସରେ ଆରମ୍ଭ ହୁଏ, ଏହା ହୁଏତ ଅନେକଙ୍କୁ ଅଜଣା ଥିବ। ଜାତୀୟ ପଞ୍ଜିକା ଆଧାରରେ ମାର୍ଚ୍ଚ ୨୨ ତାରିଖ ହେଉଛି ରାଷ୍ଟ୍ରୀୟ ନୂତନ ବର୍ଷର ପ୍ରଥମ ଦିନ। ଆମ ଦେଶର ବିଭିନ୍ନ ରାଜ୍ୟରେ ନୂତନ ବର୍ଷ ପାଳନ ପରଂପରା ରହିଛି। ଆମ ରାଜ୍ୟରେ ବୈଶାଖ ମାସର ପ୍ରଥମ ଦିନ, ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ଚୈତ୍ର ମାସର ପ୍ରଥମ ଦିନ, ଗୁଜୁରାଟରେ ଦୀପାବଳିର ପରବର୍ତ୍ତୀ ଦିନ ଓ ମୁସଲମାନ ସଂପ୍ରଦାୟରେ ମହରମ ପର୍ବର ପ୍ରଥମ ଦିନକୁ ନୂଆ ବର୍ଷ ଭାବେ ପାଳନ କରାଯାଏ। ଖ୍ରୀଷ୍ଟିଆନ କାଲେଣ୍ଡର (ଗ୍ରେଗୋରିଆନ କାଲେଣ୍ଡର) ଅନୁଯାୟୀ ଜାନୁଆରି ୧ ତାରିଖ ନୂଆ ବର୍ଷ ଭାବେ ସାରା ଦେଶରେ ପାଳିତ ହୋଇଥାଏ।
ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ପଞ୍ଜିକା ଆଧାରରେ ସମାନ ପର୍ବ ଭିନ୍ନ ଦିବସରେ ପାଳନ କରାଯାଉଥିବାର ପରଂପରା ଥିବାରୁ ସ୍ୱାଧୀନତା ପ୍ରାପ୍ତି ପରେ କେନ୍ଦ୍ର ସରକାରଙ୍କ ନିମନ୍ତେ ସଙ୍କଟ ଉପନୀତ ହେଲା। ସରକାର କେଉଁ ଆଧାରରେ କେଉଁ ଦିନ ଛୁଟି ଘୋଷଣା କରିବେ ଏବଂ ସାରା ଦେଶରେ କିପରି ସମନ୍ୱୟ ପ୍ରତିଷ୍ଠା ହୋଇପାରିବ, ସେ ସଂପର୍କରେ ଅନୁଶୀଳନ ଆରମ୍ଭ ହେଲା। ଏହି ମର୍ମରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ‘ଏକ ଦେଶ: ଏକ ପଞ୍ଜିକା’ ପ୍ରଣୟନ ପାଇଁ ପରିକଳ୍ପନା କଲେ। ଜାତୀୟତାବୋଧ ଜାଗ୍ରତ କରି ବିବିଧତା ମଧ୍ୟରେ ଏକତା ଆଣିବା ଏହାର ମହତ ଉଦ୍ଦେଶ୍ୟ ରହିଲା, ଯାହା ଫଳରେ ପ୍ରତିଟି ଧର୍ମ ଓ ସାମାଜିକ ପରଂପରା ପ୍ରତି ସମ୍ମାନ ଜଣାଇବା ସହିତ ଭାରତୀୟ ପଞ୍ଜିକା ଓ ଖ୍ରୀଷ୍ଟିଆନ କାଲେଣ୍ଡର ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ସମ୍ଭବ ହୋଇପାରିବ। ଯେହେତୁ ଦୀର୍ଘ ଶତାବ୍ଦୀ ଧରି ଖ୍ରୀଷ୍ଟିଆନ କାଲେଣ୍ଡର ଆଧାରରେ ଦେଶର ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇଆସିଥିଲା, ତୁରନ୍ତ ତାହାକୁ ଉପେକ୍ଷା କରିବା ସମ୍ଭବ ନ ଥିଲା। ଏବେ ମଧ୍ୟ ଏହା ଏତେ ବ୍ୟାପକ ରୂପ ନେଇଛି ଯେ ତାହାର ପରିବର୍ତ୍ତନ ସହଜ ହୋଇ ନ ପାରେ।
ଏଥି ନିମନ୍ତେ ଭାରତ ସରକାରଙ୍କ ‘ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ’ (କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ) ସଂସ୍ଥା ତରଫରୁ ଖ୍ୟାତନାମା ଜ୍ୟୋତିର୍ବିଜ୍ଞାନୀ ପ୍ରଫେସର ମେଘନାଦ ଶାହାଙ୍କ ଅଧ୍ୟକ୍ଷତାରେ ଦେଶରେ ପ୍ରଚଳିତ ପ୍ରତିଟି ପଞ୍ଜିକା ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଜ୍ଞାନସମ୍ମତ ଜାତୀୟ ପଞ୍ଜିକା ପ୍ରଣୟନ ନିମନ୍ତେ ୧୯୫୨ ମସିହା ନଭେମ୍ବର ମାସରେ ‘କାଲେଣ୍ଡର ସଂସ୍କାର କମିଟି’ ଗଠନ କରାଗଲା। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କୁଳପତି ଗଣିତଜ୍ଞ ଅମିୟ ଚରଣ ବାନାର୍ଜୀ, ବୈଦିକ ଜ୍ୟୋତିର୍ବିଦ ଏନ୍.ସି. ଲାହିରୀଙ୍କ ସମେତ ଛଅ ଜଣ ବିଶାରଦ କମିଟିର ସଦସ୍ୟ ରହିଲେ। ସେ ସମୟରେ ଦେଶରେ ପ୍ରଚଳିତ ଖ୍ରୀଷ୍ଟିଆନ ଓ ଇସଲାମିକ କାଲେଣ୍ଡରକୁ ବାଦଦେଇ ହିନ୍ଦୁ, ଜୈନ ଓ ବୌଦ୍ଧ ପରଂପରାରେ ତିରିଶରୁ ଅଧିକ ସଂଖ୍ୟକ ପଞ୍ଜିକା ପ୍ରଚଳିତ ଥିଲା। ସେଗୁଡ଼ିକ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା, କମିଟି ନିମନ୍ତେ ଆହ୍ୱାନ ଥିଲା। କିନ୍ତୁ କମିଟିର ଅଧ୍ୟକ୍ଷ ମେଘନାଦ ଶାହା ଏହାକୁ ସାମନା କରିବା ପାଇଁ ସମର୍ଥ ଥିଲେ। ଜ୍ୟୋତିର୍ବିଜ୍ଞାନୀ ମେଘନାଦ ଶାହାଙ୍କ ସଂପର୍କରେ ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ ସେ ଥିଲେ ନିଉକ୍ଲିଅର ଫିଜିକ୍ସ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ। ବିଜ୍ଞାନ ଜଗତକୁ ଅବଦାନ ନିମନ୍ତେ ତାଙ୍କ ନାମ ୧୯୩୦, ୧୯୩୭, ୧୯୩୯, ୧୯୪୦, ୧୯୫୧ ଓ ୧୯୫୫ ମସିହାରେ ନୋବେଲ ପୁରସ୍କାର ନିମନ୍ତେ ସୁପାରିଶ କରାଯାଇଥିଲା। କିନ୍ତୁ ସେ ସମୟରେ ନୋବେଲ ପୁରସ୍କାର ନିମନ୍ତେ ଜ୍ୟୋତିର୍ପଦାର୍ଥ ବିଜ୍ଞାନ ଅନ୍ତର୍ଭୁକ୍ତ ନ ଥିବାରୁ, ତାଙ୍କ ନାମ ବାଦ ପଡ଼ିଗଲା।
