ଏବେ ପୌଷ ମାସ ଚାଲିଥିବା ସହିତ ଆମ ରାଜ୍ୟରେ ବିବାହ କାରବାର ସ୍ଥଗିତ ରହିଛି। ପାଠକପାଠିକାମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ନା କୌଣସି ବିବାହ ସହିତ ପ୍ରତ୍ୟକ୍ଷ ବା‌ ପରୋକ୍ଷ ଭାବେ ସଂଶ୍ଳିଷ୍ଟ ରହିଥିବେ। ସେମାନେ ଜାଣିଥିବେ ଯେ ଅଧିକାଂଶ ଜାଗାରେ ବାହାଘର ପାତ୍ର ଯୋଗାଡ଼ ଆଞ୍ଚଳିକ ମଧ୍ୟସ୍ଥିମାନେ କରନ୍ତି। ପାତ୍ର ତଥା ପାତ୍ରୀ ଉଭୟଙ୍କ ତରଫରୁ ମଧ୍ୟସ୍ଥିମାନଙ୍କୁ ପାରିଶ୍ରମିକ ମିଳିଥାଏ। ଅବଶ୍ୟ, ଏ କଥା ଅଛପା ନାହିଁ ଯେ ଅନେକ ଜାଗାରେ ଭଲ ବର ପାତ୍ର ଏବଂ କନ୍ୟା ପାତ୍ର ଯୋଗାଡ଼ କରିବା ନାମରେ ଅନେକ ମିଛସତ କଥା କୁହାଯାଇଥାଏ, ଯାହା ଅନେକ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଅସୁବିଧା ବା ସମସ୍ୟା ସୃଷ୍ଟି କରିଥାଏ ଓ ବିଶେଷ କରି କନ୍ୟା ପରିବାରରେ ଦୁଶ୍ଚିନ୍ତା ବଢ଼ାଇଥାଏ। କିନ୍ତୁ ସେ ଯାହା ହେଉ ମଧ୍ୟସ୍ଥି ଜଣକ ତାଙ୍କ ପାଉଣାକୁ ଠିକ୍‌ ଆଦାୟ କରି ନିଅନ୍ତି; ଏପରିକି ଅନେକ ସମୟରେ ମଧ୍ୟସ୍ଥିମାନେ ବରପାତ୍ର ପାଇଥିବା ଯୌତୁକର କିଛି ଅଂଶ ନିଜର ପାରିଶ୍ରମିକ ବାବଦରେ ଦାବି ମଧ୍ୟ କରିଥାନ୍ତି। ବାହାଘର ଯୋଗାଡ଼ କରାଇଦେବାକୁ ଏକ ପେସା ରୂପେ ଗ୍ରହଣ କରିଥିବା ମଧ୍ୟସ୍ଥିମାନେ ଯେ କୌଣସି ଉପାୟରେ ବାହାଘରଟିକୁ କରାଇ ଦେବାକୁ ଚାହାନ୍ତି, ତେଣିକି ପରିଣାମ ଯାହା ହେଉ ନା କାହିଁକି!

