ଥରେ ଜଣେ ଅନୁଗାମୀ ୟୁଜିକେଙ୍କୁ ପଚାରିଲେ- ଆମେମାନେ କାହିଁକି କ୍ଷୁଦ୍ରମନା ହେଉ, କାହିଁକି ସଂକୀର୍ଣ୍ଣତା ଦ୍ବାରା ଭରି ହୋଇଯାଉ?
ୟୁଜିକେ କହିଲେ- ପଚାରିଛ ଯେବେ, ଶୁଣ ଏହି କଥାଟିଏ। ଥରେ ମୁଲ୍ଲା ନସିରୁଦ୍ଦିନ ମାଛ ମାରିବାକୁ ଗଲେ। ସେ ଦିନ ତାଙ୍କ ଭାଗ୍ୟ ଭଲ ଥିଲା। ବନ୍ଶୀ ଖଡ଼ାରେ ବହୁତ ମାଛ ପଡ଼ିଲେ। କିନ୍ତୁ ମୁଲ୍ଲା ସବୁବେଳେ ଯେମିତି ଉଦ୍ଭଟ କାମମାନ କରନ୍ତି, ସେମିତି କଲେ। ସେ ଛୋଟ ଛୋଟ ମାଛ ରଖି ବଡ଼ ବଡ଼ ମାଛ ନଈରେ ଛାଡ଼ିଦେଲେ।
ଏ କଥା ଦେଖିଲା ମୁଲ୍ଲାଙ୍କ ପଡ଼ୋଶୀ ଫଜଲୁ। ସେ କହିଲା- ମୁଲ୍ଲା, ଏ କ’ଣ କରୁଛ? ଛୋଟ ଛୋଟ ମାଛ ରଖୁଛ ଅଥଚ ବଡ଼ ବଡ଼ ମାଛ ଛାଡ଼ି ଦେଉଛ? ବଡ଼ ମାଛ ଖାଇବାରେ ସିନା ମଜା ଥାଏ।
ମୁଲ୍ଲା କହିଲେ- ତୁ ଆଉ ଅଧିକ ଚାଲାକି ଦେଖାନା। ମୁଁ ବି ଜାଣିଛି ଯେ ବଡ଼ ମାଛରେ ଅଲଗା ମଜା। କିନ୍ତୁ କରିବି କ’ଣ? ଆମ ଘରର ତାୱାଟା ଛୋଟ। କେବଳ ଛୋଟ ମାଛ ଭାଜି ହେବ ସିନା, ବଡ଼ ମାଛ ସେଥିରେ ଧରିବ ନାହିଁ। ବଡ଼ ମାଛ ଘରକୁ ନେଲେ ମୋତେ ବଡ଼ ତାୱାଟିଏ ବି କିଣିବାକୁ ହେବ।
କଥାଟା କହିସାରି ୟୁଜିକେ କହିଲେ- ମୁଲ୍ଲା ଯଦି ବଡ଼ ତାୱାଟେ କିଣି ପକାନ୍ତେ ତେବେ ବଡ଼ ମାଛ ଖାଆନ୍ତେ। କିନ୍ତୁ ସେ ତାୱାକୁ ବଦଳାଇବେ ନାହିଁ। ସେହି ଭଳି ଆମେମାନେ ଆମ ମନକୁ ଛୋଟ କରି ରଖିଥିବାରୁ ବିଚାର ଛୋଟ ହୋଇଯାଉଛି ଏବଂ ଆମେ ସବୁ ଛୋଟ କଥା ସେଥିରେ ଧରୁଛି। ମନକୁ ବଡ଼ କଲେ ଆମେମାନେ ସଂକୀର୍ଣ୍ଣତାରୁ ରକ୍ଷା ପାଇବା।