ଖ୍ରୀ.ପୂ. ୪୫ ମସିହାରେ ସମ୍ରାଟ ଜୁଲିଅସ୍ ସିଜର, ରୋମାନ କାଲେଣ୍ଡରରେ ପରିବର୍ତ୍ତନ ଆଣି ସମଗ୍ର ୟୁରୋପରେ ଜୁଲିଆନ୍ କାଲେଣ୍ଡର ପ୍ରଚଳନ କରିଥିଲେ। ଏହି କାଲେଣ୍ଡର ସୂର୍ଯ୍ୟଙ୍କର ଗତି ଆଧାରରେ ନିରୂପଣ କରାଯାଇଥିଲା। ବ୍ରିଟିଶ୍ ଶାସନ କାଳରେ ଆମ ଦେଶରେ ଖ୍ରୀଷ୍ଟିଆନ କାଲେଣ୍ଡର ପ୍ରଚଳନ ଆରମ୍ଭ ହେଲା। ୧୫୮୨ ମସିହାରେ ପୋପ୍ ଗ୍ରେଗୋରି ତ୍ରୟୋଦଶଙ୍କ ସମୟରେ ଏହି ପଞ୍ଜିକାର ଶୁଭାରମ୍ଭ ହୋଇଥିଲା। ଜୁଲିଆନ୍ କାଲେଣ୍ଡରରେ ବର୍ଷକ ୩୬୫.୨୫ ଦିନ ଗଣନା କରାଯାଇଥିବାବେଳେ, ଗ୍ରେଗୋରି କାଲେଣ୍ଡରରେ ଆହୁରି ସଠିକ୍ ଭାବେ ଏହା ୩୬୫.୨୪୨୫ ଦିନ ଧାର୍ଯ୍ୟ ହେଲା। ୧୭୫୨ ମସିହାରେ ଏହା ବ୍ରିଟେନରେ ପ୍ରଚଳନ ହେବା ପରେ ଭାରତକୁ ଆସିଲା। ଧାର୍ମିକ ରୀତିନୀତି ବ୍ୟତୀତ ଏହା ଦେଶର ଶାସନ ବ୍ୟବସ୍ଥା ଓ ସାମାଜିକ ଚଳଣିର ଅଂଶ ପାଲଟିଗଲା। ସ୍ୱାଧୀନତା ପ୍ରାପ୍ତି ସମୟରେ ଆମ ଦେଶରେ ଖ୍ରୀଷ୍ଟିଆନ ଗ୍ରେଗୋରି, ଇସଲାମିକ ହିଜରି କାଲେଣ୍ଡରକୁ ବାଦ ଦେଇ ହିନ୍ଦୁ ପରଂପରାରେ ପ୍ରାୟତଃ ୩୦ଟି ପ୍ରମୁଖ ପଞ୍ଜିକା ପ୍ରଚଳିତ ଥିଲା। ବାହ୍ୟତଃ ପରସ୍ପର ପ୍ରତିଦ୍ୱନ୍ଦ୍ବୀ ମନେହେଉଥିଲେ ହେଁ, ପଞ୍ଜିକାସମୂହର ଅନ୍ତଃସ୍ୱର ଥିଲା ଏକ। ହଜାର ହଜାର ବର୍ଷ ଧରି ଦେଶର ବିବିଧତା ମଧ୍ୟରେ ଏକତା ସୃଷ୍ଟି କରିବା ପାଇଁ ପଞ୍ଜିକାସମୂହ ସମର୍ଥ ହୋଇଥିଲେ। ପ୍ରତିଟି ପ୍ରମୁଖ ଶାସନକାଳ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପରଂପରା ଆଧାରରେ ନୂତନ ପଞ୍ଜିକା ସୃଷ୍ଟି ହୋଇଥିଲା। ତେଣୁ ପଞ୍ଜିକାରୁ ସେହି ସମୟର ସଂସ୍କୃତି ଓ ଜୀବନଚର୍ଯ୍ୟା ଆକଳନ କରାଯାଇଥାଏ।
ତିରିଶଟି ଭାରତୀୟ ହିନ୍ଦୁ ପଞ୍ଜିକାକୁ ମୁଖ୍ୟତଃ ପାଞ୍ଚଟି କ୍ରମବିକାଶ ଧାରାରେ ବିଭକ୍ତ କରାଯାଇପାରେ- କଳିଯୁଗ ପଞ୍ଜିକା, ବୁଦ୍ଧ ନିର୍ବାଣ ପଞ୍ଜିକା, ବିକ୍ରମ ସମ୍ବତ ପଞ୍ଜିକା, ଶକ ପଞ୍ଜିକା ଓ ବେଦାଙ୍ଗ ଜ୍ୟୋତିଷ ପଞ୍ଜିକା। ଯଦି ୨୦୦୦ ମସିହାକୁ ମାପକ ଭାବେ ଗ୍ରହଣ କରାଯାଏ; କଳିଯୁଗ ପଞ୍ଜିକାରେ ତାହା ୬୦୦୧, ବୁଦ୍ଧ ନିର୍ବାଣ ପଞ୍ଜିକାରେ ୨୫୪୪, ବିକ୍ରମ ସମ୍ବତରେ ୨୦୫୭, ଶକ ପଞ୍ଜିକାରେ ୧୯୨୨ ଏବଂ ବେଦାଙ୍ଗ ଜ୍ୟୋତିଷ ଗଣନା ଆଧାରରେ ୧୯୨୧ ବର୍ଷ। ପଞ୍ଜିକା ପ୍ରସ୍ତୁତିରେ ଦୁଇଟି କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ- ଗାଣିତିକ ସୂତ୍ର ଓ ପାରମ୍ପରିକ ସ୍ରୋତ। ଗାଣିତିକ ସୂତ୍ରର ସଠିକ୍ ‘ଶୂନ୍ୟକାଳ’ ଗଣନା ଆଧାରରେ ନିର୍ଭୁଲ୍ ପଞ୍ଜିକା ପ୍ରସ୍ତୁତ କରାଯାଏ। ଭିନ୍ନ ମତ ଆସିବାରୁ କଳିଯୁଗ ପଞ୍ଜିକାର ‘ଶୂନ୍ୟ କାଳ’ ନିରୂପଣ କରିବା ସହଜ ହେଲା ନାହିଁ। ବିକ୍ରମ ସମ୍ବତର ଶୂନ୍ୟକାଳ ଖ୍ରୀ.ପୂ. ୫୭ ଏବଂ ଶକାବ୍ଦର ଶୂନ୍ୟକାଳ ୭୮ ଖ୍ରୀଷ୍ଟାବ୍ଦ ନିରୂପଣ କରାଯାଇଛି। ଯୀଶୁଖ୍ରୀଷ୍ଟ ଖ୍ରୀ.ପୂ. ୪ରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ, ତାଙ୍କୁ ଆଧାର କରି ଖ୍ରୀଷ୍ଟାବ୍ଦ ପ୍ରଚଳନ ହେଲା। ବିଜ୍ଞାନସମ୍ମତ ସଠିକ୍ ଶୂନ୍ୟକାଳ ନିରୂପଣ ହୋଇ ନ ପାରିବାରୁ କଳିଯୁଗ ପଞ୍ଜିକା, ବେଦାଙ୍ଗ ପଞ୍ଜିକା, ବୁଦ୍ଧ ନିର୍ବାଣ ପଞ୍ଜିକା ଓ ବିକ୍ରମ ସମ୍ବତ ପଞ୍ଜିକା ବାଦ ପଡ଼ିଗଲା। ପ୍ରତିଟି ହିନ୍ଦୁ ପଞ୍ଜିକା ମଧ୍ୟରେ ଅପୂର୍ବ ସାମଞ୍ଜସ୍ୟ ରହିଛି। ସମସ୍ତ ପଞ୍ଜିକାର ନବ ବର୍ଷ ପ୍ରାୟତଃ ଏପ୍ରିଲ ମାସ ମଧ୍ୟ ଭାଗରେ ଆରମ୍ଭ ହୁଏ। ଆଉ ଏକ ଅଭିନବ ସାମଞ୍ଜସ୍ୟ ହେଉଛି ଉଜ୍ଜୟିନୀ। ସାହିତ୍ୟ, ସଂସ୍କୃତି ଓ ସୁଶାସନ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ ଭାବେ ପୁରାଣ ଓ ଇତିହାସରେ ଉଜ୍ଜୟିନୀ ନଗରର ବହୁ ବର୍ଣ୍ଣନା ରହିଛି। କାଳିଦାସଙ୍କ ଅମର କୃତିରେ ଏହା ମହିମାମଣ୍ଡିତ ହୋଇଛି। ଏହା ଏକ ଅପୂର୍ବ ସମନ୍ୱୟ ଯେ ବିକ୍ରମ ସମ୍ବତ, ଶକାବ୍ଦ ଏବଂ ଆହୁରି ଅନେକ ପଞ୍ଜିକା ଏହି ନଗରରୁ ଜନ୍ମଗ୍ରହଣ କରିଛି। ଆଜି ମଧ୍ୟ ଉଜ୍ଜୟିନୀ ସହର ଭାରତୀୟ ସମୟର ମାନକ ଭାବେ ବିବେଚିତ।