Advertisment

କିନ୍ତୁ ଧୀରେ ଧୀରେ ସମୟ ବଦଳୁଛି। ବିଗତ କିଛି ବର୍ଷ ହେଲାଣି ଅନ୍‌ଲାଇନ୍‌ ମାଧ୍ୟମରେ ବାହାଘର ଯୋଡ଼ି ଖୋଜା କାରବାର ବଢ଼ିବାରେ ଲାଗିଛି। ପାରଂପରିକ ମଧ୍ୟସ୍ଥିମାନଙ୍କ ପେସାରେ ବିପୁଳ ବଣିଜର ସୁଯୋଗ ଦେଖି ଦେଶବ୍ୟାପୀ ଅନେକ ଅନ୍‌ଲାଇନ୍‌ ସଂସ୍ଥା ଏହି କ୍ଷେତ୍ରରେ ସକ୍ରିୟ।

ନିକଟ ଅତୀତରେ ‘ୱାର୍ଲଡ ବ୍ୟାଙ୍କ’ର ଏକ ରିପୋର୍ଟ ଅନୁସାରେ ଭାରତରେ ସମୁଦାୟ ଅବିବାହିତଙ୍କ ସଂଖ୍ୟା ପାଖାପାଖି ୬୦ କୋଟି, ଯହିଁରୁ ବିବାହ ଉପଯୁକ୍ତଙ୍କ ସଂଖ୍ୟା ପ୍ରାୟ ୧୦ କୋଟି ଏବଂ ଯେଉଁମାନେ ବାହାଘର ପାଇଁ ପାତ୍ର ବା ପାତ୍ରୀ ଖୋଜୁଛନ୍ତି। ବର୍ଷକୁ ଭାରତରେ ପାଖାପାଖି ୧.୫ କୋଟି ବାହାଘର ହୋଇଥାଏ। ଅନ୍ୟତମ ପ୍ରସିଦ୍ଧ ବିଶ୍ବସ୍ତରୀୟ ଅଡିଟ୍‌ ସଂସ୍ଥା ‘କେ.ପି.ଏମ୍.ଜି’ର ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ୨୦୧୬ ମସିହା ସୁଦ୍ଧା ଭାରତରେ ‘ଆରେଞ୍ଜଡ୍‌ ମ୍ୟାରେଜ୍‌’ ବା ‘ଯୋଗାଡ଼ଯନ୍ତ୍ରରେ ବିବାହ’ର ପରିମାଣ ଥିଲା ହାରାହାରି ୮୦%। ଭାରତରେ ହେଉଥିବା ବାହାଘରର ୬-୭% କ୍ଷେତ୍ରରେ ଜାତକ ମିଳନ କିମ୍ବା ପୁଅ ଝିଅଙ୍କର ପ୍ରସ୍ତାବ ବିନିମୟ ଅନ୍‌ଲାଇନ୍‌ ମାଧ୍ୟମରେ ହୁଏ। ଭାରତରେ ଅନ୍‌ଲାଇନ୍‌ ବାହାଘର ବ୍ୟବସାୟର ସମୁଦାୟ ଆୟ ୨୦୨୪ ମସିହା ସୁଦ୍ଧା ୨୦୦୦ କୋଟି ଟଙ୍କା ଛୁଇଁବ ବୋଲି ‘ମାଟ୍ରିମନି ଡଟ୍‌ କମ୍’ ଅନୁଷ୍ଠାନ ଆକଳନ କରିଛି। ତଥ୍ୟ କହେ, ଭାରତରେ ବାହାଘର ଯୋଡ଼ି ଯୋଗାଡ଼ ପାଇଁ ୧୦୦ରୁ ଅଧିକ ଅନ୍‌ଲାଇନ୍‌ ୱେବ୍‌ସାଇଟ୍‌ ରହିଛି।

