ଥରେ ଗୋଟିଏ ଅପରାଧରେ ଦୁଇ ଜଣ ଯୁବକ ଧରା ପଡ଼ି ଜେଲ୍ରେ ରହିଲେ। ଦୁହିଁଙ୍କ ଭିତରୁ ଜଣେ କେବଳ ସେହି ଚିନ୍ତାରେ ରହିଲା, କେମିତି ଜେଲ୍ରୁ ଖସି ପଳାଇବ। ଦିନେ ରାତିରେ ସତକୁ ସତ ସେ ପଳାଇ ଗଲା। କିନ୍ତୁ ସେ ଯେତେ ଡାକିଲେ ବି ତା’ର ବନ୍ଧୁଟି ଗଲା ନାହିଁ। ତେବେ ଜେଲ୍ରୁ ପଳାଇଥିବା ଯୁବକର କୌଣସି ପତ୍ତା ମିଳିଲା ନାହିଁ। ତେଣୁ ଜେଲ୍ରେ ଥିବା ଅନେକ କଏଦୀ ଯୁବକକୁ ପରିହାସ କଲେ ଏବଂ ତା’ର ସାଥୀଟି କେମିତି ମୁକ୍ତ ଜୀବନ କାଟୁଛି ତାହା ସୂଚାଇ ତାକୁ ବୋକା ବୋଲି ଟାହିଟାପରା କଲେ।
କିନ୍ତୁ ତା’ର କୌଣସି ପ୍ରଭାବ ଜେଲ୍ରେ ଥିବା ଯୁବକ ଉପରେ ପଡ଼ିଲା ନାହିଁ। ଅନ୍ତଃକରଣରେ ପରିବର୍ତ୍ତିତ ହୋଇ ସାରିଥିବା ଯୁବକଟି ନିର୍ଲିପ୍ତ ଭାବେ ତା’ର ସଜା କାଟି ଜେଲରୁ ବାହାରିଲା। ତା’ ମନରେ ଆଉ କୌଣସି ଗ୍ଳାନି ନଥିଲା। ଏବେ ସେ ନିଜକୁ ସଂପୂର୍ଣ୍ଣ ମୁକ୍ତ ବୋଲି ବିଚାର କରି ଆଗକୁ କେମିତି ଏକ ଭଲ ଜୀବନ ଜିଇବ ସେହି ପ୍ରୟାସରେ ରହିଲା।
ତେବେ ତା’ର ଯେଉଁ ସାଥୀଟିକୁ ପୁଲିସ ଧରି ପାରି ନ ଥିଲେ, ସେ ଏକ ଦୂର ସ୍ଥାନକୁ ଚାଲିଯାଇ ଲୁଚିଛପି ଦିନ କାଟିବାରେ ଲାଗିଥିଲା। କିନ୍ତୁ ଏଭଳି ସ୍ଥିତିରେ ଅବସ୍ଥା ଦୁର୍ବିଷହ ହୋଇ ଉଠିଥିଲା। ସେ ଯାହାକୁ ମୁକ୍ତିର ଜୀବନ ବୋଲି ଭାବିଥିଲା, ପ୍ରକୃତରେ ତାହା ଥିଲା ଭୟ ଆଶଙ୍କାରେ ଦଗ୍ଧ ଏକ ଜୀବନ। ପରିସ୍ଥିତି ଖରାପ ହେବାରୁ ଦିନେ ସେ ତା’ର ବନ୍ଧୁ ସହିତ ଗୋପନରେ ସଂପର୍କ ସ୍ଥାପନ କରି କ’ଣ କରିବା ଉଚିତ ବୋଲି ପଚାରିଲା।
ଏବେ ବନ୍ଧୁଟି କହିଲା- ତୁମେ ଆତ୍ମସମର୍ପଣ କର। ନିଜ ଅପରାଧ ଲାଗି ଦଣ୍ଡକୁ ସ୍ବୀକାର କର। ତାହା ହେଲେ ତୁମେ ପ୍ରକୃତରେ ମୁକ୍ତ ହୋଇପାରିବ। ତୁମେ ଯାହାକୁ ମୁକ୍ତି ବୋଲି ଭାବି ଜେଲରୁ ପଳାଇ ଯାଇଥିଲ, ତାହା ପ୍ରକୃତରେ ମୁକ୍ତି ନୁହେଁ।