ଶକ ଯୁଗକୁ ଜାତୀୟ ପଞ୍ଜିକା ଆଧାର ଭାବେ ଗ୍ରହଣ କରିବା ପାଇଁ ପଞ୍ଜିକା ସଂସ୍କାର କମିଟି ଅନୁମୋଦନ କରିଥିଲେ। ଏହାର ବିଭିନ୍ନ କାରଣ ମଧ୍ୟରୁ ମୁଖ୍ୟ ହେଲା- ନିର୍ଭୁଲ୍ ପଞ୍ଜିକା ପ୍ରଣୟନ କ୍ଷେତ୍ରରେ ଏହା ସର୍ବପ୍ରାଚୀନ। ପଞ୍ଜିକା ସଂସ୍କାର କମିଟିର ଅନୁମୋଦନ କ୍ରମେ ଭାରତ ସରକାର ୧୮୭୯ ଶକାବ୍ଦ ଚୈତ୍ର ମାସ ପ୍ରଥମ ଦିନ (୧୯୫୭ ମସିହା ମାର୍ଚ୍ଚ ୨୨ ତାରିଖ)କୁ ନବ ବର୍ଷ ଭାବେ ସ୍ୱୀକୃତି ଦେଇ ସେହି ବର୍ଷ ଠାରୁ ଜାତୀୟ ସ୍ତରରେ ଶକାବ୍ଦ ପ୍ରଚଳନ ଘୋଷଣା କଲେ। ପାରଂପରିକ ହିନ୍ଦୁ ପଞ୍ଜିକା ଆଧାରରେ ବର୍ଷର ପ୍ରଥମ ମାସ ରହିଲା ଚୈତ୍ର ମାସ ଏବଂ ସପ୍ତାହର ପ୍ରଥମ ଦିନ ହେଲା ରବିବାର।
ପୂର୍ବରୁ କୁହାଯାଇଛି ପଞ୍ଜିକା ପ୍ରସ୍ତୁତିରେ ଦୁଇଟି କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ- ଗାଣିତିକ ସୂତ୍ର ଓ ପାରମ୍ପରିକ ସ୍ରୋତ। ଗଣନାର ଆଧାର ଦୋଷଯୁକ୍ତ ହେଲେ ପଞ୍ଜିକାରେ ତ୍ରୁଟି ରହିବା ସ୍ୱାଭାବିକ। ପ୍ରାଚୀନ ଭାରତୀୟ ପଞ୍ଜିକାରେ ବର୍ଷକ ୩୬୫.୨୫୮୭୫୬ ଦିନ ଧାର୍ଯ୍ୟ କରାଯାଇଥିଲାବେଳେ, ଆଧୁନିକ ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ ବର୍ଷର ସଠିକ୍ ଗଣନା ହେଉଛି ୩୬୫.୨୪୨୧୯୬। ତେଣୁ ଏହି ଆଧାରରେ ଗୋଟିଏ ବର୍ଷରେ ୦.୦୧୬୫୬ ଦିନର ପାର୍ଥକ୍ୟ ଆସିଲା। ତେଣୁ ୧୪୦୦-୧୫୦୦ ବର୍ଷରେ ଏହି ପାର୍ଥକ୍ୟ ୨୩ ଦିନକୁ ବୃଦ୍ଧି ପାଇଲା। ତେଣୁ ଯେଉଁ ନବ ବର୍ଷ ମାର୍ଚ୍ଚ ୨୨ ତାରିଖରେ ପଡ଼ିବା କଥା, ତାହା ଏବେ ଏପ୍ରିଲ ୧୪ ତାରିଖକୁ ପରିବର୍ତ୍ତିତ ହୋଇଯାଇଛି। ୟୁରୋପରେ ମଧ୍ୟ ସମାନ ପରିସ୍ଥିତି ଉତ୍ପନ ହୋଇଥିଲା। ଜୁଲିଅସ ସିଜରଙ୍କ ସମୟରେ ଗୋଟିଏ ବର୍ଷ ୩୬୫.