ମୋର ଜଣେ ବନ୍ଧୁ ନିବିଡ଼ ଭାବରେ ବହୁପାଠୀ; ପୁସ୍ତକ ପଠନ ତାଙ୍କର ଏକ ନିଶା। ପୁଣି, ଅତି ସ˚କ୍ଷେପରେ ପୁସ୍ତକର ସାରମର୍ମକୁ କହିଦିଅନ୍ତି। ଥରେ ପଚାରିଲି, ‘କିଭଳି ରଚନା ତୁମର ଅଧିକ ପସନ୍ଦ?’ ତାଙ୍କର ସରଳ ଓ ତତ୍କ୍ଷଣାତ୍ ଉତ୍ତର ହେଲା, ‘ଆତ୍ମଜୀବନୀ।’ ତାଙ୍କ ଏଭଳି ତ୍ବରିତ ଉତ୍ତରରୁ ବୁଝି ହେଲା, ତାଙ୍କ ପସନ୍ଦ ନେଇ ସେ ଆଦୌ ଦ୍ବିଧାଗ୍ରସ୍ତ ନୁହନ୍ତି। ସେ କହିଲେ, ‘ଆତ୍ମଜୀବନୀରେ ଲେଖକ ସହ ଏକ ଅନ୍ତରଙ୍ଗତା ରହେ। ପୁଣି, ତହିଁରେ ଲେଖକ ଯେତେ ଆତ୍ମପ୍ରଚାର କରନ୍ତୁ ନା କାହିଁକି ତାହା ତାଙ୍କ ସମୟ ଓ ସମାଜର ଏକ ପ୍ରତ୍ୟକ୍ଷ ବିବରଣୀ ହୋଇଥାଏ। ଯେଉଁଠି ଲେଖକ ସଚେତ ଭାବରେ ଆତ୍ମ-ବିଜ୍ଞାପନରୁ ଊର୍ଦ୍ଧ୍ବରେ ରହି ପାରନ୍ତି ଓ ନିରାସକ୍ତ ଭାବେ ସ୍ବ-ଅନୁଭୂତିରୁ ବର୍ଣ୍ଣନା କରନ୍ତି, ସେଇଠି ଆତ୍ମଜୀବନୀ ସୁଖପାଠ୍ୟ ହେବା ସହିତ କାଳଜୟୀ ହେବାର ସାମର୍ଥ୍ୟ ରଖେ!
ଆତ୍ମଜୀବନୀକୁ ନେଇ ବନ୍ଧୁଙ୍କ ସହ ମୋର ଦ୍ବିମତ ହେବାର ନାହିଁ। ବର˚ ତହିଁରେ ଯୋଡ଼ି ହେବ ଯେ, ଗପ-କବିତା କିମ୍ବା ନାଟକ-ଉପନ୍ୟାସ ଭଳି ଆତ୍ମଜୀବନୀ ହେଉଛି ଏକ ବିଶିଷ୍ଟ ସାହିତ୍ୟିକ ବିଭାଗ। ତହିଁରେ ମଧ୍ୟ ସାମାଜିକ ଏବ˚ ସୃଜନାତ୍ମକ ମହତ୍ତ୍ବ ଥାଏ। ଶତକଡ଼ା ଶହେ ସତ୍ୟ ଆଧାରିତ ବୋଲି ମନେ କରାଯାଉଥିବା ଆତ୍ମକଥାରେ ମଧ୍ୟ ଲେଖକର କଳ୍ପନାଶୀଳତା ରହି ତାକୁ ପରିପୁଷ୍ଟ କରିପାରେ। କିନ୍ତୁ ବଡ଼ କଥା, ସର୍ଜନାତ୍ମକ ଲେଖକ ହୋଇ ନ ଥିଲେ ମଧ୍ୟ ଜଣେ ଏକ ସୁଖପାଠ୍ୟ ଆତ୍ମଜୀବନୀ ଲେଖିପାରିବ; ସର୍ତ୍ତ କେବଳ ଏତିକି ଯେ ଲେଖକ ନିର୍ମୋହୀ ଭାବରେ ପୂର୍ବ ସ୍ମୃତିକୁ ଏକ ବ୍ୟାପକ ସାମାଜିକ ପୃଷ୍ଠଭୂମିରେ ବ୍ୟାଖ୍ୟା ଓ ସମୀକ୍ଷା କରିବାକୁ ଅନ୍ତତଃ ପ୍ରୟାସ କରିବ। ସଚେତ ଭାବରେ ନିଜ ଓକିଲ ସାଜିବାକୁ ଚେଷ୍ଟା କରିବ ନାହିଁ। ଅବଶ୍ୟ ଏତେ ପ୍ରୟାସ ସତ୍ତ୍ବେ ଅଜାଣତରେ ଆତ୍ମପ୍ରଚାରର ମାତ୍ରା ‘ଶୂନ୍ୟ’ ହୋଇ ପାରେନା। କିନ୍ତୁ ତା’ର ଅଂଶ ଯଦି ମାତ୍ରାଧିକ, ପାଠକ ତହିଁରୁ ବିମୁଖ ହେବା ସ୍ବାଭାବିକ ହୋଇପଡ଼େ।
