ସୌକୁମାର୍ଯ୍ୟ ବିନା ସର୍ଜନଶୀଳତା କାହିଁ? କଳ୍ପନା-ବିଳାସ ବିନା କାହିଁ କାବ୍ୟ-କବିତା? କଳା ଓ କଳ୍ପନା ଯେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ଏଥିରେ ଦ୍ୱିରୁକ୍ତି ନାହିଁ।
ଭାରତୀୟ କାବ୍ୟ-କାହାଣୀରେ ଗଛବୃଚ୍ଛ, ପାହାଡ଼ପର୍ବତମାନେ ଚାଲିପାରନ୍ତି ତ ନଦୀ ନାରୀରେ ପୁଣି ନାରୀ ନଦୀରେ ରୂପାନ୍ତରିତ ହୋଇପାରନ୍ତି। କଦବା କେମିତି କେଉଁ ଜହ୍ନଦୀପ୍ତ ନିଶୀଥରେ ପରୀମାନେ ଆକାଶରୁ ଓହ୍ଲାଇ ଆସନ୍ତି ମାଟି ବୈକୁଣ୍ଠକୁ। ମୁନିଋଷିମାନେ ନିର୍ବିଘ୍ନରେ ଗମନାଗମନ କରନ୍ତି ନୀଳନଭରେ। ସେମିତି ଆମ ଶାସ୍ତ୍ରପୁରାଣରେ ସୁରାସୁରଗଣ ଏକାଧିକ ହସ୍ତ ଓ ମସ୍ତକ ବିମଣ୍ଡିତ। ଏସବୁ କଳ୍ପନା-ବିଳାସ ସାହିତ୍ୟର ଅନ୍ତରାତ୍ମା। ସାହିତ୍ୟ ସମାଜର ଫଟୋଗ୍ରାଫି ନୁହେଁ, ଜୀବନର ଚାରୁକଳା।
ମାଟିର ମହାକବି ସାରଳା ଦାସ ନିଜ ମାଟିର ମୁଗ୍ଧ ଉଚ୍ଚାରଣ ସମେତ କଳା-କଳ୍ପନାର ଅପ୍ରତିମ ରୂପକାର ଭାବରେ ବିଶ୍ୱବିଦିତ। ନବଗୁଞ୍ଜରର ପରିକଳ୍ପନା ପୃଥିବୀର କୌଣସି ବି ଭାଷା ସାହିତ୍ୟରେ ବିରଳ। ଗୋଟିଏ ଶରୀରରେ ନଅଗୋଟି ପ୍ରାଣୀଙ୍କ ଅଙ୍ଗର ସମ୍ମିଶ୍ରଣ ଅଦ୍ଭୁତ ଓ ଅଭୂତପୂର୍ବ– “ଶୁଣହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି, ୟେକଇ ଶରୀରେ ଦେବ ଧଇଲେ ଯେ ନବମୃତ୍ତି।” କୁକୁଡ଼ାର ମୁଣ୍ଡ, ବୃଷଭର ଚୂଳ, ମୟୂରର କଣ୍ଠ, ସର୍ପର ଲାଞ୍ଜ, ସିଂହର କଟି, ଚାରି ଗୋଡ଼ ମଧ୍ୟରୁ ଗୋଟିଏ ଗୋଡ଼ ବାଘର, ଗୋଟିଏ ମୃଗର, ଗୋଟିଏ ହାତୀର, ପୁଣି ଆଗ ପାଦଟି ମଣିଷର ହାତ ଅଟଇ।
ଓଡ଼ିଆ ଭାଷାର ପ୍ରଥମ ମହାକାବ୍ୟରେ ଏମନ୍ତ ମହାଭାଷ୍ୟ ଭାରତୀୟ ସାହିତ୍ୟ, ପ୍ରକାରାନ୍ତରେ ବିଶ୍ୱ ସାହିତ୍ୟରେ ଅଦ୍ୱିତୀୟ।
‘ପ୍ରବହମାନତା’ ଓ ‘ପରିବର୍ତ୍ତନ’ କାଳେ କାଳେ ସାହିତ୍ୟର ବିଲକ୍ଷଣ। ପରବର୍ତ୍ତୀ ପଞ୍ଚସଖା ଯୁଗରେ ଭାଗବତକାର ପୂଜ୍ୟପାଦ ଜଗନ୍ନାଥ ଦାସଙ୍କ ‘ବିରାଟପୁରୁଷ’ର ବର୍ଣ୍ଣନା ମଧ୍ୟ ଭାରତୀୟ ସାହିତ୍ୟରେ ଏକ ଅନତିକ୍ରମ୍ୟ ଅବତାରଣା। ବିରାଟପୁରୁଷ ଅବଶ୍ୟ ଭାରତୀୟ ମୁନିମନୀଷାର ଆବିଷ୍କାର। ଚଉଦ ଭୁବନ ପ୍ରମାଣ ବିରାଟପୁରୁଷଙ୍କ ଶରୀର। ସମୁଦ୍ର ସମ ତାଙ୍କ ଉଦର, ପାହାଡ଼ ପର୍ବତ ତାଙ୍କର ଅସ୍ଥିସମୂହ, ପୁଣି ନଦନଦୀ ତାଙ୍କର ଶିରାପ୍ରଶିରା। ବିରାଟ ପୁରୁଷଙ୍କ ରୂପ ବର୍ଣ୍ଣନା ଶୀର୍ଷମଣ୍ଡିତ ହୋଇଛି, ଜଗନ୍ନାଥ ଦାସ ଯେତେବେଳେ ପ୍ରକୃତିକୁ ବିରାଟପୁରୁଷଙ୍କ ହୃଦୟ ଏବଂ ପକ୍ଷୀମାନଙ୍କୁ ତାଙ୍କ ରଚନାକୌଶଳ ଭାବରେ ଅଭିହିତ କରିଛନ୍ତି। ଭାଗବତର ନବାକ୍ଷରୀ ଅକ୍ଷରସଜାର ତୁଳନା ନାହିଁ –
“ପ୍ରକୃତି ହୃଦୟ ଯାହାର।
ଯାହାର ମନ ନିଶାକର।।
ପକ୍ଷୀଏ ଯାର ବ୍ୟାକରଣ।
ବୁଦ୍ଧି ବିଷୟ ମନୁଗଣ।।”
ପୁରାଣ ଯୁଗ ଅନ୍ତେ, ଓଡ଼ିଆ ସହିତ୍ୟରେ ଯେତେବେଳେ ଶବ୍ଦାଡ଼ମ୍ବରର ଅଧ୍ୟାୟ ଆରମ୍ଭ ହେଲା, ପୁରୋଭାଗରେ ରହିଲେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ। ଶବ୍ଦ ଓ ସୌନ୍ଦର୍ଯ୍ୟର ଉପାସକ ଭଞ୍ଜ ବୀରବରଙ୍କ କାବ୍ୟ ନାୟିକା ଅନନ୍ୟା। ଆଜିକାଲି ଭାରତ ସୁନ୍ଦରୀ, ଏସିଆ ସୁନ୍ଦରୀ, ବିଶ୍ୱ ସୁନ୍ଦରୀ, ପୁଣି ବ୍ରହ୍ମାଣ୍ଡ ସୁନ୍ଦରୀ- ଏପରି ମାଳମାଳ ସୁନ୍ଦରୀ ଚୟନ ପ୍ରକ୍ରିୟା ସହିତ ବିଶ୍ୱ ବେଶ୍ ପରିଚିତ। କିନ୍ତୁ ଭଞ୍ଜ-ନାୟିକା ଏହି ସୁନ୍ଦରୀମାନଙ୍କ ଠାରୁ କାହିଁ କେତେ ଊର୍ଦ୍ଧ୍ୱରେ। ତାଙ୍କ ନାୟିକା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ଭଞ୍ଜଙ୍କ ମାନସକନ୍ୟା ରୂପଗୁଣରେ କୋଟିଏରେ ଗୋଟିଏ ନୁହେଁ, କୋଟିଏ ବ୍ରହ୍ମାଣ୍ଡରେ ଗୋଟିଏ ସୁନ୍ଦରୀ। ଅତୁଳନୀୟ ଏମନ୍ତ କଳ୍ପନା-ବିଳାସ।
କବିବର ରାଧାନାଥଙ୍କ ବେଳକୁ ଶବ୍ଦର ଚାତୁର୍ଯ୍ୟ ନ ଥିଲା, ଥିଲା କିନ୍ତୁ ନନ୍ଦନ ନୈବେଦ୍ୟ। ରାଧାନାଥଙ୍କ ଦୃଷ୍ଟିରେ ଅନିତ୍ୟ ପୃଥିବୀରେ ସୌନ୍ଦର୍ଯ୍ୟ ହିଁ ନିତ୍ୟ। ପ୍ରକୃତି ନାରୀର ସୌନ୍ଦର୍ଯ୍ୟକୁ ସୌଷ୍ଠବ କରେ, କିନ୍ତୁ ରାଧାନାଥୀୟ ଚେତନାରେ ନାରୀ ପ୍ରକୃତିକୁ ଜୀବନ୍ତ କରେ, କରେ ସୁଷମାମଣ୍ଡିତ। କାବ୍ୟନାୟିକା ଚନ୍ଦ୍ରଭାଗାଙ୍କ ପଳାୟନ ଓ ସୂର୍ଯ୍ୟଦେବଙ୍କ ଅନୁଧାବନ ପରି ଏକ ରୋମାଞ୍ଚକର ବର୍ଣ୍ଣନା ରହିଛି ଚନ୍ଦ୍ରଭାଗା କାବ୍ୟରେ। ଚନ୍ଦ୍ରଭାଗା ଯେତେବେଳେ ପଳାୟନ କରୁଛନ୍ତି, ତାଙ୍କ କୁନ୍ତଳ ଫିଟି ପଡୁଛି, ଯାହା ଅତ୍ୟନ୍ତ ସ୍ୱାଭାବିକ। କିନ୍ତୁ କୁନ୍ତଳ ଭୂମିସ୍ପର୍ଶ କରିବା ରାଧାନାଥଙ୍କ ପରିକଳ୍ପନାର ଶିଖରୀଶିଖର। ପୁଣି ଚନ୍ଦ୍ରଭାଗାଙ୍କ ଆଖିରେ ଥିଲା କେଉଁ ଯାଦୁର ଅଞ୍ଜନ, ସେ ଯେଉଁଆଡ଼େ ଚାହୁଁଛନ୍ତି, ସେଠାରେ ପୁଷ୍ପ ବୃଷ୍ଟି ହେଉଛି- “ଅସମ୍ଭାଳେ ଫିଟି କୁନ୍ତଳ ଭୂମି ଯାଏ ପରଶି, ଯେଣେ ଅନାଉଛି ଲଳନା ଫୁଲ ଯାଏ ବରଷି।”
“ତୁମର ନନ୍ଦନ କଳା, ତୁମ୍ଭର ସେ ମାଧବୀ କଳ୍ପନା, କିପରି ମଣିଷ ସତେ କହ କହ କରିବ ଅର୍ଚ୍ଚନା”, ଏମିତି ଏକଦା ଶାଣିତ ଶବ୍ଦର ବିସ୍ଫୋରଣ ସୃଷ୍ଟି କରିଥିବା ସଚ୍ଚି ରାଉତରାୟଙ୍କ ମାଧବୀ କଳ୍ପନାର ବି କଳନା ନାହିଁ। ଆଧୁନିକ ଓଡ଼ିଆ ସାହିତ୍ୟରେ ରୂପ ବର୍ଣ୍ଣନାରେ ସଚ୍ଚି ରାଉତରାୟଙ୍କର ବୋଧହୁଏ କେହି ସମକକ୍ଷ ନାହାନ୍ତି। ତାଙ୍କ ‘ପାଂଡୁଲିପି’ର କାବ୍ୟନାୟିକା ‘ପ୍ରତିମା ନାୟକ’ର ମୁହଁ ଭର୍ତ୍ତି ବ୍ରଣ ଚିହ୍ନ। ପୁଣି ଦର୍ଶନରେ ଏମ୍.ଏ. ପଢ଼ିଥିବା ପ୍ରତିମାର ବାହାଘର କେବେ ଠାରୁ ଭାଙ୍ଗି ଯାଇଥିଲା। ସଚ୍ଚିବାବୁଙ୍କ ସହିତ ଦେଖା ହେଲା ବେଳକୁ ସେ ସପ୍ଲାଇ ଡିପାଟମେଣ୍ଟରେ ଚାକିରି କରିଥିଲା। ଏସବୁ ମନେ ହୁଏ ଖୁବ୍ ବାସ୍ତବ। ବାଟରେ ଘାଟରେ, ବସ୍ରେ ଟ୍ରେନ୍ରେ ବା ହାଟବଜାରରେ ଅଥବା ହଲ୍ ବା ମଲ୍ରେ ସେମିତି ଗୋଟେ ଝିଅ ସହିତ ଦେଖା ହେବାରେ ଅସ୍ୱାଭାବିକତା ନାହିଁ। କିନ୍ତୁ ସଚ୍ଚିବାବୁ ଧୂଆଁ ଧୂଳି ଠାରୁ ଦୂରେଇ ଯାଇ ବୟସର ଧୂଳି ପାଖରେ ପହଞ୍ଚିଗଲେ। ବୟସର ଧୂଳି ପୁଣି ଗୋଲାପ ବା ନୀଳକଇଁ ପରି ନୁହେଁ। ଜାପାନୀ କାଗଜଫୁଲ ପରି। “ଜାପାନୀ କାଗଜଫୁଲ ପରି ଦେହେ ବୟସର ଧୂଳି, ପଚାରିଲି- ‘ଭଲ ଅଛ?’ କଂଠେ ମୋର ବିଷନ୍ନ ଗୋଧୂଳି।” ଏହା ଠାରୁ ବଳି ମାଧବୀ କଳ୍ପନା ଆଉ କ’ଣ ଥାଇପାରେ!
ମାଧବୀ କଳ୍ପନା କିନ୍ତୁ ସାହିତ୍ୟର ଆଧାରଶିଳା। ବିଶ୍ୱର ଯେକୌଣସି ସାହିତ୍ୟ ପରି ସାରଳାଙ୍କ ଠାରୁ ସଚ୍ଚିଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ଓଡ଼ିଆ ସାହିତ୍ୟର ଆନ୍ତଃସଲିଳା ଫଲ୍ଗୁର ନାମ କଳ୍ପନା ହିଁ କଳ୍ପନା; ମାଧବୀ କଳ୍ପନା।
ମୋ: ୯୪୩୭୧୪୩୮୯୬