ଏଇ ବ୍ୟବସାୟରେ ଭାରତରେ ପ୍ରାୟ ୧୦ଟି ବଡ଼ କମ୍ପାନି କାର୍ଯ୍ୟ କରୁଛନ୍ତି ଏବଂ ଉଲ୍ଲେଖ ଥାଉ କି ‘ଭାରତ ମାଟ୍ରିମନି’ର ବଜାର ଅଂଶ ୬୦%ରୁ ଅଧିକ ଏବଂ ଦେଶରେ ବିବାହ ଯୋଡ଼ି ଯୋଗାଡ଼ କରିବାରେ ଏକ ସର୍ବବୃହତ୍ ସଂସ୍ଥା ଯାହା ‘ମାଟ୍ରିମନି ଡଟ୍‌ କମ୍’ ନାମରେ ଅଧିକ ଜଣାଶୁଣା। ଏଇ ବ୍ୟବସାୟରେ ଥିବା ଭାରତର ମୁଖ୍ୟ ୫ଟି ସଂସ୍ଥା ବାର୍ଷିକ ୧୨-୧୫% ହାରରେ ନିଜର ବ୍ୟବସାୟ ବୃଦ୍ଧି କରୁଛନ୍ତି ଏବଂ ଏମାନଙ୍କର ଲାଭର ପରିମାଣ, ଆୟର ପାଖାପାଖି ୨୫-୩୦% ପ୍ରତିଶତ। ‘ମାଟ୍ରିମନି ଡଟ୍‌ କମ୍’ ଭଳି ସଂସ୍ଥା ଗତ ୫ ବର୍ଷରେ ସମୁଦାୟ ୧୮୬୮ କୋଟି ଟଙ୍କାର ବେପାର କରିଛି ଏବଂ ୨୫୦ କୋଟି ଟଙ୍କାର ଲାଭ ଅର୍ଜନ କରିଛି। କମ୍ପାନିର ଆୟ ବାର୍ଷିକ ୧୫% ହାରରେ ବୃଦ୍ଧି ପାଉଛି ଏବଂ ଲାଭ ୩୦% ହାରରେ ବଢୁଛି। ଏହି ଅନୁଷ୍ଠାନ ପ୍ରତ୍ୟକ୍ଷ ଭାବରେ ୩୫୦୦ ଲୋକଙ୍କୁ ନିଯୁକ୍ତି ଦେଇଛି ଏବଂ ୨୦,୦୦୦ ଲୋକ ଏହା ଦ୍ବାରା ପରୋକ୍ଷ ରୋଜଗାରର ଲାଭ ଉଠାଇ ପାରୁଛନ୍ତି। ଉଲ୍ଲେଖ ଥାଉ କି କୋଭିଡ୍‌ ପୂର୍ବରୁ ଭାରତରେ ବିବାହ ଜନିତ ଖର୍ଚ୍ଚର ପରିମାଣ ୫୦ ବିଲିଅନ ଡଲାର ଥିଲା, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୪.୪ ଲକ୍ଷ କୋଟି ହେବ। ଏଥିରୁ ଏଇ ବ୍ୟବସାୟରେ ଥିବା ସୁଯୋଗର ଅନୁମାନ ଲଗାଯାଇ ପାରେ। ଇଏ ତ ଗଲା ବାହାଘର ଯୋଡ଼ି ଯୋଗାଡ଼କୁ ନେଇ ବେପାର ବିଷୟ। ଏହା ବ୍ୟତୀତ ଏଭଳି ଅନୁଷ୍ଠାନଗୁଡ଼ିକ ଜରିଆରେ ବିବାହ ଯୋଗାଡ଼ଜନିତ ଅନେକ ସାମାଜିକ ସମସ୍ୟାର ସମାଧାନ ମଧ୍ୟ ହୋଇପାରୁଛି।

ବିଧବା କିମ୍ବା ସ୍ୱାମୀ ପରିତ୍ୟକ୍ତାଙ୍କର ପୁନଃବିବାହ ସାଧାରଣତଃ ଅତ୍ୟନ୍ତ କଷ୍ଟକର ହୋଇପ‌େଡ଼। ଆଞ୍ଚଳିକ ମଧ୍ୟସ୍ଥିମାନେ ଏଭଳି ବିବାହ ଯୋଗାଡ଼ କରିବାକୁ ଅନେକ କ୍ଷେତ୍ରରେ ପଛାନ୍ତି। କିନ୍ତୁ ଅନ୍‌ଲାଇନ୍‌ ସଂସ୍ଥାଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ଏହି ଅସୁବିଧା ଆଉ ପ୍ରାୟ ନାହିଁ ଏବଂ ଏଭଳି ସ୍ଥିତିରୁ ମାଟ୍ରିମନି କଂପାନିଗୁଡ଼ିକ ଲାଗି ବ୍ୟବସାୟ ଜନିତ ସମ୍ଭାବନା ବି ବୃଦ୍ଧି ପାଇଛି। ସାଧାରଣ ଭାବେ ଦେଖାଯାଏ ଯେ ବିଭାଘରକୁ ନେଇ ଆଞ୍ଚଳିକ ମଧ୍ୟସ୍ଥିଙ୍କ ପଛରେ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ହୁଏ; ତାହା ପୁଣି ବିଭିନ୍ନ ଆଳରେ ଏବଂ ଅବ୍ୟବସ୍ଥିତ ଭାବେ। କିନ୍ତୁ ଅନ୍‌ଲାଇନ୍‌ ଯୋଡି ଯୋଗାଡ଼ରେ ଅପେକ୍ଷାକୃତ କମ୍‌ ଖର୍ଚ୍ଚ ହୋଇଥାଏ ଏବଂ ପଇସା ଦେବାର ଏକ ଧାରା ବା ନିୟମ ଥାଏ। କେବଳ ସେତିକି ନୁହେଁ, ସରକାରୀ ନିୟମ ଅନୁଯାୟୀ ଠିକ୍‌ ବୟସର ପ୍ରମାଣ ପତ୍ର ଆଧାରରେ ପ୍ରସ୍ତାବଗୁଡ଼ିକୁ ସ୍ଥାନ ଦିଆଯାଇଥାଏ। ତେଣୁ ବୟସ ନେଇ ଠକାମି ବା ଅନ୍ୟାନ୍ୟ ଅସୁବିଧାର ଶିକାର ହେବାର ଭୟ ମଧ୍ୟ ଏହା ଦ୍ବାରା ହ୍ରାସ ପାଇଥାଏ।

ବିଗତ କିଛି ବର୍ଷ ହେଲା ବାହାଘର ଯୋଡ଼ି ଯୋଗାଡ଼କୁ ନେଇ ଭାଷା ଏବଂ ଦୂରତା ଆଉ ବିଶେଷ ଅର୍ଥ ରଖୁନାହିଁ, ଯାହାର ସୁଯୋଗ ନେଇ ବିବାହ କ୍ଷେତ୍ରରେ ଅନ୍‌ଲାଇନ୍‌ କାରବାର ମଧ୍ୟ ବୃଦ୍ଧି ପାଉଛି।
ଏଭଳି ସୁଯୋଗ ଏବଂ ବ୍ୟବସାୟରେ ମୁନଫାକୁ ଲକ୍ଷ୍ୟ କରି ବିଗତ ୫ ବର୍ଷ ମଧ୍ୟରେ ଏଇ ବ୍ୟବସାୟଭିତ୍ତିକ କମ୍ପାନିରେ ଅଧିକରୁ ଅଧିକ ପୁଞ୍ଜି ବିନିଯୁକ୍ତ ହେବାରେ ଲାଗିଛି। ଏଇ ବ୍ୟବସାୟ କେବଳ ବାହାଘର ଯୋଡ଼ି ଯୋଗାଡ଼ ତଥା ଜାତକ ମିଳନରେ ସୀମିତ ହୋଇ ରହିନାହିଁ; ଧୀରେ ଧୀରେ ବିବାହ ଉତ୍ସବ ସଂପର୍କିତ ନୂତନ ଦିଗଗୁଡ଼ିକରେ ମଧ୍ୟ ଏହି ସଂସ୍ଥାଗୁଡ଼ିକ ବ୍ୟାବସାୟିକ ଭବିଷ୍ୟତ ଖୋଜିବାରେ ଲାଗିଲେଣି, ଯେମିତି କି ବିଭାଘର ମଣ୍ଡପର ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି କ୍ୟାଟେରିଙ୍ଗ, ଫଟୋ ଉଠା, ବିଭାଘର ସାଜସଜ୍ଜା ଏପରିକି ବିଭାଘର ପରେ ହନିମୁନ୍‌ ଟ୍ରିପ୍‌ର ବ୍ୟବସ୍ଥା ଇତ୍ୟାଦି ଦିଗକୁ ଏଇ ବ୍ୟବସାୟର ଆଗ୍ରହ ବଢ଼ିବାରେ ଲାଗିଛି। ତେଣୁ ଏଥିରେ ସନ୍ଦେହ ନାହିଁ ଯେ ଏହି ବ୍ୟବସାୟର ଭବିଷ୍ୟତ୍‌ ଖୁବ୍‌ ଉଜ୍ଜ୍ବଳ।

ଭାରତ ମାଟ୍ରିମନିର ତଥ୍ୟ ହିସାବରେ ଏହାର ଏକ ଅଂଶ ‘ଓଡ଼ିଆ ମାଟ୍ରିମନି ୱେବ୍‌ସାଇଟ୍‌’ ରେ ପାଖାପାଖି ୩-୪ ଲକ୍ଷ ସଦସ୍ୟ ଅଛନ୍ତି। ଓଡ଼ିଶାରେ ‘ଭାରତ ମାଟ୍ରିମନି’ ଭଳି କମ୍ପାନିର ବଜାର ଅଂଶ ୮୦ ପ୍ରତିଶତ। ଏହାର ଅର୍ଥ, ଓଡ଼ିଶାରେ ଅନ୍‌ଲାଇନ୍‌ ମାଧ୍ୟମରେ ବାହାଘର ଯୋଡ଼ି ଯୋଗାଡ଼ ବେଶ୍ ଅଧିକ ଯହିଁରୁ ‘ଭାରତ ମାଟ୍ରିମନି’ର ଭାଗ ସର୍ବାଧିକ। କେବଳ ସେତିକି ନୁହେଁ, ଅନ୍‌ଲାଇନ୍‌ ଯୋଡ଼ି ଯୋଗାଡ଼ ମୁଖ୍ୟତଃ ପାଠୁଆ ଏବଂ ଚାକିରି କରିଥିବା ଶ୍ରେଣୀର ଲୋକଙ୍କ ସେବାରେ ସୀମିତ ରହିଥିବା ବିଷୟକୁ ଲକ୍ଷ୍ୟ କରି ‘ମାଟ୍ରିମନି ଡଟ୍‌ କମ୍’ ସଂସ୍ଥା ଏବେ ‘ଯୋଡ଼ି’ ନାମକ ଆଉ ଏକ ସଂସ୍ଥା ତିଆରି କରିଛନ୍ତି, ଯାହା ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା ବା ଅଳ୍ପ ରୋଜଗାରକ୍ଷମ ଲୋକଙ୍କ ପାଇଁ ବାହାଘର ଯୋଡ଼ି ଯୋଗାଡ଼ର କାମ କରିବ। ଲକ୍ଷ୍ୟ କଲେ ଜଣାଯିବ ଯେ ଯେଉଁ ଅନ୍‌ଲାଇନ୍‌ ବେପାର ମାତ୍ର ୬%ରେ ସୀମିତ ଥିଲା ତାହା ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ଏହି କାରବାର କିଛି କମ୍‌ ନୁହେଁ, କିନ୍ତୁ ଦୁଃଖର ବିଷୟ ୟାକୁ ନେଇ ଓଡ଼ିଶାରେ କୌଣସି ଉଦ୍ୟୋଗୀ ଏ ଯାବତ୍‌ ଦୃଶ୍ୟମାନ ହୋଇ ନାହାନ୍ତି। ତେଣୁ ଓଡ଼ିଶାର ଉଦ୍ୟୋଗୀମାନେ ଟେକ୍‌ନୋଲୋଜିକୁ ଆଧାର କରି ବିବାହ ମଧ୍ୟସ୍ଥି କାରବାରରେ ପ୍ରବେଶ କରିବା ଉଚିତ। କାରଣ କୌଣସି ବାହାର ରାଜ୍ୟର କଂପାନିକୁ ଏହି ବ୍ୟବସା‌ୟର ୮୦% ଲାଭ ଦେବା ବଦଳରେ ଓଡ଼ିଆ ଉଦ୍ୟୋଗୀମାନଙ୍କୁ ଲାଭ ଦେବା ଉଚିତ ନୁହେଁ କି?
ମୋ: ୯୭୯୧୧୨୧୦୬୮