ସାଧାରଣତଃ ବୟସର ସାୟାହ୍ନରେ ବ୍ୟକ୍ତି ଆତ୍ମଜୀବନୀ ଲେଖିଥାନ୍ତି। ଏହା ପଛରେ କାରଣ ହେଲା ଯେ ସେତେବେଳକୁ ଅନୁଭୂତି ଯଥେଷ୍ଟ। ଦ୍ବିତୀୟତଃ, ପରିପକ୍ବ ବୟସରେ ବ୍ୟକ୍ତି ହୁଏ’ତ କିଛି ପ୍ରଜ୍ଞା ଲାଭ କରିଥାଏ। ତାହା ବଳରେ ନିଜ ଜୀବନକୁ ଅନ୍ୟ ଜଣେ ବ୍ୟକ୍ତିର ଦୃଷ୍ଟିେର ଦେଖିବାର ପରିପକ୍ବତା ହୁଏ’ତ ଆସି ଯାଇଥାଇପାରେ, ଯାହା ଉଭୟ ଶତ୍ରୁ ଓ ମିତ୍ରଙ୍କୁ ତଥା ନିଜର କାର୍ଯ୍ୟକଳାପକୁ ନିରାସକ୍ତ ଓ ନିରପେକ୍ଷ ଭାବେ ପରଖିବାର ଅନ୍ତର୍ଦୃଷ୍ଟି ଯୋଗାଇଥାଏ। ମାତ୍ର ପାକଳ ବୟସରେ ଯେ ଏଭଳି ହେବ, ତା’ର କୌଣସି ନିଶ୍ଚିତତା ମଧ୍ୟ ନାହିଁ। ସୁତରାଂ, ଆତ୍ମଜୀବନୀ ଲେଖନ ପାଇଁ ଯୁବା ବୟସ ବାଧକ ସାଜି ନ ପାରେ।
ଓଡ଼ିଆରେ ଆତ୍ମଜୀବନୀ ଲେଖନର ଇତିହାସ ମାତ୍ର ଶହେ ବର୍ଷରୁ ଅଳ୍ପ ଅଧିକ। ପୁଣି, ଫକୀର ମୋହନ ଯିଏ ଓଡ଼ିଆରେ ଗଳ୍ପ ଓ ଉପନ୍ୟାସର ପିତୃପୁରୁଷ, ସିଏ ଆତ୍ମଜୀବନୀର ମଧ୍ୟ ପ୍ରଥମ ଲେଖକ। ୧୯୧୮ରେ ତାଙ୍କର ଦେହାନ୍ତ ହେଲା ଏବ˚ ତା’ର କିଛି ମାସ ପୂର୍ବରୁ ୧୯୧୭ରେ ସେ ଆତ୍ମଜୀବନୀ ଲେଖା ଶେଷ କରିଥିଲେ। ବଡ଼ କଥା ହେଲା, ଫକୀର ମୋହନ ତାକୁ ଯେଉଁ ଉଚ୍ଚ ମାନରେ ପହଞ୍ଚାଇ ଦେଇଗଲେ ତାକୁ ଆଜି ବି ଅତିକ୍ରମ କରିବା ସହଜ ନୁହେଁ। ଊନବି˚ଶ ଶତାବ୍ଦୀର ନଅଙ୍କ ଦୁର୍ଭିକ୍ଷ, ଉପକୂଳର ଲବଣ ଶିଳ୍ପ, ଗଡ଼ଜାତଗୁଡ଼ିକରେ ପ୍ରଜା ଓ ଆଦିବାସୀ ବିଦ୍ରୋହ ଆଦି ବିଭିନ୍ନ ଐତିହାସିକ ଘଟଣାର ଅଧ୍ୟୟନ ପାଇଁ ତାହା ପରବର୍ତ୍ତୀ ସମୟରେ ମୂଳ ସ୍ରୋତ ରୂପେ ବିବେଚିତ ହୋଇଛି। ଏହା ଭିତରେ ଓଡ଼ିଆରେ ପ୍ରାୟ ୨୦୦ ଆତ୍ମଜୀବନୀ ଲେଖା ସରିଲାଣି। ତନ୍ମଧ୍ୟରୁ କେତେଗୁଡ଼ିଏ ଅତ୍ୟନ୍ତ ଉଚ୍ଚ ମାନର ମଧ୍ୟ।
ସାଧାରଣରେ ଧାରଣା ଯେ, କେବଳ ସଫଳକାମ ବ୍ୟକ୍ତି ଆତ୍ମଜୀବନୀ ଲେଖିବା କଥା। ଏହା ପଛରେ ଥିବା କାରଣ ହେଲା ସଫଳକାମ ବ୍ୟକ୍ତି ଅପେକ୍ଷାକୃତ ଅଧିକ ପରିଚିତି ଏପରିକି ପ୍ରସିଦ୍ଧି ଲାଭ କରିଥାଆନ୍ତି। ହୁଏ’ତ ସେଭଳି ଜଣେ ବ୍ୟକ୍ତିଙ୍କୁ ଆହୁରି ପାଖରୁ ଜାଣିବାର ଆଗ୍ରହ ଲୋକଙ୍କ ଠାରେ ଥାଏ ବୋଲି ଏକ ଧାରଣା ରହିଛି। ପୁଣି ଆତ୍ମଜୀବନୀ ଯେହେତୁ ଗପ, କବିତା, ଉପନ୍ୟାସ, ନାଟକ ଭଳି କଳ୍ପନାଶୀଳ ସୃଜନୀ ଶକ୍ତି ଆଧାରିତ ହୋଇ ନ ଥାଏ, ଯେ କେହି ଚାହିଁଲେ ତାହା ରଚନା କରିପାରିବେ। ଫେଡେରିକ୍ ଡଗ୍ଲାସ୍ ନାମରେ ଜଣେ ଆଫ୍ରିକୀୟ-ଅମେରିକୀୟ କ୍ରୀତଦାସ ୧୮୪୫ ମସିହାରେ ନିଜ ଆତ୍ମଜୀବନୀ ଲେଖି ସମ୍ପୂର୍ଣ୍ଣ ଅଖ୍ୟାତ ସ୍ଥିତିରୁ ଉଠି ବିଖ୍ୟାତ ହୋଇପାରିଥିଲେ। ତାହା ତାଙ୍କୁ ଲୌକିକ ସ୍ତରରେ ପରିଚିତି ଦେଲା; ଓଜସ୍ବୀ ବକ୍ତାର ଆତ୍ମବିଶ୍ବାସ ଏବ˚ ଜଣେ ସଫଳ ଲେଖକର ମର୍ଯ୍ୟାଦା ଦେଲା। ‘ଅଟୋବାୟୋଗ୍ରାଫି ଅଫ୍ ଆନ୍ ଅନନୋନ୍ ଇଣ୍ଡିଆନ୍’ ବା ‘ଜଣେ ଅପରିଚିତ ଭାରତୀୟର ଆତ୍ମଚରିତ’ ପରେ ତାର ଲେଖକ ନୀରଦ ସି. ଚୌଧୁରୀ ବିଶ୍ବ ପରିଚିତି ଲାଭ କରିଥିଲେ। କିଛି ବର୍ଷ ତଳେ ବଙ୍ଗଳାରେ ବେବି ହାଲଦାରଙ୍କ ଆତ୍ମଜୀବନୀ ଦୁଇଟି ଖଣ୍ତରେ ପ୍ରକାଶିତ ହୋଇ ଲୋକପ୍ରିୟ ହେବା ସହିତ ଓଡ଼ିଆ ସମେତ ଅନ୍ୟାନ୍ୟ ଭାଷାକୁ ଅନୂଦିତ ହୋଇପାରିଛି; ଯାହାର ଶୀର୍ଷକ ‘ଆଲୋ-ଆ˚ଧାରୀ’ ଏବ˚ ‘ଈଷତ-ରୂପାନ୍ତର’। ଆତ୍ମଜୀବନୀ ଲେଖିବା ବେଳେ ବେବି ହାଲଦାର ଥିଲେ ଅନ୍ୟ ଘରେ ଝାଡୁ-ପୋଛା କରୁଥିବା ଜଣେ ମହିଳା, ଯିଏ ପୂର୍ବରୁ କୌଣସି ଲେଖା ଲେଖି ନ ଥିଲେ।
ପରିଶେଷରେ ଏତିକି ମଧ୍ୟ ସ୍ବୀକାର୍ଯ୍ୟ ଯେ ଆତ୍ମଜୀବନୀର ପଠନ ଭଳି ତା’ର ଲେଖନ ମଧ୍ୟ ଆଗ୍ରହ ସୃଷ୍ଟି କରିପାରେ; ଯେ କେହି ଚାହିଁଲେ ତାହା ଲେଖି ପାରନ୍ତି। ଆତ୍ମଜୀବନୀ ହେଉଛି ଏକ ବଳିଷ୍ଠ ସାହିତ୍ୟ ବିଭାଗ ଏବଂ ଏକ ଉତ୍ତମ ଆତ୍ମଜୀବନୀ ରଚନା ଲାଗି କେବଳ ସେହି ଗୋଟିଏ ସର୍ତ୍ତ ରହିବ, ଯାହା ହେଲା ସେଥିରେ ଯେମିତି ନିଜକୁ ଶ୍ରେଷ୍ଠ ବୋଲି ପ୍ରତିପାଦନ କରିବାର ପ୍ରୟାସ ହୋଇ ନ ଥିବ। ଗାନ୍ଧୀଜୀଙ୍କ ଭଳି ମହାନୁଭବ ମଧ୍ୟ ଯଦି ତାଙ୍କ ‘ଆତ୍ମକଥା’ରେ ନିଜ ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ସାମାନ୍ୟତମ ପ୍ରୟାସ କରିଥାନ୍ତେ, ହୁଏତ ତାଙ୍କ ଆତ୍ମ କଥା ମଧ୍ୟ ଅପାଂକ୍ତେୟ ହୋଇ ପଡ଼ିଥାଆନ୍ତା।
[email protected]