୨୦୦୯ ମଇ ପହିଲା ଦିନ ଚନ୍ଦା କୋଛାର‌୍‌ଙ୍କର ଯେଉଁ ଶିଖର ଆରୋହଣ ସମାପ୍ତ ହୋଇଥିଲା ୨୦୨୨ ଡିସେମ୍ବର ୨୩ ସନ୍ଧ୍ୟାରେ ତାହାର ଅବରୋହଣ ସମାପ୍ତ ହୋଇଛି। ୨୦୦୯ରେ ସେଦିନ ଚନ୍ଦା ‘ଆଇସିଆଇସିଆଇ ବ୍ୟାଙ୍କ୍‌’ର ମୁଖ୍ୟ ବା ‘ସିଇଓ’ ରୂପେ ଦାୟିତ୍ବ ଗ୍ରହଣ କରି ଭାରତର ଏକ ପ୍ରମୁଖ ତଥା ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କ୍‌କୁ ନେତୃତ୍ବ ଦେବାରେ ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିଥିଲେ। ଗତ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ସିବିଆଇ ଦ୍ବାରା ତାଙ୍କ ସ୍ବାମୀ ଦୀପକଙ୍କ ସହିତ ଚନ୍ଦା ଗିରଫ ହେବା ପରେ ସେଇ ତୁଙ୍ଗ ଶିଖରରୁ ତାଙ୍କର ଅବରୋହଣ ସମ୍ପୂର୍ଣ୍ଣ ହୋଇଛି ବୋଲି କୁହାଯାଇପାରେ। ଅବଶ୍ୟ ଏହା ପୂର୍ବରୁ ସେ ୨୦୧୮ରେ ଇସ୍ତଫା ଦେଇ ସେଇ ପଦ ତ୍ୟାଗ କରି ସାରିଥିଲେ।

Advertisment

ଇସ୍ତଫାର କାରଣ ସୁବିଦିତ ହୋଇଥିଲେ ହେଁ ଏଠାରେ ଚୁମ୍ବକରେ ତାହା ଉଲ୍ଲେଖ କରାଯାଇପାରେ। ଚନ୍ଦା କୋଛାର‌୍‌ ସେଇ ବ୍ୟାଙ୍କ୍‌ର ମୁଖ୍ୟ ରୂପେ ଦାୟିତ୍ବ ନେବା ପରେ ପରେ ୨୦୦୯ ଜୁନ୍‌ରୁ ୨୦୧୧ ଅକ୍‌ଟୋବର ମଧ୍ୟରେ ଭିଡିଓକନ୍‌ ଗ୍ରୁପ୍‌ର ବିଭିନ୍ନ କମ୍ପାନିଙ୍କୁ ଛ’ଟି ବୃହଦାକାର ଋଣ ପ୍ରଦାନ କରାଯାଇଥିଲା। ଚନ୍ଦା ନିଜେ ଏହି ଋଣ ଅନୁମୋଦନ କମିଟିର ସଦସ୍ୟା ଥିଲେ। ଏଥି ମଧ୍ୟରୁ ଚନ୍ଦା ଦାୟିତ୍ବ ଗ୍ରହଣ କରିବାର ମାତ୍ର ତିନି ମାସ ପରେ ‘ଭିଡିଓକନ୍‌ ଇଣ୍ଟର‌୍‌ନେସ୍‌ନାଲ୍‌ ଇଲେକ୍ଟ୍ରୋନିକ୍‌ସ ଲିମିଟେଡ୍‌’ (‘ଭିଆଇଇଏଲ୍‌’)କୁ ୩୦୦ କୋଟି ଟଙ୍କାର ଏକ ଋଣ ଓ ‘ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ (ଭିଆଇଏଲ୍’)କୁ ୭୫୦ କୋଟି ଟଙ୍କାର ଆଉ ଏକ ଋଣ ପ୍ରଦାନ କରାଯାଇଥିଲା। ଏହା ପରେ ପରେ ଭିଡିଓକନ୍‌ର ପ୍ରତିଷ୍ଠାତା ମାଲିକ ବେଣୁଗୋପାଳ ଧୂତ୍‌ କାଳବିଳମ୍ବ ନକରି ‘ନୁ ପାଵାର‌୍‌ ରିନ୍ୟୁଏବ୍‌ଲସ ଲିମିଟେଡ୍‌’ (‘ଏନ୍‌ଆଇଏଲ୍‌’) ନାମକ ଏକ ବିଦ୍ୟୁତ୍‌ କମ୍ପାନିରେ ୬୪ କୋଟି ଟଙ୍କା ନିବେଶ କରିଥିଲେ, ଯାହା ଏହି କମ୍ପାନି ପାଇଁ ଥିଲା ଏଭଳି ଆକାରର ସର୍ବପ୍ରଥମ ନିବେଶ ଏବ˚ ଯାହାକୁ ବ୍ୟବହାର କରି ସେଇ କମ୍ପାନି ତା’ର ସର୍ବପ୍ରଥମ ଶକ୍ତି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଥିଲା। ପରେ ଏହିସବୁ ଋଣ ଖିଲାପି ଯୋଗୁଁ ସୃଷ୍ଟି ହୋଇଥିବା କେଳେଙ୍କାରୀ ଯୋଗୁଁ ଚନ୍ଦା କୋଛାର‌୍‌ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଏବ˚ ସିବିଆଇ ଓ ଇଡି ଆଦି ଏହାର ଅନୁସନ୍ଧାନ ହାତକୁ ନେଇଥିଲେ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଏନ୍‌ଆର‌୍‌ଏଲ୍‌’ର ମାଲିକ ହେଉଛନ୍ତି ଚନ୍ଦା କୋଛାର‌୍‌ଙ୍କ ନିଜ ସ୍ବାମୀ ଦୀପକ କୋଛାର‌୍‌ (ଏବେ ଚନ୍ଦାଙ୍କ ସହିତ ଦୀପକ ଓ ବେଣୁଗୋପାଳ ମଧ୍ୟ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି)।

ଚନ୍ଦା କୋଛାର‌୍‌ଙ୍କ ଏଭଳି ପତନ ପୂର୍ବରୁ କର୍ପୋରେଟ୍‌ ବ୍ୟାଙ୍କିଙ୍ଗ୍‌ ଭଳି ଏକ ପୁରୁଷ ଅଧ୍ୟୁଷିତ ଦୁନିଆରେ ତାଙ୍କର ସାହସିକ ପ୍ରବେଶ ଓ ଚମକପ୍ରଦ ସଫଳତା ମହିଳା ସଶକ୍ତୀକରଣର ଏକ ଉଜ୍ଜ୍ବଳ ଅନୁକରଣୀୟ ଉଦାହରଣ ରୂପେ କେବଳ ଭାରତରେ ନୁହେଁ, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ବ୍ୟାପକ ପ୍ରସାର ଲାଭ କରିଥିଲା। ସେ ମର୍ଯ୍ୟାଦାଜନକ ଫୋର୍ବ‌୍‌ସ ପତ୍ରିକାର ସର୍ବାଧିକ ଶକ୍ତିଶାଳୀ ମହିଳା ତାଲିକାରେ ଥରେ ନୁହଁ କି ଦୁଇ ଥର ନୁହଁ, ସାତ ସାତ ଥର ସ୍ଥାନ ପାଇଥିଲେ। ସେହିପରି ୨୦୧୫ରେ ଆଉ ଏକ ପ୍ରଭାବଶାଳୀ ଆନ୍ତର୍ଜାତିକ ପତ୍ରିକା ‘ଟାଇମ୍‌’ ମାଗାଜିନ୍‌ ଚନ୍ଦା କୋଛାର‌୍‌ଙ୍କୁ ପୃଥିବୀର ଏକ ଶହ ସର୍ବାଧିକ ଶକ୍ତିଶାଳୀ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମା ରୂପେ ସ୍ବୀକୃତି ପ୍ରଦାନ କରିଥିଲା।