୨୫ ଦିନ ବୋଲି ଧାର୍ଯ୍ୟ ହୋଇଥିଲା। ଏହି ଗଣନା ଆଧାରରେ ୧୫୮୨ ମସିହାରେ ଖ୍ରୀଷ୍ଟମାସ ପାଳନ ସମୟରେ ୧୦ ଦିନର ପାର୍ଥକ୍ୟ ଆସିଲା। ସେ ସମୟରେ ପୋପ୍ ଗ୍ରେଗୋରି ତ୍ରୟୋଦଶ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆଧାରରେ ଅକ୍ଟୋବର ୫ ତାରିଖକୁ ଅକ୍ଟୋବର ୧୫ ତାରିଖ ଭାବେ ଘୋଷଣାନାମା ଜାରି କଲେ ଏବଂ ସେହି ସମୟରୁ ଅଧିବର୍ଷ ନିୟମ ପ୍ରଚଳନ ହେଲା। ଯେହେତୁ ଧର୍ମ ଓ ଶାସନ ବ୍ୟବସ୍ଥାର କେନ୍ଦ୍ର ଥିଲେ ପୋପ୍, ତେଣୁ ସମସ୍ତେ ତାଙ୍କ ନିର୍ଦ୍ଦେଶନାମା ଗ୍ରହଣ କରିଥିଲେ।
କାଲେଣ୍ଡର ସଂସ୍କାର କମିଟି ନୂତନ ଜାତୀୟ ପଞ୍ଜିକା ଉପହାର ଦେବା ସହିତ ପଞ୍ଜିକାର ଆବଶ୍ୟକତା ଏବଂ ନିର୍ମାଣ ପଦ୍ଧିତର କଳା ଓ କୌଶଳ ରିପୋର୍ଟରେ ବର୍ଣ୍ଣନା କରିଛନ୍ତି। ପ୍ରଫେସର ମେଘନାଦ ଶାହା ପାଞ୍ଚ ବର୍ଷର ପଞ୍ଜିକା ପ୍ରସ୍ତୁତ କରି ସରକାରଙ୍କୁ ଭେଟି ଦେଇଥିଲେ ଯାହା ଫଳରେ ସରକାର ସହଜରେ ଛୁଟି ତାଲିକା ଘୋଷଣା କରିପାରିବେ। ଶକାବ୍ଦ ପଞ୍ଜିକା ହେଉଛି ଜାତୀୟତାର ପ୍ରତୀକ। ଚୈତ୍ର ମାସ ପ୍ରଥମ ଦିନ ଆମ ଶୁଭ ନବ ବର୍ଷ। ବିଡମ୍ବନା, ଛଅ ଦଶନ୍ଧିରୁ ଅଧିକ କାଳ ବିତିଯାଇଥିଲେ ମଧ୍ୟ ଦେଶର ଅଧିକାଂଶ ଅଧିବାସୀ ଏ ସଂପର୍କରେ ସଚେତନ ନୁହନ୍ତି। ଏହା କେବଳ ସରକାରୀ ଗେଜେଟ୍, ବିଦେଶୀ ରାଷ୍ଟ୍ର ସହିତ ଦ୍ୱିପାକ୍ଷିକ ରାଜିନାମା, ଆକାଶବାଣୀ ଘୋଷଣାନାମାରେ ସୀମିତ ରହିଛି। ୧୯୯୨ ମସିହା ଜୁଲାଇ ୩୧ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାତୀୟ କାଲେଣ୍ଡର ସମ୍ବଳିତ ତାରିଖକୁ ମାନ୍ୟତା ଦେବା ପାଇଁ ସମସ୍ତ ବ୍ୟାଙ୍କକୁ ଏକ ପରିପତ୍ର ପ୍ରେରଣ କରାଗଲା। କିନ୍ତୁ ସେହି ବିଜ୍ଞପ୍ତି ନାଲି ଫାଇଲ ଭିତରେ ଲୁଚି ରହିଯାଇଛି। ସାଧାରଣ ଜୀବନରେ ଜାତୀୟ କାଲେଣ୍ଡର ପ୍ରଚଳନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଶେଷ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଯୁବ ପିଢ଼ି ଏ ସଂପର୍କରେ ସଚେତନ ହେଲେ, ତାହା କ୍ରମଶଃ ବ୍ୟାପକ ରୂପ ନେବ।
ମୋ: ୯୪୩୭୧୯୧୩୫୦