ବର୍ତ୍ତମାନ ଚନ୍ଦାଙ୍କ ଅସମ୍ମାନଜନକ ଅସ୍ତ ଘଟିବା ପରେ ମହିଳା ସଶକ୍ତୀକରଣ ଆନ୍ଦୋଳନ ତା’ର ଏକ ଅତ୍ୟନ୍ତ ପ୍ରଭାବଶାଳୀ, ପ୍ରେରଣାଦାୟିନୀ ଜୀବନ୍ତ କିଂବଦନ୍ତିଙ୍କୁ ହରାଇ ବସିଛି। ସ୍ବାଭାବିକ ଭାବରେ ଅଭିଯୋଗ ହେଉଛି ଯେ ଚନ୍ଦା କୋଛାର‌୍‌ ତାଙ୍କର ଅପକୀର୍ତ୍ତି ଦ୍ବାରା ସମଗ୍ର ନାରୀମୁକ୍ତି ଓ ସଶକ୍ତୀକରଣ ଉଦ୍ୟମ ପ୍ରତି ବିଶ୍ବାସଘାତକତା କରିଛନ୍ତି। ଏହା କେତେକା˚ଶରେ ଠିକ୍‌; କାରଣ ତାଙ୍କର ସ୍ଖଳନ ତାଙ୍କ ଦ୍ବାରା ଉତ୍ସାହିତ ହେଉଥିବା ଓ ତାଙ୍କୁ ନେଇ ଗର୍ବ କରୁଥିବା ଅଗଣିତ ଉଚ୍ଚାକାଙ୍‌କ୍ଷୀ ମହିଳାମାନଙ୍କୁ ହତାଶା ମଧ୍ୟକୁ ଠେଲି ଦେଇଛି। କିନ୍ତୁ ଏଠାରେ ଏକ ପ୍ରଶ୍ନ ଉଠେ, ଚନ୍ଦା କୋଛାର‌୍‌ କ’ଣ ପ୍ରକୃତରେ ସେଇଭଳି ଏକ ସ୍ବାଧୀନଚେତା, ଶକ୍ତିଶାଳୀ ମହିଳା ଥିଲେ, ଯେଉଁଭଳି ତାଙ୍କୁ ଚିତ୍ରିତ କରାଯାଉଥିଲା? ସେ କ’ଣ ପ୍ରକୃତରେ ନାରୀମୁକ୍ତି ଆନ୍ଦୋଳନକାରିଣୀମାନେ ଓ ନାରୀବାଦୀମାନେ କଳ୍ପନା କରୁଥିବା ଭଳି ଜଣେ ମୁକ୍ତ ସତ୍ତା ଥିଲେ? ଏ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅନ୍ୟ ଏକ ପ୍ରଶ୍ନ ପଚରା ଯାଇପାରେ: ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶିକା ପଦ ଭଳି ଏକ ସୁଉଚ୍ଚ ପଦରେ ଅଧିଷ୍ଠିତ ହେବାର ମାସ କେଇଟା ମଧ୍ୟରେ ଚନ୍ଦା କାହିଁକି ବେଣୁଗୋପାଳ ଧୂତ୍‌ଙ୍କୁ ସାହାଯ୍ୟ କରିବା ପାଇଁ ଏକ ଦୁର୍ନୀତିମୂଳକ ଚକ୍ରାନ୍ତରେ ଲିପ୍ତ ହୋଇ ପଡ଼ିଲେ? ଏହି ପ୍ରଶ୍ନ ସହିତ ଜଡ଼ିତ ଥିବା ଏକ ଉପ-ପ୍ରଶ୍ନ ହେଲା: ଧୂତ୍‌ ସିଧାସଳଖ ଚନ୍ଦାଙ୍କୁ ଏହି ଅନିୟମିତ ଋଣ ପାଇଁ ଅନୁରୋଧ କରିଥିଲେ, ନା ତାଙ୍କ ସ୍ବାମୀ ଦୀପକଙ୍କ ମାଧ୍ୟମରେ ଚନ୍ଦାଙ୍କ ନିକଟରେ ପହଞ୍ଚିଥିଲେ?

ପ୍ରକାଶିତ ସୂଚନାକୁ ଆଧାର କରି ସମ୍ଭାବ୍ୟ ଘଟଣାକ୍ରମକୁ କଳ୍ପନା କରିବା କଷ୍ଟ ନୁହେଁ। ଦୀପକ କୋଛାର‌୍‌ ଏକ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, କିନ୍ତୁ ସେଥିପାଇଁ ଆବଶ୍ୟକ ପୁଞ୍ଜି ସ˚ଗ୍ରହ କରି ପାରୁ ନାହାନ୍ତି। ଏହି ସମୟରେ ପତ୍ନୀ ଚନ୍ଦା ଅପର୍ଯ୍ୟାପ୍ତ ପୁଞ୍ଜିର ତତ୍ତ୍ବାବଧାରକ ରୂପେ ଏକ ପ୍ରମୁଖ ବ୍ୟାଙ୍କ୍‌ର ମୁଖ୍ୟ ପଦ ଲାଭ କରିଛନ୍ତି। ସେ କିନ୍ତୁ ସ୍ବାମୀଙ୍କୁ ସିଧାସଳଖ ଋଣ ପ୍ରଦାନ କରି ପାରିବେ ନାହିଁ। ସୌଭାଗ୍ୟକ୍ରମେ ଜଣେ ପ୍ରତିଷ୍ଠିତ ଶିଳ୍ପପତି ମଧ୍ୟ ଋଣ ଆବଶ୍ୟକ କରୁଛନ୍ତି, ଯିଏ ଏକ ପରୋକ୍ଷ ମାଧ୍ୟମ ରୂପେ ଦୀପକଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେ ହେଉଛନ୍ତି ‘ଭିଡିଓକନ୍‌’ର ମାଲିକ ଧୂତ୍‌। ପତି ଦୀପକଙ୍କୁ ସାହାଯ୍ୟ କରିବା ପାଇଁ ଚନ୍ଦା ତତ୍‌କ୍ଷଣାତ୍‌ ଧୂତ୍‌ଙ୍କୁ ବିଶାଳ ଋଣ ପ୍ରଦାନ କରିଛନ୍ତି, ଯାହାର ଏକ ଅ˚ଶ ଧୂତ୍‌ ଦୀପକଙ୍କ ଉଦ୍ୟୋଗରେ ନିବେଶ କରିଛନ୍ତି।

ଏକ ନାରୀବାଦୀ ଦୃଷ୍ଟିରେ ଦେଖିଲେ ଏଠାରେ ଯେଉଁ ଅସଲ ଚିତ୍ର ଆବିର୍ଭୂତ ହୋଇଥାଏ, ତାହା ହେଲା - ଦୁଇଜଣ ପୁରୁଷ (ଦୀପକ ଓ ଧୂତ୍‌) ମିଶି ଜଣେ ତଥାକଥିତ ପରାକ୍ରମୀ ମହିଳାଙ୍କୁ ସଖୀ କଣ୍ଢେଇ ଭଳି ବ୍ୟବହାର କରିଛନ୍ତି, ଯଦିବା ଚନ୍ଦା କୋଛାର‌୍‌ ନାମକ ଏହି ସଖୀ କଣ୍ଢେଇଟିର ଯଥେଷ୍ଟ ବୁଦ୍ଧି ଅଛି ଏହାର ଭୟାବହ ପରିଣତି ସମ୍ବନ୍ଧରେ ଅନୁମାନ କରିପାରିବାକୁ। ସତ କଥା ହେଲା ଏକ ପୁରୁଷକୈନ୍ଦ୍ରିକ ସମାଜ ନିଜର ସ୍ବାର୍ଥ ସାଧନ ପାଇଁ ହିଁ ଚନ୍ଦା କୋଛାର‌୍‌ଙ୍କ ପରି କିଛି ମହିଳାଙ୍କୁ ନାମମାତ୍ର ଶକ୍ତିଶାଳୀ ଆସନରେ ବସାଇ ସେମାନଙ୍କର ପ୍ରଚାର କରିଥାଏ; ଶେଷରେ କିନ୍ତୁ ଏହି ଶକ୍ତିଶାଳୀ ନାରୀମାନେ ପୁରୁଷମାନଙ୍କ ନିର୍ଦ୍ଦେଶ ପାଳନ କରି ହିଁ କାର୍ଯ୍ୟ କରିଥାନ୍ତି। ଏହା ହେଉଛି ସେଇଭଳି, ଯେଉଁଭଳି ମହିଳାମାନଙ୍କ ପାଇଁ ଆରକ୍ଷିତ ଆସନରୁ ନିର୍ବାଚିତ ହେଉଥିବା ମହିଳାମାନଙ୍କର ସ୍ବାମୀ, ଶ୍ବଶୁର, ଭାଇ ଆଦି ହିଁ ସେମାନଙ୍କୁ ସମ୍ମୁଖରେ ରଖି ପଛରେ ଥାଇ ପ୍ରକୃତ କ୍ଷମତା ଉପଭୋଗ କରିଥାନ୍ତି।
କର୍ପୋରେଟ୍‌ ଜଗତ୍‌ରେ ଚନ୍ଦା କୋଛାର‌୍‌ ଯେ ଏଭଳି ଏକମାତ୍ର ଉଦାହରଣ ନୁହଁନ୍ତି, ତା’ର ଏକ ପ୍ରମାଣ ସ୍ବରୂପ ପ୍ରାୟ ବର୍ଷକ ତଳେ ସେଇ ଜଗତ୍‌ର ସର୍ବୋଚ୍ଚ ସ୍ତରରେ ଆଉ ଜଣେ ‘ଶକ୍ତଶାଳୀ’ ମହିଳାଙ୍କର ଆବିର୍ଭାବ ଦେଖିବାକୁ ମିଳିଥିଲା- ଚିତ୍ରା ରାମକୃଷ୍ଣା: ଚନ୍ଦାଙ୍କ ପରି ଚିତ୍ରା ଥିଲେ ‘ନେସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶିକା। ଚନ୍ଦାଙ୍କ ପରି ଚିତ୍ରା ମଧ୍ୟ ସିବିଆଇ ଦ୍ବାରା ଗିରଫ ହୋଇ ବର୍ତ୍ତମାନ ହାଜତରେ ଅଛନ୍ତି। ସେ ମଧ୍ୟ ଜଣେ ପୁରୁଷ- ‘ଗ୍ରୁପ୍‌ ଅପରେଟିଙ୍ଗ୍‌ ଅଫିସର‌୍‌’ ପଦରେ ଥିବା ଆନନ୍ଦ ସୁବ୍ରମଣ୍ୟମ୍‌ (ଯାହାଙ୍କର ପରିଚୟ ଗୋପନ ରଖି ଚିତ୍ରା ତାଙ୍କୁ ଜଣେ ରହସ୍ୟମୟ ହିମାଳୟ ନିବାସୀ ଯୋଗୀ ରୂପେ ବର୍ଣ୍ଣନା କରିଥିଲେ)ଙ୍କ ଦ୍ବାରା ନିୟନ୍ତ୍ରିତ ହୋଇ ଅନେକ ଅନିୟମିତ କାର୍ଯ୍ୟ କରି ଧରା ପଡ଼ିଥିଲେ।

ଏଥିରେ ସନ୍ଦେହ ନାହିଁ ଯେ ଉଭୟ ଚନ୍ଦା ଓ ଚିତ୍ରା ନାରୀ ମୁକ୍ତି ଆନ୍ଦୋଳନ ପ୍ରତି ବିଶ୍ବାସଘାତକତା କରିଛନ୍ତି, କିନ୍ତୁ ତାହା ସେମାନେ ଲିପ୍ତଥିବା ଦୁର୍ନୀତି ବା ଦୁରାଚାର ଯୋଗୁଁ ନୁହେଁ। ନିଜେ ହାସଲ କରିଥିବା ସମସ୍ତ ସଫଳତା ସତ୍ତ୍ବେ ସେମାନେ ତଥାପି ନିଜକୁ ପୁରୁଷର ସଖୀ କଣ୍ଢେଇ ରୂପେ ବ୍ୟବହୃତ ହେବାକୁ ଦେବା ହେଉଛି ସେମାନେ ଆଚରଣ କରିଥିବା ଅସଲ ବିଶ୍ବାସଘାତକତା। କାରଣ, ସେମାନଙ୍କର ଏଭଳି ଆଚରଣ ସମାଜରେ ପୁରୁଷବାଦକୁ ଚିରସ୍ଥାୟୀ କରିବାରେ ସହାୟକ ହୋଇଥାଏ।